ବର୍ଷାରେ ବାହୁଡା
ବର୍ଷାରେ ବାହୁଡା
ଗୁଣ୍ଡିଚା ଘରେ ଗୁପ୍ତ ମିଟିଙ୍ଗ ବସିଥିଲା।
ଜରୁରୀ ମିଟିଙ୍ଗ।ସରକାରୀ ବାବୁ ,ପ୍ରଶାସନ କିମ୍ବା ସେବାୟତ ମାନଙ୍କର ନୁହେଁ ; ବରଂ ତିନି ଠାକୁରଙ୍କ ଜରୁରୀ କାଳୀନ ବୈଠକ ବସିଥିଲା।
" ହଇରେ ,ଜଗା;ଇନ୍ଦ୍ରଙ୍କ ସାଙ୍ଗରେ ଟିକେ କଥା ହୋଇ ବର୍ଷା ବନ୍ଦ କର।ବଡ଼ଦାଣ୍ଡରେ ଅଣ୍ଟାଏ ଲେଖାଏଁ ପାଣି।ଆମେ ବାହୁଡାରେ ଫେରିବା କେମିତି ?ଆଜି ପୁଣି ସନ୍ଧ୍ୟା ଦର୍ଶନ।"
ମୁରୁକି ହସି ଜଗନ୍ନାଥ କହିଲେ,"ଭାଇ,ଇନ୍ଦ୍ର କଣ ଆଉ ମୋ ଅଣ୍ଡରରେ ଅଛନ୍ତି ?ସେ ପରା ଅଟୋନୋମସ ।ସ୍ୱତନ୍ତ୍ର ଭାବେ ତାଙ୍କ କାମ କରୁଛନ୍ତି।ଇଛାହେଲେ ବନ୍ୟା ନହେଲେ ମରୁଡି।ଆଉ ଏ ବଡ଼ ଦାଣ୍ଡ ପାଣି କଣ ନୂଆ ? ଟିକେ ବର୍ଷାରେ ପରା ପୁରୀ ପାଣିରେ ଉବୁଟୁବୁ।"
ସୁଭଦ୍ରା ଆଶ୍ଚର୍ଯ୍ୟ ହୋଇ କହିଲେ," ସରକାର ଓ ପ୍ରଶାସନ କଣ କରୁଛନ୍ତି ?ନବକଳେବର ସମୟରେ ପରା ଏତେ ଟଙ୍କା ଖର୍ଚ୍ଚ ହୋଇଥିଲା ?"
ବିରକ୍ତ ହୋଇ ବଳଭଦ୍ର କହିଲେ "ଟଙ୍କା ସବୁ ଡ୍ରେନ କୁ ଗଲା ବୋଧେ ? ଆଛା, ଆମେ ଏତେ ବର୍ଷାରେ ହଇରାଣ ହରକତ ହେଉଛେ,ମନ୍ତ୍ରୀମାନଙ୍କର ସବୁ ଦେଖା ନାହିଁ।ଇଲେକ୍ସନ,ନୂଆବର୍ଷ ରେ ଆସି କେତେ ମାନସିକ କରୁଥିବେ।"
ଜଗନ୍ନାଥ ସ୍ମରଣ କଲେ ଗରୁଡ଼ଙ୍କୁ।ତତକ୍ଷଣାତ ହାଜର ହେଲେ ଗରୁଡ଼। ଆଖିରେ ତାଙ୍କର ଲାଇଭ କ୍ୟାମେରା।
"ପ୍ରଭୁ,ସବୁ ମନ୍ତ୍ରୀ,ଯନ୍ତ୍ରୀ,ବାବୁ, ମୁଖ୍ୟମନ୍ତ୍ରୀଙ୍କ ସହ ରାଜଧାନୀର କୁତ୍ରିମ ବନ୍ୟା ତଦାରଖ କାମରେ ବ୍ୟସ୍ତ।ଗାଡ଼ି,ମଟର, ଘରଦ୍ବାର ସବୁ ଭାସୁଛି।ପୁରୀ ଭଳି କୋଣାର୍କ ମନ୍ଦିର ରେ ଆଣ୍ଠୁଏ ପାଣି।ସରକାର କାଳେ ପର୍ଯ୍ୟଟକ ମାନଙ୍କ ପାଇଁ ପୁରୀ ବଡ଼ଦାଣ୍ଡ,କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଭୁବନେଶ୍ଵର ରେ ଡଙ୍ଗା,ମୋଟର ବୋଟ ର ବ୍ୟବସ୍ଥା କରିବେ।କାରଣ ବିଲଡର,ଜବରଦଖଲ କାରୀଙ୍କୁ ହଟାଇ ଡ୍ରେନ ନିର୍ମାଣ ତ ହୋଇପାରିବ ନାହିଁ।ବରଂ ଡଙ୍ଗା ବ୍ୟବସ୍ଥା କରି ,ସ୍ମାର୍ଟ ସିଟି ଭୁବନେଶ୍ବରକୁ ଭାରତର ଭେନିସ ଭାବେ ଗଢି ହେବ। ବାହୁଡା ବି ଏବର୍ଷ ସଂକଟରେ।ଅନେକ ବର୍ଷ ଆଗରୁ ପ୍ରଭୁ ତ ନଈ ପାରି ହୋଇ ମନ୍ଦିରକୁ ଫେରୁ ଥିଲେ।ଏଥର ହୁଏତ......
ବିଚଳିତ ହୋଇ ସୁଭଦ୍ରା କହିଲେ,"ମୁଁ ଜମା ଡ଼ଙ୍ଗାରେ ବସିବିନି।ଚିଲିକାରେ ପରା କିଛିଦିନ ତଳେ ଡଙ୍ଗା ଓଲଟିଥିଲା।ଯଦି ଭାସିଯିବା ,ତେବେ ଡ୍ରେନ ବାଟ ଦେଇ ସିଧା ମହୋଦଧି ରେ।ପୁଣି ନବକଳେବର।ଭାଇ କିଛି ଗୋଟେ ବ୍ୟବସ୍ଥା କର।"
ଗୁମ୍ ମାରି ବସିଥିଲେ ଜଗନ୍ନାଥ।ଲୀଳାମୟଙ୍କ ମୁଖରେ ଚିନ୍ତାର ଚିହ୍ନ ଦେଖି ବଳଭଦ୍ର କହିଲେ,"ଏସବୁ ଲକ୍ଷ୍ମୀ ର ଅଭିଶାପ ନୁହେଁ ତ ? ପ୍ରତିବର୍ଷ ତାକୁ ନ ଆଣି ଆମେ ଚାଲି ଆସୁଛେ।ମହିଳା ମାନେ ଏବେ ନିଜ ଅଧିକାର ପାଇଁ ଲଢ଼ି ,ଆୟାପ୍ପା ଓ ଶନି ମନ୍ଦିରରେ ପ୍ରବେଶ କଲେଣି।ଲକ୍ଷ୍ମୀ ବି ଦାବି କରିପାରେ।ସୁପ୍ରିମକୋର୍ଟକୁ ସିଏ ଯିବା ପୂର୍ବରୁ କଥା ଟା ଆପୋଷ ସମାଧାନ କରିନେବା ଉଚିତ।ତେବେ ବାହୁଡା ପାଇଁ କଣ କରିବା ?"
ମୃଦୁ ହସିଲେ ଜଗନ୍ନାଥ।ସ୍ମିତ ହସି କହିଲେ," ଯେଉଁ ପରିସ୍ଥିତି ରେ ଆମେ ରଥରେ ବସି ଆସୁଛେ ଓ ଫେରୁଛେ, ତାହା କଣ ଲକ୍ଷ୍ମୀଙ୍କୁ ଅଜଣା ?ଅନେକ ଥର କହିଲିଣି, ସେ ଜମା ରାଜି ହେଉନି ରଥରେ ବସିବାକୁ।ନହେଲେ କେବେଠୁ କାହାଦ୍ବାରା ସୁପ୍ରିମକୋର୍ଟ ରେ ପିଟିସନ ଫାଇଲ କରିଦେଇଥାନ୍ତି।ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ।ଅଧିକ ବର୍ଷା ହେଲେ ଆମେ ବାହୁଡାରେ ଡଙ୍ଗା ରେ ଫେରିବା।"
"କିଛି ଅସୁବିଧା,ଅଘଟଣ ଘଟିବ ନାହିଁ ତ ?କିଏ ଜାଣେ ପୁଣି ମୀନ କିମ୍ବା କୁର୍ମ ଅବତାର ନେବାକୁ ପଡିବ। "
ରହସ୍ୟମୟ ହସ ହସି କାଳିଆ ଠାକୁର ଉତ୍ତର ଦେଲେ,"ଚାରମାଳ ବଦଳରେ କାତ ଓ ଆହୁଲା, ଡାହୁକ ବଦଳରେ ନାଉରିଆ ବସିବେ ଏବଂ ରାସ୍ତା କଢ଼ାଇବା ପାଇଁ ଟ୍ରାଫିକ ପୋଲିସ ବଦଳରେ ଇରାଵତୀ ଡ଼ଲଫିନ ଡେଇଁବେ।ମାଳିକାରେ ପରା ଥିଲା ବାଇଶି ପାହାଚେ ଖେଳିବ ମୀନ।ହଁ, ଆମେ ଟାହିଆ ବଦଳରେ ଲାଇଫ ଜ୍ୟାକେଟ ପିନ୍ଧିବା।"
ଆବାକାବା ହୋଇ ଅନାଇଥିଲେ ବଳଭଦ୍ର ଓ ସୁଭଦ୍ରା।ଘଣ୍ଟ,ଝାଞ୍ଜ ହରିବୋଲ,ଜୟ ଜଗନ୍ନାଥ ଶବ୍ଦରେ ଫିଟୁଥିଲା ପହଡ଼।ବାହାରେ ତଥାପି ଚାଲିଥିଲା ବର୍ଷା।
(ଅରବିନ୍ଦ ଦାସ)