STORYMIRROR

Sujata Dash

Tragedy

4  

Sujata Dash

Tragedy

ବୋଉ

ବୋଉ

2 mins
613

ସଞ୍ଜ ନଇଁ ଆସୁଛି ..ଗୋଧୂଳିର ଆସର ଦିଗ୍ବଳୟର ଲଲାଟପଟରେ । ନୀଡ଼ମୁହାଁ ପକ୍ଷୀମାନେ ...ଆକାଶର ବୁକୁଚିରି ଝପଟିଯାଉଛନ୍ତି । ଖଟ ଉପରେ ମୁଁ ଆଉ ମୋର ନିର୍ଜୀବ ଶରୀର ...ନିଜ ଭିତରେ ଅସ୍ତମିତ ଯେମିତି । ବିଷାଦର ନଈରେ ଉବୁଟୁବୁ ମୋର ଆତ୍ମା । ପ୍ରତୀକ୍ଷା...ଜହ୍ନ ଆଲୁଅର । ଏକ ମାଧ୍ୟମ ସିଏ, ମୃତବତ ଜୀବନରେ ସାମାନ୍ୟ ଶିହରଣ ବିଞ୍ଚିଦବାଲାଗି ।

ମୋର ଖୁସି ନହେଲା ନାଇଁ ... ନିଃଶଙ୍ଗ ଆକାଶ ତ ଖୁସି ରେ ଖିଲିଖିଲି ହେଇ ହସି ଉଠିବ..ଆଉ ତାକୁ ଦେଖି ମୁଁ ଟିକେ ଚେଷ୍ଟା କରିବି ହସିବା ଲାଗି ।


ବୋଉ ୟା ଭିତରେ କେତେବେଳେ ଦୀପ ଲଗେଇକି ଚାଲିଗଲାଣି ,କେତେ ଅନ୍ୟମନସ୍କ ମୁଁ...ଜାଣି ପାରିଲିନି । ମୋ କତିରେ ଲଣ୍ଠନଟା ବି ରଖିଦେଇକି ଯାଇଛି, ଆଜି ଦୁଇଘଣ୍ଟା ପାୱାରକଟ ହବ, ମାଇକରେ ଇଲେକ୍ଟ୍ରିଵାଲା ଆନାଉନ୍ସ କରୁଥିଲେ ଖରାବେଳେ । କୁଆଡୁ ଆସେ ତା ଦେହରେ ଏତେ ବଳ?ସବୁ ତ ଭଲ ଜିନିଷ ଆମକୁ ଦିଏ..ଦିନେ ପଚାରିଥିଲି ..କହିଲା "ମୁଁ ପରା ବୋଉ " 


 ଏତେବେଳ ହେଲାଣି ..ଜହ୍ନ କଣ ଆଜି ଆଉ ଆସିବନି? ଏଇ ଦିକି ଦିକି ଜଳୁଥିବା ଲଣ୍ଠନ ପରି ମୋ ଆଶା ଟିକକ କ୍ଷୀଣ ରୁ କ୍ଷୀଣତର ହେଇଯିବ ? ଆଜି ପୁନେଇଁ ଜହ୍ନକୁ କଳାବାଦଲ କଣ ଗ୍ରାସ କରିଯିବ ? ଜକେଇ ଆସିଲାଣି ଆଖି ରେ ଲୁହ...କୋହ ବାକିଅଛି । ବୋଧହୁଏ ସିଏ ଆଉ ଫେରିବେନି...ଏଇ ପୁନେଇଁ ଜହ୍ନ ପରି ପ୍ରତାରଣାର କଳାବାଦଲ ଭିତରେ ଛପିଯିବେ । ସମ୍ପର୍କର କାନଭାସଟି ରଙ୍ଗହୀନ ହେଇଯିବ... ଅତ୍ମୀୟତାର ଅବଶିଷ୍ଟାଂଶ ଲିପିବଦ୍ଧ ସ୍ୱୀକୃତି ର ବାଡଡେଇଁ ମରୁଭୂମିର ହାହାକାର ମଧ୍ୟରେ ଲୀନ ହେଇଯିବ ।


ଦିଟୋପା ଲୁହ ୟା ଭିତରେ ନିଗିଡି ପଡ଼ିଲାଣି ମତେ ଜଣାନାହିଁ ...ମୁଁ ଯେ ଖୋଜିଚାଲିଛି ଏମିତି ଏକ ଏରୁଣ୍ଡିବନ୍ଧ ଯେଉଁଠି ଝୁଂଟିବାର ଆଶଙ୍କାନାହିଁ ।

ପଛରେ ବୋଉ ଠିଆ ହେଇଛି..ପଚାରୁଛି ..କାହିଁକି କାନ୍ଦୁଛୁ କିଲୋ ସନ୍ଧ୍ୟାବେଳଟାରେ? ଦେହ ଭଲଲାଗୁନିକି? ଚାଲେ, ତତେ ଆଉଁସି ଦେବି, ରାତିକି ଟୋପେ ତେଲ ଗରମ କରି ପାଦତଳେ ଘଷିଦେଵି । କହିଲି "ନାଇଁ ଲୋ ..ତୋ ଜୋଇଁ ଫୋନ କରିଥିଲେ ତ ...ତାଙ୍କ ପ୍ରୋମସନ ରେଜଲ୍ଟ ବାହାରିଛି । ସିଏ ଭାରି ଖୁସି । ସେଇ ଖୁସି ରେ ଦି ଟୋପା ଝରି ଆସିଲା ।"


ଦୀର୍ଘନିଶ୍ୱାସ ପକେଇ ବୋଉ କହିଲା.. "ସବୁ ଜାଣେ ଲୋ ଧନ ..ଯା ହଉ ଦି ଟୋପା ଗଡେଇ ଦେଲୁ ଟିକେ ଶାନ୍ତି ମିଳିବ ..ମୋ ଆଖି ଚିପୁଡ଼ିଲେ ବି ଟୋପେ ବାହାରିବନି ..ଝର ଶୁଖିଗଲାଣି.. "ଚା" ତେଣେ ଥଣ୍ଡା ହଉଚି ଆ... ମୁଢି ଦିଟା ପାଟିରେ ପକା, ଟାଇମରେ ଖିଆପିଆ କର...ନିଜକଥା ନହେଲେ ତା କଥା ଟିକେ ଭାବେ । ବେଗି ଆସେ ...ଏତେ ତତେ ଖୁସାମତ କରିପାରିବିନି... 

ଢେର ପାଇଟି ମୋର ଆଗକୁ ଅଛି ।"

 ଯାଏ ,ନହେଲେ ମନ ଦୁଃଖ କରିବ..ନା ନା ..ସିଏ ମନଦୁଃଖ କରି ପାରିବନି .."ସିଏ ପରା ବୋଉ ।"

ଆଉ ମୁଁ ?

ମୋର ବି ତାହାଲେ ଦୁଃଖ କରିବାର ଅଧିକାର ଚାଲିଯିବ ?

ଖାଁ ଖାଁ ଲାଗୁଥିଲା ଚାରିପାଖ

ଥିଲା କେବଳ ଅକଳନ ଶୂନ୍ୟତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy