Aravinda Das

Comedy Fantasy

2  

Aravinda Das

Comedy Fantasy

ଛାଡ଼ଖାଇ ଓ ଆଇଁଷ ବ୍ୟାନ

ଛାଡ଼ଖାଇ ଓ ଆଇଁଷ ବ୍ୟାନ

3 mins
7.6K


ଛାଡ଼ଖାଇ ଦିନ ,ସକାଳୁ ସକାଳୁ ଟିଭି ଓ ରେଡିଓରେ ମୁଖ୍ୟମନ୍ତ୍ରୀଙ୍କ "ଆଇଁଷ ବ୍ୟାନ" ଘୋଷଣା ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା।

"ମୋ ପ୍ରିୟ ଓଡ଼ିଶାର ଭାଇ, ଭଉଣୀମାନେ, ଆଜି ଛାଡ଼ଖାଇକୁ ଓଡ଼ିଶାରେ ଆଇଁଷମୁକ୍ତ ଦିବସ ରୂପେ ଘୋଷଣା କରାଯାଉଛି। ଆଜି କେଉଁଠି ବି ଆଇଁଷ ବିକ୍ରୀ, କିଣା ହବ ନାଇ। ଆଜି କେବଳ ନିରାମିଷ ଖାଆନ୍ତୁ। ଯିଏ ଆଜି ଆଇଁଷ ବିକିବ ,ତା ବିରୁଦ୍ଧରେ ଆକ୍ସନ ନିଆଯିବ । ଧନ୍ୟବାଦ।"ଏମିତି ରାତିଅଧିଆ କାନୁନ?ପ୍ରତିବାଦ କରିବାର ଉପାୟ ବି ନାହିଁ । ରବିବାର ଯୋଗୁଁ କୋର୍ଟ ବନ୍ଦ। ଆଇଁଷ ପ୍ରିୟ ରଜତ ମୁଣ୍ଡକୁ ବିଛା କାମୁଡ଼ିଲା ଭଳି ଲାଗୁଥିଲା । ଅଣ୍ଡା ବି ନାହିଁ ଘରେ । ସିପ୍ରା ଖାସୀ ମାଂସ ପାଇଁ ବରାଦ ଦେଇଛି।  "ଚୋରା ରେ ନିଶ୍ଚୟ କଟା ହେଉଥିବ । ଜଲଦି ନେଇଆସ । "ସ୍ତ୍ରୀଙ୍କ ଅର୍ଡର ଶୁଣି ରଜତ ବାଉଳା ହେଉଥିଲା । ଛକ ଉପରେ ଥିବା କରିମ ମାଂସ ଦୋକାନରେ ଆଜି ତାଲା ଝୁଲୁଥିଲା । "ୟେ ତ ନୋଟ ବ୍ୟାନକୁ ବଳିଗଲା । ଏମିତି ନିଷ୍ପତ୍ତି କାହିଁକି "?ଜଣେ ପଚାରିଲା । "ଆରେ ବାବା,ଦୁଇଦିନ ତଳେ ପରା ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଆଶାୟୀ ନେତା ଚାଲେଞ୍ଜ କରିଥିଲେ କି ଯଦି ଦମ ଅଛି, ମୁଖ୍ୟମନ୍ତ୍ରୀ ଛାଡ଼ଖାଇରେ ଆଇଁଷ ବ୍ୟାନ କରି ଦେଖାନ୍ତୁ । ପରମ୍ପରା ନାଁରେ ହିଂସ୍ରତାକୁ ରୋକନ୍ତୁ । ବାସ୍ ,ଦମ ଦେଖାଇଲେ ମୁଖ୍ୟମନ୍ତ୍ରୀ ।  "ୟେ କି ଅଭିଲା କଥା?ଏତେ ବର୍ଷ ପରେ ଛାଡ଼ଖାଇଟା ରବିବାରରେ ପଡ଼ିଥିଲା।   ମଣିଷ ଆଇଁଷ ଟିକେ ନଖାଇଲେ ଜିଭରେ ଛତିଆ ମାରିଯିବନି ? "ସାହୁବାବୁ କହୁଥିଲେ। "ୟା ମାନେ ,କାର୍ତ୍ତିକ ମାସର ଅବଧି ଆଉ ଗୋଟେ ଦିନ ପାଇଁ ବଢ଼ିଲା ? ପୁଣି ଯାଇ ବୁଧବାର ଖିଆ ହେବ। "ନାୟକ ବାବୁ ଉତ୍ତର ଦେଲେ।

ମନ୍ଦିର ପୂଜକ ପଣ୍ଡା ନନା ହସିକି କହିଲେ, "ରାମ ରାଜ୍ୟ ଆସିବ ବୋଧେ । ସାତ୍ୱିକ ଖାଦ୍ୟ ଖାଇଲେ ଦେହ ଭଲ ରହେ । ଏଥର ବେଶୀ ଭୋଟ ପାଇବେ ମୁଖ୍ୟମନ୍ତ୍ରୀ।" ସମସ୍ତଙ୍କର ତୁହାକୁ ତୁହାଫୋନ୍,ମେସେଜ । ଅଣ୍ଡା ଏ ବ୍ୟାନରେ ଆସୁଛି ନା ନାହିଁ ଚର୍ଚ୍ଚା ହେଉଥିଲା । ବ୍ୟାନ ସତ ନା ଏପ୍ରିଲ ଫୁଲ? ସରକାରୀ ସ୍ପଷ୍ଟୀକରଣ ବି ଆସିଯାଇଥିଲା । ଗାଁ,ସହରରେ ସରକାରୀ ବାବୁ ମାନେ ଗସ୍ତକରି ଆଇଁଷ ବିକ୍ରୀ ବ୍ୟାନର ତଦାରଖ କରୁଥିଲେ। ମୁଣ୍ଡରେ ହାତ ଦେଇ ବସିଥିଲେ ଆଇଁଷ ବେପାରୀ । ବର୍ଷର ଏ ଗୋଟାଏ ଦିନରେ କଚେପବାର ବିକ୍ରୀ । ହେଲେ ଏଥର ଶୂନ। ଧାର ଉଧାର ଯାହା ହେଇଛି,ତାହା ସୁଝିବ କେମିତି ?

ଏକ ଅନାମଧେୟ ବିରୋଧୀଦଳ ରାଲି ବାହାର କରିଥିଲେ । ତାଙ୍କ ନେତା କହୁଥିଲେ "ଏସବୁ ସରକାରୀ ଦଳର ଚାଲ। ଗତକାଲି ଠାରୁ ସେମାନେ ଆଗୁଆ ଏସବୁ ଜାଣି ଆଇଁଷ କିଣି ଘରେ ଷ୍ଟକ ରଖିଛନ୍ତି । ସାଧାରଣ ଜନତା କେବଳ ହଇରାଣ । ଆଜି ସେଣ୍ଟ୍ରାଲ ପାର୍କରେ ଜନତାଙ୍କ ପାଇଁ ଆଇଁଷ ଭୋଜି ମାଗଣାରେ ବ୍ୟବସ୍ଥା ହେବ।" କୁଜି ବିରୋଧୀଙ୍କ ଘୋଷଣା ଶୁଣି ଲୋକେ ଫୁସୁଫୁସୁ ହେଉଥିଲେ, " ସେଠିକି କିଏ ଯିବ ? କେବଳ ଭୋଟ ପାଇଁ ଏସବୁ ନାଟ । ହୋଟେଲରେ ଆଇଁଷ ତ ଷ୍ଟକ ଥିବ । ସେଇଠି ଖାଇହେବ।"

ରଜତ ଦେଖିଲା କିଛି ଦୂରରେ ବରଗଛ ଉହାଡରେ ଠିଆ ହୋଇଥିବା,କରିମ ପାଖରେ ଭିଡ଼ । ରଜତ ପହଞ୍ଚିଗଲା ସେଇଠି ।  "ଆଜି ବ୍ଲାକରେ ବିକୁଛି କରିମ । ପୁରା ଡବଲ ଦାମ । କିଲୋ ହଜାରେ। ହୋମ ଡେଲିଭରୀ ଦେବ।"ଜଣେ କହୁଥିଲା । ମାଂସ କିଲୋ ହାଜାରେ ଟଙ୍କା !!ରଜତର ମନେପଡ଼ିଲା, ନୋଟ ବ୍ୟାନ ବେଳେ ବ୍ଲାକରେ ଖୁଚୁରା ଟଙ୍କା ବଦଳ କରିଥିଲା ସେ ଦଲାଲ ଠାରୁ । ଆଜି ବି ତାର ପୁନରାବୃତ୍ତି। ବ୍ୟାନରେ ସାଧାରଣ ମଣିଷ ହିଁ ହଇରାଣ । ପାଟି ସୁଆଦ ଓ ପେଟ ପାଇଁ ସବୁ ନାଟ । ତେବେ ଦୁଇଦିନ ଅପେକ୍ଷା କଲେ ଅସୁବିଧା କଣ ? କିନ୍ତୁ ସିପ୍ରା ରାଗ କଥା ଚିନ୍ତା କରି ହଜାରେ ଟଙ୍କା କରିମକୁ ଦେଲା ।  ଘରକୁ ପଶୁ ପଶୁ ସିପ୍ରା ଦୌଡ଼ି ଆସି କହିଲା ,ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା ଶୁଣିଲଣି ? ଛାଡ଼ଖାଇରେ ଆଇଁଷ ବେପାରୀଙ୍କ କଳାବଜାରୀ ରୋକିବା ପାଇଁ ସକାଳେ ବ୍ୟାନ ର ଭୟ ଦେଖାଇଥିଲେ । ଦିନ ଦଶଟା ପରେ, ଆଜି ସାରା ଓଡ଼ିଶାରେ ସରକାରୀ ମୂଲ୍ୟରେ ଆଇଁଷ ବିକ୍ରିହେବ । ମାଂସ ଶହେ,ମାଛ ପଚସ୍ତରୀ ଓ ଚିକେନ ପଚାଶ,ଅଣ୍ଡା ଡ଼ଜନ ଦଶ ଟଙ୍କା । କେବଳ ଆଜି ଗୋଟାଏ ଦିନ । ଆଧାର କାର୍ଡ ଦେଖାଇ ଯେ କୌଣସି ଗୋଟେ ଜିନିଷ ଦୁଇକିଲୋ ଆଣିହେବ।"  "ହେ,ଭଗବାନ ; କରିମ କଣ ଆଉ ପଇସା ଫେରାଇବ ?" "ତମେ ଯେଉଁ ତୁରୁତୁରିଆ ଲୋକ; ଜଲଦି ଯାଇ ତା ଠାରୁ କିଲେ ମାଂସ ଓ ନଶହ ଟଙ୍କା ଫେରାଇ ଆଣ ନହେଲେ ମୁଖ୍ୟମନ୍ତ୍ରୀଙ୍କୁ କହିବା।" "କିନ୍ତୁ ଏସବୁ ନାଟ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ହିଁ ଦାୟୀ।"

ହଇଓ, ଜଲଦି ଯା । ଏମିତି କଣ ସକାଳୁ "ମୁଖ୍ୟମନ୍ତ୍ରୀ, ମୁଖ୍ୟମନ୍ତ୍ରୀ "ବିଳିବିଲେଇ ହେଉଛ ? ଦିନ ଆଠଟା ହେଲାଣି । ଛାଡ଼ଖାଇ ବୋଲି ମନେ ନାହିଁକି ? ନିଦ ମଳମଳ ଆଖିରେ ରଜତ ପଚାରିଲା, ସତରେ ଆଜି ଆଇଁଷ ବ୍ୟାନ ହୋଇନି ? ଚିଡି ଯାଇ ସିପ୍ରା କହିଲା, "ଜଲଦି ଯାଅ । ଖାସୀ ମାଂସ ସରିଯିବ। ଆଇଁଷ କଣ, 'ନୋଟ' ହେଇଛି ଯେ ବ୍ୟାନ ହେବ ?"

😊(ଅରବିନ୍ଦ ଦାସ)


Rate this content
Log in

Similar oriya story from Comedy