STORYMIRROR

Aravinda Das

Comedy

4.6  

Aravinda Das

Comedy

ବରପୁତ୍ର

ବରପୁତ୍ର

2 mins
1.7K


ଏକ ପ୍ରବାସୀ ଓଡ଼ିଆ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗଭୀର ଚିନ୍ତାରେ ଥିଲେ, ଓଡ଼ିଆ ବରପୁତ୍ର ମାନଙ୍କ ଫଟଚିତ୍ର ଥିବା ପ୍ୟାକେଟକୁ ନେଇ।

ଉତ୍କଳ ଦିବସ ଉପଲକ୍ଷେ କିଛି ଓଡ଼ିଆ ବରପୁତ୍ରମାନଙ୍କ ଫଟୋଚିତ୍ର ଉନ୍ମୋଚନ ନିମନ୍ତେ ,ଓଡ଼ିଶାରୁ ମଗାଯାଇଥିବା କଳାଧଳା ପାଞ୍ଚୋଟି ଫଟ ଓ ସେମାନଙ୍କ ନାମ ଲେଖାହୋଇଥିବା ଷ୍ଟିକର ଅଲଗା ଅଲଗା ଆସିଥିଲା ଓ କେଉଁ ଫଟରେ କେଉଁ ଷ୍ଟିକର ମରାହେବ ତାହା କାହାକୁଜଣାନଥିଲା,କାରଣ ବରପୁତ୍ରମାନଙ୍କୁ ଚିହ୍ନି ପାରୁନଥିଲେ କର୍ମକର୍ତ୍ତାମାନେ।

ପୂର୍ବଦିନ ରାତିରେ ପ୍ରବଳ ବାତ୍ୟା, ଝଡ଼ ତୋଫାନ ଯୋଗୁଁ ସହରରେ ବିଜୁଳି,ଇଣ୍ଟରନେଟ ସେବା ନଥିଲା।

- ଲୋକଟା ଏକଦମ ଅନପ୍ରଫେସନାଲ।ଫଟରେ ନାଁ ନମାରି ପଠେଇଛି।ଇଣ୍ଟେରେନେଟ ଥଲେ ଗୁଗୁଲ ରୁ ଚିହ୍ନି ପାରିଥାନ୍ତା ମଣିଷ।ଦୋଦୋ ଚିହ୍ନା ଲାଗୁଛନ୍ତି ଫଟ ଗୁଡାକ।ଆମ ପିଲାଗୁଡାକ ବି କେଉଁ ଓଡ଼ିଆ ମିଡ଼ିଅମ ରେ ପଢ଼ିଛନ୍ତି ?ସେକ୍ରେଟାରୀ ଚିହ୍ନନ୍ତୁ।" ସଭାପତି କହିଲେ।

- ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ଆମ୍ବେଦକର ଇତ୍ୟାଦିଙ୍କ ଫଟ ଅଫିସରେ ମରାହେଉଛି ବୋଲି ଚିହ୍ନି ଦେଉଛେ।ଗାନ୍ଧୀ,ନେହେରୁ ଇତ୍ୟାଦିଙ୍କୁ ବି ଆରାମରେ ଚିହ୍ନିବି।ହେଲେ ଏ ପୁରୁଣା କଳାଧଳା ଫଟ କଲଚରାଲ ସେକ୍ରେଟାରୀ ଚିହ୍ନନ୍ତୁ।ଉତ୍କଳ ଦିବସରେ ଆମେ ଅପଦସ୍ତ ହେବା।

- ସିନେମା ଷ୍ଟାର କି କ୍ରିକେଟଷ୍ଟାର ର ଯେଉଁ ଫଟ ଦେଖାଅ କହିଦେବି।ତେବେ ଏସବୁ ଫଟ ପୁରା କୌନ୍ ବନେଗା କରୋଡ଼ପତିର ପାଞ୍ଚକୋଟି ଟଙ୍କିଆ ପ୍ରଶ୍ନ ଭଳି।ତେବେ କିଛି ଅସୁବିଧା ହେବନି।ଆମ ମନ ଇଛା ଷ୍ଟିକର ମାରିଲେ ବି ଭୁଲ ଧରିବ କିଏ ?ଆମ ଲୋକଲ ମୁଖ୍ୟଅତିଥି ଅଣଓଡ଼ିଆ ଏବଂ ଏଠାର ଆମ ସଭ୍ୟମାନେ ବି କେଉଁ ଧ୍ୟାନ ଦେଇ ଦେଖିବେ ନା ଚିହ୍ନିବେ ?

- ଯଦି ମୁଖ୍ୟଅତିଥି ପଚାରିବେ ?

- ଫଟ ଉନ୍ମୋଚନ ଓ ମାଲ୍ୟାର୍ପଣ ବେଳେ କହିଦେବା ଏମାନେ ସମସ୍ତେ ଉତ୍କଳ'ର ବରପୁତ୍ର।

ସମସ୍ତେ ଆଶ୍ୱସ୍ତ ହେଲେ।କାର୍ଯ୍ୟକ୍ରମ ହୋଇଗଲା।ପରଦିନ ଓଡ଼ିଶାରୁ ଫଟ ପଠାଇଥିବା ବ୍ୟକ୍ତି ହାତରେ ଅନ୍ୟ ଏକ ପ୍ୟାକେଟ ଧରି ପହଁଚି ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କ୍ଷମାମାଗି କହିଲେ,"ଫଟ ପ୍ୟାକେଟ ଅଦଳବଦଳ ହୋଇଯାଇଛି।"

ବିରକ୍ତ ହୋଇ କର୍ମକର୍ତ୍ତା ମାନେ କହିଲେ,"ଆଚ୍ଛାଲୋକ ଲୋକ ତମେ ?ବିନା ନାମ ରେ ବରପୁତ୍ରମାନଙ୍କ ଫଟ ପଠାଉଛ ?କେତେ ହଇରାଣ ଆମେ ହେଲୁ କାଲି ?ବାତ୍ୟା ଯୋଗୁଁ ଫୋନ ଇଣ୍ଟରନେଟ ସେବା ଏବେ ସୁଦ୍ଧା ବି ବନ୍ଦ।ଦେଖିଲ ଠିକ୍ ନାଁ ଲଗେଇଛୁ ଅଥବା କେଉଁଠି ଭୁଲ ଅଛି ?

ବ୍ୟକ୍ତି ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲା କାନ୍ଥରେ ଫୁଲମାଳ ଦିଆଯାଇ ଟଙ୍ଗାହୋଇଥିବା ନିଜ ସ୍ବର୍ଗତ ଜେଜେ, ବାପା,ଅଜା,ବଡବାପା ଓ ଦାଦା'ଙ୍କ କଳାଧଳା ଫଟ, ଯାହାକୁ ଷ୍ଟିକର ମାରି ବରପୁତ୍ର ମାନ୍ୟତା ଦିଆସରିଥିଲା।

(@ଅରବିନ୍ଦ ଦାସ)


Rate this content
Log in

Similar oriya story from Comedy