Maheswar sahoo

Tragedy

2.6  

Maheswar sahoo

Tragedy

ଚାକିରିଆ ପୁଅ ମୋର

ଚାକିରିଆ ପୁଅ ମୋର

16 mins
1.0K


ପବିତ୍ର ମନରେ ତୁଳସୀ ଚଉରା ପାଖରେ ବସି କାନ୍ଧୁଛନ୍ତି ଗୌରୀ । ଅନ୍ତରର କୋହ ଆନ୍ଦୋଳିତ ଓ ଉନ୍ମାଦିତ କରୁଅଛନ୍ତି ସନ୍ତାନଟିଏ ର କାମନା ପାଇଁ । ସନ୍ତାନଟିଏ ପାଇଁ କେତେ ପୂଜା କେତେ ମାନସିକ କରିଆସୁଛନ୍ତି ଗୌରୀ । ବିବାହର ଦଶ ବର୍ଷ ପରେବି ସନ୍ତାନ ସନ୍ତତି ହୋଇ ନ ଥିବାରୁ ଲୋକ ମାନଙ୍କର ଟାହି ଟପୁରା ଶୁଣି ଶୁଣି ଗୌରୀ ନିଜର ଜୀବନ ନିର୍ବାହ କରିଆସୁଛନ୍ତି । ସ୍ୱାମୀ ପରେସ ବାବୁ କିନ୍ତୁ ଅଲଗା ପ୍ରକାରର ଲୋକ । ଧର୍ଯ୍ୟ ସହିତ ଉଦାରତା ଗୁଣରେ ପରିପୂର୍ଣ୍ଣ ଅଟନ୍ତି ପରେସ ବାବୁ । ଗୌରୀକୁ ସାନ୍ତ୍ୱନା ଦିଅନ୍ତି ଓ କୁହନ୍ତି, " ଗୁରୁ, କନ୍ୟା ଓ ସନ୍ତାନ ପରା ଭାଗ୍ୟରୁ ପରାପତ ହୋଇଥାଏ । ଆମ ଭାଗ୍ୟରେ କଣ ଅଛି ସେଇଟା ଈଶ୍ୱର ବିଚାର କରିବେ । ହେଲେ ଆମକୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ ଗୌରୀ "। 


  ହାସ୍ୟମୟୀ, ଲାସ୍ୟମୟୀ, ସ୍ନେହୀ ଓ ମମତାମୟୀ ଗୌରୀ କିନ୍ତୁ ଅବୁଝା ଅକୁହା କୋହକୁ ନିଜ ହୃଦୟରେ ଚାପିଧରି ମୁଣ୍ଡ ହଲେଇ କୁହନ୍ତି " ହଁ, ଆମ ଭାଗ୍ୟ, ଯାହା ହେବାରଥିବ ତାହା ଆମକୁ ମିଳିବ । ସେଇ ପରମ ଦୟାଳୁ, ସର୍ବବିଦ୍ୟମାନ, ସର୍ବଜ୍ଞ, ଚକ୍ରଧରଙ୍କ ଲୀଳା କାହାକୁ ଅଗୋଚର । ଏଠି କିଏ ଦାମୀ ପୋଷାକ ପିନ୍ଧେ ତ କିଏ ଛିଣ୍ଡା ଦଦରାକୁ ଗୋଟେଇ ଧରି ନିଜର ଲଜ୍ୟା ନିବାରଣ କରିଥାଏ । କିଏ ଦାମୀ ଗାଡି ଚଲାଏ ତ କିଏ ସାଇକେଲଟିଏ ପାଇଁ ଅକ୍ଷମ । କିଏ ଝୋପଡି ଘରେ ରୁହେ ତ କିଏ ଦଶ ମହଲା କୋଠା ଘରେ ଶାନ୍ତିରେ ଜୀବନ ନିର୍ବାହ କରିଥାଏ । ସେଇ ପରଂବ୍ରହ୍ମ ଜଗନ୍ନାଥଙ୍କର ଲୀଳା ଓ ମହିମା କିଏ ବା କହିପାରିବ । ଆମ ଭାଗ୍ୟରେ ସନ୍ତାନ ନ ଥିଲେ ଆମେ କଣ ଯେ କରି ପାରିବା । ମୁଁ ତ ଦିନ ରାତି ତାଙ୍କରି ପାଦତଳେ ନିଜକୁ ଅର୍ପଣ କରିଛନ୍ତି । ଯାହା ଆମ ଭାଗ୍ୟରେ ଥିବ ନିଶ୍ଚୟ ଘଟିବ । 

   ଗୋଧୂଳିର ସମୟ ପ୍ରବାହିତ ହୋଇ ଘଣ୍ଟ ଘଣ୍ଟାରେ ଓ ଶଙ୍ଖ ନାଦରେ ଉତ୍ଫୁଳିତ ହୋଇ ଉଠିଛି ଜନବସତୀ । ଚତୁରପାର୍ଶ୍ୱରେ ଶାନ୍ତିର ବାତାବରଣ । ସନ୍ଧ୍ୟାର ଆରତୀ ଓ ସନ୍ଧ୍ୟା ବତୀ ଅର୍ପଣ କରି ଗୌରୀଦେବୀ ଘର କାମରେ ଧ୍ୟାନ ଦେବାକୁ ଅଗ୍ରସର ହେଉଛନ୍ତି । ଠିକ ଏହି ସମୟରେ ଗଉରିଦେବୀଙ୍କର ଘନ ଘନ ବାନ୍ତି ହେବା ଆରମ୍ଭ ହୋଇ ଯାଇଥିଲା । ବେହୋସ ହୋଇ ଯାଇଥିଲେ ଗଉରିଦେବୀ । ପରେସବାବୁ ଡାକ୍ତର ଡକେଇ ଚିକିତ୍ସା କରେଇଥିଲେ । ଡାକ୍ତର ସମସ୍ତ ପରୀକ୍ଷା କରି କହିଲେ ପରେସବାବୁ ଆପଣ ବାପା ହେବାକୁ ଯାଉଛନ୍ତି !!!

ପରେସବାବୁ ପାଗଳ ହୋଇ ଯାଇଥିଲେ ଖୁସିରେ । କଣ କରିବେ ଓ ନିଜର ଖୁସିକୁ କିପରି ବାଣ୍ଟିବେ ନିଜେ ବି ଭାବି ପାରୁନଥିଲେ ପରେସ ବାବୁ । ନାଚିବେ ନା ଗାଇବେ ନା ନିଜର ସାଙ୍ଗ ମାନଙ୍କୁ ଫୋନ କରି ଖୁସି ଖବର ଜଣେଇବେ ଭାବି ପାରୁନଥିଲେ । ଅତୀବ ଖୁସିରେ ଧର୍ଯ୍ୟ ହରା ହୋଇଯାଇଥିଲେ ପରେସ ବାବୁ । ଗ୍ରୀଷ୍ମ ଋତୁର ଫଟା ମାଟି ଓ ଶୁଷ୍କ ତରୁ ଲତା ଯେମିତି ବର୍ଷା ପାଇଁ ଆକାଂକ୍ଷାୟିତ ହୋଇଥାନ୍ତି ଏବଂ ବର୍ଷାର ଜଳଧାରା ପାଇ ନିଜର ଆତ୍ମତୃପ୍ତି କରିଥାନ୍ତି ସେମିତି ପରେସ ବାବୁ ନିଜକୁ ସମ୍ଭାଳି ପାରିନଥିଲେ । ଖୁସିରେ ପାଗଳ ହୋଇ ନିଜର ହୃଦୟକୁ ଉନ୍ମାଦିତ କରିଥିଲେ ପରେସ ବାବୁ । ଅଦିନିଆ ବଉଦ ଉଜାଡ଼ି ଦେଇଥିଲା ହୃଦୟରେ ତାଙ୍କର ଅନେକ ଖୁସିର ବର୍ଷା । ବିଭୋର ହୋଇଥିଲେ ଉନ୍ମାଦିତ ହୋଇ ଯାଇଥିଲେ ବାପାହେବାର ଖୁସିରେ । ହେ ଭାଗବାନ ସତରେ ତମେ ଆମଦୁଇଜଣଙ୍କ ଡାକ ଶୁଣି ପାରିଲ ପ୍ରଭୁ ! ମୁଁ ତ ଭାବୁଥିଲି ତମେ କଠୋର, ପଥର, ହୃଦୟହୀନ, ହେଲେ ଆଜି ଭାବୁଛି ପ୍ରଭୁ ତୁମେ ଦୟାର ଅବତାର, ତୁମେ ଅନ୍ତର୍ଯ୍ୟାମୀ, ତୁମେ ନାରାୟଣ, ତୁମେ ଅନ୍ତରର ଡାକ ଶୁଣିପାର, ତୁମେ ମଣିଷର କର୍ମ ଓ ଧର୍ମ ଅନୁସାରେ ଫଳ ପ୍ରାପ୍ତି କରାଇଥାଅ । 

   "ଗୌରୀଦେବୀ ଆଜି ପରେସ ବାବୁଙ୍କ ପରିବାରରେ ରାଣୀର ସିଂହାସନରେ । ପରିବାରର ସମସ୍ତ ସଦସ୍ୟ ଆଜି ଗୌରୀଦେବୀଙ୍କୁ ଅନେକ ଅନେକ ସାନ୍ତ୍ୱନା, ଶାନ୍ତି, ଆସକ୍ତି ଦେଉଥାନ୍ତି । କୌଣସି କାମରେ ଗୌରୀ ଦେବୀଙ୍କୁ ହାତ ଲଗେଇବାକୁ ମନା । ସମସ୍ତ ଖୁସି ଓ ପ୍ରଶାନ୍ତି ମଧ୍ୟରେ ଗୌରୀ ଦେବୀଙ୍କୁ ଦେବୀର ସ୍ଥାନ ଦିଆଯାଇଛି । ଗୌରୀ ଦେବୀ ସକାଳର ନମ୍ର କିରଣ ଠାରୁ ରାତ୍ରିର କୋମଳତା ମଧ୍ୟରେ ରାଣୀ ସୁଖରେ ଧ୍ୟାନ ଚର୍ଚା ମଧ୍ୟରେ ଦିନ ଅତିବାହିତ କରୁଥାନ୍ତି । ଟିକେବି ଶରୀର ସମସ୍ୟାରେ ଧାଇଁ ଯାଆନ୍ତି ପରେସ ବାବୁ ଡାକ୍ତର ବାବୁଙ୍କ ପାଖକୁ । ସମୟର ବଢ଼ତ୍ତରୀ ମଧ୍ୟରେ ଗୌରୀ ଦେବୀଙ୍କର ଗର୍ଭ ବେଦନା ବଢି ବଢି ଚାଲିଥାଏ । ଚାଁହୁ ଚାଁହୁ ଗୌରୀଦେବୀଙ୍କର ପ୍ରସବ ବେଦନା ଉପନୀତ ହେଲା । ପରିବାରରେ ସମସ୍ତଙ୍କ ମନ, ମୁନ ଓ ଚୈତନ୍ୟ ଗୌରୀ ଦେବୀଙ୍କ ଉପରେ । ଶାଶୁ ଶଶୁର ଠାରୁ ଦିଅର ଓ ନଣନ୍ଦ ସମସ୍ତେ ଗୌରୀ ଦେବୀଙ୍କ ଚର୍ଚ୍ଚାରେ । ଡାକ୍ତର ପ୍ରତ୍ୟକ ସପ୍ତାହ ଆସି ଚିକିତ୍ସା କରି ଯାଉଥାନ୍ତି । ସମସ୍ତେ କହୁଥାନ୍ତି ଗୌରୀ ଦେବୀଙ୍କର ଗୋଟିଏ ପୁଅ ହେବ । କାରଣ ଗାଁ ଓ ପଡ଼ିଶାର ସ୍ତ୍ରୀ ଲୋକ ମାନେ କୌଣସି ଗର୍ଭବତୀଙ୍କର ଚାଲି, ଠାଣି, ଓ ଶରୀରକୁ ଲକ୍ଷ୍ୟ କରି ସେମାନେ ଅନ୍ଦାଜ ଲଗେଇ କୁହନ୍ତି ପୁଅ ହେବକି ଝିଅ । ଘଟଣା କ୍ରମରେ ଗୌରୀ ଦେବୀଙ୍କର ପ୍ରସବ ବେଦନା ବଢି ଚାଲିଲା । ଡାକ୍ତରଖାନାକୁ ନିଆଯାଇଥିଲା ଆମ୍ବୁଲାନ୍ସ ଯୋଗେ । ସେଠାରେ କିଛି ସମୟ ମରଣାତ୍ମକ ପ୍ରସବ ବେଦନାର ଅନ୍ତରେ ଗୌରୀ ଦେବୀଙ୍କର ଗୋଟେ ପୁଅ ହୋଇଥିଲା । ଦଉଲ ଡାଉଲ ଓ ଗୁଲୁ ଗୁଲିଆ କୋମଳମତି ଶିଶୁକୁ ପାଇ ଗୌରୀ ଦେବୀ ଓ ପରେସ ବାବୁ ଖୁସି କହିଲେ ନ ସରେ । କେତେ ମିଠା ପଣା ସହିତ ସଠିଘର ପୁଜା ଓ ଏକୁସିଆ ପୂଜା, ରୀତି ଓ ପରମ୍ପରାରେ ସମାପ୍ତ କରା ଯାଇଥିଲା । ଦୁଃଖୀ, ରଙ୍କି, ହୀନ, ଦରିଦ୍ର ଓ ଗରିବ ଭୋଜନର ଆୟୋଜନ କରିଥିଲେ ପରେସ ବାବୁ । ସମସ୍ତ ଅତିଥି, ଆଗନ୍ତୁକ ଓ ଗୁରୁଜନ ମାନେ ଆଶୀର୍ବାଦ ଅର୍ପଣ କରିଥିଲେ । 

    ଜନ୍ମର ଏକୋଇଶ ଦିନ ଠାରୁ ପୁଅର ନାମ କରଣ ସହିତ ଭବିଷ୍ୟତ ଆଲୋଚନା କରିଥିଲେ ନାମୀ ଦାମୀ ଜ୍ୟୋତିର୍ବିଦ । ନାମ ରଖାଯାଇଥିଲା ମହେଶ । ରାଶି କ୍ରମରେ ତୁମ ପୁଅ ଜଣେ ପ୍ରସିଦ୍ଧ ଡାକ୍ତର ହେବ ବୋଲି କହିଥିଲେ ଜ୍ୟୋତିର୍ବିଦ । ପୁଅ ବଢିଚାଲିଲା । ମହେଶ'ର କୌଣସି ଅଭାବ ରଖିନଥାନ୍ତି ପରେସ ବାବୁ । ଟିକେ ବି କାନ୍ଧିବାକୁ ଦିଅନ୍ତି ନାହିଁ ପରେସ ବାବୁ ଓ ଗୌରୀ ଦେବୀ । ଥରେ ଥରେ ପରେସ ବାବୁ କୋଳରେ ଧରି ପୁଅ ମହେଶକୁ ଖାଉଥିବା ବେଳେ ପୁଅ ମହେଶ ସୁସୁ କରିଦିଏ ଖାଇବା ଥାଳରେ । ପରେସ ବାବୁ ମୋ ପୁଅ ସୁସୁ କରିଛି କହି ଖାଇଦିଅନ୍ତି । ଦିନେ ପରେସ ବାବୁ କୌଣସି ଜରୁରୀ କାମରେ ବାହାରକୁ ବାହାରି ଥାନ୍ତି । ଖାଇବାକୁ ପରସି ଦେଇଥାନ୍ତି ଗୌରୀ ଦେବୀ । ଖାଇବା ସମୟରେ ମହେଶ କାନ୍ଧି ବାରେ ଲାଗିଲା । ପରେସ ବାବୁ କହିଲେ ,"ଗୌରୀ ଆଣିଲ ପୁଅକୁ "।

ଗୌରୀ ଦେବୀ," ତମର ବିଳମ୍ବ ହେଉଛି କହୁଥିଲ ପରା" ।

ପରେସ ବାବୁ, " ହେଲେ ହେଉ ମ, ମୋ ପୁଅକୁ ଟିକେ ଧରିକି ଯିବି, ଆଣ ନା ଟିକେ" ।

ଗୌରୀ ଦେବୀ," ତମେ ଜାଣିଛ ପିଲା କାହିଁକି କାନ୍ଧନ୍ତି "।

ପରେସ ବାବୁ," ହଁ, ମୁଁ ଜାଣିନି ! ବାପା ଯେତେବେଳେ କୌଣସି ଜରୁରୀ କାମରେ ବାହାରକୁ ଯାଆନ୍ତି ସେତେବେଳେ ପିଲା କାନ୍ଧନ୍ତି"।

ଗୌରୀ ଦେବୀ, " ହଉ ତା ହେଲେ ତମେ ଧର ପରେ ମୋତେ କହିବନି"।

ପରେସ ବାବୁ, " ହଉ ଦିଅ "।


  ପରେସ ବାବୁ ଏତକ କହି ପୁଅକୁ ନେଇ କୋଳରେ ବସେଇ ଦେଲେ । ଠିକ ଏହି ସମରେ ପୁଅ ମହେଶ ଛାଡି ଦେଇଥିଲା ଝାଡା । ଖାଇବା ଥାଳରେ ଝାଡା କରିଦେଇ ମହେଶ ଜୁଳୁ ଜୁଳୁ କରି ଅନେଇଥାଏ ପରେସ ବାବୁଙ୍କ ମୁଁହ କୁ । ତାର ଗୁଲୁଗୁଲିଆ ଆଉ ନରମ ଓଠ, ଓ ନୀରିହ ଆଖିକୁ ଦେଖି ପରେସ ବାବୁ କହିଲେ ମୋ ପୁଅର ଆଶୀର୍ବାଦ ମ ! ଅଢେ଼ଇ ଦେଇ ଖାଇ ଯାଇଥିଲେ ଭାତ ଡାଲି ଓ ତରକାରୀ । ସ୍ନେହ ପ୍ରେମ ଓ ବାତ୍ସଲ୍ୟ ମମତାର ବନ୍ଧନରେ ବନ୍ଧା ହୋଇ ଯାଇଥିଲା ମହେଶ । ବଢି ବଢି ଚାଲିଥିଲା । ବହୁତ ଶାନ୍ତ ସରଳ ମନ ନେଇ ବଢୁଥାଏ ରାଜକୁମାର ଭଳି । କୌଣସି ଦରବର ଅଭାବ ରଖି ନଥାନ୍ତି ପରେସ ବାବୁ । ପୁଅର ସମସ୍ତ ଇଛା ଓ ଆବେଗ କୁ ବୁଝି ପାରୁଥାନ୍ତି ପରେସ ବାବୁ । ମନ୍ଦିର ଓ ଉଦ୍ୟାନକୁ ବୁଲେଇ ନିୟନ୍ତି ଗୌରୀ ଦେବୀ ଓ ପରେସ ବାବୁ ପୁଅ ମହେଶକୁ । ଯାହା ଖାଇବ ଓ ଯେଉଁ ଠାକୁ ଯିବ ବୁଲେଇ ନିୟନ୍ତି ପାଖେ ପାଖେ ରହି । ଟିକେ ପଡିଗଲେ କି ଶରୀରରେ କ୍ଷତ ହୋଇଗଲେ ରାତି ରାତି କାନ୍ଧି ଥାନ୍ତି ଦୁଇଜଣ । ମହେଶର ନାମ ଲେଖା ଯାଇଥିଲା ସହରର ନାମୀ ଦାମୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ । ଯାହା ପଢ଼ିଦେଲେ ମନେ ରହିଯାଏ ମହେଶର । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ମହେଶ ର ଧିଶକ୍ତି ଓ ଜ୍ଞାନର ବିକାଶ ହୋଇ ଉଠିଲା । ସବୁ ଶ୍ରେଣୀରେ ଶହେରୁ ଶହେ । ବିଦ୍ୟାଳୟରେ ସମସ୍ତ ସ୍ଥରର ପୁରସ୍କାର ଓ ଛାତ୍ରବୃତ୍ତି ଆଦି ପାଇ ମହେଶ ଉତ୍ତୀର୍ଣ ହୋଇ ଚାଲିଲା । ପରେସ ବାବୁଙ୍କର ପାଦ ମାଟିରେ ପଡୁ ନ ଥାଏ । ପୁଅ ଦଶମ ଶ୍ରେଣୀରେ ଓଡ଼ିଶାରେ ପ୍ରଥମ ସ୍ଥାନ ପାଇ ଭଲ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ନାମ ଲେଖାଇ ପଢି ଚାଲିଲା । ଏମିତିରେ ବିଏସି ରେ ମଧ୍ୟ ଓଡ଼ିଶାର ପ୍ରଥମ ସ୍ଥାନ । ଏମବିବିଏସ ରେ ନାମ ଲିଖନ ହେଲା ଓ ମହେଶର ପ୍ରବଳ ଚେଷ୍ଟା ଓ ଉଦ୍ୟମ ବଳରେ ଏଥିରେ ମଧ୍ୟ ଓଡ଼ିଶାର ପ୍ରଥମ ସ୍ଥାନ । ସିଧା ସଳଖ ବାବୁ ପଦ ଯୋଡି ଯାଇଥିଲା ମହେଶ ସହିତ । ମାଆ ଗୌରୀଦେବୀ ଓ ବାପା ପରେସ ବାବୁ ଆଜି ସମସ୍ତ ଆନନ୍ଦ ଓ ଖୁସିକୁ ଅନ୍ତରରେ ଅନୁଭବ କରୁଥାନ୍ତି । ପୁଅ ମହେଶ ଓଡ଼ିଶାର ବଡ଼ ଡାକ୍ତରଖାନାରେ ଚାକରି ମଞ୍ଜୁରୀ ଖବର ପାଇ ପରିବାରରେ ସମସ୍ତଙ୍କ ମନ ଆନନ୍ଦରେ ବିହ୍ଵଳ ହୋଇ ଉଠିଲା । 

    ଘରକୁ ସୁଅ ଛୁଟି ଚାଲିଲା ବିବାହ ପ୍ରସ୍ଥାବ ପାଇଁ । ନାମୀ ଦାମୀ ଲୋକ ପ୍ରସ୍ଥାବ ନେଇ ପହଞ୍ଚୁ ଥାନ୍ତି ପରେସ ବାବୁଙ୍କର ପାଖକୁ । ପରେସ ବାବୁଙ୍କର ବିଳମ୍ବରେ ପୁଅ ଟିଏ ହୋଇଥିଲା ତେଣୁ ପରେସ ବାବୁ ଓ ଗୌରୀ ଦେବୀ ବୟସ୍କ ଓ ବୟସ୍କା ବୃଦ୍ଧ ଓ ବୃଦ୍ଧା ହୋଇ ଯାଇଥାନ୍ତି । ଆଜି ପୁଅ ମହେଶ ପାଇଁ ମିଳିଛି ସରକାରୀ ଘର ଓ ସେଇଠି ମଧ୍ୟ ରହିଛନ୍ତି ଗୌରୀ ଦେବୀ ଓ ପରେସ ବାବୁ । ପୁଅର ବାହାଘର ହେବ । ପରେସ ବାବୁ ପୁଅର ମତ ନେବାକୁ ଚାହିଁଲେ ହେଲେ ମହେଶ କହିଦେଲା ବାପା ମୁଁ ଲିଲି କୁ ଭଲ ପାଉଛି । ମୁଁ ମିଲି କୁ ବିବାହ କରିବାକୁ ଚାହେଁ ନ ହେଲେ ଲିଲି ଆତ୍ମହତ୍ୟା କରିଦେବ ବୋଲି କହୁଛି । ତମେ ତାଙ୍କ ବାପା ଓ ମାଆଙ୍କ ସହିତ କଥା ହୁଅ ।

   ପରେସ ବାବୁ ଲିଲି କିଏ ପଚାରିବାରୁ ମହେଶ କହିଲା ବାପା ମୁଁ ତାକୁ ତିନି ବର୍ଷ ଧରି ଭଲ ପାଉଛି । ସେ କଟକ ସହରର ଏମେଲଙ୍କର ଝିଅ । ସେ ବି ଜଣେ ଡାକ୍ତର । ପରେସ ବାବୁ ଚମକି ପଡିଲେ । ନାହିଁରେ ମହେଶ ସେମାନେ ରାଜନୀତିଆ ଲୋକ । ବଡଲୋକିଆ, ଆମକୁ ଖାତର କରିବେ ନାହିଁରେ । ମହେଶ କହିଲା ବାପା ସେମାନେ ମୋତେ ତିନି ବର୍ଷ ଧରି ଜାଣିଛନ୍ତି ଓ ସେମାନେ ମୋତେ ଜ୍ୱାଇଁ ବୋଲି ସ୍ୱୀକାର କରିସାରିଛନ୍ତି । ଆପଣ ଥରେ ଦେଖାକରନ୍ତୁନା ବାପା । ହଉ ଦେଖା କରିବି କହି ପରେସ ବାବୁ ଦ୍ଵନ୍ଦରେ ପଡି ଯାଇଥିଲେ । ରାଜନୀତିଆଙ୍କ ଦର୍ଶନ ମିଳିବା କଷ୍ଟ । ସେ କେଉଁଠି ଦେଖା ହେବେ ଓ ମୋ ସହିତ କେମିତି ବ୍ୟବହାର କରିବେ ଭାବି ଭାବି ରାତିରେ ନିଦ ହୋଇ ନଥିଲା ପରେସ ବାବୁଙ୍କର । ରାତି ପାହି ସକାଳ ହେଲା । ଗୌରୀ ଦେବୀ ମଧ୍ୟ ସେଇ କଥା କହୁଛନ୍ତି ତମେ ଟିକେ ଯାଇ ଦେଖା କରି ଆସ ମିଲିର ବାପକୁ । ସେମାନେ ରାଜି ଅଛନ୍ତି ପରା । ପରେସ ବାବୁଙ୍କର ଥାଏ ସ୍ୱାସ୍ ରୋଗ । ଥଣ୍ଡା ସମୟ ଯୋଗୁଁ ଅଧିକ ବଢିଯାଇଥାଏ ସ୍ୱାସ୍ । ତଥାପି ପରେସ ବାବୁ ଚାଲିଲେ ଲିଲିର ବାପାଙ୍କ ପାଖକୁ । 

   ସମୁଦି ସମୁଦି କହି କୁଣ୍ଢେଇ ପକେଇ ବହୁତ ଶ୍ରଦ୍ଧା ଓ ଚର୍ଚ୍ଚା କରିଥିଲେ ଏମେଲ ବାବୁ । ବିବାହ ପ୍ରସ୍ତାବ ସ୍ଥିର ହେଲା । ଦୁଇ ପରିବାର ମଧ୍ୟରେ ସମ୍ପର୍କ ଯୋଡିବା ସହିତ ବିବାହ ସମ୍ପୂର୍ଣ୍ଣ ହେଲା । ବିବାହ ସରିଯିବା ପରେ ପରେସ ବାବୁ ପୁଅ ଓ ବୋହୁଙ୍କ ସହିତ ସରକାରୀ ଘର କଟକ ପଳେଇ ଯାଇଥିଲେ । କାରଣ ଗାଁ ରେ ପୁଅ ପଢିବା ପାଇଁ ସମସ୍ତ ଜମି ବିକ୍ରି କରିଦେଇଥିଲେ ପରେସ ବାବୁ । ଘର ତଳି ଛଡା କିଛି ନ ଥାଏ ପାଖରେ ।

    ଜମି ଜୁମା ପୁଅ ପାରିଲା ପରେ କିଣି ପାରିବ କିନ୍ତୁ ଭଲ ପଢ଼ୁଥିବା ପୁଅକୁ ପଢେଇ ମଣିଷ ପରି ମଣିଷଟିଏ କରିବା ବହୁତ କମ ଲୋକଙ୍କ ଭାଗ୍ୟରେ ଆସିଥାଏ । ଜମି ଜୁମା ଓ ଧନ ସମ୍ପଦ ହରେଇ ମଧ୍ୟ ପରେସ ବାବୁ ଖୁସି ଥିଲେ । ଗାଁ ଠାରୁ ସହରରେ କିଛି ଅଭାବ ନ ଥିଲା । ଏୟାର କଣ୍ଡିସନର ଘର । ରହିବା ଖାଇବା ଠାରୁ ସବୁ କିଛି ସରକାର ବହନ କରେ । ଅଭାବ କଣ ଯେ ! 

   ପରେସ ବାବୁ ଓ ଗୌରୀ ଦେବୀଙ୍କର କିଛି ଦିନ ପୁଅ ବୋହୁଙ୍କ ସାଥିରେ କଟି ଯାଇଥିଲା । ବହୁତ ସେବା ଓ ଶୁଶ୍ରୁଷା ସହିତ ଦିନ କଟୁଥାଏ ପରେସ ବାବୁ ଓ ଗୌରୀ ଦେବୀଙ୍କର । ପରେସ ବାବୁଙ୍କର ସ୍ୱାସ୍ ରୋଗ ବଢି ବଢି ଚାଲିଲା । ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲେ । ମହେଶ ମଧ୍ୟ ବହୁତ ଚେଷ୍ଟା କରୁଥାନ୍ତି ଔଷଧ ମଧ୍ୟମରେ । ଔଷଧ ଆଉ କାଟୁ କଲା ନାହିଁ । ଗୌରୀ ଦେବୀ ମେଞ୍ଚା ମେଞ୍ଚା ଛେପ ଓ ଖଙ୍କାର କାଢି ଫୋପାଡ଼ି ଦେଉଥାନ୍ତି । ଲିଲି ଆଜି କାଲି ବହୁତ ଘୃଣା କରୁଛି । ଯେତେବେଳେ ଘରକୁ ଫେରିବୁ ଖୁଁ ଖୁଁ .... ଔଷଧ ମଧ୍ୟ କାଟୁ କରୁନାହିଁ । ଚାକର ବାକର ଘୃଣାରେ ଘର ମାଟି ମାଡୁନାହାଁନ୍ତି । କେବଳ ଏକୁଟିଆ ଗୌରୀ ଦେବୀ ସେବା ଶୁଶ୍ରୁଷା ରେ ନ୍ୟସ୍ତ କରିଦେଇଥାଏ । ଟିକେ ବି ଘୃଣା ନ ଥାଏ । ହେଲେ ଆଜି ଭଗବାନ ଏତେ ନିଷ୍ଠୁର୍ କାହିଁକି ହୋଇ ଗଲେ କେ ଜାଣି । 

   ଲିଲି ଆଜି କଠୋର ପାଲଟି ଯାଇଛି । ବୟସର ଘାତ ପ୍ରତିଘାତରେ ପ୍ରତ୍ୟକ ମଣିଷ ଏମିତି ଦିନେ ନା ଦିନେ ହୋଇଥାନ୍ତି ଜାଣି ମଧ୍ୟ ଡାକ୍ତର ଲିଲି ଏତେ କଠୋର ହୋଇ ଯାଇଛି ଯେ ରାଗରେ ଥରେ ଥରେ କହିଦିଏ ଏତେ ଲୋକ ମରୁଛନ୍ତି ଡାକ୍ତର ଖାନାରେ ହେଲେ ୟେ ବୁଢ଼ାବୁଢ଼ୀ ଙ୍କୁ କଣ ଜମ ନେବନି । ଏମିତି ଘାଣ୍ଟୁଥିବେ ଆମକୁ । ସାଙ୍ଗ ସାଥି ମୋ ଘରକୁ ଆସିବା ବନ୍ଧ କରିଦେଲେଣି । ଚାକର ବାକର ରୋଗ ହେବ କହି କାମ ଛାଡି ପଳେଇ ଯାଉଛନ୍ତି । 

   ଆଜି ରବିବାର ମହେଶ ଓ ଲିଲିର ଛୁଟି ଅଛି । ଦୁହେଁ ଦୁହିଁଙ୍କ ଭିତରେ କଣ ଏମିତି କଥା ହେଲେ କେଜାଣି । ବହୁତ ଖୁସି ଓ ଶ୍ରଦ୍ଧା ରେ ଆସି ଗୌରୀ ଦେବୀ ଓ ପରେସ ବାବୁଙ୍କୁ କହିଲେ ବାପା ଓ ମାଆ ଆମର ଛୁଟି ଅଛି ଆଜି ଚାଲ ଟିକେ ମନ୍ଦିର ଆଉ ଉଦ୍ୟାନ ବୁଲିଆସିବା । ନଈ ବଢିରେ କୁଟା ବିଡାର ଆଶ୍ରା ଭଳି ବୃଦ୍ଧ ଓ ବୃଦ୍ଧାଙ୍କର ହୃଦୟକୁ ଟିକିଏ ସକୁନ ମିଳିଥିଲା । ରାଜି ହୋଇଥିଲେ ପୁଅ ବୋହୁଙ୍କ ସହ ବୁଲିଯିବାକୁ । ମନ୍ଦିର କି ଉଦ୍ୟାନ ନ ଯାଇ ପରେସ ସିଧା ପହଞ୍ଚି ଯାଇଥିଲା ବୃଦ୍ଧାଶ୍ରମରେ । ବାପା ମାଆ ଟିକେ ବିଶ୍ରାମ କର କହି ସେଇଠାରେ ଛାଡି ଦେଇ ନିଷ୍ଠୁର୍ ଓ ପଥର ହୃଦୟର ପୁଅ ମହେଶ ଓ ଲିଲି ପଳେଇ ଆସିଥିଲେ । 

   ପରେସ ବାବୁ ଅକ୍ଷମ ଅବସ୍ଥାରେ, ପୁଅ କୋଉ ମନ୍ଦିର ଆଣିଛି ଗୌରୀ ଏଠିତ କେବଳ ବୟସ୍କ ଓ ବୟସ୍କା ମାନଙ୍କର ଭିଡ ଓ କ୍ରନ୍ଦନ । ଗୌରୀ ଦେବୀ ଠିକ ବୁଝି ଯାଇଥିଲା । ବୁଝେଇ ଦେଇ କହିଲା ଏଇଟା ସେଇ ମନ୍ଦିର ଯେଉଁଠି ଡାକ୍ତର, ଇଞ୍ଜିନିୟର, ପୋଲିସ ଭଳି ସରକାରୀ ଚାକିରୀକରି ଚଳୁଥିବା ଓ ମୋଟା ଦରମା ସହିତ ଉପୁରୀ ପାଉଥିବା ପୁଅର ବାପା ଓ ମାଆଙ୍କ ପାଇଁ ମନ୍ଦିର । ଏଇଟା ସେଇ ଉଦ୍ୟାନ ଯେଉଁ ପୁଅକୁ ତାର ବାପା ଆଉ ମାଆ ଅତ୍ୟନ୍ତ ଭଲ ପାଇଥାନ୍ତି, ଅତ୍ୟନ୍ତ ସ୍ନେହ କରିଥାନ୍ତି, ଅତ୍ୟନ୍ତ ଭରସା ରଖିଥାନ୍ତି । ଜାଣିଛ ତମେ ପରା ବୁଢା ଆଉ ରୁଗୁଣା । ତମେ ପରା ଥରକରେ ଆଞ୍ଜୁଳାଏ ଛେପ ଖଙ୍କାର ବାହାର କରୁଛ । ସ୍ୱପ୍ନ ଦେଖିଥିବା ବାପା ପରା ତମେ । ବିବାହର ଦଶ ବର୍ଷ ପରେ ତମେ ପରା ବାପା ହୋଇଥିଲ । ମନା କରିବା ସତ୍ତ୍ୱେ ପୁଅର ପଢିବା ପାଇଁ ତମେ ମୋ ଗହଣା ଓ ଆମର ଥିବା ଦଶ ଏକର ଜମି ବିକିଦେଇଥିଲ । 

   ତମେ ପରା ସେଇ ବାପା ପୁଅର ସୁସୁ, ଖାଦ୍ୟରେ ମିଶି ଯାଇଥିଲେ ଅମୃତ ଓ ଆଶୀର୍ବାଦ କହି ଖାଇଦେଉଥିଲ । ତମେ ପରା ସେଇ ଡାକ୍ତର ପୁଅର ବାପା ଯିଏ ପୁଅର ପାଇଖାନାକୁ ଆଢେ଼ଇ ଦେଇ ଖାଇ ଦେଉଥିଲା । ତମେ ପରା ସେଇ ବାପା ଉଦ୍ୟାନ ଓ ମନ୍ଦିରରେ ପୁଅକୁ ଚଲେଇବାକୁ ଦିଅ ନାହିଁ । ତମେ ପରା ସେଇ ବାପା ଯିଏ ସବୁବେଳେ ପୁଅକୁ ଏମିତି ନଜରରେ ରଖିଥାଅ ଯେ କେହି ଡାହାଣୀ, ଚିରିକୁଣୀ, ଭୁତ, ପ୍ରେତ କି କାହାର ନଜର ନ ପଡ଼ୁ, ତେଣୁ ଘରୁ ବାହାରକୁ ଛାଡ଼ ନାହିଁ କି କେହି ଧରିବାକୁ ମାଗିଲେ ବି ଧରିବାକୁ ଦିଅନାହିଁ ।

    ପରେସ ବାବୁ କହିଲେ,"ୟେ କଣ ଗପି ଯାଉଛ ଗୌରୀ ! ସନ୍ଧ୍ୟା ହେଇ ଆସିଲାଣି ପୁଅ କେତେବେଳେ ଆସିବ କି ? ୟେ ବୁଢା ବୁଢ଼ୀ ସବୁ ଏଠି କଣ କରୁଛନ୍ତି !" ଠିକ ଏହି ସମୟରେ ଜଣେ ବୟସ୍କ ବ୍ୟକ୍ତି ଆସି କହିଲା କଣ ହେଇଛି ଭାଇ ? ଭଉଣୀ ୟେ ତମ ସ୍ବାମୀ କି?? ହଁ କହିଥିଲେ ଗୌରୀ ଦେବୀ । ଆଜି ନୂଆ ଆସିଛ ବୋଧେ । ଚାକିରିଆ ପୁଅ ବୋଧେ ତୁମମାନଙ୍କର । ତମ ପୁଅ କୋଉ ଚାକିରୀ କରିଛି ? ପ୍ରାୟ ଅଧିକ ଦରମା ସହିତ ପ୍ରାଇଭେଟ ଉପୁରୀ କରୁଥିବ । ହଁ ଭାଇ କହିଥିଲେ ଗୌରୀ ଦେବୀ । ଭଉଣୀ ଆମ ଭାଗ୍ୟତ ଖରାପ । ମୋ ପୁଅ ବି ଜଣେ ସରକାରୀ ଅଫିସର । ମୋର ବି ଏହି ଅବସ୍ଥା । ବୁଢା ଲୋକଟା କଣ ଗପୁଛି କହି ରାଗିଯାଇଥିଲେ ପରେସ ବାବୁ । କହିଲେ ତୋ ପୁଅ ଆଉ ମୋ ପୁଅ ଭିତରେ ଆକାଶ ଆଉ ପାତାଳ ପ୍ରଭେଦ । ତୋ ପୁଅ ଖରାପ ହେଇ ପାରେ କିନ୍ତୁ ମୋ ପୁଅ ନୁହେଁ । ମୋ ପୁଅ ଆମକୁ ଏସି କାରରେ ବୁଲେଇବାକୁ ଆଣିଛି ଆମେ ମନ୍ଦିର ଯିବୁ । ଉଦ୍ୟାନ ଯିବୁ । କୁଆଡେ ଗଲା କେଜାଣି । ନିଶ୍ଚୟ ଆସିବ .....

ତମେ ଆଜି ନୂଆ ଆସିଛ ସେଇଥିପାଇଁ ତମକୁ ରାଗ ଲାଗୁଛି । ତମେ ଏଇନେ ମନ୍ଦିରରେ ନାଁହ କି ଉଦ୍ୟାନରେ ନାଁହ କି କୌଣସି ଅପେକ୍ଷାଳୟରେ ନାଁହ । ତମେ ପରା ବୃଦ୍ଧାଶ୍ରମରେ ଅଛ !!!

  ୟେ କଣ କହୁଛ ଭାଇ !! ମିଛ କହୁଛ ମୋ ପୁଅ ଡାକ୍ତର ସେ ଏମିତି କରି ପାରିବନି । ସେ ନିଜେ ମୋତେ କୁହେ ବାପା ଆଉ ମାଆ ଦେବତା ସମାନ । ସେମାନଙ୍କର ସେବା ପୂଜା ଆମର ଧର୍ମ । ପରେସ ବାବୁ ବୃଦ୍ଧ ଜଣଙ୍କୁ ବହୁତ ଭର୍ତ୍ସନା କଲେ । ହେଲେ ଗୌରୀ ଦେବୀ କହିଲେ ସେ ସତ କହୁଛନ୍ତି । ଆମେ ଏଇନେ ବୃଦ୍ଧାଶ୍ରମରେ ଅଛନ୍ତି । ଆଉ ପୁଅ ବୋହୂ ଆସିବେନି କି ଆମକୁ ନେବେ ନାହିଁ । ଆମେ ଦୁଇଜଣ ଏଇଠାରେ ରହିବା । ଆମ ଭାଗ୍ୟରେ ଯାହା ଥିଲା ଘଟିଲା । ପୁଅ ଯଦି ଅପଢୁଆ ହୋଇଥାଏ ସେ ଅଧିକ ସୁଖ ଲୋଭରେ ବାପା ମାଆଙ୍କୁ ବୋଝ ଭାବେ ନାହିଁ । ତା ମଥାରେ କେବଳ ପିତା ଧର୍ମ ମାତା ଧର୍ମ ଭଳି ଶବ୍ଦ ଭରିରହିଥାଏ। ସବୁବେଳେ ନିଜ ଭିଟା ମାଟିକୁ କାମୁଡି ପଡିଥାଏ । ବାପା ପାନ ଗୋଟେ ଦେ ଖାଇବି । ଟିକେ ଦୁକ୍ତା ଦେ ପାଟିରେ ଜାକିବି କହି ବାପା ପୁଅ ସାଙ୍ଗ ହୋଇ ଗପ ସପ ହୋଇ ବିଲରେ ଚାଷ କାମ କରିଥାନ୍ତି । ବହୁତ ଗପ ସପ କରନ୍ତି । ତମେ ଦେଖୁନ ଆମ ଗାଁ ରେ ରାମ ସାହୁ ଓ ତାଙ୍କ ପୁଅ ହରି କେମିତି ଦୁଇ ସାଙ୍ଗ ଭଳି । ଆମ ଜମିର ମୂଲିଆ ଥିଲା ରାମ ସାହୁ । ହେଲେ ପୁଅ ହରି କେତେ ଖଟୁଛି ବିଲରେ । ଆମ ପାଖରେ କାମ କରୁଥିଲା ମୂଲିଆ ହୋଇ, ହେଲେ ଆମେ ନିଜ ପୁଅକୁ ପଢେଇବାକୁ ଜମି ବିକିଲେ ଆଉ ରାମ ସାହୁ ଓ ତାଙ୍କ ପୁଅ ଖଟିଣି କରି ଆମ ଜମିସବୁ କିଣି ନେଲେ । ଏଇନେ ସେମାନଙ୍କର ଜୀବନ ଦେଖ । ବାପା ପୁଅ କେତେ ଶାନ୍ତିରେ ଚଳୁଛନ୍ତି । ଶୁଣୁଛ! ଆଗରୁ ତାଙ୍କ ଉପରେ ବହୁତ ଦୟା ଆସେ ହେଲେ ଏବେ ମୋତେ ତାଙ୍କର ଖୁସି ଦେଖି ବହୁତ ଇର୍ଷା ହେଉଛି । ହରି ବିଡ଼ି ପିଏ, ପାନ ଖାଏ ଆଉ ବାପା ରାମ ସାହୁକୁ ମାଗୁଥିବ ବାପା ଟିକେ କରାଟିରୁ ଦୁକ୍ତା ନାଶ ଦେ, କେତେ ଖୁସିରେ ରହୁଛି ରାମ ସାହୁ । 

    ତିନି ବର୍ଷ ବିତିଗଲା ପୁଅ ବୋହୂଙ୍କର ଦେଖା ନାହିଁ । ହେଲେ ଦଇବର ପେଷଣ । ଠିକ ବାଟରେ ଥିଲେ ଦିହରେ କେବେ କଣ୍ଟା ବାଜେ ନାହିଁ । ପରେସ ବାବୁଙ୍କର ଶରୀର ଟିକେ ଫୁର୍ତ୍ତି ହେବାରେ ଲାଗିଛି । ଆଶ୍ରମର ସେବାୟତ ମାନଙ୍କର ସେବା ଶୁଶ୍ରୁଷାରେ ପରେସ ବାବୁ ସ୍ୱାସ୍ ରୋଗରୁ ମୁକ୍ତ ହୋଇ ଯାଇଛନ୍ତି । କହିଲେ ସମ୍ପୂର୍ଣ ସୁସ୍ଥ । ଏବେ ସେ ଏକ ନୂଆ ଜୀବନ ପାଇଛନ୍ତି ବୋଲି ଭାବୁଛନ୍ତି । ତିନି ବର୍ଷ ମଧ୍ୟରେ ଏହି ଆଶ୍ରମ ଏକ ନୂଆ ଜୀବନର ସୃଷ୍ଟି କରେଇଛି । ଆଶ୍ରମର ଆଭାରୀ ହୋଇ ରହିବି ଏମିତି ମନେ ମନେ ଭାବୁଥାଏ । ଠିକ ଏହି ସମୟରେ ରାମ ସାହୁ ଓ ତାଙ୍କ ପୁଅ ହରି କଟକ ରେ ରାମ ସାହୁଙ୍କ ପାଖରେ ହାଜର । ରାମ ସାହୁ ଗାଁରେ ବେମାର ପଡ଼ିଥିଲେ ତେଣୁ ପୁଅ ହରି ନିଜ ଗାଁ ଡାକ୍ତର ମହେଶ ପାଖକୁ ଆସିଥିଲେ ଚିକିତ୍ସା କରେଇବା ପାଇଁ । ହେଲେ ମହେଶ ତାଙ୍କୁ ଡାକ୍ତର ଖାନାରେ ନ ଦେଖି ପ୍ରାଇଭେଟ ଭିଜିଟ ରେ ଦେଖି କୋଡିଏ ହଜାର ଟଙ୍କା ଅସୁଲ କରିଛି । ତା ସହିତ ନିଜ ବାପା ମାଆଙ୍କୁ ଆଶ୍ରମରେ ଛାଡିବା ଓ ତିନି ବର୍ଷ ହେଲା ଦେଖା ନ କରିବା ଖବର ରାମ ସାହୁଙ୍କୁ ଦେଇଛି ମହେଶ । ରାମ ସାହୁ ମହେଶ ଠାରୁ ଆଶ୍ରମ ନାଁ ପଚାରି ପଚାରି ଆସି ପହଞ୍ଚିଛି ଆଶ୍ରମରେ । ଏବେ ରାମ ସାହୁଙ୍କର ଓ ପୁଅ ହରୀର ଜିଦ ତମେ ଗାଁ କୁ ପଳେଇ ଚାଲ । ହରୀର ବହୁତ ଜିଦ କି ମୋର ଆପଣ ବାପା ଓ ମାଆ ହୋଇ ରହିବେ । ଚାଲନ୍ତୁ ମୋ ସ୍ତ୍ରୀ ତୁମର ଚାକରାଣୀ ଭଳି ସେବା କରିବ । ଯେଉଁ ଦେବତା ଆମକୁ ଧନ ଧାନ୍ୟ ବିକ୍ରି କରି ନିଜ ପୁଅକୁ ମଣିଷ କଲା ସେଇ ଦେବତାଙ୍କର ଏମିତି ଅବସ୍ଥା ମୁଁ ଦେଖି ପାରିବିନି । ଆପଣ ମୋ ସହିତ ନ ଗଲେ ମୁଁ ଏଇଠି ଆତ୍ମ ହତ୍ୟା କରଦେବି କହି ହରି ଗାମୁଛା କାଢି ଗଳାରେ ଲଗେଇ ଦେଲା । 

   ଗୌରୀ ଦେବୀ ହସି ହସି କହିଲେ ବାବୁରେ ଆମେ ଦୁହେଁ ତୁମ କଥା ୟା ପୂର୍ବରୁ କଥା ହେଉଥିଲୁ । ମୁଁ ଏଇକଥା କହିଲି ରାମ ସାହୁର ପୁଅ ହରି ଭଳି ଭଗବାନ ସମସ୍ତ ବାପା ମାଆଙ୍କୁ ପୁଅ ଦିଅନ୍ତୁ । ହଁ ଆମେ ଦୁଇଜଣ ଯିବୁ ଆମର ଭିଟା ମାଟିକୁ । ଦରକାର ନାହିଁ ସେ ଚାକିରିଆ ପୁଅର ମନ୍ଦିର ଉଦ୍ୟାନ । 

   ଏବେ ଆନନ୍ଦରେ ସମୟ ଅତିବାହିତ କରୁଛନ୍ତି ଗୌରୀ ଦେବୀ ଓ ପରେସ ବାବୁ । ମନ ଜାଣି ଚର୍ଚ୍ଚା ଓ ଯତ୍ନ କରୁଛି ହରି ର ପତ୍ନୀ ରାଧା । ସ୍ନାନ, ଭୋଜନ ଠାରୁ ପାଦ ସେବା ପର୍ଯ୍ୟନ୍ତ ମନ ଜାଣି ରାଧା କରିଚାଲିଥାଏ । ଏମାନେ ପର ଲୋକ ଓ ସାଧାରଣ ମୂଲିଆ ଥିଲେ ଆମର । ଧୀରେ ଧୀରେ ଅବଶ୍ୟ ଜମି ଜୁମା କିଣି ନେଇଥିଲେ । ହେଲେ ଆମକୁ ତ ଉଚିତ ମୂଲ୍ୟ ଦେଇ ନେଇଛନ୍ତି । ନାଁ ନାଁ ଏମାନେ ଧର୍ମ ଓ ଅଧର୍ମ ସହିତ ପାପ ଓ ପୁଣ୍ୟ ଜାଣନ୍ତି । ଏମିତି ଭାବି ହୁଅନ୍ତି ସଦା ସର୍ବଦା ପରେସ ବାବୁ ଓ ଗୌରୀ ଦେବୀ । 


ଏମିତି ପନ୍ଦର ବର୍ଷ ବିତିଗଲା..

 

 ହଠାତ କଣ ହେଲା କେଜାଣି ପରେସ ବାବୁ ଗୌରି ଦେବୀଙ୍କୁ କହୁଛନ୍ତି । "ଆମ ମହେଶ ର ପୁଅ କି ଝିଅ ହେଇଥିବ ନା ?"

ଗୌରୀ ଦେବୀ, "ହଁ ହେଇଥିବ ଆଉ ଗୁଲୁଗାଲିଆ ହେଇଥିବ । ଛାଡ଼ ତାଙ୍କ କଥା ଆଉ ମନେ ପକାଅ ନାହିଁ । "

ହଠାତ ବାପା ବାପା ବୋଲି ଶୁଣା ଗଲା । ମାଆ ମାଆ ବୋଲି ଶୁଣା ଗଲା । ବାପା ମାଆ ମୁଁ ମହେଶ ପରା ତମ ପୁଅ । କଣ ଏମିତି ଅନାଉଛ । ବହୁତ କଷ୍ଟରେ ଆଶ୍ରମ ଆଉ ଆଶ୍ରମରୁ ଗାଁ କେତେ ଖୋଜି ଖୋଜି ଆସିଲିଣି । ହେଲେ ତମେ ଆସିକି ଏଇ ରାମ ସାହୁ ଘରେ । ମୂଲିଆ ଥିଲା ପରା ୟେ ଆମର। ମୁଁ ସବୁ ଜାଣିଛି ସବୁ ଏଇ ହରୀର ପାଠ । ମୋ ବାପା ମାଆ କୁଆଡେ ଗଲେ କି କଣ କଲେ ତାର ଏତେ ସୁହାଗ କାହିଁକି । ପଢିଲା ବେଳୁ ୟାର ମୋ ଉପରେ ହିଂସା । ମୋତେ ନିଚା ଦେଖିଇବା ପାଇଁ ୟେ ସବୁ ଫାର୍ଶ ଚଲେଇଛି । କଟକ ଯାଇଥିଲା ଭଲ କଲି ତା ବାପାଙ୍କୁ ତା ମାନେ କଣ ମୋତେ ନୀଚ ଦେଖେଇବା ପାଇଁ । କୁଆଡେ ଗଲା ସେ ହରି । ବାପା ମାଆ ତମେ ଚାଲ ଆମେ କଟକ ପଳେଇଯିବା । ମୁଁ ଆଉ ଏମିତି କିଛି କରିବିନି ତମ ମନରେ ଦୁଃଖ ଆସିବା ଭଳି କାମ । ଚାଲ ଆଉ ଗୋଟେ ମିନିଟ ଏଠି ରୁହ ନାହିଁ । 

   ଗୌରୀ ଦେବୀ, " ଆଚ୍ଛା ଡାକ୍ତର ବାବୁ ଆଜି ଆପଣଙ୍କର ୟେ ବାପା ମାଆ ପାଇଁ ଏତେ ଦରଦୀ କାହିଁକି ଶୁଣେ । ଡାକ୍ତର ବାବୁଙ୍କର କଣ ଅଭାବ ପଡିଗଲା ଯେ । ଓଃ ଆମେ ମରି ନାଁହୁ ସେଇଥିପାଇଁ କି ??"

ମହେଶ, " ନାଁ ନାଁ ମୋର ଭୁଲ ହେଇ ଯାଇଛି । ମୁଁ ମୋ ଭୁଲର ବହୁତ ଅନୁତାପ କରୁଛି । ୟେ ବାପା !ୟେ ମାଆ ଜାଣିଛୁ ଲୋ ମୁଁ ଏବେ ଯାଏ ବାପା ହେଇନି ଲୋ!!! ଆଚାର୍ଯ୍ୟ ପଣ୍ଡିତ ମୋତେ ଧିକ୍କାର କରି କହିଲେ ଯେକି ତମ ଦୁହିଁଙ୍କ ଉପରେ ବାପା ମାଆଙ୍କର ଆଶା, ସ୍ୱପ୍ନ ଓ ସେବାର ବିଶ୍ୱାସ ଭାଙ୍ଗିଥିବାର ଅଭିଶାପ ପଡିଛି । ତେଣୁ ମୋ ସହିତ ଚାଲ । ଆଉ ଜାଣିଛୁ ଲୋ ମାଆ ଲିଲିକୁ ପଣ୍ଡିତ କହିଛନ୍ତି ତମ ପାଦ ପାଣି ଦୈନିକ ଗାଧୋଇ ପିଇବାକୁ । ପାଦ ସେବା କରିବାକୁ । ଏମିତି ବହୁତ ତପସ୍ୟା କରିବାକୁ ଉପଦେଶ ଦେଇ ଛନ୍ତି ଲୋ ମାଆ " ।

ପରେସ ବାବୁ, " ତୋ ଠାରୁ ଆମର ମୂଲିଆ ପୁଅ ହରି ଭଲ । ତା ସ୍ତ୍ରୀ ଆମର କେମିତି ସେବା କରନ୍ତି ଟିକେ ଦେଖ ଗୋଟେ ଦିନ ଏଇଠି ରହିଯା " । 

ମହେଶ," ନାଁ ବାପା ବହୁତ କାମ ମୋର ନିଜର ତିନିଟା ନର୍ସିଂହୋମ ଆଉ ମୁଁ ଦଶ ଜାଗା ଦୁଇ ଘଣ୍ଟା ଲେଖା ଯାଉଛି ରୋଗୀ ଦେଖିବାକୁ । ତା ସହିତ ବଡ଼ ଡ଼ାକ୍ତରଖାନାରେ କାମ । ବଡ଼ ଡ଼ାକ୍ତରଖାନାକୁ ଦୁଇଦିନ ନ ଗଲେ ଚଳିବ ହେଲେ ନିଜ ଅନୁଷ୍ଠାନ ତ ଦେଖିବାକୁ ପଡିବ । ମୋର ଗୋଟେ ଦିନରେ ଦୁଇ ଲକ୍ଷ ଟଙ୍କା ଚାଲିଯିବ " ।

ପରେସ ବାବୁ, " ହା ହା ହା ହା ତୁ ମୋ ଚାକିରିଆ ପୁଅ ହା ହା ହା..... । ତୁ ଅର୍ଥ ପାଗଳ ସରକାର ଦରମା ଦେଉଛି ହେଲେ ସେଠି ରୋଗୀ ମରି ଯାଆନ୍ତୁ ହେଲେ ନିଜ ଡାକ୍ତରଖାନା ଆଗ । ତୋର ସନ୍ତାନ କଣ ଦରକାର ଯେ । ବାପା ମାଆ ଆଜି ସ୍ୱାର୍ଥରେ ଲୋଡ଼ା । ତୁ ମାରିଦେଲେ ମାରି ଦେ ହେଲେ ମୁଁ ଆଉ ତୋ ସହିତ ଜୀବିନି କି ତୋ ମାଆ ବି ଯିବ ନାହିଁ" ।

ମହେଶ, " ମୁଁ କଣ କଲେ ତମେ ଖୁସି ହେବ କୁହ । ତମ ପାଇଁ କଣ କରିବି କୁହ । ମୁଁ କଣ ଆଣ୍ଠୁକୁଡ଼ା ହେବି ଲୋ ମାଆ । କୁହ ବାପା କଣ କରିବି "।

ପରେସ ବାବୁ, " କଟକ ଛାଡି ଗାଁରେ ରହିଯା । ମୋର ସାହି ଭାଇ ଏଇଠି ସବୁ ଅଛନ୍ତି । ମୋ କୋକେଇ ପଡିକି ରହିବ ନାହିଁ । ହେଲେ ତୁ କଟକରେ ଆମକୁ ମହାନଦୀରେ ଫୋପାଡ଼ି ଦେବୁ କେତେ ବେଳେ । ତୁ ଯଦି ଗାଁରେ ରହିବୁ ତେବେ ଆମେ ଖୁସି ହେବୁ "।

ମହେଶ," ମୁଁ ଗାଁ ରେ କରିବି କଣ ବାପା କଣ ବିଲରେ ହଳ କରବି "।

ପରେସ ବାବୁ," ତୁ ଦରକାର ପଡ଼ିଲେ ହଳ କରିବୁ । ତଳି ପକେଇବୁ ଆଉ ଗାଁ ଲୋକ କଟକ ଯାଉଛନ୍ତି ସେମାନଙ୍କୁ ତୁ ଏଇଠି ଚିକିତ୍ସା କରି ପାରିବୁ" ।

ମହେଶ ," ଲିଲି ରାଜି ହେବନି ବାପା । ସେ ଆସିବନି ! ମୁଁ କଣ କରିବି ବାପା କୁହ ନା" ।

ପରେସ ବାବୁ, "ତୁ ପଳା ତୋ କର୍ମ ନେଇ ଓ ଧର୍ମ ନେଇ, ମୁଁ ମୋ ଜୀବନ ପଥ ବାଛି ସାରିଛି । ମୋ ଗାଁ ଛାଡି ପାରିବିନି । କେବେ ଦେଖିଛୁ ତୋ ହେତୁ ହବା ଠାରୁ ତୋତେ ବୁଲେଇ ନେଇ କୁଆଡେ ଛାଡି ଦେବାର ।

     କିନ୍ତୁ ତୁ କଣ କଲୁ ମୋ ସହିତ ଓ ତୋ ମାଆ ସହିତ । ଏମିତି କରିବା କେଉଁ ନ୍ୟାୟ ଥିଲା ତୁମ ପାଇଁ ଡାକ୍ତର ବାବୁ । ହଉ ଡାକ୍ତର ବାବୁ ତମେ ନିଜ ବାଟରେ ନିଜେ ଯାଅ ଓ ମୁଁ ମୋ ବାଟରେ । ମୋ ବାଟ ଅଲଗା ଆଉ ଡାକ୍ତର ବାବୁଙ୍କର ବାଟ ଅଲଗା । ମୋ ପୁଅ ଚାକିରୀ କରିବ । ମୋ ପୁଅ ଡାକ୍ତର ହେବ । ଏମିତି ସ୍ୱପ୍ନ ମୋର ସ୍ବପ୍ନରେ ରହିଗଲା । ଏବେ ଠାରୁ ତୋ ବାଟ ଅଲଗା ଆଉ ମୋ ବାଟ ଅଲଗା । ଆପଣ ଆସିପାରନ୍ତି ଡାକ୍ତର ବାବୁ.....


  ପରେସ ବାବୁ ନିଜ ବିଶ୍ରାମ କକ୍ଷକୁ ଚାଲିଯାଇଥିଲେ । ମହେଶ ଫେରିଯାଇଥିଲା କଟକ ସହରକୁ । ନିଜର କର୍ମ ପାଇଁ ସମୟ ଆସିଲେ କ୍ଷମା ମିଳେ ନାହିଁ । କ୍ଷମା କେବଳ ସେଇ ମାନଙ୍କୁ ମିଳେ ଯିଏ ତ୍ୟାଗ କରିଥାଏ । କିନ୍ତୁ ମହେଶ ତ୍ୟାଗ କରି ନଥିଲା ତାର ରୋଜଗାର କ୍ଷେତ୍ର । ଯଦି କରିଥାନ୍ତ ନିଶ୍ଚୟ ପିତା ମାତାଙ୍କ ସାନିଧ୍ୟ ଲାଭ କରିଥାନ୍ତା ।


Rate this content
Log in

Similar oriya story from Tragedy