ଚେମେଣି ଚଟିଆ
ଚେମେଣି ଚଟିଆ
_ଉ ହା ହା ହା .... ହୁ ଉ ଉ ଉ
_ ସେଇଠୁ, ସେଇଠୁ ସେଇଠୁ କଣ ହେଲା???ଜଲ୍ଦି କହ ମୋ ହାତପାଦ ପାଣି ଫାଟିଲେଣି ।
_ ତା' ପରେ କଣ ହେଲା ନା ସିଏ ଆଖି ଢିମା ଢିମା କି ତରାଟିକି ଚାହିଁଲା । ତା ଗୋଡ ସଭାଆ ଉପର ଡାଳୁରୁ ଯେ ତଳ ଯାଏଁ ଓହଳିଥିଲା । ହୁଉଉଉଉ .....
_ ହେର କାଇଁ ଖାଲିଟାରେ ଫାଡୁ ଗପ ଗୁଡା ଶୁଣଉଛୁ କିରେ । ଫୋପାଡୁଛୁ ଗଲା ସେତେବେଳୁ ।
_ ଏଁ, ମିଛ ନୁହଁପୁଅ ନିଜେ ମୋ ଜେଜ ତା ଆଖିରେ ଦେଖିଛି । ହ
_ ଆଉ ମୁଁ ନିଜେ ମୋ ଆଖିରେ ଦେଖିଛି । ଚଲ୍
_ସତରେ ନା କଣ ??? କହିବୁଟି କହିବୁଟି କହରେ ।
_ ଏଁ ତୋର କାଇଁ ଏତେ ଏଇ ସବୁ କଥାରେ ମନ କିରେ । ସେମାନେ ସତ କି ମିଛ ଆଜି ଯାଏଁ ବା ପବନରେ ।
_କହୁନୁ ଟିକେ । ଏତେ କଣ ଖୁସାମଦ ବା ।
_ହଉ ଏତେ କହୁଛୁ ଯଦି କହୁଛି, କିନ୍ତୁ ଅଧ ରାତିଆ ସେ କିଳିକିଳା ରାବ ଛାଡି ଆଉ ହଲାପାଟଣା ଯେମିତି ନ ଲଗଉ । ବୋଉକିଲୋ, ବାପକିଲୋ, ଆଳୁ ସାରୁ ସବୁ କିଲୋ କିଲୋ । ତୁଟା ଗୋଟା ପାଣି କଲିଜିଆଟା ବା ।
_ ହଉ ମାଆ ଜାଗୁଳେଇ ମନ୍ତୁରା ତାବିଜ ଧରିକି ଶୋଇବି ପଛେ, କ ।
_ ସେଦିନ ଖରାବେଳିଆ ଜାଇଁଲୁ, ମୁଁ ମୋର ଆଉ ଦିଟା କୁହାବୋଲାରେ ଭାଇ ଆଉ ଗୋଟେ ଭଉଣୀ .....ଆମ ସମତଙ୍କଠୁ ସାନ । ସମସ୍ତେ ଆଠରୁ ଚଉଦ ଭିତରେ । ତାଙ୍କ ଘର ଠୁ କେଇ ଦୂରରେ କୋଠି ଟାକୁ ତ .... ଯୋଉଟାକୁ ସମସ୍ତେ ଭୂତ କୋଠି କହୁଥିଲେ ... ସେଇଟା କି ଜିନିଷ, କେମିତିକା ଦେଖିବାକୁ ଅଣ୍ଟା ଭିଡି ବାହାରିଲୁ । ସେ ଆଡକୁ କେହି ଯାଉ ନଥିଲେ । ଦିନରେ ବି ଡର ଉଡୁଥିଲା । ଅରମା ହେଇ ପଡିଥିଲା ସେ ମୁଣ୍ଡଟି ସେ ଗାଁରେ ବିକଟାଳ ଆଁଟେ କରି । ରାତି ଅନ୍ଧାରରେ ଛାତି ଥରେଇଦେଲା ପରି ଛାଇ ସବୁ କାଳେ ବୁଲନ୍ତି, ହାତରେ ନିଆଁ ହୁଳା ଧରି । କାଫଲା କୋଠା ।
_ ସେଇଠୁ????
_ ଏ ତୁ ଗପ ଅଧାରେ ମତେ ଟୋକିବୁନି ହେଲା, ତାଳ କଟିବ ...ଭୁଲିଯିବି । ଶୁଣିଆର ଅଛି ତ ଥିରିକି ବ । ହଁ ସେଇଠୁ ହାତ ଧରା ଧରି ହେଇ ପାଦକୁ ଟାଣେଇ ପହଞ୍ଚିଲୁ । ଘରେ କେହି ଉଁ କି ଚୁଁ ଖବର ପାଇ ନାହାନ୍ତି .... ଭାବିଛନ୍ତି ଆମେ ଛାତଘରେ ଖେଳୁଛୁ କି ଶୋଇଛୁ । ଆମେ ଛୁ ..... ।
ପହଞ୍ଚି କି ମୁଣ୍ଡ ଟେକି ବେକ ଭାଙ୍ଗି ଆକାଶ ଆଡକୁ ଚାହିଁଲୁ । ଏକ ବିରାଟ ତୋରଣ ତୋରଣ କଟା ବଡ଼ ମାନେ ପୁରା ବଡ ଭଙ୍ଗା ପୁରୁଣା ଭବନଟେ ଗୁଡେ ଦଦରା ଖମ୍ବର ସାହାରାରେ ଠିଆ ହେଇଛି ଆଉ ଆମକୁ ଚାହିଁ ଦାନ୍ତ କିଲେଇଲା ପରି ଖସିଯାଇଥିବା ଚୂନଛଡା ଇଟାଖସା ଲମ୍ବରୁ ଲମ୍ବିଥିବା ବାରଣ୍ଡାରୁ ଡାକୁଛି.... ଆଆଆଆ ଆ ଆଆଆଆଆଆ ।
ସମ୍ମୋହିତ ହେଲାପରି ଆମେ ଆଗେଇଲୁ, ପିଣ୍ଡାରେ ପାଦ ଦେଇଛୁ କି ନାହିଁ ଫଡ୍ ଫଡ୍ କି ମୁହଁ ଠୁ ଇଞ୍ଚଟେ ଉପରେ ଧସି ହେଇ ଉଡିଗଲେ ଯୋଡେ ପାରା । ମୁଁ ଭାବିଲି ବାଦୁଡି ଥିବା କଥା ନା ! ସେତ ବେଳକୁ ଆମ ଭିତରୁ ଦି ଜଣଙ୍କର ହାଲିଆ ଢିଲା .... ପେଣ୍ଟ ଗିଲା । ଆମେ ଯିବୁନୁ କହି ସେଇଠି ଅଟକିଲେ । ମୁଁ କହିଲି, ହ୍ଯାପ୍ ଡରୁଆ ଗୁଡା .... ମୁଁ ତ ଯିବି କିଏ ଯିବ ଯଦି ଆସ । ଉପରୁ ତ କହିଦେଲି .... ଶଂଙ୍ଖି ତ ମୋର ବି ଶୁଖୁଥିଲା .... କିନ୍ତୁ ଶୁଣିଥିବା ତାକୁ ଦେଖିବାର ଜିଦଟା ପେଲିଦେଲା । ମୁଁ ଆଉ ସାନ ଭଉଣୀଟା ( ସିଲୁରୀ) ପିଣ୍ଡାର ବାଆଁକୁ ଥିବା କାଠ ପାହାଚରେ ଗୋଟିଏ ଗୋଟିଏ କି ଚଢିଲୁ ..... ଝାଳରେ ମୋ ପାପୁଲି ଖସୁଥାଏ । କାଠର ମାଟିଆ ଆଉ ପାରାଗାଗାରେ ଲତପତ ଅସନା ଅଳନ୍ଦୁ ଭରା ବାଡାକୁ ସାହାରା କରି ଚଢୁଥାଉ । ଆର ଦି ଜଣ ତଳ ବାରେଣ୍ଡାରେ ବସିଥାନ୍ତି । ସେଠି ସବୁ ବଡ ବଡ କବାଟରେ କୋଲପ ପଡିଥାଏ । କାଠର କବାଟରେ ଭାଙ୍ଗି ଯାଇଥିବା ଖଣ୍ଡ ସବୁରୁ ଅନ୍ଧାର ଛିଟିକି ପଡୁଥାଏ ।
( ଚାରି ସାଙ୍ଗ ମେସ୍ ବସା ଟାରେ ଆଜିର ବିଷୟ 'ଡର' ନେଇ ଡରାଡରି । ଦୂଉର ଆକାଶକୁ ଫଙ୍କା ସ୍କାଇଲାଇଟ ବାଟେ ଦୃଷ୍ଟି ଲମ୍ବେଇଦେଇ ଆରମ୍ଭ କଲା ଦେବନ । କଲିଜାଥରା ନିର୍ଭୟଟାର ତୁଳା କଲିଜା ଖଡ୍ କି ହେଲେ ଥରିଲା । ଜାକି ଲାଖି ହେଇ ବସିଛି । ଏ ନରମା ଜୀବ ଗୁଡା କୌତୁକିଆ ହରିଣ ଛୁଆ ଭଳି ଲାଗନ୍ତି, ଡରେଇହୁଏ ଢେର୍ ବନେଇ ଚୁନେଇ । ରାତିକୁ ଯାହା ଟିକେ ଅଡୁଆ କରନ୍ତି ସିନା।ୟା ନା ନିର୍ଭୟ କାଇଁ ଦିଆ ହେଇଛି କେଜାଣି । ବୋଧେ ଭାବୁଥିବେ ନିଜ ନାଁଟା ଶୁଣି ଶୁଣି ତା ଭୟ ଦୁରେଇଯିବ ବୋଲି।ସିଏ କିନ୍ତୁ ଏ ଯାଏ ଥରୁଥିଲା ଛେପ ଢୋକି ଢୋକି । )
ଆମେ ଦିହେଁ ଆଠ ଦଶଟି ହବ ବୋଧେ, ପାହାଚ ପରେ ଡାହାଣକୁ ବୁଲିଲୁ ପୁଣି ଲମ୍ବା ବାରଣ୍ଡା ଏକ ପ୍ରହେଳିକା ଭିତରକୁ ଓଟାରୁଥିଲା । ଗପ ବହିର ପୃଷ୍ଠା ଭିତରେ ପଶିଗଲା ପରି ଲାଗୁଥାଏ । ହାତ ଛଡା ଛଡି ନାହିଁ । ଆପେ ଆଗଉଥାଉ । କେତେଟା ବାଜିବଣି ଜଣାନାହିଁ । ପୁଣି ଡାହାଣକୁ ଆଉ ଗୋଟେ ସମାନ ବାରଣ୍ଡା, ଲ.......ମ୍ବା । ସବୁଠି ତାଲାଦିଆ ବିରାଟ ବଖରା ପଛରେ ରହସ୍ୟମୟ କିଛି ଗୋଟେର ଆବିଷ୍କାର କରିବାର ଇଚ୍ଛା । ଶେଷକୁ ଆଉ ଗୋଟେ କବାଟ ଛାତକୁ । ବୁଢୀଆଣି ମାନେ ଭରିଯାଇଛନ୍ତି ଷଟ୍କୋଣି ଜାଲ ବୁଣି ବୁଣି । ଛାତକୁ ଉଠିଗଲୁ । ସବୁ ଭୁଲିଯାଇଛୁ.... ଖାଲି ଦେଖୁଛୁ .....କାବା କାଠ ଲାଗୁଛି କାଉଁରୀ ଗପ ପେଡି ପରି । ଛାତକୁ ଯାକ ଉପରଓଳିଆ ଖରା ସୁନା କିରଣ ଲୁଚଉଥାଏ ଭଙ୍ଗା ପଥର, ପାଚେରୀ,କାନ୍ଥପଟା ବର ଓସ୍ତ ଗଛର ମେଲିଥିବା ଚେର ଦେଇ । ଆମ ହୃଦସ୍ପନ୍ଦନ ଚାଲୁଛି କି ନା ଆମେ ଜାଣିନୁ । ଉହୁଁକିଲୁ ଛାତରୁ ..... ବାରିପଟରେ ବିରାଟ କଳା ଅନ୍ଧାର ବୋଳା ବାମ୍ଫି କୂଅ, ପାଇଖନା ଘର ପରି ଦିଟା ଡେଙ୍ଗାଳିଆ ଶିଉଳି ବୋଳା କଳା କାନ୍ଥ ଘେରା, ବଡ ବଡ ସବୁ କି କି ଗଛ ..... ବୁଦା ବୁଦା ଭର୍ତ୍ତି । ବହୁତ ଓଉ ଫଳିଥିବା ଓଉ ଗଛଟିରେ ନଜର ପଡିଲା, ପ୍ରଥମକି ଓଉ ଗଛ ଦେଖିଲି, ପତ୍ର ସବୁ ସ୍କେଲରେ ଗାର ପକାହେଇଥିବା ପରି ପଟାପଟାଳିଆ ପ୍ରକାରର । ମନେ ପଡିଗଲା ଓଉ ଗଛରେ ଭୂତ ରହନ୍ତି ସଞ୍ଜ ଅନ୍ଧାରରେ ମାଡିବସନ୍ତି । ଆକାଶକୁ ଆଖି ଉଠିଗଲା,ସଞ ଖସିଲାଣି ତ । ଭୟ ଗୋଡେଇଲା .... ସିଲୁରୀ ତାର ଚୁନା ଫୁଲ ଗୋଟୋଉଛି । ପିଲାଙ୍କର ଡର ଶିରାଟା ନଥାଏ ପରା । ହେ ହେ ଚାଲ୍ ପଳେଇବା ...ତା ହାତ ଧରି ଟାଣିଲି ...ସିଏ ଘୋଷାରିହେଲା ..... କହିଲା, ର ଭାଇର ଆଉ ଦିଟା ଫୁଲଅଅଅଅଅ । ମୁଁ ଏକ ରକମ ତାକୁ ଟାଣି ଓଟାରି ପାଦ ଦଉଡେଇଲି ........ ସେ ଲମ୍ବା ବାରଣ୍ଡା ନିଜକୁ ବୋହିକି ହାମୁଡିଲା ପରି ଲାଗୁଥିଲା ପିଠି ଉପରକୁ ମାଡି । ଝାଳରେ ଗୋଟାପଣେ ଓଦା ସରସର ।
ସିଲୁରୀ କହୁଥାଏ, ର ଭାଇ ଧିରେ ....ମୋ ଫୁଲ ଖସିପଡିବ ଅଣ୍ଟିରୁ, ମୁଁ ଦଉଡିପାରୁନି ର । ଫୁଲମାନେ ବି ଅଦ୍ଭୁତ ନା, ସବୁଆଡକୁ ସୁନ୍ଦର କରିବାକୁ ଠାଣିଛନ୍ତି ...... ହଉ ପଛେ ଭୂତ କୋଠି । କଣ ହେଲା ସେଥୁରୁ ..... ସୂରୁଜ ଯୋଉଠି ଖରା ଦବ ......ମାଟି ଯୋଉଠି ଥିବ ସେଠି ସିଏ କୁଆଁ ମେଲିବ, କଢି ଧରିବ ଆଉ ହସିବ । ପାଣିରେ,ବରଫରେ,ପୃଥିବୀରେ ...... ସବୁଠି ।
ଦି ଆଣ୍ଠୁରେ ଭରାଦେଇ ମୋ ହାଫ୍ ପେଣ୍ଟ ଉପରକୁ ନଇଁ ପଡି ନିଶ୍ୱାସ ନଉଛି ...... ନଜର ପଡିଲା ଗୋଟେ ବାଲଟି କୂଅ ମୂଳେ ଆଉ ପ୍ଲାଷ୍ଟିକ୍ ମଗଟେ ...... ତାରରେ ଲୁଙ୍ଗିଟେ,ଗଞ୍ଜିଟେ ଆମ ପଡିଶା ଘର ଲିଟୁଭାଇଙ୍କର ଯେମିତିଆ .....ତାଙ୍କ ମୁହଁଟା ସେ ଅପରଛନିଇଆ ବାଦୁଡି ଭଳିଆ, ବୋଉ ଯାହା ଉପରେ ଚିଡେ ସେଇ ..........ଶୁଖିଛି । ଗୋଟେ କ୍ଷଣ ପାଇଁ ଭାବିଲି ଭୂତ ବି ବାଲଟି ମଗରେ କାମ ସାରନ୍ତି ?ଆଉ ମଣିଷ ପରିଆ ଲୁଗା ପିନ୍ଧନ୍ତି ?? ଏଁ । ଫଡ୍ ଫାଡ୍ କି ଡେଣା ବାଡେଇ ମୁହଁ କତିରେ ପୁଣି ଉଡିଗଲେ ଦିଟା ପାରା । ଧେତ୍ ପୁଣି ପାରା! ବାଦୁଡି ନୁହଁ । ବାଦୁଡିଟା କାଇଁ ଦୁଶିଲାନି ଜମା, ହବ କେମିତି ଯେ ଭୂତ ଗପ । ସେଇଠୁ କାନ ଶୁଣେଇଲା ଛମ୍ ଛମ୍ ଛମ୍ । ଗୋଟିଏ ବଖରାକୁ ତା ଫାଙ୍କ ଫଟା ବନ୍ଦ କବାଟ ଦେଇ ଡୁଙ୍ଗିଦେଲି .... ଭିତରେ ଦିଶିଗଲା ଅଳ୍ପ ଆଲୁଅରେ ମଶାରୀ ଉଠା ଫାଳିକିଆ ଖଟ ବାଡ । ଆଉ ଆବୁରୁ ଜାବୁରୁ ଘରକରଣା କଣ ଯୋଡେ..... ..ଯାହା ମନେପଡୁଛି ..... ପଛ ପଟିଆ ଦେଖିଲି ଲମ୍ବା ଚୁଟି ଥିବା କିଏ ଗୋଟେ ହୁଁ ହୁଁ ଶବ୍ଦ କରୁଛି କିଏ ସେ କଳା ଅନ୍ଧାର ଘର ଟାରେ ...... ମୁହଁ ଦିଶୁନି ..... ବନ୍ଧା ହେଇଛି କି କଣ, ଗୋଟେ କଡକୁ ମୁଣ୍ଡ ଝାଙ୍କିଛି, ନିଜେ ଝିଙ୍କି ହଉଛି ......ମୀନୁମାଉସୀ ପରି ଲମ୍ବା ମୁଣ୍ଡ ଗଳା ଝିଅ ପିଲା ସାଟ୍ ପିନ୍ଧିଛି .... ସେଇ ମୀନୁ ମାଉସୀ ଯିଏ ଦି ଦିନରୁ ନିଖୋଜ ଅଛି ଆଉ ବୋଉ ହେରିକା ସବୁ ସେଇ କଥା ଶୁଣିକି ଏଇଠିକି ଆସିଛନ୍ତି .... ତାଙ୍କ ବଡଭଉଣୀ ଘରକୁ........ସିଏ ବୋଉର ସଙ୍ଗାତ ...... ସେଇପଟୁ ଶବ୍ଦଟା ଶୁଭୁଛି । ପାରାଟେ ଆସି ଏତିକି ବେଳେ ମୋ କାନ୍ଧରେ ବସିପଡିଲା କି ମୁଁ ତଳେ ପଡୁ ପଡୁ ରହିଗଲି,ହୋସ୍ ହରେଇଥାନ୍ତି କି କଣ । ଚିଲେଇ ଦେଇଥାନ୍ତି ଯଦି ନିଜ ପାଟିକି ନିଜ ହାତରେ ଜାବୁଡି ନ ଧରି ଥାନ୍ତି । ଚେତା ବୁଡିଲା ପରି ହାରିଯାଉଥିଲି । ସିଲୁରୀ ଫିସ୍ କି କହିଲା, ଦେଖା କଣ ଦେଖୁଛୁ ..... ମୁଁ ବି ଦେଖିବି ।
ନା ...... ଚାଲ୍ ଏଇଠୁ । ଏତିକି କହିକି ଦଉଡିଲି ..... ସେ ମୋ ପଛେ ପଛେ ।
ଧଡ୍ ଧଡ୍ ଧଡ୍ କି ଯୋଉ ବାଟେ ବାଟେ ଯାଇଥିଲୁ ସେଇ ବାଟେ ବାଟେ ଓହ୍ଲେଇ ଆସିଲୁ । ତଳେ ଅପେକ୍ଷା କରିଥିବା ସିଲୁରୀର ଦି ଭାଇ ଚମକି ପଡିଲେ ପୁଣି ଆମକୁ ଦେଖି । ସେତବେଳକୁ ସେମାନେ ପୁରା କାନ୍ଦ କାନ୍ଦ ..... ଆମକୁ ଭୂତ ଖାଇଗଲା ଭାବିକି । ତାଙ୍କ ଭଉଣୀ ହାତକୁ ଭିଡି ନେଇ ମୋ ମୁଠାରୁ ଭାଏଁ ଭାଏଁ ପାଦ ପକେଇଲେ ତାଙ୍କ ଘର ଆଡକୁ ...... ତାଙ୍କ ପଛେ ପଛେ ମୁଁ ଦଉଡିଲି ।
ତାଙ୍କ ଘରଠି ପହଞ୍ଚିଲା ବେଳକୁ ଆମ ଘର ଲୋକ ସବୁ ଫେରିବାକୁ ତିଆର ହେଲେଣି । ଆମକୁ ଖୋଜା ପଡୁଛି । ଆମେ ଏଇ ପଡିଆରେ ଖେଳୁଥିଲୁ ବୋଲି କହିଲୁ ।
ବୋଉ ଚିଡିଲା, କହିଲା ଯୁଆଡେ ଗଲୁ ମାଟି ବୋଳି ହେଲୁ । ଚାଲେ ତାଙ୍କ କୂଅ ମୂଳେ ଧୋଇଧାଇ ଦିଏ । ତାଙ୍କ କୂଅ ମୂଳୁ ସେ କୋଠା ଦିଶୁଥାଏ । ମୁଁ ବୋଉକୁ ପଚାରିଲି, ବୋଉଲୋ ଭୂତ ଭୁତୁଣୀ ସତରେ ଥାନ୍ତି???? ସେମାନେ ସବୁ ବି ଆମରି ଭଳିଆ ଚଳନ୍ତି ନା କେମିତି ????
ବୋଉ ଗାମୁଛାରେ ମୋ ପାଦ ପୋଛୁ ପୋଛୁ କହିଲା, ହେ ତୋର ଯେତକ ସବୁ ଅବାନ୍ତର କଥା । ଚାଲେ ବାପା ଖୋଜିବେଣି ତେଣେ । ସହଳ ଚାଲେ ।
ମୁଁ ଭାବୁଥିଲି ମୁଁ ଯାହାକୁ ଦେଖିଲି ସିଏ ତେବେ କିଏ ?? ଆଉ ବାଦୁଡି ନଥାଇ କି ଭୂତ ଘର ମ । ଖାଲି ପାରା ଗୁଡା ।
ଫେରିବା ବେଳ ହେଲା ।
ବାଟେଇବାକୁ ଆସିଥିବା ମାଉସୀ ଭାରି ମନଦୁଖଃରେ ଲୁହ ଲୁହ ଆଖିରେ ବୋଉକୁ କହୁଥିବାର ଶୁଣିଲି, ଝିଅଟା କେମିତି ମିଳିଯାଆନ୍ତା ହେଲେ? କଲିକତା ଫଲିକତା କି କଟକ ନଗର କାହା ସାଙ୍ଗରେ ପଳେଇଲା କି କଣ କେଜାଣି? କି ଲାଜ କଥା .... କୁଆଡେ କାହାକୁ କହିବୁ । ପୋଲିସିରେ ଦବୁ ଦବୁ ବୋଲି ଭାବୁଛୁ । ଘରର ନାଁ ପଡିବ .... ଏପାଖକୁ ଏକବାଗିଆ ଘରଟା ରହିଯାଇଛି ବୋଲି ଏତେ ଫିଟିନି କଥାଟା । ତଥାପି କାଲି ବୁଲିବୋଉ ପଚାରୁଥିଲା, ତମ ମିନୁ ନାଇଁ କି ? କାଇଁ ଦୁଶୁନି? ମୁଁ ବାଆଁରେଇ ଦେଲି କହିଲି ଗାଁକୁ ଯାଇଛି । ବୋଉ ଦେହ ଭଲ ନାହିଁ । ବୋଉକୁ ବି କହିନି । ଭାଙ୍ଗି ପଡିବ । ପୋଡାମୁହିଁ କଣ କଲା । ମିଳିଯାନ୍ତା କି କୋଉଠି । ବହେ କୁଟନ୍ତି । ମଉନମୁହିଁର କେତେ ଫଣ । ଦି ଦିନ ହେଲାଣି ।
ବୋଉ କହୁଥାଏ, ମିଳିଯିବେ, ଯିବେ କୁଆଡେ । ଦିଅଁଙ୍କଠି ବିଶ୍ୱାସ ରଖ । ଦେବବାପା ବି ବିଶ୍ୱସ୍ତ ସୂତ୍ରରୁ ଖୋଜାଖୋଜି କରିବେ । ରୁହ । ମିଳିବେ । ସିଏ ତ ସେମିତିଆ ଝିଅ ନୁହେଁ, କୋଉଠି କଣ ଭାବ ଥିଲା କିଛି ଟେର୍ ପାଇଥିଲ???ଆମ ଗାଁର ସେ ମହାନ୍ତି ଘର ଲିଟୁଆଟା ବି କାଇଁ ମାସେ ହେଲା ଦୁଶୁନି । ସେଇଟା ଭଲ ପିଲାଟା ନୁହଁ । ବାହା ହବା କଥା ଦେଇ କେତେ ଝିଅ ଙ୍କୁ ହୀନିମାନିଆ କଲାଣି ବୋଲି କୁଆଡେ ତା ନାଁରେ ଶୁଣା । କଲିକତାରେ ନେଇ ବିକିଦଉଛି ନିରୀହ ଜୀବନ ଗୁଡାକୁ । ପୋଲିସି ଖୋଜୁଚି ତାକୁ । ଡର ଲାଗୁଛି । ପାପୀଟା । ଲୋକ ବି ତାତାଛନ୍ତି ତା ଉପରକୁ, ଦା 'ପଜେଇ ଖୋଜୁଛନ୍ତି ।
ମୁଁ କାନେଇଥିଲି ତଳୁକୁ ମୁହଁ କରି ପାଦରେ ଗୋଡି ପୁରେଇ ଗାରଉ ଗାରଉ । ଧଡ୍ କି କହିଦେଲି ମୀନୁମାଉସୀ ବା ସେଇ ଭୂତ କୋଠି ଭିତରେ ଅଛନ୍ତି, ମୁଁ ଏଇନା ଦେଖିକି ଆସିଛି । ସିଏ ଭୂତ ହେଇ ଯାଇଛନ୍ତି ।
ମୋ ପାଟିରୁ ବାହାରି ପଡିଲା ।
ବୋଉ ମତେ ହାଁ କରି ଚାହିଁଲା । ମୁଁ କଣ ଗୋଟେ ନ କହିଆ କଥା କହିଦେଲି କି, ଡରିଗଲି । ବୋଉ କହିଲା, ହଇରେ ମେଞଡ ତୁ ସେ ଆଡେ ଯାଇଥିଲୁ? କାଇଁକି ? ହେ ଜଗନ୍ନାଥେ ମୁଁ ଏଇନା କଣ କରିବି ।
ବାପା ଆଉ ମଉସା ଶୁଣିକି ଆସି ସବୁ ଜାଣିଲେ । ଡରି ଡରି ସବୁ ବଖାଣିଲି । ଆମର ଘରକୁ ଫେରିବା ସେଦିନ ସ୍ଥଗିତ ହେଲା । ବହୁତ ବେଳ ଯାଏ ବାପା ଭରିଆ କଣ ସବୁ ଆଲୋଚନାରେ ଏକାଠି ହେଲେ । ଆହୁରି କିଏ ସବୁ ବଡ ଲୋକ ଗାଁରୁ ୟାଙ୍କ ଘରଠିକି ଡକାହେଇ ଆସିଲେ । ସମସ୍ତେ ଠେଙ୍ଗା, ବାଡି, ଲଣ୍ଠନ, ଟର୍ଚ୍ଚ ସବୁ ନେଇ ତିରିଶି ପଚାଶ ସରିକି ଲୋକେ ହୋ ହୋ କରି ମାଡିଗଲେ ସେ ଭଙ୍ଗା କୋଠା ଆଡକୁ । ଘେରିଗଲେ ଚାରିପଟୁ, ଆଉ ଅଧେ ଚଢିଗଲେ ଉପରକୁ ।
ମତେ ବୋଉ ଜାବୁଡି କି ଧରିଥାଏ । ମତେ ଛାଡିଥିଲେ ସିନା ମୁଁ ଦେଖେଇ ଦେଇଆନ୍ତି କୋଉଠି ଦେଖିଥିଲି ବୋଲି ।
ହୋ ହୋ ହୋ ଶୁଭୁଥାଏ । ଅଚେତ ମୀନୁ ମାଉସୀକୁ ଉଠେଇ ଆଣି ଘର ଭିତର ପିଣ୍ଡାରେ ଶୋଇଦେଲେ ଦିଜଣ । ତା ହାତ ପାଦରେ ରଶି ବନ୍ଧା ଚିହ୍ନ ନେଳି ପଡି ଦିଶୁଥାଏ । ଓଠ କଡ ଫାଟି ରକ୍ତ ବାହାରି ଶୁଖିଥାଏ କିଏ ମାଡ ମାରି ଫଟେଇଲା ପରି । ପାଣିଫାଣି ଛାଟି ତାକୁ ସାଷ୍ଟାଙ୍ଗ କଲାଉତାରେ ସିଏ ସେଇମିତି ହୁଁ ହୁଁ ହେଲା ପୁଣି ଭୂତ ଲାଗିଲା ମିତି । କୁହା କୁହି ହଉଥାନ୍ତି, ଶଳାଃ ସେ ଘରେ ଚେମେଣି ଚଟିଆ ଭଳିଆ ଲୁଚିଥିଲା ହୋ । କୋଉଦିନୁ ଖୋଜାପଡିଥିଲା ଶଃକୁ । ଆଜି ଜାବରେ ପଡିଛି ଏତେ ଦିନେ । ଏବେ କୁଆଡେ ଯିବ ମଣି, କାଲି ତାକୁ ନେଇ ପୁରୀ ଫାଣ୍ଡି ଠିକି ଯିବା, ଆଜି କିଳିକି ରହୁ । ଚେମେଣି ଭଳିଆ ଲଟକେଇ ଦବା ପୁଅକୁ ଓଲଟିଆ ।
ଆମକୁ ସବୁ ସେ ଘରକୁ ନେଇଗଲା ବୋଉ ଶୋଇଦବାକୁ । ମତେ ନିଦ ହଉନଥାଏ ।
**************************************
ତା ଗୋଟେ ଦିନରେ ଘରକୁ ଫେରିଲୁ । ବୋଉ ତା ପରଦିନ ଗାଁ ଠାକୁରାଣୀଙ୍କଠି ଝଡେଇଲା, ଫୁଙ୍କେଇଲା, କାଳୀ ଗାଈ ଲାଞ୍ଜରେ ଝାଡିଲା । ସବୁ କଲା ।
ସମସ୍ତେ ମତେ ସାବାସ୍ କହିଲେ ।
ମୁଁ କେତେ ଦିନ ଯାଏ ଭାବୁଥିଲି ଏ ଚେମେଣି ଚଟିଆଟା ମତେ କାଇଁ ଦିଶିଲାନି । ଓହୋ ଦିନ ଥିଲା ବୋଲି ବୋଧେ । ଯା ହଉ ମୀନୁମାଉସୀଟା ପୁଣି ଭୂତରୁ ମଣିଷ ହେଇଗଲା ।
କେତେ ଦିନ ପରେ ତାର ବା' ଘର ନିମନ୍ତ୍ରଣ ବାପାଙ୍କ ପାଖକୁ ନେଇ ମାଉସା ଆସିଥିଲେ । ଆମେ ସବୁ ଏଥର ତାଙ୍କର ଆଉ ଗୋଟେ ଗାଁକୁ ଯାଉଥିଲୁ ତାଟି ଶଗଡରେ ବସି ।
ବୋଉ କିନ୍ତୁ ମତେ ଏଥର ଗୋଡେ ଗୋଡେ ଜଗୁଥିଲା ।
ମୋ କଥାଟି ସରିଲା
ଫୁଲ କୁମୁଦ ଫୁଟିଲା । ।