Lopamudra Mishra

Tragedy

3  

Lopamudra Mishra

Tragedy

ବନବାସ

ବନବାସ

21 mins
558


-ବାପା ! ବନବାସ କଣ ? ରାମ ବନବାସ କାହିଁକି ଗଲେ ?

-ବଣରେ ଯାଇ ରହିବାକୁ ବନବାସ କହନ୍ତି l ରାମଙ୍କୁ ତାଙ୍କ ବାପା ପଠେଇଥିଲେ ବଣକୁ l

-କିନ୍ତୁ କାହିଁକି ବାପା ?

-ସେ ଗୋଟେ ଲମ୍ବା କାହାଣୀ l ତୁ ବଡ଼ ହେଇଯା ଜାଣିବୁ l

-ନାଇଁ ମତେ ଏବେ କୁହ l

-ସେ ତୋରି ଭଳି ଜିଦ୍ଦିଆ ଆଉ ଦୁଷ୍ଟ ହେଉଥିଲେ, ସେଥି ସକାଶେ ଜଙ୍ଗଲକୁ ଗଲେ l

-ଆଁ... ମୋ ଭଳି !! ତୁମେ ମୋତେ ଵି ବଣକୁ ପଠେଇ ଦେବ କି ?

-ନାଁ ନାଁ ତତେ ପଠେଇବିନି l ମୁଁ ନିଜେ ଚାଲିଯିବି ତୁ ଯଦି ଆଉ ଦୁଷ୍ଟ ହେବୁ l


   ବାପାଙ୍କ ବଣକୁ ପଳେଇବା କଥା ଶୁଣି ମିତା ଡରିଗଲା l କାନ୍ଦି କାନ୍ଦି କହିଲା, "ନାଇଁ ବାପା ମୁଁ ଆଉ ଜମା ଦୁଷ୍ଟ ହେବିନି l ତୁମେ ବଣକୁ ଯିବନି l କୁହ ତୁମେ ଯିବନି l କୁହ ବାପା "l

  

   ମିତାର ଅଧର୍ଯ୍ୟ ନିରୀହ କାନ୍ଦକୁ ଦେଖି ପ୍ରସନ୍ନ ବାବୁଙ୍କ ଆଖି ଵି ଓଦା ହେଇ ଆସିଲା l ସେ ମିତାକୁ କୋଳକୁ ଆଣି ଗେଲ୍ହା କରି କହିଲେ, "ମୋ ସୁନା ଝିଅକୁ ଛାଡ଼ି ମୁଁ କଣ ବଣରେ ଶାନ୍ତିରେ ରହି ପାରିବି ?ମୁଁ କୁଆଡ଼େ ଯିବିନି l କାନ୍ଦେନା l ଯାଆ ଗଲୁ ବୋଉକୁ କହିବୁ ମୋ ପାଇଁ ଚା' ପଠେଇବ l" ମିତା ବାପାଙ୍କ କୋଳରୁ ଉଠି ରୋଷେଇ ଘରକୁ ବୋଉ ପାଖକୁ ଚାଲିଗଲା l


  ରିଙ୍କୁ ଦଶ ବର୍ଷର ଓ ପିଙ୍କୁ ସାତ ବର୍ଷର ହେଲା ପରେ ମିତାର ଜନ୍ମ l ସମସ୍ତଙ୍କଠୁ ସାନ, ସମସ୍ତଙ୍କ ଗେହ୍ଲା ମିତା ଟିକେ ବେଶୀ ଚଗଲି ଆଉ ବହୁତ ବେଶୀ ଜିଦ୍ଦିଆ ହେଇଯାଇଛି l ବାପାଙ୍କ ପାଖରେ ଜିଦ୍ଦିଟା ତାର ଅନେକ ବଢିଯାଏ l ବୋଉ ଅବଶ୍ୟ ବେଳେ ବେଳେ ତାକୁ ତାଗିଦ କରନ୍ତି l 

  

        ମିତା ସପ୍ତମ ପଢ଼ିଲା ବେଳକୁ ନୂଆ ଗୋଟେ ଲେଡି ବାର୍ଡ ସାଇକେଲ ପାଇଁ ଜିଦ୍ଦି କଲା l ଶୈଳ ଆଦୌ ଚାହାଁନ୍ତିନି ଝିଅର ସବୁ ଜିଦକୁ ପୂରଣ କରି ତାକୁ ମନମୁଖୀ କରି ଗଢି ତୋଳିବା ପାଇଁ, ହେଲେ ପ୍ରସନ୍ନ ବାବୁ ଝିଅର ମୁହଁ ଫୁଲା ଓ ଅଖିଆ ଅପିଆ ରହିବାଟା ବିଲକୁଲ ବରଦାସ୍ତ କରିପାରନ୍ତିନି l ମିତାର କଥା ରହିଲା, ପୁରୁଣା ସାଇକେଲଟା ଗୁହାଳ ପଛପଟେ ଘୋଡ଼ାଘୋଡ଼ି ହେଇ ରହିଲା ଆଉ ନୂଆ ଚକ୍ ଚକିଆ ଗୋଲାପୀ ଲେଡୀ ବାର୍ଡ଼ ସାଇକେଲଟା ଆସି ଖୁବ ଯତ୍ନରେ ସିଡ଼ି ଘର ତଳେ ରଖାଗଲା l ମିତାର ଖୁସୀରେ ସମସ୍ତେ ଖୁସି l


        ମିତା ଯେତେ ବଡ଼ ହେଉଥିଲା ତାର ଜିଦ୍ଦି ଵି ସେତେ ବେଶୀ ବଢି ଯାଉଥିଲା l ବାପା କହିଥିଲେ ମିତା ଦଶମରେ ଭଲ ନମ୍ବର ରଖି ଫାର୍ଷ୍ଟ ଡିଭିଜନରେ ପାସ କଲେ ସିଏ ଯାହା ଚାହିଁବ ତାକୁ ମିଳିଯିବ l ମିତା ଖୁବ ଭଲ ନମ୍ବର ଆଣିଲା ଆଉ ବାପାଙ୍କୁ କହିଲା ତାର ଇଚ୍ଛା ଅଛି କଲିକତା ବୁଲିଯିବ, ସେ ପୁଣି ଉଡ଼ାଜାହାଜରେ ବସି l ପ୍ରସନ୍ନଙ୍କ ସ୍ୱଳ୍ପ ଦରମା ଝିଅର ଏତେବଡ଼ ଦାବୀଟା ପୂରଣ କରିବାକୁ ଅସମର୍ଥ l ମିତା କିଛି ଖାଇଲାନାହିଁ କିମ୍ବା କାହା ସହ କଥାବାର୍ତ୍ତା କଲା ନାହିଁ l ମୁହଁକୁ ଫୁଲେଇ ସେହିପରି ବିଛଣା ଉପରେ ବସିରହିଲା l ଶୈଳ ଖୁବ ଖପ୍ପା ହେଲେ ଝିଅ ଉପରେ l ସ୍ୱାମୀଙ୍କୁ ମଧ୍ୟ ରାଗିକି କହିଲେ, 

-ସେ ସେଇମିତି ନଖାଇ ବସିଥାଉ l ବେଶୀ ଗୋଟେ ରାଗି ଶିଖିଛି l ଏତେବଡ଼ ଝିଅଟେ ହେଲାଣି ଘରର ପରିସ୍ଥିତି ବୁଝିବନାହିଁ l ତୁମକୁ କହିଦେଉଛି ତା ମୁହଁ ଆଉ ବଢାନା l ଆହୁରି ଦୁଇଟା ପିଲା ଅଛନ୍ତି ଆମର l କାହିଁ ସେମାନେ ତ ୟା ଭଳିଆ ଫର୍ମାଇଶ କରୁନାହାଁନ୍ତି? ସେମାନଙ୍କ କଲେଜ ଖର୍ଚ୍ଚ ସାଙ୍ଗକୁ ୟାର ସବୁ ଅଳି ଅଝଟ ପୂରଣ କରିବା ପାଇଁ ଏତେ ଟଙ୍କା କୋଉଠୁ ଆସିବ ? ନାଁ ନାଁ.. ସେ ଏରୋପ୍ଲେନ ଫେରୋପ୍ଲେନରେ ବୁଲା ବୁଲି କରିବାର ସାଧ୍ୟ ଆମର ନାହିଁ l ଆମର ଯେତିକି ଚାଉଳ ସେତିକିରେ ପିଠା ହେବ l


-କିନ୍ତୁ ରିଙ୍କୁ ବୋଉ ଦେଖୁଛ ତ ଝିଅଟା ରାତିରୁ କିଛି ଖାଇନି !

-କଣ ହେଇଗଲା ସେଇଠୁ? ଭୋକ ଲାଗିଲେ ବଳେ ଖାଇବ l

-ମୁଁ କଣ କହୁଥିଲି କି..

-କଣ କହୁଥିଲ ?


  ପ୍ରସନ୍ନ ବାବୁ ଖୁବ ବେଶୀ ନରମ ଗଳାରେ ପତ୍ନୀଙ୍କୁ ଅନୁରୋଧ କଲାପରି ରହି ରହି କହିଲେ, "ତୁମର ସେହି ଯେଉଁ ପୁରୁଣା ଭଙ୍ଗା କୁଣ୍ଡଳ ହଳକ ଥିଲା ସେଇଟା ତ ଆଉ ତୁମେ ପିନ୍ଧୁନ,ସେଇଟି ଦେଲେ ମୁଁ ତାକୁ ଅଜୁ ବଣିଆଁକୁ ଦେଇଦିଅନ୍ତି, ଯାହା ଦଶ କି ପନ୍ଦର ମିଳନ୍ତା ସେଥିରେ ଆଉ କିଛି ଟଙ୍କା ମିଶେଇ ଆମ ସମସ୍ତଙ୍କ ଫ୍ଲାଇଟ ଟିକଟ କରିଦିଅନ୍ତି l ହରିଶବାବୁ ଆଜି ଅଫିସରେ କହୁଥିଲେ କଲିକତାକୁ ଫ୍ଲାଇଟ ଟିକେଟ ଏବେ ଶସ୍ତା ଅଛି l ମାସକ ତଳେ ସେ ଯାଇଥିଲେ ସପରିବାରେ l"


-ନାଁ.. ନାଁ.. ମୁଁ ସେଇଟା ତୁମକୁ ଦେଇପାରିବିନି l ସେଇଟା ମୋ ବୋଉର ସନ୍ତକ l ତା ଛଡା ଆମର କଲିକତାରେ କାମ କଣ ଯେ ଆମେ ସୁନାବିକି ବୁଲିବାକୁ ଯିବା ?


-ଝିଅଟାକୁ କଥା ଦେଇଥିଲି ସେ ଭଲ ନମ୍ବର ରଖିଲେ ଯାହା ମାଗିବ ଦେବି l ଦେଖୁଛ ତ ସେ କେମିତି ପୁରା ସର୍କଲରେ ସର୍ବାଧିକ ନମ୍ବର ରଖି ଆମର ନାଁ ରଖିଲା l ଆଉ ଯଦି ତାର ଏଇ ଛୋଟିଆ ଇଚ୍ଛାଟା ଆମେ ପୂରଣ କରିଦେବା, ତେବେ ଏମିତି କଣ ବଡ଼ କ୍ଷତିଟା ହେଇଯିବ ?


   ସ୍ୱାମୀଙ୍କ ଅନୁରୋଧ, ଅସହାୟତା ଓ ଝିଅର ଜିଦ୍ଦି ଆଗରେ ହାରିଯାଇ ସୁନାର ସୁନେଲି ସ୍ମୃତି ହଳକକୁ ଟଙ୍କାରେ ରୂପାନ୍ତରିତ ହେବାପାଇଁ ଶୈଳ ପଠେଇଦେଲେ l ଶୈଳ ଯେ କୁଣ୍ଡଳ ହରେଇ କେଵଳ ଦୁଃଖୀ ହେଉଥିଲେ, ତାହା ଵି ସମ୍ପୂର୍ଣ୍ଣ ଠିକ ନୁହେଁ l ସେ ଅନ୍ତର ଭିତରେ ବେଶ୍ ଖୁସି ମଧ୍ୟ ଥିଲେ ଜୀବନର ପ୍ରଥମ ଉଡ଼ାଣ ପାଇଁ l ମିତାର ଇଚ୍ଛା ପୂରଣ କରିପାରିଥିବାରୁ ପ୍ରସନ୍ନ ବାବୁଙ୍କ ମୁହଁରେ ଵି ପ୍ରସନ୍ନତା ଉକୁଟି ଉଠୁଥିଲା l ସାରା ପରିବାର ମିତାର ଜିଦ୍ଦି ପୂରଣରେ ଆନନ୍ଦିତ l


      ମିତା ନୂଆ କରି କଲେଜରେ ପାଦ ଦେଲା l ବାପା ବୋଉଙ୍କୁ ଛାଡ଼ି କୌଣସି ଦିନ କେଉଁଠାରେ ମଧ୍ୟ୍ୟ ସେ ଏକା ରହିନାହିଁ l ହଷ୍ଟେଲରେ ଝିଅକୁ ଛାଡ଼ିଆସି ପ୍ରସନ୍ନ ଓ ଶୈଳ ଗୁମ ହୋଇ ବୈଠକ ଘରେ ବସିରହିଲେ l ପୁଅ ଦୁହେଁ ଵି ଅନେକ ଆଗରୁ ଘରଠୁ ଦୂରରେ l ବଡ଼ ପୁଅ ରିଙ୍କୁ ଚେନ୍ନାଇରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଓ ସାନପୁଅ ପିଙ୍କୁ ଉତ୍କଳ ୟୁନିଭର୍ସିଟିରେ ଏମ୍.ଵି.ଏ ଛାତ୍ର l ମିତା ଘରେ ଥିବା ଯାଏଁ କାହାରି ଅନୁପସ୍ଥିତି ଏତେଟା ଅନୁଭବ କରିହେଉନଥିଲା l ସେ ଜଣେ ଏକା ଦଶଟି ପିଲା ସମାନ ଜିଦ୍ଦି ଓ ଅଳି, ଅଝଟରେ ବାପା ବୋଉଙ୍କୁ ଅସ୍ଥିର କରିପକାଉ ଥିଲା l କିନ୍ତୁ ଆଜି ତାର ଅନୁପସ୍ଥିତିରେ ଘରଟା ଖୁବ ଖାଁ ଖାଁ ଲାଗୁଛି l ମିତାର ରୁମ୍ ସତେ ଯେମିତି ମୁହଁ ଓହଳେଇ ପ୍ରସନ୍ନ ଓ ଶୈଳଙ୍କ ଆଗରେ ଠିଆ ହୋଇଛି l ଘରର ନୀରବତାକୁ ଭଙ୍ଗ କରି ଦୁଇ ଜୀବିତ ପ୍ରାଣୀଙ୍କ ନିଶ୍ୱାସ ପ୍ରଶ୍ଵାସ ପରସ୍ପର ସହ ଧକ୍କା ଖାଉଛନ୍ତି l ବାଶ୍ ସେତିକି ଯାହା ଶବ୍ଦ ଶୁଭାଯାଉଛି l


  ସକାଳୁ ପ୍ରସନ୍ନବାବୁ ମିତାର ରୁମ୍ ରେ ବସି କଣ ଭାବୁଛନ୍ତି, ଶୈଳ ଆସି ପାଖରେ ବସିଲେ l

-ଚା' ନିଅ l

-ରଖ l ସବୁଦିନ ସକାଳୁ ମିତା ମୋତେ ଚା' ନେଇ ଦିଏ l

-ତୁମେ ଏମିତି କହୁଛ ଯେମିତି ଝିଅ ବାହା ହେଇ ଶାଶୂଘରକୁ ପଳେଇଲା l ସେ ଏହି ଆର ସପ୍ତାହକୁ ଆସିବ ପରା l

-ହଁ l କିନ୍ତୁ ଶୈଳ ପିଲାମାନେ ନ ରହିଲେ ଘର ଟା ଘର ପରି ଲାଗୁନି l


-ଓହଃ.. ତୁମେ ତ ଏମିତି ହେଉଛ ଯେମିତି ମାଆ ମୁଁ ନୁହେଁ ତୁମେ l ମୁଁ ମାଆ ହୋଇ ଧର୍ଯ୍ୟ ଧରି ପୁଣି ରହିଛି ନାଁ ନାହିଁ? ପିଲାମାନେ ପଢ଼ା ପଢ଼ି ଆଉ ଚାକିରୀ ପାଇଁ ବାହାରକୁ ଗୋଡ଼ ନକାଢ଼ିଲେ ତାଙ୍କ ଭବିଷ୍ୟତ କେମିତି ସରସ ସୁନ୍ଦର ହେବ? ସେମାନେ ତାଙ୍କ ଭବିଷ୍ୟତ ଗଢିବା ପାଇଁ ଘରଠୁ ଦୂରକୁ ଯାଇଛନ୍ତି, କୋଉ ବନବାସରେ ଯାଇନାହାଁନ୍ତି l


  ବନବାସ କଥାଟା ଶୁଣି ପ୍ରସନ୍ନବାବୁ ଟିକେ ଅନ୍ୟମନସ୍କ ହୋଇଗଲେ l ତାଙ୍କୁ ଲାଗିଲା ମିତା ଯେମିତି ଦୁଇଦିନ ନୁହେଁ ଅନେକ ଦିନ ହେଲା ତାଙ୍କଠୁ ଦୂରରେ ଅଛି l


     ମିତା ହଷ୍ଟେଲରୁ ଘରକୁ ଆସେ l ବାପା ଯାଆନ୍ତି ତାକୁ ବସ୍ ଷ୍ଟପ୍ ରୁ ଘରକୁ ଆଣିବାକୁ l ଆସିଲା ରାସ୍ତାରୁ ହିଁ ମିତା କଲେଜ ଓ ହଷ୍ଟେଲର ଯାବତୀୟ କାହାଣୀ ପ୍ରିୟ ବାପାଙ୍କୁ ତାହାର ଶୁଣେଇ ଶୁଣେଇ ଆସେ l ବାପା ମଧ୍ୟ ଖୁବ ଉତ୍ସାହରେ ଝିଅର ପ୍ରତ୍ୟେକ କଥା ଶୁଣନ୍ତି l ବୋଉ ନାନାଦି ବ୍ୟଞ୍ଜନ ରାନ୍ଧି ଝିଅକୁ ପରଷିଦିଅନ୍ତି l ପୁଣି ଆରମ୍ଭ ହୋଇଯାଏ ମିତାର ବିଭିନ୍ନ ଅଳି l "ବୋଉ ମୋର ସେଇଟା ଦରକାର ","ବାପା ମୋତେ ଭଲ ମୋବାଇଲ ଫୋନଟେ କିଣିଦିଅ ","ମୋର ଏଇଟା ନାହିଁ ","ସେଇଟା ନଦେଲେ ଆଉ ପଢ଼ିବିନି "... ଏମିତି ଗୁଡ଼ିଏ ଦାବୀର ଚାଙ୍ଗୁଡ଼ି ଖୋଲି ବାପା ବୋଉଙ୍କ ସାମ୍ନାରେ ରଖିଦିଏ ଜିଦ୍ଦିଆ ଝିଅ ମିତା l ବାପା ସାଧ୍ୟ ମତେ କିଛିଟା ପୂରଣ କରନ୍ତି ଆଉ କିଛି ଅପୂରଣୀୟ ରହିଯାଇ ମିତାର ମୁହଁଫୁଲା ସହ ମିଶିଯାଏ l


     ରିଙ୍କୁ ଭାଇର ବାହାଘର ଠିକ ହେଇଗଲା l ସମସ୍ତେ ଖୁସି l କିନ୍ତୁ ଖୁସିର ସାଗରରେ ଛୋଟିଆ ଭଟ୍ଟାଟେ ପଡିଲା l ହଠାତ ମିତାର ଗ୍ରାଜୁଏସନ ଫୋର୍ଥ ସେମିଷ୍ଟାର ପରୀକ୍ଷାର ପ୍ରୋଗ୍ରାମ ବାହାରିଲା l ମିତା ଖୁବ ଜିଦ୍ଦି କଲା ବାହାଘରକୁ ଆହୁରି ଦୁଇରୁ ତିନି ସପ୍ତାହ ଘୁଞ୍ଚେଇ ଦେବାକୁ, ଯେମିତି ସେ ଟିକେ ଭଲରେ ପଢ଼ା ପଢ଼ି କରି ପରୀକ୍ଷାଟା ଆରାମରେ ଦେଇସାରି ଭାଇର ବାହାଘରକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିପାରିବ l ତାହା ହିଁ ହେଲା l ବାହାଘର ଘୁଞ୍ଚିଲା l କନ୍ୟାଘର ଵାଲାଙ୍କ ମୁହଁରେ ସାମାନ୍ୟ ବିରକ୍ତି ଭାବର ସ୍ପଷ୍ଟ ଚିହ୍ନ ବାରିହୋଇ ପଡ଼ିଲା l ମିତାର କାହାରି ବିରକ୍ତି କିମ୍ବା କ୍ରୋଧକୁ ଆଦୌ ଖାତିର ନାହିଁ l ସେ ସବୁବେଳେ ନିଜ ଇଚ୍ଛା-ଅନିଚ୍ଛା ଓ ପସନ୍ଦ -ନାପସନ୍ଦରେ ହିଁ ମତଲବ ରଖେ l


       ସମୟର ପରିବର୍ତ୍ତନ ସହ ପ୍ରସନ୍ନବାବୁଙ୍କ ପରିବାରରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଛି l ରିଙ୍କୁ ପରେ ପରେ ପିଙ୍କୁ ଵି ଚାକିରୀ କରି ବାହା ହୋଇ ସଂସାର ବସେଇଛି l ଦୁଇ ପୁଅ ଯାକ ଘରଠୁ ଦୂରରେ ନିଜ ନିଜ ଛୋଟ ଛୋଟ ସଂସାର ସହ ଭିନ୍ନ ଭିନ୍ନ ସହରରେ l ମିତା ଏବେ ଫିଜିକ୍ସ ରେ ପୋଷ୍ଟ ଗ୍ରାଜୁଏସନ ସାରି ଏମ୍.ଫିଲ୍ କରୁଛି l ୟୁନିଭର୍ସିଟି ଟପର ମିତା, ବାପା ବୋଉଙ୍କ ଗର୍ବ ମିତା ଆହୁରି ମଧ୍ୟ ସେମାନଙ୍କ ନାନାଦି ଚିନ୍ତାର କାରଣ ଵି ସେହି ଜିଦ୍ଦିଆ ମିତା l କାହାରି କଥା ମାନେନି ଏଇ ଝିଅ l ନିଜ ଜିଦ୍ ଓ ନିଷ୍ପତିରେ ସେ ସବୁବେଳେ ଅଟଳ l


      ମିତା ପାଇଁ ଯେତେ ଯୁଆଡ଼ୁ ପ୍ରସ୍ତାବ ଆସିଲେ, ସେ ବିଭିନ୍ନ ବାହାନା ଓ ଆଳ ଦେଖାଇ ନାକଚ କରିଦେଉଛି l ବୋଉ ବ୍ୟସ୍ତ ହୋଇପଡୁଛି, ଝିଅପିଲା ବୟସ ଗଡ଼ିଗଲେ କାଳେ ଆଉ କେହି ପସନ୍ଦ ନକରିବେ ତାଙ୍କ ଝିଅକୁ l ବାପା କିନ୍ତୁ ମିତା ଉପରେ ଜୋର କରି କୌଣସି ଜିନିଷ ଲଦି ଦେବାକୁ ଚାଁହାନ୍ତିନି l ପତ୍ନୀ ଶୈଳଙ୍କୁ ବୁଝାଇ କୁହନ୍ତି, "ଆରେ ତୁମେ କାହିଁକି ଏତେ ସବୁ ଚିନ୍ତା କରୁଛ? ସେ କଣ ଛୋଟ ପିଲା ହେଇଛି ଯେ ନିଜ ଭଲ ମନ୍ଦ ନଜାଣି ପାରୁଛି ? ତାର ଯଦି ଆହୁରି ପଢ଼ିବାକୁ ଇଚ୍ଛା ଅଛି ସେ ପଢୁ l କେତେ ବା ବୟସ ହେଇଯାଇଛି ଛୁଆ ଟାକୁ ? ଝିଅମାନେ କେତେ ଆଗକୁ ଯାଉଛନ୍ତି ତୁମର ସେ ଖିଆଲ ନାହିଁ l ଖାଲି ତ ଗୋଟେ ଜାଣିଛ ବାହାଘର l ସେ ପଢୁ ଆଉ ନିଜ ଗୋଡ଼ରେ ଠିଆ ହେଉ l ଆମ ଝିଅ କଣ ମୂର୍ଖ, ଆଯୋଗ୍ୟା ହେଇଛି ଯେ ତାକୁ ପାତ୍ର ଅଭାବ ହେବେ ? "


-ତୁମର ଏହି ମୁହଁ ବଢ଼ା କଥା ପାଇଁ ଝିଅଟା ଉପର ମୁହିଁ ହେଇ ନଷ୍ଟ ହେଇଗଲାଣି l ଦେଖିବ ତୁମେ ବହୁତ ପସ୍ତେଇବ l ଝିଅକୁ ଆହୁରି ପଢାଅ ଆଉ ବୁଢ଼ୀ ହେଲା ଯାଏଁ ରଖ ତାକୁ ଅଭିଆଡ଼ି l


    ମିତାବୋଉ ପ୍ରତି ଥର ଏହିପରି ସ୍ୱାମୀଙ୍କ ମୁଣ୍ଡରେ ଦୋଷଟି ଲଦି ଦେଇ ରୋଷେଇ ଘରକୁ ଉଠିଯାଆନ୍ତି ଚା' ବନେଇ ଆଣିବା ପାଇଁ l


   ମିତା ଏବେ ଘରକୁ ଆସିଲେ ଦେଖେ ବୋଉ ଦିନକୁ ଦିନ ରୋଗୀଣା ହେଇଯାଉଛି l ବାପା ଅବସର ନେଇ ପିଣ୍ଡାରେ ଚୌକି ପକେଇ ବସିଥାନ୍ତି l ଗଲା ଆସିଲା ଗାଁ ଲୋକଙ୍କୁ ଡାକି ପଦେ ଅଧେ କଥା ହୁଅନ୍ତି l ମିତାକୁ ପାଖରେ ବସେଇ ଆଗକୁ କଣ ଯୋଜନା ଅଛି ପଚାରନ୍ତି l ମିତା ତା ଯୋଜନା ସବନ୍ଧରେ ବାପାଙ୍କୁ କହେ l ଖୁବ ଖୁସି ହୁଅନ୍ତି ପ୍ରସନ୍ନ ବାବୁ l ସ୍ନେହରେ ଝିଅର ମୁଣ୍ଡ ଆଉଁଶି ଦିଅନ୍ତି l


      ସାନଭାଇର ପୁଅ ହେଲା l ସାନ ଭାଉଜଙ୍କର ମାଆ ତାଙ୍କ ପ୍ରେଗନାନ୍ସି ସମୟରେ ଛଅମାସ ରହି ସବୁ ଦାୟିତ୍ୱ ତୁଲେଇଛନ୍ତି l ଏବେ ଶୈଳଙ୍କ ପାଳି l ପିଙ୍କୁ ଭାଇ ଓଡିଶା ଆସିଛି ଶାଶୁଙ୍କୁ ଛାଡ଼ି ବୋଉକୁ ସାଙ୍ଗରେ ଘେନିଯିବା ପାଇଁ l ମିତା ଶୁଣି ଖୁବ ରାଗିଲା l ଭାଇକୁ କମ ଗାଳି ମଧ୍ୟ କଲା ନାହିଁ l


-ତୁ କଣ ଦେଖିପାରୁନୁ ବୋଉ କେମିତି ଦୁର୍ବଳ ହେଇଗଲାଣି ? ଆଗରୁ ତ କେବେ ଆସୁନଥିଲୁ ବୋଉ ବାପାଙ୍କୁ ବୁଲେଇ ନେବାକୁ ? ଏବେ ଦରକାର ବେଳେ ଦୌଡ଼ି ଆସିଲୁ ବୋଉ ସୁଆଗି ଦେଖେଇବାକୁ l ବୋଉ ପଳେଇଲେ ବାପାଙ୍କ କଥା କିଏ ବୁଝିବ ?


-କାଇଁ ତୁ କଣ କରିବୁ କି ? ତୁ ବୁଝୁନୁ ?


-ହଁ ହଁ ମୁଁ ମୋ ପଢ଼ା ପଢ଼ି ଛାଡ଼ିଦେବି ନୁହେଁ ? ତୋ ସ୍ତ୍ରୀର ସେବା କରିବା ପାଇଁ ଆମେ ଆମର ସବୁ କାମ ଧନ୍ଦା ଛାଡିଦେବୁ ଆଉ ?


-ମିତା ! ତୁ ଏମିତି କଣ କହୁଛୁ ? ତୁ ପିଉସୀ ହେଇ କଣ ଖୁସି ହେଉନୁ ?


-ପୁତୁରାକୁ ମୂଳରୁ ନଦେଖିଲେ ହେଲା , ଖୁସୀରେ ତ ଖାଲି ନାଚିବି ! ପିଙ୍କୁ ଭାଇ ! ସତ କହିଲୁ ଭାଉଜଙ୍କୁ କଣ ସତରେ କେବେ ସମୟ ମିଳେନି ବୋଉ ସହ ପଦେ କଥା ହେବାକୁ ? ତୋର କଣ ସତରେ ବାହାହେବା ପରଠୁ କେବେ ଇଚ୍ଛା ହେଇନି ଘର ଆଡ଼େ ଆସି ଥରୁଟେ ମୁହଁ ଦେଖାଇବାକୁ ? ମୁଁ କିନ୍ତୁ କହିଦେଉଛି ମୋ ବୋଉକୁ ମୁଁ ଏବେ ତୋ ସାଙ୍ଗରେ ଛାଡ଼ି ପାରିବିନି l ମୋର ଆଗକୁ ପରୀକ୍ଷା ଅଛି l ଏବେ ମାସେ ଘରେ ରହି ପଢ଼ିବି l ବୋଉ କୁଆଡ଼େ ଯାଇପାରିବନି l


-ମିତା ! ତୁ ନା ବଡ଼ ସ୍ୱାର୍ଥପର l ନିଜ ସ୍ୱାର୍ଥ ଆଗରେ ତୁ ଆଉ କିଛି ଦେଖି ପାରୁନା l ଏବେ ତୋର ପରୀକ୍ଷାଟା ଅଛି ବୋଲି ବୋଉକୁ ଛାଡୁନୁ କିନ୍ତୁ ଦୋଷଟା ମୋ ଉପରେ ଲଦୁଛୁ ଯେ ଆମେ ବାପା ବୋଉଙ୍କ କଥା ବୁଝୁନୁ l


ପୁଣି ପିଙ୍କୁ ମିତା ଆଡୁ ମୁହଁ ବୁଲେଇ ଆଣି ଶୈଳଙ୍କୁ ଲକ୍ଷ୍ୟ କରି କହିଲା, "ବୋଉ ! ତୁ କଣ ଜାଣିନୁ ଅସୀମା କେତେ ଚୁପଚାପ ଝିଅ l ସେ ତା ନିଜ ବାପା ମାଆଙ୍କ ସହ ଵି ଫୋନରେ ଏତେ ଗପେନି l ତା ଛଡ଼ା ଆମେ ଦୁଇଜଣ ସକାଳ ୮ ରେ ଅଫିସ ବାହାରିଯାଉ ଯେ ପୁଣି ଭେଟା ଭେଟି ହେଉ ଯାଇ ରାତି ନଅକୁ l ଆମକୁ ସମୟ କେତେବେଳେ ହେଉଛି ତୁ କହ ? "


  "ମୁଁ ସବୁ ଜାଣେ ରେ ବାୟା l ସେ ପାଗିଳୀଟା କଥାରୁ କଣ ପାଇବୁ?", ଶୈଳ ପୁଅର ଗାଲକୁ ସ୍ନେହରେ ସ୍ପର୍ଶ କରି କହିଲେ l


ବାପା ବୋଉ ଯେତେ ବୁଝେଇଲେ ମଧ୍ୟ ମିତା ବୁଝୁନି l ମାସଟିଏ ହଷ୍ଟେଲରେ ରହି ପଢ଼ା ପଢ଼ି କରିବାକୁ ପ୍ରସନ୍ନ ଝିଅକୁ ପରାମର୍ଶ ଦେଲେ l ମିତା କିନ୍ତୁ ମାନୁନି l ହଷ୍ଟେଲରେ ମେସ ଏବେ ଚାଲିବନି, ସେ ଖାଇବାକୁ ବାହାରକୁ ଯାଇପାରିବନି ଓ ତା ପଢ଼ାରେ ବ୍ୟଘାତ ହେବ l ଏମିତି ଆହୁରି ଅନେକ କଥା କହି ମିତା ବୋଉକୁ ଅଟକେଇ ବାକୁ ଚେଷ୍ଟା କଲା l ବୋଉ କିନ୍ତୁ ଆଜି କୁନି ନାତିର ଗୁଲୁଗୁଲିଆ ଚେହେରାର ଅସମ୍ଭବ ମୋହ ଆଗରେ ମିତାର ଯାବତୀୟ ଜିଦ୍ କୁ ପଛ କରି ପୁଅ ସାଙ୍ଗରେ ଦିଲ୍ଲୀ ବାହାରିଗଲା l


   ମିତା ଜାଣି ଜାଣି ଘରେ ରହିଲା l ହଷ୍ଟେଲରେ ମେସ ବନ୍ଦ ନଥିଲା କିମ୍ବା ଖାଇବା ବାହାରୁ ମଗେଇବାରେ କୌଣସି ଅସୁବିଧା ନଥିଲା l ବାସ୍ ବାପାଙ୍କୁ ଏତେବଡ଼ ଘରଟାରେ ଏକା ଛାଡ଼ିଦେଇ ଯିବାକୁ ତାର ଆଦୌ ଇଚ୍ଛା ନଥିଲା l ବୋଉ ଫେରିବା ଯାଏଁ ମିତା ଘରେ ରହି ପରୀକ୍ଷା ପାଇଁ ପ୍ରସ୍ତୁତ ହେଲା l ବାପାଙ୍କୁ ରୋଷେଇରେ ସାହାଯ୍ୟ କରିବାକୁ ଯଦି କେବେ ସେ ରୋଷେଇ ଘରେ ପଶିଯାଏ, ପ୍ରସନ୍ନଙ୍କ ପ୍ରଥମ ପ୍ରଶ୍ନ ଥାଏ, "ଭୋକ ଲାଗିଲାଣି କିରେ ମିତୁନା ? ଯୋଉଟା ପଢ଼ୁଥିଲୁ ସାରିଦେଇଛୁ ନା ନାହିଁ ? "


  ମିତା "ହଁ ସରିଲାଣି" କହି ଭାତ ହାଣ୍ଡିରୁ ଢ଼ାଙ୍କଣା କାଢ଼ି ଭାତ ସିଝିଲାଣି କି ନାହିଁ ପରୀକ୍ଷା କରିନିଏ, ଡାଲି ଫୁଟେଇବା ପାଇଁ ପିଆଜ କାଟିପକାଏ l


     ବୋଉ ଦିଲ୍ଲୀରୁ ଫେରେ ଆହୁରି କ୍ଷୀଣକାୟ ହୋଇ l ମିତା ପୁତୁରା ଆଉ ଭାଉଜଙ୍କ କଥା ନପଚାରି ବୋଉ ଉପରେ ଖାଲି ରାଗରେ ଗର ଗର ହୁଏ l ପ୍ରସନ୍ନ କିନ୍ତୁ ପତ୍ନୀଙ୍କୁ ନୂଆ ଅତିଥୀ ଟିର ରୂପ, ରଙ୍ଗ ଓ ଦୁଷ୍ଟାମୀ ବିଷୟରେ ପଚାରି ବୁଝି ଖୁବ ଆନନ୍ଦିତ ହୁଅନ୍ତି l ସାନଭାଉଜ ମିତା ପାଇଁ ପଠେଇଥିବା ରେଶମୀ ଶାଢ଼ୀଟିକୁ ମିତା ନିଜେ ହାତରେ ଲୋଚା କୋଚା କରି ସାନଭାଇର ଖାଲି ରୁମ୍ ଭିତରକୁ ଦୁଆର ପାଖେ ଠିଆ ହୋଇ ଛାଟି ଫୋଫାଡ଼ି ଦିଏ l ବାପା ବୋଉ ଦେଖନ୍ତି, କିଛି ହେଲେ କହନ୍ତିନି l ତାର ରାଗ ଶାନ୍ତ ହେବା ଯାଏଁ ସେ ସେହିପରି ଫିଙ୍ଗା ଫୋପଡ଼ା ଓ ୟାଡୁସ୍ୟାଡୁ ଉଦ୍ଭଟ କାମ ସବୁ କରେ l

  

   ମିତାର ପରୀକ୍ଷା ଆଉ ଅଳ୍ପଦିନ ବାକି ଥାଏ, ସେ ବାପାଙ୍କ ପାଦ ଛୁଇଁ, ବୋଉକୁ ଟିକେ କୁଣ୍ଢେଇ ଧରି ଓ ପୁଣି ନିଜ ବ୍ୟାଗଟାକୁ ବାପାଙ୍କ ହାତରୁ ନେଇ ଅଟୋରିକ୍ସା ରେ ବସିପଡ଼ି ବସ୍ ଷ୍ଟପେଜ ଆଡ଼କୁ ଚାଲିଯାଏ l


    ମିତା ଫୋନ କରିଛି l କାଲି ସନ୍ଧ୍ୟାରେ ଆସିବ l ସରକାରୀ କଲେଜରେ ଅଧ୍ୟାପିକା ପଦ ପାଇଁ ବାପାବୋଉଙ୍କୁ ନଜଣାଇ ଆବେଦନ କରିଥିଲା l ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁର ଚୟନ ପ୍ରକ୍ରିୟାରେ କୃତିତ୍ୱର ସହ ସେ ଉତୀର୍ଣ୍ଣ ହେଇଛି l ଏବେ ଏବେ ଖବରଟା ପାଇ ବାପାଙ୍କୁ ପ୍ରଥମେ ଫୋନ ଲଗେଇଲା l ପ୍ରସନ୍ନଙ୍କ ଖୁସି ବୋଲ ମାନୁନାହିଁ l ଶୈଳ ସଙ୍ଗେ ସଙ୍ଗେ ଯାଇ ଠାକୁର ଘର କବାଟ ଖୋଲି ଦିଅଁଙ୍କ ଆଗରେ ଆଣ୍ଠୁ ମାଡି ବସିଗଲେ l ପ୍ରସନ୍ନ ବାବୁ ପତ୍ନୀଙ୍କୁ ଅନୁସରଣ କରି ଆସି ସେଇଠି ପତ୍ନୀଙ୍କ ପାଖରେ l ଦୁହିଁଙ୍କ ଆଖିରେ ଆନନ୍ଦର ଚାରିଧାର ଅଶ୍ରୁ l


       ମିତାର ପ୍ରଥମ ପୋଷ୍ଟିଙ୍ଗ ଗଞ୍ଜାମ ଜିଲ୍ଲାରେ l ଘରଠୁ ଅନେକ ଦୂର l ବାପାବୋଉ ଟିକେ ଚିନ୍ତାରେ ପଡ଼ିଗଲେ l କେତେ କଣ ଚିନ୍ତା କରି ପ୍ରସନ୍ନ କହିଲେ, "ମିତା ତୁ ତୋ ବୋଉକୁ ସାଙ୍ଗରେ ନେଇଯାଆ l ନୂଆ ଜାଗା l ସୁବିଧା ଅସୁବିଧା ଅଛି l ଏକୁଟିଆଟା ରହିବା ଠିକ ହେବନି l"


-ବୋଉ କାହିଁକି ଏକୁଟିଆ ଯିବ ? ଯିବ ଯଦି ଘରେ ଚାବି ଲଗାଇ ଦୁଇ ଜଣ ଯାକ ଚାଲ l ଏଠି ତୁମେ ପୁଣି କାହିଁକି ଏକା ରହିବ ?


-ନାଁରେ ମାଆ ମୁଁ କଣ ଯାଇ ରହିପାରିବି ? ଏଠି ପା ଟିକେ କାମ ଅଛି l ତୋ ବୋଉ ଯାଉ l ତୋର ସେଠି ସବୁ ସୁବିଧା ହେଇଗଲେ ମୁଁ ଯାଇ ତାକୁ ନେଇଆସିବିନି ?


   ଏତିକି ବେଳକୁ ଶୈଳ ତାଙ୍କର ସେହି ଚିରାଚରିତ ବିଷୟଟି ଉପସ୍ଥାପନ କଲେ, "ଆଜି ଯଦି ମିତାର ବାହାଘରଟା ସରିଥାନ୍ତା ଆମକୁ ଆଉ କଣ ଏତେ ଚିନ୍ତା କରିବାକୁ ପଡିଥାନ୍ତା ? ଝିଅ ତ ଚାକିରୀ ପାଇଲା ଏବେ ଆଉ ବେଶୀ ଡେରି କରିବା ଉଚିତ ନୁହେଁ l ଅସୀମା କହୁଥିଲା କଣ ସେ ମାଟ୍ରିମୋନିଆଲ ରେ କାଳେ ଯୋଗ୍ୟ ପାତ୍ର ସହଜରେ ମିଳୁଛନ୍ତି l "


-ବୋଉ ! ତୁ ସେ ବେକାର କଥାରେ ଆଉ ଅଧିକ ମୁଣ୍ଡ ଖେଳାନା l ଏହି ଗୋଟେ ଚାକିରୀ ହେଇଗଲା ବୋଲି କଣ ମୋର ସବୁ ଆଶା ଆକାଂକ୍ଷା ପୂରଣ ହେଇଗଲା ନା କଣ? ମୋତେ ଆହୁରି ଆଗକୁ ଯିବାକୁ ଅଛି l


     ମିତାର ତାଗିଦରେ ବୋଉ ଚୁପ ହେଇଯାଆନ୍ତି l ଏବେ ଆଉ ଶୈଳ ଆଗ ପରି ମିତାକୁ ଆକଟ କରିପାରନ୍ତିନି ଓଲଟି ନିଜେ ଝିଅର ଆଦେଶ ଉପଦେଶ ମାନିବାକୁ ବାଧ୍ୟ ହୁଅନ୍ତି l


       ଝିଅକୁ ସରକାରୀ କ୍ୱାର୍ଟର୍ସରେ ଏକ୍ଲା ରହିବାକୁ ଛାଡ଼ିଦେଇ ବାପାମାଆ ଫେରିଆସିଲେ l ଆଜି ପ୍ରସନ୍ନ ବୁଝିଲେ ଝିଅ ତାଙ୍କର ବଡ଼ ହେଇଯାଇଛି, ଖୁବ ବଡ଼ l ଗର୍ବରେ ଖୁସୀରେ ଆଖି କୋଣରେ ତାଙ୍କର ଲୁହ ମେଞ୍ଚାଏ ଜକେଇ ଆସୁଥିଲା l କିନ୍ତୁ ତଥାପି ବସ୍ ରେ ବସି ସହର ଛାଡ଼ିଲା ପରେ କାହିଁକି କେଜାଣି ତାଙ୍କୁ ଅନୁଭବ ହେଲା," ଝିଅଟାକୁ ଆଉ ବନବାସରେ ଛାଡ଼ି ଆସିଲିନାହିଁ ତ? "


     ପିଙ୍କୁ, ରିଙ୍କୁଙ୍କୁ ଶୈଳ ପ୍ରତିଦିନ ଫୋନ କରନ୍ତି ଆଉ ପ୍ରସନ୍ନଙ୍କ ମୋବାଇଲକୁ ମିତାର ନମ୍ବରରୁ ପ୍ରତି ସନ୍ଧ୍ୟାରେ ଫୋନ ଆସିଯାଏ l "ବାପା ! ଦେହ କେମିତି ଅଛି ?", "ବୋଉ ଠିକ ଅଛି ନା ?", "ଖାଇସାରିଲଣି?", "ଆଜି କଲେଜରେ ଫଙ୍କସନ ଥିଲା l ","ବୋଉ କୁ ଫୋନ ଦିଅ", ଏମିତି ଆହୁରି ଅନେକ କଥା ଅଧଘଣ୍ଟା ଗପିବା ତାର ନିତିଦିନିଆ ଅଭ୍ୟାସ ହେଇଯାଇଥିଲା l


     ମିତା ପୁଣି ଆଜି ଫୋନ କରିଛି l ବୋଉକୁ କଣ ଗୋଟାଏ କହୁଛି l ଘଣ୍ଟାଏ ହେବ ମାଆ ଓ ଝିଅଙ୍କର କଥା କଟା କଟି ଚାଲିଛି l


-ବୋଉ ! ତୁ ତ ନିଜେ ମୋତେ ବାହକରେଇବାକୁ ବ୍ୟସ୍ତ ହେଉଥିଲୁ ! ଏବେ ଅସୁବିଧା କଣ ହେଲା?


-ତୁ ବୁଝୁନୁ କାହିଁକି ମାଆ ? ବନ୍ଧୁ ବାନ୍ଧବ, ସାହି ପଡିଶାଙ୍କୁ ନେଇ ଆମେ ଚଳୁଛୁ l ସେମାନେ ଯେତେବେଳେ ଜାଣିବେ ଜାତି ବାହାରେ ଆମେ ଝିଅକୁ ବାହା ଦେଉଛୁ, ଆଉ କଣ ତାଙ୍କୁ ଆମେ ମୁହଁ ଦେଖେଇ ପାରିବୁ ?


-ହଉ ଠିକ ଅଛି, ତୁମେ ସେମାନଙ୍କର ମୁହଁକୁ ଦେଖିକି ରୁହ l ମୋ ବାହାଘର ପାଇଁ କିନ୍ତୁ କେବେ ପ୍ରସ୍ତାବ ଆଣିବନି କହି ଦେଉଛି l ମୋର କୌଣସି ଦିନ ବାହା ହେବାରେ ନାହିଁ l


  ମିତାର ରୋକଠୋକ ଦୁଇପଦ କଥା ପରେ ଫୋନ କଟିଗଲା l ପ୍ରସନ୍ନବାବୁଙ୍କ ସଦା ପ୍ରସନ୍ନ ମୁହଁ ଟା ଆଜି ବିଷଣ୍ଣ l ତାଙ୍କର ନିଜ ଶିକ୍ଷିତ ଝିଅ ଉପରେ ଯଥେଷ୍ଟ ଭରଷା ଥିଲା l


 "ଆରେ ମାଆ ତୁ କଣ ତୋ ନିଷ୍ପତିରେ ସମ୍ପୂର୍ଣ୍ଣ ସ୍ଥିର ? ", ମିତାକୁ ସାମ୍ନାରେ ବସାଇ ପ୍ରସନ୍ନ ସିଧା ସଳଖ ପଚାରିଲେ l ମିତାର ଵି ସିଧା ଉତ୍ତର "ହଁ " l ବାପା ବେଶ୍ ଭଲ କରି ଜାଣନ୍ତି ଝିଅ ତାଙ୍କର କେତେ ଜିଦ୍ଦଖୋର l ଝିଅର ଜିଦ୍ଦି ଆଗରେ ପ୍ରସନ୍ନବାବୁ ଅନେକ ସମୟରେ ନିଜ ଇଚ୍ଛା -ଅନିଚ୍ଛାକୁ ଜଳାଞ୍ଜଳି ଦେଇ ଦିଅନ୍ତି l ଆଜି ଵି ଝିଅର ଜିଦ୍ ଜିତାପଟ ରେ ରହିଲା l


     ଭାଇମାନେ ମିତା ବାହାଘର ବିଷୟରେ ଶୁଣି ଯେତିକି ଖୁସି ନହେଲେ ତହିଁରୁ ବେଶୀ ବାପାବୋଉଙ୍କ ଉପରେ କ୍ରୋଧ ଓ ଅଭିମାନକୁ ଶବ୍ଦ କରି ଫୋନ ମାଧ୍ୟମରେ ନିକ୍ଷେପ କଲେ l


-ତୁମ ଦୁଇଜଣଙ୍କ ପାଇଁ ସେ ଏମିତି ମୁହଁଖୋର ଆଉ ଜିଦ୍ ଖୋର ହେଲା l ସବୁକଥାରେ ବାପା ତାକୁ ଅଯଥା ପ୍ରଶ୍ରୟ ଦେଇ ମୁଣ୍ଡରେ ଚଢ଼େଇଲେ l ଦେଖିଲ ତ କଣ ହେଲା ପରିଣାମ ?


  ବଡ଼ ଭାଇ ହିସାବରେ ଯିଏ କୌଣସି ଦିନ ଭଉଣୀର ପଢ଼ା ପଢ଼ି କିମ୍ବା ବିବାହ ସମ୍ବନ୍ଧରେ ବୁଝିବା ଉଚିତ ମଣିନି, ତାର ଏପରି ମନ୍ତବ୍ୟରେ ପ୍ରସନ୍ନବାବୁ ମଧ୍ୟ କୌଣସି ଉତ୍ତର ନଫେରାଇ ଚୁପ ରହିବା ଉଚିତ ମଣିଲେ l


    ନିର୍ଦ୍ଧିଷ୍ଟ ଲଗ୍ନରେ ମିତା ବାହା ହୋଇ ଚାଲିଗଲା l ଯେମିତି ସବୁଥର ଘରକୁ ଆସେ ଓ ପୁଣି ଫେରିଯାଏ, ସେମିତି ଚାଲିଗଲା l କେଵଳ ଭିନ୍ନ ଗୋଟେ ବେଶରେ l ବୋଉ ତାର ଯୋଉ ବେଶଟାକୁ ଦେଖିବାକୁ ଝୁରି ହେଉଥିଲା, ଝିଅକୁ କିନ୍ତୁ ଆଜି ସେହି ରୂପରେ ଦେଖି କାନ୍ଦି କାନ୍ଦି ତଳେ ଲୋଟିଗଲା l ଅଜବ ଗୋଟେ ରୀତି l ଝିଅକୁ ବିଦା କରିବା ପାଇଁ ଜନ୍ମରୁ ବାପାମାଆ ତତ୍ପର ହୋଇପଡନ୍ତି, ପୁଣି ସେହି ଝିଅ ଆଉ କାହାର ହାତ ଧରି ଏରୁଣ୍ଡି ବନ୍ଧ ଡେଇଁ ଗଲେ ଲୁହର ବନ୍ୟା ସୃଷ୍ଟି ହୋଇଯାଏ l ମିତାର ବର ଗାଡ଼ି ତାଙ୍କ ଦାଣ୍ଡ ଆଗରେ ଧୂଆଁ ଉଡ଼େଇ ଗାଁ ମୁଣ୍ଡ ପାରି ହେଇ ଚାଲିଗଲା l ପ୍ରସନ୍ନଙ୍କ ଛାତି ଭିତରୁ ଵି ଭୀଷଣ ଯନ୍ତ୍ରଣାର କୋହଗୋଟେ ଉଠି ବାଂମ୍ପ ପରି ଆକାଶ କୁ ଉଡ଼ିଗଲା l ମିତା ତ ପ୍ରତିଥର ଏମିତି ଯାଏ ଆଉ ଆସେ, କିନ୍ତୁ ଆଜିର ଯିବାଟା ବାପାବୋଉଙ୍କୁ ଭିତରୁ ଏକଦମ ବେଦନାଶିକ୍ତ କରିଦେଇ ଗଲା l ପୁଅ ବୋହୂ, ନାତି ନାତୁଣୀଙ୍କ କୋଳାହଳ ଓ ଭିଡ଼ ଭିତରେ ମଧ୍ୟ ପ୍ରସନ୍ନ ଓ ଶୈଳଙ୍କ ଅନ୍ତରଭିତରେ ଭୀଷଣ ଶୂନ୍ୟତା, ନୀରବତା, ଏକ ଫାଙ୍କାଳିଆ ପଣ l


      ବଡ଼ବୋହୂ ପ୍ରିୟଙ୍କାର ଅନେକ ଦିନହେବ ଛୋଟ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି l ମାଇନର ଅପରେସନ ଟେ କରାଯାଇ ସିଷ୍ଟ୍ ଗୋଟେ ରିମୁଭ୍ କରିବାକୁ ହେବ l ରିଙ୍କୁର ଅଫିସରେ ଅନେକ କାମ ଓ ଦୁଇ ପିଲାଙ୍କ ପଢ଼ା ପଢ଼ି l ସମୟ ଓ ସାହାଯ୍ୟ ଅଭାବରୁ ସାମାନ୍ୟ ସେତକ ଦୁଇଦିନର ମେଡିକାଲ କାର୍ଯ୍ୟଟି ହୋଇପାରୁନି l ଏଥର ମିତା ବାହାଘର ପାଇଁ ଆସିବା ଆଗରୁ ରିଙ୍କୁ ଓ ପ୍ରିୟଙ୍କା ଖୁବ ଚିନ୍ତା କରି ବାପା,ବୋଉଙ୍କୁ ସାଙ୍ଗରେ ନେଇଯିବା ପାଇଁ ଟିକେଟ କରିଆସିଥିଲେ l ବୋଉ ଘରେ ରହିଲେ ପ୍ରିୟଙ୍କାଙ୍କ ସର୍ଜରୀ ଓ ବେଡ ରେଷ୍ଟ ଵି ହେଇଯିବ l ବୋଉ ବେଶ୍ ଭଲ ଭାବେ ସବୁ ଦାୟିତ୍ୱ ସମ୍ଭାଳି ନେବ l


       ମିତା ଆଉ ଏବେ ପୂର୍ବପରି ସରକାରୀ କ୍ୱାର୍ଟର୍ସ ରେ ରହେନାହିଁ l ଅରୁଣଙ୍କ ନିଜଘର ଅଛି କଲେଜ ଠୁ ମାତ୍ର ଛଅ କିଲୋମିଟର ଦୂରରେ l ସେମାନେ ଦୁହେଁ ଘରୁ ଏକ ସାଙ୍ଗରେ କଲେଜ ପାଇଁ ବାହାରନ୍ତି l ଅରୁଣ ଗଣିତ ବିଭାଗର ବିଭାଗୀୟ ମୁଖ୍ୟକୁ ମିତା ପଦାର୍ଥ ବିଜ୍ଞାନ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର l କଲେଜରେ ଅରୁଣ ଆଉ ମିତା ନିଜ ବିବାହ ଉପଲକ୍ଷେ ଷ୍ଟାଫ ମାନଙ୍କୁ ଏକ ଭୋଜିରେ ଆପାୟୀତ କଲେ l


   ଆର ସପ୍ତାହରେ ମିତା, ଅରୁଣଙ୍କ ସହ ଦାର୍ଜଲିଙ୍ଗ ଯିଵ l ବୋଉକୁ ଟିକେ ଫୋନ କରି ଜଣେଇଦେବା ଠିକ ହେବ l ବୋଉର ଫୋନ ଲାଗିଲାନି l ବାପାଙ୍କୁ ଲଗେଇଲା l ଦୁଇ ତିନି ଥର ରିଙ୍ଗ ହେଲାପରେ ଯାଇ ବାପା ଫୋନ ଧରିଲେ l

-ଏତେବେଳ ହେଲା କଣ କରୁଥିଲ କି ?

-ଆରେ ଆମେ ପରା ବାଙ୍ଗାଲୋର ଆସିଛୁ, ରିଙ୍କୁ ଭାଇ ସାଙ୍ଗରେ l ତୋ ଝିଆରୀ, ସେ ଚଗଲି ଜୀନୁଟା ମୋବାଇଲ ପା କୋଉଠି ରଖିଦେଇଥିଲା ଖୋଜୁଥିଲି l

-ଆଚ୍ଛା ! ତୁମେ ଦୁହେଁ ତାହେଲେ ଏବେ ଗାଁରେ ନାହଁ ? କେବେ ଠୁଁ ଗଲଣି ? ମତେ ଟିକେ ଜଣେଇଦେଇଥିଲେ କଣ ମୁଁ ତୁମ ସାଙ୍ଗରେ ପଳାଉଥିଲି କି, ନାଁ ତୁମକୁ ଯିବାକୁ ଦେଉନଥିଲି ? ଏତେ ପର ହେଇଗଲି ମୁଁ ? ହଉ ଠିକ ଅଛି l


-ଆରେ ମାଆ ତୋ ଭାଇ ପରା ଆଗୁଆ ଟିକେଟ କରିକି ୟାଡୁ ଯାଇଥିଲା l ଆମକୁ କଣ କିଛି କହିଥିଲା କି ? ବହୁତ ବାଧ୍ୟ କରି ଆଣିଲା l ଦୁଇ ଦିନ ହେଲା ତ ଆସିଛୁ l ବ୍ୟସ୍ତ ଭିତରେ ଫୋନ କରିହେଲାନି ତତେ l ତୋ ବାହାଘର ପରେ ଘରେ ଏକୁଟିଆ କାଳେ ଭଲ ଲାଗିବନି ସେୟା ଭାବି କରି ରିଙ୍କୁ...


-ଥାଉ ଥାଉ.. ଗଲ ତ ଭଲ ହେଲା l ଆଉ ଏତେ କଥା କାହିଁକି କହୁଛ ? ମୁଁ ଯେମିତି ବାହାଘର ପୂର୍ବରୁ ତୁମକୁ ଜଗିକି ବସିଥିଲି ଆଉ, ସେୟା ଭାବି ସେ ତୁମକୁ ଆଗରୁ ନେଉନଥିଲା ! ହଉ ବୋଉ କୁଆଡ଼େ ଗଲା ଟିକେ ତାକୁ ଫୋନ ଦେଲ l


    କିଚେନରେ ଶୈଳ ରୋଷେଇରେ ବ୍ୟସ୍ତ ଥିଲେ l ପ୍ରସନ୍ନ ବାବୁ କିନ୍ତୁ ମିତାକୁ ମିଛରେ କହିଲେ, "ବୋଉ ତୋ ଭାଉଜ ସହ ମନ୍ଦିର ଯାଇଛି " l ମିତା ଏତକ ଶୁଣି ଫୋନ କାଟିଦେଲା l ବାପାଙ୍କ ସହ ମଧ୍ୟ ଆଉ କିଛି କଥା ହେଲାନାହିଁ l


    ଶୈଳ ବାଙ୍ଗାଲୋରରୁ ଫେରିବା ଦିନଠୁଁ ଅଳ୍ପ କାମରେ ଖୁବ ବେଶୀ ଥକି ଯାଉଛନ୍ତି l ବୟସ ବେଶୀ ହେଇନାହିଁ, କିନ୍ତୁ ବଳ କମିଗଲା ପରି ଅନୁଭବ କରୁଛନ୍ତି l ସେଦିନ ବର୍ଷା ଉଠେଇଲାରୁ ଖୁବ ତରତର ହେଇ ଛାତ ଉପରୁ ଶୁଖିଲା ଲୁଗା ଗୁଡ଼ିକ ଧରି ପାହାଚ ପରେ ପାହାଚ ଓଲ୍ହାଇ ତଳକୁ ଆସିଲେ l କଣ ହେଲା କେଜାଣି ଲୁଗାସବୁ ତଳେ କଚାଡ଼ି ଦେଇ ଗୋଟେ ହାତରେ ଚୌକିର ଗୋଡ଼ କୁ ଜାବୁଡି ଧରି ଓ ଆର ହାତଟାକୁ ଖୁବ ଜୋରରେ ବାଁ ଛାତିକୁ ମୁଠେଇ ସେଇଠି ପଡ଼ିଗଲେ l ପ୍ରସନ୍ନବାବୁ ଆସି ଯେତେ ଡାକିଲେ ମୁହଁ ଉଠେଇଲେ ନାହିଁ l ପାଣି ଛାଟି ହୋସ କୁ ଆଣିବାକୁ ଚେଷ୍ଟା ମଧ୍ୟ କଲେ l ସବୁ ଚେଷ୍ଟା ବ୍ୟର୍ଥ ହେଲା ପରେ ପଡ଼ିଶା ଲୋକଙ୍କୁ ଡାକି ହସ୍ପିଟାଲ ନେଲେ l ଡାକ୍ତର କହିଲେ, "ବହୁତ ଡେରି କରିଦେଲେ l ମାୟୋ କାର୍ଡିଆଲ ଇନ୍ଫ୍ରାକ୍ସନ ଥିଲା" l ପ୍ରସନ୍ନବାବୁ ମେଡିକାଲ ବାରଣ୍ଡାରେ ଏକ୍ଲା ଠିଆ ହେଇ ଶୂନ୍ୟତା ଭିତରେ ନିଜର ପୂର୍ଣ୍ଣଘରଟାକୁ ଖୋଜି ଚାଲିଛନ୍ତି l କଣ ହେଇଛି ବା ହେବାକୁ ଯାଉଛି ସେ ଜ୍ଞାନଟିକକ ହରେଇବାକୁ ବସିଥିଲା ବେଳେ ମୋବାଇଲ ବାଜି ଉଠିଲା l ମିତାର ନମ୍ବର l " ବାପା ! ମୁଁ ରାସ୍ତାରେ,ସଙ୍ଗେ ସଙ୍ଗେ ପହଞ୍ଚୁଛି " l


   ବାପଝିଅଙ୍କ ମିଳିତ କ୍ରନ୍ଦନ ଵି ଶୈଳଙ୍କ ନିଦ୍ରାରେ ସାମାନ୍ୟ ବ୍ୟାଘାତ ସୃଷ୍ଟି କରୁନାହିଁ l ସେ ନିର୍ଦ୍ୱନ୍ଦରେ ଆଖି ବନ୍ଦ କରି ଶୋଇପଡ଼ିଛନ୍ତି l ବୁନ୍ଦା ବୁନ୍ଦା ଲବଣାକ୍ତ ଲୁହ ଶୈଳଙ୍କ ଗାଲରେ ଥପ ଥପ ଖସି ପଡ଼ୁଛି l


  ଗାଁ ଶେଷମୁଣ୍ତରେ ଉଜ୍ଜଳ ଦିଶୁଥିବା ଲାଲ ଅଗ୍ନୀର ଉଦ୍ଧତ ଶିଖା ଆଡ଼କୁ 'ମୋ ବୋଉ ','ମୋ ବୋଉ ' କହି ଜିଦ୍ଦିଆ ମିତା ଦୌଡ଼ି ଯାଉଥିଲା, ପ୍ରସନ୍ନ ଅବୁଝା ଝିଅଟାକୁ ଟାଣି ଆଣିଲେ ନିଜ ଆଡ଼କୁ l କୁଣ୍ଢାଇ ଧରି ଚୁପ ହେଇଯିବା ପାଇଁ ଥରୁଥିବା କରୁଣ କଣ୍ଠରେ ବୁଝାଇ କହିଲେ l ଦୁଷ୍ଟ ଜିଦଖୋର ଝିଅକି ସହଜେ ବୁଝେ ? ପିଲାବେଳେ ବୋଉର ଗାଳି ନଶୁଣିଲା ଯାଏଁ ହାତ ଗୋଡ଼ ଛାଟି ବାପାଙ୍କୁ ଅଥୟ କରୁଥିବ ଛୋଟ ମିତା ଆଜି ସେହି ଗାଳିର ଅପେକ୍ଷାରେ ବାପାଙ୍କୁ ଅସ୍ତବ୍ୟସ୍ତ କରିପକାଉଛି l


  ଭାଇମାନେ ଆସିଲେ, ଚାଲିଗଲେ l ମିତା କିଛିଦିନ ରହି ପୁଣି ଆସିବ କହି ବାପାଙ୍କ ପାଦ ଛୁଇଁ ଗାଡ଼ିରେ ବସିଲା l ବାପା ଏକ୍ଲା ଦାଣ୍ଡପିଣ୍ଡାର ଚୌକି ଉପରେ ବସି ସମସ୍ତଙ୍କ ଗାଡ଼ି ଦୃଶ୍ୟାନ୍ତର ହେବାଯାଏଁ ନିର୍ଣିମେଶ ନୟନରେ ଚାହିଁ ରହିଥିଲେ l


  ଏବେ ପ୍ରସନ୍ନ ସମୟ ପାଇଲେ ଶୈଳଙ୍କ ମୋବାଇଲଟା ଆଣି ନିଜ ନମ୍ବରକୁ ଡାଏଲ କରନ୍ତି l ପୁଣି ନିଜ ନମ୍ବରରୁ ଶୈଳଙ୍କୁ ଫୋନ ଲଗେଇ ଦେଖନ୍ତି l ସ୍କ୍ରିନରେ ଭାସି ଉଠେ "ହୋମ୍ କଲିଙ୍ଗ " l ଭୋ କରି କାନ୍ଦି ଉଠନ୍ତି l ଶୈଳଙ୍କ ମୁହଁ ତାଙ୍କ ଆଖି ସାମ୍ନାରେ ଝଲସି ଉଠେ l ସେ ହସି ହସି ସ୍ୱାମୀଙ୍କୁ କହୁଥାନ୍ତି, "ହେଇ ! ତୁମେ ନା ପୁଅ ନହୋଇ ଝିଅ ହେବାରେ ଥିଲା l ଏତେ ଗୋଟେ ଭାବ ପ୍ରବଣ କଣ ହେଇପଡୁଛ ? "


-ହଁ ମୁଁ ଭାବପ୍ରବଣ l ମୁଁ ତୁମକୁ ଛାଡ଼ି, ପିଲାଙ୍କୁ ଛାଡ଼ି ଏକା ରହିପାରେନି l ଏ ଘର ମତେ ଭୟ ଦେଖାଏ l ମୁଁ ୟାର ନୀରବତା ସହି ପାରେନାହିଁ l ଆଦୌ ସାହିପାରେନି l ମୁଁ ଏମିତି ଏଠି ଏକ୍ଲା କେମିତି ରହିବି କୁହ ? ସ୍ମୃତି ସବୁ ରାତି ସାରା ମୋ ଚାରିକଡ଼ରେ ସପ୍ତଫଣୀ ନାଗ ପରି ଫଣା ଟେକି ମୋତେ ଦଂଶୁଛନ୍ତି l ଫେରିଆସ ଶୈଳ, ନହଲେ ମୁଁ ଜଙ୍ଗଲ କୁ ପଳେଇବି l


      ବିଛଣାରେ ଶୋଇରହି ବାଚାଳ ପରି ଏମିତି ଅନେକ ରାତି ଯାଏଁ ପ୍ରସନ୍ନ ନିଜକୁ ନିଜେ ଗପି ଚାଲନ୍ତି l


    ସମୟ କାହାକୁ ଅପେକ୍ଷା କରେନାହିଁ l ସମୟକୁ କେହି ଧରି ରଖି ପାରେ ନାହିଁ l ବେଳେ ବେଳେ ବଦଳୁଥିବା ସମୟ ତାରି ଅନୁସାରେ ଅନେକଙ୍କୁ ବଦଳିଯିବାକୁ ବାଧ୍ୟ କରିଦିଏ lବଡ଼ ବଡ଼ ଜଖମ ରେ ଵି ସମୟର ମଲମ ଲାଗି ଦର୍ଦ ଧୀରେ ଧୀରେ କମି କମି ଯାଏ l ଶୈଳଙ୍କ ଅନୁପସ୍ଥିତିର ଦୁଃଖକୁ ପ୍ରସନ୍ନ କ୍ରମେ ସହିଯିବା ଶିଖିଯାଆନ୍ତି l ମିତା ବାପାଙ୍କୁ ନିୟମିତ ଫୋନ କରେ l ମଝିରେ ମଝିରେ ଆସି ବୁଲିଯାଏ l ବାପାଙ୍କୁ ଖୁବ ଅନୁରୋଧ କରେ ତା ସାଙ୍ଗରେ ଯାଇ ରହିବାକୁ l ଝିଅଘରେ ରହିବାକୁ କୁଣ୍ଠାବୋଧ କରି ପ୍ରସନ୍ନ ଯିବାକୁ ଅମଙ୍ଗ ହୁଅନ୍ତି l


    ଶନିବାର ସନ୍ଧ୍ୟାରେ ଅରୁଣଙ୍କ ସହ ମିତା ଆସି ବାପଘର ଫାଟକ ଆଗରେ ଗାଡ଼ି ଥୋଇଲା l ଗାଡ଼ି ଶବ୍ଦରେ ଭିତରୁ ଦୌଡ଼ି ଆସିଲେ ବାପା l ବର୍ଷକର କୁନି ନାତି ରିଗୁଲକୁ କୋଳେଇ ନେଲେ l ଖୁବ ଉତ୍ସାହରେ ଝିଅ ଜ୍ୱାଇଁଙ୍କ ପାଇଁ ରୋଷେଇ ବସେଇଲେ l ମିତା ରୋଷେଇ ଘରେ ପଶି ବାପାଙ୍କ ହାତକୁ ମସଲା ଡବା, ହଳଦୀ ଗୁଣ୍ଡ, ଲୁଣ ବଢ଼େଇଦେଉଥିଲା ଓ ପଦେ ପଦେ କଥା ପଚାରି ବୁଝିନେଉଥିଲା l


-ବାପା ! ବଡ଼ ଭାଇ କି ସାନ ଭାଇ କେବେ ଆସିବେ କିଛି କହିଛନ୍ତି ?


-ହଁ ଆସିବେ l ବେଳ ହେଉନି ତାଙ୍କୁ l


-ତୁମେ ଏଥର ମୋ ସାଙ୍ଗରେ ଚାଲ l କେତେଦିନ ଏମିତି ନିଜେ ରୋଷେଇ କରି ଖାଉଥିବ ଆଉ ଏକା ଏକା ଏତେ ବଡ଼ ଘରଟାରେ ଛାତ କୁ ଅନେଇ ବସିଥିବ?


-ଏକା ଆଉ କଣ? ନବ ଆସେ ନିତି ସନ୍ଧ୍ୟାରେ ଟିଭି ଦେଖିବାକୁ l ରାତି ନଅକୁ ଯାଏ l ଆଜି ତୁମେ ସବୁ ଅଛ ବୋଲି ଆସିନି l ଆଉ ଏ ଫୋନ ତ ଅଛି l ଦରକାର ପଡିଲେ କଥା ହେଉଛି ସମସ୍ତଙ୍କ ସହ l ତୁ ମୋ ପାଇଁ ଜମା ବ୍ୟସ୍ତ ହୋନା l


-ନାଁ ନାଁ ତୁମକୁ ମୋ ସହ ଏଥର ଯିବାକୁ ପଡ଼ିବ l ମଝିରେ ମଝିରେ ଆସି ନହେଲେ ଘରଆଡ଼େ ବୁଲିଯିବ l ସୋମବାର କିନ୍ତୁ ତୁମେ ମୋ ସହ ଯାଉଛ l ବୁଝିଲ? ତୁମ ସମୁଦୀ ସମୁଦୁଣୀ ଵି ନାହାଁନ୍ତି l ତାଙ୍କ ବଡ଼ପୁଅ ପାଖକୁ ଯାଇଛନ୍ତି l ରିଗୁଲ ପୁରା ଏକା ହେଇଯାଉଛି ଆଉ ମୁଁ ବହୁତ ହଇରାଣ ହେଉଛି l ତୁମେ ଚାଲ ଆମ ସହ l


    ମିତାର ଏକା ଜିଦ ବାପା ତା ସହ ଯିବେ ଆଉ ଏବେ ସେଇଠି ହିଁ ରହିବେ l ପ୍ରସନ୍ନବାବୁ ବଡ଼ କଷ୍ଟରେ ତାକୁ ବୁଝେଇ କହିଲେ, "ତୁ ଯାଆରେ ମାଆ l ଆଗକୁ ଏହି ମାସ ଦଶ ତାରିଖରେ ତୋ ବୋଉର ଶ୍ରାଦ୍ଧ ଅଛି l ମୁଁ କାମ ସାରି ବାର କିମ୍ବା ତେର ତାରିଖ ବେଳକୁ ନିଶ୍ଚୟ ଯିଵି l "

  

     ମିତାର ଦୁଇଦିନ ରହଣି ଭିତରେ ପ୍ରସନ୍ନଙ୍କୁ ଦିନ ରାତି ମାଲୁମ ହେଲା ନାହିଁ l କଥାବାର୍ତ୍ତା ହସ ଖୁସିରେ ସମୟ କଟିଗଲା l ନାତିକୁ ଧରି ଗାଁରେ ବୁଲେଇଲେ l ପ୍ରାଣ ଭରି ସ୍ନେହଁ ଵି କଲେ l ଫେରିଲା ବେଳକୁ ମିତା ଦେଖିଲା ବାପା ଲୁଚି ଲୁଚି ଲୁହ ପୋଛୁଛନ୍ତି l


-ବାପା ଆମେ ଆସୁଛୁ l ତୁମେ ନିଶ୍ଚୟ ଆସିବ l ମୁଁ ଫୋନ କରିବି l


   

ମିତାର ବିରାଟ ଭବ୍ୟ ପ୍ରାସାଦରେ ଆଜି ସକାଳଟା ଭାରି ବ୍ୟସ୍ତମୟ l କେଵଳ ଆଜି ନୁହେଁ, ସବୁ ସକାଳ ଏଠି ଏମିତି l ମିତା ଓ ଅରୁଣ ତରବର ହେଇ କଲେଜ ବାହାରନ୍ତି, ରିଗୁଲ ଆୟା କୋଳରେ ଥାଇ କାନ୍ଦୁଥାଏ l ଅରୁଣ ଗାଡ଼ି ଚାଵି ନପାଇ ମିତା ଉପରେ ବିରକ୍ତି ହୁଅନ୍ତି ଆଉ ମିତା ରାଗରେ କଡ଼ା କରି ସ୍ୱାମୀଙ୍କୁ ଦୁଇ ଚାରି ପଦ ଶୁଣାଇ ଦିଏ l ଏହିଟା ପ୍ରାୟ ସବୁଦିନିଆଁ ଦୃଶ୍ୟ l ଆଜିର ଦୃଶ୍ୟଟା ସାମାନ୍ୟ ଭିନ୍ନ l ମିତା ଆଜି କଲେଜରୁ ଛୁଟି ନେଇଛି l ବାପା ଆସିବେ l ଅରୁଣ ବ୍ରେକଫାଷ୍ଟ ଟେବୁଲରେ ଏକା ବସିଛନ୍ତି l


-ଅରୁଣ ! ବାପାଙ୍କ ଗାଡ଼ି ଏଗାରଟାରେ ଲାଗିବ l ଫୋନ କରିଥିଲେ l ତୁମକୁ ଦଶଟା ପାଞ୍ଚାଵନ ଭିତରେ ପହଁଚିବାକୁ ହେବ ତାଙ୍କ ପାଖରେ l ସେ ବହୁତ ଦିନ ତଳେ ଆସିଥିଲେ ବାଟ ପାଇବେନି l


-ମିତୁ ! ମତେ ଏଟା ଆଦୌ ଭଲ ଲାଗୁନି l ତାଙ୍କର ଏଠି ରହିବା କଣ ନିହାତି ଦରକାର ?


-ହଁ ନିହାତି ଦରକାର l ତୁମ ବାପା ମାଆ କେମିତି ତୁମ ସହ ରହୁଛନ୍ତି ?


-ସେମାନେ ମୋ ପାଖରେ ରହୁଛନ୍ତି, ମୋ ଭଉଣୀ ପାଖରେ ନୁହେଁ l ମୁଁ ତୁମକୁ ପ୍ରଥମରୁ କହିଛି,ତୁମେ ତୁମ ଭାଇମାନଙ୍କୁ କୁହ ସେମାନେ ଆସି ବାପାଙ୍କ ଦାୟିତ୍ୱ ନିଅନ୍ତୁ l ତୁମର ତ ଖାଲି ଜିଦ୍ଦି l 'ବାପା ମୋ ପାଖରେ ରହିବେ 'l କାହିଁକି ରହିବେ ତୁମ ପାଖରେ? ରିଟାୟାର୍ଡ଼ମେଣ୍ଟ ବେଳକୁ ଯେଉଁ ଟଙ୍କା ଗୁଡ଼ାକ ପାଇଲେ ଆଉ ତୁମର ଦୂର ଜମି ଗୁଡ଼ାଏ ଯେଉଁ ବିକିଲେ, ସେ ସବୁ କିଏ ନେଲା ? ତୁମକୁ କେବେ ଯାଚିଛନ୍ତି ? ଭାଇମାନଙ୍କ ଭିତରେ ବାଣ୍ଟି ଦେଲେ କି ନାହିଁ ? ଏବେ ସେମାନେ କାହିଁକି ରଖୁନାହାଁନ୍ତି ଯେ ତୁମକୁ ସମ୍ଭାଳିବାକୁ ପଡୁଛି ?


-ବାପାଙ୍କର ସାମାନ୍ୟ କିରାଣୀ ଚାକିରୀରେ କେତେ ବା ଟଙ୍କା ମିଳିଥିଲା ଯେ ସେଥିରେ ଯାଇ ଭାଗ ବସେଇଥାନ୍ତି ! ଯାହା ତ ତାଙ୍କର ଶେଭିଂସ ଥିଲା ମୋ ବାହାଘରରେ ଖର୍ଚ୍ଚ କଲେ l


- ହା ହା... ଯେମିତି ପୁରା ରାଜକୀୟ ବିଭାଘର ଆୟୋଜନ କରିଥିଲେ ଆଉ ! ଜେନେ କେନେ ତୁମକୁ ବିଦା କରିଛନ୍ତି l ବୁଝିଲ ? ମୋ ସାଙ୍ଗମାନେ ଏବେ ଵି ମୋର ମଜାକ ଉଡ଼ାନ୍ତି l ଛି ! ସେଟାକୁ ଗୋଟେ ପୁଣି ବାହାଘର କୁହାଯାଏ?


-ଅରୁଣ ! ଏସବୁ ଠିକ ହେଉନି l ମୋ ବାପା ମୋତେ ଯୋଗ୍ୟ କରି ଗଢ଼ିଛନ୍ତି l ତୁମକୁ ବାହା ହେବା ପାଇଁ ଅନୁମତି ଦେଇଛନ୍ତି l ସେତିକି ରେ ତୁମେ ତାଙ୍କ ପାଖରେ କୃତଜ୍ଞ ରହିବା ଉଚିତ l


-ନାଇଁ ମିତୁ ! ମୁଁ ପାରିବିନି l ତୁମ ଭାଇମାନଙ୍କ ବୋଝ ମୁଁ ଉଠେଇ ପାରିବିନି l ତୁମେ ତୁମ ବାପା ଆସିଲେ କହିଦିଅ ଗାଁର ଘରଟା ସେ ତୁମ ନାଁରେ କରିଦିଅନ୍ତୁ ନହେଲେ ସେ ଯାଇ କୋଉ ବୃଦ୍ଧାଆଶ୍ରମରେ ରୁହନ୍ତୁ l


-ଛି ! ଅରୁଣ ତୁମେ ଏତେ ନୀଚ୍ଚ ! ମୋର ମୋ ନିଜ ଉପରେ ସନ୍ଦେହ ହେଉଛି l ମୁଁ କେମିତି ତୁମକୁ ଚିହ୍ନିବାରେ ଭୁଲ କରିପାରିଲି?

-ଆଛା ମୁଁ ଏବେ ନୀଚ୍ଚ ହେଇଗଲି ? ଏସବୁ କେଵଳ ତୁମ ବାପାଙ୍କ ପାଇଁ ନା ?

-ହଁ ମୋ ବାପାଙ୍କ ପାଇଁ l ମୁଁ ଯାହା କିଛି ହେଇଛି କେବଳ ମୋ ବାପାଙ୍କ ପାଇଁ l ମୁଁ ତୁମକୁ ଛାଡ଼ିଦେଇ ପାରେ କିନ୍ତୁ ମୋ ବାପାଙ୍କୁ ନୁହେଁ l


   ଦୁହିଁଙ୍କ ଭିତରେ ଝଗଡା ତୀବ୍ର ରୂପ ନେବାକୁ ଲାଗିଲା l ମିତାର ଟାଣୁଆ କଥାରେ ବେଶ ଶାନ୍ତ ଓ ଧୀର କଥା କହୁଥିବା ଅରୁଣ ମଧ୍ୟ ଚିତ୍କାର କରି ନିଜ ସ୍ଵଭାଵରେ ବିପରୀତ ଆଚରଣ କଲେ l ଏଗାରଟା ସମୟ କେତେବେଳୁ ଗଡ଼ି ଗଲାଣି l ଆୟା ଆସି କହିଲା, "ବାବୁ ! ଏଗାରଟା ହେଇଗଲାଣି l ମାଆ ଙ୍କ ବାପା ଅନେକ ବେଳୁ ଅପେକ୍ଷା କରିଥିବେ l ଶୀଘ୍ର ଯାଆନ୍ତୁ l"


   ମିତା ଓ ଅରୁଣ କଳି ଝଗଡ଼ା ବନ୍ଦ କରି ମେନ ଡୋର ପାଖକୁ ଆସିଲେ l ମିତା କବାଟ ଖୋଲିଲା l ଅରୁଣ ସୁ ର ଲେସ ଟାକୁ ଭଲକରି ବାନ୍ଧିବାକୁ ନଇଁ ପଡ଼ିଲାରୁ କବାଟ ସେପଟେ ଦୁଇଟି ଧଳା ରଙ୍ଗର ବ୍ୟାଗ ଦେଖାଗଲା l ସେ ଉଠିଯାଇ ଦେଖିଲେ l ମିତାକୁ ପାଖକୁ ଡାକିଲେ l ବ୍ୟାଗଟା ଚିହ୍ନା ଚିହ୍ନା ଲାଗୁଛି ମିତାକୁ l ବ୍ୟାଗ ଭିତରେ ଥିବା ଜରିଟା ସେ ଧୀରେ କାଢ଼ି ଆଣିଲା l ଉପରେ ଲେଖା ହେଇଛି 'ପାର୍ବତୀ ଵସ୍ତ୍ରାଳୟ, ପ୍ରୀତିପୁର' l "ଆରେ ଏତ ଆମ ବଜାର ଉପର ଲୁଗା ଦୋକାନର ନାଁ l ସେଠୁ କିଏ ଶାଢ଼ୀ କିଣି ଆଣି ଏଠି ରଖିଲା? "

 ମିତା ବ୍ୟାଗ ଦୁଇଟାକୁ ଭଲ କି ଅଣ୍ଡାଳି ପକାଇଲା l ସଜନା ଛୁଇଁ ବିଡ଼ାଟେ, ମିତାଘର ବାଡ଼ି ସଜନା ଗଛର ଛୋଟ ଛୋଟ ଛୁଇଁ l ସେ ତ ବହୁତ ଭଲ ପାଏ ଛୁଇଁ ବେସରକୁ l ଆଉ ଏଇଟା କଣ? ଛେନାପୋଡ଼, ମିତାର ପ୍ରିୟ l ମୁଗ ଆଉ ବିରି ଜାଇର ଦୁଇଟି ଅଲଗା ଅଲଗା ପୁଡ଼ିଆ, ଗୋଟେ ଖେଳଣା ଗାଡ଼ି ଆଉ ସବା ତଳକୁ ଷ୍ଟିଲର ଟିଫିନ ବାକ୍ସ ଟେ l "ଏଟା ତ ଆମ ଘର ଟିଫିନ ବକ୍ସ !ଏଠି କିଏ ରଖିଲା ? ବାପା ! ବାପା କୁଆଡେ ଗଲେ ? ଅରୁଣ ! ବାପା ଆସିଥିଲେ ବୋଧେ ! କୁଆଡେ ଗଲେ? ", ମିତା ଖୁବ ବ୍ୟସ୍ତ ହୋଇପଡିଲା l ମିତାର ବ୍ୟସ୍ତତା ଦେଖି ଅରୁଣ ସଙ୍ଗେ ସଙ୍ଗେ ପ୍ରସନ୍ନଙ୍କ ନମ୍ବର ଲଗେଇଲେ l


" ମିତା ନମ୍ବର ଅଫ ଅଛି l ତୁମେ ବ୍ୟସ୍ତ ହୁଅନା l ସେ ଏଠି କୋଉଠି ଥିବେ l ଆସିଯିବେ ", ଅରୁଣ ମିତାକୁ ବୁଝାଇ କହିଲେ l


 ଦିନ ଗଡ଼ି ରାତି ହେଲା l ନାଁ ପ୍ରସନ୍ନଙ୍କ ନମ୍ବର ଲାଗୁଛି ନାଁ ତାଙ୍କର କିଛି ଖବର ମିଳୁଛି l ମିତା ନବକକାଙ୍କୁ ଫୋନ କରି ବୁଝିଲା, ବାପା ଗାଁରୁ ଭୋରୁ ବାହାରି ଯାଇଥିଲେ l ଯଦି ଫେରିଯାଇଥିବେ ତେବେ ଏବେ ସୁଦ୍ଧା ପହଞ୍ଚିଯିବା କଥା l କୁଆଡ଼େ ଗଲେ ତେବେ ? ତାଙ୍କ ମୋବାଇଲରେ କଣ ବ୍ୟାଟେରୀ କମ ଥିଲା ?


     ବହୁତ ଖୋଜା ଖୋଜି ପରେ ମଧ୍ୟ ପ୍ରସନ୍ନଙ୍କର କୌଣସି ସନ୍ଧାନ ମିଳିଲାନାହିଁ l ପୁଅମାନେ ଖବର ପାଇ ଆସିଲେ l ପରସ୍ପର ପରସ୍ପରକୁ ଦୋଷ ଦେଇ ଯୁକ୍ତି ତର୍କ ଲାଗି ନିଜ ନିଜ ଜାଗାକୁ ପୁନଶ୍ଚ ଫେରିଗଲେ l


 ମିତା ଏବେ ପ୍ରାୟ ନିର୍ବାକ ହୋଇ ବସିରହେ l ଦିନରେ ଶହେ ବାର ବାପାଙ୍କ ନମ୍ବର ଡାଏଲ କରେ ଓ 'ସ୍ୱିଚ୍ଡ ଅଫ' ଅଛି ଶୁଣି ରାଗିକି ଫୋନଟା ବେଡ୍ ଉପରକୁ ଛାଟି ଦିଏ l "ବାପା କୁଆଡ଼େ ଏମିତି ଅନ୍ତର୍ଧ୍ୟାନ ହୋଇଗଲେ? " l ବାପାଙ୍କ ନିଖୋଜ ହେବା ପାଇଁ ସେ ନିଜକୁ ଦାୟୀ କରେ l ଖାଇବା, ପିଇବା, ଶୋଇବାରେ କୌଣସି ଠିକଣା ରହେ ନାହିଁ ତାର l ଅରୁଣ ମିତାର ଏମିତି ଅବସ୍ଥା ପାଇଁ ମଧ୍ୟ ନିଜକୁ ମିତାର ଦୋଷୀ ମନେକରି ଖୁବ ପଶ୍ଚାତାପ କରନ୍ତି l ମିତାର ବାପାଙ୍କୁ ଯୋଉଠୁ ହେଲେ ଵି ଖୋଜିଆଣିଦେବାର ପ୍ରତିଶୃତି ଦିଅନ୍ତି ତାକୁ l ଅରୁଣଙ୍କ କଥାରେ ସାମାନ୍ୟ ଆଶ୍ଵସ୍ତ ହୋଇ ମିତା ବାପାଙ୍କ ଭାବନରୁ ଟିକେ ବିଚ୍ୟୁତ ହୋଇ ରିଗୁଲ ଓ କଲେଜ କାମରେ ମନ ଦିଏ l


    ମଧ୍ୟ ରାତ୍ରୀ l ସମୟ ଦୁଇଟା ପଇଁତିରିଶ l ବାପା ଆସି ମିତାକୁ କହୁଛନ୍ତି, "ମିତୁନା ! ତୁ ଯଦି ଆଉ ଦୁଷ୍ଟ ହେବୁ, ଜିଦ୍ଦି କରିବୁ ମୁଁ ବଣକୁ ପଳେଇବି l ଆଉ ଜମା ଫେରିବିନି l ତୁ ଯେତେ ଖୋଜିଲେ ମୋତେ ପାଇବୁନି "


-ନାଇଁ ବାପା ! ମୁଁ ଆଉ ଜିଦ୍ଦି କରିବିନି l ତୁମେ ଗାଁରେ ଏକା ରହିବ l ମୁଁ ତୁମକୁ ଡାକିବିନି l ମୁଁ ଜମା ଜିଦ୍ଦି କରିବିନି l ବାପା ! ତୁମେ ବଣକୁ ଯିବନି l କୁହ ତୁମେ ଯିବନି l ବାପା ! ବାପା !


   ମିତା ଖୁବ ଜୋରରେ 'ବାପା','ବାପା' କହି କାନ୍ଦି ଉଠିଲା l ଅରୁଣଙ୍କ ନିଦ ଭାଙ୍ଗିଗଲା l


-ଆରେ ଆରେ ! କଣ ହେଲା ? ଚୁପ ହେଇଯା l ପ୍ଲିଜ଼... ପ୍ଲିଜ କୁହ କଣ ହେଲା କୁହ l ଏହି ନିଅ, ପାଣି ନିଅ l


   ମିତା ପାଣି ଢ଼ୋକଟେ ପିଇସାରି ଅରୁଣଙ୍କୁ କାନ୍ଦ କାନ୍ଦ ସ୍ୱରରେ କହିଲା, "ଅରୁଣ ! ବାପା ଜଙ୍ଗଲ ପଳେଇଛନ୍ତି l ମୋ ଉପରେ ରାଗିକି ପଳେଇଛନ୍ତି l ସେ କହିଥିଲେ, ବଣକୁ ଚାଲିଯିବେ l ଚାଲ ତାଙ୍କୁ ଫେରାଇଆଣିବା l ସେ ଜଙ୍ଗଲ ରେ ଅଛନ୍ତି l ଚାଲ ଅରୁଣ l ଚାଲ l"


  ଅରୁଣ ପୁଣି ମିତାକୁ ସହଜ କରିବା ପାଇଁ କହିଲେ, "ମିତୁ !ରାତି ବହୁତ ହେଲାଣି, ସକାଳେ ଯିବା l ଶୋଇପଡ ପ୍ଲିଜ଼ l ମୁଁ କହିଛି ନା ଖୋଜି ଆଣିବି " l


  ମିତା ଆଖିବୁଝିଲା ଶୋଇବାକୁ, କିନ୍ତୁ ତା କାନ ପାଖରେ ସେହି ଗୋଟିଏ ଶବ୍ଦ ବାରମ୍ବାର ଆସି ପିଟି ହେଉଛି l 'ବନବାସ','ବନବାସ', 'ବନବାସ'....    


Rate this content
Log in

Similar oriya story from Tragedy