STORYMIRROR

Lokanath Rath

Tragedy Others

3  

Lokanath Rath

Tragedy Others

ବନ୍ଦୀ

ବନ୍ଦୀ

5 mins
200


ବିକାଶ ବାବୁ ସକାଳୁ ଉଠି ନିତ୍ୟକର୍ମ ସାରି ସୋଫା ଉପରେ ବସି ଗୋଡ଼ ଉପରେ ଗୋଡ଼ ପକାଇ ଦୈନିକ ଖବରକାଗଜ କୁ ପଢିବାକୁ ଆରମ୍ଭ କରିଛନ୍ତି କି ନାହିଁ ପତ୍ନୀ ରାଜଶ୍ରୀ ଙ୍କ ପାଟିରେ ଟିକେ ତଟସ୍ଥ ହେଇଗଲେ। ରାଜଶ୍ରୀ ଆସି କହିଲେ, "ଆରେ ତୁମେ ଆସି ଏଇଠି ବସିଛ, ମୁଁ ଭାବିଲି ତୁମେ ବଜ଼ାର କୁ ଗଲଣି ବୋଲି। କଣ ତୁମର ମନେ ନାହିଁ ଆଜି ପରା ରାକ୍ଷୀ ପୁର୍ଣିମା। ବୋହୁ ର ଭାଇ ଆସିବ, ପୁଅ ଅଜିତ ଏବେ ପହଞ୍ଚି ଯିବ, ଆଉ ଏଗାରଟା ବେଳେ ତା ଭଉଣୀ ତୁମ ଝିଅ ଆରତୀ ବି ଆସି ତାକୁ ରାକ୍ଷୀ ବାନ୍ଧିବ, ମୋ ଭାଇ କହିଛନ୍ତି ବାରଟା ବେଳେ ଆସିବେ।ତୁମର ଭଉଣୀ ରେଖା ଆଉ ସବିତା ବି ଆସିବେ। ବଜାର କୁ ଯାଇ ମିଠା ଆଉ ଅନ୍ୟ ସଉଦା ନେଇକି ଆସ। ସମୟ କଣ ବସିକି ରହିଛି ଯେ ତୁମେ ଆସି ଏଇଠି ବସିଗଲ ? ମୁଁ ତୁମକୁ ଚିଠା ଆଉ ବ୍ୟାଗ ଆଣି ଦେଉଛି । ଲୁସି କୁ କହୁଛି ଚାହା ଦେଇଦେବ। "ଏତକ ଶୁଣି ବିକାଶ ଉଠି ପଡିଲେ। ବୋହୁ ଲୁସି ଆଣି ଚାହା ବିସ୍କୁଟ ଦେଇଗଲା। ସେତକ ଖାଇ ପତ୍ନୀ ରାଜଶ୍ରୀ ଙ୍କ ଠାରୁ ଚିଠା ଓ ବ୍ୟାଗ ଧରି ବିକାଶ ବଜାରକୁ ବାହାରିଗଲେ। ସବୁ ଜିନିଷ କିଣି ଘରକୁ ପ୍ରାୟ ଦଶ ଟା ରେ ଫେରିଲେ। ସବୁତକ ରାଜଶ୍ରୀ ଙ୍କ ଜିମା ଦେଇ ଟିକେ ଭାବୁଥିଲେ ବସି ପଡିବେ, ପୁଣି ପଚାରୁ ରାଜଶ୍ରୀ କହିଲେ, "ଯାଅ ଏବେ ଗାଧୋଇ ପଡି ଆସ. ବେଳ ହେଇଗଲାଣି ସମସ୍ତେ ଆସିବା ଆସିବା ହେଉଥିବେ। "ବିକାଶ ଟିକେ କଣେଇ କରି ରାଜଶ୍ରୀ ଙ୍କୁ ଚାହିଁଲେ ଓ ଚୁପ ଚାପ ଗାଧୋଇବାକୁ ଚାଲିଗଲେ।

ମନେ ମନେ ଭାବିଲେ ଯେମିତି କାରାଗାରର ଜଣେ ବନ୍ଦୀ।

ଦିନ ଏଗାରଟା ବେଳଠାରୁ ଆରମ୍ଭ ହେଲା ସମସ୍ତଙ୍କର ଆସିବା।ପ୍ରଥମେ ବୋହୁ ଲୁସି ର ଭାଇ ଶରତ ଓ ତା ପତ୍ନୀ ସୁନିତା ପ୍ରଥମେ ଆସିଲେ। ବୋହୁ ତା ଭାଇ ହାତରେ ରାକ୍ଷୀ ବାନ୍ଧିଲା । ସେମାନେ ଘଂଟାଏ ରହି ମିଠା ଓ ପିଠା ଖାଇ ବାହାରିଗଲେ ସୁନିତା ର ଭାଇ ଘରକୁ। ତାପରେ ଆସିଲେ ପତ୍ନୀ ରାଜଶ୍ରୀ ଙ୍କ ଭାଇ ରାଜେଶ।ତାଙ୍କ ହାତରେ ବଡ଼ ଖୁସିରେ ରାକ୍ଷୀ ବାନ୍ଧିଲେ ରାଜଶ୍ରୀ ଓ କହିଲେ ଖରାବେଳ ଖାଇବା ଖାଇକରି ଯିବାକୁ। ସେ ବି ନା ନା ଭିତରେ ନିଜ ଭଉଣୀ କଥା ଭାଙ୍ଗି ପାରିଲେ ନାହିଁ। ତାପରେ ଆସିଲା ତାଙ୍କ ଝିଅ ଆରତୀ । ସେତେବେଳକୁ ପୁଅ ଅଜିତ ବି ଆସି ଯାଇଥିଲା। ତାକୁ ରାକ୍ଷୀ ବାନ୍ଧି ଆରତୀ ବି ବାହାରିଗଲା ସ୍ୱାମୀ ମନୋଜ ଙ୍କ ସହିତ ତାଙ୍କ ଭଉଣୀ ଘରକୁ। ସେତିକିବେଳେ ବିକାଶ ଙ୍କ ଭଉଣୀ ରେଖା ଓ ସବିତା ଆସି ପହଞ୍ଚିଲେ। ସେମାନେ ବିକାଶ ଙ୍କ ହାତରେ ରାକ୍ଷୀ ବାନ୍ଧିଲେ। ଖରାବେଳେ ରାଜେଶ, ରାକ୍ଷୀ, ସବିତା ଖାଇବା ଖାଇଲେ ଓ ଶେଷରେ ସେମାନେ ବି ସନ୍ଧ୍ୟା ବେଳେ ନିଜ ନିଜ ଘରକୁ ଚାଲିଗଲେ । ବିକାଶ ଭାବିଲେ ଏବେ ନିଜ ପାଇଁ ଟିକେ ସମୟ କାଢିବେ। ସେ ଶୋଇବା ଘରକୁ ଯାଇ ନିଜ ବହି ଥାକରୁ ଖାତା କଲମ କାଢି ଭାବିଲେ ଆଜି ଗୋଟେ କବିତା ଲେଖିବେ। ନିଜେ ଚୌକିରେ ବସି ଭାବିବାକୁ ଲାଗିଲେ। ନିଜ ଅତୀତର ସ୍ମୃତି ରେ ନିଜକୁ ହଜାଇ ଦେଲେ।

ପିଲାଦିନେ ବିକାଶ, ରେଖା ଓ ସବିତା ଏକାଠି ବସି ପାଠ ପଢୁଥିଲେ। ବିକାଶ ସବୁଠାରୁ ବଡ଼। ତେଣୁ ତାଙ୍କ ବୋଉ ତାଙ୍କୁ ତାଗିଦ କରି କହୁଥିଲା, "ତୁ ନିଜେ ପଢ଼ ଓ ତା ସାଙ୍ଗରେ ଦୁଇ ଭଉଣୀଙ୍କୁ ବି ବୁଝେଇ ଦେ। ମୋତେ ରୋଷେଇ କରିବାକୁ ହେବ। "ସେତେବେଳେ ବିକାଶ ଭାବୁଥିଲେ ବିଦ୍ୟାଳୟ ରେ ଗୋଟିଏ ବନ୍ଦୀ ପରି ଗୋଟିଏ ଶ୍ରେଣୀରେ ବସି ରହି ପଢ଼। ତାପରେ ଘରେ ନିଜେ ପଢିବେ ଆଉ ଦୁଇ ଭଉଣୀ ଙ୍କୁ ବି ପଢ଼େଇବେ। ତାଙ୍କୁ ତାଙ୍କ ନିଜ ସ୍ୱାଧୀନତା କେବେ ମିଳିବ କେଜାଣି। ମନ କୁ ମାରି ସେହି ବନ୍ଦୀ ଜୀବନ କୁ ବିତାଉଥିଲେ କେବଳ ଭବିଷ୍ୟତ ର ସ୍ୱାଧୀନ ଜୀବନ ଅପେକ୍ଷାରେ। ଧୀରେ ଧୀରେ ସମୟ ଗଡି ଚାଲିଲା। ବିକାଶ ପାଠ ପଢା ସାରି ସରକାରୀ ଚାକିରୀ କଲେ। ଭାବିଲେ ଏବେ ନିଜ ପାଇଁ ଭାବିବାର ସ୍ୱାଧୀନତା ପାଇବେ। ଟିକେ ବନ୍ଦୀ ଜୀବନରୁ ମୁକ୍ତି ମିଳିବ । କିନ୍ତୁ ବାପା ରାମଚନ୍ଦ୍ର ବାବୁ ଓ ବୋଉ ମମତା ଦେବି କହିଲେ ରେଖା ଓ ସବିତା ଦୁଇ ଜଣଙ୍କର ବିବାହ ପ୍ରସ୍ତାବ ଆସିଛି । ଭଲ ପ୍ରସ୍ତାବ। ତେଣୁ ସେଥିପାଇଁ ସବୁ ବନ୍ଦୋବସ୍ତ କରିବାକୁ ହେବ। ଏବେ ପୁଣି ବିକାଶ ସେହି କାମରେ ଲାଗିଗଲେ । ନିଜ କଥା ଭୁଲି ଗଲେ। ଦୁଇ ଭଉଣୀଙ୍କର ବାହାଘର ବହୁତ ଭଲରେ ସରିଗଲା। ସେତେବେଳେ ବିକାଶ ଭାବିଲେ ନିଜ ପାଇଁ ସମୟ ଖୁସିରେ ମିଳିବ। କିନ୍ତୁ ସବୁ ଓଲଟ ପାଲଟ ହେଇଗଲା। ହଟାତ ବାପା ରାମଚନ୍ଦ୍ର ହୃଦଘାତ ରେ ଆରପାରି କୁ ଚାଲିଗଲେ। ବିକାଶ ବାପାଙ୍କର କ୍ରିୟା କର୍ମ କଲେ ଓ ମା ମମତା ଙ୍କୁ ସମ୍ଭାଳିଲେ । ତାଙ୍କ ବୋଉ ମମତା ଙ୍କ ଦେହ ଖରାପ ହେବାକୁ ଲାଗିଲା । ବିକାଶ ତାଙ୍କ ସେବା କଲେ ଓ ଘର ର କାମ ଚାକିରୀ ସାଙ୍ଗରେ କଲେ । ପିଲାଦିନେ ବିଦ୍ୟାଳୟ ରେ ପଢୁଥିଲା ବେଳେ ନିଜେ ଭଲ କବିତା ଓ ଗଳ୍ପ ଲେଖୁଥିଲେ। ତାପରେ ଯେତେ ଚେଷ୍ଟା କଲେ ବି ସମୟ ମିଳିଲା ନାହିଁ ଲେଖା ଲେଖି କରିବାକୁ। କର୍ମମୟ ଜୀବନ ଓ ପାରିବାରିକ ଜଞ୍ଜାଳ ଡୋରି ରେ ବାନ୍ଧି ହୋଇ ଯେମିତି ଗୋଟିଏ ବନ୍ଦୀ ହେଇ ଯାଇଥିଲେ। କିଛିଦିନ ପରେ ବୋଉ ର ଅବସ୍ଥା ଖରାପ ହେବାରୁ ବାଧ୍ୟ ହୋଇ ସେ ବିବାହ କଲେ ରାଜଶ୍ରୀ ଙ୍କ ସହିତ। ସେ ବି ତାଙ୍କ ବୋଉ ମମତା ର ପସନ୍ଦ ଓ ଇଚ୍ଛା ହିସାବରେ। ଭାବିଲେ କିଛି ସମୟ ପାଇବେ। କିନ୍ତୁ ବିବାହ ପରେ ଜଞ୍ଜାଳ ଆହୁରି ବଢିଗଲା। ଦୁଇ ବର୍ଷ ପରେ ଅଜିତ ଜନ୍ମ ହେଲା। ତାକୁ ବର୍ଷେ ନ ପୂରୁଣୁ ତାଙ୍କ ବୋଉ ମମତା ଆଖି ବୁଜିଲେ। ଏବେ ରାଜଶ୍ରୀ ଙ୍କୁ ତାଙ୍କୁ ଘର ଚଳାଇବାରେ ସାହାଯ୍ୟ କରିବାକୁ ପଡିଲା। ବୋଉ ଯିବାର ଦୁଇ ବର୍ଷ ପରେ ଆରତୀ ଜନ୍ମ ହେଲା। ତାପରେ ବିକାଶ ପୁରା ପୁରି ସଂସାର ଜଞ୍ଜାଳ ଜାଲ ରେ ବାନ୍ଧି ହେଇ ପଡିଲେ। ସକାଳେ ଚାକିରୀ କରିବାକୁ ଯାଉଥିଲେ ଓ ଘରକୁ ଫେରି ସଉଦା ଆଣି ଅଜିତ ଓ ଆରତୀ କୁ ପାଠ ପଢ଼ାଉଥିଲେ। ପୁରାପୁରି ବାନ୍ଧି ହେଇ ଯାଇଥିଲେ କର୍ତ୍ତବ୍ୟ ଓ କର୍ମ ସହିତ। ଉପରେ ହସୁଥିଲେ, କିନ୍ତୁ ତାଙ୍କ ହୃଦୟ ସବୁବେଳେ ଖୋଜୁଥିଲା ରାସ୍ତା ସେହି ବନ୍ଦୀ ଜୀବନରୁ ମୁକ୍ତ ହେବା ପାଇଁ। ଦେଖୁ ଦେଖୁ ସମୟ ର ଗାଡି ଗଡି ଚାଲିଲା। ଉଭୟ ଅଜିତ ଓ ଆରତୀ ପାଠ ପଢି ବଡ଼ ହେଲେ। ତାପରେ ସେ ଆରତୀ ର ବାହାଘର କରିଦେଲେ। ସେ ଖୁସିରେ ରହିଲା। ତା ପର ବର୍ଷ ରାଜଶ୍ରୀ ଙ୍କ ଜିଦ ପାଇଁ ଅଜିତ ର ବି ବାହାଘର କରିଦେଲେ। ଅଜିତ ର ବାହାଘର ର ଦୁଇ ବର୍ଷ ପରେ ବିକାଶ ଚାକିରୀ ରୁ ଅବସର ନେଲେ। ଭାବିଲେ ଏବେ ନିଜେ ଟିକେ ନିଜ ପାଇଁ ସମୟ ପାଇବେ। କିନ୍ତୁ ସେତକ ହେଲା ନାହିଁ।ଅଜିତ ମାସକୁ ପ୍ରାୟ କୋଡ଼ିଏ ଦିନ ତା କାମରେ ବାହାରକୁ ଯାଏ। ତାର ସେହି ବୁଲିବା ଚାକିରୀ। ତେଣୁ ଘର ର ସବୁ ଦାଇତ୍ୱ ପୁଣି ତାଙ୍କ ଉପରେ ପଡିଲା। ତଥାପି ଭାବିଲେ ସମୟ କାଢିବେ। କିନ୍ତୁ ସତେ ଯେମିତି ସମୟ ତାଙ୍କ ସହିତ ଖେଳୁ ଥିଲା। ସେତିକି ବେଳେ ଅଜିତ ର ପୁଅ ପାପୁ ଜନ୍ମ ହେଲା। ତାର ଦେଖା ଚାହାଁ ରେ ଏବେ ସମୟ ଦେବାକୁ ପଡିଲା। ପତ୍ନୀ ରାଜଶ୍ରୀ ଙ୍କ ତାଗିଦ ନାତି ପାପୁ ର ଯେମିତି କିଛି ଅସୁବିଧା ନ ହୁଏ। ବିଚରା ବିକାଶ ଆଉ କରିବେ ବା କଣ ?ଦେଖୁ ଦେଖୁ ନାତି ପାପୁ ପାଞ୍ଚ ବର୍ଷ ର ହେଲା। ବିକାଶ ଟିକେ ନିଶ୍ୱାସ ମାରିଲେ, ଭାବିଲେ ଏବେ ଏହି ବନ୍ଦୀ ଜୀବନରୁ ମୁକ୍ତ ହେଇ ନିଜେ ପୁଣି ଲେଖିବା ଆରମ୍ଭ କରିବେ। କିନ୍ତୁ ସବୁ ଓଲଟ ପାଲଟ ହେଇଗଲା। ନାତି ପାପୁ କୁ ବିଦ୍ୟାଳୟ ନବା ଆଣିବା ଦାଇତ୍ୱ ପୁଣି ତାଙ୍କୁ ଦେଲେ ରାଜଶ୍ରୀ। ସନ୍ଧ୍ୟାବେଳେ ପୁଣି ନାତି ପାପୁ ଆସି ତାଙ୍କ ପାଖରେ ବସି କୁହେ ତା ପାଠ ପଢ଼ାରେ ସାହାଯ୍ୟ କରିବାକୁ। ବିକାଶ ପୁରା କର୍ତ୍ତବ୍ୟ, ମାୟା, ମୋହ ର ବନ୍ଧନ ରେ ବାନ୍ଧି ହେଇ ବନ୍ଦୀ ପରି କର୍ମ ଚକି ପେଷିବାରେ ଲାଗିଥାନ୍ତି। ଏବେ ସୁଦ୍ଧା ସେ ସେହି ବନ୍ଦୀ ଜୀବନ କାଟୁଛନ୍ତି।ଭାବିଲେ ଏହି ରାକ୍ଷୀ ପୂର୍ଣମୀ ରେ ଟିକେ ସମୟ ପାଇବେ।ସେଥିପାଇଁ ଖାତା କଲମ କାଢିଛନ୍ତି ଲେଖିବାକୁ।


ସେତିକିବେଳେ ରାଜଶ୍ରୀ ବଡ଼ ପାଟିରେ କହିଲେ, "ତୁମେ କୁଆଡେ ଗଲ କି ?ପାପୁ ବ୍ୟସ୍ତ ହେଉଛି, କାଲି ତାର ପରୀକ୍ଷା ଅଛି । ତାକୁ ଟିକେ ପଢାଇ ଦିଅ। ଲୁସି ଓ ମୁଁ ରୋଷେଇ କଲେ ସମସ୍ତେ ଖାଇବା। "

ଏତକ ଶୁଣି ବିକାଶ ଆଣିଥିବା ଖାତା କଲମ କୁ ତା ଜାଗାରେ ରଖିଦେଲେ। ସେଠାରୁ ଉଠି ଚାଲିଲେ ନାତି ପାପୁ କୁ ପଢ଼ାଇବାକୁ। ପୁଅ ଅଜିତ ଯାଇଛି ତା ସାଙ୍ଗମାନଙ୍କ ସହିତ ଖଟିରେ ବସିବାକୁ।

ଖାଲି ଉପରକୁ ଚାହିଁ ସେ ପ୍ରଶ୍ନ କରୁଥିଲେ ନିଜକୁ, "କେତେ ଦିନ ଆଉ ଏମିତି ଏହି ଜଞ୍ଜାଳ ରେ ବାନ୍ଧି ହେଇ ବନ୍ଦୀ ହେଇ ରହିବେ। ପିଲାଦିନେ ପାଠ ଓ ଭଉଣୀ ମାନଙ୍କ ଦାଇତ୍ୱ ରେ ବନ୍ଦୀ ଥିଲେ। ବଡ଼ ହେଇ ଚାକିରୀ କଲେ, କର୍ମ ଓ ପରିବାର ଦାଇତ୍ୱ ରେ ବନ୍ଦୀ ହେଇଗଲେ। ବାହା ହେଲେ, ସଂସାର ଓ ପରିବାର ର ବନ୍ଧନ ରେ ବନ୍ଦୀ ହେଲେ। ଏବେ ଅବସର ପରେ ବି ସେ ସମସ୍ତ ଜଞ୍ଜାଳ ର ବନ୍ଧନ ରେ ବନ୍ଦୀ ହେଇ ରହିଛନ୍ତି। "ଏତକ ଭାବି ଗୋଟିଏ ଦୀର୍ଘ ନିଶ୍ୱାସ ମାରି ମୁକ୍ତି ର ଆଶା ନେଇ ଚାଲିଲେ ନାତି ପାଖକୁ ପଢ଼ାଇବାକୁ ।


Rate this content
Log in

Similar oriya story from Tragedy