Padmalaya Padhy

Inspirational

4  

Padmalaya Padhy

Inspirational

ବିପଦର ବନ୍ଧୁ

ବିପଦର ବନ୍ଧୁ

5 mins
202


ନୀଳା ଦେବୀ ଅତି ମାତ୍ରାରେ ଆଧୁନିକ ନହେଲେ ମଧ୍ୟ ପୁରୁଣା କାଳିଆ ଲୋକଙ୍କ ଭିତରେ ଗଣା ହେବେ ନାହିଁ l ଶିକ୍ଷକତାରୁ ଅବସର ନେଇ ସାରି ଗୋଟିଏ ଆପାର୍ଟମେଣ୍ଟରେ ଏକୁଟିଆ ରହୁ ଥିଲେ l ଅତି ମାତ୍ରାରେ ସ୍ୱାସ୍ଥ୍ୟ ସଚେତନ l ଶିକ୍ଷିତା ନାରୀ l 

ମାତ୍ର ଚନ୍ଦ୍ରରେ କଳଙ୍କ ଭଳି ଗୋଟିଏ ବିକାର ତାଙ୍କ ପାଖରେ ଥିଲା ଯାହାକୁ ସେ ଛାଡି ପାରୁ ନଥିଲେ କଣ ଛାଡିବାକୁ ଚାହୁଁ ନଥିଲେ l 

ତାହା ହେଲା ତାଙ୍କ ଆପାର୍ଟମେଣ୍ଟର ମଇଳା ସଫା କରୁଥିବା ପିଲାଟା ପ୍ରତି ଥିବା ଅହେତୁକ ଘୃଣା l 

ସେ କହନ୍ତି ଦୁନିଆର ସବୁ ଭାଇରସ ବା ଜୀବାଣୁ ଏଇମାନଙ୍କ ଠାରେ ଥାଏ l ତେଣୁ ତାକୁ ଦେଖିଲେ ତାଙ୍କର ଖଣ୍ଡା ଧାର ନାକଟି (ପତି ରମେଶଙ୍କ ମତରେ ଏହି ନାକ ଏବଂ ହଂସ ଗ୍ରୀବା ହିଁ ତାଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଛି) ଆପେ ଆପେ ଉପରରକୁ ଉଠିଯାଏ l ତାଙ୍କ ମତରେ ଏଗୁଡ଼ାକ କେତେ ପାପ କରିବାରୁ ସକାଳ ସନ୍ଧ୍ୟା ମଇଳାରେ ଘାଣ୍ଟି ହେଉଛନ୍ତି l ଏମାନେ ନୀଳା ଦେବୀଙ୍କ ସ୍ତରର ଲୋକଙ୍କ ସହ ଠିଆ ମଧ୍ୟ ହୋଇ ପାରିବେ ନାହିଁ l

ନୀଳା ଦେବୀ ପତିଙ୍କ ମୃତ୍ୟୁ ପରେ ଆପାର୍ଟମେଣ୍ଟରେ ଗୋଟିଏ ଫ୍ଲାଟ ନେଇ ଏକୁଟିଆ l ପୁଅଟି ଓଡିଶା ବାହାରେ l ନିଜେ ସେ ସବୁ ବେଳେ ସ୍ୱାଧୀନଚେତା ତେଣୁ ଏକୁଟିଆ ରହିବାକୁ ଚାହାଁନ୍ତି l ପୁଣି ଏବେ ଗୋଡ ହାତ ଚାଲୁଛି l ଏ ସମୟରେ ଯାଇ କାହାରି ସ୍ୱାଧୀନତାରେ ଅଯଥା ହସ୍ତକ୍ଷେପ କରିବାକୁ ପସନ୍ଦ କରନ୍ତି ନାହିଁ l

ସବୁ ଠିକ ଠାକ ଚାଲି ଥିଲା l ହଠାତ କରୋନାର ପ୍ରକୋପ ତାଙ୍କ ସହରରେ ମଧ୍ୟ ଆରମ୍ଭ ହୋଇଗଲା l ଚାରି ଆଡେ ଲକ ଡାଉନ l ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ତାଙ୍କ ବ୍ଲକରେ ଚାରୋଟି ଫ୍ଲାଟ l ସମସ୍ତଙ୍କ ଯିବା ଆସିବା ଉପରେ କଟକଣା l ନା କେହି ଆସି ପାରିବେ ନା ଯାଇ ପାରିବେ l କାମବାଲୀ ଡ୍ରାଇଭର ଆପାର୍ଟମେଣ୍ଟର ଜଗୁଆଳିକୁ ମଧ୍ୟ ଭିତରକୁ ଆସିବା ମନା l ସୋସାଇଟିର ନିଷ୍ପତ୍ତି ମାନିବାକୁ ବାଧ୍ୟ l 

"ମାତ୍ର ଏ ଯେଉଁ ପିଲାଟି ସଫା କରିବାକୁ ଆସୁଛି ତାକୁ କାହିଁକି ବାରଣ ନାହିଁ ? ଆମ ଅଳିଆ ତ ଆମେ ବାହାରେ ଫୋପାଡିବା ତେବେ ଏ ଚୁଚୁନ୍ଦ୍ରା ମୁହାଁ କାହିଁକି ଆସିବ ଏଠିକି l ଦୁନିଆ ରୋଗର ବାହକ" ! ଏ କଥା ସୋସାଇଟିରେ କହିବେ ବୋଲି ଭାବିଛନ୍ତି l

ଏବେ ନୀଳା ଦେବୀ ମର୍ଣ୍ଣିଙ୍ଗ୍ ୱାକ୍ କରିବାକୁ ବାହାରକୁ ନଯାଇ ଆପାର୍ଟମେଣ୍ଟର ଛାତ ଉପରକୁକୁ ଯାଉଛନ୍ତି l ସେଠାରେ କିଛି ଗହଳି ନାହିଁ ଓ ପୁରା ଫାଙ୍କା l ଏତେ ପବନ ଯେ ପିଇ ଯିବାକୁ ମନ ହେଉଛି l ପଡିଆରେ ଏସବୁ କାହିଁ? ଏମିତି ଚାଲି ଥିଲା ହେଲେ ନୀଳା ଦେବୀଙ୍କ ଏ ସୁଖ କିନ୍ତୁ ବେଶି ଦିନ ରହିଲା ନାହିଁ l

ଆଜି ନୀଳା ଦେବୀଙ୍କୁ ଟିକିଏ ଶୁଖିଲା କାଶ ହେଉଛି l ପୁଅ ଫୋନ କରିଥିଲା l କଫି ଟିକେ ପି ଦିଅ କହିଲା l 

ବୋହୁ କହିଲା "ମାଆ ଛୋଟିଆ କଥା ଗୁଡିକ ଆପଣଙ୍କ ପୁଅଙ୍କୁ ନ କହିଲେ କଣ ଚଳନ୍ତା ନାହିଁ ? ଦେଖୁଛ ଘରୁ ଅଫିସ କାମ କରୁଛନ୍ତି l ମୋ ମାଆ ଆପଣଙ୍କ ଠାରୁ ଢେର ବୟସ୍କ କିନ୍ତୁ ଏମିତି ପିଲାଙ୍କ ପରି ହୁଅନ୍ତି ନାହିଁ !! 

ନୀଳା ଦେବୀ ଅଯଥା କଥା ବଢ଼ାଇଲେ ନାହିଁ l ସେ ଜଣେ ଶ୍ୱାସ ରୋଗୀ l ମାତ୍ର ଖାଦ୍ୟ ଓ ବ୍ୟାୟାମ ଚାଲୁ ରଖି ଶ୍ୱାସକୁ ମାତ ଦେଇଛନ୍ତି l ତେଣୁ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ବହୁତ କମ ଓଷଦ ଖାଆନ୍ତି l ତା ବୋଲି ସବୁ ଦିନ ଏକା ଭଳି ଯାଏ ନାହିଁ l

ହେଲେ ଆଜିର କଥା ନିଆରା l ଯାଇ ନାହାନ୍ତି ଛାତ ଉପରକୁ l ଏମିତିରେ ଦିନ ଦୁଇଟା ବାଜିଲା l କଣ ଟିକେ ରୋଷେଇ କରି ଖାଇ ଦେଇ ଶୋଇ ପଡିଲେ l ମାତ୍ର ଶୋଇ ପାରିଲେ ନାହିଁ l

ନିଃଶ୍ୱାସ ନେବାକୁ ଅସୁବିଧା ହେଉଛି l ନିଃଶ୍ୱାସ ନେଉଛନ୍ତି ମାତ୍ର ଏମିତି ଲାଗୁଛି ପବନ ଟିକେ ବି ଭିତରକୁ ଯାଉ ନାହିଁ l

ଟିକେ ଚଳ ପ୍ରଚଳ ହେଲେ ହୁଏତ ଭଲ ଲାଗିବ l କିନ୍ତୁ କିଛି ଲାଭ ହେଲା ନାହିଁ l ଧୀରେ ଧୀରେ ସନ୍ଧ୍ୟା ପରେ ରାତ୍ରିର ଆଗମନ l ଯେ ଯାହା ଫ୍ଲାଟରେ ଅଛନ୍ତି l କେହି କାହା ଘରକୁ ଯିବେ ନାହିଁ l ପୁଣି ଶ୍ୱାସ ଜନିତ ସମସ୍ୟା ମାନେ କରୋନା ସନ୍ଦେହ l କେହି ପାଖ ମାଡ଼ିବେ ନାହିଁ l ପାଖ ପାଖି ଯେତିକି ଓଷଦ ଦୋକାନ ଖୋଲା ଅଛି ହୋମ ଡେଲିଭେରୀର ବ୍ୟବସ୍ଥା ନାହିଁ l 

ଡାକ୍ତର ଇନହେଲର ଲେଖି ଥିଲେ ମାତ୍ର ଦରକାର ନାହିଁ ଫିଟ୍ ଅଛନ୍ତି ଭାବି ଆଣି ନଥିଲେ l ଲମ୍ବା ନିଃଶ୍ୱାସ ନେଇ ନେଇ ମୁହଁର ମାଂସପେଶୀ ଟାଣି ହେଉଛି l ଯେତିକି ପବନ ଝିକୁଛନ୍ତି ତାର ଦଶ ଭାଗରୁ ଭାଗେ ଭିତରକୁ ଯାଉଥିବ କି କଣ l ମୁଣ୍ଡ ଭିତର ଝିମ ଝିମ ହେଉଛି l

ବାହାରକୁ ଆସିଲେ କେହି କୁଆଡେ ନାହିଁ l କେବଳ ସେ ଚୁଚୁନ୍ଦ୍ରା ମୁହାଁ ଟୋକାଟା ଡିଉଟି ନଥିବାରୁ ବୁଲୁଛି !!! ଦେଖିଲେ ରାଗ ମାଡୁଛି l ନୀଳା ଦେବୀ ଫ୍ଲାଟର କବାଟ ଖୋଲି ତଳେ ବସିଗଲେ l ଆଉ କିଛି କରିବା ଅବସ୍ଥା ନଥିଲା l ହଠାତ ପିଲାଟି କିଛି ଜାଣି ପାରିଲା ଭଳି ପଛକୁ ଫେରି ଚାହୁଁଥିଲା l ନାଁ ଆଗକୁ ଆସି ପାରୁଛି ନାଁ ପଛକୁ ଯାଉଛି l ନୀଳା ଦେବୀ ମଧ୍ୟ ଡାକି ପାରୁ ନାହାନ୍ତି l ପିଲାଟି ଫେରିଲା l ଫ୍ଲାଟର କବାଟ ଖୋଲା ଅଛି l ନୀଳା ଦେବୀ ତଳେ ବସିଛନ୍ତି l 

ପିଲାଟା ଗାର୍ଡେନରେ ଥିବା ପାଇପରେ ହାତ ଗୋଡ ଧୋଇ ପକାଇଲା l ଧୀରେ ଧୀରେ ନୀଳା ଦେବୀଙ୍କ ସାମ୍ନାକୁ ଆସିଲା l ହାତ ପାଦରୁ ପାଣି ବୋହୁଛି l ପ୍ରମାଣ କରି ଦେଉଛି ଯେ ସେ ସଫା ସୁତରା l 

ମାଙ୍କଡ ମୁହାଁ କୋଉଠିକାର !!! ନୀଳା ଦେବୀ ଯନ୍ତ୍ରଣା ଓ ଘୃଣାରେ ଅସ୍ଥିର l ପିଲାଟି ଠିଆ ହୋଇଛି l ସେ ଜଣାଇବାକୁ ଚାହୁଁଛି ଯେ ଗୋଡ ହାତ ସଫା କରି ଆସିଛି l ଯେ କୌଣସି କାମ ତାକୁ ଦିଆ ଯାଇ ପାରିବ l

ନୀଳା ଦେବୀ ଅସ୍ପଷ୍ଟ ସ୍ୱରରେ ଠାରି କରି ଯାହା କହିଲେ ତାର ମର୍ମ ହେଲା ବେଡ଼ରୁମରେ ଡାକ୍ତରଙ୍କ କାଗଜ ଅଛି ll ସେ ଭିତରକୁ ଯିବ କି ନାହିଁ ନ ଭାବି ଶୋଇବା ଘରେ ପଶିଗଲା ଏବଂ ରୁମ ଭିତରୁ କାଗଜଟି ଆଣି ଦେଲା l 

ନୀଳା ଦେବୀ ହାତ ଠାରି ଆଙ୍ଗୁଠିରେ ଇନହେଲରର ନାଁଟିକୁ ଦେଖାଇଲେ l ପିଲାଟି ବାହାରକୁ ଦୌଡିଲା l ପବନଠୁ ଅଧିକା ବେଗରେ ଫେରିଲା ମଧ୍ୟ l

ଇନହେଲର ଆଣିଲା ସିନା କିନ୍ତୁ ଖଞ୍ଜିବା ଆସୁନି l ନୀଳା ଦେବୀ କହିବା ଅବସ୍ଥାରେ ନଥାନ୍ତି l ପିଲାଟି ପୁଣି ଦୌଡିଲା ଓଷଦ ଦୋକାନକୁ l ଦୋକାନୀ ମେସିନ ଖୋଲି ଦେଖାଇ ଦେଲା କେମିତି ରୋଗୀକୁ ଦିଆ ଯାଏ l ପୁଣି ପବନ ବେଗରେ ଫେରିଲା l ସେତେ ବେଳକୁ ନୀଳା ଦେବୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ l ଫ୍ଲାଟ ବାହାରେ କାନ୍ଥକୁ ଆଉଜି ବସିଥାନ୍ତି l ଆଖି ଧୀରେ ଧୀରେ ମୁଦି ହୋଇ ଆସୁଛି l

  ପିଲାଟି ତାଙ୍କ ବେକ ପଛରୁ ଧରି ମୁଣ୍ଡ ସିଧା କଲା l ତା ପରେ ଓଷଦ ଦୋକାନୀର ନିର୍ଦ୍ଦେଶ ଅନୁସାରେ ମେସିନ ଧରି ବହୁତ କଷ୍ଟରେ ନୀଳା ଦେବୀଙ୍କ ମୁହଁ ପାଖରେ ଦେଇଥିଲା l ଶୋଷିବାକୁ ମଧ୍ୟ ତାଙ୍କ ପାଖରେ ଯେତିକି ପବନ ଦରକାର ସେତିକି ନଥିଲା l ସେ କିନ୍ତୁ ଛାଡୁ ନଥାଏ l ତିନି ଚାରି ଥର ଚେଷ୍ଟା କରି ଗୋଟିଏ ଥର ମାତ୍ର ଓଷଦ ନେଇ ପାରିଲେ l 

ପିଲାଟି ହସି ଦେଲା କାହିଁକି ନାଁ ଓଷଦ ଦୋକାନୀର ନିର୍ଦ୍ଦେଶକୁ ସେ ଠିକ ଭାବେ ପାଳନ କରି ପାରିଛି l ନୀଳା ଦେବୀ ବସି ରହି ଥିଲେ ସେମିତି l 

ଘର ଭିତରକୁ ଚାଲି ଯିବା ପାଇଁ ତାଙ୍କୁ ଠାରିଲା l ନୀଳା ଦେବୀ ଏବେ କିଛିଟା ସୁସ୍ଥ ଅନୁଭବ କଲେଣି l ଭିତରକୁ ଯାଇ ସୋଫା ଉପରେ ସେମିତି ଶୋଇ ପଡିଛନ୍ତି ଏବଂ ଦରଜା ଖୋଲା ଅଛି l ସକାଳୁ ଆପାର୍ଟମେଣ୍ଟରେ କାହା ଘରେ ଆଲାର୍ମ ବାଜିବାରୁ ନିଦ ଭାଙ୍ଗିଲା l ଦେଖିଲେ ସୋଫା ଉପରେ ଅଛନ୍ତି ଏବଂ କବାଟ ଆଉଜା ହୋଇଛି l ରାତିରେ ତ ସେ କବାଟ ବନ୍ଦ କରି ପାରିନଥିଲେ l ଏହାକୁ ଆଉଜେଇଲା ପୁଣି କିଏ? 

ବାହାରକୁ ବାହାରିଲା ବେଳକୁ କାହାକୁ ଝୁଣ୍ଟି ପଡିଲେ l ପିଲାଟି ଦରଜା ବାହାରେ ଶୋଇ ଥିଲା ଏବଂ ତାର ହାତକୁ ନୀଳା ଦେବୀ ଝୁଣ୍ଟି ପଡି ଥିଲେ l ତାଙ୍କୁ ସାମ୍ନାରେ ଦେଖି ପିଲାଟି ଉଠି ଯାଇ ଥିଲା ଏବଂ ଟିକେ ହସି ଦେଲା l ଏହା ପରେ ଯେମିତି ପବନ ବେଗରେ ଆସିଥିଲା ସେମିତି ଦୌଡ଼ି ଚାଲି ଗଲା l 

ଏବେ ନୀଳାଦେବୀ ନିୟମିତ ସବୁ ଯାକ ଓଷଦ ଏବଂ ଇନହେଲର ନେଉଛନ୍ତି l ଦେହର ଅବସ୍ଥା ଠିକ ଠାକ ଅଛି l ହଠାତ ମନେ ପଡିଗଲା ଆରେ ଓଷଦ ପଇସା ତ ସେ ଦେଇ ନାହାନ୍ତି ତେବେ ସେ କେମିତି ଆଣିଲା? ହାତରୁ ଦେଲା ନା କଣ ? 

ଲକ ଡାଉନ ଖୋଲିବା ପରେ ସେ ଯାଇ ଓଷଦ ଦୋକାନୀକୁ କାଗଜ ଦେଖାଇ ସବୁ ଘଟଣା କହିଥିଲେ l ଦୋକାନୀଠୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଗଲେ l ପିଲାଟି ଜନ୍ମରୁ ମୁକ ବଧିର l ବାପା ମାଆ ଉଭୟଙ୍କ ମୃତ୍ୟୁ ପରେ ଏବେ ଏକୁଟିଆ ଅଛି l ଆପାର୍ଟମେଣ୍ଟ ସଫା କରି ଯାହା କିଛି ପାଉଛି ସେଥିରେ ସେ ଚଳୁଚି l ସେଦିନ ସେ ସବୁ ଓଷଦ ମାଗଣାରେ ନୁହେଁ ପଇସା ଦେଇ ନେଇଥିଲା l

ନୀଳା ଦେବୀ ଆଚମ୍ବିତ ହୋଇ ଯାଇ ଥିଲେ ଯେ ଏତେ କମ ବୟସରେ ଏତେ କମ ରୋଜଗାର କରି ମଧ୍ୟ ପିଲାଟି ହାତରୁ ଖର୍ଚ୍ଚ କରି ଆଉ କାହାର ଜୀବନ ବଞ୍ଚାଇ ଥିଲା ପୁଣି ସାରା ରାତି ତାଙ୍କୁ ଘର ବାହାରେ ଜଗି ରହି ଥିଲା? 

ସେ ପିଲାଟିକୁ କାହିଁକି ଆଉ ଦେଖୁ ନଥିଲେ କିମ୍ବା କୌଣସି ସଫେଇ କର୍ମଚାରୀଙ୍କୁ ଦେଖିଲେ ନାକ ଟେକୁ ନଥିଲେ l ମନକୁ ମନ କହିଲେ "ତୁ ସିନା ମୁକ ବଧିର ମାତ୍ର ମୁଁ ତ ଆଖି ଥାଇବି ଅନ୍ଧ l 



Rate this content
Log in

Similar oriya story from Inspirational