ବିସ୍ଥାପିତଙ୍କ ଆର୍ତ୍ତନାଦ
ବିସ୍ଥାପିତଙ୍କ ଆର୍ତ୍ତନାଦ
ପାହାଡ଼ ନିକଟସ୍ଥ ଏକ ପଡ଼ିଆରେ ଆନ୍ଦୋଳନକାରୀ ଜନତା ଏକାଠି ହୋଇଥିଲେ। ପ୍ରସ୍ତାବିତ କୋଇଲା ଖଣିକୁ ଗ୍ରାମୀଣ ବିରୋଧକୁ ଅଣଦେଖା କରି ଆସୁଥିଲେ ସରକାର।
"ବିସ୍ଥାପନକୁ ସରକାର ସିନା କେବଳ ଜମି ବା ଘରଡ଼ିହ ଭଳି ସ୍ଥଳ ଭାଗ ଦଖଲରୁ ସ୍ଥାନାନ୍ତରିତ କରିବା ଅର୍ଥରେ ବୁଝିଛନ୍ତି, କିନ୍ତୁ ଯାହାକୁ ବିସ୍ଥାପିତ କରାଯାଏ, ତା’ପାଇଁ ଏହା ଏକ ମନସ୍ତାତ୍ଵିକ ଯନ୍ତ୍ରଣା, କାରଣ ଯେଉଁ ପରିବେଶକୁ ନେଇ ତା’ର ସଂସ୍କାର, ସଂସ୍କୃତି, ମାନବୀୟ ସମ୍ପର୍କ ଓ ଜୀବନଜୀବିକା ଗଢ଼ି ଉଠିଥାଏ, ସେ ପରିବେଶକୁ ହରାଇବା ପରେ ନୂତନ ପରିବେଶ ତା’କୁ ପୂର୍ବର ସେଇ ସହଜ ଓ ଅନ୍ତରଙ୍ଗ ଜୀବନ ଦେଇପାରେନାହିଁ, ତା’ର ଜୀବିକା ପୂର୍ବଭଳି ରହିପାରେ ନାହିଁ, ତା’ର ଆତ୍ମବିଶ୍ୱାସ ମଧ୍ୟ ଦୁର୍ବଳ ହୋଇଯାଏ । ଆମ୍ଭେ କିନ୍ତୁ, ନଛୋଡ଼ବନ୍ଧାର ଦଳ ମରିବୁ ପଛେ; ହଟିବୁ ନାହିଁ , ନିଆଁହୁଳା ଜାଳି ରାସ୍ତା ଅବରୋଧ କରିବୁ । ସରକାର ତୁମେ ଜବାବ ଦିଅ। ମନୋଜ ତା ଭାଷଣରେ ଅନୁପ୍ରାଣିତ କରି ସମସ୍ତ ବିସ୍ଥାପିତ ମାନଙ୍କ ପାଇଁ ନ୍ୟାୟ ପାଇବା ଆଶାରେ ଧାରଣା ଦେଇ ବସିଥିଲା।
ଗ୍ରାମବାସୀଙ୍କ ସ୍ଳୋଗାନର ତୀବ୍ରତା ମଧ୍ୟ ବଢୁଥିଲା।
“ଆଦାନି କମ୍ପାନି ମୁର୍ଦ୍ଦାବାଦ ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ ମୁର୍ଦ୍ଦାବାଦ । ’’
‘ଆମେ ମରିଯିବୁ ପଛେ, ଆମ ଭିଟାମାଟି ଛାଡ଼ିବୁ ନାହିଁ । ’
ମୁଁ ସେଦିନ ଘଟଣା କ୍ରମେ ତାଙ୍କ ଗାଁକୁ ଯାଇଥାଏ । ଦେଖିଲି ଦଳେ ଲୋକ ଘରଦ୍ୱାର ଛାଡ଼ି ଜଗିକି ବସିଛନ୍ତି । ସାହସ ବାନ୍ଧି ପଚାରିଲି- ଭାଇ କାହିଁକି ଏଠି ରାତିଦିନ ନିଆଁହୁଳା ଜାଳି ବସିଛ? ଜଣେ ଯୁବକ ଦୌଡ଼ିଆସିଲା । ବିରାଟ ବଡ଼ ବୁକୁ, ଚେହେରାଟା ଦେଖି ଡ଼ର ଲାଗୁଥାଏ । କହିଲା- ‘ତୁମେ କିଏ ହୋ, ସରକାରଙ୍କ ଚାମଚା ନା ଶିଳ୍ପପତି ଦଲାଲଙ୍କ ଗୁମାସ୍ତା’ ? ମୁଁ ଟିକିଏ ଡ଼ରିଗଲି । କହିଲି- ‘ନା ଭାଇ! ମୁଁ ଜଣେ ଶିକ୍ଷକ । ଆଜି ନୂଆ କରି ଏଠିକି ଆସିଛି ତୁମ ଗାଁ ରେ ଶିକ୍ଷକ ହେଇ । ସେଠୁ କହିଲା- ‘ଏଇଠି ବସ ବାବୁ’ ବସି ପଡ଼ିଲି । ଏଥର ଟିକିଏ ଭରସା ପାଇଲା; ସାହାସ ବାନ୍ଧି ପଚାରିଲି- ‘ ଭାଇ! ଶିଳ୍ପର ବିକାଶ ହେଲେ ତୁମର ତ ଭାଗ୍ୟ ବଦଳିଯିବ । ତୁମ ପିଲାଏ ଚାକିରି ପାଇବେ । ଦେଶ ଅର୍ଥନୀତିର ବିକାଶ ହେବ । ତୁମ ଅଂଚଳର ମାନଚିତ୍ର ବଦଳି ଯିବ, ଅସୁବିଧା କଣ ? ଅନେକ ଗାଡ଼ି ମୋଟର ଆସିବ, ବଜାର ହାଟ ବସିବ । ସ୍କୁଲ କଲେଜ ଖୋଲିବ । ତୁମେ କିଆଁ ଶୀଳ୍ପ ବିକାଶକୁ ବିରୋଧ କର? ତୁମର ତ ଲାଭ, ହିଁ ଲାଭ ।
ପ୍ରଶାନ୍ତ ବୁଦ୍ଧିଆ ଏଥିରେ ବିରକ୍ତ ହୋଇ ଉଠିଲା । କହିଲା- “ରଖ ହୋ ! ତୁମ ଲାଭ କ୍ଷତିର ହିସାବ । ଲାଭ ଯାହାର ହେବା କଥା ହେଉଛି । ଆମେ ଖାଲି ହଇରାଣ ହରକତ ହେବା ସାର । ତୁମର ଶିଳ୍ପ ବିକାଶ ହେଉ କି ନହେଉ- ଆମକୁ ସେଥିରୁ କ’ଣ ମିଳିବ ? ଜଂଗଲ ଆମର । ଜଂଗଲ ଗଲେ ଆମ ଜୀବିକା ଯିବ । ଆମେ କ’ଣ ଖାଇ ବଞ୍ଚିବୁ କି ହୋ? ଚାଷ ଜମି ତ ସବୁ ଶିଳ୍ପରେ ଯିବ । କ’ଣ ଗୋଡ଼ି ପଥର ଖାଇ ଆମେ ଜୀବନ ଧାରିବୁ? ଘର ଖଣ୍ଡିକ ଆଗ ଯିବ । କେଉଁଠି ମୁଣ୍ଡ ଗୁଂଜିବୁ ? କଂପାନୀ ସହ ସିଧା ସଳଖ ଆମର ବୁଝାବଣା ହେଉ ନଥିବାରୁ, ନେତାଏ ଫାଇଦାରେ ରହିବେ। କଂପାନୀ ଆମ ଦାବୀ ପ୍ରତି ଉଦାସୀନ ରହୁଛି । ବାହାରୁ କୁଶଳୀ କାରିଗର ଆଣି, ନିଜ କାମ ତୁଲାଉଛନ୍ତି । ଆମେ ଏଠୁ ହଟିଲା ପରେ , ନା କମ୍ପାନୀ ନା ଆଉ କିଏ ଆମ ଦୁଃଖ ବୁଝେ? ଆମେ ବେକାରୀ ହେଇ, ଭୋକ ଉପବାସରେ ସଢିବୁ । ଆମ ବିସ୍ଥାପନ କଥା- କିଏ ସେ ବୁଝିବ? ଆମ ଘରଦ୍ୱାର ଓ ସୁବିଧା ସୁଯୋଗ ସବୁ ପଛକୁ ରହିବ । ଆମ ଦୁଃଖ କିଏ କେମିତି ବୁଝିବ ?”
ମୁଁ କହିଲି- “ଭଲ କଥାଟାଏ କହିଲ ଭାଇ!
ମନୋଜ ଏତେବେଳ ଯାଏଁ , ସବୁ ଶୁଣୁଥିଲା । କହିଲା – “ସବୁ ଠିକ୍ ଯେ, ହେଲେ ଆମେ ବିସ୍ଥାପିତ ଯେ, ଘର ଦ୍ୱାର ଛାଡ଼- ଆମ ସାମାଜିକ ସମ୍ପର୍କ; ଆମ ସ୍ମୃତି ମନ୍ଦିର ଏ ଗାଁ; ଆମ ଗ୍ରାମ୍ୟ ସଂସ୍କୃତି, ସବୁ ଲୋପ ହୋଇଯିବ-କିଏ ସେ ତାକୁ ଫେରାଇ ଦେବ କୁହ ?” କଥା ହେଉଛି- ଯେଉଁ ଘର, ବାଡ଼ି, ଗାଡ଼ିଆ, ତେନ୍ତୁଳି ଗଛ, ନେଉଆ ଗଛ; ଦୁଆର ମୁହଁର ବର କୋଳି ଗଛ, ଆଉ ପଥର ମୁଣ୍ଡିଆ; ପୁଣି ଗାଁ ବରଗଛ ତଳେ ଦିଅଁ ଦେବତା – ସବୁ ତ ଆମ ସ୍ମୃତିର ସ୍ମାରକୀ; ଯେଉଁଠି କାଟିଛି କେତେ ବିନିଦ୍ର ରଜନୀ, ପୁଣି ଉଦି ଉଦିଆ ଖରାବେଳ,ଆଉ ପାହାଁନ୍ତି ଶୀତ ରାତି – କେହି ସେ ସବୁ ଦେଇକି ପାରିବ? ବିସ୍ଥାପିତ ଯିଏ, ଏକା ସେଇ ସିନା ବୁଝେ-ତହିଁର ଦୁଃଖ ।
ମନୋଜର କଥାରେ ସମ୍ମତି ଜଣାଇ, ଅନ୍ୟ ଲୋକମାନେ ବି ପଦେ ଅଧେ ପାଳି ଧରୁଥା’ନ୍ତି । ମୋତେ ବି ଭାବିବାକୁ ମଜବୁର କରିଦେଇଥା’ ନ୍ତି । ଭାବନା ରାଜ୍ଯରେ ଘୂରି ବୁଲୁ ବୁଲୁ ମୁଁ କେତେବେଳୁ ହଜି ଯାଇଥାଏ; ଯେତେ ଚେଷ୍ଟା କଲେ ବି ଆଦୌ ପ୍ରକୃତିସ୍ତଃ ହୋଇପାରୁ ନଥାଏ । ସତେ କି ଭୂତଟାଏ ସବାର ହୋଇଛି । ପୁଣି ମୁଁ ଭାବିବାକୁ ଲାଗିଲି ।
“ମଣିଷକୁ ଆଜି ଖାଲି ବିସ୍ଥାପିତ ହେବାକୁ ପଡ଼ୁଛି । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଣଳର ବିକାଶ ସଙ୍ଗେ ସଙ୍ଗେ ମଣିଷର ଆବଶ୍ୟକତା ବଢିଛି । ଆଉ ନିଜର ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ନାନାବିଧ ଉପାୟ ପାଞ୍ଚୁଛି । ଶିଳ୍ପର ଅଭିବୃଦ୍ଧି ଦେଶ ଅର୍ଥନୀତିର ମାନଦଣ୍ଡ- କହି; ବିଭିନ୍ନ କଳକାରଖାନା ନିତ୍ୟ ପ୍ରତିଷ୍ଠିତ ହେଉଛି । ଅନେକ ବିଦେଶୀ କଂପାନୀ ଆସୁଛନ୍ତି । ମାଇନ, ନଦୀବନ୍ଧ ନିର୍ମାଣ, ବିଦ୍ୟୁତ ପ୍ରକଳ୍ପ, ବନ୍ଦର ନିର୍ମାଣ ଆଦି ଯୋଗୁଁ ଜମି ଅଧିଗ୍ରହଣ କରିବାକୁ ପଡ଼ୁଛି । ଏସବୁ ଠିକ୍ ଯେ; ହେଲେ ଜମି ଅଧିଗ୍ରହଣକୁ କେନ୍ଦ୍ର କରି ବୁଦ୍ଧିଆପାଲି ଗାଁ ରେ ଯେଉଁ ବିଦ୍ରୋହର ବହ୍ନି ଜଳୁଛି ଗ୍ରାମରୁ ଗ୍ରାମ ଯାଏ; ସବୁଠି; ତାହା ସହଜେ ପ୍ରଶମିତ ହେବ। କଥାଟା ହେଉଛି, ମଣିଷର ଆବଶ୍ୟକତା ପାଇଁ ଆଜି ଚାଷଜମି ବନ୍ଧ୍ୟା ହେଉଛି । ଜଙ୍ଗଲ ନଷ୍ଟ ହେଉଛି । ପରିବେଶ ଓ ସମାଜ ଉପରେ ତା’ର କୁ ପରିଣାମ ବେଶ୍ ପରିଦୃଷ୍ଟ ।
ଯେଉଁ ଜନମ ମାଟିର ମୋହ ତା’କୁ ଆକର୍ଷଣ କରେ; ଯେଉଁ କୁଡ଼ିଆ ତା’କୁ ଖରା, ଶୀତ, ବର୍ଷା କାକରରୁ ରକ୍ଷା କରି ଆସୁଛି- ତା’ ଠାରୁ ଦୂରେଇ ଯାଉଥିବା ଦେଖି; ସିଏ ଆଜି ବିବ୍ରତ, ମନ ତାର ଦୁଃଖ ପରିତାପରେ ଘାରି ଯାଉଛି । ଦେଖାଦିଏ ତୀବ୍ର ମାନସିକ ଦ୍ୱନ୍ଦ, ମନ ତା’ର ବିଦ୍ରୋହ କରି ଉଠେ । ଶିଳ୍ପପତିର ଅର୍ଥର ପ୍ରଲୋଭନ ତା’କୁ ପ୍ରଲୋଭିତ କରିପାରେନା ।
ଏହିପରି ଭାବନା ରାଜ୍ୟରେ ମୁଁ ଅହରହ ବିଚରଣ କରୁଥାଏ । ହଠାତ୍ ମୋର ସମସ୍ତ ଭାବନା ବିପର୍ଯ୍ୟସ୍ତ ହୋଇଗଲା । ଅନତି ଦୂରରେ ଚିତ୍ତା ଜଳୁଥାଏ । ଗୋଟିଏ ଛାୟାମୂର୍ତ୍ତି ମୋ ନଜରରେ ପଡ଼ିଲା, ମୁଁ ଚମକି ପଡ଼ିଲି ।
ମୁଁ ପଚାରିଲି “ହେ ! ହେ ଇ…ଟି…କ…ଅ….ଣ ଦିଶୁଛି?”
ମନୋଜ ମୋ ପାଖକୁ ଲାଗି ଆସିଲେ । କହିଲେ – “ନାଇଁ ହୋ ବାବୁ! ଶୁକ୍ରାର ପିଲାଟାର ଗୁଲିରେ ମଲେ । ତା'ର ଏ ଦୁନିଆରେ ଆଉ କେହି ନାହାଁନ୍ତି। ସେତାକୁ କମ୍ପାନୀ ପକ୍ଷରୁ ଘର କି ଅର୍ଥ ଦେଲେ ସେ କ'ଣ କରିବ। ତା'ର ନିଜର କହିଲେ ତ କେବଳ ଏ ମାଆ ମାଟି ଖଣ୍ଡକ। ସେ କାହିଁକି ନିଜ ଜନ୍ମଭୂମିକୁ ଛାଡ଼ିବ।
ସେ କଥା ଗୁଡ଼ାକ ଭାବି ମୋ ଅନ୍ତର ବିଦାରିତ ହେଉ ଯାଉଥାଏ । କଲିଜା ଥରି ଉଠୁଥାଏ । ମନ ଦୁଃଖରେ ଘାରି ହୋଇ ଯାଉଥାଏ ।
ଏଥର ବିଦାୟ ନେବାର ବେଳ ହୋଇ ଯାଇଥିଲା । ସମସ୍ତଙ୍କୁ ଗଭୀର ଭାବେ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ମୁଁ ବାହାରିଲି । ଆନ୍ଦୋଳନକାରୀମାନେ ଛିଡ଼ା ହୋଇପଡ଼ିଲେ । ହାତ ଯୋଡ଼ି ନମସ୍କାର କଲେ । ଆଇଲା ବେଳକୁ କହିଲି – “ତୁମେ କଥାଟା ଭଲ ଭାବରେ ମୁଁ ଛାପିବି । ମୁଁ ଜଣେ ଶିକ୍ଷକ ସହିତ ପତ୍ରକାର ମଧ୍ୟ। ଗାଁଲୋକଙ୍କ ଭିତରେ ଗଣମାଧ୍ୟମକୁ ନେଇ ଅବିଶ୍ୱାସ ରହିଛି। ଗାଁଲୋକଙ୍କ ଅଭିଯୋଗ ହେଲା, ସ୍ଥାନୀୟ ସାମ୍ବାଦିକମାନେ ନିୟମିତ ଶିଳ୍ପସଂସ୍ଥାମାନଙ୍କଠାରୁ ଲାଞ୍ଚ ନେଇଆସୁଥିଲେ ଏବଂ ଲୋକଙ୍କ ପକ୍ଷର କଥା ନିଜ ଖବରରେ ଲେଖୁ ନଥିଲେ। ତେଣୁ ସମସ୍ତେ ଏକ ସ୍ୱରରେ କହିଲେ- “ହେଲେ ଆମେ ମରିବୁ ପଛେ, ଜମା ହଟିବୁ ନାହିଁ । ଯଦି ଆମ ଜମି ନେବାକୁ ଚାହୁଁଛ, ତେବେ ଆମକୁ ସମାନ ପରିମାଣର ଜମି ଆଉ କ୍ଷତି ପୂରଣ ଜମି ଦିଅ ।” ଏ କଥା କୁ ନିଶ୍ଚୟ ଛାପିବେ ।
