ବିଷାକ୍ତ ସହର
ବିଷାକ୍ତ ସହର
ଵୋଉ ପିଙ୍କୁକୁ ବୁଝାଉ ଥିଲେ ଯେପରି ସିଏ ହସ୍ପିଟାଲରେ କିଛି ଚଗଲାମୀ ନକରେ I ବହୁତ ଦିନ ପରେ ଜେଜେଙ୍କୁ ଦେଖା କରିବାକୁ ଯାଉଥିଲା ପିଙ୍କୁ ତେଣୁ ସିଏ ବହୁତ ଉତ୍ତେଜିତ ଥିଲା I ତାହା ଜାଣି ବୋଉ ତାହାକୁ ଆଗରୁ ତାଗିଦ କରିବାରେ ଲାଗିଥିଲେ I ପନ୍ଦରଦିନ ହେଲାଣି ଜେଜେ ହସ୍ପିଟାଲରେ ଅଛନ୍ତି I ଜେଜେଙ୍କୁ ନିଶ୍ଵାସ ନେବାରେ ବହୁତ ଅସୁବିଧା ହେଲା I ଜେଜେମାଙ୍କ ସ୍ଵର୍ଗବାସ ପରେ ଜେଜେ ଗାଁଆରୁ ଆସିକି ସହରରେ ରହୁଥିଲେ I କିଛି ମାସ ମଧ୍ୟରେ ଜେଜେ ଆଉ ପିଙ୍କୁ ବହୁତ ଘନିଷ୍ଠ ହୋଇ ଯାଇଥିଲେ I କିନ୍ତୁ ବର୍ଷକ ଭିତରେ ଜେଜେଙ୍କର ସ୍ଵାସ୍ଥ୍ୟ ଖରାପ ହେବାକୁ ଲାଗିଲା, ବାହାରକୁ ଯାଇ ଫେରିଲେ ଜେଜେଙ୍କୁ ସବୁ ବେଳେ ଥଣ୍ଡା, କାଶ ହେଲା, ଆଖିରୁ ପାଣି ବହିଲା I ତଥାପି ପିଙ୍କୁ ସହ ସମୟ କଟାଇ ଜେଜେ ସବୁ ଦୁଃଖ କଷ୍ଟ ଭୁଲି ଯାଉଥିଲେ I ଗାଆଁରେ ଥିଲା ବେଳେ ଜେଜେଙ୍କୁ ଏତେ ଔଷଧ ଦରଲାର ପଡୁ ନଥିଲା କିନ୍ତୁ ସହରକୁ ଆସିଲା ପରେ ଦିନକୁ ଚାରି ଥର ଦରକାର ପଡ଼ିଲା I ପିଙ୍କୁ ଜେଜେ ଔଷଧ ଖାଇଲା ବେଳେ ପାଣି ଆଣିକି ଦିଏ ଆଉ କହେ," ଗେଟ ୱଏଲ ସୂନI " ଜେଜେ ହସି ଦିଅନ୍ତି I କିନ୍ତୁ ସେଦିନ ସମସ୍ତଙ୍କ ମୁଁହ ଶୁଖି ଯାଇଥିଲା ଯାI ଜେଜେ କୁଆଡେ ବହୁତ ସିରିଏସ ହେଇ ଯାଇଥିଲେ ଏବଂ ତାଙ୍କର ଦୁଇଟି ଯାକ ଫୁସଫୁସ ନଷ୍ଟ ହେଇ ଯାଇଥିଲା I ପିଙ୍କୁକୁ ଦେଖିବାକୁ ବହୁତ ଇଚ୍ଛା କରୁଥିଲେ I ସେଥିପାଇଁ ବୋଉ ପିଙ୍କକୁ ନେଇକି ଯାଉଥିଲେ ଜେଜେଙ୍କ ପାଖକୁ I ସକାଳ ଓ ସଞ୍ଜରେ ଜେଜେ ଘର ଚାରିପାଖରେ ଥିବା ଛୋଟ ବଗିଚାରେ ବୁଲୁଥାଆନ୍ତି ଆଉ ପିଙ୍କୁ ଗଲେ ତାକୁ ଗାଆଁରେ ସିଏ ଛାଡି ଆସିଥିବା ତୋଟା ବାଡ଼ି କଥା ଗପନ୍ତି I ଥରେ ବନମହୋତ୍ସବ ଦିନ ଜେଜେ ପାଖ ନର୍ସରୀରୁ କିଛି ଚାରା ଆଣି ଆସିଥିଲେ ଆଉ ପିଙ୍କୁ ସହିତ ମିଶି ତାକୁ ବଗିଛରେ ଲଗେଇ ଦେଇଥିଲେ I ପିଙ୍କୁ ପଚାରିଲାରୁ କହିଥିଲେ, ସହର ସବୁ ଜଙ୍ଗଲକୁ ନଷ୍ଟ କରି ତିଆର ହେଉଛି, ତେଣୁ ଧୀରେ ଧୀରେ ବୃକ୍ଷର ଅଭାବରୁ ସହରର ପବନ ବିଷାକ୍ତ ହେବାରେ ଲାଗିଛି I ପ୍ରତ୍ୟେକ ମଣିଷକୁ ନିଜ ଚାରିପାଖର ପରିବେଶର ଆଉ ପଶୁ ପକ୍ଷୀଙ୍କର ଯତ୍ନ ନେବା ଉଚିତ I ପିଙ୍କୁ ମୁଣ୍ଡ ଟୁଙ୍ଗାରି ସମତି ଜଣେଇଲାଓ ପ୍ରତିଦିନ ଗଛକୁ ପାଣି ଦେଇ ତାହାର ଯତ୍ନ ନେବାରେ ଲାଗିଲା I
---------------
ହସ୍ପିଟାଲରେ ପହଞ୍ଚି ପିଙ୍କୁ ଦେଖିଲା ଜେଜେ ବହୁତ ଦୁର୍ବଳ ହୋଇ ଯାଇଥିଲେ I ତାକୁ ଦେଖି ତାଙ୍କର ମୁଁହରେ ହସ ଫୁଟିଉଠିଲା ଆଉ ଆଖିରେ ଲୁହ ଭରିଗଲା I ପାଖରେ ଥିବା ଡାକ୍ତର ଆଡକୁ ବୋଉ ଦେଖିଲେ ଆଉ ଡାକ୍ତର ଇଙ୍ଗିତରେ କହିଦେଲେ ପିଙ୍କୁ ଜେଜେଙ୍କ ପାଖକୁ ଯାଇ ପାରିବ କିନ୍ତୁ ଅଧିକ ସମୟ ନରହି ଘରକୁ ଫେରିବାକୁ ପଡିବ I
ପିଙ୍କୁ ପାଖକୁ ଗଲାରୁ ଜେଜେ ତାହାର ମୁଣ୍ଡକୁ ଆଉଁସି ଦେଲେ ଆଉ ପଚାରିଲେ," ଆମର ଗଛ ସବୁରେ ପାଣି ଦେଉଛୁ?"ପିଙ୍କୁ 'ହଁ' ମାରିଲା ଆଉ ବୋଉର ମୋବାଇଲ ଫୋନରେ ଉଠେଇଥିବା ଫୋଟୋ ସବୁ ଦେଖେଇଲା I ଜେଜେ ବହୁତ ଖୁସି ହେଇଗଲେ ଆଉ କହିଲେ," ସାବାସ ! ଏମିତ ସବୁବେଳେ ପରିବେଶର ଯତ୍ନ ନେବୁ, ସହର ହେଉ ଗାଁଆ ହେଉ, ଯେଉଁଠି ବି ରହିଲେ I ଆମେ ମାନେ ତ ଏହି ପୃଥିବୀ ଆଉ ତାହାର ଜଳ, ସ୍ଥଳ, ଆକାଶ , ପବନ ସବୁକୁ ପ୍ରଦୂଷିତ କରି ବିଷାକ୍ତ କରି ସାରିଲୁଣି I ସହର ଗଢିବା ବାହାନାରେ, ପ୍ରକୃତିକୁ ନଷ୍ଟ କରି ବିଷାକ୍ତ ଇଲାକା ସବୁ ସୃଷ୍ଟି କରିଛୁ: ନିଜର କ୍ଷଣସ୍ଥାୟୀ ସୁଖ ଆଉ ଆରମ୍ଭ ପାଇଁ I "
"କଣ ଆପଣ ମାନେ ଏ ପୃଥିବୀକୁ ଏତେ ନଷ୍ଟ କରିଦେଲେ କି ଜେଜେ?" ନିରୀହତା ପିଙ୍କୁ ପଚାରିଲା I "ହଁ ଆମେ ମାନେ ପୃଥିବୀକୁ ନଷ୍ଟ କରିଦେଇଛୁ ପିଙ୍କୁ, ନିଜର ସ୍ଵାର୍ଥ ଲାଗି, ନିଜର ଦୈହିକ ଆନନ୍ଦ ଲାଗି, ଏହି ସହରକୁ ବିଷାକ୍ତ କରି ସାରିଛୁ I କିନ୍ତୁ ମନେ ରଖ ଯେଉଁ ସାଗର ମନ୍ଥନରୁ ଗରଳ ଉଦ୍ଗ୍ରୀବଣ ହୁଏ, ସେହି ଠାରୁ ଅମୃତର କୁମ୍ଭ ମଧ୍ୟ ବାହାରେ I ଏହା ସତ, କିଛି ଜଣଙ୍କୁ ଏବେ ଏହି ଜହରର ପ୍ରଭାବ ଭୋଗିବାକୁ ପଡ଼ିବ I ଅପକର୍ମର ଫଳ ତ ଦିନେ ନ ଦିନେ ନିଶ୍ଚୟ ଭୋଗିବାକୁ ପଡିବ କିନ୍ତୁ ତୁମର ପିଢ଼ି ପାଇଁ ଏହା ଏକ ଆହ୍ୱାନ ଏବଂ ଏକ ସୁଯୋଗ ମଧ୍ୟ I ସମୟ ଚକ୍ରକୁ କେହି ଓଲଟା ଘୁରେଇ ପାରିନି କିନ୍ତୁ ଆଗାମୀ ସମୟକୁ ପରିବର୍ତ୍ତିତ ଅବସ୍ଥାରେ ଆଣିବାକୁ ସମସ୍ତଙ୍କର କ୍ଷମତା ଥାଏ I ଆଶା କରୁଛି ତୁ ଆମେ ଲଗେଇବା ଗଛ ଗୁଡିକର ଯତ୍ନ ନେବୁ," ଜେଜେ କାହିକି ଆଖି ବୁଜି ଦେଲେ, ପିଙ୍କୁର ମୁଣ୍ଡ ଆଉଁସୁ ଆଉଁସୁ I
ଜେଜେଙ୍କୁ ପୁଣି କାଶ ହେବାକୁ ଆରମ୍ଭ ହୋଇଗଲା I ଡାକ୍ତର ଇଙ୍ଗିତ କରିବାରୁ ପିଙ୍କୁ ବୋଉ ପାଖରେ ଯାଇ ଠିଆ ହେଇଗଲା I ଡାକ୍ତର କହିବାରୁ ନର୍ସ ଇଞ୍ଜେକ୍ସନ ତିଆରି କରିବାକୁ ଲାଗିଲେ I କିନ୍ତୁ ଜେଜେଙ୍କ କାଶ ଅଟକୁ ନଥିଲା I ଚାହୁଁ ଚାହୁଁ ଜେଜେଙ୍କର ନାକ ଆଉ ପାଟିରୁ ରକ୍ତ ବାହାରିବାକୁ ଲାଗିଲା I ଡାକ୍ତର ଜଣକ ଦୌଡ଼ି ଯାଇ ଜେଜେଙ୍କୁ ସାହାରା ଦେବାକୁ ଚେଷ୍ଟା କଲେ I ଭୟରେ ପିଙ୍କୁ ବୋଉକୁ ଭିଡି ଧରିଲା I ନର୍ସ ଇଞ୍ଜେକ୍ସନ ଆଣିଲା ବେଳକୁ ଜେଜେ ସ୍ଥିର ହେଇଯାଇଥିଲେ ଆଉ ତାଙ୍କ ଆଖି ଦୁଇଟି ବାହାରକୁ ବାହାରି ଯାଇଥିଲା I ପିଙ୍କୁ ଡରିକି ଆଖି ବୁଜି ଦେଲା I ବୋଉ ମଧ୍ୟ ପିଙ୍କକୁ ଜାବୁଡି ଧରିଲେ ଆଉ କାନ୍ଦିବାକୁ ଆରମ୍ଭ କରିଦେଲେ I ପିଙ୍କୁ ସେମିତି ବୋଉକୁ ଜାବୁଡି ଧରିକି, ଆଖି ବୁଝିକି ସବୁ ଶୁଣୁଥାଏ I "ଆଇ ଏମ ସର , ମୁଁ ମିସ୍ଟର ଦାସଙ୍କୁ ମେସେଜ କରିଦେବି, ଧୈର୍ଯ୍ୟ ଧରନ୍ତୁ," କହି ଡାକ୍ତର ଚାଲିଗଲେ I ବୋଉର କାନ୍ଦ ଶୁଣି ପିଙ୍କୁ ମଧ୍ୟ କାନ୍ଦିବାକୁ ଆରମ୍ଭ କରିଦେଲା I ପାଖରେ ଥିବା ନର୍ସ ମଧ୍ୟ "ଆଇ ଏମ ସରି , ଦାସ ବାବୁ ଆସିଲେ ମୁଁ ତାଙ୍କୁ ନେଇକି ଆସିବି ଏଠାକୁ I ଆପଣମାନେ ଏହି ଠାରେ ରହି ଥାଆନ୍ତୁ, " କହିକି ଚାଲିଗଲା ଆଉ ଗଲାବେଳେ ରୁମର ଦୁଆରରେ ଥିବା ପରଦାଟିକୁ ଟାଣି ଦେଲ !ବୋଉ ଓ ପିଙ୍କୁର ଲୁହ ମିଶି ଝରି ଚାଲିଥିଲା ଆଉ ଦୁହେଁ ଜେଜେଙ୍କୁ ଜାବୁଡି ଧରିଥିଲେ I
