STORYMIRROR

Siddhartha Sankar Tripathy

Abstract Romance Inspirational

4  

Siddhartha Sankar Tripathy

Abstract Romance Inspirational

ବୋଉଲୋ ମୁଁ ଟୋକାକୁ ବାହା ହେବି

ବୋଉଲୋ ମୁଁ ଟୋକାକୁ ବାହା ହେବି

5 mins
132


ପ୍ରେମରେ ବୟସ ନଥାଏ , ଉକ୍ତ ଉକ୍ତି ଲେଖକର ଶାଣିତ ଲେଖନୀର ବାରିଧାରାରେ ପ୍ରବାହିତ ହୋଇ ପାଠକ କୂହେ ସୁନ୍ଦର। କିନ୍ତୁ ଏକବିଂଶ ଶତାବ୍ଦୀରେ ପଚିଶ ବର୍ଷର ଯୁବତୀ ସାମ୍ନାରେ ପଞ୍ଚଚାଳିଶ ବର୍ଷର ବ୍ୟକ୍ତିକୁ ଠିଆ କରିଦେଲେ ଯୁବତୀଟିର ପ୍ରେମର ପ୍ରାବଲ୍ୟ ଫିକା ପଡ଼ିଯାଏ। ତା ମନ ଖୋଜିବୁଲେ ଯୁବକ। ସେ ଯୁବକ ଯେମିତି ବି ହୋଇଥାଉ ।

ଭଗବାନ ବି ଏହି ମାନସିକତାକୁ ବଦଳେଇ ପାରିବେ ନାହିଁ। ବୟସ ପ୍ରେମର ମାପକାଠି ନୁହେଁ। କିନ୍ତୁ ବୁଝେଇବ କାହାକୁ, ବୁଝିବ କିଏ ?

ସେମିତି କିଛି ବିଷୟକୁ ନେଇ ଆଜିର କାହାଣୀ । ( ଆଂଶିକ ସତ୍ୟ ଘଟଣା )।

ଜାତୀୟରାଜପଥ କଡର ଗାଆଁଟିଏ। ସାଧାରଣତଃ ଆଜିକାଲିର ଯୁବପିଢ଼ି ଗାଆଁ ନାଆଁ ପ୍ରକାଶ କରିବାରେ କୁଣ୍ଠିତ। କଟକସହରଠାରୁ ଶହେ କିଲୋମିଟର ଦୂରରେ ଥିଲେ ବି କୁହନ୍ତି ଆମ ସହର କଟକ।

ଅଦ୍ଭୂତ, ଅବିଶ୍ଵସନୀୟ , ଅସହ୍ୟ ହୋଇଉଠେ ସେଇ ଗାଆଁ ଯେଉଁଠି ତାର ଜନ୍ମ। ଜନ୍ମ ମାଟିର ନାଆଁ ନେବାରେ ବି ଆମେ କୁଣ୍ଠିତ। ଏହା ଆଜିର ସଂସ୍କୃତି, ଆମର ସଭ୍ୟତା। ବାବୁ, ଆମେ ପରା ଆଧୁନିକ।

ଛୋଟ ଛୁଆଙ୍କୁ ପଢ଼ାଉଥିଲା କୋଲର ଗ୍ରାମର ଯୁବ ଶିକ୍ଷୟିତ୍ରୀ ମୃଣାଳିନୀ। ଛୁଆଟିଏ କହିଲା, ଦିଦି , ତମେ ତ ସେଦିନ ନଦୀ ପଠାରେ ତମ ସାଙ୍ଗ ଆକାଶ ଭାଇ କୁ କହୁଥିଲ ଆମ ଘର କଟକ ।

ହସିଦେଇ ମୃଣାଳିନୀ କହିଲା, ପଢ଼ାରେ ଧ୍ୟାନ ଦିଅ। ଆକାଶ ପାଖ ଗାଆଁର ବାଣିଜ୍ୟ ବିଭାଗର ଛାତ୍ର। କେମିତି କେଉଁ ପରିସ୍ଥିତିରେ ଆକର୍ଷଣ ହୋଇଗଲା ଜଣା ନାହିଁ। ଦୁହିଁଙ୍କ ମନମିଶିଲେ ତ ପ୍ରେମର ଫଲଗୁ ପ୍ରବାହିତ ହୁଏ ମନ ଓ ଶରୀରରେ । ମନରେ ପ୍ରେମର ଫଲଗୁ ବୁହାଇ ପ୍ରେମକୁ ଆଗକୁ ବଢ଼େଇଲେ ପ୍ରେମ ସଫଳ। କିନ୍ତୁ ଶରୀରରେ ପ୍ରେମର ଫଲଗୁ ଵୋହିଲେ ତାହା ଶାରୀରିକ ମିଳନ ଆଡ଼କୁ ଗତିକରେ , ଯାହାକି ଆଜିକାଲିର ପ୍ରେମରେ ପ୍ରାୟତଃ ପରିଲକ୍ଷିତ।

କିନ୍ତୁ ମୃଣାଳିନୀ ଗାଆଁର ଝିଅ, ଶାନ୍ତ ମସ୍ତିସ୍କ ଓ ସୁନ୍ଦର ପରିବେଶରେ ବିତିଛି ତା ଶୈଶବ। ଚୁମ୍ବନ କରିବା ତ ଦୂରର କଥା ସେ ନାଆଁ ଶୁଣିଲେ ଲାଜେଇ ଯାଏ ସେ। କିନ୍ତୁ ଆକାଶ ! ଲୋଭେଇ ଯାଉଥିଲା ମୃଣାଳିନୀର ଟଣା ଟଣା ଆଖି, ପୁରିଲା ବକ୍ଷୋଜ ଓ ସୁନ୍ଦର ଓଠକୁ ଦେଖି।

ଦିନେ ଅଣ୍ଟାରେ ଗରାଧରି ନଦୀକୁ ଯାଉଥିଲା ମୃଣାଳିନୀ। ତା ପାଦର ପାଉଁଜି ନିସ୍ତବ୍ଦତାକୁ ଭଙ୍ଗ କରି ଛମ ଛମ ବାଜୁଥିଲା। ପବନ ବାରମ୍ବାର ଶାଢ଼ି ଉଡ଼େଇ ନେଉଥିଲା। ଲାଗୁଥିଲା ଚଳଚ୍ଚିତ୍ରର ପରୀ।

ସେଇ ବାଟ ଦେଇ ନଦୀବନ୍ଧ ନିରୀକ୍ଷଣ କରିବାକୁ ଯାଉଥିଲେ ଯନ୍ତ୍ରୀ ଅତନୁ। ନଜର ପଡ଼ି ଥମିଗଲା ବୁଲେଟର ଗତି। ନିରବୀଗଲା ତା ଶଦ୍ଦ। କେବଳ ଶୁଭୁଥିଲା ପାଉଁଜିର ଛମ ଛମ ।

ମୃଣାଳିନୀ ଗାଧେଇ ସାରି ଫେରିଲା ଯାଏଁ ଆନେଇଥିଲେ ସେ। ପାଖରେ ପହଞ୍ଚିଗଲା ଗାଆଁ ସାହୁକାର ନରିଆ। ବାବୁ ! କାହାକୁ ଦେଖୁଛ ? ପ୍ରକୃତିସ୍ଥ ହେଲେ ଅତନୁବାବୁ । ନରିଆବାବୁ ପଚାରିଲେ କାହା ଧ୍ୟାନରେ ବ୍ୟସ୍ତ ? ଅତନୁବାବୁ ପଚାରିଲେ ଏହି ଝିଅଟି କିଏ ?

ପାକୁଆ ପାଟିରେ ଦାନ୍ତ ନେଫିଡି ନରିଆ ବାବୁ କହିଲେ, ଓଃ ଏଇ ଆମ ଗାଆଁ ଝିଅ ମୃଣାଳିନୀ। ପାଠ ପଢା ସାରି ଗାଆଁ ଛୁଆଙ୍କୁ ଟୁସନ କରୁଛି। ଭାରୀ ଭଲ ଝିଅ। ଚୁପ୍ ଚାପ୍ ନଦୀବନ୍ଧ ନିରୀକ୍ଷଣ କରି ଚାଲିଗଲେ ଇଞ୍ଜିନିୟର ବାବୁ। ପ୍ରତ୍ୟହ ମୃଣାଳିନୀ ଆସିବା ସମୟରେ ଆସି ପହଞ୍ଚିଯାଆନ୍ତି ନଦୀବନ୍ଧରେ ।

ମୃଣାଳିନୀ ବି ଦେଖେ କିନ୍ତୁ ଚୁପଚାପ୍ ଚାଲିଯାଏ। ନଦୀବନ୍ଧ ଫାଙ୍କା ଥିବା ଦେଖି ଛେପ ଢ଼ୋକି ଢୋକି ଅତନୁବାବୁ କହିଲେ , ହାଏ !

ଆଖି କଟମଟ କରି ଅନେଇ ମୃଣାଳିନୀ କହିଲା , " ହାଣିବି । "

ହଇହୋ , ଜଣା ନାହିଁ କି ଶୁଣା ନାହିଁ କହିଲା କ'ଣ ନା ' ହାଏ । '

ଡରିଗଲେ ଅତନୁବାବୁ । ନିଜକୁ ସହଜ କରି ହସିଦେଇ ମୃଣାଳିନୀ କହିଲା , ମୁଁ ଆପଣଙ୍କୁ ଜାଣେ। ଆପଣ ଜଣେ ଇଞ୍ଜିନିୟର। ମୁଁ ସେମିତି କଥା କଥାରେ କୁହେ।

ଅତନୁବାବୁ କିଛିସମୟ ଗପି ଚାଲିଗଲେ। ପ୍ରତ୍ୟହ ମୃଣାଳିନୀର କିଛି ନା କିଛି ଘଟେ। କେବେ ମୁଣ୍ତ ବିନ୍ଧା ତ କେବେ ଗୋଡ଼। ଆକାଶ ଗୋଡ଼ ମୋଡ଼ିଦେବା, ମୁଣ୍ତ ଚିପିଦେବା ବାହାନାରେ ସ୍ପର୍ଶ କରେ କୋମଳ ଅଙ୍ଗ।

ଲାଜେଇ ଯାଇ ଦୂରେଇ ଯାଏ ମୃଣାଳିନୀ। ସେଲ୍ଫି ନିଏ ଆକାଶ। ଆପତ୍ତି କରେ ମୃଣାଳିନୀ। ବେଳେବେଳେ ମୃଦୁଚୁମ୍ବନ ଦେଇ କ୍ଷମା ମାଗିନିଏ।

ଦିନେ ମୃଣାଳିନୀ ନଥିବା ସମୟରେ ଅତନୁବାବୁ ପହଞ୍ଚିଲେ ତା ଘରେ। ନିଜ ପରିଚୟ ଦେଇ ମୃଣାଳିନୀ ସହ ବାହାଘର ପ୍ରସ୍ତାବ ଦେଲେ। କହିଲେ ମୋ ବୟସ ଅଧିକ, ମୋର କେହି ନାହିଁ ମୁଁ ତମ ଝିଅକୁ ଖୁସିରେ ରଖିବି ଯଦି ତମର ଆପତ୍ତି ନଥାଏ।

ମୃଣାଳିନୀର ବୋଉ କହିଲେ ବାପା ! ଆଜିକାଲିକା ଝିଅ। ହେଲେବି ଝିଅ ଆମ କଥାରୁ ବାଦ୍ ଯିବନି।ଖାଲି ବୟସଟା ......... ଟିକେ ଅଡ଼ୁଆ କଲା। ସାହି ଭାଇ କଥା ଭାବିବାକୁ ବି ହେବ। ହଉ ଆମେ ମୃଣାଳିନୀ ସହ କଥାବାର୍ତ୍ତା କରି ଜଣେଇବୁ।

ଟୁସନରେ ବ୍ୟସ୍ତ ରହି ଥକ୍କି ଯାଉଥିଲା ମୃଣାଳିନୀ। ତାକୁ ପ୍ରସ୍ତାବ ବିଷୟ ନପଚାରି ଅତନୁ ବିଷୟରେ ଖବର ନେଉଥିଲେ ମୃଣାଳିନୀ ପରିବାର। ଅତନୁର ମିଳାମିଶା ବଢ଼ିଲା ମୃଣାଳିନୀ ସହ। ମୃଣାଳିନୀ ସମ୍ମାନ ଦେଉଥିଲା ଓ ହୁଏତ ଆକାଶସହ ପ୍ରେମ ନଥିଲେ କିଛି ଭାବିଥାନ୍ତା।

ପ୍ରେମ ତ ଥରେ ହୁଏ। ତାଛଡ଼ା ଗାଉଁଲି ଝିଅ ଗଣ୍ଠି ପକେଇଛି ଗୋଟିଏ ପ୍ରେମ ତାହା ତାର ଆକାଶ। ତଥାପି ଆଶା ଛାଡ଼ି ନଥିଲା ଅତନୁ। ଭଲ ଝିଅ ଖୋଜି ଖୋଜି ତ ସେ ଅବିବାହିତ।

ବହୁତ ସମୟ ଗପେ ଅତନୁବାବୁ ସହ। ଅଦ୍ଭୂତ ଆକର୍ଷଣ। ଅନନ୍ୟ ଉନ୍ମାଦନା ଅତନୁ ମନରେ । ଖୋଲାଖୋଲି କହିଦିଏ ମୁଁ ତମକୁ ଭଲ ପାଏ। ଆପତ୍ତି ନକଲେ ବି ମୃଣାଳିନୀ ଚୁପ୍ ରହିଯାଏ।

ଚାଲାକ ପ୍ରେମିକ ଦେଖିଲା ଏତେ ବର୍ଷର ପ୍ରେମପରେ ବି ଇଏ ଶୁଖିଲା କାଠ।ଦିନେ ମୃଣାଳିନୀକୁ ଆଲିଙ୍ଗନ କରି ଫୋଟୋ ନେଇଗଲା। ରାଗିଯାଇ ଚାଲିଗଲା ମୃଣାଳିନୀ। ରାତିରେ ମିଠା କଥା ଫୋନରେ କହି ମନେଇ ନେଲା।

ଏପଟେ ଅତନୁ ଦିନରାତି ସ୍ବପ୍ନ ଦେଖୁଥିଲା ମୃଣାଳିନୀକୁ । ସେ ଅନଭିଜ୍ଞ ଥିଲା ମୃଣାଳିନୀର ପ୍ରେମ ବିଷୟରେ। ଧିରେ ଧିରେ ମୃଣାଳିନୀ ତୁଳନା କରିବାକୁ ଲାଗିଲା ଅତନୁ ଓ ଆକାଶକୁ । ଅତନୁର ବ୍ୟବହାର , ଚାଲିଚଳନ ମାର୍ଜିତ। ତା ଶରୀର ଉପରେ ଦୃଷ୍ଟି ନାହିଁ , ଅଥଚ ଆକାଶ ଓଲଟା।

ନିଜ ଗାଲକୁ ନିଜେ ଚାପୁଡ଼ା ମାରିଲା ମୃଣାଳିନୀ। ସେ ଏମିତି କ'ଣ ଭାବୁଛି। ଆକାଶ ତା ପ୍ରେମିକ ତଥା ଭାବୀ ସ୍ୱାମୀ। ଅତନୁ ପର ପୁରୁଷ। ଭାବିବା ବି ପାପ। ନିଜକୁ ସଞ୍ଜତ କରିନିଏ ମୃଣାଳିନୀ।

ସେଦିନ ରବିବାର। ଘରେ ବସିଥିଲା ମୃଣାଳିନୀ। ବୋଉ ପାଖକୁ ଆସି କହିଲେ, ଝିଅ ଲୋ ! ତୋ ପାଇଁ ପ୍ରସ୍ତାବ ଆସିଛି। ପୁଅଟିର ବୟସ ପଞ୍ଚଚାଳିଶ । ଧଡ୍ କରି ମୃଣାଳିନୀ କହିଲା , " *ବୋଉଲୋ ! ମୁଁ ଟୋକାକୁ ବାହାହେବି*। "

ଚୁପ ହେଇଗଲେ ବୋଉ। ଝିଅର ଆପତ୍ତି ଥିଲେ ତ ସେ କିଛି କରିପାରିବେ ନାହିଁ। ଏତେ ସୁନ୍ଦର ଇଞ୍ଜିନିୟର ପ୍ରସ୍ତାବଟା ହାତରୁ ଚାଲିଯିବ।ମୃଣାଳିନୀ ମୁହଁ ଫୁଲେଇ ନଦୀ ପଠାରେ ଚାଲୁ ଚାଲୁ ପାଦଟା ମକଚି ହୋଇଗଲା। କଷ୍ଟରେ ବସିଗଲା ସେ। ହଠାତ ସେଇଠି ଅତନୁ ପହଞ୍ଚି ତାକୁ ଡାକ୍ତରଖାନା ନେଇ ଔଷଧ ଦେଇ ଘରେଛାଡ଼ିଲେ।

ପରଦିନ ସୁସ୍ଥ ନଥିଲେ ବି ପ୍ରେମର ଆକର୍ଷଣ ଟାଣିନେଉଥିଲା ନଦୀ ପଠାକୁ । ଆକାଶସହ ଗତକାଲି ଦେଖା ହୋଇନାହିଁ , ଆଜି ଯେମିତି ହେଲେ ସାକ୍ଷାତ କରିବାକୁ ହେବ ନହେଲେ ସେ କ'ଣ ଭାବିବ ?

ଏପଟେ ଘରେ ପ୍ରସ୍ତାବ ଆଣିଛନ୍ତି , ଏହି ବିଷୟ ଆକାଶକୁ ଅବଗତ କରେଇବାକୁ ହେବ। ଛୋଟେଇ ଛୋଟେ଼ଇ ଚାଲି ଯାଉ ଯାଉ ଦୂରରୁ ଦେଖିଲା ଯୁବକଟିଏ ଯୁବତୀ ସହ କାଶତଣ୍ଡି ବୁଦାରେ ଅନୈତିକ କାର୍ଯ୍ୟରେ ଲିପ୍ତ।

ଜିଜ୍ଞସୁ ଦୃଷ୍ଟିରେ ପାଖେଇଲା ମୃଣାଳିନୀ। ଝିଅଟି ଅଦୃଶ୍ୟ ହୋଇଯାଇଥିଲା। ବୁଦା ଭିତରୁ ବାହାରୁଥିଲା ଆକାଶ। ପାଦ ତଳୁମାଟି ଖସିଗଲା।

ଆକାଶ ! ତମେ ଏଠି !

ନିର୍ଭୟରେ ଆକାଶ କହିଲା, ଆରେ ତମେ ଆସୁଥିବା ଦେଖି ଲୁଚିଥିଲି। ମନରୁ ସେ ଦୃଶ୍ୟ ନିଭି ନଥିଲେ ବି ଅଶୋକ କଥାକୁ ସତ ମଣିଥିଲା ମୃଣାଳିନୀ।ବସି ଗପିଚାଲିଲେ ଦୁହେଁ। ମଝିମଝିରେ ଆଶ୍ଵାସନା ବାହାନାରେ ମୃଣାଳିନୀକୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲା । ମୃଣାଳିନୀ ଆକଟ କରୁଥିଲା।

ଆକାଶ କହି ଉଠିଲା, ସେ ସହରୀ ଇଞ୍ଜିନିୟର ପ୍ରେମରେ ପଡ଼ିଗଲୁ ନା କ'ଣ ? ସେ କୁଆଡେ଼ ତମକୁ ଡାକ୍ତରଖାନା ବାଇକରେ ନେଇଥିଲା। ତମ ଶରୀର ସହ ତା ଶରୀର ସ୍ପର୍ଶ ହୋଇଥିବ ତ ? ତାଛଡ଼ା ତମେ ଏତେ କାହାସହ ଗପୁଛ ସବୁବେଳେ ?

ଚମକି ଉଠିଲା ମୃଣାଳିନୀ। ଏ କି ବ୍ୟବହାର ? ତଥାପି ନରମିଯାଇ କହିଲା, ଏ ଆକାଶ ! ଆମ ଘରକୁ ବାହାଘର ପ୍ରସ୍ତାବ ଆସିବାରେ ଲାଗିଲାଣି। ତମ ଘରେ କହି ପ୍ରସ୍ତାବ ଦିଅ ନା।

ହସି ଉଠିଲା ଆକାଶ । କହିଲା ମୁଁ ତମକୁ ଭଲ ଭାବରେ ଜାଣିନି । ଚମକି ଉଠି ମୃଣାଳିନୀ କହିଲା , ମାନେ ! ତମେ କ'ଣ କହିବାକୁ ଚାହଁ ?

ଆକାଶ କହିଲା ଆରେ ବାବା, ଆମେ ଆଧୁନିକ ଯୁଗର ସନ୍ତାନ। ଜଣେ ଜଣକୁ ଭଲରେ ଜାଣିବା, ପରଖିବା, ଶାରୀରିକ ସଂପର୍କର ମଜା ନେବା, ତାପରେ ବାହାଘର କଥା ଭାବିବା ।

ଆଶ୍ଚର୍ଯ୍ୟ ହୋଇ ଅନେଇଥିଲା ମୃଣାଳିନୀ। ଆକାଶ କହିଲା ଅନେଇଛ କ'ଣ , ଆସ ଏହି କାଶତଣ୍ଡି ବୁଦାରେ ଦୁହେଁ ଦୁହିଁଙ୍କୁ ପରଖିବା କହି ତା ଅଣ୍ଟାରେ ହାତ ରଖି ଭିଡିବାକୁ ଲାଗିଲା ଆକାଶ।

ନିଆଁଖଣ୍ଡ ହୋଇଯାଇଥିଲା ମୃଣାଳିନୀ। କହି ଉଠିଲା , ବଜାରୀ ଟୋକା , କ'ଣ ଭାବିଲୁ ତୁ ? ଇଜ୍ଜତ ଗୋଟିଏ ଝିଅ ପାଇଁ ତା ଜୀବନଠାରୁ ମୂଲ୍ୟବାନ। ସେ ସ୍ଥାନ ଛାଡି ଯିବାକୁ ବସିଲା ମୃଣାଳିନୀ। ଆକାଶ କହୁଥିଲା, ରହ ତୋ ଫୋଟୋ ସବୁ ତୋ ବନ୍ଧୁ ବାନ୍ଧବକୁ ଛାଡ଼ିଦେବି ।

ଯା ବେ ଯା କହି ଘରକୁ ଚାଲି ଆସିଲା ସେ। ବାରଣ୍ଡାରେ ବୋଉ ବସିଥିଲେ। କହିଲେ ଝିଅ ଲୋ ! ଆଜି ତୋ ପ୍ରିୟ ବିଲେଇ ଦୁଇଟି ଛୁଆ ଦେଇଛି। ତୁ ଟୋକାକୁ ବାହାହୁଅ ପଛକେ ଜଲଦି ମୋତେ ଆଈ କରି ଦେ।

ଭୋ ଭୋ କାନ୍ଦୁଥିଲା ମୃଣାଳିନୀ। କହୁଥିଲା ବୋଉ ଲୋ ! ମୁଁ ଟୋକାକୁ ବାହା ହେବିନି । କଣ୍ଟକିତ, ଅଶ୍ଳିଳ ପ୍ରେମ ଏହି ଆଧୁନିକତାର। ତମେ ଯେଉଁଠି ଯେମିତି ଠିକ୍ କରିବ ମୁଁ ବାହା ହେବି।

ବୋଉ କୋଳରେ ମୁଣ୍ତ ରଖି ମୃଣାଳିନୀ କହୁଥିଲା , ନା ଟୋକା, ନା ବୁଢା ! ମାଆ ପ୍ରେମ ହିଁ ଚିରନ୍ତନ, ସ୍ବାର୍ଥ ରହିତ । ହସୁଥିଲେ ମାଆ ଝିଅ । ହସୁଥିଲା ଅନ୍ତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract