Papu parida

Tragedy Inspirational

4.0  

Papu parida

Tragedy Inspirational

ଛୁଞ୍ଚି ତରବାରୀ

ଛୁଞ୍ଚି ତରବାରୀ

3 mins
197



    ରାମୁ ଓ ସୁର ଦୁହେଁ ପିଲାଟି ଦିନରୁ ଭଲ ସାଙ୍ଗ । ଦୁହେଁ ସାଥିରେ ପାଠପଢା, ଗାଆଁ ଖଟି, ଆମ୍ବଚୋରା, ବାଟିଖେଳ ସବୁଥିରେ ସାଥି । ରାମୁ ପାଠ ପଢ଼ାରେ ସେତେ ଭଲନଥିଲେ ବି ତା ସାଙ୍ଗ ପାଇଁ ତାର ଭାରି ଗର୍ବ । ବାପାଙ୍କ ଦେହାନ୍ତ ପରେ ଅଷ୍ଟମ ଶ୍ରେଣୀରେ ହିଁ ରାମୁର ପାଠ ପଢ଼ାରେ ଡୋରି ଲାଗିଲା । ଧୀରେ ଧୀରେ ସେ ମାଆ ସହ ମିଶି ଘର କାମ କରିବାକୁ ଲାଗିଲା । ସୁର କିନ୍ତୁ ଜଣେ ମେଧାବୀ ଛାତ୍ର । ସେ ସବୁବେଳେ ଶ୍ରେଣୀରେ ପ୍ରଥମ ହୁଏ । ଆଉ ଏମିତିରେ ସେ ସରପଞ୍ଚଙ୍କ ପୁଅ । କିନ୍ତୁ ଦୁହିଁଙ୍କ ମିତ୍ରତା ଗାଆଁ ଖଟିର ଏକ ଉଦାହରଣ ସାଜୁଥିଲା । ରାମ ନିତି ସୁରକୁ ସାଇକେଲରେ ବସାଇ ପାଖ ଗାଆଁକୁ ଟିୟୁସନ ନିଏ ଓ ଆଣେ । ଖୁସି ଖୁସିରେ ଦୁହିଁଙ୍କ ପିଲା ଦିନ କଟିଗଲା । ସୁର ମେଡିକାଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ପାଇଁ ସହର ଚାଲିଗଲା । ଧୀରେ ଧୀରେ ସମ୍ପର୍କରେ ଦୂରତା ବଢିବାକୁ ଲାଗିଲା । ଜଣେ ଗାଆଁ କୃଷିଭୂମିରେ ମାଟି ସାଙ୍ଗେ ମାଟି ହୋଇଗଲା ଓ ଆଉ ଜଣେ ସହରରେ ଟଙ୍କାର ସୌଦାଗର ସାଜିଗଲା । ସୁର ସହରରେ ଜଣେ ପ୍ରସିଦ୍ଧ ଡାକ୍ତର ହୋଇଗଲା ଓ ନିଜସ୍ୱ ଏକ କ୍ଲିନିକ ଖୋଲିଲା । ବଡ ବଡ ଲୋକଙ୍କ ସହ ବନ୍ଧୁତା ସ୍ଥାପନ ଭିତରେ ଗାଆଁର ମଳିମୁଣ୍ଡିଆ ସାଙ୍ଗଟିକୁ ସତେ ଯେପରି ହଜେଇଦେଲା ।


    ଦିନେ ରାମୁର ମାଆର ଦେହ ଅତ୍ୟଧିକ ଖରାପ ହୋଇଗଲା । ବହୁକଷ୍ଟରେ କିଛି ଟଙ୍କା ଯୋଗାଡ କରି ଚିକିତ୍ସା ପାଇଁ ମାଆକୁ ନେଇ ସହର ଆସିଲା । ମାଆକୁ କ୍ଲିନିକରେ ଭର୍ତ୍ତି କଲା ପରେ ଜାଣିବାକୁ ପାଇଲା ମାକୁ କ୍ୟାନ୍ସର ! ଅପରେସନ ପାଇଁ ଦୁଇ ଲକ୍ଷ ଟଙ୍କା ଦରକାର।କାହାଠାରୁ ସେ ଜାଣିବାକୁ ପାଇଲା ଯେ ଏ କ୍ଲିନିକଟି ତାଙ୍କ ପିଲାଦିନ ସାଙ୍ଗ ସୁରର । ସେ ତା ସହ ମିଶି ତାକୁ ସବୁ କଥା କହିଲା । କିନ୍ତୁ ସହରୀ ପାଣି ଯେ ଗାଆଁର ମଇଳା ସମ୍ପର୍କଗୁଡିକୁ ଧୋଇ ତାକୁ ସହରିଆ କରିଦେଇଥିଲା ରାମୁ ଜାଣିପାରି ନଥିଲା । ସୁର ତାକୁ ସିଧା ସିଧା ମନା କରି କହିଲା ଏ କଣ ଧର୍ମଶାଳା ? ମତେ ବି ତ ମୋ ଡାକ୍ତରମାନଙ୍କୁ ଦରମା ଦେବାକୁ ହୁଏ । ସେମାନେ ତ ମାଗଣାରେ ଅପରେସନ କରିବେନି ନା । ବରଂ ଭଲ ହେବ ତୁ ମାଉସୀଙ୍କୁ କୌଣସି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଦେ । ମୁଁ କିଛି ଟଙ୍କା ଦେଉଛି । ସରଳ ରାମୁ ଜାଣିପାରିଲା ଯେ ତା ସୁର ଏବେ ସୁରେଶ ମହାପାତ୍ର ହୋଇଯାଇଛି । ସେ ମାଆକୁ ନେଇ ସେଠାରୁ ଚାଲିଗଲା।।


    କିଛି ଦିନ ପରେ ସୁରେଶ ବାବୁଙ୍କ କୁନି ଝିଅ ସ୍କୁଲରୁ ଫେରିବା ବାଟରେ ଦୁର୍ଘଟଣାର ଶିକାର ହେଲା । ଯେହେତୁ ଦେହରୁ ବହୁରକ୍ତ ଝରି ଯାଇଥିଲା,ତାକୁ ଦୁଇ ୟୁନିଟ ରକ୍ତର ଆବଶ୍ୟକତା ପଡିଲା।ରକ୍ତବର୍ଗ - AB- । ଯେହେତୁ ମେ ଜୁନ ମାସର ସମୟ କୌଣସି ରକ୍ତଭଣ୍ଡାରରେ AB- ରକ୍ତ ମହଜୁଦ ନଥିଲା । ଗୋଟିଏ ୟୁନିଟ ସେ ନିଜ ଦେଇଦେଲେ ଅନ୍ୟଟି ପାଇଁ ଖୋଜା ଚାଲିଲା । ସେ ବହୁ ଡାକ୍ତରଖାନା ଫୋନ କଲେ।ନିଜର ସାଙ୍ଗ ମାନଙ୍କୁ ଫୋନ କଲେ ଯେଉଁମାନଙ୍କ ରକ୍ତବର୍ଗ AB- କିନ୍ତୁ ସେମାନେ ରକ୍ତ ଦେବାକୁ ଆଗ୍ରହୀ ନଥିଲେ ବରଂ ଯଦି କିଛି ଆର୍ଥିକ ସାହାଯ୍ୟର ଆବଶ୍ୟକତା ଥାଏ ତେବେ କରିପାରିବୁ ବୋଲି କହିଲେ । ସେଥିପାଇଁ ସେ ବାଧ୍ୟ ହୋଇ ଖବରକାଗଜରେ ଇସ୍ତାହାର ଦେଲେ ଯେ ଜରୁକାଳୀନ AB- ରକ୍ତ ଆବଶ୍ୟକ । ଦାତାଙ୍କୁ ୨୫୦୦୦ ଟଙ୍କା ପୁରସ୍କାର ରାଶି ଦିଆଯିବ । ପରଦିନ ଦାତା ଯୋଗାଡ଼ ହେଲେ ଓ କୁନିର ଅପରେସନ ହେଲା।


    ଦାତାଙ୍କୁ ପୁରସ୍କାର ରାଶି ଦେବାକୁ ଗଲା ବେଳକୁ ଦାତା ସେଠାରୁ ଯାଇସାରିଥିଲେ । ରେକ୍ୟୁଜିସନ ଫର୍ମ ଦେଖି ସାରିଲା ପରେ ଜାଣିଲେ ଯେ ଦାତା ଥିଲେ ତାଙ୍କ ସେହି ପିଲା ଦିନ ସାଙ୍ଗ ରାମୁ।ତାଙ୍କ ଆଖିରୁ ପଶ୍ଚାତାପର ଲୁହ ଝରିଆସିଲା । ସେ କରିଥିବା କର୍ମର ପଶ୍ଚାତାପ ସ୍ୱରୂପ ମାଉସୀଙ୍କ ଚିକିତ୍ସା ମାଗଣାରେ କରିବି ବୋଲି ଭାବି ଗାଆଁକୁ ଗଲେ । କିନ୍ତୁ ଗାଆଁ ମୁଣ୍ଡରେ ଦେଖିବାକୁ ପାଇଲେ ଯେ ଗାଆଁ ପୋଖରୀରେ ରାମୁ ଧଳା ଲୁଗା ପିନ୍ଧି ଲଣ୍ଡା ହୋଇ ବସିଛି । ସେ ସବୁ କିଛି ବୁଝି ପାରିଲେ । ସେ ନିଜ ମୁହଁକୁ ସାଙ୍ଗ ଆଗରେ ଦେଖେଇବାକୁ ସାହସ ଜୁଟେଇ ନପାରି ଫେରିଗଲେ । ସହରକୁ ଯାଇ ନିଜ କୁକର୍ମ ପାଇଁ ପ୍ରତି ବର୍ଷ ଏକ କ୍ୟାନ୍ସର ରୋଗୀଙ୍କୁ ମାଗଣାରେ ଚିକିତ୍ସା କଲେ । ରାମୁ ମଧ୍ୟ ଜାଣିବାକୁ ପାଇଲେ ଯେ ସୁର ବଦଳି ଯାଇଛି । ସେ ପୁଣିଥରେ ସୁରେଶ ମହାପାତ୍ରରୁ ସୁର ହୋଇ ଯାଇଛି । ରାମୁ ସହର ଯାଇ ତାକୁ କୋଳେଇ ନେଲା ଓ କ୍ଷମା କରିଦେଲା । ବର୍ତ୍ତମାନ ଦୁଇ ବନ୍ଧୁ ଖୁସି ଖୁସିରେ ନିଜ ସମ୍ପର୍କର ଦ୍ୱିତୀୟ ସୋପାନ ଲେଖିବା ଆରମ୍ଭ କଲେ।






Rate this content
Log in

Similar oriya story from Tragedy