ବୋଉ
ବୋଉ
ବୋଉ ଏକ ଆବେଗଭରା ଶବ୍ଦ, ଯେଉଁଥିରୁ ବର୍ଷାପରି ଅବାରିତ ସ୍ନେହଝରି ସନ୍ତାନର ହୃଦୟକୁ ସ୍ବର୍ଗୀୟ ଆନନ୍ଦରେ ସିକ୍ତକରେ । ତା ବୋଉକୁ ଝୁରି ହେଉଥିଲା ଶୋଭନା । ଦଶ ବର୍ଷର ଝିଅଟା, ଆଜିକି ପନ୍ଦରଦିନ ହେଲାଣି, କରୋନାରେ ଆକ୍ରାନ୍ତହୋଇ ମରିଗଲେ ତା ବୋଉ । ଘରଟା ଖାଁଖାଁ ଲାଗୁଛି, ଜେଜେ ମାଆଟା ବିଛଣାରେ ପଡିଛି, ବୁଢ଼ୀ, ସେ ବି ଆଉ କେତେଦିନେ ମରିଯିବ । ବୋଉ ତାର ସେବାଯତ୍ନ ସବୁ କରୁଥିଲା, ଏବେ ବାପା ସବୁ କରୁଛନ୍ତି । ସେ କେବଳ ଗଣ୍ଡେ ଖୁଆଇ ଦେଉଛି ଯାହା ତାକୁ । ବୋଉ ଥିଲାବେଳେ ଖୁଆଇଦିଏ ପରା ।
ରୋଷେଇଘରକୁ ଯାଇ ବାପାଙ୍କୁ ପଚାରିଲା ଶୋଭନା, ରୋଷେଇ ସରିଲାଣି ନା ବାପା ? ପଡିଶାଘର ଜେଜେ ଚାହିଁଥବେ, ତାଙ୍କୁ ତରକାରୀ ଟିକେ ଦେଇଆସିବାକୁ ହେବ, ବୋଉ ସବୁଦିନ ଦିଏ ପରା, ଜେଜେ ମାଆକୁ ବି ଭୋକ ହେବଣି । ବାପା ଚାହିଁଥିଲେ ଶୋଭନାକୁ ।
ରାତିରେ ଶୋଇବାକୁ ଚେଷ୍ଟା କରୁଥିଲା ଶୋଭନା, ନିଦ ଆସୁନି, ବୋଉ କଥା ସବୁ ମନେପଡୁଛି । ଡାକ୍ତରଖାନାକୁ ଗଲାବେଳେ ଛଳ ଛଳ ଆଖିରେ କହିଯାଇଥିଲା, ବ୍ୟସ୍ତ ହେବୁନି, ଦୁଇଚାରି ଦିନରେ ଫେରିଆସିବି, ବାପାଙ୍କ ଯତ୍ନ ନେଉଥିବୁ । ଆଉ ଫେରିଲାନି । ତା ବୋଉ ଭାରି ଭଲ, ଦଣ୍ଡେ ନଦେଖିଲେ ତାକୁ, ପାଗଳ ହେଇଯାଏ ଯେମିତି । ସାଇପଡିଶା ଲୋକେ ସମସ୍ତେ ତାକୁ ନିଜର ଭାବନ୍ତି, ସମସ୍ତଙ୍କର ବୋଉ ଯେମିତି ସିଏ । ସମସ୍ତଙ୍କୁ ସ୍ନେହବୋଳା କଥାରେ ବାନ୍ଧିରଖିଥିଲା । ସମସ୍ତଙ୍କ ପେଟପାଟଣା କଥା ବୁଝେ । ରାତି ପାହୁପାହୁ କାଉକୋଇଲିଙ୍କ ପାଇଁ ଦାଣ୍ଡଦୁଆରେ ଖୁଦ ବୁଣିଦିଏ । କେତେ ମଜ୍ଜା,ଗାଁର ସବୁଯାକ କାଉ ନିମିଷକେ ଚାଲିଆସନ୍ତି ତାଙ୍କ ଘରକୁ । ଗରିବଗୁରୁବlଙ୍କଠାରୁ ଆରମ୍ଭ କରି ଭିକାରିପର୍ଯ୍ୟନ୍ତ ସମସ୍ତଙ୍କ ପେଟ ଚିହ୍ନିପାରୁଥିଲା ତା ବୋଉ ।
ରାତିପାହିଲେ ଅନେକ କାମ, ବୋଉର ସବୁକାମ ତାକୁ କରିବାକୁ ପଡିବ ଘର ଝାଡୁଠାରୁ ବାସନ ମାଜିବା ପର୍ଯ୍ୟନ୍ତ । ତଥାପି ନିଦ ଆସୁନି, ବୋଉପାଖରେ ସବୁଦିନ ଶୋଇବା ଅଭ୍ୟାସ, ତା ଉପରେ ବୋଉର ହାତପଡିଲେ ନିଦ ଆସିଯାଉଥିଲା ତାକୁ, ବୋଉକୁ ବି ଏକାଏକା ନିଦହୁଏନି, କହେ, ତୁ ଶାଶୁଘରକୁ ଚାଲିଗଲାପରେ ମୁଁ କେମିତି ଶୋଇବି କେଜାଣି । ମୁଁ କହୁଥିଲି, ମୋ ସାଙ୍ଗରେ ମୋ ଶାଶୁଘରକୁ ଚାଲିଯିବୁ, ସେଇଠି ସାଙ୍ଗହୋଇ ଶୋଇବା । ବୋଉ ହସେ ଜୋରରେ ।
ଦିନବେଳlର ରୋଷେଇ ସରିବାପରେ ଜେଜେମାଆ କୁ ଖୁଆଇସାରି ବାପାଙ୍କପାଇଁ ବlଢିଲା, ବାପlକହିଲେ, ସାଙ୍ଗହୋଇ ଖାଇଦେବା । ମନାକଲା ଶୋଭନା, କହିଲା, ବୋଉମାନେ କଣ ଆଗେ ଖାଆନ୍ତି, ପିଲାମାନଙ୍କ ପରେ ଯାଇ ଖାଏ ସିଏ । ମୁଁ ପରା ତୁମ ବୋଉ, ବୋଉ ଗଲାବେଳେ କହିଯାଇଥିଲା ପରା ମୁଁ ତୁମର ସବୁ ଦାୟିତ୍ୱ ନେବି । ଛଳଛଳ ଆଖିରେ ଶୋଭନାକୁ ଚାହିଁରହିଥିଲେ ତା ବାପା ।
