Sujata Dash

Tragedy

3  

Sujata Dash

Tragedy

ଛତାଟିଏ-କଥାଟିଏ

ଛତାଟିଏ-କଥାଟିଏ

7 mins
574


ସେଦିନ ସନ୍ଧ୍ୟାବେଳେ ହଠାତ ଝିପିଝିପି ବର୍ଷା ପକେଇଲା।ଅଫିସରୁ ଦୁହେଁ ଫେରୁଥିଲୁ । ଗୋଲକ ବାବୁଙ୍କ ବସା ଟା ଆଗେ ପଡେ, ତାର ତିନି ଲାଇନ ପଛକୁ ଆମ ଘର । ବାଧ୍ୟ କଲେ ସିଏ ଓଲ୍ହେଇପଡ଼ିଲ। ସାଇକେଲ ଗେଟ ବାହାରେ ରଖି ବ୍ୟାଗ ନେଇଆସିଲି। ବେସିକିଛି ଜିନିଷ ନଥିଲା -ଏଇ ଫାଇଲ ଦି ଖଣ୍ଡ, ହାଟରୁ ଆଣିଥିବା ପରିବା କିଛି, ବୋଉ ଲାଗି ପାନ କଡେ, ଆଉ ମୋ ଖାଇବା ଟିଫିନ ଟା। ଭାଉଜ ଦାଣ୍ଡପଟେ ଦିଖଣ୍ଡ ପ୍ଲାଷ୍ଟିକ ଚିଆର ପକେଇଦେଲେ ।କହିଲେ "ବସନ୍ତୁ ସୁବଳ ବାବୁ ,କେବେ ତ ଆସୁନାହାନ୍ତି ଆଜି ବର୍ଷା ଯୋଗୁ ଧରାପଡିଛନ୍ତି।

ନାଇଁମ ଭାଉଜ! କଥା କଣ କି - ଚିକୁ, ଏ ବର୍ଷ ମାଟ୍ରିକ ଦବ ।ପିଲାଟା ଟିକେ ଚଗଲା ହଉଚି। ତା ମା’ କଥା ଜମା ଶୁଣୁନି। ଟାଇମ ରେ ଟିଉସନ ଯାଉନି କି ପଢୁନି। ତାକୁ ନେଇକି ଆମ ଘରେ ବଡ ଟେନସନ। ମୁଁ ଘରେ ରହିଲେ ତା’ର ଟିକେ ଡର ଥାଏ। ବହି ଧରିକି ବସେ।


ଆଜିକାଲି ଯେମିତି ରେଜଲ୍ଟ ହଉଚି ଭଲ ନମ୍ବର ନ ରଖିଲେ ଭଲ ଜାଗାରେ ଆଡ଼ମିସନ ମିଳିବନି ଆଉ ଏଣୁ ତେଣୁ କଲେଜ ରେ ପଢ଼େଇକି କିଛି ଫାଇଦା ନାହିଁ। କେବଳ ପଇସା ଶ୍ରାଦ୍ଧ କରିବା କଥା -ମୁଁ, ଚେୟାର ରେ ଆଉଜି ବସୁ ବସୁ କହିଲି।

ହଁ, ସେଇଆ ନୁହେଁ, ଆଉ କ’ଣ? -ଭାଉଜ ସମ୍ମତି ପ୍ରକାଶ କଲେ।

ଗୋଲକ ବାବୁ ୟା ଭିତରେ ଯାଇ ଲୁଗାପଟା ପାଲଟି, ଚେକ ଲୁଙ୍ଗି ଆଉ ଖୋର୍ଦ୍ଧା ଗାମୁଛା ମଡ଼େଇ ନିଜର ସ୍ଟାଟସ ଚେଞ୍ଜ କରିସାରିଥାନ୍ତି ।ଘରଣୀଙ୍କ ଉଦ୍ଦେଶ୍ୟ ରେ କହିଲେ -ସୁବଳ ବାବୁ ଏତେ ଦିନରେ ଧରା ପଡିଲେ ଯେ, ତାଙ୍କୁ ଶୁଖିଲା ଗପରେ ଆପ୍ୟାୟିତ କରୁଛ? 

ନାଇଁ ମ! ତମର ଯୋଉ କଥା। ସିଏ କଣ ଏଠି ଏକୁଟିଆ ଟା ବସିଥାନ୍ତେ, ତମେ ତ ଯୁଗେ ସମୟ ନଉଚ ବଦଳେଇବାକୁ।

ନୁହେଁ ଆଉ କଣ?

ବୁଝିଲେ ସୁବଳ ବାବୁ, ଏ ମାଇପୀ ମାନଙ୍କୁ କଥାରେ ପାରିବେନି ଆପଣ ଯେମିତି ହେଲେ ଫାଶ ଆପଣଙ୍କ ବେକରେ ପଡିବ।

ହଉ ହେଲା ଯା ,କହିକି ରତ୍ନା ହସିକି ପଳେଇଲେ ସେଠୁ ।

ସ୍ୱାମୀ ବରାଦ କରିଛନ୍ତି ଆଳୁ ପକଡି, ବାଇଗଣୀ ଆଉ ଅଦା ପକା ଚା ।ପ୍ରସ୍ତୁତି ପଥେ ଥିଲାବେଳେ, ସ୍ୱାମୀ ଡକାପକେଇଲେ ଆଉ କେତେ ସମୟ? ଭୋକ ରେ ପେଟ ଜଲିଲାଣି।

ଆରେ ବାବା! ଦି ଟା ଯାକ ଚୁଲି ତ ଲଗେଇଛି, ହେଲେ ସିନା ଦେବି। 

ବୁଝିଲେ ସୁବଳ ବାବୁ, ମଝିରେ ଗୋଟେ ଗୋଟେ ରିମାଇଁଣ୍ଡର ନ ଦେଲେ ସବୁ କାମ ଢିଲା ପଡିଯିବ। ଆମ ଅଫିସ ରେ ଯେମିତି…

ବୁଝିଲେ,ଆପଣ ଭାଉଜଙ୍କୁ ଏତେ ତରତର କରାନ୍ତୁନି।

ସିଏ ଆରାମସେ କରିକି ଆଣନ୍ତୁ ।ବର୍ଷା ର ପ୍ରକୋପ ଦେଖୁଛନ୍ତି ? ଝିପିଝିପିରୁ ମୁଷଳ ଧାରା ଆଡେ ଗତି କରୁଛି। ଲାଗୁଚି କମସେକମ ଘଣ୍ଟା ଗୋଟେ ଲାଗିଯିବ ଛାଡିବା ପାଇଁ ।ମୁଁ ଟିକେ ଘରକୁ ଫୋନ କରିଦିଏ, ପଲ୍ଲବୀ କୁ କହିଦିଏ ପୁଅକୁ ଅଟୋରେ ଟିଉସନ ପଠେଇଦେଉ। ହଁ, ବୋଉକୁ କହିଦିଏ ତା’ର ପ୍ରାଣପ୍ରିୟ ଜିନିଷଟି ମୋରି ପାଖରେ ମୋରି ବେଗରେ ଅଛି। ତା’ର ପୋଷେ ରକ୍ତ ଶୁଖିଯିବଣି -- ପାନ ନଥିଲେ ସିଏ ବାଚାଳ ସମ୍ଭାଳିବା କଷ୍ଟ ତାକୁ ।ଏଇଟା ଜାଣିକି ତା’ର ସଉକ ଦୁର୍ବଳତା ଔଷଧ ସବୁକିଛି।


ସେଦିନ... ନାହିଁନଥିଲା ବର୍ଷା। ପାଣିପାଗ ସୂଚନା ରେ ସେମିତି ବିଶେଷ କିଛି ଉଲ୍ଲେଖ ବି ନଥିଲା।ଅବଶ୍ୟ, ପାଣିପାଗ ସୂଚନା ଅନୁସାରେ ବର୍ଷା କଦବା କ୍ଵଚିତ ହୁଏ। କେହି କେହି ଥଟ୍ଟା ମଜ୍ଜା ରେ ଏମିତିବି କହନ୍ତି । ସୂଚନା ଯାହା ମିଳିବ ତାର ଓଲଟାଟା ହବ, ସେଦିନ ସେଇଆ ହିଁ ହେଇଥିଲା। ଖୁବ ଘଡଘଡି,ବିଜୁଳି ଆଉ ବେଶ ଅସରାଏ ବର୍ଷା... ଲାଗୁଥିଲା ଯେମିତି, ଆକାଶ ଟା କୁଢ଼େଇ ହେଇଯିବ ଅବା ଆକାଶର ବୁକୁଫଟା ଚିତ୍କାରରେ ମେଦିନୀ କମ୍ପି ଉଠିବ। 

ସତରେ କ’ଣ ଆକାଶ ଗର୍ଜି, ବର୍ଷି, କାନ ତାବଦା କରି, ଇସାରାରେ କିଛି କହିବାକୁ ଚାହୁଁଥିଲା? ଆଉ,ମୋ ପରି ସାଧାରଣ ରକ୍ତ ମାଂସ ଶରୀରର ସେ ସବୁ ବୁଝିବାର କ୍ଷମତା ନଥିଲା ?

ସେଦିନ ର ସେଇ କମ୍ବିଂନେସନ ମାନେ ବାଇଗଣୀ, ପକୁଡି ଆଉ ଅଦା ର ବାସ୍ନା ରେ ମହକୁଥିବା କଡା ଚା’ ଏକ ଅଭୁଲା ସ୍ମୃତି ଆଉ ଦୁର୍ମୂଲ୍ୟ ଅନୁଭୂତି କହିଲେ ଅତ୍ୟୁକ୍ତି ହେବନାହିଁ ।

ଏତେଥର ଭାଉଜଙ୍କର ପରସା ଖାଇଛି -ଆଜିଥିଲା ସବୁଠାରୁ ନିଆରା ଜଳଖିଆ ପର୍ବ। ଖାଇବା ସରିଲା ...ଗପ ସରିଆସିଲା କିନ୍ତୁ ବର୍ଷା ଛାଡିବାର ନାଁ ଗନ୍ଧ ନଥାଏ । ଅବଶ୍ୟ ତୀବ୍ରତା ହ୍ରାସ ପାଇଥାଏ ...ମୁଷଳଧାରାରୁ ଝିପିଝିପି।କିନ୍ତୁ ବାହାରକୁ ବାହାରିବାକୁ ହେଲେ ଛତା ର ସାହାଯ୍ୟ ଲୋଡା ଅଗତ୍ୟା ଗୋଲକ ବାବୁଙ୍କଠୁ ଧାର ସୂତ୍ରରେ ଛତା ଟିଏ ମାଗିଲି।

ବୁଝିଲେ ସାରେ! ଆଉ ଡେରିହେଲେ ଘରେ ସାକ୍ଷାତ ଦେବୀ ଦର୍ଶନ ମିଳିବ ମତେ ବିଦାୟ ଦିଅନ୍ତୁ।

 ଆରେ ,କଣ କରିବେ ଘରେ? ଆଉ ଟିକେ ଗପିବା ମ, ଆଉ ଗୋଟେ ରାଉଣ୍ଡ ଚା’ ହେଇଯାଉ।ବର୍ଷ। ଛାଡ଼ିଗଲେ ଯିବେ, ଏତେ ବ୍ୟସ୍ତ କାହିଁକି ? ନାଁ, ମୁଁ ବାହାରିଯାଏ।

ହଉ ତାହାଲେ ।ଏଇ ସାଗୁଆ ଛତା ଟା ସ୍ପେୟାର ଅଛି ଆପଣ ନେଇଯାନ୍ତୁ।ପରେ କେବେ ଫେରେଇବେ। ଫେରେଇବେ କିନ୍ତୁ। ଆପଣ ଭାବୁଥିବେ ଏ ପୁରୁଣା ଛତା ପ୍ରତି ମୋର ଆକର୍ଷଣ ଅଦ୍ୟାବଧି କାହିଁକି ରହିଛି? ତାହାଲେ ଶୁଣନ୍ତୁ ଏଇଟା ମୋର ପ୍ରଥମ ମାସ ଦରମା ଟଙ୍କା ରେ କିଣା ହେଇଥିଲା। ତେଣୁ ଆମେ ଏକସଙ୍ଗେ ବଡ ହେଇଚୁ କହିଲେ ଚଳେ।

ନିଶ୍ଚେ ,ଖୁବ ଶୀଘ୍ର ।


 ଭାଉଜଙ୍କୁ ଅଶେଷ ଧନ୍ୟବାଦ ଦେଇ ଘରମୁଁହା ହେଲି। ସବୁ ରକମ କୈଫିୟତ ଦାଖଲ କଲାପରେ ଅନୁମତି ମିଳିଲା ଜାମା ପଟା ବଦଳେଇବା ପାଇଁ।ଟିଫିନ ଟି କାଢି ରୋଷେଇ ଘରେ ରଖିଲି।ତାପରେ ଚାଲିଲା ରୁଟିନ -ଟିଭି ରେ ନିଉଜ ଦେଖିବା ପିଲାଙ୍କ ପାଠପଢା, ହୋମୱାର୍କ ତଦାରଖ କରିବା ଏବଂ ଅବଶେଷରେ ବୋଉ ହାତରୁ ସାଦା ପାନ ଖଣ୍ଡେ ଖାଇ ବିଛଣାରେ ଗଡ଼ିବ।

 ଓଦା ଛତା ଟିକୁ ପଲ୍ଲବୀ ଅଗଣା ର ଗୋଟେ କଣ ରେ ସୁଖେଇଦେଇଥାନ୍ତି। ମୋ ନଜର ରୁ ବାହାରି ଯାଇଥାଏ। ଅଫିସ ରେ ବି ଗୋଲକ ବାବୁ କିଛି ପଚାରିଲେନି ସର୍ବୋପରି-ସପ୍ତାହ ଯାକ ପାଗ ସମ୍ପୂର୍ଣ ଶୁଖିଲା ରହିଲା। ଆଉ ଛତା ଉପାଖ୍ୟାନଟି ମନରୁ ପୁରା ପାଶୋର ହେଇଗଲା।

କିଛିଦିନ ହେଲା, ଗୋଲକ ବାବୁଙ୍କ ସଂଗେ କମ ଦେଖା ହଉଚି। ତାଙ୍କର ବଦଳି ଆଉ ଗୋଟେ ସେକ୍ସନ କୁ ହେଇଯାଇଛି ଆଉ ପ୍ରମୋସନ ବି ହେଇଯାଇଛି। ସିଏ ଏବେ ବଡବାବୁ। ତାଙ୍କତଳେ ଚାରିଜଣ ଆସିଷ୍ଟାଣ୍ଟ ।ସେଦିନ ଶୁଣି ଖୁବ ଖୁସି ହେଲି ବଧାଇ ଜଣାଇଲି।

 ଘରେ ବି ସମସ୍ତେ ବେଶ ଖୁସି ହେଲେ। ପଲ୍ଲବୀ ଫୋନ କରି କଂଗ୍ରାଚୁଲେସନ ଜଣାଇବା ସଂଗେସଂଗେ ଭୋଜି ର ଡିମାଣ୍ଡ ବି କଲେ।

ତାଙ୍କର ପଦୋନ୍ନତି ସାଙ୍ଗରେ ବଡ ଘର କୁ ଯିବା ଧାର୍ଯ୍ୟ ହେଲା।

 ଟ୍ରକ ରେ ଜିନିଷ ବୁହା ଦିନମୁଁ ଆଉ ପଲ୍ଲବୀ ସାରା ଦିନ ତାଙ୍କ ଘରେ ରହି ବନ୍ଦୋବସ୍ତର ତଦାରଖ କଲୁ। କୁଣ୍ଢେଇଁ ପକେଇଲେ ଗଲାବେଳେ।

କହିଲେ- ଭାଇ ସମାନ ଥିଲେ ଆପଣ। ଏଠି ଏତେ ସୁରୁଖୁରୁରେ ସୁଖଶାନ୍ତିରେ ଦୀର୍ଘ ଦଶ ବର୍ଷ କଟିଗଲା ଜଣା ପଡ଼ିଲାନି।

ନୂଆ ଜାଗା ନୂଆ ପରିବେଶ ମତେ ଜମା ଭଲ ଲାଗିବନି ।ସମୟ କରି ଆସିବେ ମଝିରେ ମଝିରେ।


ମତେ ବି ଭାରି ଅଡୁଆ ଲାଗିଲା। ବେଶ ଆତ୍ମୀୟତା ଗଢିଉଠିଥିଲା।କେମିତି କେଜାଣି ଏତେ ନିଜର ହେଇଯାଇଥିଲେ ଗୋଲକବାବୁ ଆଉ ତା’ଙ୍କ ପରିବାର ବୁଝିହେଲାନି।

ମାସେ ହେଲାଣି ସବୁଦିନ ଭାବୁଛି ଆଜି ଯାଇ ସରପ୍ରାଇଜ ଦେବି ହେଲେ କିଛି ନା କିଛି କାମ ପଡିଯାଉଛି ଆଉ ଯିବା ସମ୍ଭବପର ହଉନି।

 

ନାଁ, ଆଜି ଯେମିତି ହେଲେ ଯିବି ।

ହଁ ପଲ୍ଲବୀ ଗଛପାଚିଲା କଦଳୀ ଫେଣେ, କଅଁଳ ମଞ୍ଜା, କଖାରୁ ଫୁଲ କିଛି,ଲେଉଟିଆ ଶାଗ, ବାଡ଼ି ଲେମ୍ବୁ ଆଉ ତାଙ୍କର ଛତାଟି। ପର ଜିନିଷ କେତେଦିନ ହେଲାଣି ଅଛି ଏଠି। ନା ସିଏ ମାଗୁଛନ୍ତି ନା ମୁଁ ମନେ ପକେଇକି ଦେଇପାରୁଛି।


ମୋର ଡେରି ହବ।ଏତେ ଦିନ ପରେ ଯାଉଛି ବସି ଗପସପ କରିବା। ତାଙ୍କ ନୂଆ ଘର ବୁଲି ଦେଖିବା।ବାଡ଼ି ବଗିଚାରେ କି ଗଛ ସବୁ ରୁଆ ହେଇଚି ବୁଝିବା -ଇତ୍ୟାଦି ଇତ୍ୟାଦି।


ଥାଉ ସେ ଉପକ୍ରମଣିକା। ମୁଁ କଣ ତମକୁ କୈଫିୟତ ମାଗୁଛି -କାହିଁକି ଯାଉଛ? କୋଉଠିକି ଯାଉଛ? କେତେ ସମୟ ପରେ ଆସିବ? ମନ କରିଛ ଯାଅ, ମୁଁ ସବୁ ରେଡି କରିସାରିଛି। ହଁ, ଭାଉଜଙ୍କୁ କହିବ କାମଦାମ ସରିଲା ପରେ କଉଦିନ ଖରାବେଳିଆ ମୁଁ ଯାଇ ଟପକି ପଡିବି। ଢେର ଦିନ ହେଲା ଦେଖା ହେଇନି। ଗୋଟେ ବଡ ବେଗ ରେ ସବୁ ଭରିନେଇ ତାଙ୍କ ନୂଆଘର ପାଖରେ ପହଂଚିଲି। ଗେଟ ଆଉ କବାଟ ବନ୍ଦ ଦେଖି ତାଯୁବ ହେଇଗଲି ।ଗୋଲକ ବାବୁଙ୍କର ଗେଟ କଦବା କ୍ଵଚିତ ବନ୍ଦ ହୁଏ କିନ୍ତୁ ଦାଣ୍ଡ କବାଟ ପ୍ରାୟ ମେଲା ଥାଏ। ତାଙ୍କର କହିବା କଥା -କଣ ଏମିତି ସୁନାରୂପା ଘରେ ଭର୍ତି ହେଇଛି ଯେ ଚୋର ନେଇଯିବ? ଆମେ ଚାକିରିଆ, ଖଟିଖିଆ ଲୋକ।କେତେ ବା ପଇସା ବଳକା ହଉଚି? ଚୋର ଖୋଜି ଘାଣ୍ଟି ବିରକ୍ତ ହେଇକି ପଳେଇବ।-ଏକଥା କହି ସମସ୍ତଙ୍କୁ ଦମେ ହସାନ୍ତି । 

ଲୋକ ଜଣଙ୍କ ଯେମିତି ସିଧାସାଧା ବିଚାରଧାରା ବି ଠିକ ସେମିତି । କୁଟିଳତା ତାଙ୍କୁ ସ୍ପର୍ଶ କରିପାରିନି ।ସେଥିଲାଗି ସବୁରି ପ୍ରିୟ ସିଏ ।


କିଛିସମୟ ଠକ ଠକ କଲାପରେ ମଳିମୁଣ୍ଡିଆ ଲୋକଟିଏ କବାଟ ଖୋଲିଲା। ଆମେ ପରସ୍ପରକୁ ପ୍ରଥମ ଥର ପାଇଁ ଦେଖୁଥିଲୁ । ଗୋଲକ ବାବୁ ନାହଁନ୍ତିକି? ଏକଥା ଶୁଣିକି ଲୋକଟି ଆଶ୍ଚର୍ଯ୍ୟ ଚକିତ ନୟନରେ ମତେ ଦେଖିବାକୁ ଲାଗିଲା।  ଟିକେ ଅପ୍ରସ୍ତୁତ ହେଇଗଲି। 

ସାମାନ୍ୟ ଗଳା ଖଙ୍କାର ମାରି ପ୍ରଶ୍ନଟି ଦୋହରେଇଲି -ବାବୁଙ୍କୁ ଡାକିଦିଅ ଟିକେ ମୁଁ ତାଙ୍କ ସାଙ୍ଗ।  ତୁମେ ମତେ ହୁଏତ କେବେ ଦେଖିନ ବା ଜାଣିନ।

ତା’ର ହାବଭାବରେ କୌଣସି ପ୍ରକାର ପରିବର୍ତନ ଦେଖାଦେଲାନି।  ସିଏ ଆଖି ଡିମା ଡିମା କରି ମତେ ଚାହିଁଲା। 

ତମେ କ’ଣ ଓଡ଼ିଆ ବୁଝନି? ମୁଁ ପରା ସେତେବେଳୁ କହୁଛି ବାବୁଙ୍କୁ ଡାକିବା ପାଇଁ । କ’ଣ ଅଛି ମୋ ମୁଁହରେ ଏତେ ଦେଖୁଛ ?ଓଜନିଆ ବେଗଟି ମୋ ଧର୍ଯ୍ୟଚ୍ୟୁତି ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବାରେ ଆଗଭର ହେଇସାରିଥାଏ । 

ବାବୁ ଯଦି ନାହାନ୍ତି ତାହାଲେ, ମା’ଙ୍କୁ ଡାକ । କହିବ, ସୁବଳ ବାବୁ ଆସିଛନ୍ତି । ସିଏ ରୋଷେଇ ଛାଡି ନିଶ୍ଚେ ଧାଇଁ ଆସିବେ।

ତଥାପି, ଜିଦିଖୋର ପ୍ରାଣୀଟି ପାହୁଁଡେ ମଧ୍ୟ ଘୁଂଚିବାର ନାଁ ନେଉନଥାଏ। 

ଆରେ!ଏତ ବଡ ଅଜବ କଥା।

ଅଜବ କଥା ଆଜ୍ଞା! -ଲଙ୍କାରେ ହରିନାମ ଶୁଣିଲାଭଳିଆ ମୋ ଅବସ୍ଥା ହେଲା। 


କ’ଣ ଅଜବ?ବାବୁ, ମା’ ଘରେ କିଏ ବି ନାହାନ୍ତି?କାଇଁ କୁଆଡେ ଗଲେ ?

ହପ୍ତା ଗୋଟେ ହେଲା ମୁମ୍ବଇ ଯାଇଛନ୍ତି ଆଜ୍ଞା।

କ’ଣ ହଠାତ କାମ ପଡିଲା କି? କାହାକୁ କିଛି ନକହି- ସବୁ ଭଲ ତ?

କିଛି ଭଲ ନାଇଁ ସାର ।ପୁଅର ପରୀକ୍ଷା ମୁଣ୍ଡଉପରେ ମୁଁ ତାକୁ ଜଗିବାକୁ ଆଇଚି ଗାଁ ରୁ।

ବାନ୍ତି ହେଲା ବାବୁଙ୍କର ଏଠି। ଟେଷ୍ଟରେ କେନସାର ବାହାରିଲା ତ, ଏଠିକା ଡାକ୍ତର ମାନେ କହିଲେ ଜଲ୍ଦି ନେଇ ଯା। ମା ଆମର ବାବୁଙ୍କୁ ନେଇ ଉଡ଼ାଜାହାଜରେ ଯାଇଛନ୍ତି ସାଙ୍ଗରେ ତା’ଙ୍କ ସାନ ଭାଇ ଯାଇଛି। 

 ବେଗ ଟା ତଳେ ରଖିଦେଇ ଲଥ କିନା ବସିପଡ଼ିଲି। ଲୋକଟି ମୋର ଏ ଅବସ୍ଥା ଦେଖି କିଂକର୍ତ୍ତବ୍ୟବିମୁଢ଼ ହେଇଯାଇଥାଏ । ପାଣି ଗ୍ଲାସେ ମାଗିଲି। ପିଇ ସାରିଲା ବେଳକୁ କବାଟ ପାଖରେ ଆଖିରେ ଆଖିଏ ଲୁହନେଇ ଛିଡା ହେଇଥାଏ ତାଙ୍କ ପୁଅ। 

ଏତିକି ଖାଲି କହିପାରିଲା, ଅଙ୍କଲ ମୋ ଡାଡିଙ୍କୁ ଜଗନ୍ନାଥ ଭଲ କରିଦେବେ ତ?

ଆଶ୍ୱାସନା ଦେଇ କହିଲି- ତୋ ବାପା ଜଲ୍ଦି ଭଲ ହେଇଯିବେ। ଆମ ସମସ୍ତଙ୍କ ପାଇଁ ତା’ଙ୍କୁ ଅଲବତ ଭଲ ହବାକୁ ପଡିବ। 


ହଉ ବାବୁ, ତାଙ୍କ ଲାଗି ଆମ ବାଡ଼ି ଜିନିଷ ସବୁ ଆଣିଥିଲି। ରଖିଦିଅ ଆଉ କ’ଣ ଫେରେଇନେବି? କେତେ ଯତ୍ନରେ ପଲ୍ଲବୀ ସବୁ ଦେଇଥିଲା। ଆଉ ଏଇ ଛତାଟି ବି ରଖ ।ପୁରୁଣା ହେଲେବି ବେଶ ମଜବୁତ ।ରଙ୍ଗ ଟିକେ ଫିକା ପଡିଯାଇଛି ସତ କିନ୍ତୁ ସମୟ ସହିତ ସଂଘର୍ଷ କରି ନିଜର ଅସ୍ତିତ୍ବ ବଜାୟ ରଖିଛି ।

ତିନିଦିନ ପରେ ଖବର ଆସିଲା-ଗୋଲକବାବୁଙ୍କର ଫୋର୍ଥ ଷ୍ଟେଜ ଲିଭର କ୍ୟାନ୍ସର। ମୁମ୍ବାଇର ଟାଟା ମେମୋରିଆଲ ତାଙ୍କୁ ଫେରାଇଦେଲା।

ବେଶିଦିନ କଷ୍ଟ ଭୋଗିନାହାନ୍ତି -ଫେରିବାର ଅଷ୍ଟମ ଦିନ ଆମକୁ ପର କରି ଚାଲିଗଲେ । ପୁଅଟି କଇଁ କଇଁ ହେଇ କାନ୍ଦୁଥାଏ ଆଉ ବାପା ଶବ ଉପରେ ଲୋଟି ଯାଉଥାଏ । ତାକୁ ସମ୍ଭାଳିବା କଷ୍ଟ ହେଇଯାଉଥାଏ। ଭାଉଜ ଧୈର୍ଯ୍ୟର ସହ ସବୁ ବୁଝାସୁଝା କରୁଥାନ୍ତି । ଦରକାର ହେଲେ ମୋ ସାହାଯ୍ୟ ନେଉଥାନ୍ତି। ଶବ ସତ୍କାର ସାରି ଲୋକମାନେ ଫେରିଆସିଥାନ୍ତି ମୁଁ ତାଙ୍କୁ ପାଣି ପଣା ଦେଉଥାଏ। ଘର ର ଆସବାବପତ୍ର ଛିନଛତ୍ର ହେଇ ପଡିଥାଏ ଗୋଟେଇବାକୁ କି ଦେଖିବାକୁ କାହାରିକି ସମୟ ନଥାଏ। ଦାଣ୍ଡଘରର କୋଣରେ ଖରା ଆଉ ବର୍ଷାର ସାନିଧ୍ୟରେ ପରିତୃପ୍ତ ସେଇ ରଙ୍ଗଛଡା ସାଗୁଆ ଛତାଟି ଜୁଳୁ ଜୁଳୁ କି ଅନେଇଥାଏ,ସତେ ଯେମିତି ଉଦାସ ପୃଥିବୀକୁ କହିବାକୁ ଚାହୁଁଥାଏ- ମୁଁ ଉଲ୍ଲାସର ଅକ୍ଷାଂଶ କିମ୍ବା ଅବସାଦର ଦ୍ରାଘିମା ଭିତରେ ସୀମାବଦ୍ଧ ନୁହେଁ-ମୁଁ ଅସୀମ, ପରିବ୍ୟାପ୍ତ, ଖୋଲା ଆକାଶ, କଳ କଳ ନାଦ କରି ବହିଯାଉଥିବା ଝରଣା ଟିଏ ...ନଦୀରେ ମିଶିବା ଆଉ ମହାସମୁଦ୍ର ରେ ଲୀନ ହେବା ମୋର ଅଭିପ୍ରାୟ ଆଉ ଜୀବନ ସଂଗୀତ।

ସୁବଳ ବାବୁ! ବ୍ରାହ୍ମଣ ମାନଙ୍କୁ କେତେ ଲେଖା ଦକ୍ଷିଣା ଦେଲେ ଠିକ ହବ କହିଲେ ?

ଭାଉଜଙ୍କ ପ୍ରଶ୍ନ ମତେ ଏ ପୁରକୁ ଟାଣି ଆଣିଲା ପ୍ରକୃତିସ୍ଥ କରାଇଦେଲା।

ଭାଉଜ ଶହେ ଟଙ୍କାରୁ କମ ହେଲେ ପସନ୍ଦଯୋଗ୍ୟ ହବନି ।

ଶରୀର ବାସ୍ତବତାକୁ ଛୁଇଁ ସାରିଥିଲା। ମନ କିନ୍ତୁ ଫେରିଯିବାକୁ ଚାହୁଁଥିଲା ସେଇ ଅଦିନ ବର୍ଷାର ସନ୍ଧ୍ୟାକୁ -ଯେଉଁଠି ମୁଁ ସାଗୁଆ ରଙ୍ଗର ଛତା , ଆଉ ଭିଜା ମାଟିର ମହକ ତିନିହେଁ ଏକ ହେଇଯାଇଥିଲୁ।ସେଇ କେତୋଟି ଅନ୍ତରଙ୍ଗ ମୁହୂର୍ତ୍ତର ଛିଟା ରହିଯାଇଛି ସ୍ମୃତିର କ୍ୟାନଭାସରେ।  


ଆଜିବି ମେଘଢଙ୍କା ଆକାଶ।ସତେ ଯେମିତି ପରସ୍ତ ପରସ୍ତ କୋହ ଜମାଟ ବାନ୍ଧି ଅପେକ୍ଷା କରିଛନ୍ତି କୋଉ ଇସାରାକୁ। ଥାକ ଥାକ ଆବେଗ ପୃଥିବୀ ବୁକୁରେ । ସତେ କ’ଣ ଗୋଲକ ବାବୁ ନିରୁଦିଷ୍ଟ ହେଇଯାଇଛନ୍ତି ଏଇ କୋହ ଆଉ ଆବେଗର ମହାସମୁଦ୍ରରେ ?"  



Rate this content
Log in

Similar oriya story from Tragedy