Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Debabrata Barik Debunu

Tragedy

3  

Debabrata Barik Debunu

Tragedy

ଛତା

ଛତା

5 mins
485


ତିନି ମାସ ପରେ ମମତା ଆଜି ପୁଣିଥରେ ଅଫିସ୍ ରେ ଜଏନ୍ କରିଥିଲା । ଫେରୁ ଫେରୁ ସନ୍ଧ୍ୟା । ବସ୍ ରୁ ଓହ୍ଲେଇବା ପୁର୍ବରୁ ହିଁ ଯେମିତି ଆରମ୍ଭ ହେଇ ସାରିଥିଲା ଝଡି ବର୍ଷା ସବୁ


ମୁହଁ ଅନ୍ଧାର ସମୟ । ମୁଣ୍ଡ ଉପରେ ଭ୍ୟାନିଟି ବ୍ୟାଗ୍' ଟା ଥୋଇ ଦେଇ ମମତା ଛୁଟିଗଲା ରାସ୍ତାକଡର ସେ ଅଧା ଭଙ୍ଗା ବସ୍ ଷ୍ଟପ୍ ଟା ଭିତରକୁ


ମୋବାଇଲ'ରୁ ଟର୍ଚ୍ଚ ଲାଇଟ୍'ଟା ବାହାର କରି ଆଖି ବୁଲେଇ ଆଣିଲା ସେ ଧୂଳି ଧୂସରିତ ବସ୍ ଷ୍ଟପ'ଟା ଭିତରୁ ଥରେ


ବର୍ଷାରେ ବାଟ ହୁଡି ଯାଇଥିବା ଛେଳିଛୁଆ ଦୁଇଟା ଗୋଟେ ଅଧାକାନ୍ଥି କୁ ଡେରି ହେଇକି ସେମିତି ସେଠି ଶୋଇ ଥାଆନ୍ତି... ଆଉ ନିଜକୁ ସେ ବର୍ଷାଛିଟାରୁ ଦୂରେଇ ରଖିବା ପାଇଁ ଜାକିଜୁକି ହେଇ ନିଜ ନିଜର ନିୟମିତ ଉଦ୍ୟମ ଜାରି ରଖିଥାଆନ୍ତି । କିନ୍ତୁ ଦୁଷ୍ଟ ବର୍ଷାଛିଟା ଗୁଡ଼ାକ ସେଇ କଅଁଳ ଛୁଆ ଦି'ଟା ଙ୍କୁ ଭିଜେଇ ଭିଜେଇ ଚାଲି ଥାଆନ୍ତି ଏକ ଅମାନିଆ କୌତୁହଳରେ ଯେମିତି


ମମତା ଗୋଟେ ଖୁଣ୍ଟକୁ ଆଶ୍ରା କରି ବସି ରହିଥାଏ ସେ ବସ୍ ଷ୍ଟପଟା ଭିତରେ ହିଁ... ବର୍ଷା କମିବାର ନାଆଁ ହିଁ ନେଉ ନଥାଏ... ଅନ୍ଧାର ଧୀରେ ଧୀରେ ଆହୁରି ଅଧିକ ଘନେଇ ଆସୁଥାଏ.. ମଝିରେ ମଝିରେ ଚିକମିକ୍ ହେଇ ମାରୁଥିବା ବିଜୁଳିରେ ଜାଣ ଚାରି ଆଡ ଯେମିତି କ୍ଷଣଟିଏ ପାଇଁ ଆଲୋକିତ ହେଇ ପୁଣି ଲିଭି ଯାଉଥାଏ


ଅଧ ଘଣ୍ଟାଏ ବିତି ସାରିଥାଏ ସେଇଠି ସେ ବସଷ୍ଟପ୍'ଟା ଭିତରେ ଏକା ଏକା ମମତାର... ଅନ୍ଧାରରେ ଯେମିତି ଭୟଗୁଡ଼ା ସବୁ ଦ୍ରବୀଭୂତ ହେଇହେଇ ଚାଲିଥାଏ.. କୁନି ଛେଳିଛୁଆ ଦୁଇଟା ଯେମିତି ବେଶ୍ ପରିଚିତ ହେଇ ସାରିଥାଆନ୍ତି ତା'ସହିତ ସେଇ ଶହେ ସ୍କୋୟାର୍ ଫୁଟ୍'ର ଅଧାକାନ୍ଥି ଘରଟା ଭିତରେ


ହଠାତ୍ ଦୂରରୁ ଦିଶିଲା ମିଞ୍ଜିମିଞ୍ଜି ଜଳି ଆସୁଥିବା ଟର୍ଚ୍ଚ'ର ଆଲୁଅ ଧାରେ... ଠିକ୍ ସେଇ ଘରଟା ଆଡ଼େ ହିଁ ଯେମିତି ଆଗେଇ ଆସୁଥିଲା... ଆଉ ସେ ଆଲୁଅ'ଟା ଧୀରେ ଧୀରେ ଅଧିକରୁ ଅଧିକ ଉଜ୍ଜ୍ୱଳ ହେଇ ହେଇ ପାଖକୁ ପାଖକୁ ମାଡ଼ି ଆସୁଥିଲା । କୌଣସି ଏକ ଅଜଣା ଭୟରେ ସିମନ୍ଥା ଯେମିତି ଏଥର ଟିକେ ଭୟ ପାଇ ଆସୁଥିଲା । ବେଶ୍ ନିକାଞ୍ଚନ ଜାଗା'ଟାରେ ଅବସ୍ଥିତ ଥିଲା ସେ ବସ୍ ଷ୍ଟପ ଟା... ଏକାଟିଆ ଝିଅ ହିସାବରେ ସେଠି ତା'ର ଡରିଯିବାଟା ବି ସ୍ଵାଭାବିକ... ତଥାପି ମମତା ସାହସ ସଞ୍ଚୟ କଲା...ଟର୍ଚ୍ଚ ଆଲୁଅ ବେଶ୍ ପାଖକୁ ଆସି ସାରିଥିଲା । ମମତା ଆଖିକୁ ଆହୁରି ସଙ୍କୁଚିତ କରି ଦେଖିବାକୁ ଚେଷ୍ଟା କରୁଥିଲା ସେ ଟର୍ଚ୍ଚ ଆଲୁଅର ସେପଟରେ ଥିବା ସେ ମୁହଁ'ଟାକୁ... ଝାପସା ଜଣା ପଡୁଥିଲା... ହଁ , ହାତରେ କିନ୍ତୁ ଥିଲା ବଡ଼ ଗୋଟେ ଛତା... ବର୍ଷା ଟୋପା ଗୁଡ଼ା ଛତା ଉପରେ ପଡି ଗୋଟିଏ ତାଳରେ ଯେମିତି ଟପ୍ ଟପ୍ ଶବ୍ଦ କରି ଚାଲୁଥିଲେ


ହଠାତ୍ ଏକ ହାଲକା ସ୍ମିତହାସ୍ୟ ପରେ ଏକ ପରିଚିତ କଣ୍ଠସ୍ୱରରୁ ଭାସି ଆସିଲା


- କଣ, ଡରିଗଲ ଟି.....? ସତ କୁହ ମମତା


- ତୁମକୁ ନା ମାଡ଼ ଦରକାର ଦେବ୍


- ତା ମାନେ ଡରିଛ...ୟାହୁ


ମମତା - ଆଉ ନୁହେଁ ତ କଣ..? ଏମିତି ଚୁପଚାପ୍ ଯଦି ଆଗରେ ଆସି ଠିଆ ହେଇଯିବ ଯିଏ ନାହିଁ ସିଏ ଡରିବନି.. ଏକାଟିଅା ଝିଅଟା ମୁଁ... ଖାଲି ଏ ଛେଳିଛୁଆ ଦି'ଟା ନଥିଲେ ତ ମୁଁ ଆହୁରି ଜାଣ ଭୟ ପାଇ ଯାଇଥାଆନ୍ତି


 ଦେବ୍- ଛେଳିଛୁଆ ? କାହାନ୍ତି ଛେଳିଛୁଆ


ମମତା - ଆରେ ସତେ ତ... କୁଆଡେ ଚାଲିଗଲେ... ଏଇଠି ତ ଥିଲେ ଏଇନେ ଏଇନେ... ତୁମକୁ ଦେଖି ଭୟରେ ପଳେଇ ଯାଇଥିବେ... ଦେଖିଲ... ବିଚରା.... ତୁମପାଇଁ ତିନ୍ତିଥିବେ ଆଜି ଗୋଟାପଣେ.... କାହିଁକି ଯେ ତୁମେ ଏମିତି ହୁଅ


ଦେବ୍- ଆରେ ତୁମକୁ ଚିଡ଼େଇବାକୁ ମତେ ଭଲ ଲାଗେ... ତୁମେ କଣ ସେକଥା ଜାଣିନ


ମମତା - ହଁ , ଜାଣିଛି ଯେ.. ତା ବୋଲି କଣ ଏମିତି...ମତେ ହାର୍ଟ ଆଟାକ୍ ହେଇ ଯାଇଥାଆନ୍ତା ଯଦି


ଦେବ୍ - ହାର୍ଟ ଆଟାକ୍...? କଣ କହିଲ... ଯୋଉ ହାର୍ଟରେ ମୁଁ ରହୁଛି ସେଠିକି ପୁଣି ଅାଟାକ୍ କରିବାକୁ କାହାର ଏଡେ ସାହସ ଅଛି କହିଲ


ମମତା - ଇସ୍... କି ଗପ...! ହୋଉ ହେଲା ହେଲା... ବେଶୀ ଆଉ ଭାଉ ମାରନି ମ...? ଆଚ୍ଛା , ତୁମେ ଆଗ କେମିତି ଜାଣିଲ କହିଲ ମୁଁ ଏଠି ଅଛି ବୋଲି


ଦେବ୍ - ନା ଜାଣି ନଥିଲି... ଅନୁମାନ କଲି.. ଭାବିଲି କାଳେ ଯଦି ରହି ଯାଇଥିବ...ତୁମ ଅଫିସ୍'ରୁ ଫେରିବା ବସ୍'ର ଟାଇମ୍ ତ ଗଡି ଯାଇଥିଲା.. ଆଉ ଗଲା ବେଳେ ତ ଆଜି ଛତା ବି ନେଇକି ଯାଇ ନଥିଲ... ଏମିତି ଏ ମେଘଟା ବି ଓଳିଏ ଧରିକି ଲାଗି ରହିଥିଲା...। ତେଣୁ ମନେମନେ ଆଶଙ୍କା କରିକି ଖୋଜିଖୋଜି ଚାଲି ଆସିଲି


ମମତା - ଆସିଲ ଭଲ କଲ.. ନହେଲେ ସାରା ରାତି ଏଇଠି ଏମିତି ଠିଆ ହେଇକି ରହି ଥାଆନ୍ତି ମୁଁ


ଦେବ୍ - ଆହୁରି କଣ ନା...? ମୁଁ ଯେମିତି ସାରା ରାତି ଏଇଠି ତୁମକୁ ଏମିତି ଠିଆ ହେବାକୁ ଛାଡ଼ିଦେଇ ଘରେ ଚୁପ୍ ହେଇ ବସି ପଡିଥାଆନ୍ତି ଯେମିତି


ମମତା - ହୋଉ ସେତିକି ଥାଉ... କଣ ଖାଲି ଏଇଠି ଏମିତି ଗପ ମାରୁଥିବା ନା ଘରକୁ ବି ଯିବା କହିଲ ମତେ


ଦେବ୍ - ମୁଁ କଣ ମନା କରିଛି ନା କଣ...? ଦେଖୁନ ତୁମ ପାଇଁ ଘରୁ ମୁଁ କେଡେ ଛତାଟେ ଧରିକି ଆସିଛି.. ମୋ ଛତା ଭିତରକୁ ଚାଲି ଆସନ୍ତୁ ମ୍ୟାଡ଼ାମ୍... ଘରେ ଛାଡ଼ିଦେବି... କିନ୍ତୁ ଭଡ଼ା ଦେବାକୁ ପଡ଼ିବ ହଁ


ମମତା - ହୋଉ ହେଲା ହେଲା...! କେତେ ଭଡ଼ା ଦେବି କହୁନ


ଦେବ୍ - ୧୦ ଟଙ୍କା ନେବି


ମମତା - ହୋଉ ଦେବି... ବ୍ୟସ୍ତ ହୁଅନି ବାବା... ଆଗ ଘରେ ତ ପହଞ୍ଚି ସାରେଁ... ଡ୍ରାମେବାଜ୍ କୋଉଠିକାର

ଆଚ୍ଛା ଗୋଟେ ଜୋକ୍ କହିଲ ଦେବ୍


ଦେବ୍ - କହୁଛି ଶୁଣ.." ଜୋକ୍ "


ମମତା - ହଁ କୁହ


ଦେବ୍ - କହିଲି ତ


ମମତା - କେତେବେଳେ କହିଲ


ଦେବ୍ - ଏଇନେ ଏଇନେ ତ କହିଲି.. ହୋଉ ଆଉଥରେ କହୁଛି ଶୁଣ... ଜୋକ୍ ଜୋକ୍ ଜୋକ୍.. ଶୁଭିଲା ଏଥର ... ୩ ଥର କହିଲି


ମମତା - ହେଃ... କେତେ କମେଡି କରୁଛ ଯେ... କୁହ ନା.. ପ୍ଲିଜ୍


ଦେବ୍ - ଆଚ୍ଛା କହୁଛି ଶୁଣ... ଗୋଟେ ଛୋଟ ଛତା ତଳେ ୩'ଟା ମୋଟା ମୋଟା ଲୋକ ଗୁଞ୍ଜିଗାଞ୍ଜି ହେଇକି ଯାଉଥିଲେ... ହେଲେ କେହି ବି ଟିକେ ତିନ୍ତୁ ନଥିଲେ...? କୁହ ତ କେମିତି


ମମତା - କେମିତି


ଦେବ୍ - ମତେ କଣ ପଚାରୁଛ...? ତୁମେ ନିଜେ କହିବ ନା ଆଉ


ମମତା - ନା ମୁଁ ଜାଣିନି


ଦେବ୍ - ଆରେ ଟ୍ରାଏ ତ କର


ମମତା - ବଡ଼ ଛତା ହେଇଥିବ...ମାନେ ଆମ ଛତା ଠୁ ବି ଆହୁରି ବଡ଼... ନହେଲେ ଏତେ ବଡ଼ ଛତାରେ ତ ଆମେ ଦି'ଜଣ ବି କେତେ କଷ୍ଟରେ ଆଡଜଷ୍ଟ୍ କରିକି ଯାଉଛୁ... ସିଏ ତ ପୁଣି ତିନିଜଣ...? ସେ ପୁଣି ମୋଟା ମୋଟା...? ହେ... ହସୁଛ କଣ ମ...? ମୁଁ ଜାଣିନି ଯା...! ସେମିତି ହସିଲେ ମୁଁ ଜମା କହିବିନି


ଦେବ୍ - ନାଇଁ ନାଇଁ ମୁଁ ହସିବିନି ତୁମେ ଭାବ ଏଥର...! ହେଇ ମୁଁ ଚୁପ୍ ହେଲି ଦେଖ


ମମତା - ଆଚ୍ଛା ମୋଟା ମାନେ କେତେ ମୋଟା କହିଲ...? କଣ ତୁମଠୁ ମୋଟା


ଦେବ୍ - କଣ ହେଲା...?? ମୁଁ ମୋଟା...ନାଇଁ ନାଇଁ ମୁଁ ମୋଟା...? ମୁଁ ହେଲି ହେଲ୍ଦି... ମୁଁ ଯଦି ମୋଟା ତାହେଲେ ତୁମ ଭାଇ କଣ...? ହାତୀ


ମମତା - ଧେତ୍... ଖାଲି ତ ରାଗିଲ ଆଉ... ନା ମୁଁ ଜାଣିନି ଯା... ମତେ ଆସୁନି ତୁମେ କୁହ


ଦେବ୍ - କହିବି


ମମତା - ହେତ୍... କେତେ ରୋଲ୍ କରୁଛ ମ, କହୁନ.


ଦେବ୍ - ଗଧି କୋଉଠିକାର...!!! ଆରେ ବର୍ଷା ହିଁ ହେଉ ନଥିଲା ତ ସେମାନେ ତିନ୍ତିବେ କେମିତି ଯେ


ମମତା - କଣ...? ନା ନା... ଚିଟିଂ ଚିଟିଂ... ଏମିତି ହବନି... ବର୍ଷା ଯଦି ହେଉ ନଥିଲା ତେବେ ସେ ମୋଟା ଲୋକ ୩ଟା ସେ ଛତା ତଳେ ସେଠି କଣ କରୁଥିଲେ


ଦେବ୍ - ଆରେ ଛତା କଣ ଖାଲି ବର୍ଷା ହେଲେ ଦିଅନ୍ତି... ଖରାରେ ବି ତ ବ୍ୟବହାର କରନ୍ତି ନା..! ସିଧା ମାନିଯାଉନା ଯେ ତୁମକୁ ଆସିଲାନି ବୋଲି


ମମତା - ହଁ ଭଲ ହେଲା ଯା... ମୁଁ ତ କହିଲି ତୁମକୁ ଜୋକ୍ କହିବାକୁ.. ତୁମେ ପଜଲ୍ କାହିଁକି ପଚାରୁଥିଲ କି


ଦୁଇ ଜଣଙ୍କ ଗପ ଏମିତି ହିଁ ଲାଗି ରହିଥିଲା... ଆଉ ସାମ୍ନାରୁ ତରତର ହେଇ ମାଡ଼ି ଆସୁଥିଲା ଆଉ ଗୋଟେ ମିଞ୍ଜି ମିଞ୍ଜି ହୋଇ ଜଳୁଥିବା ଆଲୁଅ ବତି... ହାତରେ ତାର ବି ଥିଲା ଛତା'ଟେ.... ଆଲୁଅ ଧୀରେଧୀରେ ପାଖେଇ ଆସୁଥିଲା.... ମମତା ଆଡ଼କୁ


ହଠାତ୍ ଆଉ ଏକ ପରିଚିତ କଣ୍ଠସ୍ଵରରୁ ଭାସି ଆସିଲା


- କିଏ...? ମାଆ ମମତା


ମମତା - ହଁ ବାପା


ବାପା - ଆରେ ଟିକେ ଅପେକ୍ଷା କଲୁନି... ମୁଁ ଏଇନେ ଏଇନେ ତ ଆସୁଥିଲି.... ଗୋଟାପଣେ କେମିତି ଭିଜିଗଲା ମୋ ଝିଅ'ଟା... ଏହେ


ମମତା - ଭିଜିଗଲି....? କାଇଁ ନାଇଁ ତ....? ମୁଁ ତ ଦେବ୍'ଙ୍କ ସାଙ୍ଗରେ ଆସିଲି... ମୁଁ ଭିଜିନି ବାପା... ହେଇ ଦେଖୁନ ମୁଁ ପୁରା ଶୁଖିଲା ଅଛି.... ନୁହେଁ ଦେବ୍


ବୃଦ୍ଧ ଜଣକ ଦୋୖଡି ଆସି ମମତା'କୁ ଛତା ଭିତରକୁ ନେଇ ଗଲେ... ଆଉ ମମତା ସେଇଠି ହିଁ ତାଙ୍କ ହାତରେ ସଂଜ୍ଞାହୀନ ହେଇ ତଳେ ପଡ଼ିଗଲା


ଦେହରୁ ତାର ଧାର ଧାର ହେଇ ବର୍ଷାପାଣି ସବୁ ନିଗିଡ଼ି ଆସୁଥିଲା । ବର୍ଷାପାଣି ଖାଇଖାଇ ମୁହଁ'ଟା ବି ଯେମିତି ପୁରା ଶେତା ପଡି ସାରିଥିଲା... ବୃଦ୍ଧ ଜଣକ'ଙ୍କର ଆକୁଳ ଚିତ୍କାରରେ ଆଖପାଖ ଘରୁ କେତେଜଣ ଲୋକ ଧାଇଁ ଆସିଥିଲେ... ସମସ୍ତଙ୍କ ସାହାଯ୍ୟରେ ବୃଦ୍ଧ ଜଣକ ନିଜ ଝିଅକୁ ଘରକୁ ଧରିଧରି ନେଇ ଯାଉଥିଲେ


ପଛରୁ କେହିଜଣେ କହୁଥିଲା


- " ପାଗିଳୀ ଟା...! ସବୁବେଳେ ଏମିତି ଶୂନ୍ୟକୁ ଚାହିଁ କଣ ନାଇଁ କଣ ଗପି ଚାଲିଥିବ...! ଭଲ ଚାକିରି ଖଣ୍ଡେ କରୁଥିଲା । ସେଇଠି ଗୋଟେ ପୁଅକୁ ସେ କୁଆଡେ ଭାରି ଭଲ ପାଉଥିଲା । ଆଉ ହଠାତ୍ ଦିନେ ଗୋଟେ ଗାଡ଼ି ଆକ୍ସିଡେଣ୍ଟରେ ସେ ପୁଅଟାର ଡେଥ୍ ହେଇଗଲା...! ୩ ମାସ ପାଖାପାଖି ହେଲାଣି... ! ତା'ପରଠୁ ତ ସେ ଏମିତି ଆଉ... ବୁଢ଼ା ତ ତାକୁ ପ୍ରାୟ ଘରୁ ବାହାରକୁ ଛାଡେନି... ଡାକ୍ତର ବି ନିୟମିତ ଆସନ୍ତି ତାଙ୍କ ଘରକୁ....! ହେଲେ ଆଜି ଏକାଏକା ସିଏ କୁଆଡେ ଯାଇଥିଲା କେଜାଣି


ଝିଅକୁ ଧରିଧରି ବୃଦ୍ଧ ଜଣକ ଆସି ଘରେ ପହଞ୍ଚି ସାରିଥିଲେ.. ଆଉ ସାଙ୍ଗରେ ନେଇ ଯାଇଥିବା ସେ ଛତା'ଟା ସେଇଠି ସେମିତି ରାସ୍ତା ଉପରେ ପଡିପଡି ଭିଜି ଚାଲିଥିଲା.. ଗୋଟେ ବାପ ଆଖିରୁ ନିଗିଡ଼ି ଆସିଥିବା ଲୁହ ଟୋପା ଗୁଡ଼ାକ ବର୍ଷାପାଣି ସାଙ୍ଗରେ ମିଶି ତଳକୁ ଖସି ପଡୁଥିଲେ... ବୃଦ୍ଧ ଜଣକ ବ୍ୟସ୍ତ ହେଇପଡ଼ି ଆଉଥରେ ଡକ୍ଟରଙ୍କୁ ଫୋନ୍ କରିବାକୁ ଯାଉଥିଲେ

   

       


Rate this content
Log in

More oriya story from Debabrata Barik Debunu

Similar oriya story from Tragedy