ବୋହୁ ହେଵତ ଏମିତି
ବୋହୁ ହେଵତ ଏମିତି
ପ୍ରୀତି ଓ ପିୟୁଷ ଗୋଟିଏ ଛାତ ତଳେ ଅଣନିଶ୍ଵାଶୀ ହୋଇପଡୁଥିଲେ. ଆଜିକାଲିର କଥା ନୁହେଁ ଜୀବନ ଆରମ୍ଭରୁ ଚାଲିଛି ଜୀବନ ଗଣିତ. ପିୟୁଷ ଯାହା ହେଲେ ପୁରୁଷ ଲୋକ.ବାହାରେ ସାଙ୍ଗ ସାଥି ମେଳରେ ସମୟ କଟିଯାଏ ତାଙ୍କର ହେଲେ ଅବସର ପରେ ପ୍ରୀତିଙ୍କ ସମୟ କଟୁନି ଭଲରେ. ଚାକିରୀ ଭିତରେ ପରିବାର, ଘରତୋଳା ସାଙ୍ଗକୁ ଛୋଟ ପୁଅ ଝିଅ ଦୁଇଟାଙ୍କୁ କେତେ ଯେ କଷ୍ଟରେ ବଡ଼ କରିଛନ୍ତି କେବଳ ଅନୁଭଵୀ ହିଁ ବୁଝିପାରେ. କେତେ ସ୍ବପ୍ନ ଭିତରେ ଘରତୋଳା ଭିତରେ ଆଉଟି ପାଉଟି ହେଉ ହେଉ ଏଣେ ଚାକିରୀରେ ଥିବା କର୍ତ୍ତବ୍ୟ ଓ ପିଲାଦୁଇଟିଙ୍କର ଦାଇତ୍ୱ ନେଉ ନେଉ ସମୟ ଚାଲିଗଲା ତା ବାଟରେ. ଘର ତୋଳା ସରିବା ବେଳକୁ ଝିଅର ପାଠ ପଢା, ଚାକିରୀ ଓ ବିବାହ ସରିଥିଲା. ଶୁନ୍ୟ ଘରଟାରେ ପୁଅ ବୋହୁ ନାତି ନାତୁଣୀ ଖେଳେଇବାର ସ୍ବପ୍ନ ଦେଖୁ ଦେଖୁ ପୁଅ ବଡ଼ ହୋଇ, ପୁନେରେ ଚାକିରୀ ପାଇ ସେଇଠି ତା ପସନ୍ଦରେ ବିବାହ ଖବରରେ ନୂଆ ଦୁଇମହଲା ଘରଟାର କାନ୍ଥ ଗୁଡାକ ସତେ ଯେମିତି ଖଣ୍ଡ ଖଣ୍ଡ ହୋଇ ଫାଟି ଆଁ କରିଗଲା. ସେତେପର୍ଯ୍ୟନ୍ତ ଚାକିରୀ ଥିବାରୁ ଛାତି ତଳ କୋହ ଓ ସଂସାରର ମୋହ ଜୀବନ ଗଣିତର ହରଣ ଗୁଣନ ହୋଇ ଭାଗଶେଷ ଖାଲି ଥିଲା ଅବସର ପରର ଏତେ ବଡ଼ ଘରଟାରେ ଶୁନ୍ୟତା.।
ସକାଳୁ ସକାଳୁ ବହେ କାନ୍ଦିବାକୁ ଇଛା ହୁଏ. କାନ୍ଦିଲେ ଆଗରୁ ବିରକ୍ତ ହେଉଥିବା ସ୍ୱାମୀ ଏବେ ଦରଦୀ ହୁଅନ୍ତି. ମନର ବେଦନାକୁ ପଢ଼ନ୍ତି ସତ ହେଲେ ମାଆ ମନ ବୁଝୁନଥାଏ ପ୍ରୀତିଙ୍କର. କେବେ ପିଲାମାନଙ୍କୁ ଅଣହେଳା କରିଛି ଭାବନ୍ତି ତ କେବେ ନିଜ ହାତରନ୍ଧା ଠିକ ଠାକ ପରଷିପାରିନି ମୋ ପିଲା ଦୁହିଁଙ୍କୁ ଭାବି ଉଦାସ ହୁଅନ୍ତି. କିଛି କଥା ପିୟୁଷଙ୍କୁ କହି ମନ ହାଲକା କରନ୍ତି ତ କିଛି କଥା ଢ଼ୋକି ଦିଅନ୍ତି ଯୋଉଥିପାଇଁ ବହୁ ରକ୍ତଗତ ରୋଗ ପ୍ରୀତିଙ୍କର. ଏମିତିକି ଝିଅ ବାହାଘର ପରେ ତା ବୁଢ଼ୀ ଆଈଶାଶୁ ଚାଲିଯିବାରୁ ଷୋଳମଙ୍ଗଳା ପର୍ଯ୍ୟନ୍ତ ଘରେ ପାଳିତ ଵିଧି ବିଧାନ ହୋଇପାରିନଥିବାରୁ ଝିଅ ଶାଶୁଘର ଲୋକମାନେ ଓ ତାଙ୍କ ପରିବାର କେବେ ଦୁଃଖ କରୁଥିଲେ ହେଲେ ଏବେ ପ୍ରୀତି ଦୁଃଖିତ ହୁଅନ୍ତି ବେଶୀ କାରଣ ଏକମାତ୍ର ଝିଅ ଭଳି ଏକମାତ୍ର ପୁଅ ପାଇଁ ମନଲାଖି ବୋହୁ ଆଣିହେଲାନି କି ପୁଅର ବାରାତି ଗଲାନି, ପୁଅ ତାଙ୍କର ଜୋଇଁ ବେଶ ହେଲାନି କି ବେଦୀ ଉପରେ ଷୋଳ ମଙ୍ଗଳା ଯାଏଁ ଵିଧି ବିଧାନ ହେଲାନି. ପୁଣି ପୁଅ ଝିଅଙ୍କୁ ମଣିଷ କରୁ କରୁ ଯାହା ଖର୍ଚ୍ଚ ତା ଠାରୁ ଅଧିକା ଖର୍ଚ୍ଚ ଓ ଲୋନ କରି ଜୀବନର ସଞ୍ଚିତ ଅର୍ଥ ଓ ଲୋନର ମିଶାଣ ଫେଡ଼ାଣରେ ହୋଇଥିବା ଘରଟା ମଧ୍ୟ ଶୁନ୍ୟ ମହଲ ରୂପେ ଠିଆ ହୋଇ ଭୂତକୋଠି ପରି ଲାଗୁଛି.।
ଅନୁଭବସମ୍ପନ୍ନ , ସପରିମାଣଦର୍ଶୀ, ଶହନଶୀଳ ସ୍ୱାମୀ ବୁଝିଲେ ପ୍ରୀତିଙ୍କ ଅନ୍ତର କଥା. ଲଗାଇ ଦେଲେ ଘର ଆଗରେ ସାଇନ ବୋର୍ଡରେ 'ଟୁ ଲେଟ' ବିଜ୍ଞାପନ. ଵିଜ୍ଞାପନ ଲାଗିବାର ଦିନ ଚାରିଟା ହୋଇନି ଅନୁ ଦାସ ତାଙ୍କ ଛୋଟ ଛୋଟ ପୁଅ ଝିଅ ଦୁଇଟିକୁ ଧରି ପହଁଚିଲେ. କଲିଂ ବେଲ ମାରି ଅପେକ୍ଷା କରିଥିବା ମାଆ ଓ ପୁଅ ଝିଅ ଦୁଇଟିଙ୍କୁ ଦେଖୁ ଦେଖୁ ପ୍ରୀତି କହିଲେ ଆମ ଉପର ଘର ଖାଲି ଅଛି. ବିନା ସଂକୋଚରେ ଅନୁ ଦୁହିଁଙ୍କୁ ମୁଣ୍ଡିଆ ମାରି ଉପରକୁ ଉଠିଲେ, ସତେ ଯେମିତି ଏ ଘର ଲୋକ ଘରକୁ ଫେରିଛି. ଇତସ୍ତତଃ ହେଲେ ପିୟୁଷ କିନ୍ତୁ ଛୁଆ ଦୁଇଟାଙ୍କୁ ଦେଖୁ ଦେଖୁ ପ୍ରୀତି କହୁଥିଲେ ଠିକ ଆମ ଜିଟୁ ରିଟୁଙ୍କ ଭଳି ହୋଇଛନ୍ତି. ପିଲା ଦୁହେଁ ପ୍ରୀତି ଓ ପିୟୁଷଙ୍କୁ ମୁଣ୍ଡିଆ ମାରି କହୁଥିଲେ ନାହିଁ ଜେଜେ ଜେଜେମା ଆମେ ଡୁଗୁ ଓ ଗୁଡ଼ୁ. ଏଁ ଜେଜେ ଜେଜେମା!ଆସିଲ ଆସିଲ ଧନ କହି କୋଳେଇ ନେଲେ ପ୍ରୀତି ଦୁହିଁଙ୍କୁ. କିନ୍ତୁ ଆଶ୍ଚର୍ଯ୍ୟ ହେଲେ ପିୟୁଷ ଯେବେ ଅନୁ ପ୍ରତିଦିନ ଉଠିଲା ପରେ ଦୁହିଁଙ୍କୁ ପ୍ରଣାମ କରୁଥିଲେ, ତୁଳସୀ ପୂଜା ସାଙ୍ଗକୁ ଠାକୁର ଘରେ ଅନଧିକାର ପ୍ରବେଶ କରି ପୂଜା କରିବା ପରେ ଚା କରି ପ୍ରୀତି ଓ ପିୟୁଷଙ୍କୁ ବଢ଼ାଇ ଦେଉଥିଲେ. ଅଫିସ ଯିବା ପୂର୍ବରୁ ପିଲାଦୁହିଁଙ୍କୁ ସାଙ୍ଗରେ ନେଇଯିବା ସହ ରୋଷେଇ କରି ପ୍ରୀତି ଓ ପିୟୁଷଙ୍କ ପାଇଁ ଘୋଡେଇ ରଖିନେଇ କହୁଥିଲେ ଖାଇନେବେ. ଆଁ କରି ପ୍ରୀତି ଚାହିଁଥିଲେ ଅନୁଙ୍କୁ. ପଚାରିବାକୁ ସାହସ କରିପାରୁନଥିଲେ ତୁମ ହାତରେ ଚୁଡ଼ି ମଥାରେ ସିନ୍ଦୁର, ତୁମ ସ୍ୱାମୀ କେଉଁଠି?ପିୟୁଷଙ୍କ ହାତରେ ମାସ ଶେଷକୁ ଅନୁ ଦଶହଜାର ଦେଲାବେଳେ ପିୟୁଷ ମଧ୍ୟ ପଚାରିବାକୁ ସାହାସ କରିପାରୁନଥିଲେ ତୁମେ କଣ ସତରେ ଭଡାଟିଆ ମା?କହିପାରୁନଥିଲେ ତୁମେ ଆମ ବୋହୁ ଭଳି ଲାଗୁଛ.
ଡୁଗୁ ଓ ଗୁଡ଼ୁ ଏଣିକି ମାଆଙ୍କ ସଙ୍ଗେ କିଣ୍ଡରଗାର୍ଟନ ସ୍କୁଲକୁ ଯିବାକୁ ପଡୁନଥିଲା. ପ୍ରୀତି ଓ ପିୟୁଷ ସେ ଦୁହିଁଙ୍କୁ ରଖିନେଉଥିଲେ. ପିଲା ଦୁଇଟାଙ୍କୁ ମନ ଭରି ଖୁଆଉଥିଲେ ନିଜ ହାତରେ ପ୍ରୀତି ଶୁଣାଉଥିଲେ ଶିଶୁ ଗୀତ ସବୁ. ପଢ଼ାଉଥିଲେ ଓଡ଼ିଆ ଛବିଳ ବର୍ଣ୍ଣବୋଧ ବହି. ପିୟୁଷ ମଧ୍ୟ ଖେଳୁଥିଲେ ବ୍ୟାଟ ବଲ ଡୁଗୁ ଓ ଗୁଡ଼ୁଙ୍କ ସହିତ. ଦୁହେଁ ଏଣିକି ଶାରୀରିକ ଓ ମାନସିକ ଭାବେ ଠିକ ଥିଲେ. ଜନ୍ମଦିନ ପାଳନ କରାଯାଉଥିଲା ଡୁଗୁ ଓ ଗୁଡ଼ୁଙ୍କର. ଅନୁ ମଧ୍ୟ ଖୁବ ସେଵା ଯତ୍ନ କରୁଥିଲେ ପ୍ରୀତି ଓ ପିୟୁଷଙ୍କର. ସେଦିନ ପ୍ରୀତିଙ୍କ ପୁଅ ପହଁଚିଲା ଝଡ଼ ଭଳି କହିଲା ମୁଁ ସବୁଦିନ ପାଇଁ ଓଡିଶା ଚାଲିଆସିଛି ମାଆ. ପ୍ରୀତି କହିଲେ ଖୁବ ଭଲ କରିଛୁ. ବାପା ମାଆ ଓ ପୁଅ ଝିଅ ଏକାଠି ରହିବା ଉଚିତ. ତୁ କାହା କଥା କହୁଛୁ ମାଆ. ମୋର ତୋ ବୋହୁ ସହ ଡିଭୋର୍ସ ହୋଇସାରିଛି. ବାହାଘର ଗୋଟେ ପିଲାଖେଳ ନୁହେଁ ଯେ ମନ ଇଛା ବାହା ହୋଇଯିବୁ ମନଇଚ୍ଛା ଡିଭୋର୍ସ ଦେଇଦେବୁ ପୁଣି ଛୁଆ ଦୁଇଟା ହେଲା ପରେ? ତୁ ଏସବୁ କଣ କହୁଛୁ ମାଆ. ସେ ଠିକ କହୁଛି କହି ପିୟୁଷ ଉପରକୁ ଉଠିଗଲେ ଡୁଗୁ ଓ ଗୁଡ଼ୁଙ୍କୁ ଧରି ତଳକୁ ଆସି କହୁଥିଲେ ମୋ ନାତି ନାତୁଣୀ ଓ ବୋହୁ ସମସ୍ତେ ଆମ ପାଖରେ ଅଛନ୍ତି ତୁ ଆସିଗଲୁ ଖୁବ ଭଲ ହେଲା. ଆଶ୍ଚର୍ଯ୍ୟରେ ପୁଅ ଦେଖୁଥିଲା ଅନୁକୁ. ଅନୁ କିଛି କହିବା ପୂର୍ବରୁ ପ୍ରୀତି କହୁଥିଲେ ଡୁଗୁ ଓ ଗୁଡ଼ୁ ଆଲବମରେ ଆମ ପୁଅକୁ ଡାଡି ବୋଲି କହିବା ପରେ ଆମେ ଠିକ ଜାଣିଥିଲୁ ଆମ ପୁଅ ସିନା ଭୁଲ କରିଛି କିନ୍ତୁ ବୋହୁ ଆମର ଖୁବ ବୁଦ୍ଧିମତୀ.।
ଭାଇ ଭାଉଜଙ୍କ ପୁନ୍ନମିଳନରେ ଖୁସି ମନେଇବାକୁ ଝିଅ ରୂପା ଆସିଥିଲା ଶାଶୁ ଘରୁ. ରୂପା ଆସିବା ପରେ ମାଆ ପ୍ରୀତି ବାପା ପ୍ରତ୍ୟୁଷ, ଭାଇ ସ୍ୱସ୍ତିକ ଓ ଭାଉଜ ଅନୁ ସହ ଗୁଡ଼ୁ ଓ ଡୁଗୁ ବହୁତ ଖୁସି ହୋଇଥିଲେ କାରଣ ରୂପା ସଙ୍ଗେ ଆସିଥିବା ତା ଛୋଟ ଝିଅ ବୁଢିଆ ମଧ୍ୟ ଆସିଥିଲା. ଶୁନ୍ୟ ଘରଟା ପରିପୂର୍ଣ୍ଣ ଲାଗୁଥିଲା. ରୂପା ଆସିବା ପରେ ଜୋଇଁ ସୁଧାଂଶୁ ନଆସିବା ଦେଖି ଆସ୍ତେ ଆସ୍ତେ ଆନନ୍ଦଟା ନିରାନନ୍ଦରେ ପରିଣତ ହେଉଥିଲା. ସନ୍ଦେହ ହେଉଥିଲା ରୂପା ତା ଶାଶୁଘରେ ଭଲରେ ଅଛିତ? ମାଆ ଜାଣନ୍ତି ବାହାଘର ପରେ ପରେ ଆଈ ଶାଶୁ ଚାଲିଯିବା ଯୋଗୁଁ ସମସ୍ତେ ମନ ଊଣା କରିଥିଲେ କିନ୍ତୁ ପଞ୍ଚାଅଶୀ ବୟସର ବୁଢ଼ୀ ସଧବା ସିନ୍ଦୁରରେ ଯିବା ତ ଏକ ଶୁଭଙ୍କର ଘଟଣା କିନ୍ତୁ ବୋହୁ ଆସୁ ଆସୁ ଆଈଶାଶୁ ଚାଲିଯିବାକୁ ନେଇ ଶାଶୁଙ୍କ ମନ ଭିତରେ କୋଉଠି ନା କୋଉଠି ଟିକେ ଊଣା ଥିଲା. ସେସବୁ ରୂପାକୁ କଷ୍ଟ ଦେଇଥିବ ଭାବି ମାଆ ପ୍ରୀତି ତା ମନନେଇ ସବୁ କାମ କରୁଥିଲେ ଓ କଥା କହୁଥିଲେ. ଭାଉଜ ଅନୁ ମଧ୍ୟ ସବୁଦିନ ଶାଶୁ ଓ ନଣନ୍ଦଙ୍କୁ ଅଳତା ସିନ୍ଦୁର ଲଗାଇ ସଜ କରିବା ସହ ନିଜେ ଲଗେଇ ସ୍ୱସ୍ତିକଙ୍କ ପାଦ ସ୍ପର୍ଶ କରୁଥିବାର ଦେଖି ରୂପା ସେଦିନ ପଚାରିଥିଲେ ଭାଉଜ ସିନ୍ଦୁର ଲଗାଇ ସାରିବା ପରେ ସବୁଦିନ ଭାଇ ପାଦ ଛୁଇଁ କି ଆଶୀର୍ବାଦ ପାଅ?ରୂପା କହିଲେ ଆଜି ସେ ବିଷୟରେ ସବିଶେଷ ତୁମକୁ କହିବି. ଏବେ ଏତିକି ଜାଣିରଖ ଯାହା ପୁଅକୁ ସାପ କାମୁଡିଥାଏ ସେ ପାଳଦଉଡ଼ି ଦେଖିଲେ ଡରିବା ଭଳି କଥାଟା ଇଏ.।
ରୂପା ଜାଣିଥିଲା ଭାଇ ଭାଉଜଙ୍କ ଭିତରେ ଥରେ ଡିଭୋର୍ସ ହୋଇସାରିଛି ପୁଣି ତା ବାପା ମାଆଙ୍କ ଯୋଗୁଁ ତା ଭାଉଜ ଓ ଭାଇ ଭିତରେ ପୁନ୍ନମିଳନ ଘଟିଛି ତେଣୁ ଭାଉଜଙ୍କୁ ଆଉ କିଛି ପଚାରିବାକୁ ଉଚିତ ମଣିନଥିଲା ରୂପା. ଭାଉଜ କିନ୍ତୁ ରୁପାର ହାତ ଧରିନେଇ କହିଥିଲେ ତୁମକୁ ଆଜି ପ୍ରଭୁ ହନୁମାନଙ୍କ ବିଷୟରେ ଗୋଟେ କଥା କହିବି. ଅନୁ କହିଚାଲିଲେ ଥରେ କୌଣସି କାର୍ଯ୍ୟ ପାଇଁ ମାତା ସୀତାଙ୍କୁ କିଛି ପଚାରିବାକୁ ଆସି ହନୁମାନ ଦେଖିଲେ ମାତା ସୀତା ସଦ୍ୟ ସ୍ନାନ କରି ଫେରୁଛନ୍ତି. ଏଇଟା ଉପଯୁକ୍ତ ସମୟ ଭାବି ସେ ତାଙ୍କ କଥା ମାତାଙ୍କ ଆଗରେ ଉପସ୍ଥାପନ କରିବାକୁ ଯାଆନ୍ତେ ମାତା କିଛି ନକହି ଚାଲିଗଲେ. ମୁଣ୍ଡରେ ଓ ମଥାରେ ସିନ୍ଦୁର ପିନ୍ଧି ଆସିବା ପରେ ପଚାରିଲେ କଣ କହୁଥିଲ ବୀର ହନୁମାନ?ବୀର ହନୁମାନ କହିଲେ ମତେ ଆଗେ କୁହନ୍ତୁ ମୋ କଥା ନଶୁଣି ଆପଣ ଭିତରକୁ ପ୍ରଥମେ ଚାଲିଗଲେ କାହିଁକି? ହସି ଦେଇ ମାତା ସୀତା କହିଲେ ସେତେବେଳେ ମୋ ମଥା ଓ ସିନ୍ଥିରେ ସିନ୍ଦୁର ଅର୍ଥାତ ବିବାହିତ ନାରୀର ସ୍ୱାମୀ ରୂପକ ସନ୍ତକ ମୋ ମଥା ଓ ସିନ୍ଥିରେ ନଥିଲା. ମୋ ପ୍ରଭୁ ମୋ ପାଖରେ ନଥାଇ ମୁଁ ତୁମ ପାଖରେ ରହି ତୁମ କଥା କେମିତି ଶୁଣିଥାଆନ୍ତି କୁହ? ପ୍ରତ୍ୟେକ ବିବାହିତ ନାରୀର ସିନ୍ଦୁର ତାର ପ୍ରେମ ଓ ଭଲପାଇବା. ତା ଛଡା ସିନ୍ଦୁର ଲଗେଇ ସାରି ପ୍ରଥମେ ସ୍ୱାମୀଙ୍କ ଦର୍ଶନ ଓ ସ୍ୱାମୀଙ୍କୁ ପ୍ରଣାମ କଲେ ସ୍ୱାମୀଙ୍କ ଆୟୁଷ ବଢେ ଓ ସ୍ୱାମୀଙ୍କ ଭଲପାଇବା ମିଳିଥାଏ. ଏସବୁ ଶୁଣି ହନୁମାନ ଆଉ ସେଠି ନରହି ସିଧା ଚାଲିଲେ ସିନ୍ଦୁର ବୋଳି ହୋଇ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କରିବାକୁ. ପ୍ରଭୁ ଏହାର କାରଣ ଜାଣିବାକୁ ଚାହିଁବାରୁ ହନୁମାନ କହିଲେ ମାତା ସୀତାଙ୍କ ମଥା ଓ ସିନ୍ଥିର ଟୋପେ ସିନ୍ଦୁର ଯଦି ଆପଣଙ୍କୁ ଆୟୁଷ ଦେବା ସହ ଆପଣଙ୍କ ଭଲ ପାଇବା ମାତାଙ୍କୁ ମିଳୁଛି ମୋ ଦେହର ଏତେ ସାରା ସିନ୍ଦୁର ରଙ୍ଗ ଆପଣଙ୍କୁ ଦୀର୍ଘାୟୁ କରୁ ଓ ମତେ ଢେର ସାରା ଭଲପାଇବା ମିଳୁ ଆପଣଙ୍କର. ଏକଥା ଶୁଣି ରାମ କୁଣ୍ଢେଇ ପକେଇ ଥିଲେ ବୀର ହନୁମାନଙ୍କୁ ଆଉ ରୂପା ସ୍ୱାମୀଙ୍କୁ ଫୋନ କରି ଏକାଠି ହୋଲି ଖେଳିବାକୁ ଡକାଇବା ଦେଖି ଶାଶୁ ପ୍ରୀତି ବୋହୁକୁ ଢେର ଆଶୀର୍ବାଦ ଦେଇଥିଲେ.ସୁଧାଂଶୁ ଫେରିବା ବେଳେ ରୂପା ଓ ବୁଢିଆକୁ ସାଙ୍ଗରେ ନେଇଯିବା ପ୍ରସ୍ତାବକୁ ସମସ୍ତେ ଅନୁମୋଦନ କରିଥିଲେ.।
