ବିକଳ୍ପ କାହିଁ
ବିକଳ୍ପ କାହିଁ
ଆଜିର ଦୁନିଆରେ ନିତ୍ୟ ନୈମିତ୍ତିକ ଆଚରଣ ବହୁ ଅସ୍ୱାଭାବିକ ଓ ତ୍ରୁଟିପୂର୍ଣ୍ଣ ହେଉଥିବା ଅଭିଯୋଗ ଓ ଖବରକାଗଜ ରୁ ପଢିବାକୁ ମିଳୁଛି ।ସବୁଠାରୁ ଅଧିକ କଷ୍ଟ ମନକୁ ଦେଉଥିବା ଖବର ହେଉଛି, ସମାଜର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ନାରୀ,ପ୍ରତି ହେଉଥିବା ଅବିଚାର ।କିଏ କେଉଁ ଦୃଷ୍ଟିକୋଣରୁ କେଉଁ କାରଣକୁ ଦାୟୀ କରୁଛି ସେ ତ ନିଆରା କଥା ।
ମନକୁ ଆସୁଛି ମହିଳାମାନଙ୍କୁ କଣ ଜୀବନ୍ତ ପ୍ରାଣୀ ବୋଲି ଭାବୁନାହାନ୍ତି?ମନେ ମନେ ଏଇକଥା ଭାବୁଥିଲେ ଅନୀତା ।ସ୍ୱାମୀ ମନୋଜ ବାବୁ ଆସି ଖାଇବାକୁ ମାଗିଲେ ।ଅନୀତାର ଗମ୍ଭୀର ମୁଖମଣ୍ଡଳକୁ ଦେଖି ମନୋଜ ପଚାରିଲେ କାହିଁକି ମନକଷ୍ଟ କରିଛ? ଅନୀତା ଦୁଃଖମିଶା କଣ୍ଠରେ କହିଲେ,ଦେଖ ତ ତୁମରି ପୁରୁଷ ଜାତିର ଅପରିଣାମଦର୍ଶୀ ଅପକର୍ମ ପାଇଁ ,ସମଗ୍ର ନାରୀ ଜାତି ଆଜି କିପରି ତଳିତଳାନ୍ତ ହେଉଛନ୍ତି କହିଲ। ମନୋଜବାବୁ ଅନୀତାଙ୍କ କଥାକୁ ସମର୍ଥନ କରି କହିଲେ ହଁ ଛାତିଥରାଇ ଦେବାପରି ଅପକର୍ମ କରୁଛନ୍ତି ସେ ମଣିଷ ଖୋଳ ଭିତରର ପଶୁମାନେ।କେତେକ କହୁଛନ୍ତି ମଦର ବହୁଳ ପ୍ରସାର ପାଇଁ ବୁଦ୍ଧି,ବିବେକ,ବିବେକ ,ବିଚାର,ଧର୍ମ ଧାରଣାର ଶକ୍ତି ନଷ୍ଟ ହୋଇଯାଇଥିବା ବ୍ୟକ୍ତି ନିଜର ମନକୁ ବା ନିଜ ବିଚାରକୁ ନିୟତ୍ରଣ କରି ନ ପାରି ଏପରି କୁକର୍ମ କରି ବସୁଛନ୍ତି ।ଆଉ କେତେକ କହୁଛନ୍ତି ବିଜ୍ଞାପନ, ସିନେମା, ଆଲବମରେ ଝିଅ ମାନଙ୍କର ଅଶାଳୀନ ବେଶ ପୋଷାକ ଓ ଅର୍ଧନଗ୍ନ ଅଙ୍ଗ ପ୍ରଦର୍ଶନ ଯୁବକ ମାନଙ୍କୁ ବିପଥଗାମୀ କରୁଛି ।ଆଉ ବି କେତେକ କହୁଛନ୍ତି ମାତା ପିତାଙ୍କ ଠାରୁ ଉପଯୁକ୍ତ ସଂସ୍କାର ପାଇ ନ ଥିବାରୁ, ପିଲାମାନେ ଅବାଟକୁ ଚାଲି ଯାଉଛନ୍ତି ।ଯିଏ ଯେଉଁ ଦୃଷ୍ଟିକୋଣରୁ ଯାହା କହିଲେ ବି ଘଟଣାଟି ନିଶ୍ଚିତ ସମ୍ବେଦନଶୀଳ ପ୍ରସଙ୍ଗ।ଅନୀତା କହିଲେ ପୁରାଣ ଯୁଗରୁ ଏଇପରି କେତେ ଦୃଷ୍ଟାନ୍ତ ଶୁଣିବାକୁ ମିଳେ ।ଯେମିତିକି ରାବଣ ମାତା ସୀତାଙ୍କୁ ଅପହରଣ କରିନେବା ,ଅହଲ୍ୟାଙ୍କ ଦୃଷ୍ଟାନ୍ତ, ବାଳୀ ସୁଗ୍ରୀବଙ୍କ ସମୟର କଥା, ସ୍ବାମୀଙ୍କର ଜ୍ୟେଷ୍ଠ ଭ୍ରାତା ହୋଇ ସୁଦ୍ଧା ବାଳୀ ସୁଗ୍ରୀବଙ୍କ ପତ୍ନୀଙ୍କୁ ଭୋଗ କରିବା ପରି ଅନେକ ଦୃଷ୍ଟାନ୍ତ ଜାଣିବାକୁ ମିଳେ।ପୁରାଣ ଯୁଗ,ଋଷି, ମୁନି,ସାଧୁସନ୍ଥ ମାନଙ୍କ ସମୟରେ ଏପରି ହେଉଥିଲା ।
ସେହି ବିଚାରଧାରା ଏ ଯୁଗରେ ମଧ୍ୟ ସୁଖଲୋଭୀ ପୁରୁଷ ଜାତିର ମାନସିକତାରେ ସଞ୍ଚରି ଯାଇଛି ।
ପୁରୁଷ ପ୍ରଧାନ ସମାଜରେ ସମାଜପତି ଭାବରେ ନାରୀ ଜାତି କୁ ନିୟତ୍ରଣରେ ରଖିବା ପାଇଁ ସବୁ ବ୍ୟବସ୍ଥା ଆଗରୁ କରାଯାଇଛି ।ଯାହାର ସୁଦୂର ପ୍ରସାରୀ ପ୍ରଭାବ ପିଢି ପରେ ପିଢି ଗଡି ଆସୁଛି ।ସମାଜପତି ମାନେ ବୈଦିକ ରୀତିରେ ବିବାହ କରି ,ନାରୀଟିଏକୁ ଶାଢୀ, ଶଙ୍ଖା ସିନ୍ଦୂର ଦେଇ ,ବିବାହର ସଂକେତରେ ସାଧବାର ଆଖ୍ୟାରେ ବାନ୍ଧି ଦେଇ, ନିୟନ୍ରିତ କରାଯାଇଛି ।ସନ୍ତାନକୁ ଜନ୍ମ ଦେବାଠାରୁ ,ଲାଳନପାଳନ ଏବଂ ଘରର ପୂଜା ପାର୍ବଣ ପ୍ରଭୁତି ଦାୟିତ୍ଵ, ନାରୀକୁ କରିବାକୁ ହୋଇଥାଏ ।ପୁରୁଷ କେବଳ ଅର୍ଥ ରୋଜଗାର ଦାୟିତ୍ଵରେ ରହନ୍ତି ।ଯଦି କୌଣସି କାରଣରୁ ପୁରୁଷଟି ବା ସ୍ବାମୀଟିର ଦେହାନ୍ତ ହୋଇଯାଏ,ତେବେ ନାରୀଟିକୁ ବିଧବାର ବେଡି ପିନ୍ଧାଇ ଦେଇ ବିଧବାର ପରିଚୟ ଦିଆଯାଏ।ଯଦି ଅପରିଚିତ କେହି ଦେଖେ ,ଅତି ସହଜରେ ବିଧବାଟିଏ ବୋଲି ଜାଣି ପାରିବ ।ଯାହା ପୁରୁଷ ପାଇଁ ନାହିଁ।ନାରୀର ଆବର୍ତ୍ତମାନରେ ପୁରୁଷଟି ଦ୍ବିତୀୟ, ତୃତୀୟ,ବିବାହ କରିବାର ସ୍ଵାଧୀନତା ଅଛି ।ଏବେ ମଧ୍ୟ ନାରୀଟିକୁ ମାଟିର ମାଠିଆ ଆଖ୍ୟା ଦିଆଯାଉଛି ।ଜେଜେମା, ଆଈମା, ବୟସର ମାନେ କଥା ଆଳରେ ପୁଅଟିକୁ ପିତ୍ତଳ ମାଠିଆ, ମାଜିମୁଜି ଦେଲେ ସଫା,ଝିଅଟି ମାଟି ମାଠିଆ, ଟିକିଏ ଠକର ବାଜିଲେ ଭାଙ୍ଗି ଯାଇ ଫୋପଡ଼ା ହେବ ।ଏଇ ଯେଉଁ ମାନସିକତା ଏବେ ବି ତାର ପ୍ରଭାବ ପରିଲକ୍ଷିତ ହେଉଛି, ଯେଉଁଥିପାଇଁ ଦୁଷ୍କର୍ମ କରୁଥିବା ପୁରୁଷକୁ ଲଜ୍ଜା ଲାଗୁନି,ପୀଡିତାଟି ଲୋକଲଜ୍ଜା ସହି ନ ପାରି ଜୀବନ ହାରିଦେବାର ନିଷ୍ପତ୍ତି ନେଉଛି ।ସମାଜପତି ମାନେ ନାରୀ ମନସ୍ତତ୍ତ୍ୱକୁ ଏହିପରି କଡା ଶୃଙ୍ଖଳରେ ବାନ୍ଧି ଦେଇଛନ୍ତି ।ଏବେବି ନାରୀ ମନସ୍ତତ୍ତ୍ୱରୁ ତାକୁ ବାହାର କରିବା ମୁସ୍କିଲ ହେଉଛି ।ସତେଯେମିତି ନାରୀମାନେ ପଣ୍ୟଦ୍ରବ୍ୟ ପରି ବ୍ୟବହୃତ ହେଉଛନ୍ତି ।ଏକଥା କଣ କେହି ଅସ୍ୱୀକାର କରିପାରିବ ?ସମାଜର ଗୋଟିଏ ମୁଖ୍ୟ ଅଙ୍ଗ ନାରୀର ଏ ଦୁରାବସ୍ଥା ପାଇଁ ଦାୟୀ କାହାକୁ କରାଯିବ ?ମନୋଜବାବୁ ବିଚଳିତ ହୋଇ କହିଲେ ଯେତେ ଯାହା ହେଉ ,ନାରୀଟିଏ ଆଉ ପୁରୁଷ ଉଭୟଙ୍କ ପାଇଁ ସୃଷ୍ଟି ଆରମ୍ଭ ଆଉ ଶେଷ ତାହାର ବିକଳ୍ପ କାହିଁ?