Mitali Mohanty

Others Thriller

4.0  

Mitali Mohanty

Others Thriller

ବର୍ଷା ର ସ୍ୱର

ବର୍ଷା ର ସ୍ୱର

3 mins
565


ବାହାରେ ବର୍ଷା ରାଗିଣୀ ତୋଳୁଛି । ରିମ୍ ଝିମ୍ ର ଛନ୍ଦମୟ ସ୍ୱରରେ ଯେପରି ପ୍ରକୃତି ସଂଗୀତମୟ ହେଇଯାଉଛି । ବେଡ଼ରୁମର କିଟ୍ କିଟ୍ ଅନ୍ଧାରରେ ସଙ୍ଗୀତ ତୋଳୁଥିବା ବର୍ଷା ରାତି କିନ୍ତୁ ସୀମାକୁ କ୍ଷତାକ୍ତ ଓ ରକ୍ତାକ୍ତ କରିପକାଉଛି । ଯେବେଠୁ ସେଇ ବର୍ଷା ରାତି ତା’ର ସର୍ବସ୍ବ ଲୁଟି ନେଇଛି ସେବେଠାରୁ ବର୍ଷା ତାକୁ ଅବ୍ୟକ୍ତ ଯନ୍ତ୍ରଣାରେ ଭିଜେଇଛି । ହଁ ଅବ୍ୟକ୍ତ ଯନ୍ତ୍ରଣା ନିଶ୍ଚୟ, ସେ ଘଟଣାର କୋଡ଼ିଏ ବର୍ଷ ବିତିଯାଇଥିଲେ ବି କେବଳ ସୀମା ଓ ତାର ବାପା ମାଆଙ୍କ ଭିତରେ ତାହା ଏକ ଅବ୍ୟକ୍ତ ଦୁର୍ଘଟଣା ହୋଇ ରହିଯାଇଛି । ବର୍ତ୍ତମାନ ସେ ଦୁର୍ଘଟଣାର କୌଣସି ଅସ୍ତିତ୍ବ ନଥିଲେ ବି,ଏକ ପରିପୂର୍ଣ୍ଣ ପାରିବାରିକ ଜୀବନ ବଞ୍ଚୁଥିଲେ ବି ସେ ସମୟର ଦୁର୍ଘଟଣା ସୀମା ପାଇଁ ସ୍ଥିର ହେଇଯାଇଛି ।


ସୀମା ସେତେବେଳକୁ ବାରିପଦା ଏମ.ପି.ସି. ମହାବିଦ୍ୟାଳୟର ବି.ଏ. ଦ୍ୱିତୀୟ ବର୍ଷର ଛାତ୍ରୀ । ଜୁଲାଇ ମାସର ଏକ ରବିବାର ସନ୍ଧ୍ୟାରେ ହୋମ ସାଇନ୍ସ ପ୍ରୋଜେକ୍ଟ ପାଇଁ ଜିନିଷ କିଣିବାକୁ ବଜ଼ାର ଆସିଥାଏ ସୀମା । କିଛି ସମୟ ପରେ ହଠାତ ଆକାଶରେ କଳାହାଣ୍ଡିଆ ମେଘ ଉଠାଇ ବର୍ଷା ପକେଇବାକୁ ଲାଗିଲା । ଧୀରେ ଧୀରେ ଜୋରରେ ବର୍ଷା ହୋଇ ବିଜୁଳି ଘଡଘଡି ମାରିବାକୁ ଲାଗିଲା ଓ ଲାଇନ କଟିଗଲା । ବର୍ଷା ସାଙ୍ଗକୁ ଚାରିଆଡେ କିଟିକିଟି ଅନ୍ଧାର । କେବଳ ମଝିରେ ମଝିରେ ବିଜୁଳିର ଆଲୋକ ରେ ରାସ୍ତା ଘାଟ ବାରିହେଉଥାଏ ଯାହା । ଏକ ଦୋକାନ ବାରଣ୍ଡାରେ ଜାକିଜୁକି ହେଇ ଛିଡ଼ା ହେଇଥିଲା ସୀମା । ଏମିତି କେତେ ସମୟ ଯେ ବିତିଯାଇଛି ତାର ଟିକେ ବି ଖିଆଲ ନଥିଲା ସୀମାର । ସେଇ ଅନ୍ଧାରରେ ହଠାତ ତା ମୁଁହରେ କାହାର ଶକ୍ତ ହାତ ଓ ତାକୁ ଟେକି ନେଉଥିବାର ଅନୁଭବ କରୁଥିଲା ସୀମା । ତା ବିକଳ ଚିତ୍କାର କେବଳ ତା ମୁଁହ ଭିତରେ ସୀମିତ ଥିଲା । କିଛି ସମୟ ଭିତରେ ସେ ନିଜକୁ ଅବିଷ୍କାର କରିଥିଲା ଏକ ନିର୍ମାଣଧିନ କୋଠା ଭିତରେ ଦୁଇଜଣ ସ୍ଥାନୀୟ ଗୁଣ୍ଡାଙ୍କ ମଧ୍ୟରେ । ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିଉଠିଲା ସେ । ତାର କୋମଳ ଦେହକୁ, ପବିତ୍ର ଆତ୍ମାକୁ ଖିନଭିନ କରି ଖାଇଗଲେ ଲୋଲୁପ ମାନେ ।


ସେ କାଳ ରାତ୍ରିର ବର୍ଷା ତା’ ଦେହର ଅପଵିତ୍ରତାକୁ ଧୋଇପାରିନଥିଲା । ସମାଜରେ ସମ୍ମାନହାନିର ଆଶଙ୍କାରେ ସୀମାର ମାଆ ଏ ଦୁର୍ଘଟଣାକୁ ଚପେଇ ଦେବାକୁ ଉଚିତ ମଣିଲେ । ଏପରିକି ଏ ଘଟଣା କାହା ଆଗରେ ନକହିବାକୁ ପରାମର୍ଶ ଦେଲେ ସୀମାକୁ । ସୀମା ଥାନାରେ ଅଭିଯୋଗ କରିବାକୁ ଚାହିଁଲେ ବି ତା’ର ବାପା ମାଆ ଏଭଳି ପଦକ୍ଷେପ ନନେବାକୁ ବହୁତ ବୁଝାଇଲେ । ସମାଜରେ ସମସ୍ତଙ୍କ ଆଖିରେ, କଥାରେ ବିଦ୍ରୁପ, ତାସ୍ଛଲ୍ୟ ଓ ସ୍ଥାନୀୟ ଗୁଣ୍ଡାଙ୍କ ଦୌରାତ୍ମର ଝାମେଲାରୁ ବଂଚି ଏକ ସ୍ୱାଭାବିକ ଜୀବନ ଜୀଇଁବାକୁ ସୀମାର ବାପା ମାଆ ତାକୁ କେତେ ପ୍ରକାର ବୁଝାଇଲେ । ନ୍ୟାୟ ପାଇଁ ଲଢେଇ ବହି ଖାତାରେ ସିନା ସୁନ୍ଦର ଦିଶେ କିନ୍ତୁ ଦୈନନ୍ଦିନ ଜୀବନରେ ଭାରି ବେଖାପ ଲାଗେ । ଆମ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ନ୍ୟାୟ ପାଇଁ କୋର୍ଟ କଚେରୀ ଯିବା ଅର୍ଥ ମାନହାନି, ଅର୍ଥହାନି, ଶାନ୍ତିହାନି ପ୍ରାଣପୀଡା । ପୁଣି ଗୋଟେ ଦୁଷ୍କର୍ମ ପିଡ଼ିତା ପକ୍ଷେ ତ ନ୍ୟାୟ ପ୍ରକ୍ରିୟା ଆହୁରି ବେଦନାମୟ ହୋଇଉଠେ । ତେଣୁ ଚୁପ ରହିବା ସବୁଠାରୁ ଭଲ । ଜୀବନର ବାସ୍ତବତାକୁ ଅତି ନିକଟରୁ ସମ୍ନା କରୁଥିବା ବାପା ମାଆଙ୍କ କଥାକୁ ସମ୍ମାନ ଦେଇ ଶେଷରେ ଚୁପ ରହିଥିଲା ସୀମା ।


ତାର ଦୁଇ ବର୍ଷ ପରେ ଡାକ୍ତର ଶିତେସଙ୍କ ସହ ବାହାଘର ହୋଇଯାଇଥିଲା ସୀମାର । ସ୍ୱାମୀ ସନ୍ତାନ ମାନଙ୍କ ସହ ଖୁସିରେ ଘର ସଂସାର କରୁଥିଲେ ବି ଭିତରେ କେଉଁଠି ନା କେଉଁଠି ନିଜକୁ ସାମ୍ନା କରିପାରୁନଥିଲା ସୀମା ।


ସାଂସାରିକ ଜୀବନର କୋଳାହଳମୟତା ଭିତରେ ବି ସେ ସମୟ ଓ ସେ ଦୁର୍ଘଟଣା ତା ସାମନାରେ ପ୍ରଶ୍ନବାଚୀ ହୋଇ ଝୁଲୁଥିଲା । ସତରେ କଣ ସେ ଚୁପ ରହି ଠିକ କରିଥିଲା? ସତରେ କ’ଣ ନ୍ୟାୟ ପାଇଁ ଲଢେଇ କରିଥିଲେ ଏମିତି ସ୍ୱାଭାବିକ ଜୀବନଟେ ବଂଚିପରିନଥାନ୍ତା ସେ ? ଏମିତି କେତେ କେତେ ଅସମାହିତ ପ୍ରଶ୍ନରେ ତାକୁ ଆକତାମାକତା କରିଦେଉଥିଲା ବର୍ଷା ରାତିର ସ୍ୱର ।


Rate this content
Log in