Padmalaya Padhy

Inspirational

3  

Padmalaya Padhy

Inspirational

ଛାତ

ଛାତ

7 mins
162


ସୁରଭି ଯେବେ ଠାରୁ ବାହା ହୋଇ ଆସିଛି ସେ ଦେଖୁଛି ଶାଶୁ ତା ଉପରେ ଏତେ ଟା ସନ୍ତୁଷ୍ଟ ନୁହନ୍ତି l ଏବେ ସାନ ଯା ଜୟା ଆସିଲା ପରେ ସ୍ଥିତି ଆହୁରି ବିଗିଡି ଯାଉଛି l ତୁଳନାତ୍ମକ ମନ୍ତବ୍ୟ ମାନ ମିଳୁଛି lସୁରଭି ଆରମ୍ଭରୁ ଘର କରଣା ରେ ଅଵ୍ୟଵସ୍ଥିତ l ଠିକ ଠାକ ସବୁ ତୁଲେଇ ପାରେନା l ଇଚ୍ଛା ନାହିଁ କି ଚେଷ୍ଟା ନାହିଁ ସେ ହିଁ ଜାଣି ଥିବ l ଯୋଉ ଟା ଯୋଉ ଠୁ ବାହାର କରିଥିବ ପୁଣି ସେଇଠି ନରଖି ଅନ୍ୟ ଯାଗାରେ ରଖି ପରେ ଖୋଜିବ l ଅଧିକା କାମ ପଡିଲେ ଘାଣ୍ଟି ହୋଇ ଯିବ l ଦାୟିତ୍ୱ ନେବାରେ ମୋଟେ ଆଗଭର ନୁହଁ l ଏମିତି ବହୁତ କଥା ଦେଖି ବିରକ୍ତ ହୁଅନ୍ତି ସମସ୍ତେ lଶାଶୁ ମନୋରମା ପ୍ରଥମେ ଭାବିଥିଲେ କାଳ କ୍ରମେ ସୁରଭି ସବୁ ଶିଖି ଯିବ ଓ ସମ୍ଭାଳି ନେବ l କାହା ଘର ର କେମିତିଆ ଚଳଣି ଶିଖିବାକୁ ସମୟ ଲାଗେ l କିନ୍ତୁ ଦୁଇ ବର୍ଷ ପରେ ଗୋଟିଏ ପୁଅ ର ମା ହୋଇ ବି ସୁରଭି ର ସବୁ କାମ ଅସଜଡ଼ା l ବେଳେ ବେଳେ ଭାରି ବିରକ୍ତ ଲାଗେ ମନୋରମା ଙ୍କୁ l କେବେ ଚୁପ ରହନ୍ତି କେବେ ପୁଣି କହି ଦିଅନ୍ତି lମନ ଭିତରେ ହଜାରେ ଅଭିଯୋଗ l ମା କିଛି ଶିଖାଇ ନାହିଁ l ତେଣୁ ନା ଶାଢ଼ୀ ପିନ୍ଧାରେ ବାଗ ନା ଘର କାମରେ ବାଗ l ବେଳେ ବେଳେ ପୂଜା ଦିନ ମାନଙ୍କରେ ମଧ୍ୟ ଉଠିବା ରେ ବିଳମ୍ବ କଣ ନା ନିଦ ଭାଙ୍ଗିଲାନି l କେମିତିଆ ଘରୁ ଆସିଛି ନା l ସେତ ନିଜେ ଯାଇ ଦେଖି ପସନ୍ଦ କରି ଆଣିଥିଲେ l କାହାକୁ କହିବେ lସୁରଭି ବେଳେ ବେଳେ ଚେଷ୍ଟା କରେ ଘର କାମ ରେ ନିପୁଣା ହେବାକୁ କିନ୍ତୁ ଆହୁରି ଭୁଲ ହୁଏ lସାନ ବୋହୁ ଜୟା କିନ୍ତୁ ସୁରଭି ର ପୁରା ଓଲଟା l ସବୁ କାମ ଶୃଙ୍ଖଳିତ ଓ ସଜାଡି ହୋଇ ଥାଏ l ଧୀର ସ୍ଥିର ଓ ଭାବି ଚିନ୍ତି କରିବ l ଥରେ କଲା ପରେ ସେଥିରୁ କେହି ହେଲେ ଖୁଣ ବାହାର କରି ପାରନ୍ତିନି l ଶାଢ଼ୀ ମଣ୍ଡ ଦିଆ ହୋଇ କଡା ଇସ୍ତ୍ରୀ ହୋଇ ଥିବ ଯାହା ଘଣ୍ଟା ଘଣ୍ଟା ରୋଷେଇ କଲା ପରେ ମଧ୍ୟ ଗୋଟିଏ ଚିହ୍ନ ନଥିବ l ମୁହଁ ରେ ନା କ୍ଲାନ୍ତି ନା କ୍ଳେଶ l ସବୁ କାମରେ ନିପୁଣା l ସୁରଭି ଠୁ ଜମା ଦୁଇ ବର୍ଷ ସାନ l ଟଙ୍କା ପଇସା ହିସାବ ଠୁ ଆରମ୍ଭ କରି ଘର କରଣା ହେଉ ବାରିବାକୁ କେହି ନାହିଁ l ସଜଡା ଜୀବନ ଯାପନ lଯା ହେଉ ଯେ ଯାହାର ଘର ସଂସାର ଚଳାଇବେ l ବୟସ ଯାଉଛି ନା ଆସୁଛି l ଖାଲି ଏକ ମାତ୍ର ଝିଅ ମିନି ପାଇଁ ଯାହା ଚିନ୍ତା l ମିନି ମନୋରମା ଙ୍କ ଗୋଟିଏ ବୋଲି ଝିଅ l ଚାକିରୀ କରୁଛି l କିନ୍ତୁ ଦୁଃଖ ଅପରିମିତ l ବିବାହ ର ଦଶ ଦିନ ପରେ ଗୋଟିଏ କାର ଦୁର୍ଘଟଣା ରେ ତା ବର ର ମୃତ୍ୟୁ ତାକୁ ସବୁ ଦିନ ପାଇଁ ସମସ୍ତଙ୍କ ପାଖେ ମୁହଁ ଲୁଚାଇବାକୁ ବାଧ୍ୟ କରିଛି l ଏତେ ବର୍ଷ ପରେ ମଧ୍ୟ ମିନି ଆହୁରି ସହଜ ହୋଇ ନାହିଁ l ଛାଡ଼ ଛାଡ଼ ହୋଇ ରହୁଛି l କାହା ସାମ୍ନା କୁ ଯାଏନା l ଅଫିସ ରେ ବି କଥା ବାର୍ତ୍ତା ହୁଏନା l ସତେ ଯେପରି ଭାଗ୍ୟ ର ବିଡମ୍ବନା ତାକୁ ମୁକ କରି ଦେଇଛି l

ତାର ସହକର୍ମୀ ଜଣେ ତାକୁ ବିବାହ କରିବାକୁ ଇଛୁକ ଥିଲେ l କିନ୍ତୁ ତାଙ୍କ ବାପା ମା ଯେତେବେଳେ ଜାଣିଲେ ଯେ ମିନି ବିବାହ ର ଦଶ ଦିନ ପରେ ସ୍ୱାମୀ କୁ ହରାଇଛି ସେମାନେ ଏକ ପ୍ରକାର ଭୟଭୀତ ହୋଇ ଯାଇ ଥିଲେ l ନିଜ ପୁଅ ର ଜୀବନ ରେ ଗୁଡ଼ାଏ ଶୁଭ ଅଶୁଭ କଳ୍ପନା କରି ଆଉ ଆଗେଇ ନଥିଲେ l ସେ କଥା ସେତିକି ରେ ବନ୍ଦ ହୋଇ ଯାଇଥିଲା l

ମନୋରମା ଭାବନ୍ତି ଏବେ ସିନା ସେ ଓ ତାଙ୍କ ସ୍ୱାମୀ ଅଛନ୍ତି l ମିନି ବାପା ମା ଙ୍କ ଅଭୟ ଆଶ୍ରୟ ରେ ଅଛି ତାଙ୍କ ପରେ ଭାଇ ମାନଙ୍କ ମନ ବଦଳି ଯିବନି ବୋଲି କିଛି ମାନେ ଅଛି କି ? ସେତେ ବେଳେ ମିନି କରିବ କଣ l ଚିନ୍ତା ରେ ଅଧେ ଦିନ ସେ ଶୋଇ ପାରନ୍ତି ନାହିଁ l ସ୍ୱାମୀ ମଦନ ବାବୁ ବୁଝାନ୍ତି l ମିନି ଚାକିରୀ କରିଛି ଅସହାୟ ନୁହଁ l ହେଲେ ମା ମନ ବୁଝେ ନାହିଁ l

ଏବେ କେତେ ଦିନ ହେବ ମନୋରମା ଙ୍କୁ ଅଧିକା କାମ ପଡୁଛି l ଦି ପୁଅ ଙ୍କ ର ଗୋଟିଏ ଲେଖାଏଁ ପୁଅ ଛ ସାତ ବର୍ଷ ର ହୋଇ ଗଲେଣି l ଏବେ ସେମାନ ଙ୍କ ବ୍ରତ ଘର ଚିନ୍ତା l ଦୁଇ ଜଣ କୁ ଏକା ଦିନରେ କଲେ ପରିଶ୍ରମ କମ, ସୁବିଧା ହେବ ବୋଲି ଜୟା କହେ l ତା ର ତ ଦୂର ଦୃଷ୍ଟି ଅଛି l ସବୁ କଥା ଆଗ ପଛ ଭାବି ଚିନ୍ତି କରିବ l ସୁରଭି ମଧ୍ୟ ରାଜି ହୋଇ ଗଲା l

ବାହା ହୋଇ ଆସିଲା ପର ଠାରୁ ତାକୁ କିଛି ଭାବିବାକୁ ପଡ଼େନି l ଅନ୍ୟ ମାନେ ତା ପାଇଁ ସବୁ କରି ଦିଅନ୍ତି ଭଲ ହେଲା l ଅବଶ୍ୟ ସେ ଅନେକ ସମୟରେ ଶାଶୁଙ୍କ ଠାରୁ କିଛି କିଛି ଶୁଣେ l ହଜମ ହୁଏନି ସିନା କିନ୍ତୁ ଭଲ ଚାଲିଛି l ତା ପାଇଁ ଅନ୍ୟ ମାନେ ଚିନ୍ତା କରି ଦେଉଛନ୍ତି l ସେମାନେ ଯାହା କରିବେ ଭଲ ହିଁ କରିବେ lମନୋରମା କେତେ ଦିନ ପାଇଁ ମିନି ର ଭବିଷ୍ୟତ ଚିନ୍ତା ଭୁଲି ଯାଇ ଦୁଇ ନାତି ଙ୍କର ବ୍ରତ ଘର ଆୟୋଜନ ଲାଗି ପଡିଛନ୍ତି l ସେ ଓ ଜୟା ମିଶି ସବୁ କରିବେ l ସୁରଭି କୁ ତ ଗୋଟେ କହିଲେ ଆଉ ଗୋଟେ କରିବ l ମିନି ର ଅଫିସ ଅଛି ତେଣୁ ସେ ବି ସାହାଯ୍ୟ କରି ପାରିବନି l ବ୍ରତଘର ର ଦୁଇ ଦିନ ଆଗରୁ ଘର ର ସମସ୍ତ ସଦସ୍ୟ ବସି ଆୟୋଜନ କୁ ଅନ୍ତିମ ରୂପରେଖ ଦେଉଥିଲେ l ସୁରଭି କୁ ନିଦ ମାଡ଼ିଲାଣି l ଡାକିବାରୁ ଆସିଛି ନହେଲେ ଶାଶୁ ବିଗିଡ଼ିବେ ବୋଲି l ସମସ୍ତେ ସବୁ କରି ସାରିଲେଣି l

ପୁରୋହିତ ପୂଜା ବିଧି , ଖାଇବା ଲିଷ୍ଟ, ଅତିଥି ଅଭ୍ୟାଗତ ଭିଡ଼ିଓ ବାଲା ସବୁ କଥା ଠିକ ଠାକ l ନୂଆ ଲୁଗାପଟା ମଧ୍ୟ ଆସି ସାରିଲାଣି l ଘର ର ପୁରୁଷ ସଦସ୍ୟ ମାନେ ହିସାବ କିତାବ ଓ ଅନ୍ୟାନ୍ୟ ଆଲୋଚନା ରେ ବ୍ୟସ୍ତ l ଆଉ କରିବାକୁ ବୋଧେ କିଛି ବାକି ନାହିଁ l ରାତି ବାର ବାଜିଲାଣି ସୁରଭି ର ହାଇ ଉପରେ ହାଇ ଉଠିଲାଣି l 

ମିନି ବି ଖୁସି କେତେ ଦିନ ପରେ ଟିକେ ସଜ ବାଜ ହେବାକୁ ମିଳିବ l ଲୋକ ଗହଳି ରେ ସେ ବି ନିଜକୁ ମିଶେଇ ଦେବ ଓ ଭୁଲି ଯିବ l କେତେ ବର୍ଷ ହେଲା ସେ ପ୍ରାୟ ହସିବା ଭୁଲି ଯାଇଛି lହଠାତ ଜୟା ଗୁରୁ ଗମ୍ଭୀର ସ୍ୱର ରେ କହିଲା 

-ମା ଆପଣ ମାନେ ସମସ୍ତେ ଅଛନ୍ତି ଭଲ ହେଲା l ମୁଁ କିଛି କହି ବାକୁ ଚାହୁଁଛି lସମସ୍ତେ ଭାବିଲେ ଜୟା ବୋଧେ କିଛି କାମ ଛାଡି ଯାଇଛି l ଗୁରୁତ୍ୱପୂର୍ଣ କାମ ଟିଏ ରହି ଯାଇଥିବ କି କଣ l

-ବ୍ରତ ଘର ଆମ ପିଲା ମାନ ଙ୍କ ପ୍ରଥମ ଶୁଭ କାର୍ଯ୍ୟ l ସେମାନଙ୍କୁ ବାହା କରିବାର ସୌଭାଗ୍ୟ ଆମକୁ ମିଳିବ କି ନାହିଁ ଜାଣିନି l ଆଜି କାଲି ପିଲା ପୁଣି ନିଜ ପସନ୍ଦ ରେ ବାହା ହେଉଛନ୍ତି l ସବୁ ବାପା ମା ଙ୍କୁ ସେ ସୌଭାଗ୍ୟ ମିଳୁନି ଯେ ପିଲାଙ୍କୁ ନିଜ ହାତରେ ବାହା କରି ପାରିବେ l 

ସମସ୍ତେ ଆଶ୍ଚର୍ଯ୍ୟ l ବାହାଘର କଥା ଏବେ କାହିଁକି l ଏବେତ ଆଗାମୀ ଯୋଜନା ପ୍ରସ୍ତୁତ l କେହି କିଛି ବୁଝି ପାରିଲେନି l ପୁଣି ଜୟା ଆରମ୍ଭ କଲା ତେଣୁ ଏହି ଶୁଭ କାର୍ଯ୍ୟ ରେ ମୁଁ ଚାହୁଁଛି ଆରମ୍ଭ ରୁ ଶେଷ ଯାଏଁ ସବୁ ଵିଧି ବିଧାନ ଅନୁସାରେ ହେବ l କୌଣସି ଯାଗାରେ ଏପଟ ସେପଟ ହେବ ନାହିଁ l 

-କିନ୍ତୁ ସବୁ ବ୍ୟବସ୍ଥା ଆମେ ଦେଖି ଚାହିଁ କରିଛୁ l ବାକି ଶୁଭ ଅଶୁଭ ବେଳା ତିଥି ଦେଖି ପୁରୋହିତ ଭାଇନା ବ୍ୟବସ୍ଥା କରି ସାରିଛନ୍ତି l ଆଉ କଣ ରହି ଗଲା କି? ମନୋରମା ବୁଝି ପାରିଲେନି lହଁ ମା ! ସବୁଠୁ ବଡ ବନ୍ଦୋବସ୍ତ ଆମେ କରି ନାହୁଁ l ମୁଁ ଚାହେଁ ସେଦିନ ହୋମ ହେବା ସ୍ଥାନ କୁ ମିନି ଯିବେ ନାହିଁ l ମୁଁ ଚାହୁଁନି ତାଙ୍କ ଦୁର୍ଭାଗ୍ୟ ର ଛାଇ ଆମ ପିଲାଙ୍କ ଉପରେ ପଡ଼ୁ l ଗୋଟିଏ ଶୁଭ କାର୍ଯ୍ୟ ରେ ତାଙ୍କର ଉପସ୍ଥିତି ମୁଁ ଚାହେଁନି l

ମନୋରମା ହଡବଡାଇ ସ୍ୱାମୀ ଙ୍କ ଆଡକୁ ଦେଖିଲେ l ମଦନ ଙ୍କୁ ବି ସବୁ ଅବୁଝା l ଏତେ ଦିନ ଧରି ବାହାରକୁ ସୁନ୍ଦର ଦେଖା ଯାଉଥିବା ଘରଟି ଯେ ଭିତରେ ଭାଙ୍ଗିରୁଜି ଗଲାଣି ମଦନ କି ମନୋରମାଙ୍କୁ ଏହାର ତିଳେ ମାତ୍ର ଖବର ନାହିଁ l

ଜୟା ପୁଣି ଆରମ୍ଭ କଲା l ମିନି ଙ୍କୁ ମଧ୍ୟ ଯଥେଷ୍ଟ ବୟସ ହେଲାଣି ଏ ସବୁ ଜାଣିବା ପାଇଁ l ଜାଣି ସିଆଣା ହେବେ ଯଦି ଆଉ କଣ କୁହା ଯିବ l ସକାଳୁ ଯାଇ ଭାଉଜ ମାନଙ୍କୁ ଚା ପରଷି ସେମାନଙ୍କୁ ମୁହଁ ଦେଖାଇବା କଣ ଦରକାର l ଭାଇ ମାନଙ୍କ ର ହିଁ ଅନିଷ୍ଟ ହେବ l ସେଇଟା ସେ ବୁଝିବାକୁ ଚାହୁଁ ନାହାନ୍ତି l ସେ ତ ଏ ଘରେ ଏକ ମାତ୍ର ଚାକିରିଆ ଝିଅ ନା l ତେଣୁ ସବୁ ଥିରେ ମନ ଇଚ୍ଛା କାରବାର l"

ମିନି ର ପାଦ ତଳେ ଭୂମିକମ୍ପ l ତା ସ୍ୱାମୀର ମୃତ୍ୟୁ ପରେ ଏହା ହେଉଛି ଦ୍ଵିତୀୟ ଝଟକା l ପାଦ ତଳୁ ମାଟି ଗୁଡା ଧସେଇ ଯାଉଛି କି l ଏତେ ଦିନ ଧରି ଯାହା ସବୁ ଦେଖି ଆସିଥିଲା ସେ ସେସବୁ କଣ ମିଛ? ପୁରୁଷ ମାନଙ୍କ ମୁଣ୍ଡ ତଳକୁ l ମନୋରମା ପୁଣି ସମ୍ଭାଳି ନେଲେ l -ତୁ ଯଦି ଚାହୁଁଛୁ ଯେ ଏଇଟା ଏ ପରିବାର ପାଇଁ ଭଲ ତେବେ ମୁଁ ଭାବୁଛି ଯେ ମିନି ତ ବହୁତ ବୁଝିବା ଶୁଝିବା ପିଲା l ସେ ବି ଏକମତ ହେବ l ଗୋଟିଏ ଦିନ ସେ ହୋମ ଯଜ୍ଞ ଠୁ ଦୁରେଇ ରହିଲେ କାହାର କିଛି ଅସୁବିଧା ନାହିଁ lଆଉ ଗୋଟେ ଧମାକା l ମିନି ଖୋଜୁଥିଲା ଏଠାରେ ଏବେ ତାଆର ବୋଲି କିଏ ଆଉ ବାକି ଅଛି l ମୁଣ୍ଡ ଉପରେ ଛାତ ନାହିଁ କି ପାଦ ତଳେ ମାଟି ନାହିଁ l ଭୂଇଁ ଧସେଇ ରସାତଳଗାମୀ ହେବା ଆଗରୁ ହଠାତ

-ମା ମୋ ପୁଅ ପାଇଁ ମୁଁ ଅଲଗା ମଣ୍ଡପ ଓ ହୋମ ର ବ୍ୟବସ୍ଥା କରିବି ଯେଉଁଠି ତାକୁ ସମସ୍ତେ ଆଶୀର୍ବାଦ ଦେଇ ପାରିବେ l କାହାରି ଆଶୀର୍ବାଦ ରୁ ସେ ବଞ୍ଚିତ ହେବ ନାହିଁ l ତାହା ହିଁ ମୋ ସନ୍ତାନ ପାଇଁ ଶୁଭ ହେବ ବୋଲି ମୁଁ ଭାବୁଛି l ଦୁଇ ପିଲାଙ୍କୁ ଅଲଗା ଅଲଗା ସ୍ଥାନ ରେ ବ୍ରତ କରାଯାଉ l 

ଏ ତ ସୁରଭି ର ସ୍ୱର l ଗୋଟିଏ ମଣିଷର ସୌଭାଗ୍ୟ ଦୁର୍ଭାଗ୍ୟ ପାଇଁ ସେ ନିଜେ ଦାୟୀ ନୁହଁ l ଆମେ ନିଜ ଭାଗ୍ୟ ନିଜେ ଲେଖି ନଥାଉ l ସୁତରାଂ ତାକୁ ନେଇ କାହାକୁ ମୂଲ୍ୟାୟନ କରିବା ନିହାତି ମୂର୍ଖାମୀ l ଏହି ମୂର୍ଖାମୀ କୁ ମୁଁ କେବେ ବି ସମର୍ଥନ କରିବି ନାହିଁ l ମୋ ପୁଅ ର ଅଲଗା ବ୍ୟବସ୍ଥା ହେବ l 

-ମଣିଷ ନିଜ ଜ୍ଞାତସାର ରେ କରୁଥିବା କର୍ମ ଅନୁସାରେ ଭଲ ବା ଖରାପ ବିବେଚିତ ହୁଏ l ଭାଗ୍ୟ କୁ ଦୋଷ ଦେଇ ଲାଭ ନାହିଁ lପରିବାର ର ସଦସ୍ୟ ମାନେ ସ୍ତବ୍ଧ l ସୁରଭି କୁ ତେବେ କଥା କହି ଆସେ l ମନୋରମା ଭାବୁଥିଲେ ଏଥର ସେ ବୋଧେ ମିନି ର ଚିନ୍ତା ରୁ ମୂକ୍ତ ହୋଇ ଯିବେ lମିନି ଏବେ ଯାଇ ବୁଝିଲା ସେ ଯେତେବେଳେ ସକାଳୁ ଚା କରି ନେଇ ଦିଏ ସୁରଭି ଜଗି ବସି ଥାଏ ପିଇବ ବୋଲି l କିନ୍ତୁ ଜୟା ମନା କରି ଦିଏ ତାକୁ ଆସିବା ପାଇଁ l ଜୟା ର ରୁମ କୁ ଭୁଲ ରେ ଚାଲି ଗଲେ ବି ଜୟା ମୁହଁ ବୁଲାଇ ବସେ l ଯେମିତି ଝଗଡା ହୋଇଛି l ମିନି ଜାଣି ପାରେନି କାରଣ କଣ l ଏବେ ବୁଝୁଛି ସକାଳୁ ମିନି କୁ ଦେଖିଲେ ଅଶୁଭ ହେବା ଆଶଙ୍କା ରେ ସେ ସର୍ବ ପ୍ରଥମେ ମିନି କୁ ଦେଖେ ନାହିଁ lସୁରଭି କଥାରେ ଜୟା କିଛି କହିବା ଆଗରୁ ମଦନ ବାବୁ ଓ ମନୋରମା ସାଙ୍ଗେ ସାଙ୍ଗେ ରାଜି ହୋଇ ଗଲେ l ଏବେ ସୁରଭି ଉଠି ହାଇ ମାରି ମାରି ଶୋଇବାକୁ ଯାଉଥିଲା l ଘର ର ସମସ୍ତେ ତା ଯିବା ବାଟକୁ ଚାହିଁ ନିଜ ନିଜ ଭିତରେ ବାକି ରହି ଯାଇଥିବା ଯତ କିଞ୍ଚିତ ମଣିଷ ପଣିଆକୁ ସାଉଣ୍ଟୁ ଥିଲେ l


Rate this content
Log in

Similar oriya story from Inspirational