ବୋକା ତୁମେ ନୁହେଁ ମୁଁ
ବୋକା ତୁମେ ନୁହେଁ ମୁଁ
ସତ୍ୟବାଦୀ ବନବିଦ୍ୟାଳୟରେ ଦିନକର ଘଟଣା । ସେଠାରେ ପଂଚସଖା ରୂପେ ପରିଗଣିତ ଗୋପବନ୍ଧୁ ଦାସ, ଗୋଦାବରୀଶ ମିଶ୍ର, ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଓ କୃପାସିନ୍ଧୁ ମିଶ୍ର ଶିକ୍ଷକତା କରୁଥାନ୍ତି ।
ଥରେ ନୀଳକଣ୍ଠ ଦାସ ତଳ ଶ୍ରେଣୀର ଛାତ୍ରମାନଙ୍କୁ ଭୂଗୋଳ ପାଠ ପଢାଉଥାନ୍ତି । ପାଠପଢା ଶେଷରେ ପିଲାମାନେ ଶିକ୍ଷାଦାନରୁ କିଛି ବୁଝିପାରିଲେ କି ନାହିଁ ତାହା ଜାଣିବା ପାଇଁ ସେମାନଙ୍କୁ କିଛି ବୋଧଗମ୍ୟ ପ୍ରଶ୍ନ ପଚରାଗଲା । ଶ୍ରେଣୀର ପିଲାମାନେ ଠିକ୍ ଉତ୍ତର ଦେଲା ପରେ ଗୋଟିଏ ପିଲା କୌଣସି ପ୍ରଶ୍ନର ଉତ୍ତର ଦେଇପାରିଲା ନାହିଁ । ଏହାର କାରଣ ଥିଲା ସେ ବିଷୟଟିକୁ ଭଲଭାବରେ ବୁଝିନଥିଲା ।
ମାତ୍ର ଶିକ୍ଷକ ନୀଳକଣ୍ଠ ଦାସ କିଛି ନବୁଝି ନଶୁଝି ସେ ପିଲାଟି ଉପରେ ବିରକ୍ତ ହୋଇ ତାକୁ ବୋକାଟିଏ ବୋଲି କହି ଅନ୍ୟ ପିଲାଙ୍କ ଆଗରେ ତାକୁ ଅପମାନ ଦେଲେ । ତା’ପରେ ସେହି ଅଧ୍ୟାୟଟିକୁ ଆଉ ଥରେ ସେ ବୁଝାଇଦେଲେ । ତେବେ ବି ସେ ଛାତ୍ରଟି ପୂର୍ବପରି ସେମିତି ନିରବ ରହିଲା । ଶେଷରେ ନୀଳକଣ୍ଠ ଉକ୍ତ ଛାତ୍ରଟି ଉପରେ ଅଧିକ ବିରକ୍ତ ହୋଇ ପିରିୟଡ ନସରୁଣୁ ସେ ଶ୍ରେଣୀ ଛାଡି ଚାଲିଗଲେ । କେତେବେଳେ ବି ରାଗୁ ନଥିବା ଶିକ୍ଷକଙ୍କ ମୁହଁରେ ଏତେ ରାଗ ଦେଖି ପିଲାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ ।
ସେଦିନ ନୀଳକଣ୍ଠ ବସାକୁ ଫେରିଲେ ସିନା, ହେଲେ ତାଙ୍କ ମନରେ ଆଦୌ ସୁଖ ନଥାଏ । ତେଣୁ ତାଙ୍କୁ ରାତିରେ ଖାଇବାକୁ ରୁଚିଲା ନାହିଁ କି ଭଲ ନିଦ ବି ହେଲା ନାହିଁ । ଖାଲି ସବୁବେଳେ ସେଇ ଛାତ୍ରଟି କଥା ତାଙ୍କର ମନକୁ ଆସିଲା । ତା’ପରେ ସେ ନିଜକୁ ନିଜେ ପ୍ରଶ୍ନ କଲେ, କାହିଁକି ପିଲାଟି ତାଙ୍କ ଶିକ୍ଷାଦାନକୁ ବୁଝିପାରୁ ନାହିଁ? କାହିଁକି ସେ ତାଙ୍କର ପ୍ରଶ୍ନର ଉତ୍ତର ନ ଦେଇ ନିରବରେ ବସି ରହୁଥିଲା? ଏମିତି କେତେକଥା ଭାବି ଭାବି କେତେବେଳୁ ଯେ ରାତି ପାହି ଗଲାଣି ସେ ମୋଟେ ଜାଣିପାରି ନାହାଁନ୍ତି ।
ପରଦିନ ସକାଳୁ ସକାଳୁ ନୀଳକଣ୍ଠ ସ୍କୁଲ୍ ଲାଇବ୍ରେରୀକୁ ଯାଇ କେତେଖଣ୍ଡ ଭୂଗୋଳ ବହି ସଂଗ୍ରହ କରି ନିଜେ ବସି ଭଲଭାବରେ ପଢିଲେ । ପୁଣି ସେହି ପାଠକୁ ଶ୍ରେଣୀରେ ଅତି ପ୍ରାଞ୍ଜଳ ଭାବରେ କଳାପଟାରେ ଛବି ଆଙ୍କି ପଢାଇଲେ । ତା’ପରେ ସେ ପୂର୍ବରୁ ପଚାରିଥିବା ପିଲାଟିକୁ ଠିକ୍ ସେହି ପ୍ରଶ୍ନ ପଚାରିବାରୁ ସେ ତୁରନ୍ତ କହିଦେଲା ।
ତହୁଁ ନୀଳକଣ୍ଠ ନିଜର କାନମୋଡି ଦୁଇଗାଲକୁ ଚାପୁଡା ମାରି ଶ୍ରେଣୀରେ ପିଲାଙ୍କ ଆଗରେ କହିଉଠିଲେ, “ବୋକା ତୁମେ ନୁହେଁ, ବୋକା ମୁଁ ।”
ପ୍ରକୃତରେ ନୀଳକଣ୍ଠ କାହିଁକି, ସତ୍ୟବାଦୀ ବନ ବିଦ୍ୟାଳୟର ସେତେବେଳର ସମସ୍ତ ଶିକ୍ଷକ ଥିଲେ ଜଣେ ଜଣେ ପରିଶ୍ରମୀ ଶିକ୍ଷକ, ଯାହା କି ଆଜିର ମାନବ ସମାଜରେ ଦେଖିବାକୁ ବିରଳ । ଜଣେ ପ୍ରକୃତ ଶିକ୍ଷକ ହେଉଛନ୍ତି ସିଏ ଯିଏ କି ସବୁବେଳେ ଛାତ୍ରଟିଏ ଭଳି ବହିପଢି ଜ୍ଞାନ ସଂଗ୍ରହ କରିଥାନ୍ତି । ଜଣେ ଜ୍ଞାନୀଲୋକ ବୋଲି ତାଙ୍କ ମନରେ ମୋଟେ ଗର୍ବ ନ ଥାଏ ।
