ବଞ୍ଚିବାକୁ ହେବ
ବଞ୍ଚିବାକୁ ହେବ




ରଙ୍ଗ ଫୁଲର ଥାଏ,ଫଳର ଥାଏ,ବସ୍ତ୍ରର ଥାଏ ଆଉ ଥାଏ ଇନ୍ଦ୍ରଧନୁର।ଏସବୁର ଏକ ନିର୍ଦ୍ଧଷ୍ଠ ରଙ୍ଗ ଥାଏ ,ଯାହାକୁ କହିଲେ ସାଧାରଣ ଲୋକ ବୁଝିପାରିବ ଓ ଅନୁଭବ କରିପାରିବ ମାତ୍ର ମନର ଏକ ରଙ୍ଗ ଅଛି ଯାହା ସହଜରେ କହିହେବ ନାହିଁ କି ବୁଝି ହେବନାହିଁ।
ବିନିତା ଆଜି ଆସି ପରିଣତ ବୟସରେ। ସର୍ବଦା ରଙ୍ଗକୁ ପ୍ରାଧାନ୍ୟ ଦେଉଥିବା ବିନିତା ଆଜି ନିଜେ ବେରଙ୍ଗ। ଜୀବନ ଯୁଦ୍ଧରେ ସେ ହାରି ଯାଇଛି କେବଳ ନିଜ ଆପଣାର ଲୋକଙ୍କ ସହ ଲଢି ଲଢି। ଆଜି ପୁଅ ଏକ ବଡ କମ୍ପାନୀରେ ଉଚ୍ଚ ଦରମାରେ କାର୍ଯ୍ୟ ରତ।ନିଜର ନିଜସ୍ୱ ଘର,ଗାଡି ସବୁ ଆଛି ମାତ୍ର ତା ପାଖରେ ନାହିଁ ଯଦି ତାର ଅଲିଅଳି ଝିଅ ଲକି। ଆଜି ତାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ସବୁ କାର୍ଯ୍ୟକ୍ରମ ସାରି ତାର ସେହି ସରଳ ନିଷ୍ପାପ ଫଟୋଟି ପାଖରେ ବସି ରହି ଅତୀତର ପୃଷ୍ଟାକୁ ଓଲଟେଇ ଦେଖୁଛି ବିନିତା ତାର ସେହି ରଙ୍ଗୀନ ଦୂନିଆକୁ ବେରଙ୍ଗ କରିଥିବା ବ୍ୟକ୍ତତ୍ୱ ମାନଙ୍କୁ।
ଭାଇ ଭଉଣୀ ମିଶି ଚାରି ଜଣ ସେମାନେ। ତାଙ୍କ ମଧ୍ୟରେ ସାନ ଭଉଣୀ ଅନିତାକୁ ସେ ବେଶୀ ଭଲ ପାଏ। ଏକେ ତ ସେ ସବୁଠାରୁ ସାନ ଓ ପାଠ ଭଲ ପଢେ। ସବୁବେଳେ ବିନିତା ଘରେ କୁହେ ମୁଁ ପାଠ ପଢି ଚାକିରୀ କଲେ ଅନିତା ମୋ ପାଖରେ ରହିବ ଓ ପାଠ ପଢିବ। ମୁଁ ଯୁଆଡେ ଯିବି ସେ ମୋ ସହ ରହିବ। ଏହିପରି ବହୁ ହସ ଖୁସିରେ ସମୟ କଟିଯାଏ।
ଅତିକ୍ରାନ୍ତ ସମୟ ଭିତରେ ବୟସ ମଧ୍ୟ ଅତିକ୍ରାନ୍ତ ହୋଇଚାଲେ। ବିନିତା ପାଠ ପଢା ସାରି ଏକ ଭଲ ସରକାରୀ ଚାକିରୀ ପାଇ ଘରଠାରୁ ଦୂର ସ୍ଥାନରେ ଯାଇ ଯୋଗ ଦିଏ। ବାପା ମାଆ ମଧ୍ୟ ବହୁତ ଖୁସି ଯେ ଝିଅ ଚାକିରୀ କଲାଣି । ଏଥର ତାର ବିବାହ ସମୟ ଉପନୀତ। ବିନିତାର କଥା ଅନୁସାରେ ଅନିତା ମଧ୍ୟ ତା ସହ ରହି ପାଠ ପଢୁଥାଏ। ବାପା ମାଆ ଭଲ ସରକାରୀ ଚାକିରୀ କରିଥିବା ବର ପାତ୍ରଟିଏ ଠିକ କଲେ ଅନ୍ୟ ସହରରେ।
କନ୍ୟା ଦେଖା ସରିଲା। ସମସ୍ତେ ରାଜି ମାତ୍ର ବିନିତାର ସର୍ତ୍ତ ଥିଲା ଯେ,ତାର ବିଭାଘର ପରେ ଅନିତା ମଧ୍ୟ ପୂର୍ବବତ୍ତ୍ ତା ପାଖରେ ରହି ପାଠ ପଢିବ। ବିନିତାର ଭାବି ସ୍ୱାମୀ ଅମର ମଧ୍ୟ ସେଥିରେ ରାଜି ହେଲେ କାରଣ ଉଭୟ ଭିନ୍ନ ସହରରେ କାର୍ଯ୍ୟରତ। ତେଣୁ ଦୁଇ ଭଉଣୀ ଏକାଠି ରହିଲେ ଭଲ।
ଯଥାରିତି ବିବାହ ସମ୍ପନ୍ନ ହେଲା। ପନ୍ଦର ଦିନ ପାଇଁ ଛୁଟି ନେଇ ବିନିତା ଶାଶୁଘରେ ସମୟ ନିଜର ବୈବାହିକ ଜୀବନ ଆରମ୍ଭ କଲା। ସମସ୍ତେ ତାର ବ୍ୟବହାରରେ ଖୁସି। ଅମର ମଧ୍ୟ ମନେ ମନେ ଖୁସି ଜଣେ ଭଲ ଜୀବନ ସାଥୀ ପାଇ। ଛୁଟି ସରିଲା । ଯେଝା ଯେଝା କର୍ମ ସ୍ଥଳକୁ ଗତିଶୀଳ ହେଲେ ଉଭୟେ। ଦୁଇ ଭଉଣୀ ପୂନର୍ବାର ଏକାଠି ରହି ସମୟ କାଟିଲେ। ମଝିରେ ମଝିରେ ଛୁଟିରେ ଅମର ବିନିତା ପାଖକୁ ଆସି ପହଞ୍ଚି ଯାଆନ୍ତି। ବିନିତା ମଧ୍ୟ କେତେବେଳେ ଅମର ପାଖକୁ ଚାଲାଯାଏ। ସାଧାରଣ ଭାବେ ଜୀବନ ଅତିବାହିତ ହୋଇଚାଲେ।
ଇତି ମଧ୍ୟରେ ବିନିତାର ଦୁଇ ଭାଇଙ୍କ ବିଭାଘର ସମ୍ପନ୍ନ ହୋଇଥାଏ ଏବଂ ସେ ଲକି ଓ ରିଶି ନାମରେ ଦୁଇଟି ପୁଅ ଓ ଝିଅର ଜନନୀ ମଧ୍ୟ।
ସେତେବେଲକୁ ଅନିତାର ପାଠପଢା ସରି ଆସିଥାଏ ଓ ଅମର ମଧ୍ୟ ନିଜର ବଦଳି କରି ଆସି ବିନିତା ପାଖରେ ଥାନ୍ତି। କାର୍ଯ୍ୟ ଭାର ସହ ପିଲା ଦୁଇଜଣଙ୍କ କଥା ବୁଝିଲା ବେଳକୁ ବିନିତା ଥକି ପଡେ। ଅନିତା ମଧ୍ୟ ତାକୁ କାର୍ଯ୍ୟରେ ବହୁତ ସାହାଯ୍ୟ କରେ। ବିନିତା ଅଫିସ ଗଲା ପରେ ପିଲାମାନଙ୍କ ଦାୟିତ୍ୱ ଅନିତା ଉପରେ ଥାଏ। ଅନେକ ସମୟରେ ଅମର ମଧ୍ୟ ପିଲା ମାନଙ୍କ କଥା ବୁଝନ୍ତି। ଏହି ଭିତରେ ଅମର ଓ ଅନିତା ବହୁ ସମୟ ଘରେ ପିଲା ମାନଙ୍କ ସହ କଟାନ୍ତି।
କଥାରେ ଅଛି "ଶାଲୀ ହୋତିହେ ଆଧି ଘରୱ।ଲି"।ପ୍ରକୃତରେ ଅମର ଓ ଅନିତା ମଧ୍ୟରେ ଏକ ଅନୈତିକ ପ୍ରେମ ସମ୍ପର୍କ ଗଢିଉଠିଲା। ଅନେକ ସମୟ ଅମର ଘର କାମ ଅଛି କହି ଅଫିସରୁ ଛୁଟି ନେଇ ଆସି ଅନିତା ସହ ସମୟ କଟାନ୍ତି। ମାତ୍ର ବିନିତା ଏ ବାବଦରେ ସମ୍ପୂର୍ଣ୍ଣ ଅନଭିଜ୍ଞ। ସେ ମଧ୍ୟ ମଝିରେ ମଝିରେ ଅନିତାର ବିବାହ କଥା ଆଲୋଚନା କରେ ଅମର ସହ। ଅମର କହେ ସମୟ ଆସିଲେ ଦେଖିବା। ଯୋଗ୍ୟ ପାତ୍ର ମିଳୁ।
ଦିନକର କଥା ,ଅନିତା ଯିଦି ଧରି ବସିଲା ଅମର ପାଖରେ ଯେ, ସେ ଅମରକୁ ବିବାହ କରିବ ନଚେତ ଆତ୍ମହତ୍ୟା କରିବ ଏହା ଶୁଣି ଅମର ତାକୁ ବୁଝେଇବାକୁ ଯାଇ ଏକ ଉପାୟ ଚିନ୍ତା କରି ବିନିତା ସହ ଆଲୋଚନା କରିବା ପାଇଁ ସ୍ଥିର କଲା। ଦିନେ ଏମିତି କଥା ହେଉ ହେଉ ଅମର ବିନିତାକୁ କହିଲା ,ଦେଖ ଅନିତାର ବିବାହ ବୟସ ହୋଇଗଲାଣି ଏଣେ ପିଲାମାନେ ପାଠପଢା ଆରମ୍ଭ କଲେଣି। ତୁମେ ଚାକିରି ସହ ପିଲାଙ୍କ କଥା ବୁଝିଲା ବେଳକୁ ଶରୀର ଅସୁସ୍ଥ ହେଉଛି ,ଏକ ଉପାୟ କର " ତୁମେ ଚାକିରୀ ଛାଡିଦିଅ"। ଆମର କଣ ଅଭାବ ଅଛି,ମୁଁ ତ ଚାକିରୀ କରିଛି ତେଣୁ ଅସୁବିଧା କିଛି ହେବନାହିଁ। ଅନିତା ମଧ୍ୟ ଅମର କଥାରେ ସହମତି ପ୍ରଦାନ କଲା। କଥାର ଗୁରୁତ୍ୱ ମଧ୍ୟ ବିନିତା ବୁଝିଲା। ତେଣୁ ସ୍ଥିର କଲା ଚାକିରୀରୁ ଇସ୍ତଫା ଦେବ। ସବୁ ସରକାରୀ କାଗଜପତ୍ର ଠିକ କରି ଦିନେ ଇସ୍ତଫା ପତ୍ରଧରି ଅଫିସ ଗଲା ବିନିତା।
ଏହା ଶୁଣି ଅମର ଓ ଅନିତା ବହୁତ ଖୁସି। କାରଣ ତାଙ୍କ ଯୋଜନା ଥିଲା ବିନିତା ଘରେ ରହିବ ପିଲାଙ୍କ କଥା ବୁଝିବ। ଚାକିରୀ ଆଳରେ ଅନିତା ଅନ୍ୟ ସହରରେ ଅମର ସହ ନିଜର ପାରିବାରିକ ଜୀବନ ଅତିବାହିତ କରିବ। ଏହାର ଖୁସି ଅନୁଭବ କରି ସେଦିନ ଉଭୟେ ଦୁଇଜଣଙ୍କ ଭିତରେ ଲୀନ ହୋଇଗଲେ। ଇତି ମଧ୍ୟରେ ବିନିତା ଆସି ତାଙ୍କ ପାଖରେ ଛିଡା ହୋଇଛି ସେମାନଙ୍କର ହେତୁ ନାହିଁ।
ବିନିତା ନିଜ ଭଉଣୀ ଓ ସ୍ୱାମୀର ଏପରି ଅନ୍ତରଙ୍ଗ ମୁହୂର୍ତ୍ତ ଦେଖି ତା ପାଦତଳୁ ଭୂଇଁ ଖସିଗଲା ପରି ଲାଗିଲା ।ତାକୁ ଚତୁର୍ଦିଗ ଅନ୍ଧକାର ଦିଶିଲା ,କଣ କରିବ କିଛି ବୁଝି ପାରିଲା ନାହିଁ।
ଏପଟେ ସ୍ୱାମୀ ଆଉ ନିଜର ନାହିଁ ତ ସେପଟେ ଆତ୍ମନିର୍ଭରଶୀଳର ପନ୍ଥା ସେ ନିଜେ ପର କରି ଆସିଛି। ଅମର ଶେଷରେ ଅନିତାକୁ ବିବାହ କରିବାର ଶେଷ ନିଷ୍ପତ୍ତି ଶୁଣେଇଲା। ଏବଂ ଛାଡପତ୍ର ପାଇଁ କାଗଜପତ୍ର ବିନିତାକୁ ଦେଇଗଲା।
ଏସବୁର ସମାଧାନ କରିବାକୁ ବିନିତାର ବାପା ମାଆ କି ଅମରର ବାପା ମାଆ ସେତେବେଳକୁ ଆଉ ନଥିଲେ। ନିଜକୁ ନିଃସ୍ୱ ଓ ଦିଗହୀନ ମନେକଲା ବିନିତା । ଯେଉଁ ଭଉଣୀକୁ ସେ ନିଜ ଝିଅ ପରି ରଖିଥିଲା ସେ ତ ଏପରି କଲା ସେ ବା ଆଉ କହିବ କାହାକୁ। କୋର୍ଟ ରେ ଛାଡପତ୍ର କେସ ଚାଲିଲା। ଅମର ଓ ଅନିତା ବିବାହ ନକରି ମଧ୍ୟ ଅନ୍ୟ ସହରରେ ଏକାଠି ରହିବାକୁ ଲାଗିଲେ। ବିନିତା ପିଲାଙ୍କ ପାଠପଢା ସହ ଏକ ଘରୋଇ ସଂସ୍ଥାରେ ପାର୍ଟ ଟାଇମ କାମ ଆରମ୍ଭ କଲା। ମାତ୍ର ଅମରକୁ ଛାଡପତ୍ର ପାଇଁ ସହଜରେ ଜିତିବାକୁ ଦେଉନଥାଏ।
ଇତି ମଧ୍ୟରେ ଅନେକ ସମୟ ବିତିଗଲାଣି।ପିଲା ଦୁଇଟି କଲେଜରେ ପାଠ ପଢିଲେଣି।ପୁଅ ରିଶି ବିଭିନ୍ନ ସ୍ଥାନରେ ଚାକିରୀ ପାଇଁ ଚେଷ୍ଟା କରୁଥାଏ। ଅନିତା ବିବାହ ନକରି ମଧ୍ୟ ଏକ କନ୍ୟା ସନ୍ତାନର ଜନନୀ ହୋଇ ସାରିଥାଏ। ବିନିତାର ରଙ୍ଗୀନ ଦୁନିଆ ସହ ସବୁ ସମ୍ପର୍କ ବିଛିନ୍ନ ହୋଇ ଯାଇଥାଏ। ନିଜକୁ ସେ ଏକ ରଙ୍ଗହୀନ ବେଶରେ ସଜେଇ ରଖି ପିଲାମାନଙ୍କ ପ୍ରତି ନିଜର କର୍ତ୍ତବ୍ୟ କରି ଚାଲିଥାଏ। ଝିଅ ଲକି ଉଚ୍ଚ ଶିକ୍ଷା ପାଇଁ ଦୂରରେ ହଷ୍ଟେଲରେ ଥାଏ ମାତ୍ର ସର୍ବଦା ସେ ବାପା ଓ ମାଆ ପାଇଁ ମନ ଦୁଃଖରେ ଥାଏ। କେତେବେଳେ ତା ମୁହଁରେ ଖୁସି ନଥାଏ।
ଦିନକର କଥା ବିନିତା ତାକୁ ଧରି ତାଙ୍କ ଘରକୁ ଯାଇଥାଏ ଭାଇମାନଙ୍କ ସହ କଥା ହେବା ପାଇଁ ଯେ, ତା ବାପାଙ୍କ ଯାଗାରୁ କିଛି ଯାଗା ଦେଲେ ସେ ଗୋଟେ ଛୋଟ ଘର କରି ତା ପିଲାମାନଙ୍କୁ ଧରି ସେଠାରେ ରହିବ। ସେହି କଥାକୁ ନେଇ ବିନିତାର ଭାଇମାନେ ରାଜି ହେଲେ ନାହିଁ ଓ ଉଭୟଙ୍କ ମଧ୍ୟରେ ବହୁ ପାଟି ତୁଣ୍ଡ ହେଲା ଏପରିକି ପୂନର୍ବାର କୋର୍ଟ କଚେରୀ କଥା ଉଠିଲା।ଏହା ଶୁଣି ଲକି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥାଏ।
ସେଠାରୁ ଫେରି ତା ମାଆଙ୍କ ବିବଶତା ଦେଖି ସେ ମାନସିକ ସ୍ତରରେ ବହୁ ଦୁର୍ବଳ ଅନୁଭବ କଲା ଓ ବିନିତାକୁ କହିଲା,ମାମା ତୁମ ପ୍ରତି ସମସ୍ତଙ୍କର ଏପରି ମନୋଭାବକୁ ମୁଁ ସଜ୍ୟ କରିପାରୁନାହିଁ। ନିଜ ଅଲିଅଳି ଝିଅର ଏପରି ଅବସ୍ଥା ଦେଖି ବିନିତା ଦୁଃଖରେ ଭାଙ୍ଗି ପଡିଲା ମାତ୍ର ତାକୁ ବୁଝେଇବାକୁ ଚେଷ୍ଟା କଲା ,ଦୁନିଆରେ ବଞ୍ଚି ବାକୁ ହେଲେ ସଙ୍ଘର୍ଷର ଆବଶ୍ୟକତା ରହିଛି। ହାରିବା ଜିତିବା ସମୟ କହିବ। ତା କଥାରେ ଲକି କେତେ ସହମତ ଥିଲା ଜଣାନାହିଁ ମାତ୍ର ପରିଣତି ଏହା ଥିଲାକି କିଛି ଦିନ ପରେ ତା କଲେଜରୁ ବିନିତା ପାଖକୁ ଫୋନ ଆସିଲା ମାନସିକ ଭାରସାମ୍ୟ ହରାଇ ଆପଣଙ୍କ ଝିଅ ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛି।
ଆଜି ତାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୂନର୍ବାର ସେହି କିଛି ବର୍ଷ ତଳକୁ ଚାଲିଗଲା ବିନିତା ଯେତେବେଳେ ଟିକି ଟିକି ପିଲା ଦୁଇଟିଙ୍କୁ ଛାଡି ଅମର ଚାଲିଯାଉଥିଲେ ବିବାହିତା ନାରୀର ସବୁ ରଙ୍ଗକୁ ସାଥିରେ ଧରି ଓ ଆଜି ମାତୃତ୍ୱର ରଙ୍ଗ ନେଇ ଛାଡି ଚାଲିଗଲା ଲକି। ଆଜି ବସି ଭାବୁଛି ବିନିତା ଆଉ ଏ ରଙ୍ଗହୀନ ଦେହର,ଶରୀରର ଆବଶ୍ୟକତା କଣ ଅଛି , ତଥାପି ତାକୁ ବଞ୍ଚିବାକୁ ହେବ, ଲଢିବାକୁ ହେବ ଏ ଦୁନିଆ ସହ ,ଆପଣାର ଲୋକଙ୍କ ସହ କେବଳ ନିଜ ପୁଅ ରିଶି ପାଇଁ।
ଲୁହ ପୋଛି ପୁଣି ଠିଆହୁଏ ବିନିତା ସେହି ରଙ୍ଗହୀନ ଶରୀରକୁ ନେଇ।