Gobinda Chandra Sethi

Tragedy

4.5  

Gobinda Chandra Sethi

Tragedy

ବର୍ଷା ଓ ବିରହ

ବର୍ଷା ଓ ବିରହ

5 mins
224



   ମୋ ଘଡି-

   ବର୍ଷାର ସେ ଅନୁଭୂତି, ଅଙ୍ଗେ ଲିଭାଇ ଥିବା କଥା,

ଆଜି ମୋ ମାନସ ପଟରେ ଚିର ଜୀବିତ ହୋଇ ରହିଛି l ବର୍ଷା ଋତୁ ଆସିଲେ ଶୈଶବର ପ୍ରତି ଘଟଣା ଓ ଅଘଟଣା ଗୋଟି ଗୋଟି କରି ମୋ ସମ୍ମୁଖରେ ଚଳଚିତ୍ରର ପରଦା ଉପରେ ଧାଇଁବା ଆରମ୍ଭ କରିଦିଏ l ସେ ସ୍ମୃତି ମୋ ଅଭୁଲା ସ୍ମୃତି l ସେ ବର୍ଷା ମୋ ପିଲାଦିନର ସୁଖ ଦୁଃଖର କାହାଣୀ l ବର୍ଷା ଆସିଲେ ପ୍ରଥମେ ମୋ ଶୈଶବର ଘଡି କଥା ମନେ ପଡେ l ସେ କିପରି ଚାଲିବା ବନ୍ଦ କରିଦିଏ ବର୍ଷାର ଆଗମନରେ l କେତେବେଳେ ଡେରି ଡେରି କହି ସଅଳ ସ୍କୁଲରେ ପହଂଚି ଯାଇଛି ତ ଓ ଆଉ କେତେବେଳେ ଡେରିରେ ଯାଇ ଶିକ୍ଷକଙ୍କ ଠାରୁ ମାଡ଼ ଖାଇଛି l ମୁଁ କେବେ ସ୍କୁଲ ବନ୍ଦ କରେ ନାହିଁ ସବୁବେଳେ ଠିକ ସମୟରେ ଯାଏ l କିନ୍ତୁ ଏ ବର୍ଷା ଓ ବାଦଲ ମୋ ଟିକ ଟିକ ଘଡିକୁ ବନ୍ଦ କରିଦିଏ l ସେ ଘଡି କାନ୍ଥ ଘଡି ନୁହେଁ କି ହାତ ଘଡି ନୁହେଁ l ଆମ ଦୁଆର ମଧ୍ୟରେ ଥିବା ମେଳିର ( ଖୁଣ୍ଟର ) ଛାଇ l ଅର୍ଥାତ ମେଳି ଠାରୁ କେତେ ଦୂରରେ ଛାଇ ହେଲେ ଗାଧେଇବୁ, ଖାଇବୁ ଓ ସ୍କୁଲ ଯିବୁ ସେଇଟା ସେ ନିର୍ଭୁଲ ଭାବରେ କହିଥାଏ l ସୂର୍ଯ୍ୟ ବାଦଲ ଛାଇ ଆଲୁଅର ଲୁଚୁକାଳୀରେ ଓ ବର୍ଷା ମାଡ଼ରେ ମୋ ଘଡି ଆଉ ନଜର ଆସେ ନାହିଁ ଅର୍ଥାତ ସୂର୍ଯ୍ୟ ଘଡି ମୋର କଥା ନ କହି ଲୁଚିଯାଏ l ସେଥିପାଇଁ ମୁଁ ବୋଉ ସହ ଡେରି ହେଲା କହି କେତେ ଝଗଡା କରେ ଓ ସ୍କୁଲରେ ଡେରିରେ ପହଞ୍ଚି ଶିକ୍ଷକଙ୍କ ଠାରୁ ବେତର ମାଡ଼ ଏଯାଏ ମୋ ମନରୁ ଯାଇ ନାହିଁ l


   ମୋ ବିଦ୍ୟାଳୟ -

  ବର୍ଷା କମିଗଲା ପରେ ବସ୍ତାନି ଟାକୁ କାନ୍ଧରେ ପକାଇ ଖାଲି ପାଦରେ ଧାଇଁ ଧାଇଁ ସ୍କୁଲ ଯାଇଛି l କେତେବେଳେ ବର୍ଷାର ଗର୍ଜ୍ଜନରେ ସ୍କୁଲର ଟିଣ ଆଜବେଷ୍ଟ ଶ୍ରେଣୀ ଗୃହଟି ବଡ଼ ଶବ୍ଦ କରି କାନ ଫଟେଇ ଦେଇଛି l କାହାକଥା କାହାକୁ ଶୁଭେ ନାହିଁ l ସହପାଠୀମାନେ ହୋ ହୋ ହେଉଥାନ୍ତି l ଏହାରି ମଧ୍ୟରେ ଆମ ଶିକ୍ଷକ ବଡ଼ ପାଟିରେ ପଢ଼େଇ ଦେଇ ପିରିଅଡ଼ ଶେଷ କରି ଚାଲିଯାନ୍ତି l ଟପ ଟପ ବର୍ଷାର ପାଣି ଟୋପାଟା କେତେବେଳେ ମୋ ଖାତାରେ ପଡି ଲେଖିଥିବା ଉତ୍ତର ଟିକୁ ଲିଭାଇ ଦେଇଛି ତ ଆଉ କେତେବେଳେ କାଳିଲେଖା ଅକ୍ଷର ଗୁଡିକୁ ଭିଜାଇ ଦେଇ ଅକ୍ଷର ଗୁଡିକୁ ମୋଟା କରି ଦେଇଛି l କାରଣ ସେତେବେଳେ ଆମର ଥିଲା "ଝର କଲମ" ଅର୍ଥାତ ଫିରିଙ୍ଗୀ ଭାଷାରେ "ଫାଉଣ୍ଟେନ ପେନ " ର ଯୁଗ l ସେ ସମୟରେ "ଡଟ ପେନ" ବାହାରି ନ ଥିଲା l ଅଧିକ ବର୍ଷାରେ ଶ୍ରେଣୀ ଗୃହ ଚଟାଣ ଯେତେବେଳେ ବର୍ଷା ପାଣିରେ ଭରି ଯାଏ l ସେତେବେଳେ ପ୍ରଧାନ ଶିକ୍ଷକ ବର୍ଷାଦିନ ( Rainy Day ) ଛୁଟି ଘୋଷଣା କରନ୍ତି l ତାପରେ ପିଲାମାନଙ୍କର ଖୁସି ଟା କହିଲେ ନ ସରେ l

କାଳ ବିଳମ୍ବ ନ କରି ବହି ବସ୍ତାନିଟା ସାର୍ଟ ଭିତରେ

ପୁରାଇ ଦେଇ ଆମ ଘରକୁ ଧାଇଁଛୁ l


 ମୋ ବଣି ଚଢେଇ -

  ଘରେ ପହଞ୍ଚିଲା ପରେ ଘରେ ରହିବା ତ ଦୂରର କଥା l ବସ୍ତାନିଟା ଘରେ ଫୋପାଡ଼ି ଦେଇ,ରଫ ଖାତାରୁ କାଗଜ ଖଣ୍ଡେ ଚିରି, ଡ଼ଙ୍ଗା କରି ଗାଁ ଦାଣ୍ଡରେ ବର୍ଷା ପାଣିର ସ୍ରୋତରେ ଛାଡି ଦେଇ , " ଭାସିଯା ମୋର କାଗଜ ଡ଼ଙ୍ଗା ଭାସିଯା.... " ଗୀତରେ ସାଙ୍ଗଙ୍କ ମେଳରେ ଗାଁ ଦାଣ୍ଡ ଫାଟି ପଡିଛି l ବାଦଲର ଆଢୁଆଳେ ସୂର୍ଯ୍ୟଙ୍କର କଅଁର ଖରା ଯେବେ ବେଳେ ବେଳେ ଆସିଯାଏ l ରଙ୍ଗ ବେରଙ୍ଗର କଙ୍କିମାନଙ୍କର ଆଗମନ ମନକୁ ଆହୁରି ଆନ୍ଦୋଳିତ କରି ଦିଏ l ସେମାନଙ୍କୁ ଧରି ତାର ଲାଞ୍ଜକୁ ଗୁଲି ସୂତାରେ ବାନ୍ଧି କେତେଯେ ଧରି ଉଡାଇଛୁ ଏବେ ସେ କଥା ଭାବିଲା ବେଳକୁ ଲାଜ୍ଜ ଲାଗେ l ତାଳଗଛରୁ ବଣି ଚଢେଇ ଛୁଆଟି ଝଡ଼ ତୋଫାନରେ ବର୍ଷାର ପ୍ରକୋପ ସହି ନ ପାରି ଯେତେବେଳେ ତଳେ ପଡିଛି ମୁଁ ତାକୁ ମାଡିବସି ତା ମା ଠାରୁ ଛଡେଇ ନେଇ ମୋ ପଞ୍ଜୁରୀରେ ରଖିଛି l ସେ ସତେ ପୋଷା ମାନିଲା ପରି ସଞ୍ଜେ ସକାଳେ ମୋ ପଛରେ ଘାସ ବିଲରେ କେତେ ଧାଇଁଛି ଓ କେତେ ଝୀଂଟିକା ମାରି ତାକୁ ଖୋଇଛି ତାର ତୁଳନା ନାହିଁ l ବୋଉ ସବୁବେଳେ କହେ ଝୀଂଟିକା ମାରି ବଣି ପୋଶୁଛୁ ତୋତେ ଲାଜ୍ଜ ଲାଗୁନାହିଁ l ଏହାର ମର୍ମ ସେତେବେଳେ ମୁଁ ବୁଝିପାରୁ ନ ଥିଲି l ଏବେ ଭାବିଲା ବେଳକୁ ଲାଜ ସରମ ଲାଗେ ସତ, କିନ୍ତୁ ସେବେକାର ଆନନ୍ଦ ଭୁଲି ହେବନାହିଁ l ମୁଁ ଏକା ନୁହେଁ ମୋ ସାଙ୍ଗମାନଙ୍କର ବି ବଣି ଚଢେଇ ଥିଲା l ଆମ୍ଭମାନଙ୍କ ମଧ୍ୟରେ ବଣିଛୁଆ ପୋଷିବାର ପ୍ରତି ଯୋଗିତା ଥିଲା l ଏବେ ଗାଁରେ ଆଉ କଙ୍କି କି ବଣି ଚଢେଇ କିମ୍ବା ଆମ୍ଭମାନଙ୍କ ପରି ବାପାମାନଙ୍କର ଅମାନିଆ ଗେଲ୍ହା ପିଲା ଦେଖିବାକୁ ମିଳୁ ନାହାଁନ୍ତି l ସବୁ ପରିବେଶ ପରିସ୍ଥିତିରେ ବଦଳି ଯାଇଛି l    


  ଆମ ଘଷି କାଠ -

   ଆଷାଢ଼, ଶ୍ରାବଣର ବର୍ଷାରେ ମୋ ବୋଉ ସାଇତି ରଖିଥିବା ଘଷି, କାଠ କୁଟା ଯେତେବେଳେ ଭିଜି ଯାଏ, ସେତେବେଳେ ଚୁଲି ଧୂଆଁରେ ଫୁଙ୍କି ଫୁଙ୍କି ବୋଉ କେତେ କଷ୍ଟ ପାଇଛି କହି ହେବ ନାହିଁ l ଆଉ ରୋଷଇ ପରେ ଆମ ରାତି ଭୋଜନ ଅତି କଷ୍ଟ ଦାୟକ l ଡିବି, ଲଣ୍ଠନ ଆଲୁଅରେ ଖାଇଲା ବେଳକୁ ଝଡି ପୋକ ଓ ଝୀଂଟିକା ପାଦୁର୍ଭାବ କେତେ ଯେ କଷ୍ଟ ଦାୟକ ଭାବିଲା ବେଳକୁ ଆଜି ଲୋମ ଟାଙ୍କୁରୀ ଦେଉଛି l ବୋଉ ଡିବି ଲଣ୍ଠନକୁ ଦୂରରେ ରଖି ଖାଇବାକୁ କହେ l ଖାଉ ଖାଉ କେତେବେଳେ ଝଡି ପୋକଟା କଂସାରେ ପଶିଯାଇଛି ତ ଆଉ କେତେବେଳ ଥାଳିର ଚାରିପଟେ ବୁଲି ବୁଲି ଚକ୍ରୀ କାଟିବାରେ ଲାଗିଛି l


ଆମ ପକ୍ଷୀଆ-

  ଆଜି କାଲି ପରି ଆମ ପାଖରେ ରେନ କୋର୍ଟ, ରଙ୍ଗ ବେରଙ୍ଗର ଛତା ନ ଥିଲା l ତାଳ ପତ୍ରର ପକ୍ଷୀଆ ଆମ ପାଇଁ ଯଥେଷ୍ଠ ଥିଲା l ସେ ଆଜି ମିଳିବା ସ୍ବପ୍ନ, , କିନ୍ତୁ ତା'ଠାରୁ ସୁରକ୍ଷିତ ବସ୍ତୁ ଆଜି ସଂସାରେ ବିରଳ l ତାକୁ ବ୍ୟବହାର କରି ବିଲରୁ ବାଡ଼ି, ଦାଣ୍ଡ ଦୁଆର ହେଲା ବେଳେ ତା ଭିତରେ କିଏ ଯାଉଛି କେହି ଜାଣି ପାରନ୍ତି ନାହିଁ l ଥରେ ମୁଁ ବାପାଙ୍କୁ ପଚାରିଥିଲି ବାପା ପକ୍ଷୀଆର ଅର୍ଥ କଣ ? ବାପା କହିଥିଲେ ଚଢେଇ ଅର୍ଥାତ ପକ୍ଷୀ l ପକ୍ଷୀଆକୁ ମୁଣ୍ଡରେ ଦେଲେ ଆମେ ପକ୍ଷୀ ଟିଏ ପରି ଦିଶିଵା, ତେଣୁ ତା ନାଁ ପକ୍ଷୀଆ ହୋଇଛି l ସେହି ସମୟସର ମୋ ମନ ଗଢ଼ା ଗୀତଟି ଏବେବି ମୋ ମନେ ପଡ଼େ :-

ଚାଷୀ ଭାଇ ମୁଣ୍ଡେ ରଖି ପକ୍ଷୀଆ

କାମ କରିଯାଏ କେତେ ଅଖିଆ

ବାଆ ବତାସେ ନ ହୋଇ ଛାନିଆଁ 

କରେ ନାହିଁ ହଳ ଲଙ୍ଗଳ ଠିଆ l


ଆମ ମାଟି ଆଟୁ ଘର -

  ଧାରା ଶ୍ରାବଣର ଅମାନିଆ ବର୍ଷା ଆମ "ମାଟି ଆଟୁ" ଚାଳ ଘରକୁ କେତେ ଯେ ଦୋହଲାଇ ଦେଇଛି ଭାବିଲେ ଦୁଃଖ ଲାଗେ l ଚାଳଛପର ଘରଟି ଯେତେବେଳ ବର୍ଷାର କୋପକୁ ସହିପାରେ ନାହିଁ ବର୍ଷା ପାଣି ଚାଳ ଭେଦ କରି ଆମ ମାଟି ଆଟୁ ଉପରେ ପଡେ l ତାପର ଅବସ୍ଥା କହିଲେ ନ ସରେ l ଯେତେବେଳେ ମାଟି ଭିଜିଯାଏ ଆଟୁରୁ ମାଟି ଖଣ୍ଡେ ଖଣ୍ଡେ ଶୋଇବା ସମୟରେ ଉପରେ ପଡିଗଲେ ମନରେ ଛନକା ପଶିଯାଏ l ସେତେବେଳେ ମୋତେ ସୁରକ୍ଷିତ ରଖିବା ପାଇଁ ମୋ ବୋଉ ଖଟ ତଳେ ସପ ଖଣ୍ଡିଏ ପକାଇ ଦେଇ ତା ତଳକୁ ଅନେକ ଥର ଘୋଷାରି ନେଇଛି l ଆଜି ସେ ଘର ନାହିଁ କି ମୋ ବୋଉ ନାହିଁ, ଆଉ ମୋ ବୋଉ ପରି ମା'ର ମମତା ବି ନାହିଁ l ଆଉ ଆମ ପୂର୍ବ ପୁରୁଷର ମାଟିଆଟୁ ଘରଟି ମହାବାତ୍ୟାର ତାଣ୍ଡବରେ ମୋ ବୋଉକୁ ସାଥୀରେ ନେଇ ମାଟିରେ ମିଶି ଯାଇଛି l ମୋ ବୋଉ ଆଜି ସରଗର ଚାନ୍ଦ ପାଖରେ ତାରା ହୋଇ ରହିଛି l ଏହି ଲୋମ ହର୍ଷକାରୀ ସ୍ମୃତି ଅନୁଭୂତିର ବର୍ଷା ଋତୁର କାହାଣୀକୁ ବର୍ଣ୍ଣନା କରି ପିତାମାତାଙ୍କର ଦୁଃଖ ଦୁର୍ଦ୍ଦଶା ମନ ପଡିଗଲେ ଆଖିରେ କେତେ ଯେ ଲୁହ ଆସି ଯାଉଛି, ସେ କଥା ଯିଏ ଅଙ୍ଗେ ଲିଭାଇଛି ଓ ଦେଖିଛି ସେ ହିଁ ଜାଣେ l

   ଅତୀତର ବର୍ଷା ଓ ମୋ ଶୈଶବର ତାଣ୍ଡବର ସ୍ମୃତି ଓ ଅନୁଭୂତିକୁ ନେଇ ଲେଖୁ ଲେଖୁ ଲେଖିଦେଲି ଜୀବନର ଅକୁହା କାହାଣୀ "ବର୍ଷା ଓ ବିରହ" l ସେ ଯାହା ହେଉ ନାଁ କାହିଁକି ବର୍ଷା ହିଁ ଜୀବନ l ବର୍ଷା ଋତୁ ହିଁ ଋତୁ ଶ୍ରେଷ୍ଠ l ବର୍ଷାର ଋତୁ ଚକ୍ରରେ ପ୍ରାଣୀ ଜଗତର ଇନ୍ଦ୍ରଧନୁର ସପ୍ତରଙ୍ଗର ସୁଖ ଶାନ୍ତି ହିଁ ଫେରି ଆସିଥାଏ l ଏହା ହିଁ ଚିରନ୍ତନ ସତ୍ୟ l

           (ଜୟ ଜଗନ୍ନାଥ )



Rate this content
Log in

Similar oriya story from Tragedy