ଚଢେଇର କାନ୍ଦ
ଚଢେଇର କାନ୍ଦ
ନଈକୂଳିଅ। ଗାଁ। ନଈ ବନ୍ଧକୁ ଲାଗି ଏକ ମାଟିଝାଟିର ଘର। ଦୁଆର ସାମ୍ନାରେ ତୁଳସୀ ଚଉଁରା। କାନ୍ଥରେ ରଂଗମାଟିର ଲେପ। ଦୁଆର ଦୁଇପଟେ ଚାଉଳ ଚୁନାପାଣିର ଝୋଟି। ଘରେ ମା' ପୁଅ ଦୁଇ ପ୍ରାଣୀ।
ସ୍ବାମୀଙ୍କ ମୃତ୍ୟୁ ପରେ ଘରବାଡି କାମ କରି ଦୁଃଖକଷ୍ଟରେ ପୁଅକୁ ବଡ କରିଛି ମା'। ଏକୋଇର ବଳା। କେତେ ଦିଅଁ ଦେବତା ପୂଜି ତାକୁ ପାଇଛି। ଘଡିଏ ବି ତାକୁ ଅ।ଖି ଅ।ଗରୁ ଅନ୍ତର କରେନି। ପଣତ କାନିରେ ବାନ୍ଧି ରଖିଥାଏ।
ଥରେ ନଈ ଘାଟକୁ ମା' ଗାଧୋଇ ଯାଇଥିଲେ। ସେଠି ପଡିଶା ଗାଁ ଝିଅବୋହୂ ଗାଧୋଉଥିଲେ। ସେମାନଙ୍କ ଗହଣରେ ଏକ ସୁନ୍ଦରୀ ଝିଅକୁ ଦେଖି ଘଡିଏ ଅଟକିଗଲେ। ଅପୂର୍ବ ରୂପ ଲାବଣ୍ୟ।ଫୁଲକୁମାରୀ ଭଳି ଗୋରାତୋରା ଦେହ। ହସିଲା ପୂରିଲା ମୁହଁ। ବାମ ପଟ ଗାଲରେ ଛୋଟ କଳା ଜାଇ। ଜଂଘଯାଏ ଲମ୍ବିଥାଏ ମୁକୁଳା କେଶ। ଦେଖିଲେ ଅ।ଖି ଫେରାଇ ହେବନି। ଝିଅଟି ଯେମିତି ଗୋଟିଏ ଚାଉଳରେ ଗଢା।! ହଳଦୀ ମାଖି, ଦେହହାତ ମାଜି ଗାଧୋଇବା ବେଳେ ଝଲସୁ ଥାଏ ଅନିନ୍ଦ୍ୟ କାନ୍ତି।
ସେଝିଅକୁ ନିଜ ପୁଅ ଲାଗି ଉପଯୁକ୍ତ ପାତ୍ରୀ ଭାବି ବୋହୂ କରି ନେବାକୁ ସେ ଭାବିଲେ। ପାଖକୁ ଯାଇ ପରିଚୟ ପଚାରି ବୁଝିଲେ। ସ୍ନେହ
ଅ।ଦର କରି କହିଲେ," ମା' ମୋ ଘରକୁ ବୋହୂ ହୋଇ ଯିବୁ?
ଅ।ମେ ଘରେ ମା' ପୁଅ ଦୁହେଁ ରହୁଛୁ। ତୁ ଭଲରେ ରୁହିବୁ। ହଁ କହିଲେ ପ୍ରସ୍ତାବ ପକାଇବି। "
ବିବାହ ପ୍ରସ୍ତାବ ଶୁଣି ଲାଜେଇ ଗଲା ଲାଜକୁଳି ସ୍ବଭାବର ଝିଅଟି। ହସି ଦେଇ କିଛି କହି ନ ଥିଲା।
ମା' ପୁଅଙ୍କୁ ସେ ବହୁବାର ଆଗରୁ ଦେଖିଛି। ପୁଅଟିର ଭାବଗମ୍ଭୀର ସ୍ବଭାବ। ସୌମ୍ୟ ଚେହେରା। ଆଖିରେ ଆଖି ମିଶାଇ ଚାହିଁ ପାରେନା।
ବିବାହ ପ୍ରସ୍ତାବ ଶୁଣିବାଠାରୁ ଝିଅଟି କେମିତି ଅ।ନମନା ହୋଇ ପଡିଥିଲା। ମନେମନେ ସେହି ସୌମ୍ୟକାନ୍ତ ଯୁବକଙ୍କୁ ଭଲ ପାଇ ବସିଥିଲା।
କିଛିଦିନ ଗତେ ବିବାହ ପ୍ରସ୍ତାବ ଅଣାଗଲା। ବର ଓ କନ୍ୟା ପକ୍ଷ ପ୍ରସ୍ତାବରେ ରାଜି ହୋଇଗଲେ। ବାହାଘର ଲଗ୍ନ ସ୍ଥିର ହେଲା।ଏଥୁଅନ୍ତେ ଉଭୟ ପକ୍ଷ ପ୍ରସ୍ତୁତିରେ ଲାଗିପଡିଲେ।
ପିଲା ଦିନୁ ସାଂସାରିକ ମୋହ ପ୍ରତି ପୁଅଟି ଥିଲା ଅନାସକ୍ତ। ସବୁବେଳେ ଭାବନା ରାଜ୍ୟରେ ବୁଡି ରହୁଥିଲା। ସନ୍ନ୍ୟାସୀ କି ଯୋଗୀ ଦେଖିଲେ ପାଖକୁ ଯାଇଁ ସେମାନେ ସଂସାରୀ ତ୍ୟାଗୀ କାହିଁକି ବୋଲି ପଚାରୁଥିଲା। ପୁଅଙ୍କର ଏଭଳି ବୈରାଗ୍ୟ ଭାବ ଦେଖି ମା' ଚିନ୍ତିତ ଥିଲେ। ଭାବୁଥିଲେ, ରୂପଗୁଣର ଝିଅଟିଏ ଆଣି ବାହା କରାଇ ଦେଲେ
ମନ ବଦଳିଯିବ। ସଂସାର କରିବ। ରୂପବତୀ, କାମିନୀର ଯାଦୁରେ ବାନ୍ଧି ହୋଇଯିବ। ଯୁଗେଯୁଗେ ମୁନିଋଷି ବି କାମିନୀ ମାୟାରେ ବାଟବଣା ହୋଇଛନ୍ତି !
ଏମିତି ଦିନ ଗଡିଯାଇ ବିବାହ ଲଗ୍ନ ପାଖେଇ ଅ।ସିଲା। ବର ଓ କନ୍ୟାଙ୍କ ଘର ଆଗରେ ଢୋଲ, ମହୁରି, ସାହାନାଇ ବାଜିଲା। ଶଙ୍ଖ, ହୁଳହୁଳି ମଂଗଳ ଧ୍ବନିରେ ପୁଅଟି ହାତରେ ନଡିଅ।, ଖିଲିକାତି ଧରି ବରବେଶ ସାଜିଲା। ବରଯାତ୍ରୀ ଦଳ ବରକୁ ନେଇ ବାହାରିବା ବେଳେ ମା' ଟେକିଦେଲେ କନକାଞ୍ଜଳି। ସ୍ନେହରେ ତାଙ୍କ ଆଖିରୁ ଝରି ପଡିଲା ଲୁହ। ମା' କାନ୍ଦୁଥିବା ଦେଖି ବରବେଶୀ ପୁଅ ମନରେ ଖେଳିଗଲା ଭାବାନ୍ତର। ପଚାରିଲା, " ମା' ତୁ କାହିଁକି କାନ୍ଦୁଛୁ ? ପରଝିଅ ଘରକୁ ଆସିଲେ ତୋ ମନ ଚାହିଁ ଦାୟିତ୍ବ ନେବ କି ନାହିଁ ଭାବୁଛୁ କି ?"
ମା" କିଛି କହିଲେନି। ହସିଦେଇ ପୁଅକୁ କାଳେଇ ପକାଇଲେ।
ଅବୁଝା ପୁଅର ମନ ଭାବନା ଭଉଁରୀରେ ବୁଡିଗଲା। ସଂସାରର ପ୍ରଲୋଭନ ଅଳୀକ, ତୁଚ୍ଛ ଲାଗିଲା। ସେ ଅଧୀର ହୋଇ ପିଲାଙ୍କ ଭଳି କାନ୍ଦିବାକୁ ଲାଗିଲେ। ମନର କେଉଁ ଅଜଣା କୋଳରେ ଛପି ରହିଥିବା ବୈରାଗ୍ୟ ଭାବ ଅ।ତ୍ମାକୁ ଆବୋରି ବସିଲା। ହୃଦୟ ବିଗଳିତ ହେବାକୁ ଲାଗିଲା। ବିବାହ କରିବାକୁ ଯାଉଥିବା ବରବେଶୀ ଯୁବକ ତଳେ ବସିପଡି ଧ୍ୟାନ ମୁଦ୍ରାରେ ତଲ୍ଲୀନ ହୋଇଗଲେ। ସମସ୍ତେ ନିର୍ବାକ। କାହାରି ମୁହଁରେ ଭାଷା ନ ଥାଏ। ହଠାତ୍ ଏକ ଅଲୌକିକ ଘଟଣା ଘଟିଲା। ଏକ ଧୁମ କୁଣ୍ଡଳି ଯୁବକଙ୍କ ଦେହକୁ ଚାରିପଟୁ ବେଢିଗଲା। ତାଙ୍କ ବୈରାଗୀ ଅ।ତ୍ମାର ଜ୍ୟୋତି ବିଛୁରିତ ହୋଇପଡିଲା। ଧୀରେ ଧୀରେ ତାଙ୍କ ରକ୍ତ ମାଂସର ଦେହ ନିଷ୍ପ୍ରାଣ ପଥର ପାଲଟିଗଲା !
ଏଭଳି ବିସ୍ମୟକର ଘଟଣାର ଖବର ବିଜୁଳି ବେଗରେ ଚାରିଆଡେ ଖେଳିଗଲା। ଦେହମଙ୍ଗୁଳା ସାରି ବରକୁ ଅପେକ୍ଷା କରି ବସିଥିବା କନ୍ୟା କାନ୍ଦିକାନ୍ଦି ନିଜ ମା' କୋଳରେ ଟଳି ପଡିଲା। ତାଙ୍କ 'ଆତ୍ମା' ଗୋଟିଏ ପକ୍ଷୀ ରୂପ ନେଇ " ହଟହଟା କଲା" କହି ଆକାଶକୁ ଉଡି ଚାଲିଗଲା।
ମଙ୍ଗୁଳା ବରକନ୍ୟାଙ୍କ ଜୀବନର ଏହି ଦୁଃଖଦ କାହାଣୀ ସେଦିନୁ ଲୋକକଥା ହୋଇ ରହି ଅ।ସିଛି। ମଙ୍ଗୁଳା କନ୍ୟା ପକ୍ଷୀ ହୋଇ ଉଡିଯିବା ପରେ 'ହଟ-ଟେଁ-ଟେଁ ଧ୍ବନିରେ ରାବି " ମୋତେ ହଟହଟା କଲା" କହି କାନ୍ଦି କାନ୍ଦି ସମସ୍ତଙ୍କୁ ଦୁଃଖ ଶୁଣାଇ ଅ।ସୁଛି। ପଥର ପାଲଟି ଯାଇଥିବା ସେହି ଦିବ୍ୟ ଯୁବକଙ୍କ ମୂର୍ତ୍ତିକୁ ଲୋକେ ଠାକୁର ଭାବେ ପୂଜା କରୁଛନ୍ତି।
ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟସ୍ତ ପରିବେଶ ଯୋଗୁ ଆଜିକାଲି ଅନେକ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁନାହାନ୍ତି। କେତେକ ପ୍ରଜାତି ବିଲୁପ୍ତ କିମ୍ବା ବିରଳ ପ୍ରାୟ। ହଟ ଟେ ଟେଇଁ ଏକ ବିରଳ ପ୍ରଜାତିର ଦେଶୀ ଚଢେଇ। ରାତିକାଳରେ ନଈପଠା ଉପରେ ଉଚ୍ଚସ୍ବରରେ ରାବି ଉଡିଯିବା ବେଳେ ନିଃସ୍ତବ୍ଧ ବନଭୂମିର ନୀରବତା ଭାଂଗି ସେ କରୁଣ ଧ୍ବନି ବୁଣି ପଡିଥାଏ।
ଭୂପୃଷ୍ଠସ୍ଥିତ ଜୀବଜଗତ ମଧ୍ୟରେ ପକ୍ଷୀମାନେ ବଡ ବିସ୍ମୟ। ସେମାନେ ମଣିଷଙ୍କୁ ଆକାଶରେ ଉଡିବା ସ୍ବପ୍ନ ଦେଖାଇଛନ୍ତି। କେତେକ ପକ୍ଷୀ ଚତୁର ଓ ବୁଦ୍ଧିମାନ। ସୁନ୍ଦର ପଣରେ କେହି ସରି ହେବେନି। ହଳଦୀବସନ୍ତ, ମାଛରଙ୍କା ଓ ମୟୂର ଭଳି ଅନେକ ରଂଗିନ ପକ୍ଷୀ ଅଛନ୍ତି। କେତେକ ପକ୍ଷୀ ଗଛ ଡାଳରେ କେତେକ ବସା ବାନ୍ଧି ରହୁଥିବା ବେଳେ ଆଉ କେହି ଅ।ଦୌ ବସା ଗଢନ୍ତିନି। ବାଇ ଚଢେଇ ଭଳି କାରିଗରୀ ପକ୍ଷୀଙ୍କ ବସା ତାଳ, ଖଜୁରୀ ଗଛରେ ଝୁଲିବା ଦୃଶ୍ୟ ସମସ୍ତଙ୍କୁ ମୁଗ୍ଧ କରେ। ଭ୍ରାମ୍ୟମାଣ ପ୍ରଜାତିର ପକ୍ଷୀ କୌଣସି ସ୍ଥାନରେ ନ ଅଟକି ଚାରିଆଡେ ଘୂରି ବୁଲନ୍ତି ।
ତଥ୍ୟ ଅନୁଯାୟୀ ସାରା ବିଶ୍ବରେ ପ୍ରାୟ ୧୮୦୦ ପ୍ରଜାତିର ପକ୍ଷୀ ରହିଛନ୍ତି। ଭାରତରେ ୧୩୪୯ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳନ୍ତି। ମୁକ୍ତ ଆକାଶରେ ଡେଣା ଝାଡି ଉଡିଯିବା ଯିବା ବେଳେ ଚଢେଇଙ୍କ ଗୀତ ଶୁଣିଲେ କାହା ମନରେ ଖୁସି ଭରି ନ ଯାଏ !! "ସଂଗବାର୍ଡ"ଙ୍କ ଗୀତ ସହ ଅନେକ ପରିଚିତ। ପରିବେଶକୁ ନିର୍ମଳ ଓ ସୁନ୍ଦର ରଖୁଥିବା ଚଢେଇଙ୍କ ପେଟ ପୁରିଗଲେ, ଚିନ୍ତାମୁକ୍ତ ବା ଖୁସି ଥିଲେ ସେମାନେ ଗୀତ ଗାଇଥାନ୍ତି ବୋଲି ବିଶେଷଜ୍ଞମାନେ କହନ୍ତି। ମିଳନ ୠତୁରେ ସାଥୀକୁ ଆକୃଷ୍ଟ କରିବାକୁ ମଧ୍ୟ ଗୀତ ଗାଆନ୍ତି ବୋଲି ବୈଜ୍ଞାନିକ ଓ ବିଶେଷଜ୍ଞ ମତ ଦିଅନ୍ତି। ମନର ଦୁଃଖ ଭୁଲିବାକୁ କୌଣସି ପକ୍ଷୀ ଗୀତ ଗାଇ କାନ୍ଦିବା କଥାକୁ କେହି ସହଜରେ ବିଶ୍ବାସ କରିବେ ନାହିଁ। କିମ୍ବଦନ୍ତୀ ଓ ଜନଶ୍ରୁତିରେ ହଟ-ଟେଁ-ଟେଁ ଓ କପୋତ ଭଳି ଚଢେଇଙ୍କ କାନ୍ଦ କଥା ଉଲ୍ଲେଖ ରହିଛି। ଝିଅପୁଅଙ୍କୁ ଧାନ କୁଟିବାକୁ ପଠାଇ ସନ୍ଦେହରେ ମରଣ ମୁହଁକୁ ଠେଲି ଦେବା ପରଠାରୁ କପୋତ ମା' ସେମିତି ଗଛ ଡାଳରେ ବସି ବାହୁନି ବାହୁନି କାନ୍ଦୁଛି !
ହଟ-ଟେଁ-ଟେଁ ଓ କପୋତ ଭଳି ଡାହୁକ, ମୟୂର, କୁଅ।, କୋଇଲି ଓ ପେଚାଙ୍କ ଭଳି ପକ୍ଷୀ ଅଧିକ ଉଚ୍ଚସ୍ବରରେ ରାବିଥାନ୍ତି। ପକ୍ଷୀ ସଂଖ୍ୟା ବିରଳ ହେବାରୁ ଏମାନଙ୍କ ରାବ ଅ।ଉ ଆଗଭଳି ଶୁଣିବାକୁ ମିଳୁନି। ନଈ ପଠା ଓ ଅ।ଖପାଖ ଗାଁ ଗଣ୍ଡାରେ ଲୋକେ ରାତିବେଳା କାଁ ଭାଁ ହଟ-ଟେଁ-ଟେଁ ଚଢେଇର ରାବ ଶୁଣିବାକୁ ପାଉଥିବା କୁହନ୍ତି।
ଅ।ଗରୁ ଗାଁ ଗଣ୍ଡାରେ ସଞ୍ଜ ଓ ସକାଳେ ପକ୍ଷୀଙ୍କ କଳରବରେ ପରିବେଶ ଉଛୁଳି ଉଠୁଥିଲା। ଅ।ହର ସଂଗ୍ରହ କରି ସେମାନେ ସଂଧ୍ୟାରେ ବସାକୁ ଫରି ଅ।ସୁଥିଲେ। ଅ।ଗରୁ ଗାଁଗଣ୍ଡା ମୁହଁକୁ ଛୁଉଁଥିଲା ଜଙ୍ଗଲ। ଏବେ ନା ଗଛ ଅଛି ନା ଅଛନ୍ତି ଚଢେଇ। କୁଅ। କୋଇଲି, ଘର ଚଟେୟା ଭଳି ଅନେକ ଦେଶୀ ପ୍ରଜାତିର ପକ୍ଷୀ ବିରଳପ୍ରାୟ। ସହରର ସ୍ଥିତି ବେଶି ଖରାପ। ଘର ଅଗଣା ବା ବାଲକୋନୀରେ କେବେକେବେ ବାରବୁଲା ରଂଗିନ ବାରମାସୀ ଚଢେଇ ମୁହଁ ଦେଖାଇ ଉଡିଯାଉଛନ୍ତି।
ବିଭିନ୍ନ ପଶୁପକ୍ଷୀଙ୍କୁ ନେଇ ଅ।ମ ସମାଜରେ ଥିବା ଅନେକ ସୁନ୍ଦର, ରୋଚକ ଲୋକକଥା ଦିନକୁ ଦିନ ହଜିଯିବାକୁ ବସିଲାଣି !!
ଭଦ୍ରକ ସହରଠାରୁ ପ୍ରାୟ ୨୦ କି.ମି. ଦୂର କାଉପୁର ଗାଁ ସନ୍ନିକଟ ସାଳନ୍ଦୀ ନଦୀ ପଠାରେ ରହିଛି ବିରଞ୍ଚି ନାରାୟଣଙ୍କ ମନ୍ଦିର। ପ୍ରାଚୀନ ଶୈଳୀରେ ନିର୍ମିତ ଏହି ମନ୍ଦିର ବେଢାରେ ଅଧା କାନ୍ଥଘେରା ଛୋଟ ମନ୍ଦିରରେ ହାତ ଆଞ୍ଜୁଳାରେ ନଡିଆ, ଖିଲିକାତି ଧରି ଧ୍ୟାନ ମୁଦ୍ରାରେ ବସିଥିବା ଏକ ପ୍ରସ୍ତର ମୂର୍ତ୍ତି ରହିଛି, ଯାହାଙ୍କୁ ଲୋକେ ସେହି ବରବେଶୀ ବୈରାଗୀ ଦିବ୍ୟ ପୁରୁଷଙ୍କ ବିଗ୍ରହ ବୋଲି କୁହନ୍ତି ।
ବିରଞ୍ଚି ନାରାୟଣଙ୍କ ମନ୍ଦିର ନିକଟରେ ପ୍ରବାହିତ ସାଳନ୍ଦୀ ନଦୀ ଶଯ୍ୟାରେ ତ୍ରେତୟା ଯୁଗର କିମ୍ବଦନ୍ତୀ ଜଡିତ ପ୍ରସିଦ୍ଧ "ଦେବର କୁଣ୍ଡ" ରହିଛି। ମାତା ସୀତାଙ୍କ ସ୍ନାନ ଲାଗି ଦେବର ଲକ୍ଷ୍ମଣ ଶୁଖିଲା ନଦୀର ପଥର ଶଯ୍ୟାକୁ ତୀର ନିକ୍ଷେପ କରି ଜଳକୁଣ୍ଡ ସୃଷ୍ଟି କରିଥିଲେ। ପ୍ରତିବର୍ଷ ଭୌମ ଏକାଦଶୀ ତିଥିରେ ଭକ୍ତମାନେ ସେ କୁଣ୍ଡରେ ସ୍ନାନ କରି ବିରଞ୍ଚି ନାରାୟଣଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଭୌମ ଏକାଦଶୀରୁ କିଛିଦିନ ବଡ ମେଳା ବସେ। ଛାତ୍ର ଜୀବନରେ ମେଳାରେ ବିକ୍ରି ହେଉଥିବା ବିଭିନ୍ନ ଗୀତିକା ବା ଚଟିବହି ଦେଖି ସେଭଳି ବହି ଛାପି ବିକିବାକୁ ଭାବିଥିଲି । ତଦନୁଯାୟୀ " ଦେବର କୁଣ୍ଡ " କିମ୍ବଦନ୍ତୀ ଓ ହଟ ଟେଁ ଟେଇ ଚଢେଇର ଜନଶ୍ରୁତିକୁ ନେଇ ଏକ ଗୀତିକା ପ୍ରସ୍ତୁତ କରିଥିଲି, ଯାହାର ପାଣ୍ଡୁଲିପିକୁ ଏଯାଏ ସାଇତି ରଖିଛି। ବୋଧେ ଏହି ଲେଖା ଥିଲା ମୋ ସାରସ୍ବତ ସୃଜନର ପହିଲି ପୁଲକ।
*******
