ବଳି
ବଳି
ଦାଦା ! ମୁଁ ଗାଆଁଯାକର ସବୁଠୁ ସୁନ୍ଦରୀ ଝିଅ ଥିଲି l ଶତୃ ହେଲେ ବି ମୋତେ ଘଡିଏ ଚାହିଁବ ବୋଲି ସମସ୍ତେ କହନ୍ତି l ଶେଷରେ କ’ଣ ମୋ ଭାଗ୍ୟରେ ଏୟା ଥିଲା ? ପୁଣି କାନ୍ଦିବାକୁ ଲାଗିଲା ସପନି, ଅନନ୍ତ ନନାର ଝିଅ l ଦେଖିବାକୁ ଅପରୂପା ନ ହେଲେ ବି ବେଶ୍ ସୁନ୍ଦରୀ l ରଙ୍ଗ ଗୋରା l ତା’ କହିବା କଥା ବି ସତ l ଅନନ୍ତ ନନାର ଦେହାନ୍ତ ପରେ ତା’ ଘରର ଅବସ୍ଥା ବହୁତ ଖରାପ ହୋଇଯାଇଛି l ଘରଟାଯାକର ଭାର ପୁଅ କୈଳାସ ଉପରେ l ଚାକିରିବାକିରି ନାହିଁ l ନାମକୁ ମାତ୍ର ଗୋଟେ କମ୍ପାନିରେ କାଜୁଆଲ୍ ଲେବର୍ l କେତେଟା ଟଙ୍କା ଦରମା l ଆଜିକା ଯୁଗରେ ଯୌତୁକ ଦେଇ ବାହା କରିବାଟା ଅସମ୍ଭବ l ଭାଗ୍ୟକୁ ଗାଆଁର କେଶବ ବାହା ହେବାକୁ ପ୍ରସ୍ତାବ ଦେଇଛି l ଜମିବାଡି ଦି ଖଣ୍ଡ ଅଛି l ଉପାସ ତ ରହିବନି l ବାରମାସ ଚଳିବା ଭଳିଆ ଫସଲ l କହିବାକୁ ଗଲେ କିଛି ବଳକା ବି ରହିଯିବ l ସବୁ ଭଲ l ହେଲେ ଗୋଡଟା ଛୋଟା l କେଉଁଠୁ ପ୍ରସ୍ତାବ ଆସିଲାନି l ସେଥିପାଇଁ ସେ ଗାଆଁର ଅନନ୍ତି ନନା ଝିଅକୁ ବିନା ଯୌତୁକରେ ବାହା ହେବା ପାଇଁ ନିଜ ଆଡୁ ପ୍ରସ୍ତାବ ରଖିଛନ୍ତି l ମୁଣ୍ଡରୁ ଯେମିତି ଗୋଟେ ବୋଝ ଉତାରି ଦେଇଛନ୍ତି କେଶବର ବାପା ମାଆ l ଯା’ ହେଉ ଭଉଣୀର ବାହାଘରଟା ହୋଇଯିବ l ପୁଣି ବିନା ଯୋତୁକରେ l ହେଲେ ସମସ୍ୟା ହୋଇ ଠିଆ ହୋଇଛି ସପନି l ଛୋଟାଟାକୁ ବାହା ହେବନି ବୋଲି ଜିଦ୍ ଧରି ବସିଛି l ତା’କୁ ବୁଝେଇବାକୁ କୈଳାସ ମୋତେ ଘରକୁ ଡକେଇଛି l ପିଲାଟି ଦିନରୁ ତା’କୁ ଦେଖିଛି l ଅନନ୍ତ ନନା ବି ଭଲ ଲୋକ ଥିଲେ l ବଞ୍ଚିଥିବା ବେଳେ ତାଙ୍କ ସାଙ୍ଗରେ ମୋର ଭଲ ସମ୍ପର୍କ ଥିଲା l ସପନି ମୋତେ ଦାଦା ଡାକେ, ଆଉ ସମ୍ମାନ ବି କରେ l ମୁଁ କହିଲେ କାଳେ ସପନି ରାଜି ହୋଇଯିବ, ସେଥିପାଇଁ ମୋତେ ଘରକୁ ଡାକି ଆଣିଛି l ସପନି କହିଲା, ‘ମୋର ବାପା ମୋତେ କେତେ ଗେଲବସରରେ ବଢେଇଥିଲେ, ଆଜି ମୋ ବାପା ନାହାନ୍ତି ବୋଲି ସିନା l ଧନ, ଧନ, ଧନ l ଧନ ମୋର କ’ଣ ହେବ ? ମୋର କ’ଣ ମନ ବୋଲି କିଛି ନାହିଁ ? ସାରା ଜୀବନ ସେ ଛୋଟା ସାଥିରେ ମୁଁ କାଟିପାରିବି ନାହିଁ l’ ବୁଝେଇବାକୁ ଚେଷ୍ଟା କଲି, ‘ଦେଖ ମାଆ ! ଖାଲି ମନରେ ପେଟ ପୁରେନି l ମନର ସୁଖ ମେଣ୍ଟାଇବା ପାଇଁ ଧନ ଦରକାର l’
: ଖାଲି କ’ଣ ଛୋଟା କେଶବ ଅଛି ? ଆଉ କିଏ ନାହାନ୍ତି ?
: ସମସ୍ତେ ଯୌତୁକ ଚାହିଁବେ, ଯାହା ଦେବାକୁ ତୋ’ ଭାଇର ଶକ୍ତି ନାହିଁ l ଜମିବାଡି ତ ଆଗରୁ ବିକା ସରିଛି l କେମିତି କ’ଣ କରିବ ?
: ମୁଁ ଯୁଆଡେ ଗଲେ, ଗାଆଁଯାକର ଟୋକା ମୋତେ ଅନେଇଥାଆନ୍ତି l ତାଙ୍କ ଭିତରୁ କେହି ତ ବାହା ହେବାକୁ ରାଜି ହେବେ l
: ନାଆଁରେ ମାଆ l ସୁନ୍ଦରୀ ଝିଅ ଦେଖିଲେ ସମସ୍ତେ ଅନେଇ ରହନ୍ତି l କିନ୍ତୁ ଜୀବନଯାକ ହାତ ଧରିବା କଥା ଅଲଗା l ତା’ ଛଡା ବିନା ଯୌତୁକରେ... ମୋ କଥାରେ ସିଏ ରାଜି ହେବା ଭଳି ଲାଗୁ ନ ଥିଲା l ପୁଣି କହିଲି, ‘ଦେଖ୍ ମାଆ ! ଏ ଚେହେରାରେ କ’ଣ ଅଛି ? ଆଜି ଅଛି କାଲି ନ ଥିବ l ଯେମିତି ତୁ ଆଉ କାହାକୁ ବାହା ହେଲୁ l ଆଉ ଆକ୍ସିଡେଣ୍ଟରେ ତା’ ଗୋଡ ଭାଙ୍ଗିଗଲା l ତୁ କ’ଣ ତା’କୁ ଛାଡି ପଳେଇଆସିବୁ ?’
ମୋ କଥା ଶୁଣି ସପନି ଚୁପ୍ ରହିଲା l ହେଲେ ସହମତି ଜଣେଇଲା ନାହିଁ l ଗାଆଁର ଗୋଟିଏ ସୁନ୍ଦରୀ ଝିଅ ହିସାବରେ ବହୁତ ସ୍ୱପ୍ନ ଦେଖିସାରିଛି ସିଏ l ଟିଭି ସିରିଆଲର ହିରୋଙ୍କ ଠାରୁ ଆରମ୍ଭ କରି ସିନେମାର ସୁପରଷ୍ଟାରମାନଙ୍କ ଭିତରୁ ଅନେକଙ୍କୁ ନେଇ ଅଜଣା ରାଇଜକୁ ଚାଲି ଯାଇଛି l ତା’ ସପନ ରାଇଜରେ ଛୋଟା କେଶବର ଜାଗା କେଉଁଠି ? ଚେଷ୍ଟା କଲେ ବି ସେ କେଶବକୁ ଆପଣେଇ ପାରିବ ନାହିଁ l ସୁଁ ସୁଁ ହୋଇ ଆକାଶକୁ ଅନେଇ କାନ୍ଦିବାକୁ ଲାଗିଲା l ବୋଧେ ବାପାଙ୍କୁ ଖୋଜୁଥିଲା, ଆଉ ମନେ ମନେ କହୁଥିଲା , “ବାପା ! ତୁମେ ଥିଲେ କ’ଣ ଏ ଛୋଟା କେଶବ ସାଥିରେ ତୁମ ଗେଲି ସପନିକୁ ବାନ୍ଧି ଦେଇଥାନ୍ତ ? ” ତା’କୁ ଜବରଦସ୍ତି କରିବାଟା ମୋ ପକ୍ଷରେ ଠିକ୍ କି ଭୁଲ ଜାଣି ପାରୁ ନ ଥିଲି l ଅସହାୟ ଲାଗିଲା, ସେହି ଭାଇ ଭଉଣୀଙ୍କ କଥା ଚିନ୍ତା କରି l ବେଶି ସମୟ ନ ରହି ସପନି ମୁଣ୍ଡକୁ ସାଉଁଳେଇ ଦେଇ ଫେରିଆସିଲି l ତା’ ପରଦିନ ସକାଳୁ ଭୁବନେଶ୍ୱର ଫେରିବାର ଅଛି l ଅଫିସ୍ କାମ, ଘରର ସମସ୍ୟା ଭିତରେ ସପନି କଥା ଭୁଲି ଗଲି l ଦିନେ ଗାଆଁରୁ ସାନ ଭାଇ ଫୋନ୍ କରିଥିଲା l କଥା ଛଳରେ ଗାଆଁ କଥା ପଚାରିଲି l କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ଠାରୁ ଆରମ୍ଭ କରି ଗାଆଁ ପୋଖରୀ ନିଲାମ ପର୍ଯ୍ୟନ୍ତ l ହଠାତ୍ ମନେ ପଡିଲା ଅନନ୍ତ ନନା ଝିଅ ସପନି କଥା l ପଚାରିଲି, ‘ଆରେ ସପନି କଥା କ’ଣ ହେଲା ? କେଶବକୁ ବାହା ହେଲା ?’
: କିଏ ସପନି ? ତା’ କଥା ଆଉ ପଚାରନି l
: କ’ଣ ହେଲା ? ତା’ର ପୁଣି କ’ଣ ହେଲା ?
: ସପନି ତ ବିଲକୁଲ ରାଜି ନ ଥିଲା l କାହା କଥା ନ ମାନି କେଶବ ସହିତ ତା’ ବାହାଘର ଠିକ୍ କରିଦେଲା ତା’ ଭାଇ l ହେଲେ ବାହାଘର ପୂର୍ବ ଦିନ ସପନି ବିଷ ଖାଇଦେଲା l ବିଚରା..
ଧାଉଁକିନା ହୋଇଗଲା ଛାତିଟା ମୋର l ସପନି ମରିଗଲା ? ଏତେ ସୁନ୍ଦରୀ ଝିଅଟେ l ତା’ର କ’ଣ ଶେଷରେ ଏୟା ହେବାର ଥିଲା ? ହେ ଭଗବାନ୍ l ନିଜକୁ ଦୋଷୀ ଦୋଷୀ ଲାଗିଲା l କିଛି ଭୁଲ ରହିଗଲା ବୋଧେ l ସପନିକୁ ବୁଝେଇଲି... ଅଥଚ କୈଳାସକୁ ତ ବୁଝେଇପାରିଥାଆନ୍ତି l ନାଃ.. ଯେତେ ଦିନ ପର୍ଯ୍ୟନ୍ତ ଆମେ ସମସ୍ତେ ଝିଅମାନଙ୍କୁ ବୋଝ ଭାବୁଥିବା, ସପନି ଭଳି ଅନେକ ଝିଅ ବଳି ପଡିବେ ସେ ଯୌତୁକ ଜୁଇ ହେଉ କିମ୍ବା ତା’ ରୂପାନ୍ତର l