Shreeman Anshuman Priyadarshee

Tragedy Others

4.8  

Shreeman Anshuman Priyadarshee

Tragedy Others

ବୁଢ଼ା ବୁଢ଼ୀଙ୍କ ଅକୁହା କଥା

ବୁଢ଼ା ବୁଢ଼ୀଙ୍କ ଅକୁହା କଥା

4 mins
360


ସମୟ ସାଥିରେ ଋତୁ ଚକ୍ର ତାଳେ ତାଳେ ମାର୍ଗଶୀର ମାସ ପରେ ପୌଷ ମାସ ଧରା ଛୁଇଁ ଥାଏ। ଚାରି ଆଡେ଼ ଶୀତର ପ୍ରକୋପ ଅତ୍ୟନ୍ତ ବଢ଼ି ଯାଇ ଥାଏ। ଦିନ ଅପେକ୍ଷା ରାତିର ଆୟୁଷ ବଢ଼ି ଯାଇ ଥାଏ।ଆଉ ସବୁଜ ଧାନ କ୍ଷେତ ହଳଦିଆ ଓଢ଼ଣୀ ଘୋଡେ଼ଇ ହେଇ ତଳକୁ ମୁଣ୍ଡ ନୁଆଇଁ ଧରଣୀ ସହ କେତେ କଣ ଯେ କଥା ହେଇ ଯାଉ ଥାଏ।ଦିବାକର ଉଦୟ ହବାକୁ ମଧ୍ୟ ଡେରି କରି ଥାନ୍ତି, ହେଲେ ବଢ଼ି ଭୋରୁ ଉଠିବାର ଅଭ୍ୟାସ ଥାଏ ରବି ବୁଢ଼ା ଓ ତା ସ୍ତ୍ରୀ ମାଳତିର। ବଢ଼ି ଭୋରରୁ ଉଠି ବୁଢ଼ା ବୁଢ଼ୀ ମିଶି କଣ ଟିକେ ବ୍ୟାୟାମ କଲା ପରେ ବୁଢ଼ୀ ଲାଗି ଯାଏ ଘର କାମରେ ଆଉ ବୁଢ଼ା ଲାଗି ଯାଏ ବାରି କାମରେ। ବୁଢ଼ା ବାରି ପଟେ ଜାତି ଜାତିକା ପନି ପରିବା ଚାଷ କରି ଥାଏ। ପନି ପରିବା ସାଙ୍ଗକୁ ପୁଣି କେତେ ସୁନ୍ଦର ସୁନ୍ଦର ଫୁଲ ଗଛ ମଧ୍ଯ ଲଗେଇ ଥାଏ। ବାରିର କୋବି, ମଟର, କାକୁଡ଼ି, ବିନ୍, କଖାରୁ ଫୁଲ, କଳା ନାଲି ଲଙ୍କା ଆଉ ତା ସାଙ୍ଗକୁ ପ୍ରତି ଖାଦ୍ୟରେ ନିଜ ବସ୍ନାର ଛାପ ଛାଡ଼ି ଯାଉଥିବା ଧନିଆ ଓ ପୁଦିନା ହସି ହସି ନିଜ ମଧ୍ୟରେ କେତେ କଣ କଥା ହେଇ ଯାଉ ଥାନ୍ତି।ଆଉ ବାରିରେ ଫୁଟି ଥିବା ନାନା ଫୁଲ ଚାରିଆଡ଼େ ପ୍ରୀତି ଓ ସୁଖ ଶାନ୍ତିର ବାର୍ତ୍ତା ବାଣ୍ଟି ଦେଉଥାନ୍ତି।


ସେତିକି ବେଳେ ମାଳତୀ ବୁଢ଼ୀର ଡାକ ଶୁଭେ “ହଇଓ ଦାନ୍ତ ଘଷି ଗାଧୁଆ ପାଧୂଆ କରୁନ ଜଳଖିଆ ଖାଇବ,ବେଳ ବୁଡ଼ି କେଇଁ ଟା ହେଲାଣି”। ତା ପରେ ପରେ ରବି ବୁଢ଼ାର ପାଟି ଶୁଭେ“ ହଁ ହଁ ଯାଉଛି,ତୁ ଆଉ କେରେ କେରେ ହନା”। ବୁଢ଼ା ହଉଛି ଅବସର ପ୍ରାପ୍ତ ଶିକ୍ଷକ ଟିଏ, ବୁଢ଼ା ତା ଶିକ୍ଷକ ଜୀବନରେ ବହୁ ଖ୍ୟାତି ଓ ପ୍ରଶଂସା ଅର୍ଜନ କରିଥିଲା। ବହୁ ପିଲାଙ୍କୁ ପାଠ ପଢେ଼ଇ ବଡ଼ ମଣିଷ କରି ଥିଲା। ବୁଢ଼ା ବୁଢ଼ୀଙ୍କ ଦୁଇଟି ପୁଅ। ଗୋଟେ ପୁଅ ସଫ୍ଟୱେର ଇଞ୍ଜିନିୟର ଆଉ ଗୋଟେ ପୁଅ ବ୍ୟାଙ୍କରେ ଚାକିରି କରି ଥାଏ। 


ଦୁଇ ଜଣ ଯାକ ବାହା ହୋଇ ଯାଇ ଥାନ୍ତି। ବଡ଼ ପୁଅର ପୁଅଟେ ଝିଅଟେ ଆଉ ସାନ ପୁଅର ଦୁଇଟି ଯାଆଁଳା ପୁଅ। କେହି ଗୋଟେ ହେଲେ ବୁଢ଼ା ବୁଢ଼ୀଙ୍କ ପାଖରେ ରୁହନ୍ତି ନାହିଁ। ସେଥି ପାଇଁ ବୁଢ଼ା ବୁଢ଼ୀଙ୍କ ମନ ସବୁ ବେଳେ ଦୁଃଖ। ପୁଅ ଜନ୍ମ କରି ଥିଲେ କଣ ଏଇଆ ଦେଖିବା ପାଇଁ । ଯାହାକୁ ନିଜେ ନ ଖାଇ, ନ ପିଇ, ଝାଳ ବୁହାଇ ଏତେ ଭଲରେ ପାଠ ପଢ଼େଇ ବଡ଼ ମଣିଷ କଲେ,ସିଏ ଏବେ ବୃଦ୍ଧ ବାପା ମାଆଙ୍କ ମୁହଁକୁ ଚାହୁଁ ନାହିଁ।ଆଉ ଏବେ ବୁଢ଼ା ବାପା ମାଆ ତାଙ୍କ ପାଇଁ ଅଲୋଡ଼ା ଅବା ଅଦରକାରୀ ବସ୍ତୁ ବା ରଦି।ବାପା ମାଆ ବୃଦ୍ଧ କାଳରେ ଯାହାକୁ ଅନ୍ଧର ଲଉଡି ହେବ ବୋଲି ଭାବି ଥିଲେ,ସିଏ ଏକା ଏବେ ପଚାରୁ ନାହିଁ। କେତେ ବେଳେ କେମିତି ବୁଢ଼ା ବୁଢ଼ୀଙ୍କ କଥା ମନ ପଡ଼ିଲେ ଫୋନରେ କଥା ହେଇ ଯାଆନ୍ତି। ବର୍ଷକୁ କୋଉ ଥରେ କି ଅଧେ ଗାଁକୁ ଆସନ୍ତି,ସେଥିରେ ବି ଦିନେ କି ଦୁଇ ଦିନି ହୋଇ ନଥିବ ବୋହୂ ମାନେ କୁହନ୍ତି ଆଜି ପଳେଇବା,କାଲି ପଳେଇବା। ବୁଢ଼ା ବୁଢ଼ୀ ଯେବେ ନିଜ ବୟସର ଲୋକଙ୍କୁ ନାତି ନତୁଣୀଙ୍କ ସହ ମଜା କରିବାର ଦେଖନ୍ତି, ମନେ ମନେ ବହୁତ କାନ୍ଦନ୍ତି। ହେଲେ କରିବେ ବା କଣ,ବୁଢ଼ା ବୁଢ଼ୀ ଯେମିତି ସେମିତି ଏଡେ ବଡ଼ ଘରଟାରେ ଏକୁଟିଆ ଦିନ କାଟନ୍ତି। ସନ୍ଧ୍ୟା ଆଠୁଟାରୁ ବୁଢ଼ା ବୁଢ଼ୀ ଖାଇ ପିଇ ସୋଇ ପଡ଼ନ୍ତି,କିଏ ବା ପାଖରେ ଆଉ ଅଛି ଯେ ଚେଇଁ ରହିବେ,ବୁଢ଼ା ବୁଢ଼ୀ ଦୁହେଁ ଦୁହିଁଙ୍କ ସହ କଥା ହେଲେ କେତେ ବା କଥା ହେବେ।ଆଉ ହଁ ଏଇଟା ଖାଲି ରବି ବୁଢ଼ା ଓ ତା ସ୍ତ୍ରୀ ମାଳତୀର ବିଷାଦ ନୁହେଁ,ଏଇଟା ଏମିତି ଅନେକ ବୁଢ଼ା ବାପା ମାଆର ବିଷାଦ ଅବା ଆଖିରୁ ଝରି ଯାଉ ଥିବା ଲୁହର କାରଣ।


ଦିନକର କଥା ସେଇ ଦିନ ରବିବାର ହେବ,ହଠାତ୍ ବୁଢ଼ୀର ଦେହ ଅସୁସ୍ଥ ହୋଇ ପଡ଼ିଲା। ଦିନ ଯାକ ଜର ଛାଡ଼ିଲା ନାହିଁ ତ ବୁଢ଼ୀ ଆଉ ଖଟରୁ ଉଠି ପାରିଲାନି। ସେଇ ଦିନଟା ବୁଢ଼ା ଯାହି ତାହିକି କଣ ଟିକେ ନିଜେ ରୋଷେଇ କରିକି କାମ ଚଳେଇ ଦେଲା। ରାତି ଯାଇ ସକାଳୁ ମଧ୍ୟ ଜର ନ ଛାଡ଼ି ଆହୁରି ତୀବ୍ର ହେବାକୁ ଲାଗିଲା, ତାତି ଯମା ଓଲେଇହିଲା ନାହିଁ। ବୁଢ଼ା ଆଉ ଡେରି ନ କରି ବୁଢ଼ୀକୁ ସାଙ୍ଗେ ସାଙ୍ଗେ ପାଖ ଡାକ୍ତଖାନାକୁ ନେଇକି ଗଲା। ସାମାନ୍ୟ ଥଣ୍ଡା ଜର କହି ଡାକ୍ତର ଠାରୁ ଔଷଧ ଆଣିଲା ହେରି।କିନ୍ତୁ ସାତ ଦିନ ବିତି ଗଲା, ଔଷଧ ବି ସରି ଗଲା ହେଲେ ବୁଢ଼ୀର ଦେହ ଭଲ ହେବା ଯାଗାରେ ଆହୁରି ଖରାପ ହେବାକୁ ଲାଗିଲା। ତାପରେ ବୁଢ଼ା ଯେବେ ବୁଢ଼ୀକୁ କଟକ ଆଣି ବଡ଼ ଡାକ୍ତଖାନାରେ ଦେଖେଇଲା,ବହୁ ପରୀକ୍ଷା ନିରୀକ୍ଷା କଲା ପରେ ଜଣା ପଡ଼ିଲା ଯେ ବୁଢ଼ୀକୁ ବ୍ରେନ ମେଲେରିଆ। ଏହା ଶୁଣି ବୁଢ଼ା ପାଦ ତଳୁ ମାଟି ଖସି ଗଲା,ସତେ ଯେମିତି ତା ଜୀବନର ନୀଳ ଆକାଶରେ କଳା ବାଦଲ ଘୋଡେ଼ଇ ହୋଇ ଗଲା।ଗଛ ଲତା ସବୁଜିମାରେ ପରିପୂର୍ଣ୍ଣ ଭୂମି ଟିଏ ହଠାତ୍ ମରୁଭୂମିରେ ରୂପାନ୍ତରିତ ହେଲା ଭଳି ବୁଢ଼ା କୁ ଦୃଶ୍ୟମାନ ହେଲା। ବୁଢ଼ା କିନ୍ତୁ ଆଶା ନ ହରେଇ, ବୁଢ଼ୀର ଚିକିତ୍ସା ପାଇଁ ଯାହା ସବୁ ଅର୍ଥ ରଖି ଥିଲା ପାଣି ପରି ବୁହାଇ ଚାଲିଲା।


କଛି ଦିନ ପରେ ବୁଢ଼ୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଗଲା। ଡ଼ାକ୍ତରଖାନାରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଲା। ବୁଢ଼ୀ ଡାକ୍ତଖାନାରେ ଥିଲା ବେଳେ ବୁଢ଼ା ଫୋନ କରି ଦୁଇ ପୁଅଙ୍କୁ ଖବର ଦେଇ ଥିଲା। ହେଲେ ବୁଢ଼ୀ ଭଲ ହେଇ ଘରକୁ ଆସିଲା ହେରି କିନ୍ତୁ କୋଉ ପୁଅ ହେଲେ ରୋଗିଣା ମାଆ ଟିକୁ ଦେଖିବାକୁ ଟିକେ ଆସିଲା ନାହିଁ। ବୁଢ଼ୀ ଏହା ଭାବି ଭୋ ଭୋ ହୋଇ କାନ୍ଦିଲା, ବୁଢ଼ା ମଧ୍ଯ ବହୁ ଦିନରୁ ଛାତିରେ ଚାପି ରଖିଥିବା ଲୁହ କୁ ଆଉ ସମ୍ଭାଳି ନ ପାରି କାନ୍ଦି ପକେଇଲା। ଯେଉଁ ମାଆ ଦଶ ମାସ ଦଶ ଦିନ ଅସହାୟ ଯନ୍ତ୍ରଣା ସହି ନିଜ ସନ୍ତାନ କୁ ଏଇ ସଂସାର କୁ ଆଣି ଥାଏ,ସେଇ ପୁଅ ଯେବେ ନିଜ ମାଆର ଦୁଃଖ କଷ୍ଟରେ ପାଖରେ ଛିଡ଼ା ହୁଏନି, ଭାବନ୍ତୁ କେତେ କଷ୍ଟ ହେଇ ଥିବା ସେ ମାଆ କୁ। ଆଉ କେତେ କଷ୍ଟ ସେ ବାପାକୁ ଯିଏ ନିଜ ଛୁଆ ମୁହଁରେ ହସ ଫୁଟାଇବା ପାଇଁ ନିଜର ସାରା ଜୀବନକୁ ଉସର୍ଗିତ କରି ଦେଇ ଥାଏ।କିନ୍ତୁ ଠିକ୍ ତା ପରବର୍ତ୍ତୀ ମୁହୂର୍ତ୍ତରେ ବୁଢ଼ା ବୁଢ଼ୀ ଦୁହେଁ ଦୁହିଙ୍କ ଆଖିରୁ ଲୁହ ପୋଛି ଦେଇ,ପୁଣି ଥରେ ଆଖିରେ ଏକ ନୂଆ ସ୍ବପ୍ନ, ନୂଆ ଆଶାର ସହିତ ପୂର୍ବ ପରି ଜୀବନ ବଞ୍ଚିବା ଆରମ୍ଭ କଲେ। ଆଉ ସେ ବାରୀର ପନି ପରିବା ଓ ଫୁଲଙ୍କ ହସ ମଧ୍ୟରେ ନିଜକୁ ଭରି ରଖିଲେ। ଆଉ ଚାହିଁ ରହିଲେ ନିଜ ପୁଅ, ବୋହୂ ଆଉ ନାତି ନାତୁଣୀଙ୍କ ଆସିବା ବେଳକୁ।


   


Rate this content
Log in

Similar oriya story from Tragedy