ବୋଉ
ବୋଉ
ବୋଉର ପ୍ରଥମ ମୃତ୍ୟୁ ଶ୍ରାଦ୍ଧବାର୍ଷିକୀ ଯେତିକି ପାଖେଇ ଆସୁଛି ସେତିକି ମନେ ପଡୁଛି ତା କଥା. ବୋଉମାନେ ଲାଗନ୍ତି ଯେମିତି ଆଜନ୍ମ ଦୁଃଖୀ. କେବେ ପରିବାର କେବେ ସ୍ୱାମୀ କେବେ ସନ୍ତାନ କେବେ ଘର କେବେ ଗୃହପାଳିତ ପଶୁମାନଙ୍କ ପାଇଁ ସବୁ ବୋଉମାନଙ୍କ ଭଳି ମୋ ବୋଉ ଦୁଃଖୀ ହୋଇଗଲା ବେଳେ ମୁଁ ଯେବେ ତା ଦୁଃଖର କାରଣ ପଚାରେ ସେ କହେ ବଡ଼ ହେଲେ ଜାଣିବୁ. ଗାଁ ଘର ଓ ବାପା କରିଥିବା ସହରର ଘର ଉଭୟ ଛାତ ପଡିଲା ପରେ, ଘରକୁ ଟିଭି, ଫ୍ରିଜ, ୱାସିଂ ମେସିନ, ଗିଜର, ଆକ୍ୱାଗାର୍ଡ଼ ଇତ୍ୟାଦି ଲାଗିଲା ପରେ ବି ବୋଉ ଯୋଉ ଦୁଃଖୀକୁ ସେଇ ଦୁଃଖୀ. ବାପାଙ୍କ ସହ କଥା ହୋଇ ତାକୁ କିଛି ଦିନ ଗାଁକୁ ଛଡାଯାଏ କାଳେ ମନ ପରିବର୍ତ୍ତନ ହେବ!ତାର ମଧ୍ୟ ଗାଁରେ କାମ ପଡେ ଅନେକ ଥର ଯେମିତିକି ଧାନତଳିପକା , ଧାନବୁଣା, ଧାନରୁଆ, ଧାନକଟାଠୁ ଆରମ୍ଭ କରି ମାଣବସା, ମାଣଉଜୁଆଁ, ମାଣଧାନ ଜାଉ ଖିଆ ସହ ଦୋଳପୂନିଅଁ ଦିଅଁଭୋଗ ଖିଆ ସବୁଥିରେ ବୋଉ ଦରକାର. ସୁରୁଖୁରୁରେ ଲୋକ ବା ପ୍ରଜାଙ୍କୁ ଖାଇବା ପିଇବା ଦେଇ ସେଇଦିନତକ ଗାଁରେ ରହି ସେ ଖୁସି ଥିବ ବୋଲି ଭାବିଲା ବେଳକୁ ମନମାରି ବସିଥିବ ଖଳାବାରିରେ କେବେ ତ କେବେ ଆମ ଗାଁ ଘରର ସାତପୁରୁଷି ଷଷ୍ଠୀ ଘରେ. ବାପା ଯାଇ ସହର ଘରକୁ ନେଇ ଆସିବା ପର୍ଯ୍ୟନ୍ତ ଅସ୍ଥିର ହେଉଥାଏ ବୋଉ.ନେଇଆସିବା ପରେ ବଡପୁଅର ଚାକିରୀ ପାଇଁ ଅଖଣ୍ଡ ଦୀପ ଜାଳୁଥିବ କେବେ ତ ବଡ଼ଝିଅର ବାହାଘର ପାଇଁ ଦୀପ ଜାଳି ଲାଲ ସଜ ଗୋଲାପ ଦେଉଥିବ ପାଦ ପଦ୍ମରେ . ମୁଁ ପଚାରେ ଭାଇର ତ ଚାକିରୀ ହୋଇଗଲା ଅପାର ତ ବଡଘରେ ଇଞ୍ଜିନିଅର ଜୋଇଁ ସହ ବାହାଘର ହୋଇଗଲା ତୁ ଆଉ ମନଦୁଃଖ କାହିଁକି କରୁଛୁ ବୋଉ? ବୋଉର ସେଇ ଏକା ଉତ୍ତର ତୁ ବଡ଼ ହେଲେ ଜାଣିବୁ ବା ଏଣିକି ମୁଁ ବଡ଼ ହେଲିଣି ଭାବି କହୁଥିଲା ତୁ ମାଆ ହେଲେ ଜାଣିବୁ.
ମୋର ମଧ୍ୟ ସୁରୁଖୁରୁରେ ବାହାଘର ହୋଇଗଲା. ବାହାଘର ପରେ ମଧ୍ୟ ମୋର ସବୁବେଳେ ବୋଉର ଉଦାସୀ ଚେହେରା ଭିତରେ ତାର ଦିବ୍ୟ ଅନୁଭବ ଦିଶିଯାଉଥିଲା. ବୋଉର ଐଶ୍ବର୍ଗୀକ ଭକ୍ତି,ଦିବ୍ୟ ଅନୁଭବର ନିଷ୍ଠା, ଚେଷ୍ଟା ଓ ପ୍ରଚେଷ୍ଟା ପାଇଁ ତ ଆମ ପରିବାର କେଡେ କେଡେ ଦୁର୍ଯୋଗକୁ ଫୁଟୁକି ମାରି ଉଡେଇ ଦେଇ ଆଗକୁ ବଢୁଥିଲୁ ହେଲେ ତଥାପି ବୋଉର ଦୁଃଖୀ ଦୁଃଖୀ ଚେହେରାର କାରଣ ଏବେ ଠିକ ବୁଝୁଥିଲି ମୁଁ କେବେ ସନ୍ତାନ ପ୍ରାପ୍ତି ପାଇଁ ତ କେବେ ସନ୍ତାନ ସୁରକ୍ଷା ପାଇଁ କେବେ ସ୍ୱାମୀଙ୍କ ମଙ୍ଗଳ ପାଇଁ ତ କେବେ ସ୍ୱାମୀଙ୍କ ପ୍ରମୋଶନ ପାଇଁ ପୁଣି କେବେ ଶାଶୁ ଶଶୁରଙ୍କ ନିରୋଗ ରହିବା ପାଇଁ ତ କେବେ ନିଜ ପିତୃଆଳୟରେ ବାପା ବୋଉଙ୍କ ନିରୋଗ କାମନା କଲାବେଳେ .ନିକଟରେ ଶାଶୁଘର ଥିଲା ତ ଭଲ ମନ୍ଦ ପୁନେଇଁ ପରବରେ ବୋଉ ପାଖକୁ ଯାଉଥିଲି. ତା ପଣତରେ ଥରେ ମୁହଁ ପୋଛି ଦେଇ ସ୍ୱର୍ଗସୁଖ ଅନୁଭବ ସବୁକୁ ଛାତି ତଳ ରୂପା ଫରୁଆରେ ଭରି ଫେରି ଆସିବା ବେଳେ ବୋଉର ମୁହଁ ସାରା ଦୁଃଖର କଳାବାଦଲ ବର୍ଷି ଯାଉଥାଏ ମୁକ୍ତା ହୋଇ. କାହିଁକି କାନ୍ଦୁଛୁ ବୋଉ, ମୁଁ ତ ପାଖରେ ଅଛି, ଭାଇ ଓ ଅପା ତ ତାଙ୍କ ସଂସାରରେ ଭଲରେ ଅଛନ୍ତି. ତୋ ପାଖେ ପାଖେ ବାପା ଅଛନ୍ତି ତୋର ଦୁଃଖ କଣ ବୋଉ? ଫେରିପଡିବା ପୂର୍ବରୁ ବୋଉର କାନ୍ଦ କାନ୍ଦ ମୁହଁ ଚାହିଁଥାଏ ଆମକୁ ଅଦୃଶ୍ୟ ହେବା ଯାଏଁ.
ସେଦିନ ହଠାତ ବୋଉ ଚାଲିଗଲା. ଶଙ୍ଖା ଶାଢ଼ୀ ସିନ୍ଦୁର ଭିତରେ ଆମ ବୋଉ ଦେବୀଟିଏ ପରି ଦେଖାଯିବା ସହ ଓଠରେ ହସ ଧାରେ ଲାଗିଥିବା ଦେଖି ଚମକି ପଡି ବୁଝିଯାଇଥିଲି ବୋଉମାନଙ୍କର ଶେଷ ଇଛା ଏହି ସଧବା ସିନ୍ଦୁର ନେଇ ଯିବାପାଇଁ , ସ୍ୱାମୀ ସନ୍ତାନଙ୍କୁ ଚାରିପାଖେ ଖୁସିରେ ବସାଇ ଫେରିଯିବା ପାଇଁ ଚିନ୍ତା ହିଁ ବୋଉମାନଙ୍କୁ ଜୀବନ ସାରା ଦୁଃଖୀ କରିଥିବା ବେଳେ କେତେଜଣଙ୍କୁ ଏ ସୌଭାଗ୍ୟ ମିଳେ!ଦଉଡିଯାଇ ବାଡ଼ିରୁ ସଜ ଗୋଲାପ ତୋଳି ଆଣି ବୋଉ ଉପରେ ସଜାଇ ରଖି ବୋଉକୁ ଶେଷ ବିଦାୟ ଦେଇଥିଲି. ଭାଉଜ, ଭାଇ ଓ ଅପା ସହ ବାପା କାନ୍ଦି କାନ୍ଦି ଶେଷକୃତ୍ୟ କର୍ମ ପାଇଁ ବିଳମ୍ବ କରୁଥିଲା ବେଳେ ମୁଁ ସମସ୍ତଙ୍କୁ ପ୍ରବୋଧନା ଦେଇ ଖୁସି ଖୁସିରେ ବୋଉର ମରଦେହଟାକୁ ଶେଷ ସଵାରୀ ଯାଏଁ ନେଇଯିବାର ଦୃଶ୍ୟରେ ଘରଲୋକ ଚକିତ ତଥା ସ୍ତବ୍ଧ ହୋଇଯାଇଥିଲେ.
ଆଜି ମୃତ୍ୟୁ ବାର୍ଷିକୀରେ କିନ୍ତୁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡୁଥିଲି ମୁଁ. ମୋ ଝିଅର ସଫଳତା ବୋଉ ଦେଖିଲା ନାହିଁ. ମୋ ପୁଅକୁ ତା ଆଈ ସୁଖ ମିଳିଲା ନାହିଁ. ମତେ ସାନ୍ତ୍ୱନା ଦେବାକୁ, ଜୀବନର ଅନେକ ସତକୁ ସାହାସର ସହିତ ସାମ୍ନା କରିବାକୁ,ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଶିକ୍ଷା ଦେବାକୁ ବୋଉ ନାହିଁ .ବୋଉ ଆଖିର ଅକୁହା ଭାଷାରେ, ଲୁହର ନିଗିଡିଯିବାରେ,ଓଦା ପଣତର ଧୂଆଁଳିଆ ଗନ୍ଧରେ କେତେ କେତେ ଜୀବନର ସତ୍ୟ ଉପଲବ୍ଧ ତାହା ଆଉ କୋଉଠୁ ମିଳିବ? ତଥାପି ତା ହାତ ଲଗା କଦଳୀ ଗଛ, ଅମୃତ ଭଣ୍ଡା ଗଛ, ସଜନା ଗଛରେ ଫଳ ଭର୍ତ୍ତି. କଦଳୀ, ଛୁଇଁ, ଅମୃତଭଣ୍ଡା ସହ ଜାତି ଜାତି ଫୁଲ ଭିତରେ ଲାଲ ଲାଲ ସଜ ଗୋଲାପ ଫୁଲ ଗୁଡିକ ଭିତରେ କେବେ ବୋଉର ଦୁଃଖୀ ଉଦାସୀ ମୁହଁ ଦିଶୁଥିଲା ତ କେବେ ବୋଉର ବିଦାୟୀ ବେଳାର ଶେଷ ହସ ଧାରକ ନେଇ ହସୁଥିଲା ଲାଲ ସଜ ଗୋଲାପ.
