DEBASHIS MISHRA

Drama Classics Inspirational

3.7  

DEBASHIS MISHRA

Drama Classics Inspirational

ଅନ୍ତର୍ଦାହ

ଅନ୍ତର୍ଦାହ

5 mins
422



“ସାର୍, ଆଜି ଖବରକାଗଜ ପଢ଼ିଲେ।”


“ନା, କ’ଣ ବାହାରିଛି କି ?”


ଆପଣଙ୍କ ପ୍ରିୟ ଶିଷ୍ୟର ଖବର।


‘କ’ଣ’, ‘ କିଏ’ ? ମୋ ମନରେ ପ୍ରଶ୍ନ ଭଙ୍କି ମାରିଲା । ମୁଁ ଖବରକାଗଜଟା ଓଲଟାଇ ଦେଖିଲି । ଏ କ’ଣ ରାହୁଲ ?


ହଁ, ତ ରାହୁଲର ଖବର ।


ସେ କ’ଣ ଜେଲ୍‌ରେ !


“ହଁ, ସେଇଆ ହେବାର ବି ଥିଲା।” ଆଶୁତୋଷ କହିଲା ।


କ’ଣ ଆପଣ ତା’ ବିଷୟରେ ଖବର ରଖିଛନ୍ତି ?


ମୁଁ କହିଥିଲି- “ନା, ଦୀର୍ଘ ପନ୍ଦର ବର୍ଷ ହେବ ଦଶମ ଶ୍ରେଣୀରେ ପଢ଼େଇଲା ପରେ ଆଉ ଦେଖୁନି, କି ତା’ ବିଷୟରେ ଜାଣିନି ।”


ଆଶୁତୋଷ ଖବରକାଗରେ ଦେଇଥିବା ସମ୍ଵାଦଟିକୁ ପଢ଼ିବାକୁ କହିଲା । ପଢ଼ି ମୁଁ ସହିପାରିଲି ନାହିଁ, ଆଖିରୁ ଅଶ୍ରୁ ବାହାରି ପଡ଼ିଲା । ଏମିତି ଲାଗିଲା ଯେମିତି ମୁଁ ନିଜେ ହାରି ଯାଇଛି ।


ସ୍ୱାତୀ ଥିଲା ସୁନ୍ଦରୀ, ବୁଦ୍ଧିମତୀ । ସେ ଥିଲା ଗ୍ରେଜୁଏସନ୍ ଶେଷ ବର୍ଷ ଛାତ୍ରୀ । କିଛିଦିନ ତଳେ ତାର ଦେଖାହେଲା ରାହୁଲ ସହିତ । ରାହୁଲ ଥିଲା ତା’ର ମାତାପିତାଙ୍କର ଏକମାତ୍ର ସନ୍ତାନ । ଦୁହେଁ ଦୁହିଁଙ୍କୁ ଭଲ ପାଇବାକୁ ଲାଗିଲେ । ରାହୁଲ ସମ୍ବଲପୁରରେ ବ୍ୟାଙ୍କରେ କ୍ଲର୍କ ଭାବରେ କାମ କରୁଥିଲା । ଦୁହେଁ ସିଦ୍ଧାନ୍ତ ନେଇଥିଲେ ଅଭିଭାବକଙ୍କୁ ତାଙ୍କ ବିଷୟରେ ଜଣେଇବେ ବୋଲି । କିନ୍ତୁ ସମସ୍ୟା ଥିଲା ସେ ଦୁହିଁଙ୍କର ଜାତି ଥିଲା ଅଲଗା ।


ସ୍ଵାତୀର ବାପା ଫରେଷ୍ଟ ଅଫିସର ଭାବେ କାମ କରୁଥିଲେ । ବେଶ୍ ଥିଲା ବାଳା ହେବା ସହ ସହର ରେ ପ୍ରତିଷ୍ଠା ମଧ୍ୟ କିଛି କମ୍ ନ ଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ସ୍ଵାତୀ ଅଲଗା ଜାତିର ହେବା ସତ୍ତ୍ବେ ରାହୁଲର ମାଁ ବାପା ଯୌତୁକ ଆଶାରେ ବିବାହ ପାଇଁ ରାଜି ହୋଇଗଲେ । ସ୍ୱାତୀର ମା’ ବାପା ମଧ୍ୟ ଝିଅର ଇଚ୍ଛା ଏବଂ ଜିଦ୍ ସାମ୍ନାରେ ହାର ମାନି ନେଇଗଲେ । ଝିଅର ଖୁସି ପାଇଁ ତାକୁ ରାହୁଲ ସହିତ ବାହା କରେଇବା ପାଇଁ ବାଧ୍ୟ ହେଲେ ।


ଭଲ ପାଇବାର ସାମ୍ନାରେ ଜାତି ଭେଦ ମୁଣ୍ଡ ନୁଆଁଇଲା। ବାହାଘର ହେଲା । ରାହୁଲକୁ ସ୍ୱାତୀର ବାପା ସାମର୍ଥ୍ୟ ଅନୁସାରେ ଯୌତୁକ ବି ଦେଲେ । ବାହାଘର ବି ବେଶ୍ ଧୁମଧାମରେ ହେଲା ।


ସ୍ୱାତୀ ବେଶ୍ ଖୁସି ଥିଲା ଯେ ରାହୁଲ ଅନ୍ୟ ଜାତିର ହେବା ସତ୍ତ୍ଵେ ତା’ ବାପା ମା’ ବେଶ୍ ଧୁମ୍‌ଧାମ୍‌ରେ ତା’ର ବାହା କରେଇଲେ । ସ୍ନାତୀର ବିଶ୍ବାସ ଥିଲା ଯେ ତାକୁ ଶାଶୂଘର ଲୋକେ ବୋହୂ ନୁହେଁ, ଝିଅ ଭଳି ରଖିବେ ।


କିନ୍ତୁ ଶାଶୁଘର ଧୀରେ ଧୀରେ ସ୍ୱାତୀକୁ ବନ୍ଦୀଶାଳା ଭଳି ଲାଗିଲା । ଯେତେ ଭୋକିଲା ଥିଲେ ମଧ୍ୟ ସମସ୍ତେ ନ ଖାଇବା ପର୍ଯ୍ୟନ୍ତ ତାକୁ ଖାଇବାକୁ ସ୍ୱତନ୍ତ୍ରତା ନ ଥିଲା । ଏମିତି କି ଘରର କୌଣସି ପୁରୁଷ ସଦସ୍ୟଙ୍କ ସାମ୍ନାରେ ବସିବାର ଅଧିକାର ବି ନ ଥିଲା । ସେ ଗ୍ରାଜୁଏସନ୍ ପରୀକ୍ଷା ଦେବା ପାଇଁ ପଢ଼ିବାକୁ ଚାହିଁଲା ବେଳକୁ ତାକୁ ସେଥିରେ ବି ମନା କରାଗଲା |


ସ୍ଵାତୀ ଏସବୁ ପାଇଁ ରାହୁଲ ପାଖରେ ବିରୋଧ ଜଣେଇଲା । ହେଲେ ରାହୁଲ କହିଥିଲା– “ ଏହା ପରିବାର ଦ୍ଵାରା କରାଯାଇଥିବା କୌଣସି ଭୁଲ ନିଷ୍ପରି ନୁହେଁ, ବରଂ ଆମ ସଂସ୍କୃତି ଓ ପରମ୍ପରା ।” ସେ ସ୍ବାତୀକୁ ତାଗିଦ୍ କରି କହେ, “ମା’ ବାପା ଯାହା କହିବେ, ତୁମେ ମାନିବାକୁ ବାଧ୍ୟ ।” ଶେଷରେ ସ୍ୱାତୀ ପଢ଼ିବା ପାଇଁ ଜିଦ ଧରିବାରୁ ତା’ ଶାଶୁ ଶୁଶୁର ଓ ରାହୁଲ ଠାରୁ ମାଡ଼ ଖାଇବା ପାଇଁ ବି ପଡ଼ିଲା |


କିଛିଦିନ ପରେ ଶ୍ଵଶୁର ଘରେ ଗୋଟିଏ ଘର କିଣିବା ପାଇଁ ସ୍ଥିର କଲେ । ଟଙ୍କା ନିଅଂଟ ହେବାରୁ ସ୍ୱାତୀକୁ ଆଠ ଲକ୍ଷ ଟଙ୍କା ତା’ ବାପାଙ୍କ ଠାରୁ ଆଣିବା ପାଇଁ କହିଲେ । ଏହି ସମୟରେ ସେ ଗର୍ଭବତୀ ମଧ୍ୟ ଥିଲା । ସ୍ଵପ୍ନ ଓ ଆଶା ଥିଲା ଏକ ଉଜ୍ଵଳ ଭବିଷ୍ୟତର । ହେଲେ ସବୁ ଓଲଟ ପାଲଟ ହୋଇଗଲା । ତାକୁ ପୁଣି ଶାଶୁ ଓ ରାହୁଲର ମାଡ଼ ଖାଇବାକୁ ପଡ଼ିଲା ଓ ତା’ର ଗର୍ଭପାତ ହୋଇଗଲା । ସେମାନେ ତାକୁ ହସ୍‌ପିଟାଲ ବି ଆଣିଲେ ନାହିଁ । ଦି ଦିନ ପର୍ଯ୍ୟନ୍ତ ରକ୍ତସ୍ରାବ ଲାଗି ରହିଲା । ଆଉ ଶେଷରେ ସେ ଆଖୁ ବୁଜିଦେଲା । ଦିନ ଥିଲା ଯେଉଁ ସ୍ବାତୀ ପାଇଁ ରାହୁଲ ସମସ୍ତଙ୍କ ସହିତ ଲଢ଼ି ନିଜ ସର୍ବସ୍ବ ହରାଇବା ପାଇଁ ତତ୍ପର ଥିଲା ଆଜି କେମିତି ଏତେ ବଦଳି ଗଲା, ବୋଧେ ସ୍ଵାତୀ ପ୍ରତି ତାର ଭଲ ପାଇବାର ନ ଥିଲା , କେବଳ ଥିଲା ଦୈହିକ ଆକର୍ଷଣ।


ଦିନେ ମୁଁ ଗର୍ବ କରୁଥୁଲି, ରାହୁଲ ପାଇଁ । ସେ ଥିଲା ମୋର ସବୁଠାରୁ ପ୍ରିୟ ଛାତ୍ର । ଆଜି ବି ମନେ ପଡ଼େ ଜିଲ୍ଲା ସ୍ତରୀୟ ତର୍କ ପ୍ରତିଯୋଗୀତାରେ ସେ ‘ଯୌତୁକ ଏକ ରାକ୍ଷସ’ ବିଷୟରେ ଦେଇଥିବା ଔଜସ୍ଵୀ ଭାଷଣଟି । ସତରେ କି ଚମତ୍କାର ଥିଲା ସେ ଭାଷଣ । ଯୌତୁକ ରୂପୀ ରାକ୍ଷସର ଅନ୍ତ କରି ସେ ଶାନ୍ତି, ପ୍ରେମ ଓ ସ୍ନେହର ଏକ ସୁନ୍ଦର ସମାଜ ଗଢ଼ିବାର କି ସୁନ୍ଦର ଯୁକ୍ତି ବାଢ଼ିଥିଲା । ପାଠ ପଢ଼ାରେ ବି ସେ ଥିଲା ଅତି ଉତ୍ତମ । ଗଣିତ ଭଲ ଭାବରେ ଜାଣୁଥିବାରୁ ମୁଁ ତାକୁ ନିଜ ପୁଅ ଆଶୁତୋଷ ଠାରୁ ବି ବେଶୀ ଭଲ ପାଉଥିଲି । ମୋର ବିଶ୍ବାସ ଥିଲା, ସେ ଦିନେ ନା ଦିନେ ମୋ ନାମକୁ ଗୌରବାନ୍ବିତ କରିବ । ସେ ମୋ ଶିଖେଇଥିବା ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନର ଚଲାପଥରେ ଆଗେଇବ ।


ହେଲେ, ଏ କ’ଣ ସବୁ ସତ୍ୟାନାଶ ହୋଇଗଲା। ଜଣେ ଶିକ୍ଷିତ ଯୁବକ ହେଇ ସୁଦ୍ଧା ସମାଜ ପାଇଁ ଏକ କଳଙ୍କିତ ଉଦାହରଣ ସୃଷ୍ଟି କଲା ଆଉ ଆଜି ୭ ବର୍ଷ ପାଇଁ ଜେଲ୍ ଦଣ୍ଡ ଭୋଗୁଛି।


ଆଜି ବି ଚିତ୍ରପଟ ପରି ମନେ ପଡ଼ିଯାଉଛି ପୁରୁଣା କଥା ସବୁ। ରାହୁଲ ଭଲ ପଢୁଥିବାରୁ ତାକୁ ମୁଁ କ୍ଲାସ ମନିଟର କରିଥାଏ । ଆଉ ଅନ୍ୟ ପଟେ ହଳଧର ସବୁବେଳେ ମୋ କ୍ଲାସ୍‌ରେ ଦଣ୍ଡ ପାଇ ବାହାରେ ଠିଆ ହୋଇଥାଏ । ତା’ର ପଢ଼ାରେ ବିଲକୁଲ ଧ୍ୟାନ ବି ନଥାଏ । ମୁଁ ସବୁବେଳେ ତାକୁ କହେ, କେଜାଣି ତୁ ସ୍କୁଲକୁ କାହିଁକି ଆସୁଛୁ । ପଢ଼ିବା ପାଇଁ ନା କେବଳ ସମୟ ବର୍ବାଦ କରିବା ପାଇଁ । ମୋର ସମୟ ବି ବର୍ବାଦ୍ କରୁଛୁ ଆଉ ତୋ ମା-ବାପାଙ୍କ ଝାଳ ବୁହା ଅର୍ଥ। ତତେ ପଢ଼େଇ ବଦନାମ ହେବା ଛଡ଼ା ଅନ୍ୟ କିଛି ଲାଭ ନାହିଁ । ଯେତେବେଳେ ବି ଗଣିତ ବୁଝେଇବି ଅନ୍ୟମନସ୍କ ହୋଇ ରହିବୁ । ଯାହା ବୁଝେଇଲେ ବି ଫେଲ ହେବୁ । ଯାହା ବି ହେଉ, ସତକୁ ସତ ହଳଧର ଫେଲ ହୋଇ ପାଠ ଛାଡ଼ିଲା । ମୁଁ ବି ସେଦିନ ମନେ ମନେ ଭାବିଥିଲି ଗଲା ମୁର୍ଖଟାଏ ।


ହେଲେ ଏଇ ତ ଗତ ଶୁକ୍ରବାର ଦିନର କଥା । ହଠାତ୍ ମୁଁ ତା’ ବିଷୟରେ ଶୁଣି ଅବାକ୍ ହୋଇଗଲି । ସରକାର ତାକୁ କ’ଣ ନା ପଦ୍ମଶ୍ରୀ ଦେବା ପାଇଁ ଘୋଷଣା କଲେ । ସତରେ ଗଣିତ ସିନା ଜାଣୁ ନ ଥିଲା, ହେଲେ ଆଜି ମୁହଁ ଖୋଲି ଯେଉଁଠି ବି କବିତା କହେ, ଲୋକେ ମନ୍ତ୍ର ମୁଗ୍‌ଧ ହୋଇ ଘଣ୍ଟା ଘଣ୍ଟା ଧରି ତା’ କବିତା ଶୁଣନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଆଜି ବି ସେ ମୋତେ ସମ୍ମାନ କରୁଛି । ତାର ଏତେ ବଡ଼ ସମ୍ମାନ ପାଇବା ପଛରେ ମୋର ହାତ ଓ ପ୍ରେରଣା ରହିଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ଜଣେଇଛି । ଯେଉଁ ପିଲାକୁ ଅଯୋଗ୍ୟ ମନେ କରୁଥିଲି, ସେ ଆଜି ମୋତେ ସମ୍ମାନିତ କଲା। ହଳଧରର ଜୀବନଟା କମ୍ ଆଦର୍ଶମୟ ନୁହେଁ। ସ୍କୁଲ ସିନା ଛାଡ଼ିଲା, ହେଲେ ପଢ଼ା ଛାଡ଼ିନି କେବେ । ଜୀବନ ସାରା ଶିକ୍ଷା ଗ୍ରହଣ କରିଚାଲିଛି। ଗଣିତ ସିନା ହେଲା ନାହିଁ, ହେଲେ ସାହିତ୍ୟ ଓ ସଂସ୍କୃତିର ଭଣ୍ଡାର କୁ ତା ଲେଖନୀ ଚାଳନା ଦ୍ଵାରା ରୁଦ୍ଧିମନ୍ତ କରିଛି।


ମା’ ବାପା ଯେଉଁ ଝିଅକୁ ବାହା କରିବା ପାଇଁ ଠିକ୍ କଲେ, ତାକୁ ଥରୁଟିଏ ବି ନ ଦେଖି ବାହା ହେଲା । କେବେ ତା’ ଆଖରେ ଅଶ୍ରୁ ଆସିବା ପାଇଁ ଦେଇନାହିଁ । ସବୁବେଳେ ତାକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରିଛି । ନିଜକୁ ଶାହାଜାହାନ ଓ ନିଜ ସ୍ତ୍ରୀଙ୍କୁ ମମତାଜ୍ ମନେ କରେ। ପାରିବାରିକ ଆର୍ଥିକ ସ୍ଥିତି ଖରାପ ଥିଲେ ବି କେବେ ପତ୍ନୀକୁ ପଦୁଟିଏ କହି ନାହିଁ ।


ହଳଧରର ଶାଶୁ ଶ୍ଵଶୁରଙ୍କ ସ୍ବର୍ଗବାସ ହୋଇଯିବାରୁ ସେ ନିଜ ଶଳା ଓ ଶାଳୀକୁ ନିଜ ପୁଅ ଝିଅ ପରି ସ୍ନେହ ଦେଇଛି। ଘରେ ଆଣି ସ୍ନେହ ଓ ଯତ୍ନରେ ରଖିଛି। ଥରେ ଯେତେବେଳେ ପତ୍ନୀ ସୁକୁମାରୀକୁ ଜ୍ଵର ହେଲା, ତାଙ୍କ ଗାଁରେ ସେତେବେଳେ କୌଣସି ଗାଡ଼ି ମଟରର ସୁବିଧା ନ ଥିଲା । ସେ ସେଥିପାଇଁ ତାକୁ କାନ୍ଧେଇ ଦୀର୍ଘ ଦଶ କିଲୋମିଟର ଦୂର ହସ୍‌ପିଟାଲ କୁ ବୋହି ନେଇ ଯାଇଥିଲା । ହେଲେ ବଂଚେଇ ପାରିଲା ନାହିଁ ନିଜ ପ୍ରାଣପ୍ରିୟାକୁ I ସେଦିନଠାରୁ ଟଙ୍କା ଯୋଗାଡ଼ କରି ଗୋଟାଏ ଅଟୋ ରିକ୍‌ସା କିଣିଛି । ଯାହାକୁ ଚିକିତ୍ସାର ଦରକାର ହୁଏ, ସେ ନିଶୁଳ୍କ ସାହାଯ୍ୟ କରେ । ତାକୁ ହସ୍‌ପିଟାଲ ପହଂଚାଇ ଦିଏ ।


ମୁଁ ଆଗରୁ ଭାବୁଥିଲି ଶିକ୍ଷା ହିଁ ମଣିଷକୁ ମଣିଷ କରି ଗଢ଼ି ତୋଳେ, ହେଲେ ହୁଏତ ମୁଁ ଭୁଲ ଥୁଲି । ଶିକ୍ଷା ନୁହେଁ, ମଣିଷର ଶୁଦ୍ଧ ଭାବନା ହିଁ ମଣିଷକୁ ମଣିଷ କରି ଗଢ଼ି ତୋଳେ। ଆଜି ମୁଁ ନିଜେ ଭୁଲ ପ୍ରମାଣିତ ହୋଇ ବି ଜୀବନରେ ପ୍ରଥମ ଥର ପାଇଁ ଖୁସି ଥୁଲି ।


ଅନ୍ତରାତ୍ମାର ଅନ୍ତର୍ଦାହରୁ ବାହାରି ଆସୁଥୁଲା- ସମାଜ ଦରକାର କରେ ହଳଧର, ରାହୁଲ ନୁହେଁ । ଦରକାର କରେ ଆଦର୍ଶ, କେବଳ ଶିକ୍ଷା ନୁହେଁ । ମନରୁ ସ୍ଵତଃ ଆସି ଯାଉଥିଲା “ହଳଧର ଦୀର୍ଘାୟୁ ଭବ ।”


 


Rate this content
Log in

Similar oriya story from Drama