STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ବନ୍ଧୁ

ବନ୍ଧୁ

3 mins
159


ଗୁଡେ ଦିନ ପରେ ସିଏ ଦେଖାହେଲା ।କେମିତି ଗୋଟେ ବାବାଜୀ ପରି ଦିଶୁଥିଲା ଦାଢିଫାଢି ବଢେଇ ।ମୁଁ ତ ଚିହ୍ନିପାରି ନଥାନ୍ତି ତାକୁ ସିଏ ଯଦି ମତେ ଡାକଟେ ନ ପକେଇଥାନ୍ତା ।


_ ହଇରେ କଣ ଭୁଲିଗଲୁଣି କିରେ, ନ ଚାହ୍ନିଲା ପରି ପଳଉଛୁ? ହଁ ରେ ତମର ବଡ ଲୋକିଆ କଥା ,ସହରରେ ରହୁଛ, ଡାଲିଭାତ ଖାଉଛ, କଳପାଣି ଗାଧଉଛ ।ଆମ ପରିଆ ପୁରୁଣା ରିକିଟା ସାଙ୍ଗ ମାନଙ୍କୁ କାଇଁ ଚିହ୍ନିଆକୁ ଯିବ?


ଏତେ ବଡ ବଡ ଧକ୍କାଦିଆ ଧିକ୍କାର ପରେ ବି ମୁଁ ସ୍ମୃତି କାଚ ତଳ ଧୂଳି ଝାଡୁଥିଲି ଆଉ ଅଣ୍ଡାଳୁଥିଲି ଏଇ ଜନ୍ତୁଟି କିଏ ବୋଲି ।ମୋର ପିଲା ଦିନୁ ରୋଗ ,କାହା ମୁହଁ ମନ ଥାଏ ନାଆଁ ଭୁଲିଯାଇଥାଏ ତ କାହାର ଜାତକ ମନେ ଥାଏ ମୁହଁ ପାଶୋରା ହୋଇ ଭସା ସରିଥାଏ ସମୟ ସୁଅରେ ।ଏଥିରେ ମୋର ଦୋଷ କୋଉଠି ଭଲା ।ସେରେବ୍ରମ, ସେରେବେଲମ ର ଖୁଣ ନାଉ ।


ସିଏ ପୁଣି ଲମ୍ବେଇଲା, 


_ ହଇରେ ଧରିପାରୁନୁ ଟି ,ଭାଳି ହଉଛୁ?ଆ ,ଆ ମନେ ପକଉଛି ।

ମୁଁ ମନେ ମନେ ଚଷି ହଉଥାଏ ଗଲା କିନ୍ତୁ ମୁହଁ ରେ ଦେଖଉନଥାଏ ।ସ୍ମିତହାସଟେ ଧରିରଖି ଗଡଉଥାଏ ଜପାମାଳି ସ୍ମୃତି ର, କୁଆଡୁ ଗୋଟେ ସୁରାଖ ମିଳିବ ପରା ।


ସିଏ ମତେ ସେଇ ରାସ୍ତାକଡ ଦୋକାନରେ ବସେଇଦେଇ ବରାଘୁନୁନି ବରାଦ କରିଦେଲା ଦି ପ୍ଲେଟ ।ମୋ ପ୍ଲେଟରେ ବହୁତକି କଞ୍ଚା ଲଙ୍କା ପିଆଜ ଚୁନା ପାଇଁ ବି ଦୋକାନ ପିଲାକୁ କହିଲା ।ମୋର ଡାଇବେଟିସ ଆଉ ବାହାର ଖାଇବା ମନା ବୋଲି ମୁଁ କହିବି ପାରିଲିନି ।ତାଟକା ହେଇ ଭାବୁଥିଲି ମୋ ପସନ୍ଦ ନାପସନ୍ଦ ଖବର ରଖିଛି ମାନେ କିଏ ଗୋଟେ ଅତି ପାଖ ମଣିଷ ।ଛିଃ ଛିଃ କି ପୋଡାମନ କେଜାଣି ମୋର ।


ସିଏ ପୁଣି ଆରମ୍ଭ କଲା ମନେ ଅଛି ତୋର ସେଇ ଗପଟା ଯୋଉଟା ମୋ ବାପା କହୁଥିଲେ ପିଲାଦିନେ ,


ଗୋଟେ ଅଳସୁଆ ପୁଅ କୁ ଗୃହତ୍ଯାଗ କରି ରୋଜଗାରକ୍ଷମ ହେବାକୁ ତା ବାପା କହିବା ପରେ ବାରିପଟିଆ ସ୍ନେହାନ୍ଧ ମାଆ ଠୁ ପଇସା ଆଣି ନିଜ ରୋଜଗାର ବୋଲି କହି ବାପା ହାତରେ ଦେଲା ।ବାପ ତା ' ଆଖିକୁ ଚାହିଁ ସେ ମୁଠାକ ଟଙ୍କା ନେଇ ଚୁଲିନିଆଁ ରେ ପକେଇ ଦେଲେ ।ପୁଅ ଅବିଚଳ ଠିଆ ହେଇଥିଲା ।ପ୍ରତିଥର ସମାନ କଥା ଘଟୁଥିଲା ।ପୁଅକୁ ଉଚିତ୍ ଶିକ୍ଷା ଦେବା ପାଇଁ ଲୋକଟି ତା ଝାଳ ବୁହା ଖଟଣି ମୂଲ ନିର୍ଦ୍ବନ୍ଦେ ଅଗ୍ନି ରେ ନିକ୍ଷେପ କରୁଥିଲା ଜାଣିଶୁଣି । 

ଭାବାନ୍ତର ହେଲା ଦିନେ ପୁଅର ।ସେ ସେଦିନ ଭୋରୁ ବାହାରିଗଲା ଖଟିଲା ଆଉ ଦଶଟି ଟଙ୍କା ସହ ହାତ ସାରାର ପଚା ଘା' ଉପୁଜେଇ ଆଣିଲା ।ବାପ ହାତରେ ଛାତି ଉଚ୍ଚ କରି ଦେଲା ।ସେଦିନ ବାପ ସେଇ ଟଙ୍କା କୁ ନିଆଁ ରେ ପକାଇବାକୁ ଉଦ୍ଯତ ହେବା ମାତ୍ରେ ଗୋଡତଳେ କାକୁସ୍ଥ ମୁଦ୍ରାରେ ପୁଅକୁ ପାଇଲା ।ତା ଆଖି ରେ ଲୁହ ଆଉ ପରିଶ୍ରମର ଚମକ ଏକାଠି ଦେଖିଲା ।ପୁଅ ଛାତି ଉପରକୁ ଉଠେଇ ଆଣି ଆଉଜେଇ ନେଇ ତା ହାତ ମୁଠାରେ ସେ ଟଙ୍କା ତକ ଫେରେଇ ଦେଇ କହିଲା, " ଆଜି ଠୁ ତୁ ମଣିଷ ହେଲୁ ।" 


"ମନେ ଅଛି ତୋର" ପଚାରିଲା ସିଏ ମୋ ଆଖି କୁ ଚାହିଁ ଆଶାୟୀ ହୋଇ ।ମୁଁ ସେମିତି ବସିରହିଥିଲି ଦାରୁଭୁତ ପରି ।ଦୀର୍ଘଶ୍ବାସ ସହ ସିଏ ନିଜର ସବୁ ଚେଷ୍ଟା ସେଇଠି ସାରି ଉଠିଲା ।ଆଉ କହିଲା, " ତୁ ସତରେ ମତେ ଭୁଲିସାରିଛୁ ।ଯା ।" ଆଉ ବୁଲିପଡି ଫେରିଯାଉଥିଲା କି ମୁଁ ଆରମ୍ଭ କଲି, 


ପାହାଡି ଛକଟିଏରେ ଲୋକଟିଏ ସୁନ୍ଦର ଘୋଡାଟିଏ ବିକିବାକୁ ଆଣିଥାଏ ଆଉ କହୁଥାଏ ଯିଏ ବାପ ପଇସାରେ କିଣିବ ସିଏ ତାକୁ ହିଁ ଘୋଡା ବିକିବ ।ଆଗ୍ରହୀ କ୍ରେତା ଏ କଥାରେ ଆଶ୍ଚର୍ଯ୍ୟ ହେଉଥିଲେ ଓ ଲେଉଟି ଯାଉଥିଲେ ।ଶେଷକୁ ନବାବ ଠାଣୀରେ ପିଲାଟିଏ ଆସିଲା ଓ ଖୁସିରେ ଖୁସିରେ ସର୍ତ୍ତ ଅନୁଯାୟୀ ଘୋଡାର ଦର ଛିଡେଇ କିଣିନେଲା ।


ଅନ୍ୟ ମାନେ ଘୋଡା ବିକ୍ରେତା ସଇସ ଟିକୁ ଘେରିଯାଇ ଏପରି ବିଚିତ୍ର ସର୍ତ୍ତ ର କାରଣ ପୁଛନ୍ତେ ସିଏ ବଖାଣିଲା ଯେ ,ନିଜ ଝାଳବୁହା ପଇସାରେ ଖରିଦ କଲେ ତୁମେ ଦଶଥର ଆଗପଛ ବୁଲି ପରଖିବ, ମୂଲଚାଲ କରିବ, କୁନ୍ତୁ କୁନ୍ତେଇ ନବ ,କାଟିବ, ବାଛିବ ,ତଉଲିବ ... ଏତେ କେଁ କୁ ବେଳ କାଇଁ ।ବାପ ପଇସାରେ ସେ ପିଲା କେମିତି ଏକାଥରକେ ନେଲା ଦେଖିଲ ତ ।ବାପ ପଇସା ପରା ।


ମୋ ଗପ କୁହା ସରିଛି କି ନାହିଁ, ଖମ୍ବ ପରି ଠିଆ ହେଇଥିବା ସିଏ ଦଉଡି ଆସି ମୋ ଆଲିଙ୍ଗନରେ ଝୁଲି ପଡିଲା ।ଆମ ଦିହିଁଙ୍କ ଆଖିରେ ଲୁହ ଥିଲା ।


ଆଉ ଦୋକାନ ପିଲାଟି ପଚାରୁଥିଲା, 

" ଆଉ କଣ ଦେବି ଆଜ୍ଞା? " 



Rate this content
Log in

Similar oriya story from Inspirational