Pramod Kumar Jena

Tragedy

3  

Pramod Kumar Jena

Tragedy

ବନ୍ଧନ

ବନ୍ଧନ

3 mins
563



       ଗାଆଁର ବାତାବରଣ ସହର ଠାରୁ ପୁରା ଅଲଗା । ଏଠି ସମସ୍ତଙ୍କ ସହିତ ସମସ୍ତଙ୍କର ସମ୍ପର୍କ ଅଛି । ଜାତି ଧର୍ମ ନିର୍ବିଶେଷରେ ସମସ୍ତେ ସମସ୍ତଙ୍କୁ କିଛି ନା କିଛି ସମ୍ବୋଧନ କରି ଡାକନ୍ତି । କିଏ ମଉସା, କିଏ ଦାଦା, କିଏ ଅଜା ତ କିଏ ଜେଜେ । ଭାବ ଆଦାନପ୍ରଦାନ ଠାରୁ ଆରମ୍ଭ କରି ଟାହି ଟାପରା ପର୍ଯ୍ୟନ୍ତ । ଗାଧୁଆ ତୁଠ କଥା ନ କହିବା ଭଲ । କାହା ଘରେ ସୋରିଷ ଫୁଟିଲେ, ସାରା ଗାଆଁଟା ଯାକରେ ଘରେ ଘରେ ବାସେ । ବାହାଘର, ବ୍ରତଘର, ପର୍ବପର୍ବାଣୀ ଏବଂ ସମସ୍ତ ପ୍ରକାର ଉତ୍ସବରେ ପ୍ରତ୍ୟେକ ଲୋକଙ୍କର ସାହାଯ୍ୟ ସହଯୋଗ ଥାଏ । ସେଥିପାଇଁ ଛୁଟି ମିଳିଲେ ଗାଆଁ ଆଡକୁ ଟିକେ ପଳେଇ ଆସିବା ପାଇଁ ଭଲ ଲାଗେ । ଖରାଦିନଟାରେ ପୁରୁଣା ସାଙ୍ଗସାଥୀଙ୍କ ମେଳରେ ଗପଟା ଯେତିକି ଜମେ, ଗରମଟା ସେତିକି ବାଧେ । ଭୁବନେଶ୍ୱରରେ ତ ଏ .ସି. ଅଛି । ତେଣୁ ଗାଆଁକୁ ଆସିଲେ ଟିକେ ଅସୁବିଧା ହୁଏ । ଭାବିଥିଲି ଏ.ସି. ଲଗେଇଦେବି । କିନ୍ତୁ ବାପା ମନା କଲେ । ତାଙ୍କୁ ଫ୍ୟାନ୍ ଭଲ ଲାଗେ । ଏ.ସି.ରେ କୁଆଡେ ସେ ଅଣନିଃଶ୍ୱାସୀ ହୋଇଯାଆନ୍ତି । କପାଳକୁ ଆଜି ଆଉ ଗୋଟିଏ ଅସୁବିଧା ହୋଇଯାଇଛି । ବଡ ଅସୁବିଧା କହିଲେ ଚଳେ । ଗାଆଁ ମୁଣ୍ଡର ଟ୍ରାନ୍ସଫର୍ମର୍ ଜଳି ଯାଇଛି । ମରାମତି ହେବାକୁ କେଜାଣି କେତେ ଦିନ ଲାଗିବ ଜଣା ନାହିଁ । ମନ୍ଦିର ବେଢା ଖୋଲା ଜାଗାରେ ସାଙ୍ଗମାନଙ୍କ ସାଙ୍ଗରେ ସନ୍ଧ୍ୟାଟା କଟିଗଲା । ହେଲେ ରାତିରେ ଶୋଇବି କେମିତି ? ଛାତ ଉପରକୁ ଯାଇ ଖାଲି ପଟିଟା ପକେଇ ଶୋଇ ପଡିଲି ।


         ପାଖ ଘର ହରିଆ । ସେମାନେ ବାରିପଟେ ଶୋଇଛନ୍ତି । ଛାତ ଉପରୁ ଚାହିଁଲେ ଦେଖାଯାଏ । ବୋଉ କହୁଥିଲା, କାଲି ହରିଆ ଆଉ କେତେ ଜଣ ଯିବେ ଦାଦନ ଖଟିବା ପାଇଁ । କିଏ ଜଣେ ଦଲାଲ ଆସି ନେଇଯିବ । ମନେ ମନେ ଭାବିଲି କୋଉ କଣ୍ଟ୍ରାକ୍ଟର୍ କିଏ ଜାଣେ ? ରେଜିଷ୍ଟର୍ଡ୍ ତ ? ମଶା ଗୋଟେ ଗୋଟେ ଲାଗିବା ଆରମ୍ଭ କରିଦେଲେ । ଗରମକୁ ମଶା । ନିଦ ଲାଗୁ ନ ଥାଏ । ବୋଉ କିନ୍ତୁ ଆରାମରେ ଶୋଇଗଲା । ହଠାତ୍ କାହାର କଥାବାର୍ତ୍ତା ଶୁଣାଗଲା । କାନ ଡେରିଲି । ଆର ପଟ ବାଡିରେ ଶୋଇ ହରିଆ ଆଉ ତା’ ବୋହୁ କଥା ହେଉଛନ୍ତି ।

         : ହେଇଟି ଶୁଣୁଛ । କାହିଁକି ଦାଦନ ଯିବ ?

         : ଏତେ ଗୁଡିଏ ଟଙ୍କା କରଜ ଅଛି । କେମିତି ଶୁଝିବା ? ଶହେ ନୁହେଁ, ଦୁଇ ଶହ ନୁହେଁ । ମହାପାତ୍ର ବୁଢା କହୁଥିଲା, ସୁଧ ମୂଳ ମିଶେଇ ବାରହଜାର ହେଇଗଲାଣି ।

         : ଯୋଠିକି ଯିବି, ତା’ ଜାଗା ନାଆଁ ତ ଜାଣିନ । କେମିତି ରହିବ ? କ’ଣ ଖାଇବ ? କୋଉ ଦିନ ଆସିବ ?

         : ତୁ ଏମିତି ଘାବୁରେଇଲେ ହେବ ? ଆମେ ପରା ସାତ ଜଣ ଯାଉଛୁ ।

         କିଛି ସମୟ ଦୁହେଁ ଚୁପ୍ ରହିଲେ । କିଛି ସମୟ ପରେ ତା’ ବୋହୁ କହିଲା, ହେଇଟି ଶୁଣୁଛ । ମୁଁ ପଧାନ ଘର ଦୋକାନରେ ଚାଉଳ ପାଛୁଡି ଦୁଇ କୋଡି ରଖିଲିଣି । ଆଉ କେତେଟା ଟଙ୍କା କ’ଣ ବଳେଇବ ? ତମେ ରହୁନ । ମୁଁ ଦିନ କେଇଟାରେ ଶୁଝି ଦେବି । ଦାଦନ କାହିଁକି ଯିବ ? ବଡ ବିକଳରେ କହୁଥିଲା ହରିଆ ବୋହୁ ।

         ହରିଆ କହିଲା, ‘ଆଲୋ ବାର ହଜାର ଟଙ୍କା କେତେ ଦିନରେ ଯୋଗାଡ କରିବୁ ? ସେ ହିସାବ କିତାବ ତୋ ମୁଣ୍ଡରେ ପଶିବନି ।’

         ଆଉ କାନ ପାରିବାକୁ ଇଚ୍ଛା ହେଲାନି । ହରିଆ ସ୍ତ୍ରୀର ସେଇ ବିକଳ କଥା କେଇ ପଦ ମୋ କାନରେ ବାଜୁଥାଏ । ବିଚରା ଜାଣିନି, ବାର ହଜାର ଆଉ ଦି କୋଡିର ବ୍ୟବଧାନ କେତେ । ଏକ ଅଜଣା ଆଶଙ୍କାରେ ଡରି ଯାଇଛି ସେ । ନିଜ ସାଧ୍ୟମତେ ଆପ୍ରାଣ ଚେଷ୍ଟା କରିବ ବୋଲି ଆଶ୍ୱାସନା ଦେଉଛି । ତା’ ସ୍ୱାମୀ ତା’ ପାଖରେ ଥାଉ, ସୁଖ ହେଉ କିମ୍ବା ଦୁଃଖ ହେଉ । କାଲି ହୁଏତ ହରିଆ ଦାଦନ ଖଟିବାକୁ ଚାଲିଯିବ । ଆଉ ତା’ ସ୍ତ୍ରୀର ଏଇ କେଇ ପଦ କଥାକୁ ସେ ସମ୍ବଳ କରି କେତେ ମାସର କଷ୍ଟ ସହିଯିବ । ଏଇ ତ ସ୍ୱାମୀ ସ୍ତ୍ରୀର ବନ୍ଧନ ।



Rate this content
Log in

Similar oriya story from Tragedy