Satyabati Swain

Tragedy

4  

Satyabati Swain

Tragedy

ଶିଖା ନାନୀ

ଶିଖା ନାନୀ

7 mins
238



ଏଲ୍ ଆଇ ସି ଅଫିସ୍ ରେ ଗୋଟେ ବଣ୍ଡର୍ ଡିପୋଜି ଟି ଅବଧି ସରି ଯାଇଥିଲା।ସେଇ ବାବଦରେ କାଗଜ ପତ୍ର ଦାଖଲ କରିବାକୁ ଆସି କ୍ୟୁ ରେ ଠିଆ ହୋଇଥିଲି।

ମୋ ଗୋଡ଼ରେ କଣ ଟିଏ ସଲ୍ ସଲ୍ ହେଲା। ମୁଁ ନଇଁପଡ଼ି ପୋକଟାକୁ କାଢି ଉଠିଲା ବେଳକୁ ମୋ ପଛରେ ଛିଡ଼ା ହୋଇଥିବା ମହିଳା ଜଣକ ମୋତେ ଦୋ ଦୋ ଚିହ୍ନା ଲାଗିଲେ। ଆଳ କରି ଆଉ ଥରେ ପଛକୁ ଚାହିଁଲି।


ହଁ ଇଏ ତ ଆମ ଗାଁ ଶିଖାନୀ।


ଆମ ସମୟରେ ଶିଖାନୀ ରେକର୍ଡ କଲା ଝିଅ ଥିଲା।


ମନେ ପଡିଗଲା କିଛି କଥା ଶିଖାନୀର।


ଲୋକେ କୁହା କୁହି ହେଉଥିଲେ, "ଶିଖାନୀ ପଳେଇଛି !!


କୁଆଡେ ?


ରାମ ଓ ତାର ସଟ୍ ଥିଲା।ତାରି ସାଙ୍ଗରେ ପଳେଇଛି।


ଛକ ,ମନ୍ଦିର, ହାଟ, ପୋଲ ଉପର ଚାରି ଆଡ଼େ ଏଇ ଗୋଟିଏ ଚର୍ଚ୍ଚା।ଏ ଚର୍ଚ୍ଚା ଦିନା କେତେ ଲାଗି ରହିଲା।ଶିଖାନୀକୁ ଲୋକେ ଛିଃ ଛିଃ କଲେ।ବେଲଜ୍ୟା ଝିଅଟି ବାପା ମା ସାଇ ଭାଇ ଓ ଗାଁ ଗଣ୍ଡାର ନାଁ ପକେଇଲା।

ଝିଅ ଗୁଡା ବା ଏମିତି।ଟିକିଏ ସ୍ଵାଧୀନତା ଦେଇ ଦିଅ ଗଲା ଏମିତି ଛତରରେ ପଶିବେ।


ଲୋକଙ୍କୁ ମିଳିଗଲା ମଉକା ବକିବାକୁ।ଶିଖାନୀ ବାପା କୁଆଡେ ମୁହଁ ବଢ଼େଇଥିଲେ ଶିଖାନୀର।ବାପାର ଭଲ ଦି ପଇସା ରୋଜଗାର ଅଛି ବୋଲି ଇନ୍ଦ୍ର ଚନ୍ଦ୍ର ମାନେନି।ଝିଅ ଯାହା କହିବ ତାହା ହିଁ ହେବ।ଛଅ ମାସକୁ ଥରେ ନୂଆ ସ୍କ୍ରୁଟି ଦିଆଯିବ ଝିଅକୁ।ଝିଅ ରାତି ନାହିଁ ଦିନ ନାହିଁ ଘିରି ଘିରି ବୁଲିଲା।ଯୁବକ ଟୋକାକୁ ଆଣି ଘରେ ପୁରେଇବ ବାପା।ବିଦେଶୀ ମଦ ପିଇ ମାତାଲ ହେବ।ବାପା ମା ସିନା ଝିଅକୁ ସଂସ୍କାର ଶିଖାନ୍ତି ! କିନ୍ତୁ ବାପା ମା ଯେଉଁଠି ବେଲଗାମ ସେଠି ଛୁଆ ଠିକ୍ ରାସ୍ତାରେ ଯାଆନ୍ତେ କି ! ଏବେ ସମ୍ଭାଳ ରାଜା ଘର ଝିଅଟା ମାମୁଲି ବସ୍ ଡ୍ରାଇଭର ସାଙ୍ଗେ ପକେଇଲା !!


ମୋର ସେତେବେଳେକୁ ଅଷ୍ଟମ ଶ୍ରେଣୀ ହୋଇଥାଏ।ଶିଖାନୀ ର ଦଶମ।ସେ ସ୍କୁଟି ଚଲେଇ ସ୍କୁଲ ଯାଏ ବୋଲି ତାର ଗୋଟେ ଅଲଗା ଖାଦି।ପୁରା ସୁନ୍ଦରୀ ଟା। ଯେମିତି ଡେଙ୍ଗା ସେମିତି ଡଉଲ ଡାଉଲ।ଫିକା ନାଲି ଓ କ୍ଷୀର ମିଶିଲେ ଯେମିତି ଦିଶିବ ଯେମିତି ତା ରଙ୍ଗ।ଟିକେ ଖରାକୁ ଗଲେ ପୁରା ନାଲି ପଡ଼ିଯାଏ ତା ମୁହଁ।ଗାଢ଼ ରଙ୍ଗ ଡ୍ରେସ ସବୁବେଳେ ପିନ୍ଧେ।ଏତେ ଟାଇଟ ଡ୍ରେସ ପିନ୍ଧେ ଯେ ସତେକି ଦେହ ମାଂସ ଗୁଡା ଡ୍ରେସ ପଠେଇ ବାହାରି ଆସିଲା ପରି ଦିଶନ୍ତି। ବୟସ ତୁଳନାରେ ବହୁତ ଗ୍ରୋଥ ତାର।ପୁଅ ପିଲା ତାକୁ ଦେଖି ଫୁସ୍ ଫୁସ୍ ହୋଇ କଣ କୁହା କୁହି ହୁଅନ୍ତି। ପିଲାମାନେ ଶାଖା ନୀ ବିଷୟରେ ଖରାପ କଥା କେହି କହିଲେ ମୋତେ ଭଲ ଲାଗେନି।


ସ୍କୁଲ ବଜାର ଦେଇ ଗଲା ବେଳେ ଟୋକା ଗୁଡା ଖାଲି ହୁଇସିଲ୍ ମାରନ୍ତି।ପାଠ ଘରେ ଶିଖାନୀର ଶୁନ୍।ସ୍କୁଲ ସବୁ ପିଲା ମଧ୍ୟରେ ଲାଷ୍ଟ୍।କିନ୍ତୁ ସଜବାଜ ଓ ଉଦ୍ଧତ ପଣିଆରେ ସ୍କୁଲ କଣ ଆମ ଅଞ୍ଚଳରେ ଫାଷ୍ଟ୍।


ମୋତେ କିନ୍ତୁ ଶିଖାନୀ ଭାରି ଭଲ ପାଆନ୍ତି।ଦିନେ ଦିନେ ଏକା ଚାଲି ଚାଲି ଆସୁଥିଲେ କୁହନ୍ତି , ଯିବୁ କିରେ ବୁଟୁ ? ଆ ଆ ।


ମୋର ସାଇକେଲ ଟିଏ ବି ନବମ ଯାଏ ହୋଇ ନଥିଲା।ସ୍କୁଟିରେ ବସିବା ଲୋଭ ଆଉ କି ସମ୍ଭାଳି ପାରେ। ନଥ୍ କରି ବସିଯାଏ। କିଆ ଗୋହରୀ ସରୁ ନାଲି ରାସ୍ତା ଦେଇ ଆମେ ସ୍କୁଲ ଯାଉ। ରାସ୍ତା କେବେଠାରୁ ମରା ମତି ହୋଇ ନଥାଏ।ଠାଏ ଥାଏ ବଡ଼ ବଡ଼ ଖାଲ।ଶିଖାନୀ କୁହନ୍ତି ଆଗରେ ଖାଲ ଜୋରେ ଧରି ଥା ମୋ ଅଣ୍ଟା, ନଲେ ପଡିଯିବୁ।


ଥାକ୍ କିନା ସେ ଯେତେବେଳେ ଖାଳରୁ ଗାଡି ଉଠାଇ ନିଅନ୍ତି ମୁଁ ଠାଏ ଠାଏ ବାଡେଇ ହୋଇ ଯାଏ ତାଙ୍କ ଦେହରେ। ଭାରି ଗଦି ଗଦି ଉଷୁମ ଉଷୁମ ଲାଗେ ତାଙ୍କ ଦେହ।ବାଗୁଲି ବାଳ କେରାକ ଉଡ଼ି ଉଡ଼ି ମୋ ମୁହଁରେ ବାଡେଇ ହୋଇ ଯାଆନ୍ତି।ପଡିଯିବା ଭୟରେ ଶିଖାନୀ ଅଣ୍ଟାରେ ହାତ ବେହେରଣ କରି ତାଙ୍କ ପିଠି ସହ ମୋ ଛାତି ପୁରା ଚିପିକି ରଖି ଆଖିବୁଜି ଦିଏ।ଖାଲ ଯାଇ ସମତଳ ରାସ୍ତା ଆସିଲେ ବି ମୁଁ ଆଖି ଖୋଲେ ନାହିଁ।ସେମିତି ଶିଖାନୀ ପିଠିରେ ନଦି ହୋଇ ଥାଏ।ଟିକେ ଟିକେ ଖାଲ ଢ଼ିପରେ ସେ ଯେତେବେଳେ ବ୍ରେକ୍ ଧରନ୍ତି ଓ ଛାଡ଼ନ୍ତି ମୁଁ ଖାଲି ଆଗକୁ ପଛକୁ ଝୁଲି ବାଡେଇ ହୁଏ ତାଙ୍କ ପିଠିରେ। ମୋ " ଛାତି" ଭିତରେ ଖୁସି ଭଳିଆ କଣ ଗୋଟେ ହୁଏ।


ଶିଖାନୀ କୁହେନି ତା ଅଣ୍ଟା ଛାଡିବାକୁ କି ମୁଁ ଜାଣି ଜାଣି ଛାଡେନି।


କାଇଁକି କୁହ ?


ଏକ ବିଚିତ୍ର ଏବଂ ଅଦ୍ଭୁତ ଅନୁଭବ ମୋ "ଛାତି " ଭିତରେ ସୃଷ୍ଟି ହୁଏ ଯେତେବେଳେ ଶିଖାନୀ ଦେହ ସହ ମୋ ଛାତି ପେଟ ଚିପିକି ହୋଇ ଥାଏ ଓ ତାଙ୍କ ବାଳ କେରାକ ମୋ ମୁହଁରେ ବାରମ୍ବାର ବାଡେଇ ହୁଏ।


ଗାଁ ମୁଣ୍ଡ ହୋଇଗଲେ ଶିଖାନୀ କୁହନ୍ତି କଣ କିରେ ବୁଟୁ ଥଣ୍ଡା ପବନ ବାଜି ଶୋଇ ପଡ଼ିଲୁ କି ? ଉଠ୍ ଉଠ୍ ଗାଁ ହେଲାଣି ମୋତେ କଣ ସେମିତି ଜାବୁଡି ଧରିଥିବୁ ?ବଡ଼ ହେଲେ ଝିଅ ରଙ୍କୁଣାଟା ହେବୁରେ ବୁଟୁ।


ମୋତେ ଲାଜ ମାଡ଼େ।ଟିକେ ଟିକେ ନାକ ତଳ ଶାଗୁଆ ହେଲାଣି ମୋର।ଆଉ ଲଙ୍ଗଳା ହୋଇ ଝାଡା ଯାଉନି କି ଗାଧାଉନି।ମୋ ନିଜ ଦେହକୁ ନିଜେ ଦେଖି ଆଚମ୍ବିତ ହେଉଛି।କୈଶୋର ବିଦା ହେବାକୁ ମୋ ଦେହରୁ ପାଗ ଭିଡ଼ିଲାଣି।ଆଦ୍ୟ ଯୌବନ ହାଲକେଇ ହାଲକେଇ ମୋତେ ଛୁଉଁ ଥାଏ।ଏଣୁ ବିଜ୍ଞାନ ଅନୁସାରେ ବୋଧେ ବିପରୀତ ଲିଙ୍ଗ ହେତୁ ଶିଖାନୀ ମୋତେ ଖୁବ୍ ଭଲ ଲାଗନ୍ତି।


ଆଜି ଯାଏ ଗୋଟେ କଥା ବୁଝି ପାରିନି, ରାସ୍ତା ସାରା ଶିଖାନୀକୁ ମୁଁ ଜାବୁଡି ଧରିଥିଲେ ବି ସେ କିଛି କୁହେନି,କିନ୍ତୁ ଗାଁ ମୁଣ୍ଡ ହେଲେ ସତର୍କ କରିଦିଏ କାହିଁକି ?


ଆଉ ଦିନେ ଶିଖାନୀ ମୋ ଜନ୍ମ ଦିନରେ ତାଙ୍କ ବାପା ତାଙ୍କୁ ଦେଇଥିବା ଦାମୀ ସୁନା କ୍ୟାପ୍ ର ପେନ୍ ମୋତେ ଦେଇ କହିଥିଲେ , ବୁଟୁ ନେ ଏ ପେନ୍ ଟି।ମୋ ଦେଇ ତ ପାଠ ହେଉନି ତୁ କିନ୍ତୁ ବହୁତ ପଢି ବଡ଼ ମଣିଷ ଟେ ହେବୁ।ସେଇ ଦିନୁ ଶିଖାନୀ ପାଖେ ମୋ ମନ ବନ୍ଧା ପଡିଗଲା।ଶିଖାନୀ ପଳେଇଲା ପରେ ମାନସିକ ସ୍ତରରେ ବହୁତ ଆଘାତ ପାଇଛି ମୁଁ।କେତେ ଖୋଜିଛି ମନେ ମନେ।ଶିଖା ନୀ ଖବର କିନ୍ତୁ ନଥିଲା କାହା ପାଖେ। ମୁଁ ବି ଆସ୍ତେ ଆସ୍ତେ ଭୁଲି ଯାଇଥିଲି ଶିଖାନୀକୁ।କିନ୍ତୁ ତାଙ୍କ ପେନ୍ ଟି ସବୁବେଳେ ଛାତି ପକେଟରେ ମାରିବା ଭୁଲେନି କେବେ।ଲକି ପେନ୍ ଟି।ଯେଉଁ ପରୀକ୍ଷା ଦେଇଛି ଏ ପେନ୍ ରେ ଭଲ ହିଁ ଭଲ ହୋଇଛି।


ସେଇ ମୋ ଇପ୍ସିତ ଶିଖାନୀ !ମୋ ପଛରେ !! ବିଶ୍ୱାସ କରି ପାରୁ ନଥିଲି।ବାରମ୍ବାର ପଛକୁ ଚାହୁଁଥିଲି।ହଁ ଏ ହିଁ ମୋ ଶିଖା ନୀ।


ଖୁବ୍ ଶୁଖି ଯାଇଛି,ମୁହଁକୁ ଭଲ କରି ନ ଦେଖିଲେ ଚିହ୍ନିବା ମୁସ୍କିଲ।ମୁଁ କିନ୍ତୁ ଚିହ୍ନି ନେଲି।କାରଣ ଶିଖାନୀ ମୋତେ ଭଲ ଲାଗନ୍ତି ନା ।ଶିଖାନୀ ମୋ ମୁହଁକୁ ଚାହିଁ ନଥିଲେ।ନଲେ ମୁଁ ସିଓର୍ ସେ ବି ମୋତେ ଚିହ୍ନି ନେଇଥାନ୍ତେ।


ମୋ କାମ ସରିଲା ପରେ ଅଫିସ୍ ବାହାରେ ଅପେକ୍ଷା କଲି।


ଶିଖାନୀ ତାଙ୍କ କାମ ସାରି ବାହାରକୁ ଆସିବା କ୍ଷଣି ଦଉଡ଼ି ଯାଇ କହିଲି, ଶିଖାନୀ ଚିହ୍ନି ପାରୁଛୁ ?


ତାଙ୍କ ଆଖି ପତ୍ତା ପ୍ରଥମେ ବିସ୍ମୟ ଏବଂ ତାପରେ ଆନନ୍ଦ ପ୍ରକଟ କରି ଦୁଇଥର ପଡିଲା ଉଠିଲା । ମୁଁ ଆଖି ଡାକ୍ତର କିନା।ତାଙ୍କ ଆଖି ପତ୍ତାର ନିରବ ଭାଷା ବୁଝିବାରେ ଅସୁବିଧା ହେଲାନି।


ସେ ମସ୍ତ ଏକ ଖୁସି ହୋଇ କହିଲେ ,ବୁ...ଟୁ ଆରେ ବାଃ ପୁରା ହିରୋ ଲାଗୁଛୁ? ଆଉ ଗାଁ କଥା ତୋ କଥା କଣ କହ?


ଶିଖାନୀ ମୋତେ ଚିହ୍ନି ପାରିଲେ, ଏହା ମୋ ପାଇଁ ଖୁବ୍ ଗୋଟେ ବଡ଼ କଥା ଥିଲା।ଯଦି ଚିହ୍ନି ନ ପାରିଥାନ୍ତେ କଷ୍ଟ ଲାଗିଥାନ୍ତା ସତରେ।


ମୋ କଥା ଛାଡ।ତୁ କେମିତି ଅଛୁ କହ।ପାଖା ପାଖି ଷୋହଳ ବର୍ଷ ହେବ ତୋତେ ଦେଖି ନଥିଲି।ସେଇ ଯେ ପଳେଇ ଆସିଲୁ ଦିନେ ଗାଁ କୁ ଯାଇନୁ କି ତୋ ଖବର କେହି ଜାଣି ନାହାନ୍ତି। ଶିଖାନୀ ସତ କହିବୁ ଦଶମ ପରୀକ୍ଷା ଦେଇ ତୁ କୁଆଡେ ପଲେଇଲୁ,କାହିଁକି ପଲେଇଲୁ ?


ତୋତେ କଷ୍ଟ ଲାଗିଲା କି !! ସେଇ ପିଲା ଦିନ ପରି ଆଖି ନଚେଇ ଦୁଷ୍ଟାମୀ ହସ ହସି କହିଲେ ଶିଖାନୀ।


ହଁ ମୋତେ ଭାରି କଷ୍ଟ ଲାଗିଲା।ତୁମକୁ ସମସ୍ତେ ଛି ଛାକର କଲେ ମୋତେ କଷ୍ଟ ଲାଗନ୍ତାନି !!


ହେଉ ଛାଡ଼ ସେ କଥା।ଏବେ କେଉଁଠି ରହୁଛୁ ? କେମିତି ରହୁଛୁ? ରାମ ଭାଇ କଣ କରୁଛନ୍ତି କହିଲୁ?


ନାଇଁ ଆଗ ତୁ କହ ବୁଟୁ ।


ମୁଁ ଜଣେ ଆଖି ଡାକ୍ତର। ମୋ ମିସେସ୍ ବି ଜଣେ ମାନସିକ ରୋଗୀ ଡାକ୍ତରାଣୀ।ସାତ ବର୍ଷର ପୁଅଟିଏ।


ଆରେ ବାଃ ହାପି ଫାମିଲି ମୋ ବୁଟୁର।


ଏବେ ତୋ କଥା ତ କହ ଶିଖାନୀ।


ମୁଁ ଗୋଟେ ମସଲା କମ୍ପାନୀରେ କାମ କରେ । କମ୍ପାନୀ କ୍ବାଟରରେ ରୁହେ।ଝିଅଟିଏ ; ପ୍ଲସ ଟୁ ସାଇନସ୍ ପଢୁଛି।


ଆଉ ଯାହା ସହ ପଳେଇ ଆସିଥିଲୁ?


ଲମ୍ବା ଦୀର୍ଘ ଶ୍ବାସ ଟିଏ ଟାଣି ଶିଖାନୀ  କହିଲା, ରାମ ଡ୍ରାଇଭର  ସହ  ମୁଁ ପଳେଇ ଆସିଥିଲି। ଡିଭୋର୍ସ ଦେଇ ଦେଇଛି ତାଙ୍କୁ।ସେ ଆଉ ଗୋଟେ ମ୍ୟାରେଜ୍ କରିଛନ୍ତି।ସେମାନେ ମୁମ୍ବାଇରେ ରୁହନ୍ତି।ତାଙ୍କ ସହ ଆଜକୁ ଆଠ ବର୍ଷ ହେବ ମୋର ସମ୍ପର୍କ ନାହିଁ।


ଶିଖାନୀ !!


ହଁ ରେ ବିଟୁ।ସମସ୍ତେ କହିଲେ ପଳେଇ ଆସିଲି।କିନ୍ତୁ କଣ କରିଥାନ୍ତି।ଏ ରାମ ମୋ ବାପାଙ୍କ ପାଇଁ ବିଦେଶୀ ମଦ ସହରରୁ ନେଇକି ଆସେ।ସେଥିପାଇଁ ସେ ବାପାଙ୍କ ଗେହ୍ଲା ପୁଅ।ଯେବେ ଘରକୁ ଆସେ ତା ପାଇଁ ଆମ ଘରେ ମଦ ଓ ମାଂସ ଗନ୍ଧରେ ଫାଟିପଡ଼େ।ଏସବୁ ମୋତେ ଆଦୌ ଭଲ ଲାଗେନି।କିନ୍ତୁ ବାପାଙ୍କୁ କିଏ ବାରଣ କରିବ?ଏ କ୍ଳାସ କଣ୍ଟ୍ରାକଟର ଅଗାଧ ପଇସା।

ଠକ ଧନ ନାଲି ପାଣିରେ ବୁହେ।ଦିନେ ବାପାଙ୍କୁ ଅଧିକ ପିଆଇ ଦେଇ ତାଙ୍କୁ ଓ ମା କୁ ବାହାର ପଟୁ ତାଲା ଦେଇ ଲମ୍ପଟ ରାମ ମୋ ରୁମ୍ ରେ ରାତି ଅଧରେ ପଶି ବଳତ୍କାର କଲା।


ଏ କଥା ସତ ମୋତେ ସେ ଭଲ ଲାଗୁଥିଲା।ଆମେ ଦୁହେଁ କଥା ହୋଇଥିଲୁ ବିବାହ କରିବୁ।କିନ୍ତୁ ମୋ ପଢା ସରିଲେ ,ସେ ଗୋଟେ ଭଲ ଚାକିରି କଲେ।ଏତେ ସାନ ବୟସରୁ ଏପରି କଦର୍ଯ୍ୟ କାମ ସେ ମୋ ସହ ନିଶାଶକ୍ତ ହୋଇ କରିବ ଏକଥା କଳ୍ପନା କରି ନଥିଲି।ଦୁଇ ମାସ ପରେ ଜାଣିବାକୁ ପାଇଲି ମୁଁ ମା ହେବାକୁ ଯାଉଛି।


ମୋ ପାଖେ ଆଊ କିଛି ବାଟ ନଥିଲା।ବାପା ରାମକୁ ଭଲ ପାଆନ୍ତି ସତ କିନ୍ତୁ ମୋ ବାହାଘର ତା ସହିତ କେବେ କରିବେ ନାହିଁ ଜାଣିଥିଲି।କାରଣ ଜଣେ ଇଞ୍ଜିନିୟର ଜ୍ବାଇଁ ସେ ସ୍ଥିର କରି ରଖିଥିଲେ।ଅଠର ବର୍ଷ ପୁରି ଗଲେ ମୋ ବିବାହ କରିବେ ବୋଲି।ତେଣୁ ତୁ କହ ରାମ ସହ ପଳେଇ ନ ଆସି ମୋର ଆଉ କଣ କରିବାର ଥିଲା।


ଅବିବାହିତ ଝିଅ ମା !! ପଳେଇ ଆସିଲେ ରକ୍ଷା କିନ୍ତୁ ଅବିବାହିତା ଝିଅ ମା ହେବାକୁ ଆମ ସମାଜ ସ୍ୱୀକୃତି ଦିଏ କି ?


ରାମ ମୋତେ ଭଲ ପାଉ ନଥିଲା।କେବଳ ମୋ ଦେହ ଉପରେ ତାର ନଜର ଥିଲା।ଏତେ ପାଷଣ୍ଡ ସେ ତା ମାଲିକଠାରୁ ଟଙ୍କା ଆଣି ମୋତେ ବାଧ୍ୟ କରେ ଦେହ ଦେଇ ଋଣ ପରିଶୋଧ କରିବାକୁ।ନମାନିଲେ ଦୁଇ ବର୍ଷର ଝିଅ ତଣ୍ଟି ଚିପି ମାରିଦେଵ ଧମକ ଦିଏ।ଚିଆଁ କେତେ ଥର ସେ କଅଁଳ ଛୁଆ ଦେହରେ ମାଡିଛି ମୋ ଦେହ ଧନ୍ଦା ମନାକୁ ନେଇ।କେହି ବୁଝନ୍ତିନି ମୋ ଅସହାୟତା ।କିନ୍ତୁ କୁହନ୍ତି ମୁଁ କାଳେ ଦେହ ବ୍ୟବସାୟ କରେ।କଣ କରନ୍ତି ନିଜ ସ୍ୱାମୀ ଯଦି ସ୍ତ୍ରୀକୁ ଅନ୍ୟ ସହ ଭାଗ ବିନା ଦ୍ଵିଧା ରେ ଋଣ ଶୁଝିବାକୁ କରେ।ନ ମାନିଲେ କଅଁଳ ଅବୋଧ ଛୁଆକୁ ଚିଆଁ ଦିଏ, ସେଠି ବିଚରା ମାଆ ଟିଏ କଣ କରିପାରେ !!


ବୁଟୁ ରେ ରାମ କୁ ରାମ ଭାବି ସୀତା ପରି ଭଲ ପାଉଥିଲି।ସେ ସୈତାନକୁ ବଞ୍ଚେଇବାକୁ ଯାଇ ତା ହାତ ଧରି ପଳେଇ ଆସିଥିଲି।ନଚେତ ମୋ ବାପା ଏ ବିଶ୍ବାସ ଘାତକକୁ କାଟି ଟିକ୍ ଟିକ୍ କରି ଦେଇଥାନ୍ତେ।ମାତ୍ର ଏ ତ ରାବଣ ଟାଏ, ସେ କାଇଁ ରାମ ହେବ।ମୋତେ ତ ବିକିଲା ପୁଣି ଆଉ ଗୋଟେ ନାଚବାଲି ଧରି ନାଚିଲା।ଏତେ ନିଷ୍ଠୁର ରାକ୍ଷସ ସେ ନାଚବାଲିକୁ ଧରି ଘରକୁ ଆସିବ।ମୁଁ ଚିକେନ୍ କଷା କରିବି।ଦୁହେଁ ପିଇ ଶେଯ ଉଷୁମ କରିବେ ମୋ ବେଡ୍ ରୁମ୍ ରେ।ଆଉ ମୁଁ ମୋ ମୋ କୋଳର ଛୁଆକୁ ଧରି କପାଳ ନିନ୍ଦି ବାହାରେ ମଶା ବାଡେଇ ହେବି ରାତି ସାରା।


ସହି ପାରିଲିନି ଦେହ ୟାକୁ ତାକୁ ଦେଇ ତା ଋଣ ଶୁଝିବାକୁ କିମ୍ବା ତାକୁ ନାଚ ବାଲି ସାଙ୍ଗେ ବାଣ୍ଟିବାକୁ।ତା ଘର ତା ସହର ଛାଡ଼ି ଚାଲି ଆସିଲି ମୋ ଝିଅକୁ ଧରି । ସତ୍ ସଙ୍ଗ ବିହାରରେ ରହିଲି କିଛି ଦିନ ଦିନକୁ ପଚାଶ ଟଙ୍କା ଭଡା ଦେଇ।ସେଇ ସତ୍ ସଙ୍ଗର ପରିଚାଳକ ମୋ ଦୁଃଖ ଜାଣି ଗୋଟେ ମସଲା କଂପାନୀରେ ଚାକିରୀ ଯୋଗାଡ଼ କରିଦେଲେ।


ନିଜେ ଦି ପଇସା ରୋଜଗାର କରି ଝିଅଟିକୁ ମଣିଷ କରୁଛି।କାଳେ ସେ ନୃଶଂସ ରାମ ନାମୀ ରାବଣ ଆସି ମୋ ଉପରେ ପୁଣି ଅତ୍ୟାଚାର କରିବ ମୋ ଝିଅକୁ ମାରିବ, ସେଥିପାଇଁ ମୋ ତରଫରୁ  ନେଇଗଲି।ରାମ ମହାଖୁସିରେ ସେ ନାଚୁଣୀ କୁ ବାହା ହୋଇ ରହିଛି।


ଆଉ ମୁଁ ଶିଖା ଆଜୀବନ ଜଳୁଛି ହୃଦୟ ଦେବାର ଭୁଲ୍ କରି ନିଜ ହାତେ ନିଜ ହୃଦୟ ଭାଙ୍ଗି।ଏଇ ରଖ ମୋ ଆଡ୍ରେସ କେବେ ସମୟ ହେଲେ ତୁମେ ସପରିବାର ବୁଲି ଆସିବ କହି ଶିଖାନୀ ତାଙ୍କ ସ୍କୁଟି ଷ୍ଟାଟ କରି ଚାଲିଗଲେ ।


ଶିଖା ନୀ କାହାଣୀ ଶୁଣି ମୋ ବାଁ ପଟ " ଛାତି "ଟା ଉଠ୍ ପଡ଼ ହେଲା ଜୋରେ । ହାତ ଟି ଛୁଇଁଲା ସାର୍ଟ ପକେଟ୍ ଯେଉଁଠି ଶିଖା ନୀ ଦେଇଥିବା ପେନ୍ ଟି ମରା ହୋଇଛି।





Rate this content
Log in

Similar oriya story from Tragedy