ବନ୍ଧାହାତ
ବନ୍ଧାହାତ
ସାନ ଦିଅର ବାହାଘର ସମୟ ।ଘରରେ ଘରେ କୁଣିଆ ।
ଆଜି ମଗନ ।ସମସ୍ତେ କାମରେ ଲାଗିଥାନ୍ତି ଭୋରୁ ।
_ ମାଇଁ, ମାଇଁ ଜଲ୍ଦୀ ଆସ ।ଜଲ୍ଦୀ ଆସ ।
ଟିକି ଟିକି କଢି ପରି ପାପୁଲିରେ ବାଥରୁମ୍ ଦୁଆର ଠକଠକଉ ଥାଏ କୁନି ଆପୁନି । ମୁଁ ଭିତରେ ଅଧାଗାଧୁଆ । ଓଦା ।କେତେବେଳୁ ବୋଧେ ବାଡଉଛି, ଖୋଲା କଳ ଶବ୍ଦରେ ମୁଁ ବାରି ପାରିନି । ତାର ତରତରିଆ ଗୁଲୁଗୁଲିଆ ସ୍ୱରରେ ତତ୍ପର ହଉ ହଉ....
_ ହଁ ମାଆ ଆସୁଛି, ଆସୁଛି ।କହି ଉଠି ପଡୁ ପଡୁ ଖାଇଲି କଚଡାଏ ଧୁମ୍ କରି ।ମାଡ ହେଇ ହାତ ପାଦ ଏକାଥରେ ନେଳି ।ତଥାପି ଘୋଷାରି ଉଠି ଲୁଗାଟା ଗୁଡେଇ ହେଇ ପଡି ଛିଟିକିଣି ଭିତରୁ ଫିଟେଇ ତାକୁ ମୁହଁ ଦେଖେଇଲି, ହସଟେ ପିନ୍ଧି ।ତା ମୁହଁ କାନ୍ଦ କାନ୍ଦ ଆଉ ବେସ୍ତିଆ । କଣ ହେଇଛି? ପଚାରିବାରୁ ଦଉଡି ଫେରି ଯାଉ ଯାଉ ଶିଘ୍ର ଆସ ତମେ ବୋଲି ତାଗିଦାଟେ
ଦେଇଗଲା ।
ମୁଁ କିଲିବିଲିରେ ବାଜିଥିବା ଯାଗା ସବୁରେ ମଲମଟା ଘସିଦେଇ ସାଦାରେ ଲୁଗାଟା ପିନ୍ଧି ପକେଇ ମୁଣ୍ଡରେ ଲୁଗାଦେଇ ଚଟ୍ କରି ବାହାରି ଯିବାକୁ ବାହାରନ୍ତେ 'ଆଃ' ବୋଲି ଆପେ ବାହାରିଗଲା ପାଟିରୁ ।ତଥାପି ଗଲି ।ପିଣ୍ଢା ତଳକୁ ସବୁତକ କୁନି ପିଲେ ମହୁମାଛି ମହୁଫେଣାକୁ ବେଢିଲା ପରି କଣ ଗୋଟେକୁ ମଝିରେ ରଖି ବେଢିଥାନ୍ତି ।ଚାରିପାହାଚ ତଳକୁ ଓହ୍ଲେଇ ଗଲାରୁ ମତେ ଦେଖି ସମସ୍ତେ ଏକାସାଙ୍ଗେ....
ମାଇଁ ଦେଖ ମାଇଁ ।
ତା ଭିତରେ ପୁତୁରା, ଝିଆରି ବି ଥିଲେ ଆଉ ମୋ ପିଲେ ବି, କିନ୍ତୁ ମେଣ୍ଢା ପଲ ଗୋଟିଏ ଦିଗକୁ ପରି ସବୁ ଏକାଠି " ମାଇଁ " ।
ଆଡେଇ ଦେଇ କୁନି ଝୁଙ୍କିଥିବା ମୁଣ୍ଡଟିମାନଙ୍କୁ ମୁଁ ସେଠି ନଇଁ ପଡି ଦେଖେ, ଟିକି ଜୀବଟିଏ । ଏଇ ବୋଧେ ହାଲେ ହାଲେ ପନ୍ଦର ସତର ଦିନ ହବ ଜନ୍ମ ।କି ଜୀବ, କୋଉଠୁ ଆସିଲା, ଅଚିହ୍ନା । ଧକଉଥାଏ, ଥରୁଥାଏ, ପିଠିରେ ଘୋଷଡା ଖଣ୍ଡିଆ ଦାଗ, ଲାଲି ଜରଜର ସଜ ରକ୍ତ ଝରୁଛି । ନୀରିହ ଆଖିରେ ଏଣିକି ତେଣିକି ବିକଳରେ ଚାହୁଁଛି ।ଟିକି ପିଠି ଟିରେ ହରିଣ ପିଠି ପରି ଟିକି ଟକିଲିର ଟିପିଟିପା ମାନଙ୍କର ଗହଳି ।କୁନି ହରିଣ ପରି ଦିଶୁଛି କିନ୍ତୁ ହରିଣ
ନୁହେଁ । ଧୂସରା ଦେହଟେ।
ପୁରା ତଳ ପାହାଚ କାନ୍ଥକୁ ଲାଗିଯାଇ ଜୀବନ ସହ ଲଢୁଛି ।
ଜୀବନ ସଂଗ୍ରାମ, କୋଉଠି କେମିତି ।।
ପିଲେ ବଡ ଆଶାୟୀ ଦୃଷ୍ଟିରେ ମତେ ଚାହିଁଲେ । କଣ କେମିତି କରିବି ବୁଝିବା ଆଗରୁ ତାକୁ କୋଳକୁ ଉଠେଇଆଣି ଜାକି ଧରିଲି ପୁରୁଣା କପଡାଟିରେ ।ସିଏ ଭୟରେ ଆହୁରି ଜୋର ଜୋର ଥରୁଥିଲା । ହାତ ବଢେଇଲା ବେଳୁ ହି ଶଙ୍କି ଯାଉଥିଲା ।ଅଳ୍ପ ସମୟ ତାକୁ ସେମିତି କୋଳରେ ଧରିରଖି ଥିରେ ଥିରେ ଥାପୁଡିଲାରୁ ସିଏ ଅଳ୍ପ ଥୟ ପଡିଲା ।ତଥାପି ଗୋଲାପି ପଞ୍ଜା ତାର ହଲୁଥାଏ ।ମୋ ବାନର ସେନା ମୋ ବରାଦ ମୁତାବକ ସଡେଇଗିନାରେ ଟୋପେ ଖିର, ତୁଳା ମେଞେ, ବେଟାଡିନ୍ ଲିକ୍ୟୁଇଡ୍ ବୋତଲ, ଉଷୁମ ପାଣି ଆଉ ହଳଦୀ ମୁଠେ ସହ ସଫା ବ୍ୟାଡେଜ୍ ଆଣି ହାଜର ହେଇଥାନ୍ତି ।
ଆମେ ତାକୁ ଯତ୍ନରେ ହଳଦୀ ପାଣିରେ ପୋଛି ପାଛି ବେଟାଡିନ୍ ଲଗେଇସାରି ତୁଳା ବୁଡେଇ ତା ଆଁ ମେଲେଇ ଚିପି ଚିପି ଖିର ଗିନେ ପିଏଇଦେବାରେ ସକ୍ଷମ ହେଲୁ । ତାର ବି କୋଉ ବଳ ଥିଲା ଯେ ସିଏ ବୁଝିଥାନ୍ତା ଆଉ ବିରୋଧ କରିଥାନ୍ତା କି ଆଃ ଉଃ କରି କଷ୍ଟ ଅନୁଭବ ବ୍ୟକ୍ତ କରିଥାନ୍ତା ।
ସେ ଯା ହେଉ ସିଏ ଟିକେ ଚାଙ୍ଗା ହେଲାରୁ ଆମେ ପଲକ ବି ପଲକ ଉଠେଇଲୁ । ସ୍ୱସ୍ତିରେ ପିଲେ ନିଃଶ୍ୱାସ ନେଲେ । ମୁଁ ତାକୁ ଗୋଟେ ପୁରୁଣା ଝୁଡିରେ ଶୁଏଇ ବେଲଗଛ ମୂଳେ କାନ୍ଥ କଡକୁ ଅଳପ ଖରା ଛାଇ ଥିବା ପଟକୁ ରଖି ଅନ୍ୟ ଘର କାମ ପାଇଁ ବାହାରିଲି ଆଉ ପିଲାଙ୍କୁ କହିଲି, ଜଗିଥିବ ପିଲେ । ଛୋଟଟା । କୁକୁର ନେଇଯିବନି କି କାଉ ଖୁମ୍ପିବନି ଯେମିତି । ମୋର ମନ କିନ୍ତୁ ସେଇଠି ରହିଲା । ସିଏ କଣ ଖାଏ କି ଜୀବ କିଛି ତ ଜାଣିନି । କଣ ଟୋପେ ଖୋଇବାକୁ ତ ହେବ ତାର ଦମ୍ଭ ଫେରିବାଯାଏ ।
ମୁହୂର୍ତ୍ତର ସଂଜ୍ଞା, ସୁଖଦ ଅବା ଦୁଃଖଦ... ନିର୍ଭର କରେ ଆମ ମନର ଦିଗ ଉପରେ । ତାର ମାପକାଠି ଉପରେ ।ଆତ୍ମୀୟତା ଟିକେ ଖୋଜୁଥିବା ଜୀବଟିଏକୁ ପ୍ରକୃତି ଭେଟୁଥାଏ ମାଆଟିଏ ହୋଇ... କୋଉଠି ବି ।
ଘର ମୁରବୀମାନଙ୍କର ଅସନ୍ତୁଷ୍ଟିର ସ୍ୱର ସ୍ପଷ୍ଟ ଶୁଭୁଥାଏ । ଏ ଗହଳି ବେଳାରେ ଏ ବୋହୁର ଏ ସବୁ କି କାମ ! ଶୁଭ ଦିନଟାରେ କି ଖଣ୍ଡିଆ ଜୀବଟା ଆଣି ଘରେ ପୁରେଇଲା।ମୁଁ କିନ୍ତୁ ବାସନ ଧୋଉ ଧୋଉ ଭାବୁଥାଏ, ସିଏ ଟିକେ ବଡ ହେଇ ଯାଉ କି ତାର ଗୋଟେ ସୁନ୍ଦରିଆ ନାଆଁ ଟେ ଦେବି ।କେତେ ନାଆଁ ଧାଡି କରି ମନକୁ ଆସୁଥାନ୍ତି, ହେଲେ ମନକୁ ଗୋଟିଏ ପାଇଲେ ତ ?
କୌଣସି ଶୁଭ ଅବା ଅଶୁଭ ଘଟିବା ପଛରେ କୌଣସି ମଣିଷ ଦାୟୀ ନୁହେଁ । ଘଟଣାଟି ଶୁଭ କି ଅଶୁଭ ନିର୍ଣ୍ଣୟ କରିବାକୁ ଆମେ ବା କିଏ ! ଈଶ୍ବର ପରା ଯାହା କରନ୍ତି, ସେଇରେ ମଙ୍ଗଳ । କିଛି ଶିଖାଉଥାନ୍ତି ଅନୁକ୍ଷଣ ।
ମୋର ଗୋଡ ଦରଜ ବଢି ବଢି ଯାଉଥାଏ ସକାଳ ପଡିବା ଯୋଗୁଁ ଆଉ ମୁରବୀ କୁଣିଆ ମାନେ ଖୁଣୁଥାନ୍ତି ବେଳକୁ ବେଳ ଚାଲିରେ, ବୋଲିରେ, ଚଳଣୀରେ । ସେଇଟି ଏକ ଆମୋଦ ଖୋରିକିଆର ମାଧ୍ୟମ କେତେଟି ଗୋଷ୍ଠୀ ଓ ବୟସର ମଣିଷଙ୍କ ପାଇଁ । ସେଇଥିରେ ତାଙ୍କର ଆତ୍ମତୃପ୍ତି ।
ଜୀବନ କେତେ ଲମ୍ବା ଜୀଇଁଲେଠୁ କେମିତି ଜୀଇଁଥିଲେ ବେଶୀ ଗୁରୁତ୍ୱପୂର୍ଣ୍ଣ ନା ।
କାମ ମଝିରେ ମଝିରେ ଯାଇ ଦେଖି ଆସୁଥାଏ ତାକୁ । ପିଲେ କେତେବେଳୁ ଖେଳିବାକୁ ବାହାରିସାରିଥାନ୍ତି ଖାଲି କୁନି ଆପୁନୁକୁ ଛାଡି ।ସିଏ ସେଠି ଚକା ପାରି ଜଗିଥାଏ ।
ମୁଁ କଦଳୀଟିଏ ନେଇ ତା ମୁହଁ ପାଖରେ ଦେଖେଇଲାରୁ ସିଏ ଟୁକ୍ ଚୁକ୍ କରି ଖାଇଦେଲା ଆଉ ଛୋଟିଆ ଜିଭଟେରେ ଚାଟି ଚାଟି ପାଣିତକ ବି ସାରିଲା । ମତେ ମୋ ପେଟ ପୁରିଲା ପରି ଲାଗିଲା । ସେ ଅଳ୍ପ ସୁସ୍ଥ ହେଉଛି ବୋଲି ତା ଆଖି କହୁଥାଏ ।ଆଉ ମୁଁ ଚିନ୍ତାରୁ ମୁକୁଳୁଥାଏ । ଭାବୁଥାଏ ଦି ଚାରିଦିନେ ଭଲ ହେଇଯାଉ ପୁରା ପାଖ ଜଙ୍ଗଲରେ ଛାଡି ଆସିବି ନହେଲେ କୋଉଠି ଜୀବସୁରକ୍ଷା ଯାଗା ଥିବ ସେଠି ବୁଝିବି ।
ଖରାବେଳ ରନ୍ଧା ରନ୍ଧି ବଢା ବଢି ଭିତରେ ପାଶୋରି ଯାଇଛି ତା କଥା ।ରୋଷେଇ ଘରେ ପୋଛାପୋଛି କାମ ସାରୁଛି ଦଳବଦ୍ଧ କୁକୁରଙ୍କ ଭୋ ଭୋ ଭୋ ରଡିରେ କାନ ଅତଡା ପଡିଗଲା ସାଙ୍ଗେ ମୋ ମନ ତଳ କାଇଁ ଗୋଟେ ଅଜଣା ଭୟରେ ଥରିଗଲା ।ମୁଁ କାମ ଛାଡି ଦଉଡି ଗଲି ଦାଣ୍ଡପିଣ୍ଢାକୁ । ସେଠି ଆପୁନି ଭେଁ ଭେଁ କରି ରାହା ଫଟେଇ କାନ୍ଦୁଥାଏ । ତାକୁ କାଖେଇ ନେଲି । ତରବରରେ ବେଲଗଛ ମୂଳକୁ ନଜର ପକେଇ ଉଣ୍ଡାଳି ପକେଇଲି ।
ସେଠି ପଡିଥିଲା ଖାଲି ଡାଲା, ଖାଲି କପଡା ଲମ୍ବ କି .... ତାର ଯିବା ବାଟକୁ ଦେଖେଇ ।
କିଛି ବାରଣ ବନ୍ଧନ ନ ବିଚାରି ଉଠିଗଲି ବନ୍ଧ ଉପରକୁ କଣ କୁଆଡେ ଗଲା ଖୋଜିବାକୁ ।
ସେପଟୁ ଆସୁଥିଲେ ପାଲ ଛାମୁଣ୍ଡିଆ ବାନ୍ଧାବନ୍ଧି କରିବାକୁ ଆସିଥିବା ମିସ୍ତ୍ରୀ ମାନେ, କହୁଥିଲେ
ଏହେ କୁଟୁରା ଛୁଆଟାବେ । ଝୁଣି ଗଲେ ଡାହାଳ ଗୁଡା ।
ମୁଁ ଛିଣ୍ଡି ପଡୁଥିଲି ଖଣ୍ଡ ଖଣ୍ଡ ।