ବଣମଲ୍ଲୀ
ବଣମଲ୍ଲୀ
ବଣରେ ଅନେକ ଫୁଲ ଫୁଟେ। କିଏବା କରିଛି ତା' ବାସ୍ନାର ଆଦର ? ବଣରେ ଫୁଟି ବଣରେ ଝରିଯାଏ। କିଏ ବା କଳିକାରୁ କେଉଁ ଜନ୍ତୁର ପଦାଘାତର ଶିକାର ହୁଏ। କାହାର ମହକ ମହକି ସେହିଠି ମିଳାଇଯାଏ ,ଲୋଟିଯାଏ,ମିଶିଯାଏ ମାଟିରେ କାହାକୁ ଆକୃଷ୍ଟ କରିପାରେନା। ସେହିଭଳି ନୁମୁଣ୍ଡା "ଘର ବଗିଚାର ଶୋଭାକୁ ବଢେଇ ଫୁଟିଥିଲା ଫୁଲଟିଏ, ନାଁ ଦେଇଥିଲେ "ମଲ୍ଲୀ"।
ବାପାମାଆଙ୍କର ପ୍ରଥମ କନ୍ୟା ସନ୍ତାନ ସେ ପୁଣି ଅପରୂପା ସୁନ୍ଦରୀ ଗରିବ ଘରେ ସିନା ଜନ୍ମ ହେଲା ରୂପ ଆଉ ଗୁଣ ଦୁହେଁ ଦୁହିଁଙ୍କ ଠାରୁ ବଳି। ଚମ୍ପାଫୁଲର ରଙ୍ଗ, କଳା ମିଚିମିଚି ଲମ୍ବା ବେଣୀଟିଏ ଭାରି ସାଜୁଥାଏ। ଗରିବ ଘରେ ଜନ୍ମ ହେଲେ କିଛି କଥା ନାହିଁ କିନ୍ତୁ ଗରିବ ଘରେ ଜନ୍ମ ହୋଇ ସୁନ୍ଦରୀ ହେବା ଅଭିଶାପ। କୁହନ୍ତି ଗରିବ ସ୍ତ୍ରୀ ସମସ୍ତଙ୍କ ଶାଳୀ। ଘରେ ଚାରିପ୍ରାଣୀ କୁଟୁମ୍ବ ।" ସେ" ତା'କୁନିଭାଇ କୁନା ଆଉ ବାପା ମାଆ, ସମ୍ପତ୍ତି କହିଲେ ସରକାରୀ ଅନୁଦାନ ରୁ ବନ୍ଧ ତଳେ ଠିଆ ହୋଇଥିବା "ଇନ୍ଦିରା ଆବାସ ଯୋଜନାର"ଆଜବେଷ୍ଟ ଘର ଖଣ୍ଡିକ। ଆଉ ଯାହା ଖଟିଲେ ଖାଇବେ। ବାପା ଯାଏ ମୂଲ ଲାଗିବାକୁ । କିନ୍ତୁ ବାପା ଶ୍ବାସରୋଗୀ , ଦିନେ ଖଟିଲେ ଦୁଇଦିନ ରୋଗରେ ପଡେ। "ମାଆ "ପାଖ ଗାଆଁର ଜମିଦାରଙ୍କ ଘରକୁ ଯାଏ ବାସି ପାଇଟି କରିବାକୁ। ଛୋଟ ଭାଇ ”କୁନା"କୁ ଜଗିବା ଦାୟୁତ୍ବ "ମଲ୍ଲୀ ର। ବେଳେବେଳେ ଭାଇ ଭଉଣୀ ଦୁଇଜଣଯାକ ମାଆ ସଙ୍ଗେ ଚାଲିଯାଆନ୍ତି ବାବୁ ଘରକୁ ,। ଲୋଭଥାଏ ବାବୁଆଣୀ ବାସିରୁଟି ସଙ୍ଗେ ଗୁଡ ଦେଲେ ଦୁଇଭାଇ ଭଉଣୀ ଖୁସିରେ ଖାଇବେ। ନ ହେଲେ ଯାହା ହେଉ କିଛି ତ ଖାଇବାକୁ ମିଳିବ।
ଦିନକୁ ଦିନ ଗଡିଚାଲେ । ଝିଅ ଛୁଆଟି ବଡ ହେବାକୁ ବସିଲା ଗାଁର ସରକାରୀ ବିଦ୍ୟାଳୟରେ ବାପା ଯାଇ ନାମ ଲେଖେଇ ଦେଇ ଆସିଲେ । ପିଲାଟି ସୁନ୍ଦର ପାଠ ପଢେ। ହିସାବ ଜାଣିଲା , ସାନଭାଇ କୁ ପାଠ ପଢାଇଲା। ଚାହୁଁ ଚାହୁଁ ମାଇନର ପାଶ୍ କଲା। ତା ଇଂରାଜୀ ପାଠପଢା ଦେଖି ବାପା "ଧନୁମୁଣ୍ଡା" ଓ ମାଆ "ସୁନେଇ" ଖୁସି ହୋଇଯାନ୍ତି। କିନ୍ତୁ ଭୟଲାଗେ ଦିନକୁ ଦିନ ପିଲା ବଡ ହେବାକୁ ବସୁଛି।
"ମଲ୍ଲୀ" ଘରୁ ବାହାରିଲେ ଗାଁର ଛତରା ଟୋକାଗୁଡିକ ଯେଉଁ ନଜରରେ ତାକୁ ଦେଖନ୍ତି ସତେ ଅବା ରାକ୍ଷାସ ଆଖିଗୁଡା ତାକୁ ଗୋଡେଇ ଗୋଡେଇ ଖାଇବେ। କୂଅକୁ ପାଣି ଆଣି ଗଲାବେଳେ ହେଉ କି ଜାଳ ଯୋଗାଡ଼ କରିବା କି ଗୋରୁ ମୁହଁରେ ଚାରା ପକେଇବା ପାଇଁ ତାକୁ ବାହାରକୁ ଯିବାକୁ ପଡିଥାଏ । ସେ ଟାହିଟାପରା, ଅନେକ କଥା ଶୁଣିଲେ ରୋକଠୋକ ଜଵାବ୍ ଦିଏ। କାଠ ଖଣ୍ଡେ ଧରି ଧାଇଁଲେ ଯିଏ ଯୁଆଡେ ପଳାନ୍ତି। କାହାକଥା ସିନା ସହେନି ହେଲେ ଚାପଲୁସି କରିବାର ଲୋକ କ'ଣ କମ୍ ଅଛନ୍ତି? ଗେଲେଇ ତେଲେଇ କରି ଘରେ ପଶିବାର ଲୋକ ଅନେକ ସୁଯୋଗ ଖୋଜନ୍ତି। ଛିଣ୍ଡା ସାଟ୍ ଭିତରୁ ଗୋରା ତକତକ ଚେହେରାକୁ କେଉଁ ରାକ୍ଷାସ ଆଖିରୁ ଲୁଚାଇବ ? ସମସ୍ତଙ୍କ ନଜର ବୁଝେ ପରିଶ୍ରମ କରି ଖାଇବାକୁ ଭଲପାଏ ସିନା ଚରିତ୍ର କୁ ହୁଗୁଳା କରିବାକୁ ଦିଏନି। ଗରିବ ଝିଅ କ'ଣ ସ୍ବପ୍ନ ଦେଖିବାକୁ ମନା ?
ଏବେ ମାଆ ବେଶି କାମ କରି ପାରୁନି। ସବୁବେଳେ ଦେହ ଖରାପ ବାପା ତ ଔଷଧ ରେ ବଞ୍ଚିଛନ୍ତି। ସ୍କୁଲ ଯିବା ଆଗରୁ ବାବୁଘର କାମ ସାରିଦେଇ ଯାଏ । ନହେଲେ ରୋଗୀ ମାଆବାପା'ଙ୍କୁ ଔଷଧ ପାନେ ମିଳିବନି କି ଘରେ ଜାଉ ମୁଠେ ଫୁଟିବନି। ଆଖିର ସ୍ବପ୍ନକୁ ଓଢଣୀରେ ଗଣ୍ଠି ପକାଇ ସବୁ ମୁଣ୍ଡପୋତି ସହିନିଏ।
ସେଦିନ ଥିଲା ଓଲଟା ଯେଉଁ ବାବୁଘର ଦୟାରୁ ଘରେ ଚୂଲି ଜଳୁଥିଲା ,ସେହି ବାବୁଙ୍କ ବଡପୁଅର ନଜର ପଡିଲା ମଲ୍ଲୀ ଉପରେ। ଘରେ ସୁନ୍ଦରୀ ସ୍ତ୍ରୀ ଆଉ ପୁଅଟିଏ ଥାଉଥାଉ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ମଲ୍ଲୀ ପାଇଁ ତା ପ୍ରକୃତି ହିଂସ୍ର ଥିଲା। ମଲ୍ଲୀ କୁ ଧମକ୍ ଦେଲା ଯଦି ଖୁସିଖୁସି ତା କଥାରେ ରାଜି ହେବନି ତେବେ ଘରକାମ ବନ୍ଦ କରିଦେବ ଆଉ ପଇସା ଦେବା ମଧ୍ୟ। ଆଉ କେଉଁଠି କାମ କରିବାକୁ ମଧ୍ୟ ଦେବନାହିଁ। ବିଚରା " ମଲ୍ଲୀ"ର ଆଉ କିଛି ଉପାୟ ନ ଥିଲା। ନିଜ ଶରୀରର ବଳିଦାନରେ" ସେ" ଦେଖୁଥିଲା ବାପା ତା'ର ଦୁଇପାନ ଔଷଧ ଖାଉଛନ୍ତି। "କୁନା" ସ୍କୁଲକୁ ଯାଉଛି। ଆଉ ମାଆର" ଭୋକିଲା ପେଟକୂ ତୋରାଣୀ ମୁନ୍ଦେ ଯାଉଛି। ତା ଅରାଜିରେ ତିନିଜଣ ଠକଠାକ୍ ମରିଯିବେ। ଯେଉଁ ଚରିତ୍ରକୁ ହୀରାନୀଳା ଭଳି ସାଇତି ରଖିଥିଲା,ଆଜି ଗୋଟିଏ ଅତ୍ୟାଚାରୀ ହାତରେ ଟେକି ଦେବାକୁ ପଡିଲା।
ସେଦିନ ସେ ସ୍କୁଲକୁ ଗଲାବେଳେ ବ୍ୟାଗ୍ ଟି ଥରଥର ହାତରେ ଧରିଥିଲା। ଆଉ ଲୁହ ଛଳଛଳ ଆଖିରେ କୁନାକୁ ଗେଲ କରି କହିଥିଲା, କୁନା ତୁ ବଡ ହୋଇ ବାପା ମାଆଙ୍କ ଖିଆଲ୍ ରଖିବୁରେ। ହୁଏତ କାଲି ବଡ ବଡ ଅକ୍ଷରରେ ସମ୍ବାଦପତ୍ରରେ ମଲ୍ଲୀକୁ ଚରିତ୍ରହୀନର ନିନ୍ଦା କରାଯାଇଥିବ ନଚେତ ଆଊ କିଛି ମନଗଢା କାହାଣୀ ର ରୂପକୁ ଚିତିତ୍ର କରାଯିବ। କିନ୍ତୁ ସେଯାହା ହେଉ ଏ ଶରୀରକୁ ଗୋଟିଏ ପଶୁ ଖିନ୍ ଭିନ୍ କରିସାରିବା ପରେ ଆଉ ନିଜ ଲୋକକୁ ମୁହଁ ନ ଦେଖାଇବା ଉପଯୁକ୍ତ ପନ୍ଥା।
ସେଦିନ କିନ୍ତୁ ଝିଅଟି ନ ଫେରିବାରୁ ବାପା ମାଆ ବ୍ୟସ୍ତ ହୋଇ ସ୍କୁଲ ଧାଇଁଲେ। ବିଦ୍ୟାଳୟରେ ତାଲା। ଖୋଜି ଖୋଜି ରାତି ଅଧରେ ହେଡ୍ ମାଷ୍ଟରଙ୍କ ଘରେ ପହଞ୍ଚିଲେ।....ସାର୍ ତ ଆଶ୍ଚର୍ଯ୍ୟ ହୋଇ କହିଲେ ଆଜି ତ ମଲ୍ଲୀ ସ୍କୁଲ ଆସିନି। ଯାଅ ରାତି ତ ବହୁତ ହେଲାଣି, କାଲି ପୋଲିସ ଥାନାରେଏତଲାଦେବ ।
ସକାଳୁ ସକାଳୁ ଦୁଇପ୍ରାଣୀ ଥାନା ଦୁଆରେ ଗୂହାରିଆ ପଡିଲେ। ବାରଟା ଵେଳକୁ ଥାନାବାବୁଙ୍କ ସହିତ ଦେଖାହେଲା .....ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ଦୁଇଟା ନୟାନ୍ତ ହୋଇଗଲୁଣି। ବିଦ୍ୟାଳୟରୁ ଆରମ୍ଭ କରି ରେଲୱେ ଯାଏଁ, ଏପରିକି ଗାଁ କୂଅମୂଳ ,ପୋଖରୀ ତୁଠକୁ ବି ବାଦ୍ ଦେଇନୁ। କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି। ସାଙ୍ଗସାଥି କେହି ବି କିଛି କହିପାରୁ ନାହାନ୍ତି। ଆମକୁ ଦୟା କରନ୍ତୁ ସାହେବ୍। କାନ୍ଦି କାନ୍ଦି କାନ୍ଦି ଧନୁମୁଣ୍ଡା ପୁଲିସ ବାବୁଙ୍କୁ ଗୁହାରି କରୁଥିଲେ।
ବିସ୍ମିତାସାହୁଙ୍କ ଗଳ୍ପାଂଶକୁ ନେଇ ମୋର ଏ ଲେଖାଟି ସ୍ରୃଷ୍ଟି। ତାଙ୍କର ଲେଖାଟି ମନଛୁଆଁ ଓ ହୃଦୟସ୍ପର୍ଶୀ ଥିଲା। ମୁଁ ଖୁବ ପ୍ରଭାବିତ।ଭଦ୍ରଲୋକ ଭିତରେ ଥିବା ପଶୁତ୍ବ ନୀରିହ ଗରିବଙ୍କ ରକ୍ତ ଶୋଷି ନିଏ ।ଭୋକିଲା ପ୍ରକୃତିକୁ ତୃପ୍ତ କରିବା ପାଇଁ ମଲ୍ଲୀ "ଭଳିଝିଅ ମାନେବଳିପଡୁଛନ୍ତି, ତାର ହିସାବ ନାହିଁ।। 'ଧନ୍ୟବାଦ'
