Priyaranjan Biswal

Tragedy

5.0  

Priyaranjan Biswal

Tragedy

ବଣ ମଲ୍ଲୀ

ବଣ ମଲ୍ଲୀ

4 mins
625



    ଚାରିପାଖ ପାହାଡରେ ଘେରା। ମଝିରେ ଜଙ୍ଗଲ, ଆଉ ଏଇ ଜଙ୍ଗଲ ମଝିରେ ଛୋଟ ଏକ ଗାଁ ଶିବପୁର। ଏହି ଗାଁର ଲୋକମାନେ ଅତି  ସରଳ ନୀରିହ। ଆଧୁନିକତାର ବାସ୍ନାଠାରୁ ଏମାନେ ଅନେକ ଦୂରରେ। ଜଙ୍ଗଲ ତାଙ୍କ ପାଇଁ ତାଙ୍କ ମାଆ ବାପା ଠାରୁ ବି ଅଧିକ ଆତ୍ମୀୟ। ଜଙ୍ଗଲଉପରେ ହିଁ ସମସ୍ତ ଗ୍ରାମବାସି ନିର୍ଭରଶୀଳ। ଜଙ୍ଗଲ ସେମାନଙ୍କୁ ଜୀବନ ଜୀବିକା ପ୍ରଦାନ କରି ଆସିଛି କେଉଁ ଆବାହମାନ କାଳରୁ। ସେମାନେ ଜଙ୍ଗଲକୁ ନିଜର ଦେବତା ,ଅନ୍ନଦାତା ଭାବି ପୂଜା କରନ୍ତି। ଜଙ୍ଗଲଟି ଅନେକ ମୂଲ୍ଯବାନ ଗଛରେ ପରିପୂର୍ଣ୍ଣ। ଜଙ୍ଗଲରୁ ସେମାନେ ନିଜର ଓ ନିଜ ପରିବାର ପାଇଁ ଖାଦ୍ଯ, ବାସଗୃହ ଆଦି ଅନେକ ମୌଳିକ ସୁବିଧା ପ୍ରଦାନ କରେ। ସତେ ଯେମିତି ସେଇ ଜଙ୍ଗଲ ସେମାନଙ୍କ ମାଆ। ଆଉ ଶିବପୁର ଗ୍ରମବାସି ତାର ସନ୍ତାନ। ଆଉ ସେଇ ଜଙ୍ଗଲ ଚାରିପଟେ ଥିବା ପାହାଡ ଗୁଡିକ ମୂଲ୍ଯବାନ ଖଣିଜ ସମ୍ପଦରେ ପୂର୍ଣ୍ଣ। ତଥାବି ଶିବପୁର ବସିଙ୍କର ଥିଲା ଅନେକ ସମସ୍ଯା । ପାହାଡିଆ ଅଞ୍ଚଳ ହୋଇଥିବା ହେତୁ ବର୍ଷର ଅଧିକାଂଶ ସମୟ ପାନୀୟ ଜଳର ସଂଙ୍କଟ ଲାଗିରହୁଥିଲା। ବର୍ଷା ଦିନରେ ଅଧିକ ସଂକ୍ରମଣ ରୋଗ ବ୍ଯାପିବା ହେତୁ ଲୋକେ ପ୍ରାଣ ହରାଉ ଥିଲେ କାରଣ ସ୍ୱାସ୍ଥ୍ଯସେବା ସେ ଗାଁ କୁ ଥିଲା ଅପହଞ୍ଚ। ଏହିସବୁ ଭିତରେ ଶିବପୁରର ଲୋକମାନେ କିନ୍ତୁ ଅତି ଖୁସିରେ ନିରାଡମ୍ବରପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ। ଶିକ୍ଷା ଏମାନଙ୍କ ପାଇଁ ଥିଲା ସାତ ସପନ। ବିଦ୍ଯାଳୟ ଓ ସରକାରୀ ସୁବିଧା ଏମାନଙ୍କ ପାଇଁ ଥିଲା ଜହ୍ନମାମୁଁ ଗପ।


   ଆଧୁନିକ ମଣିଷ ଯେତେବେଳେ ଜାଣିଲା ପାହାଡରେ ଅନେକ ମୂଲ୍ଯବାନ ଖଣିଜ ରହିଛି ନିଜର ଲୋଭକୁ ସମ୍ଭାଳି ନପାରି ସେସବୁକୁ ନିଜ ଆୟତକୁ ଆଣିବାକୁ ନିଜ କୁବୁଦ୍ଧି ପ୍ରୟୋଗ କରି ସବୁ ପ୍ରକାର ପ୍ରୟାସ ଆରମ୍ଭ କରିଦେଲା। ପ୍ରଥମେ ଶିବପୁର ବାସି ଏହାକୁ ପ୍ରବଳ ବିରୋଧ କଲେ। ମାତ୍ର ଧୃତ ଆଧୁନିକ ମଣିଷ ସେହି ସରଳ ନୀରିହ ମଣିଷ ମାନଙ୍କ ମନରେ ଆଧୁନିକତାର ଚାକଚକ୍ଯ ଭାରା କୁହୁଡି ଘର ତୋଳି ସେମାନଙ୍କୁ ଅନେକ ଦିବା ସ୍ୱପ୍ନ ଦେଖାଇ କେବଳ ପାହାଡ ନୁହେଁ ବରଂ ଜଙ୍ଗଲକୁ ମଧ୍ଯ ଅକ୍ତିଆରକୁ ନେଇଗଲା। ଶିକ୍ଷା, ସ୍ୱସ୍ଥ୍ଯ, ଗମନାଗମନ, ଉନ୍ନତ ବାସଗୃହ ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଲୁଟିବା ଆରମ୍ଭ କରିଦେଲା ସେଇ ସରଳ ଗ୍ରାମ ବାସିଙ୍କୁ। ସମୟ ଗଡି ଚାଲିଲା। ପ୍ରତିଶୃତି ପାଲଟିଗଲା ପାଣିର ଗାର। ବହି ବଦଳରେ ଛୁଆଙ୍କ ହାତରେ ଧରେଇ ଦିଆଗଲା ଶାବଳ,କୋଡି ଓ କାଙ୍କ। ଯୁବପିଢିଙ୍କ ହାତରେ ଧରେଇ ଦିଆଗଲା ମଦ ବୋତଲ। ଝିଅ ବହୁ ମାନଙ୍କୁ ସଜେଇ ଦିଆଗଲା ଶ୍ରମିକ। ସତେ ଯେମିତି ସେଇ ସରଳ ନିରୀହ ମଣିଷମାନଙ୍କ ଆନନ୍ଦପୂର୍ଣ୍ଣ ଜୀବନରେ ଆଧୁନିକତାର ଗ୍ରହଣ ଲାଗିଗଲା। ଜଙ୍ଗଲରୁ ମୂଲ୍ଯବାନ କାଠ କଟାହୋଇ ବାହାରକୁ ରପ୍ତାନୀ କରାଗଲା। ଜଙ୍ଗଲରେ ଥିବା ଜୀବ ଜନ୍ତୁଙ୍କର ଅବାଧ ଶିକାର ମଧ୍ଯ କରିବା ଆରମ୍ଭ କରିଦିଆ ଗଲା। ପ୍ରତିବାଦ କଲେ ମାଡ ସହ ଜେଲ୍ ଯିବାକୁ ପଡିଲା। ଆନ୍ଦୋଳନର ପ୍ରୟାସ କଲେ ମାରି ଖଣି ଭିତରେ ପୋତି ଦିଆ ଗଲା। କଳେ ବଳେ କୌଶଳେ ସେ ନିରୀହ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି କରି ଏ ସ୍ୱର୍ଥବାଦୀ ଅଧୁନିକ ମଣିଷ ସେମାନଙ୍କ ଉପରେ ନିଜର ପ୍ରଭୁତ୍ୱ ଜାହିର୍ କରିବାକୁ ଲାଗିଲା। ଅଚାନକ ପାଣିପାଗ ବଦଳିଲା ଭଳି ବଦଳିଗଲା ଶିବପୁର ବାସିଙ୍କ ଦୈନନ୍ଦିନ ଜୀବନ।


   ଏହି ସବୁ ଭିତରେ ଦୁଇଜଣ ଦମ୍ପତ୍ତି ରତନା ଓ ଝୁମୁରି ସେଇ ଖଣିରେ କାମକରି ନିଜ ସଂସାର ଚଳାଉ ଥାନ୍ତି। ରତନା ଟା ଭାରି ଭଲ ପିଲା କିନ୍ତୁ ସିଏବି ପଡିଯାଇଥିଲା ମଦ ନିଶାର କବଳରେ। ନିଜ ସ୍ତ୍ରୀକୁ ସେ ବହୁତ ଭଲ ପାଉଥିଲା। ମାତ୍ର ମଦ ନିଶା ତାକୁ ଏମିତି ଘାରିଥିଲାଯେ ଶତ ଚେଷ୍ଟା ପରେବି ସେ ମଦ ଛାଡି ପାରିଲାନି। ଦିନକୁ ଦିନ ଅଧିକରୁ ଅଧିକ ମଦ ପିଇବାକୁ ଲାଗିଲା। ଦିନେ ଝୁମୁରିର ଦେହ ଖରାପ ହେବାରୁ ସେ କାମକୁ ଯାଇ ପାରିଲାନି। ରତନା କାମରୁ ଫେରିଲା ବେଳକୁ ଝୁମୁରି ମନଦୁଃଖ କରି ବସିଛି। ରତନା ପଚାରିଲା କଣ ହେଲା ? ଝୁମୁରି କହିଲା ତୁ ବାପା ହେବାକୁ ଯାଉଛୁ। ଅଉ ଲାଜେଇ ଲାଜେଇ ହସିବାକୁ ଲାଗିଲା। ଏକଥା ଶୁଣି ରତନା ଖୁସିରେ ନାଚିବାକୁ ଲାଗିଲା। କିଛି ଦିନପରେ ତାଙ୍କର ଗୋଟିଏ ଝିଅ ହେଲା ତାର ନାଁ ଦେଲେ ମଲ୍ଲୀ। ଝିଅ ଜନ୍ମ ହେବାପରେ କିଛି ଗାଁ ଲୋକଙ୍କୁ ଡାକି ନିଜ ଶକ୍ତି ଅନୁସାରେ ଭୋଜି ଦେଲା। ମାତ୍ର କିଛି ଲୋକ କହିଲେ ଝିଅଟା ପାଇଁ ଏତେ ଖୁସି କାହିଁକି? ଝିଅ ଜନମ ପର ଘରକୁ। ତାଛଡା ପୁଅ ହୋଇଥିଲେ ବାପା ସାଙ୍ଗରେ ଖାଦାନକୁ ଯାଇ ଭଲ ଦିପଇସା ରୋଜଗାର କରିଥାନ୍ତା। ଝିଅଟା କଣ କରିବ? ରତନା କହିଲା ମୋ ଝିଅ ବଡ ହେଲେ ହାକିମ ହେବ। ଏ ଅଞ୍ଚଳର ସମସ୍ତ ସମସ୍ଯା ଦୂର କରିବ। ମୋ ନାଁ ରଖିବ। ଖଣିରେ କାମ କରିବନି କି ସଂସାର ଜଞ୍ଜାଳରେ ଛନ୍ଦିହେଇ ନିଜ କର୍ତ୍ତବ୍ଯରୁ ଓହରି ଯିବନି। ମଲ୍ଲୀ ଧିରେଧିରେ ବଡ ହେଲା। ଯେତେବେଳେ ମଲ୍ଲୀକୁ ପାଞ୍ଚ ବର୍ଷ ହେଲା , ମଲ୍ଲୀ ଦିନେ ତା ବାପାକୁ କହିଲା ବାପା ତୁମେ ମତେ କେତେ ଭଲପାଅ? ତା ବାପା କହିଲା ଆଲୋ ମାଆ ତୁ ପରା ମୋ ଜୀବନ। ମଲ୍ଲୀ କହିଲା ତାହେଲ ମୁଁ ଯାହା କହିବି ତୁମେ ମାନିବ? ତା ବାପା କହିଲା ହଁ ମୋ ଝିଅ କହିବ ଆଉ ମୁଁ ପୁଣି ମାନିବିନି? କହ କଣ କହୁଚୁ? ମଲ୍ଲୀ କହିଲା ତୁମେ ମୋ ପାଇଁ ମଦ ପିଇବା ଛାଡି ପାରିବ? ରତନା ଏ କଥା ଶୁଣି ପୁରା ନୀରବ ହୋଇଗଲା। ତା ଆଖିରୁ ବହିଗଲା ଲୋତକର ଧାର। ଆଉ ଝିଅ ମୁଣ୍ଡରେ ହତ ବୁଲେଇ କହିଲା ଠିକ୍ ଅଛି ମୁଁ ମଦ ପିଇବା ଛାଡିଦେବି କିନ୍ତୁ ଆଜି ଦିନକ ମତେ ପିଇବାକୁ ଅନୁମତି ଦେ। ମଲ୍ଲୀ କହିଲା ଠିକ୍ ଅଛି। ଆଜି ଦିନଟା। ରତନା ଚାଲିଗଲା ଭାଟୀକୁ। ରାତି ଅନେକ ହେଲାଣି କିନ୍ତୁ ରତନା ଘରକୁ ଫେରୁନି। କିଛି ଲୋକ ଦୌଡିଆସି ଝୁମୁରିକୁ କହିଲେ ବିଷାକ୍ତ ମଦପିଇ ରତନାଟା ମରିଗଲା। ଏ କଥା ଶୁଣି ଝୁମୁରିର ପାଦ ତଳୁ ମାଟି ଖସିଗଲା। ତାକୁ ଚାରିଆଡ ଅନ୍ଧାର ଦେଖାଗଲା। ବଡ ପାଟିରେ ଛାତି ବାଡେଇ କାନ୍ଦିବାକୁ ଲାଗିଲା। ହେଲେ ମଲ୍ଲୀ ମୁଁହଁକୁ ଚାହିଁ ସେ ଧର୍ଯ୍ଯବାନ୍ଧି ରହିଗଲା। ମଲ୍ଲୀ କିନ୍ତୁ ସେବେଠାରୁ ମନେମନେ ଚିନ୍ତା କରିନେଇଥିଲା ଦିନେନା ଦିନେ ତା ଗାଁ କୁ ସେ ମଦମୁକ୍ତ କରିବ ଓ ଗାଁର ଲୋକ ମାନଙ୍କୁ ବିନାଶ ପଥରୁ ଠିକ୍ ବାଟକୁ ଆଣିବ।


    ରତନାର ସ୍ୱପ୍ନ ପୁରଣ କରିବା ପାଇଁ ମଲ୍ଲୀକୁ ହାକିମ କରିବାକୁ ଝୁମୁରି ଖଣିରେ ଚାକିରି କରିଥିବା ହାକିମ ମାନଙ୍କ ଘରେ କାମ କରିବାକୁ ଲାଗିଲା। ଓ ସେମାନଙ୍କର ଚିରାଫଟା ପୁରୁଣା ବହି,ଖାତା କଲମ ଆଣି ମଲ୍ଲୀକୁ ପାଠ ପଢିବାକୁ ଦେଲା। ତାଙ୍କ ପିଲାଙ୍କ ପୁରୁଣା ଯାମା ପିନ୍ଧିବାକୁ ଦେଲା। ମଲ୍ଲୀ ବି କେବେ କୌଣସି ଜିନିଷ ପାଇଁ ତା ମାଆ ପାଖରେ ଅଝଟ କରେନି। ତାକୁ ଯେତିକି ମିଳେ ସେ ସେତିକିରେ ଚଳିଯାଏ। ଏମିତି ଏମିତି ଭିତରେ ସମୟ ବିତି ଚାଲିଲା ମଲ୍ଲୀ ଧୀରେଧୀରେ ବଡ ହେଲା। ଦିନରେ ସାହେବଙ୍କ ଛୋଟ ପୁଅ ଝିଅଙ୍କୁ ପାଠ ପଢାଏ, ମାଆକୁ କାମରେ ସାହାଯ୍ଯକରେ। ଆଉ ରାତିରେ ଚୁଲି ପାଖରେ ବସି ନିଜେ ପାଠପଢେ। ପାଠ ପଢା ସହ ଅବସର ସମୟ ପାଇଲେ କବିତା ଓ କାହାଣୀ ମଧ୍ଯ ଲେଖେ। ଦିନେ ବର୍ଷା ପବନ ସମୟରେ ଝୁମୁରି ଘରକୁ ଫେରୁଥିବା ସମୟରେ ଏକ ବଡ ଗଛ ତା ଉପରେ ଭାଙ୍ଗି ପଡିଲା। ଆଉ ସେଇଠାରେ ଝୁମୁରିର ପ୍ରାଣ ଚାଲିଗଲା। ଏବେ ମଲ୍ଲୀ ହୋଇଗଲା ପୁରା ଏକା। ତା ଜୀବନରେ ଦୁଃଖର ସାଗର ମାଡି ଆସିଲା। ବାପାକୁ ଆଗରୁ ହରାଇଥିଲା। ଏବେ ମାଆକୁ ହରେଇଲା। ଏତେବଡ ଦୁନିଆରେ ସିଏ ଏକା କଣ ବା କରିବ? କେଜାଣି ନୀରିହ ଝିଅଟିର ଭାଗ୍ଯରେ ଭଗବାନ୍ ଏତେ ଦୁଃଖ କେମିତି ଲେଖିଛନ୍ତି? କଣ ଅଛି ଆଉ କେଜାଣି ତା ଭାଗ୍ଯରେ? ସେ କଥା ସେଇ ଭଗବାନଙ୍କୁ ହିଁ ଜଣା।


   ଜଣେ ସାହେବ ତାର ଏପରି ଅବସ୍ଥା ଦେଖି ତାଙ୍କ କାର୍ଯ୍ଯାଳୟରେ ତାକୁ କିରାନି ଚାକିରି ଟିଏ ଦେଲେ। ଦିନେ ବ୍ଯସ୍ତ ଭିତରେ ମଲ୍ଲୀ ତାର ବ୍ଯାଗ୍ ଟିକୁ ଅଫିସ୍ ରେ ଛାଡି ଘରକୁ ଚାଲିଗଲା। ବ୍ଯାଗ୍ ଟିକୁ ସାହେବ ପାଇଲେ। ବ୍ଯାଗ୍ ରେ କଣ ଅଛିବୋଲି ଦେଖିବା ପାଇଁ ସେ ବ୍ଯାଗ୍ ଟିକୁ ଖୋଲିଲେ। ଦେଖିଲେ ଭିତରେ ଅଛି ଗୋଟିଏ ଡାଏରୀ। ସେ ଡାଏରୀରେ ଲେଖା ଅଛି ଏକ କାହାଣୀ। କାହାଣୀଟିକୁ ପଢିବା ପରେ ସାହେବ ଜଣଙ୍କ ଆଖି ଲୁହରେ ଭରିଗଲା। ସେ ମଲ୍ଲୀକୁ ନଜଣେଇ ଡାଏରୀଟି ସହରକୁ ପଠାଇ ଦେଲେ ବହି ଛାପିବା ପାଇଁ। ବହି ଛପାଗଲା। ବହିର ନାଁ ପାହାଡି ମଣିଷ। ଲୋକେ ବହିର କାହାଣୀକୁ ବହୁତ ପସନ୍ଦ କଲେ। ବହୁ ସଂଖ୍ଯାରେ ବହି ବିକ୍ରି ହେଲା। ମଲ୍ଲୀ କିନ୍ତୁ ନିଜ ଡାଏରୀ ନପାଇ ମନ ଦୁଃଖରେ ଥାଏ। ଦିନେ ସାହେବ ତାକୁ ପାହାଡି ମଣିଷ ବହି ଦେଇ ପଢିବାକୁ କହିଲେ। ମଲ୍ଲୀ ପଢିସାରି ବୁଝିଗଲା ଯେ ଏହା ତାର କାହାଣୀ। ତାପରେ ସେ କିଛି କହିବା ପୂର୍ବରୁ ସାହେବ ତା ହାତରେ ଧରାଇ ଦେଲେ ପାଞ୍ଚଲକ୍ଷ ଟଙ୍କା। କହିଲେ ଏହା ତୁମ କାହାଣୀ ପାଇଁ। ବହି ବିକ୍ରିର ଲାଭାଂଶ। ଏଇତ ଆରମ୍ଭ ମାତ୍ର। ଆହୁରି ଟଙ୍କା ତୁମ ପାଖରେ ପହଞ୍ଚି ଯିବ। 


    ଟଙ୍କା ଦେଖି ମଲ୍ଲୀ ଖୁସି ହୋଇଗଲା। ମନେମନେ ଭାବିଲା ଏଇ ପଇସାରେ ମୁଁ ମୋ ବାପାର ଓ ମୋର ସ୍ବପ୍ନକୁ ସାକାର କରିପାରିବି। ଭାଗ୍ଯକୁ ସେଇ ସାହେବ ଜଣଙ୍କ ପେସାରେ ଥିଲେ ଜଣେ ଯନ୍ତ୍ରି। ମଲ୍ଲୀ କହଲା ସାର୍ ଏଇ ପଇସାରେ ପାହାଡରେ ବନ୍ଧ କରି ବର୍ଷା ଜଳକୁ ଅଟକାଇ ଦେଲେ ଆମ ଗାଁର ପାନୀୟ ଜଳ ସମସ୍ଯା ଦୂର ହେଇପାରିବ। କିନ୍ତୁ ସେଥିପାଇଁ ମତେ ଆପଣଙ୍କ ସାହାଯ୍ଯ ଦରକାର। ସାହେବ ରାଜି ହେବା ପରେ ମଲ୍ଲୀ ସେହି ପଇସାରେ ବନ୍ଧ ବାନ୍ଧି ପାନୀୟଜଳ ବ୍ଯବସ୍ଥା କଲା। ଆଉ ଗାଁରେ ଗୋଟେ ସ୍କୁଲ୍ ଖୋଲିଲା। ଗାଁର ପିଲା ମାନଙ୍କୁ ସିଏ ସେଠାରେ ପାଠ ପଢାଇଲା। ବାକି ପଇସାରେ ଗୋଟିଏ ଏନ୍.ଜନ.ଓ କରି ମଦ ବିରୋଧି ଆନ୍ଦୋଳନକୁ ପ୍ରଖର ଋପ ଦେଲା। ଏଥିପାଇଁ ତାକୁ ଅନେକ ବାଧାବିଘ୍ନ ମଧ୍ଯ ସହିବାକୁ ପଡିଛି। ତଥାବି ସେ କେବେ ହାର ମାନିନି। ଯୁବକ ମାନଙ୍କ ମଧ୍ଯରେ ମଦ ବିରୋଧୀ ସଚ୍ଚେତନତା ସୃଷ୍ଟି କରିବାକୁ ଅନେକ ଉପାୟରେ ନୂଆ ଶୈଳି ପ୍ରୟୋଗ କରି ମଦର କୁ ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଇଲା। ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାପାଇଁ ଜଙ୍ଗଲଜାତ ଦ୍ରବ୍ଯକୁ ବ୍ଯବହାର କରି ବିଭିନ୍ନ ଗୃହୋପକରଣ ଜିନିଷ ପ୍ରସ୍ତୁତି ପାଇଁ ତାଲିମ୍ ଦେଇ କୁଟୀର ଶିଳ୍ପ ପ୍ରତିଷ୍ଠା କଲା।ଗାଁରେ ବିଜୁଳି ନଥିବାରୁ ସୋଲାର୍ ଲାଇଟ୍ ର ବ୍ଯବସ୍ଥା କଲା। ମଲ୍ଲୀର ପ୍ରୟାସ ଫଳରେ ଧିରେଧିରେ ତାର ପୁରା ଗାଁ ମଦମୁକ୍ତ ହୋଇଗଲା। ମଲ୍ଲୀ ନିଜର ସ୍ୱପ୍ନ ପୂରଣ କରିବାରେ ସଫଳ ହେଲା। ଏଇ କଥା ଜାଣିବା ପରେ ସରକାର ଶିବପୁରକୁ ପକ୍କା ଶଡକ କରିଦେଲେ। ଡାକ୍ତରଖାନା ଖୋଲିଲେ। ଶିବପୁର ଗାଁ ଲୋକ ବିକାଶର ସ୍ୱାଦ ଚାଖିଲେ। ବାସ୍ତବରେ ମଲ୍ଲୀ ଥିଲା ସେଇ ବଣ ମୁଲକର ମଲ୍ଲୀ। ସରକାର ତାର ଏପରି ନିସ୍ୱାର୍ଥପର ସେବା ପାଇଁ ପୁରସ୍କାର ଦେଇ ସମ୍ମାନୀତ କଲେ। ଗାଁ ଲୋକ ମାନେ ମଧ୍ଯ ତାକୁ ପ୍ରସଂଶାରେ ପୋତି ପକାଇଲେ। ମଲ୍ଲୀ କିନ୍ତୁ ଆଜି ନିଜ ଆଖିର ଲୁହକୁ ଅଟକାଇ ପାରୁ ନଥାଏ। ଏଇ ଲୁହ ସବୁ ଖୁସିରେ ଝରିଯାଉଥାଏ ତା ଆଖିରୁ। ମନେ ମନେ ଭାବୁଥାଏ ବାପା ବୋଉ ଆଜି ଥିଲେ ସତରେ କେତେ ଖୁସି ହୋଇ ନଥାନ୍ତେ? ତେବେ ସେ ଏହିପରି ଲୋକ ମାନଙ୍କର ଉନ୍ନତି କଳ୍ପେ ସବୁବେଳେ କମ କରିବାର ପ୍ରତିଜ୍ଞା କଲା। ଏବେ ସିଏ ଆଉ ଏକା ନଥିଲା ଏସବୁ ବିରୋଧରେ ଲଢିବା ପାଇଁ। ଅନେକ ସମାଜସେବୀ, ବୁଦ୍ଧିଜୀବି, ସ୍ୱେଚ୍ଛାସେବୀ ଆଗେଇ ଆସିଲେ ମଲ୍ଲୀର ସପକ୍ଷରେ।


Rate this content
Log in

Similar oriya story from Tragedy