STORYMIRROR

Sanjeeb Kumar Nag

Tragedy

4.0  

Sanjeeb Kumar Nag

Tragedy

ବଞ୍ଚିବାକୁ ଶେଷ ପ୍ରୟାସ

ବଞ୍ଚିବାକୁ ଶେଷ ପ୍ରୟାସ

4 mins
252



ସେ ଥିଲା ଓଲିଉଡ଼ର ଜଣେ ଆଗଧାଡିର ଗାୟକ । ସଙ୍ଗୀତ ତା ପାଇଁ ପେଶା ନ ଥିଲା। ଥିଲା ବଞ୍ଚିବାର ଆଧାର। ଅତୀତର ସ୍ମରଣୀୟ ମୁହୂର୍ତ୍ତ ସମୂହର ମଧୁର ମୂର୍ଛନାରେ ବଞ୍ଚିବାର ପ୍ରୟାସ ତାକୁ ଟାଣିନେଇଥିଲା ସଙ୍ଗୀତ ଦୁନିଆ ଭିତରକୁ। ସେଦିନ ତାର ସେଇ ପୋଷ୍ଟର ରେ କାହିଁକି ଯେ, " ଲାଷ୍ଟ ଆଟେମ୍ପ୍ଟ ଟୁ ଲାଇଭ" ଲେଖାଯାଇଥିଲା କେହି ମଧ୍ୟ ଜାଣିନଥିଲେ। ଜାଣିଥିଲା ତ କେବଳ ତାର ଭଉଣୀ ଜୁଲି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜଣେ ହାସ୍ୟାଭିନେତା ମଞ୍ଚ ଉପରେ କିଛି ଅଭିନୟ କରୁଥାନ୍ତି। ପରଦା ପଛପଟୁ କିନ୍ତୁ ସ୍ୱରଟା ଶୁଭୁଥାଏ ନିଲୁ ର। ନିଲୁ କହୁଥାଏ, " ପ୍ରିୟ ସଙ୍ଗୀତ ପ୍ରେମୀ ବନ୍ଧୁଗଣ, ଆପଣ ମାନଙ୍କ ସ୍ନେହ ଶ୍ରଦ୍ଧାର ଫଳ ସ୍ୱରୂପେ ଆଜି ମୁଁ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ମୁଁ ଆଗରୁ ବି ଆପଣମାନଙ୍କର ଥିଲି, ଏବେ ବି ଆପଣମାନଙ୍କର ଅଛି ଆଉ ଆଗକୁ ମଧ୍ଯ ଆପଣମାନଙ୍କର ହିଁ ରହିବି। କିନ୍ତୁ ପ୍ରିୟ ବନ୍ଧୁଗଣ ଆଜି ବୋଧେ ମୋର ଅନ୍ତିମ ଦିବସ। ଆଜି ମୁଁ କରୁଛି ବଞ୍ଚିବାକୁ ଶେଷ ପ୍ରୟାସ।" ତାଳି ମାଡରେ ହଲଟା କିଛି ସମୟ ଫାଟି ପଡିଲା ପରେ ହଠାତ ଏକ ଅବିଶ୍ୱସନୀୟ ଶାନ୍ତ ବାତାବରଣ ସୃଷ୍ଟି ହେଇଯାଇଥିଲା ସେଦିନ। ସମସ୍ତେ ନୀରବ। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ, "ନିଲୁ ର କହିବାର ତାପ୍ତର୍ଯ୍ୟ କଣ?" କେହି କିଛି ବୁଝିପାରୁ ନଥାନ୍ତି, ସମସ୍ତେ ଉତ୍କଣ୍ଠାର ସହ ବସିଥାନ୍ତି। ଜୁଲି କିନ୍ତୁ ଜଡ ପାଲଟି ଯାଇଥାଏ। ଆଖିରୁ ଟୋପା ଟୋପା ହୋଇ ଝରିପଡୁଥାଏ ଲୁଣି ଜଳର ନିର୍ଝରିଣୀ। ସ୍ୱଳ୍ପ ସମୟର ବ୍ୟବଧାନ ପରେ ଆରମ୍ଭ ହୁଏ ସଙ୍ଗୀତ କାର୍ଯ୍ୟକ୍ରମ। ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ଭକ୍ତି ଗୀତର ତାଳେ ତାଳେ ନୃତ୍ୟଶିଳ୍ପୀ ମାନଙ୍କର ନୃତ୍ୟ ରେ ବାତାବରଣ ରେ କିଞ୍ଚିତ ପରିବର୍ତ୍ତନ ଆସିଯାଇଥାଏ। ସମସ୍ତଙ୍କର ହୃଦୟର ସ୍ପନ୍ଦନ ବର୍ତ୍ତମାନ ସାଧାରଣ ବେଗରେ ଗତିକରୁଥାଏ। ମଞ୍ଚ ଉପରେ ଆବିର୍ଭାବ ହୁଏ ସମସ୍ତଙ୍କ ପ୍ରିୟ କଳାକାର ନିଲୁ ର। ସମସ୍ତେ ଆନନ୍ଦର ସହ ଚିତ୍କାର କରୁଥାନ୍ତି, ତାଳି ମାଡରେ ସ୍ୱାଗତ କରନ୍ତି ତାଙ୍କର ପ୍ରିୟ ନିଲୁ ଭାଇକୁ। ସେଦିନ କିନ୍ତୁ ନିଲୁ ଶାନ୍ତ ଓ ନମ୍ର ଭାବରେ ଆରମ୍ଭ କରିଥିଲା ତାର ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ। ଦରଦୀ ହୃଦୟର ଅକୁହା କଥା ସବୁ କହିପକେଇଲା ନିଲୁ ତାର ଗୀତ ମାଧ୍ୟମରେ।

ସ୍କୁଲ କଲେଜ ସବୁ ବନ୍ଦ ଥିଲା। ଗ୍ରୀଷ୍ମ ଅବକାଶ ରେ ନିଲୁ ଯାଇଥିଲା ସାନବାପାଙ୍କ ଘରକୁ। ସେତେବେଳେ ନିଲୁ ଥିଲା 3 ଶେଷ ବର୍ଷ ର ଛାତ୍ର। ଆଉ ସେଇ ପରୀଟି ଥିଲା 2 ପ୍ରଥମ ବର୍ଷର ଛାତ୍ରୀ। ନିଲୁର ସାନବାପାଙ୍କ ଝିଅ ଜୁଲିର ସାଙ୍ଗ ଥିଲା ସ୍ୱପ୍ନା। ଅପରୂପା ସୁନ୍ଦରୀ। ସେଇଟା ଥିଲା ସ୍ୱପ୍ନା ସହ ନିଲୁର ପ୍ରଥମ ସାକ୍ଷାତ। ପ୍ରଥମ ଦେଖାରେ ହିଁ ନିଲୁ ନିଜ ହୃଦୟ ସମର୍ପି ଦେଇଥିଲା ସ୍ୱପ୍ନା କୁ। ସ୍ୱପ୍ନା ମଧ୍ୟ ଆଖିରେ ଆଖିରେ ସମ୍ମତି ପ୍ରକାଶ କରିଥିଲା। ନିଲୁର ମନରେ କୋଟିଏ ସ୍ବପ୍ନ । ସତେ ଯେମିତି ସେ ମଧ୍ୟଆକାଶରେ ବିହଙ୍ଗ ସମ ଉଡିବାକୁ ଲାଗିଥିଲା।

ବର୍ଷେ ଗଲା, ଦି ବର୍ଷ ଗଲା, ତିନି ବର୍ଷ ଗଲା, ସମୟ ଗାଡିଚାଲିଥିଲା। ନିଲୁର ପ୍ରେମର ଗଭୀରତା ମଧ୍ୟ ବଢିଚାଲିଥିଲା। ଜୁଲି ଥିଲା ପ୍ରେମୀ ଯୁଗଳଙ୍କ ଭାବର ଆଦାନ ପ୍ରଦାନ ର ମାଧ୍ୟମ। କଲେଜ ପାଠ ସାରି ବେଙ୍ଗାଲୁରୁ ରେ ଚାକିରୀ କରିବା ସମୟ ମଧ୍ୟରେ କେତେ ଯେ ଅଭିନବ ଉପହାର ମାଧ୍ୟମରେ ନିଜ ପ୍ରେମିକା କୁ ଖୁସି କରିବାକୁ ଚାହିଁଥିଲା ନିଲୁ

, ସେ କଥା କେବଳ ଜୁଲି ହିଁ ଜାଣେ । ସେଇ ମଧୁର ସମ୍ପର୍କ କିନ୍ତୁ ବେଶିଦିନ ତିଷ୍ଠି ପାରିନଥିଲା। ନିଲୁର ଜୀବନରେ ହଠାତ କଳା ବାଦଲ ମାଡି ଆସିଲା ସେଦିନ, ଯୋଉଦିନ କି ଦୀର୍ଘ ଚାରି ବର୍ଷର ପ୍ରେମ ସମ୍ପର୍କରେ ପୂର୍ଣ୍ଣଛେଦ ଟାଣିଦେଇଥିଲା ସେଇ ପ୍ରସ୍ତର ହୃଦୟ ଧାରିଣୀ ସ୍ୱପ୍ନା। ନିଲୁର ହୃଦୟ ସ୍ପନ୍ଦନ ଧିମେଇ ଯାଇଥିଲା। ସେ ବୁଝିପାରୁନଥିଲା ଯେ, ତାର ଭୁଲ କୋଉଠି, କଣ ପାଇଁ ଏଇ ମଧୁର ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଲା। ଯାହାକୁ ସେ ନିଜ ହୃଦୟର ରାଣୀ କରି ରଖିଥିଲା ସେ ଆଜି ପ୍ରତାରିଣୀ ସାଜି ତାର ହୃଦୟକୁ ବିଦୀର୍ଣ୍ଣ କଲା। କେମିତି ସେ କହି ପାରିଲା " ନିଲୁ, ତମେ ମୋ ପାଇଁ ଜଣେ ବନ୍ଧୁ ମାତ୍ର, ପ୍ରେମିକ ନୁହଁ"। ନିଲୁ କଣ ସ୍ୱପ୍ନାର ଆଖିରେ ପ୍ରେମର ଝଲକ ଦେଖିନଥିଲା? ନା ସ୍ୱପ୍ନା ଛଳନା କରିଚାଲିଥିଲା। ସେଇଦିନଠୁ ଆରମ୍ଭ ହେଇଥିଲା ନିଲୁର କଳାକାର ଜୀବନ। ଚାକିରୀ ଛାଡି ବେଙ୍ଗାଲୁରୁ ରୁ ସେ ଚାଲି ଆସିଥିଲା ଭୁବନେଶ୍ୱର । ସ୍ୱପ୍ନା ର ସ୍ୱପ୍ନରେ ନିଜକୁ ହଜେଇ ଅତୀତର ମଧୁର ସ୍ମୃତି ସମୂହ ସାଉଁଟି ବଂଚିରହିଥିଲା ନିଲୁ । ଏଥି ମଧ୍ୟରେ ସମୟ ପାଞ୍ଚ ବର୍ଷ ବିତିଯାଇଛି। ସ୍ୱପ୍ନା ସହ କୌଣସି ପ୍ରକାର ଯୋଗାଯୋଗ ମଧ୍ୟ ନାହିଁ।

ସଙ୍ଗୀତ ପରିବେଷଣ ସାରିଆସିଲାବେଳକୁ ହଠାତ ନିଲୁର ନଜର ପଡ଼ିଯାଏ ପଛ ଧାଡିରେ ବସି ଅପଲକ ନୟନରେ ଚାହିଁରହିଥିବା ଏକ ଜରାଜୀର୍ଣ୍ଣ ଦେହୀ ନାରୀ ଉପରେ। ସ୍ୱପ୍ନାର ଚେହେରା ସହ ସେଇ ନାରୀର ଚେହେରାର ସାମଞ୍ଜସ୍ୟ ଥିବାରୁ କିଛି ସମୟ ପାଇଁ ଭାବନା ରାଇଜରେ ହଜିଗଲା ନିଲୁ। କହିପକେଇଲା, "ସ୍ୱପ୍ନା, ଆଜି ମୋ ହୃଦୟ ସ୍ପନ୍ଦନ ଧିମେଇ ଯାଇଛି, ସେ ଆଉ ଧଡକୀ ପାରିବନି, ସେ ନ ଧଡକିଲେ ମୁଁ ମରିଯିବି ସ୍ୱପ୍ନା, ମରିଯିବି। ତମେ ଯଦି ଚାହିଁବ, ତାହେଲେ ସ୍ପନ୍ଦନ ହେଇ ଆସିପାରିବ ମୋ ହୃଦୟ ଭିତରକୁ, ମତେ ବଞ୍ଚିବାକୁ ଦିଅ ସ୍ୱପ୍ନା, ବଞ୍ଚିବାକୁ ଦିଅ" । ଏତକ ଶୁଣି ସେଇ ଜରାଜୀର୍ଣ୍ଣ ନାରୀ ମଧ୍ୟ ଉଠି ବାହାରକୁ ଦୌଡ଼ି ପଳେଇଲା। ନିଲୁ ହଠାତ ପ୍ରକୃତିସ୍ଥ ହେଉ ହେଉ ଟଳି ପଡିଲା ମଂଚ ଉପରେ। ତାର ହାତ ମୁଠାରେ ଥିଲା ଗୋଟେ ନୂଆ ବ୍ଲେଡ଼ । କେତେବେଳେ କେମିତି ପକେଟ ଭିତରେ ହାତ ପୁରେଇ ନାଡିଟିକୁ କାଟିଦେଇଥିଲା କେଜାଣି, କେହି ମଧ୍ୟ ଜାଣି ପାରିଲେନି। ହଠାତ ସେଇ ଜରାଜୀର୍ଣ୍ଣ ନାରୀ "ନିଲୁ", "ନିଲୁ", ଚିତ୍କାର କରି ବାହାରୁ ଦୌଡ଼ିଆସିଲା ମଞ୍ଚ ଉପରକୁ। ହାତରେ ଧରିଥିଲା ଗୋଟେ ମଙ୍ଗଳସୂତ୍ର। ଚିତ୍କାର କରି କାନ୍ଦି କାନ୍ଦି କହୁଥିଲା, " ପାଞ୍ଚ, ପାଞ୍ଚ ବର୍ଷ ତ ଅପେକ୍ଷା କରିପାରିଲ, ଆଉ ପାଞ୍ଚ ମିନିଟ ଅପେକ୍ଷା କରିପାରିଲନି। ଦେଖ ନିଲୁ, ଏଇ ମଙ୍ଗଳସୂତ୍ର ଆଣିବାକୁ ମୁଁ ବାହାରକୁ ଯାଇଥିଲି। ମତେ ବ୍ଲଡ଼ କ୍ୟାନ୍ସର ଅଛି, ଦେଖୁଛ ତ ମୋର ରୂପ, ସିଧା କଳିଙ୍ଗ ହସପିଟାଲରୁ ଦଉଡି ଆସିଥିଲି ତମର ଶୋ ଦେଖିବା ପାଇଁ। ମୁଁ ମରିବା ପୂର୍ବରୁ ତମର ପତ୍ନୀ ହେବାକୁ ଚାହେଁ, ତମର ପତ୍ନୀ ହେଇ ମରିବାକୁ ଚାହେଁ। ନିଅ ଏଇ ମଙ୍ଗଲସୂତ୍ର, ବାନ୍ଧିଦିଅ ମୋ ଗଳାରେ"। ନିଲୁ କିନ୍ତୁ, ଆଉ ନଥିଲା, ଏକଳୟରେ ସ୍ୱପ୍ନାକୁ ଡବ ଡବ କରି ଅନଉଥିଲା ସତ, କିନ୍ତୁ ପ୍ରାଣବାୟୁ ଆଉ ନଥିଲା। ସ୍ୱପ୍ନା "ନିଲୁ", "ନିଲୁ" ଚିତ୍କାର କରୁଥିଲା, ନାକ ଓ ପାଟିରୁ ରକ୍ତ ଝରୁଥିଲା। ଧିରେ ଧିରେ ସ୍ୱପ୍ନା ଗଡି ପଡିଲା ନିଲୁର ଛାତି ଉପରେ। ଦୁଇ ପ୍ରେମୀଙ୍କ ଶରୀର ନିସ୍ତେଜ ହେଇ ପଡିରହିଥିଲା ମଞ୍ଚ ଉପରେ। ଚତୁର୍ପାଶ୍ୱ ନିରବ ନିସ୍ତବ୍ଧ ଲାଗୁଥିଲା।



Rate this content
Log in

Similar oriya story from Tragedy