STORYMIRROR

Sambit Srikumar

Tragedy Action

4  

Sambit Srikumar

Tragedy Action

ବିସ୍ଥାପିତ

ବିସ୍ଥାପିତ

5 mins
210


ଲୋକଟିକୁ ଭେଟିଥିଲି ମୁଁ ଶିଳ୍ପ ରାଜଧାନୀ କଳିଙ୍ଗ ନଗରରେ ବହୁଦିନ ତଳେ। ଆଖିରେ ତାର ଜଳୁଥିଲା ଦିହୁଡି। ମନରେ ଭରି ରହିଥିଲା ଅସରନ୍ତି କ୍ଷୋଭ, ସତେ ଯେପରି ବର୍ଷିଯିବ ଅଦିନିଆ ମେଘ ପରି। ଆଉ ସେଇ ବାରିପାତର ବନ୍ୟାରେ ଭସେଇ ନେବ ପୁଞ୍ଜିବାଦର ସାମ୍ରାଜ୍ୟକୁ। ଚିହ୍ନ ବର୍ଣ୍ଣ ରଖିବ ନାହିଁ ଏଇ କଳା ଧୂଆଁ ନିର୍ଗତ ହେଉଥିବା କଳକାରଖାନାର! ପୁଣି ସୃଷ୍ଟି ହେବ ସେଠି ସବୁଜ ବନାନୀ। ଫେରି ଆସିବ ପରିବେଶର ସବୁଜିମା ଆଗ ଭଳି। ହେଲେ କି ଫେରିବ ଆଉ ତା' ପୁଅ?

ଲୋକଟିର ନାଁ ବରଜୁ ମୁଣ୍ଡା! ବୟସର ଅପରାହ୍ନରେ ଆସି ଉପନୀତ। କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ଚାହା ଦୋକାନ କରି ଦୁଇ ପ୍ରାଣୀ କୁଟୁମ୍ବ ପୋଷେ। ରାତି ପାହି ସକାଳ ହେଲେ ତା ଚାହା ଦୋକାନରେ ଭିଡ ଜମେ ଲୋକଙ୍କର। ସେଇ ଭିଡ଼ ଭିତରେ ମୁଁ ଗୋଟିଏ ଗୁଣମୁଗ୍ଧ ଗ୍ରାହକ ଅଦା ଗୋଲ ମରିଚ ପକା କଡ଼ା ଚାହାର। ସ୍ପେଶାଲ୍ ଚାହା ତା' ଦୋକାନରେ ଏଇଟା।

ଅଡିଟ୍ ଟୁର୍ ରେ ମୁଁ ଯେବେ ଯାଏ କଳିଙ୍ଗ ନଗର, ପ୍ରାତଃ ଭ୍ରମଣରୁ ଫେରି ବରଜୁ ଦୋକାନରେ ସେଇ ସ୍ପେଶାଲ୍ ଚାହାଟା ନପିଇଲେ ମୋ ଦିନ ଭଲରେ କଟେ ନାହିଁ। କିନ୍ତୁ ବେଶ୍ କିଛି ସମୟ ଅପେକ୍ଷା କରିବାକୁ ପଡ଼େ ଏହି ସ୍ପେଶାଲ୍ ଆଇଟମ୍ ଟି ପାଇଁ। ଜୀବନରେ ସବୁ ସ୍ପେଶାଲ ଜିନିଷ ପାଇଁ ଅପେକ୍ଷା ହିଁ କରିବାକୁ ପଡ଼େ। ଏଥିରୁ ଏଇ ଚାହା ବି ବାଦ୍ ପଡିବ କାହିଁକି? କିଛି କହିବାକୁ ହୁଏ ନାହିଁ ବରଜୁକୁ। ମୋତେ ଦେଖୁ ଦେଖୁ ସେ ଚାହାର ପ୍ରସ୍ତୁତି ଆରମ୍ଭ କରିଦିଏ ଯନ୍ତ୍ରବତ୍।

ବଡ଼ ଗୁମ୍ ସୁମ୍ ସ୍ବଭାବର ଲୋକଟେ ସେ, କାହା ସହ ବେଶୀ କଥାଭାଷା ହୁଏନାହିଁ। ଚାହା ବିକେ ଆଉ ପଇସା ରଖେ। ଏହା ଭିତରେ କଥା ହେବା ପାଇଁ ଅତି ଦରକାର ହେଲେ ହୁଁ ହାଁ ରେ ଯାହା ଜବାବ ଦିଏ। ଅତି ବେଶୀରେ କେବେ କେବେ ମୁଣ୍ଡ ଟୁଙ୍ଗାରିଦିଏ। ମୁଁ ଯେଉଁ ପାଞ୍ଚ ଦଶ ମିନିଟ୍ ସେଠି ଅପେକ୍ଷା କରେ ଏସବୁ ଦେଖି ବଡ଼ ଆଶ୍ଚର୍ଯ୍ୟ ହୁଏ। କିନ୍ତୁ କେବେ ବି ତାକୁ କିଛି ପଚାରେ ନାହିଁ।

ଚାହା ପିଇ ସାରିବା ପରେ ପଇସା ଦେଇ ଗେଷ୍ଟ୍ ହାଉସ୍ କୁ ଫେରିଲା ବେଳକୁ ବରଜୁର ଅସ୍ବାଭାବିକ ଆଚରଣ ବିଷୟରେ ଭାବେ। ଭାବିବାର ବି କାରଣ ଅଛି। ଆମ କଟକ ଭୁବନେଶ୍ବରରେ ଚାହା ଦୋକାନରେ ଚିଲିରୁ ଚାଇନା, ଅଷ୍ଟ୍ରେଲିଆରୁ ଆମେରିକା ଯାଏଁ କେତେ ଚର୍ଚ୍ଚା ହୁଏ। ଯାହାକୁ କେହି କେହି ଖଟି ବି କହନ୍ତି। ଚାହା ଦୋକାନୀ ବି ଏଇ ଖଟିର ଏକ ବିଶେଷ ଆକର୍ଷଣ! ଚିକ୍କଣିଆ କଥା କହି ଗରାଖଙ୍କ ମନୋରଞ୍ଜନ କରେ। ମନ୍ତ୍ରୀ ଅଫିସରଙ୍କ ଠାରୁ ଆରମ୍ଭ କରି ଫିଲ୍ମ ହିରୋଇନ ଯାଏଁ ସମସ୍ତଙ୍କ ଖବର ଚାହା ଦୋକାନୀ ରଖିଥାଏ। ସତ ମିଛ ଯୋଡି କେତେ କାହାଣୀ କହେ ସେ। ମାତ୍ର ବରଜୁ ଥିଲା ଏହାର ବ୍ଯତିକ୍ରମ।

କଣ ପାଇଁ ସେଦିନ ବରଜୁକୁ ପଚାରିଥିଲି ତାର ଅତ୍ୟନ୍ତ ବ୍ଯକ୍ତିଗତ କଥା ମୁଁ ଜାଣେନା। ଦୀର୍ଘ ଦିନ ଧରି ନିରବ ଥିବା ଆଗ୍ନେୟଗିରିର ଉଦ୍ଗୀରଣ ଲାଗି ମୋର ସେଇ ପଦିଏ କଥା ଯଥେଷ୍ଟ ଥିଲା। ହୁଏତଃ ନିଜ ଆବେଗକୁ ଟିକେ ରୋକି ପାରିଥିଲେ ମୋ ପାଇଁ ଭଲ ହୋଇଥାନ୍ତା। ବରଜୁ ଆଖିରୁ ଲହୁ ବୋହିନଥାନ୍ତା କି ତାର ସେଇ କଥା ଗୁଡ଼ିକ ମୋ ମନରେ ଜମାଟ ବାନ୍ଧି ଚିରଦିନ ପାଇଁ ରହିନଥାନ୍ତା! କି ବେଳ ଅବେଳରେ ମୋତେ ଆକ୍ତାମାକ୍ତା କରୁନଥାନ୍ତା। ଶାନ୍ତି ଥାଆନ୍ତା ମୋ ଜୀବନରେ...

ମୋର ଠିକ୍ ଭାବେ ମନେଅଛି, ସେଦିନ ରବିବାର ଥିଲା। ସକାଳୁ ସକାଳୁ ମୁଁ ବାହାରି ଯାଇଥିଲି ଭ୍ରମଣରେ। ଫେରିବା ବେଳକୁ ବରଜୁ ଦୋକାନକୁ ଗଲି ସ୍ପେଶାଲ୍ ଚାହା ପିଇବା ପାଇଁ। ବିଶେଷ ଭିଡ଼ ନଥିଲା। ଜଣେ ଦିଜଣ ଗରାଖ ଥିଲେ। ଦୋକାନ ସାମ୍ନା ବେଞ୍ଚରେ ବସି ପଡିଲି ମୁଁ। ସବୁଦିନ ପରି ଗୁମ୍ ସୁମ୍ ଥିଲା ବରଜୁ।

ମୋର କଣ ହେଲା କେଜାଣି ମୁଁ ତାକୁ ପଚାରିଦେଲି, "ଆଉ ମଉସା ଖବର କଣ? ଘରେ ଆଉ ସବୁ କିଏ କିଏ ଅଛନ୍ତି?"

ହଠାତ୍ କିଛି ବି କହିଲା ନାହିଁ ସେ। ମୁଁ ପୁଣି ଥରେ ପଚାରିଲି, "ମଉସା କଣ ହେଲା? କିଛି କହୁନ ଯେ..."

"କଣ କହିବି ବାବୁ? ଶୁଣି ପାରିବୁ ତୁ?" ଗର୍ଜିଉଠିଲା ବରଜୁ।

ତାର ଗର୍ଜନ ଶୁଣି ମୁଁ ତାଜୁବ୍। ମନେ ମନେ ଭାବିଲି କିଛି ମାରହାଣ କଥା ତ ମୁଁ କହିନି ତାକୁ। ଫାଙ୍କା ଦେଖି ଟିକେ ଗୁଲି ଖଟି କରିବାକୁ କିଛି ଗୋଟେ ପଚାରିଦେଲି। ହେଲେ କଣ ପାଇଁ ତାର ଏ ଉଗ୍ର ପ୍ରତିକ୍ରିୟା? ହକ ଗରାଖ ମୁଁ ତାର। ଟଙ୍କାଏ ବି ବାକି ରଖେନି ଦିନେ କେବେ। ନଗଦ କାରବାର ମୋର। ମୋ ସହିତ ସେ ଏମିତି ବ୍ଯବହାର କେମିତି କରି ପାରିବ?

ମୁହଁଟାଣ କରି ମୁଁ କହିଲି, "କୁହ ମଉସା, କଣ କହିବ କୁହ? ମୁଁ ସବୁ ଶୁଣିବି..."

: ଶୁଣିବୁ ଯଦି ଶୁଣ୍ ବାବୁ। ତୁ ଏଇ ଯୋଉ କମ୍ପାନୀ ପାଇଁ କାମ କରୁଛୁ ତାହାରି ପାଇଁ ଆମର ଆଜି ଏପରି ଦୁର୍ଦ୍ଦଶା।

ମୁଁ ଏଇ କଥାର ବିନ୍ଦୁ ବିସର୍ଗ ବି ବୁଝି ପାରିଲି ନାହିଁ। ହଠାତ୍ ଏତେ ବଡ଼ ନାମଜାଦା କମ୍ପାନୀ ବିରୋଧରେ ଏପରି ଅଭିଯୋଗକୁ ମୁଁ ସହଜରେ ହଜମ କରିପାରୁନଥିଲି। ମୁଁ ତାକୁ ତାର କୁଶଳ ମଙ୍ଗଳ ଜିଜ୍ଞାସା କରୁଥିଲି ଆଉ ସେ ମୋତେ ନାଲିକୋଠା ଦେଖାଉଛି! ଆମର ସବୁଠାରୁ ବଡ଼ କ୍ଲାଏଣ୍ଟ୍ ବିରୋଧରେ ବିଷୋଦଗାର କରୁଛି। କି ବିଚିତ୍ର ଲୋକଟେ ମ! କାହିଁକି କିଛି ପଚାରୁଥିଲି ୟାକୁ? ବଡ଼ ମୁସ୍କିଲ୍ ରେ ପଡିଲା ମଣିଷ!

ମୁଁ ପଚାରିଲି, "ମଉସା! ଏ କମ୍ପାନୀ କଣ କ୍ଷତି କଲା ତମର? ଏଠି କାରଖାନା କଲା ବୋଲି ତ କେତେ ଲୋକଙ୍କୁ ରୋଜଗାର ମିଳିଲା ..."

ମୋତେ ପୁରା କଥା କହିବାକୁ ସୁଯୋଗ ଦେଲାନି ବରଜୁ। ପୁଣି ଗର୍ଜିଉଠିଲା ସେ। ଅଗ୍ନି ବର୍ଷୁଥିଲା ତାର ଲାଲ୍ ଲାଲ୍ ଆଖିରୁ! ଅଗତ୍ୟା ମୁଁ ଚୁପ୍ ଚାପ୍ ହୋଇ ଶୁଣିଲି କଥା ତାର।

: କମ୍ପାନୀ ରୋଜଗାର ଦେଇଚି ତୋ ପରି ପଢାଲେଖା ଜାଣିଥିବା ବାବୁଭାୟାକୁ। ପୁଳା ପୁଳା ଟଙ୍କା ବାଣ୍ଟିଚି ସରକାରୀ ବାବୁଙ୍କୁ, ନେତାଙ୍କୁ, ମନ୍ତ୍ରୀଙ୍କୁ, ତାଙ୍କ ଚେଲା ଚାମୁଣ୍ଡାଙ୍କୁ। ଆମକୁ କଣ ଦେଇଚି ଆମ ବଣ ମୁଲକରୁ ଆମକୁ ବେଦଖଲ କରି? ନା ଟଙ୍କା ପଇସା ଦେଇଚି ନା କାରଖାନାରେ ଚାକିରି? ଖାଲି ଦେଇଚି ଲୁହ, ବୁହାଇଚି ଆମ ରକ୍ତ। ଏଇ ଧୂଳି ଧୂଆଁ ଆଉ ରୋଗ ବେମାରି ଆମକୁ ଦେଇଚି ତୋର ବେଇମାନ କମ୍ପାନୀ।

: କମ୍ପାନୀ ତମକୁ କ୍ଷତିପୂରଣ କିଛି ନା କିଛି ତ ନିଶ୍ଚିତ ଭାବେ ଦେଇଥିବ ଜାଗା ନେଇଛି ଯେତେବେଳେ। ଏଇଟା ତ ସରକାରଙ୍କ ନିୟମ।

: ଆରେ ବାବୁ! ଆମେ ତ ଆଦିବାସୀ ଲୋକ। ଜଙ୍ଗଲରେ ରହୁ, ତାକୁ ନେଇକି ବଞ୍ଚୁ ଫଳ ମୂଳ କାଠ ମହୁଲ ଲାଖ ଯାହା ଏଠୁ ମିଳିଲା ତାକୁ ବିକି ଚଳୁ। ନା ଆମର ପଟ୍ଟା ଅଛି ନା ପାଉତି ନା ଅଛି କୋଉ କାଗଜ ଯେ ଆମର ଅଧିକାର ଦେଖେଇବୁ କାହା ପାଖରେ? ମାଆ ଉପରେ କୋଉ କାଗଜରେ ପୁଅ ଅଧିକାର ଦେଖାଏ, କହ ତ ବାବୁ? ସରକାର ଏଠି କମ୍ପାନୀକୁ ଡକାହକା କରି କାରଖାନା ବସେଇଲେ। ଆମକୁ ଆମ ମାଟିମାଆ ଜଙ୍ଗଲରୁ ଦୂରକୁ ବିଦା କରିଦେଲେ। ଆମେ ନ ମଙ୍ଗିବାରୁ ପୁଲିସ୍ ଗୁଳି ଫୁଟେଇଲା .....

ଏକଥା କହୁ କହୁ ବରଜୁ କାନ୍ଦି ପକାଇଲା। ତା ଆଖିରୁ ଲୁହ ବୋହୁନଥିଲା ବୋହୁଥିଲା ଲହୁ! ମୁଁ ତାକୁ ବୋଧ ଦେବାକୁ ଯାଇ କହିଲି,"ତୁନି ହୁଅ ମଉସା, ତୁନି ହୁଅ... "

ସେ କିନ୍ତୁ ଅନର୍ଗଳ ଭାବେ କହିଚାଲିଥାଏ। ତାର ଲହୁ ଲୁହ କୋହ ମିଶ୍ରିତ କଥାରୁ ମୁଁ ଯାହା ବୁଝିଲି, ଏଇ ଯେଉଁ ବଡ଼ ଲୁହା କାରଖାନାଟା ଗଢିଉଠିଛି ଏଠାରେ, ଏହାରି ପାଇଁ ଜମି ଅଧିଗ୍ରହଣ ଚାଲିଥିବା ବେଳେ ବିସ୍ଥାପନକୁ ବିରୋଧ କରି ପୋଲିସ ଗୁଳିରେ ଟଳି ପଡ଼ିଥିଲା ବରଜୁର ଏକୋଇର ବଳା ବିଶିକେଶନ ଷୋହଳ ବର୍ଷ ବୟସ୍କ ଅଭିନ ମୁଣ୍ଡା! ପ୍ରାୟ ତେର ଚଉଦ ଜଣ ମରିଥିଲେ ପୋଲିସ୍ ଗୁଳିରେ। ସେମାନଙ୍କ ମଧ୍ୟରେ ସର୍ବ କନିଷ୍ଠ ଥିଲା ଅଭିନ। ଶହୀଦ ସ୍ତମ୍ଭରେ ନାଁଟା ତାର ଗାଢ଼ା ଅକ୍ଷରରେ ଲେଖାହୋଇଛି। ଆଉ ଦି ଚାରି ମାସ ଯାଇଥିଲେ ବାହା ହୋଇଥାଆନ୍ତା ଅଭିନ, ହେଲେ ସେ ଏଇ ଦୁନିଆରୁ ହିଁ ବିସ୍ଥାପିତ ହୋଇଗଲା ଅଫେରା ରାଇଜକୁ।

ଭିଟାମାଟିରୁ ବିତାଡ଼ିତ ହେଲା ପରେ ବି ଏମାନଙ୍କୁ ମିଳିନଥିଲା କୌଣସି କ୍ଷତି ପୂରଣ କାରଣ ସରକାରୀ ଜଙ୍ଗଲ ଜମିକୁ ଜବରଦଖଲ କରି ରହିଥିବାର ଦୋଷରେ। କମ୍ପାନୀରେ ଚାକିରି ଦିଆଯିବାର ପ୍ରତିଶ୍ରୁତି ମଧ୍ୟ ଫସରଫାଟି ଯାଇଥିଲା ସମୟର ସୁଅରେ ଆନ୍ଦୋଳନ କରି କମ୍ପାନୀର ବହୁମୂଲ୍ୟ ସମୟ ବରବାଦ କରିଥିବା ହେତୁ। ବାହାର ରାଜ୍ୟରୁ ଶସ୍ତାରେ ଶ୍ରମିକ ଆଣି କାମରେ ନିୟୋଜିତ କରିଥିଲା କମ୍ପାନୀ। ଏହି ଅନ୍ଯାୟୋଚିତ ବ୍ୟବହାରର ପ୍ରତିବାଦ କରିବାକୁ ନେତା ମନ୍ତ୍ରୀ ବାବୁ ଯାହା ପାଖକୁ ଗଲେବି କିଛି ସୁଫଳ ମିଳିନଥିଲା। କାରଣ ସଭିଏଁ କମ୍ପାନୀ ପାଖରେ ମୁଣ୍ଡ ବିକି ସାରିଥିଲେ। ବିସ୍ଥାପନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନର ନେତାମାନେ ନିଜ ସ୍ବାର୍ଥ ସୁରକ୍ଷାରେ ମସଗୁଲ୍ ଥିଲେ। ତାଳୁରୁ ତଳିପା ଯାଏଁ ସଭିଏଁ ଡୁବି ଯାଇଥିଲେ କମ୍ପାନୀର ପ୍ରଲୋଭନର ଚୋରାବାଲିରେ।

ନିଜ ମାଟିରେ ବିସ୍ଥାପିତର ଜୀବନ ଜୀଉଁଛନ୍ତି ଆଜି ବି ଏହି ନୀରିହ ଆଦିବାସୀମାନେ। ଏହିପରି ଅନେକ ବରଜୁ ପରିଣତ ବୟସରେ ନିଜ ଗୁଜୁରାଣ ମେଣ୍ଟାଇବାକୁ ରାସ୍ତା କଡରେ ଚାହା ବିକୁଛନ୍ତି, ପର ଘରେ ମୂଲ ଲାଗୁଛନ୍ତି। ଆଉ ସେମାନଙ୍କ ଭିଟାମାଟିକୁ ଲୁଟି ନିଜର ବ୍ୟବସାୟିକ ସାମ୍ରାଜ୍ୟ ଗଢିଥିବା ପୁଞ୍ଜି ଐରାବତମାନେ ଦେଶର ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ମଧ୍ୟରେ ପରିଗଣିତ ହୁଅନ୍ତି। ମାଟିର ମଣିଷ ଏଠି ସେମାନଙ୍କର ବେଠି ଖଟନ୍ତି। ଏହା ହିଁ ବିସ୍ଥାପିତ ବାସ୍ତୁହରା ହେବାର ବିଡ଼ମ୍ବନା!!!


Rate this content
Log in

Similar oriya story from Tragedy