ବୟସର ଅପରାହ୍ନରେ
ବୟସର ଅପରାହ୍ନରେ
ଅଶାନ୍ତ ସହର ଶାନ୍ତ ହୋଇଯାଏ, ଶୋଇ ଶୋଇ କଡ ଲେଉଟାଏ କାଳେ ସୂର୍ଯ୍ୟଙ୍କ ରକ୍ତିମ ଆଭାର ପରିପ୍ରକାଶ ହୋଇଗଲା। ଅଶାନ୍ତ ସମୁଦ୍ର ଶାନ୍ତ ହୋଇଯାଏ ଅଶାନ୍ତ ହୋଇ ଯୁଗଯୁଗ ଅପେକ୍ଷା କରି ରହିଥିବା ପ୍ରେମପାଗଳିନୀ ଚଞ୍ଚଳା, ଚପଳା ନଦୀର ଆଗମନରେ।
ପ୍ରୌଢ ଲେଖକ ସ୍ଥିତପ୍ରଜ୍ଞ ଅଶାନ୍ତ ମନରେ ଘର ସାରା ସୁବାସିତ ଅତର ସିଞ୍ଚନ ସହ ଅପେକ୍ଷାରତ ଯୁବତୀ ନିଶାର ଆଗମନ ପାଇଁ। ପହଞ୍ଚିଯାଏ ବି ଉଗ୍ରାଧୁନିକା ନିଶା। ଗଳ୍ପ ଶୁଣେଇବା ଆରମ୍ଭ କରନ୍ତି ସ୍ଥିତପ୍ରଜ୍ଞ। ଧ୍ୟାନର ସହ ଶୁଣିଚାଲେ ନିଶା। ଖୁସିରେ ଉତଫୁଲ୍ଲିତ ହୋଇ ନିଶାର ସାନ୍ନିଧ୍ୟ ଆଶା କରନ୍ତି ସ୍ଥିତପ୍ରଜ୍ଞ। ସାମାନ୍ଯ ପ୍ରତିରୋଧ କରେ ନିଶା। ରାତ୍ରିର ଅନ୍ଧକାରରେ କାମୁକ ପିଶାଚ ସାଜି ସକାଳୁ ସୂର୍ଯ୍ୟସ୍ନାନ କରି ରାତ୍ରିର ପାପକୁ ଗଙ୍ଗାଜଳରେ ପବିତ୍ର କରି ଘଣ୍ଟା ଘଣ୍ଟା ଆରାଧନା କରି ପବିତ୍ର ହୋଇଯାଆନ୍ତି ଭଦ୍ରସମାଜର ସ୍ଥିତପ୍ରଜ୍ଞମାନେ।
ଅର୍ଥାଭାବ, ପରିସ୍ଥିତିର ତାଡନା, ପେଟ ଚାଖଣ୍ଡକ ପାଇଁ ଅନିଚ୍ଛାସତ୍ତ୍ୱେ କାମୁକ ସ୍ଥିତପ୍ରଜ୍ଞମାନଙ୍କର ଶଯ୍ୟାସଙ୍ଗିନୀ ହେବାପାଇଁ ଆକୁଣ୍ଠ ଚିତ୍ତରେ ମୂଲ୍ଯବାନ ସମ୍ପତ୍ତି ବିସର୍ଜନ କରିବାକୁ ବାଧ୍ଯ ହୁଅନ୍ତି ଆଧୁନିକା ନିଶାମାନେ ।
କିନ୍ତୁ .......
ଏଇ କାହାଣୀର ନିଶା ବି ଆର୍ଥିକ ଅନାଟନରେ ଜୀବନ ନିର୍ବାହ କଲେ ବି ଠିକ୍ ବୁଝେ ଏଇପରି ଅର୍ଦ୍ଧବୟସ୍କ ସ୍ଥିତପ୍ରଜ୍ଞ ମାନଙ୍କର ମନସ୍ତତ୍ତ୍ୱ। ତେଣୁ ତ .......
ସ୍ଥିତପ୍ରଜ୍ଞ ରାତ୍ରିର ଅନ୍ଧକାରରେ ନିଶାକୁ ଆମନ୍ତ୍ରିତ କରନ୍ତି। କିନ୍ତୁ ଚାଲାକ୍ ନିଶା, ସ୍ପଷ୍ଟ ଦିବାଲୋକରେ ପହଞ୍ଚିଯାଏ ସ୍ଥିତପ୍ରଜ୍ଞ ପାଖରେ। ଅନିଚ୍ଛାସତ୍ତ୍ୱେ ବାଃ ବାଃ କହି ଶୁଣିଚାଲେ ସ୍ଥିତପ୍ରଜ୍ଞଙ୍କ ରଚିତ ଗଳ୍ପଗୁଚ୍ଛ। ଧିରେଧିରେ ଲକ୍ଷ୍ୟ କରେ ନିଶା, ସ୍ଥିତପ୍ରଜ୍ଞ ଲେଖକ ପରିଧିରୁ ଦୁଇପାଦ ଆଗକୁ ଯାଇ ଭଦ୍ରଖୋଳପା ଭିତରୁ ଧିରେ ଧିରେ ବାହାରକୁ ଆସି ନିଶାକୁ ଆଲିଙ୍ଗନ କରିବା ଚେଷ୍ଟାରେ। ନିଶା କହେ ସ୍ଥିତପ୍ରଜ୍ଞ, ମୋତେ ଅର୍ଥର ଆବଶ୍ୟକତା ରହିଛି, ମୁଁ ବ୍ୟସ୍ତ ଅଛି, ଦିନେ ଆସି ତମର ସବୁଗଳ୍ପ ଶୁଣିଦେଇ ଯିବି। ଖୁସିରେ ଟଙ୍କାବିଡା ଧରେଇ ଦେଇ ବିଦାୟକରେ ନିଶାକୁ। ନିଶା ବି ଖୁସ୍, ସ୍ଥିତପ୍ରଜ୍ଞ ବି। ସେଇଦିନ କେବେ ବି ଆସେନାହିଁ, ବରଂ ସ୍ଥିତପ୍ରଜ୍ଞର ଅର୍ଥର ଭଣ୍ଡାର ଖାଲି ହେବାରେ ଲାଗେ। ମାନସିକ ଅଶାନ୍ତି ସୀମା ଲଙ୍ଘିବାର ଚେଷ୍ଟାକରେ।
ଦୀର୍ଘଦିନର ସମ୍ପର୍କ ଭିତରେ ଅବସରପ୍ରାପ୍ତ ଲେଖକ ସ୍ଥିତପ୍ରଜ୍ଞର ସମ୍ପତ୍ତି ଶେଷ ହୋଇଗଲା, ହେଲେ ନିଶାର ସମୟ ଦେବା ପ୍ରତିଶ୍ରୁତି ପାଣିର ଗାର ହୋଇଗଲା। ମନଟା ହାଲକା କରିବା ସହ ଅନୁତାପର ଅଗ୍ନିରେ ଜଳିବା ଅପେକ୍ଷା ନୂତନ ନିଶା ଖୋଜିନେବା ବୁଦ୍ଧିମାନର କାମ ହେବ ଭାବୁଥିଲା ସ୍ଥିତପ୍ରଜ୍ଞ। ତାଛଡା ନିଶାର ଫୋନ୍ ବି ଲାଗୁନଥିଲା।
ପାର୍କର ଗୋଟିଏ କୋଣରେ ବସି ଅନେଇଲା ସ୍ଥିତପ୍ରଜ୍ଞ। ପାର୍ଶ୍ବସ୍ଥ ଝଙ୍କାଳିଆ ବ୍ରୁକ୍ଷପାଖରେ ନିଶାସହ ଜଣେ ସୁଦର୍ଶନ ଯୁବକ।
ନିଶା କହୁଥିଲା ବୁଝିଲ ନିକମ୍ମା ପତିଦେବ ! ଦେଖ ସେ ଶଳା ବୁଢା ଲେଖକକୁ ଶରୀର ମୋହ ଦେଖାଇ ଦେଖାଇ ଏଇ କିଛିମାସ ଭିତରେ ପାଞ୍ଚଲକ୍ଷ ଟଙ୍କା ହାତେଇ ନେଲି। ଘରେ ଟ୍ରଙ୍କରେ ଅଛି। ସେଇଟଙ୍କା ଦେଲେ ଆମେ ଋଣମୁକ୍ତ ହୋଇଯିବା। ଯୁବକ କହୁଥିଲା, ଆରେ ନିଶା ସେ ବୁଢା ଯଦିଜାଣିଯିବ ଆମ ଅବସ୍ଥା କଣ ହେବ ? ହସିହସି ନିଶା କହିଲା, ଏ ବୁଦ୍ଦୁ ! ଏମାନେପରା ଭଦ୍ରମୁଖା। କେଉଁ ମୁହଁରେ ନିଜର ଦୁର୍ବଳତା ପ୍ରକାଶ କରିବେ, ତାଛଡା ମୁଁ ତ ଚୋରିକରିନାହିଁ। ହସିହସି କୋଳାଗ୍ରତ ହେଉଥିଲେ ଦୁହେଁ। ନିଶା କହୁଥିଲା ବୁଝିଲ ପତିଦେବ ! ଷାଠିଏ ବର୍ଷର ବୁଢାଟା, ପୁଣି ଶିକ୍ଷିତ, କେମିତି ବୁଝିପାରୁନଥିଲା ପଚିଶ ବର୍ଷର ଝିଅଟିଏ ତାକୁ ପ୍ରେମ କରିବ? ନା ନା ପ୍ରେମ ତ ନୁହଁ, ଦେହଦାନ। ଠୋ ଠୋ ହସୁଥିଲେ ଦୁହେଁ। ସ୍ଥିତପ୍ରଜ୍ଞକୁ ଲାଗୁଥିଲା ସତେଯେମିତି ତା ଗାଲରେ କିଏ ଠୋ ଠୋ ଚଟକଣି ବସେଇ ଦେଉଥିଲା। ବୟସ, ଆଭିଜାତ୍ୟ ମନେ ପକୋଉ ପକୋଉ ଉଡିଗଲା ପ୍ରଣୟର ନିଶା। ଚୁପଚାପ୍ ମୁହଁ ଲୁଚେଇ ଚାଲିଗଲା ସେଠାରୁ।
କିଛିଦିନ ପରେ.......
ଦିନେ ହଠାତ୍ ଅଫିସର ଚପରାଶୀ ଅଶୋକ ଅଶ୍ରୁଳ ନୟନରେ ଆସି ପହଞ୍ଚିଲା ସ୍ଥିତପ୍ରଜ୍ଞ ପାଖରେ। କହିଲା ବାବୁ ! ଆସନ୍ତାକାଲି ମୋ ସ୍ତ୍ରୀର ଦେହାନ୍ତର ଦଶଦିନ। ଆପଣ ତ ଲେଖାଲେଖି କରନ୍ତି। ମୋ ସ୍ତ୍ରୀର ଫଟୋଟି କୌଣସି ପତ୍ରିକାରେ ଛପାଇ ଦେଇ ତା ଅମର ଆତ୍ମାର ସଦଗତି ପାଇଁ ଦୁଇଧାଡି ଲେଖିଦିଅନ୍ତେ ଯଦି ମୁଁ ଚିରୋପକ୍ରୁତ ହୁଅନ୍ତି।
ସ୍ଥିତପ୍ରଜ୍ଞ କହିଲେ ତା ତ ଠିକ୍ ଯେ ହେଲେ ତୁ ତ ଯୁବକ। ତୋ ସ୍ତ୍ରୀ ନିଶ୍ଚୟ ଯୁବତୀ ହୋଇଥିବ। ତାର ମ୍ରୁତ୍ୟୁ କେମିତି ହେଲା? ଆଖିରୁ ଲୁହ ପୋଛୁ ପୋଛୁ ଅଶୋକ କହିଲା ବାବୁ ! ସବୁ ମୋର କୁକର୍ମର ଫଳ। ସ୍ରୀକୁ ବ୍ୟବହାର କରି ଧନୀହେବାର ସ୍ୱପ୍ନ ଦେଖୁଥିଲି। ଜଣେ ବ୍ରୁଦ୍ଧବ୍ୟକ୍ତିଙ୍କୁ ପ୍ରେମଜାଲରେ ଫସାଇ ସ୍ତ୍ରୀର ଉପାର୍ଜିତ ଅର୍ଥରେ ଘରପାଇଁ ଆଣିଥିବା କରଜ ସୁଝିଦେଲୁ। ପ୍ରେମ ସୁନ୍ଦର ପୁଷ୍ପ ସଦ୍ରୁଶ୍ୟ । କିନ୍ତୁ ପ୍ରଣୟ ପ୍ରେମକୁ ବିପଥଗାମୀ କରିଦିଏ। ବ୍ରୁଦ୍ଧ ଲେଖକ ପ୍ରଣୟର ଆଶାରେ ସର୍ବସ୍ୱାନ୍ତ ହେଲେ। ଧନାଢ୍ଯ ଯୁବକ ପ୍ରଣୟ କରି ମୋ ପ୍ରେମକୁ ସମାଧିସ୍ଥ କଲା। ଘର ହୋଇଗଲା ପରେ ମୁଁ କାରଟିଏ ପାଇଁ ମନସ୍ଥ କରି ସ୍ତ୍ରୀକୁ ଜଣେ ଧନାଢ୍ଯ ଯୁବକ ପାଖକୁ ପଠାଇଦେଲି। ଯୁବକ ଜଣକ ମୋ ସ୍ତ୍ରୀକୁ ବଳାତ୍କାର କଲା। ଲୋକଲଜ୍ଜାରେ ମୋ ସ୍ତ୍ରୀ ନଦୀକୁ ଡେଇଁ ଆତ୍ମହତ୍ୟା କଲା ସଂସାର ସରିଗଲା, ପ୍ରେମ ମରିଗଲା। ଅର୍ଥ ଅନର୍ଥର କାରଣ ସାଜିଲା।
ଫୋଟଟାକୁ ଧରିଥିବା ହାତଟା ମ୍ୟାଲେରିଆ ରୋଗୀପରି ଥରୁଥିଲା ସ୍ଥିତପ୍ରଜ୍ଞର। କାରଣ ଫଟୋଟି ଥିଲା ନିଶାର। ଲଜ୍ଜା, ଗ୍ଳାନିରେ ମୁଣ୍ଡଟା ତଳକୁ ହୋଇଯାଇଥିଲା ସ୍ଥିତପ୍ରଜ୍ଞର। ହଉ ମୁଁ ଛାପିଦେବି, ତୁ ଯାଆ କହି ଅଶୋକକୁ ବିଦାୟ କଲାବେଳେ ସ୍ଥିତପ୍ରଜ୍ଞ କହୁଥିଲେ ନିଶା ମ୍ରୁତ୍ୟୁ ପାଇଁ ଦାୟୀ ଲୋଭ, ଦାରିଦ୍ର୍ୟ , ବଡଲୋକ ହେବାର ନିଶା। ତାଠାରୁ ଅଧିକ ଦାୟୀ ସ୍ଥିତପ୍ରଜ୍ଞ ପରି ଭଦ୍ରମୁଖା ବ୍ରୁଦ୍ଧ। ସେଦିନ ଯଦି କାମଆଶାରେ ସାହିତ୍ୟର ବାହାନା ନକରି ନିଶାକୁ ଠିକ୍ ରାସ୍ତାର ସାହିତ୍ୟ ଶିକ୍ଷା ଦେଇଥିଲେ ହୁଏତ ନିଶା ଆଜି ବଞ୍ଚିଥାଆନ୍ତା। ସାହିତ୍ୟ କାମନାବାସନା ରହିତ ସାଧନା। ସାହିତ୍ୟର ସେଦିନର ଅପବ୍ୟବହାର ଯୋଗୁଁ ଆଜି ଗୋଟିଏ କଳି ପୁଷ୍ପର ରୂପ ନେବାଆଗରୁ ଅକାଳରେ ଝରିଗଲା। ନା ଫୁଲଟି ଠାକୁରଙ୍କ ପାଖରେ ଲାଗିପାରିଲା, ନା ଅଶୋକ ଘରର ଶୋଭାବର୍ଦ୍ଧନ କରିପାରିଲା।
ପରୋକ୍ଷଭାବରେ ନିଶାର ଅପମ୍ରୁତ୍ୟୁ ପାଇଁ ନିଜକୁ ଦାୟୀ କରୁଥିଲେ ସ୍ଥିତପ୍ରଜ୍ଞ!!
