Birakishore Nayak

Tragedy

3  

Birakishore Nayak

Tragedy

ବିଷର୍ଣ୍ଣ ଜୀବନ

ବିଷର୍ଣ୍ଣ ଜୀବନ

5 mins
180


      ଗୋଧୂଳୀବେଳା ଅତିକ୍ରାନ୍ତ ହେବାକୁ ବସିଲାଣି l ପଶ୍ଚିମ ଆକାଶରେ ଦୂର ପର୍ବତର ଶିଖରରେ ସୂର୍ଯ୍ୟ ବସିଛନ୍ତି ଯେମିତି l ଲୋହିତ କିରଣ ର ଆଭା ବିଛାଡି ହେଇ ପଡିଛି ପର୍ବତର ଉପରି ଭାଗରେ l ଆଉ କିଛି ସମୟ ପରେ ସନ୍ଧ୍ୟା ଆସିବ l

     ଗାଁ ମୁଣ୍ଡ ପଡିଆରେ ପିଲାମାନଙ୍କର କଳରବ ଶୁଭୁଛି l ବିଦ୍ୟାଳୟ ଛୁଟି ପରେ ପିଲାମାନେ ଏଠାରେ ସବୁଦିନ ଖେଳକୁଦ କରନ୍ତି l ରାତ୍ରିର ଅନ୍ଧାର ଆସିବା ପୂର୍ବରୁ ଘରକୁ ଫେରିଯାଆନ୍ତି l ସବୁଦିନିଆ କାମ ଯେମିତି ଏଇଟା ସେମାନଙ୍କର l ଶୈଶବର ଏକ ସହଜାତ ପ୍ରବୃତ୍ତି -ଖେଳପ୍ରିୟ ସେମାନେ l ଈଶ୍ୱରଦତ୍ତ ମାନସିକତା ସେଇଟା l ସେମାନଙ୍କ ମନରେ ନଥାଏ ଇର୍ଷା, ଦ୍ୱେଷ ର ଭାବନା, କେବଳ ଆନନ୍ଦ ଯେ ଆନନ୍ଦ l ସ୍ୱର୍ଗର ସବୁ ସୁଖ ଯେମିତି କେବଳ ଶୈଶବକୁ ହିଁ ମିଳିଥାଏ l ମଣିଷ ଜୀବନର ସବୁଠାରୁ ଆନନ୍ଦମୟ ଅବସ୍ଥା ହେଉଛି ଶୈଶବ l

      କିନ୍ତୁ ବିଡମ୍ବନା ଏତିକି ଯେ, ସମାଜର ଦ୍ରୁତ ପରିବର୍ତ୍ତନ ରେ ଵୟୋଜ୍ୟେଷ୍ଠ ମାନଙ୍କର କ୍ଷୁବ୍ଧ ମାନସିକତା ଶୈଶବ କୁ ବିଷର୍ଣ୍ଣ କରିଦେଉଛି l

      ସନ୍ଧ୍ୟା ସରି ସରି ଆସିଲାଣି l ଅନ୍ଧାର ଆସିନି l କିଛି ପିଲା ଖେଳସlରି ନିଜ ନିଜ ଘରକୁ ଫେରି ଗଲେଣି l ଖେଳପଡ଼ିଆର ଏକ ପାର୍ଶ୍ୱରେ ପଡ଼ିଥିବା ଖଣ୍ଡେ ପଥର ଉପରେ ଦୁଇ ସାଙ୍ଗ ବସିଥିଲେ l ରାଜୀବ ଓ ଶୁଭଙ୍କର l ଏକା ବୟସର, ସାତ ଆଠ ବର୍ଷ ଲେଖାଏଁ ହେବ ବୋଧେ l ଦୁଇଜଣଙ୍କ ମଧ୍ୟରେ ବହୁତ ଅତ୍ମୀୟତା l ଦୁଇ ଜଣଙ୍କ ଘର ମଧ୍ୟ ଲଗାଲଗି ହୋଇ l ସେମାନେ ନିଜ ମନ ର କଥା ସବୁ ପରସ୍ପର ମଧ୍ୟରେ କୁହାକୁହି ହୁଅନ୍ତି l ପରସ୍ପର ପରସ୍ପର ପ୍ରତି ଦରଦୀ ଯେମିତି l କଅଁଳ ଅନ୍ଧାର ବିଛେଇ ହେଇ ଗଲାଣି ଚାରିଆଡେ l ବିଷର୍ଣ୍ଣ ଭାବରେ ଦୁହେଁ ଉଠି ଛିଡାହେଲେ l ଘରକୁ ଫେରିବାକୁ ପଡିବ l

     ରାଜୀବ ଗରିବ ଘରର ପିଲା l ବାପା ମୂଲ ଲାଗନ୍ତି l ତିନି ଭାଇ ଭଉଣୀ ସେମାନେ l ଦୁଇ ଭାଇ, ଗୋଟେ ଭଉଣୀ l ଭଉଣୀ ସାନ, ବର୍ଷେ ବି ପୁରିନି ତାକୁ l ବାପାଙ୍କ ଦୈନିକ ରୋଜଗାର ତିନିଶହ ଟଙ୍କାରେ ପରିବାରର ସମସ୍ତ ଖର୍ଚ୍ଚକୁ ନିଅଣ୍ଟ ହୁଏ l କିନ୍ତୁ ଶୁଭଙ୍କର ଧନୀଘରର ପିଲା l ବଡ କୋଠାଘର l ତା ବାପା ଜଣେ ବଡ଼ କଂଟ୍ରାକଟର l ତାଙ୍କରି ଏକମାତ୍ର ଅଲିଅଳ ପୁଅ ହେଉଛି ଶୁଭଙ୍କର l ତାଙ୍କରି ଘର କାମରେ ହିଁ ନିୟୋଜିତ ରାଜୀବର ବାପା l ସେଇଥିପାଇଁ ପିଲା ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢିଉଠିଛି l ରାଜୀବ ଗାଁରେ ଥିବା ସରକାରୀ ବିଦ୍ୟାଳୟରେ ପଢେ l ଶୁଭଙ୍କର କିନ୍ତୁ ପଢେ ଗାଁ ନିକଟ ବଜାରରେ ନୂଆହେଇ ତିଆରି ହେଇଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ l

    ରାଜୀବର ଭଲ ପାଠ ହୁଏନି l ଘରେ ପଢିବାପାଇଁ ତ ସୁଯୋଗ ନାହିଁ, ଖାତାଟିଏ ନାହିଁ କି କଲମଟିଏ ବି ନାହିଁ l ବିଦ୍ୟାଳୟ ସମୟ ବ୍ୟତୀତ ଘରେ ମାଆ ସାନ ଭଉଣୀକୁ ତାକୁ ଧରାଇ ଦେଇ ତା କାମରେ ସେ ଲାଗେ l ନିଜ ଘରେ ବିଜୁଳି ଆଲୁଅ ବି ନାହିଁ l କେବେ କେମିତି ଡିବିରୀ ଆଲୁଅରେ ବହି ଖୋଲି ବସେ, ଖାଲିଛବି ଦେଖେ l କିଛି ତ ପଢି ଆସେନି l କଣ କରନ୍ତା ଆଉ l କେମିତି ପାଠ ହୁଅନ୍ତା ଯେ! ବିଦ୍ୟାଳୟକୁ କିନ୍ତୁ ସବୁଦିନ ଯାଏ, ପାଠ ପଢ଼ା ଯାହା ହେଉ ପଛକେ, ମଧ୍ୟାହ୍ନ ଭୋଜନ ତ ମିଳୁଛି ସେଠାରେ l ମାଆ ବି ବୁଝେଇ ଶୁଝେଇ ପଠେଇ ଦିଏ, ପେଟପୁରା ଗଣ୍ଡେ ସେଠି ତ ଖାଇବ l ତେଲ ଲୁଣର ସଂସାରରେ ଅଭାବ ତ ସବୁବେଳେ ଲlଗିରହୁଛି l ବାପା କିନ୍ତୁ ପିଲାମାନଙ୍କ କଥା କିଛି ବି ବୁଝନ୍ତିନି l କେହିକେବେ କିଛି ଅଳି ଅଝଟ କଲେ, କେବଳ ମାଡ ଗାଳି ହିଁ ମିଳେ l କଣ ବା ଆଉ କରି ପାରନ୍ତେ ସିଏ ? ହାତ ତ ସବୁବେଳେ ଶୂନ୍ୟ l କିଛି କିଛି ବୁଝେ ରାଜୀବ, ହେଲେ ସବୁ ଵୁଝି ପାରେନା l ବେଳେ ବେଳେ ତାର ମନଟା ବିଷର୍ଣ୍ଣତା ରେ ଭରିଯାଏ l

      ଶୁଭଙ୍କର କିନ୍ତୁ ଧନୀ ଘର ର ପିଲା ହେଇଥିବାରୁ ଅଭାବ କଣ, କେବେ ଅନୁଭବ କରି ପାରେନା l ବିଭିନ୍ନ ପ୍ରକାର ଖେଳନା କିଣାହୋଇ ଗଦା ହେଇଛି ତାର l ସେ କିନ୍ତୁ ଖେଳେନା କେବେ ସେଗୁଡାକରେ l ସବୁଦିନ କେମିତିଗୋଟେ ଏକାକୀତ୍ୱ ବିଷର୍ଣ୍ଣତା ଅନୁଭବ କରେ ଯେମିତି l ବାପା, ମାଆଙ୍କର ସାନ୍ନିଧ୍ୟ ସେ ପାଇ ପାରେନା କେବେ l ବାପା ସବୁଦିନ ସକାଳୁ କାର ରେ ଚାଲିଯାଆନ୍ତି ଯେ ଫେରନ୍ତି ଯାଇ ବିଳମ୍ବିତ ରାତ୍ରିରେ, ପୁଣି ମାତାଲ ଅବସ୍ଥାରେ l ମାଆ, ଯାହାଙ୍କୁ ସେ ମମି ବୋଲି ଡାକେ, ସେବି ସେମିତି l ତାଙ୍କୁ ବି ମଦ ପିଇବାର ସେ ଦେଖିଛି l ସେ ମୋବାଇଲ ଫୋନ ଦେଖୁଥିବା ବେଳେ ଡାକିଲେ ବି ଶୁଣନ୍ତିନି l ତାର ସମସ୍ତ ଅଳି ଅଝଟ ମାଆଙ୍କର କାନରେ ପଶେ କି ନା, ସେ ଜାଣେନା l କିନ୍ତୁ କିଛି ପ୍ରତ୍ୟୁତ୍ତର ମିଳେନା କେବେ l

      ପିଲାମନ, ରାତିରେ ବାପା, ମାଆଙ୍କ ପାଖରେ ଶୋଇବାକୁ ଇଛା କରେ l ମାଆ କହନ୍ତି, ବଡ ପିଲାମାନେ ବାପାମାଆଙ୍କ ପାଖରେ ଶୁଅନ୍ତିନି l ତେଣୁ ସେ ଅନ୍ୟ ଏକ କୋଠରୀରେ ଘରର ଚାକରାଣୀ ସହିତ ଶୁଏ l କିଛି ଵୁଝି ପାରେନା ଶୁଭଙ୍କର l ଦିନେ ଦିନେ ରାତିରେ ବାପା ନିଶାଗ୍ରସ୍ତ ଅବସ୍ଥାରେ ଫେରିବା ପରେ ମାଙ୍କୁ ବହୁତ ମାଡ ପିଟ କରନ୍ତି l ମାଆଙ୍କର ଆର୍ତ୍ତଚିତ୍କାର ଅନ୍ୟ କୋଠରୀରେ ଥାଇ ଶୁଣେ ଶୁଭଙ୍କର l ବହୁତ ଭୟ ଲାଗେ ତାକୁ ସେତେବେଳେ l ମନଟା ତାର କେମିତିଏକ କ୍ଷୁବ୍ଧ ବିଷର୍ଣ୍ଣତା ରେ ଭରିଯାଏ ଯେମିତି, ଭୀଷଣଭାବେ ଏକାକୀତ୍ୱ ଅନୁଭବ କରେ ସିଏ l ପାଖରେ ଥିବା ଚାକରାଣୀକୁ ଜାବୁଡି ଧରେ ନିଜର ମାଆ ଭାବି l ଶୁଭଙ୍କର ଆଖିରୁ ଲୁହ ପୋଛିଦିଏ ବିଚାରିଟି l ତା 'ପରେ ସବୁ ସ୍ୱାଭାବିକ ହୋଇଯାଏ, ଅଦିନିଆ ଝଡଟା ଶାନ୍ତ ହେଇଯାଏ ଯେମିତି l ଶୁଭଙ୍କର ଆଖିକୁ କିନ୍ତୁ ନିଦ ଆସେନା ଦୀର୍ଘ ସମୟ ପର୍ଯ୍ୟନ୍ତ, କେତେବେଳେ ଯେ ଶୋଇ ପଡେ -ଜାଣି ପାରେନା ସେ l

    ସେଦିନ ରବିବାର l ଛୁଟିଦିନ l ଆସନ୍ନ ଅପରାହ୍ନ ର ସୂର୍ଯ୍ୟ ମୁଣ୍ଡଉପରୁ ଅଳ୍ପ ଖସି ଆସିଲେଣି l ବୈଶାଖୀର ଝାଞ୍ଜି ପବନ ଦେହରେ ଛୁଞ୍ଚି ଭଳି ଫୋଡି ହେଇ ଯାଉଛି ଯେମିତି l ଗାଁ ଦାଣ୍ଡରେ, ତାଙ୍କ ଘରପାଖରେ ଥିବା ତ୍ରିଛକିରେ ଚାଲିଛି ବାଉଁଶରାଣୀ ଖେଳ l ଘରୁ ଲୁଚି ଦେଖିବାକୁ ଚାଲିଗଲା ଶୁଭଙ୍କର l ଆଗତୁରା ପହଞ୍ଚି ଖେଳ ଦେଖୁଥିଲା ରାଜୀବ l ଦୁହେଁ ଏକାଠି ଛିଡାହେଇ ଖେଳ ଦେଖିଲେ l ଏତେ ଖରାରେ ଛୋଟ ପିଲା ତିନିଜଣ ଧୂଳିଧୂସରୀତ ହୋଇ ବିଭିନ୍ନ ପ୍ରକାର ଖେଳ ଦେଖାଉଥାନ୍ତି l କେଳା ଘରର ପିଲା ସେମାନେ, ଏଇଥିପାଇଁ ସେମାନଙ୍କର ଜନ୍ମ ଯେମିତି l ଏତେ ଖରାରେ ଖେଳ ଦେଖାଇବାକୁ ସେମାନଙ୍କ ମଧ୍ୟରୁ ଜଣେ ପିଲା ରାଜି ହେଉନଥିଲା, କାନ୍ଦୁଥିଲା l କିନ୍ତୁ ମୁଖିଆର ନାଲି ଆଖିରେ ଡରିଗଲା ବିଚରା l ଆଶ୍ଚର୍ଯ୍ୟ ଲାଗୁଥିଲl ତାର ଖେଳ ପ୍ରଦର୍ଶନ l ଲାଗୁଥିଲl ତା ଦେହର ସମସ୍ତ ହାଡ, ଗଣ୍ଠି, ପିଞ୍ଜରା ସବୁ ଭାଙ୍ଗି ତୁଳା ଭଳି ହେଇ ଯାଇଛି ଯେମିତି l ଯୁଆଡେ ଭାଙ୍ଗିଲେ ବି ସିଆଡେ ମୋଡି ହେଇ ଯାଉଛି l କୌତୁହଳ ଲାଗୁଥିଲେବି ଦୁଃଖ ଲାଗୁଥିଲl ଭାରି ଦେଖିବାକୁ l ପେଟଚାଖଣ୍ଡକ ପାଇଁ ସବୁ ନାଟ ଯେମିତି l ବିବର୍ଣ୍ଣ ହେଇଯାଉଥିଲା ଶୈଶବ, କେଳା ଶିଶୁମାନଙ୍କର ମୁଣ୍ଡର କୁଞ୍ଚୁକୁଞ୍ଚିଆ ଛୋଟ ଛୋଟ ଚୁଟି ଗୁଡିକରେ ଧୂଳିର ଆସ୍ତରଣ, ଦେହସାରା ମାଟିର ପ୍ରଲେପ ଯେମିତି l ଦେହରୁ ବହୁଥିବା ଝାଳରେ ଦେହରେ ଗାର ପଡିବା ଭଳି ପ୍ରତୀୟମାନ ହେଉଥିଲା l କାନ୍ଦ କାନ୍ଦ ମୁହଁରେ କୃତ୍ରିମ ହସର ଫୁଆରା ସତେଯେମିତି ସେମାନଙ୍କ ଶୈଶବକୁ ବିଦୀର୍ଣ୍ଣ କରି ଦେଉଛି l ଖେଳ ସରିଲା l ଅପରାହ୍ନ ଟା ବି କ୍ଲାନ୍ତ ହେଇ ଯାଇଛି ପରା l ଶୁଭଙ୍କର ଓ ରାଜୀବ ନିସ୍ତବ୍ଧ ହୋଇ ଛିଡା ହୋଇଥିଲେ l କାହାରି ମୁହଁରେ ଭାଷା ନଥିଲା l ଦୁହେଁ ପରସ୍ପରକୁ ଜାବୁଡି ଧରିଲେ l

      ଆଜି ସନ୍ଧ୍ୟାରେ ପଡିଆକୁ ଖେଳିବାକୁ ଯିବୁନା ? ରାଜୀବର କଥାରେ ବାସ୍ତବତାକୁ ଫେରିଲା ଶୁଭଙ୍କର l କହିଲା -ନା l ମମି ମନା କରିଛନ୍ତି l ଲୁଚି ଖେଳିବାକୁ ଗଲେ ବାଡ଼େଇବେ l ଏବେ ବି ତ ଲୁଚି ଆସିଛି, ଗଲେ ମାଡ ଖାଇବାକୁ ପଡିବ ନିଶ୍ଚୟ, ଭୟାତୁର କଣ୍ଠରେ କହିଲା ଶୁଭଙ୍କର l ରାଜୀବ ଶୁଭଙ୍କର ମୁହଁକୁ ଚାହିଁଥିଲା l ଏକ ଅସହାୟ ଶୈଶବକୁ ଅନୁଭବ କରୁଥିଲା ଯେମିତି l ଦୁହିଁଙ୍କ ଆଖିରେ ଅତ୍ମୀୟତାର ଲୁହ l ଏକାନ୍ତ ନିଜର ସତେକି l ଦୁହେଁ ନିଜର ଢଳ ଢଳ ହେଉଥିବା ଲୁହକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ l ବିବର୍ଣ୍ଣ ଦିଶୁଥିଲା ପୃଥିବୀଟା l


Rate this content
Log in

Similar oriya story from Tragedy