।।ବିଜୟ ଅଟ୍ଟାହାସ୍ୟ।। ××××××××××
।।ବିଜୟ ଅଟ୍ଟାହାସ୍ୟ।। ××××××××××
ବୈକୁଣ୍ଠରେ ବିଚାର ଚାଲିଛି । ମହାଦେବ ଆଉ ବ୍ରହ୍ମା ନିଜନିଜର ଲୋକ ଛାଡ଼ି ନିଜନିଜର ଗଣମାନଙ୍କ ସହିତ ଆଜି ବିଷ୍ଣୁଲୋକରେ ସମବେତ । ଦେବରାଜ ଇନ୍ଦ୍ର ଦେବତାମାନଙ୍କ ସହ ସପରିବାରେ ବୈକୁଣ୍ଠରେ ପହଞ୍ଚିଛନ୍ତି । ବିଚାର ଚାଲିଛି ଜମ୍ବୁଦ୍ୱୀପରୁ ଆସିଥିବା ଉତ୍କଳ ପ୍ରଦେଶର କିଛି ଫେରାଦିମାନଙ୍କ ଫେରାଦର । ସମସ୍ତେ ଗମ୍ଭୀର ।
ମାତା ଲକ୍ଷ୍ମୀ ମାତା ପାର୍ବତୀ ଆଉ ମାତା ସରସ୍ୱତୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଫେରାଦୀମାନଙ୍କ ଗହଣରେ ବସିଛନ୍ତି । ସମସ୍ତ ଯୋଗୀ ଆଉ ମହା ଋଷି ମାନେ ବି ବୈକୁଣ୍ଠର ନ୍ୟାୟ ଜାଣିବା ପାଇଁ ଉତ୍ସୁକତାରେ ପହଞ୍ଚି ସାରିଲେଣି ନିଜ ଚେଲା ଚାମଣ୍ଡାମାନଙ୍କ ସହିତ । କେହିକେହି ପହଂଚୁଛନ୍ତି ଏଇନେ ।
ନାରଦ ମୁନି ହଠାତ ପହଞ୍ଚିଗଲେ ତାଙ୍କର ବୀଣା ଧ୍ୱନିରେ ସେଠାର ନିରବତାରେ ବାଧା ଉତ୍ପନ୍ନ ହେଲା ନାରାୟଣ ନାରାୟଣ ଧ୍ୱନି ଗୁଞ୍ଜରିତ ହେଲା ବାତାବରଣରେ । ସମସ୍ତଙ୍କୁ ଥରେ ଥରେ ଆଖି ଲଖେଇ ଦେଖିଲା ପରେ ନାରଦ ମୁନି ଫେରାଦୀ ମାନଙ୍କୁ ନିଜନିଜର ଫେରାଦ ବିଷୟରେ କହିବାପାଇଁ ଅନୁରୋଧ କଲେ ।
ଫେରାଦୀମାନଙ୍କ ଭିତରେ ଲାଗିଗଲା ହଟଗୋଳ । ଫେରାଦୀ ହେବା ପରିବର୍ତ୍ତେ ସେମାନେ ନିଜକୁ ଲୁଚେଇ ଦେଉଛନ୍ତି ଅନ୍ୟର ପଛରେ ଭୟରେ କାତର ହେଇ । ଜଗଜ୍ଜନନୀ ଜଣ ଜଣକୁ କୋଳେଇ ନେଇ ମନରେ ସାହାସ ଦେଉଛନ୍ତି ଅଭୟ ଦେଉଛନ୍ତି । ନିଜର ବ୍ୟଥା ଓ ନିଜପ୍ରତି ହେଇଥିବା ଅନ୍ୟାୟ ର ନ୍ୟାୟ ପାଇବା ଲାଗି ବିଚାରପତି ବିଷ୍ଣୁ ଙ୍କ ଆଗରେ ଫେରାଦି ହେବାପାଇଁ ।
ମନରେ ଦମ୍ଭଧରି ଠିଆ ହେଇଗଲେ ଜଣେ ପୂର୍ଣ୍ଣ ଯୌବନା ତରୁଣୀ । ଭୟାତୁର ହେଇ ଠିଆ ହେଇ ଚାରିପାଖରେ ନଜର ବୁଲେଇ ଆଣିଲେ । କଳାଶ୍ରୀମୁଖକୁ ଚାହିଁ କହୁଛନ୍ତି । ହେ ବଳିୟାର ଭୁଜ ମୁଁ ପିପିଲି ରୁ ଆସିଛି । କଳିଯୁଗରେ ତମେ ନିଜର ବାସସ୍ଥାନ ରୂପେ ବାଛିଥିବା ଉତ୍କଳ ପ୍ରଦେଶର ପୁରୀ ଜିଲ୍ଲାରୁ ଆସିଛି । କି ଅପରାଧ କରିଥିଲି ମୁଁ ଗୋସେଇଁ !?
.ଯୌବନ ପ୍ରାପ୍ତ ହେବା କଣ ମୋର ଦୋଷ !? ମୁଁ କଣ ଆପଣଙ୍କୁ ଯୌବନ ମାଗିଥିଲି !? ଯେତେବେଳେ ନରଭକ୍ଷୀ ମାନେ ସେମାନଙ୍କ ଶକ୍ତ ଚଞ୍ଚୁ ରେ ମୋର ଏ କୋମଳ ଶରୀରକୁ ଖିନ ଭିନ କରୁଥିଲେ ବିକଳ ହେଇ ତମକୁ ଡାକୁଥିଲି ପରା ଶୁଣି ପାରିଲନି କେମିତି ? ଓଃ .କାନ ନାହିଁ ପରା । ସେ ଆଖିରେ କେମିତି ଦେଖି ପାରିଲ ? ଅବଳାର ଏ ଦୁର୍ଦ୍ଦଶା ।
କଣ ଭାବି ପୁରୀକୁ ବାଛିଥିଲ ରହିବା ପାଇଁ ? ଏ ଦୁର୍ବଳା ଉପରେ ହେଉଥିବା ବିଭତ୍ସ ଅତ୍ୟାଚାରକୁ ବଡ଼ବଡ଼ ଆଖିରେ ଦେଖିବା ପାଇଁ !? ଦେଖିଲତ !! ମନ ଶାନ୍ତି ହେଇଗଲା ତ !!? ମଣିଷ ସୃଷ୍ଟ ଶାସନ କଳ ଆଗରେ ବି ନ୍ୟାୟ ପାଇଲିନି ମୁଁ ।
ଯାଜ୍ଞସେନୀର ଡାକ ଶୁଣି ପରା ତାତିଲା ବାଲିରେ ଲଙ୍ଗଳା ପାଦରେ ଧାଇଁ ଆସିଥିଲ ଲାଜ ରଖିବାକୁ । ମୋ ବେଳକୁ କୁଆଡ଼େ ଗଲ !? ଦ୍ଵାରିକାରୁ ହସ୍ତିନାପୁର ଆସିପାରିଲ ହେଲେ ପୁରୀରୁ ପିପିଲି ଆସିପାରିଲନି !? ବାଃ ଠାକୁରେ ବାଃ ?
କେଉଁ କାଳରୁ ଦ୍ରୌପଦୀ ନାମରେ କେହି ଜଣେ ନାରୀର ଲଜ୍ଜା ରଖିଥିଲ ବୋଲି ଯୁଗଯୁଗରୁ ସମସ୍ତ ନାରୀ ତମକୁ ଭରସା କରି ଭାସିଗଲେ ବୈକୁଣ୍ଠ ବାସୀ ଭାସିଗଲେ । ଜଣଙ୍କ ନାମରେ ନିଜର ଏମିତି ପ୍ରଚାରରେ ଆତ୍ମସନ୍ତୋଷ ମିଳୁଥିବ ତୁମକୁ ନାଇଁ । ମୋର ତୁମ ଉପରେ ଭରସା କରିବାରେ ନଥିଲା ହଟିଆ ଭୁଲ କରିଛି ମୁଁ ତୁମକୁ ଭରସା କରି ରାଗରେ ଜର୍ଜରିତ ହେଇ ପିପିଲିରୁ ଆସିଥିବା ଅଭିଯୋଗକାରିଣୀ କହୁଛନ୍ତି
କୁରୁସଭାରେ କୃଷ୍ଣା ଯେତେବେଳେ କ୍ରୋଧରେ ଦୁର୍ଯ୍ୟୋଧନର ଅନ୍ତପୁରକୁ ଚାହିଁ ଦେଇଥିଲେ ତାଙ୍କ ଚକ୍ଷୁରୁ ସ୍ଫୁରିତ ଅଗ୍ନିରେ ଅଗ୍ନିସଂଯୋଗ ହେଇଯାଇଥିଲା ରାଜମହଲରେ । ସେ କ୍ରୋଧାଗ୍ନି କଣ କେବଳ ଜଣଙ୍କ ପାଇଁ ଥିଲା !? ଯେଉଁମାନେ ମତେ ମାଂସ ଖଣ୍ଡେ ଭାବି ଝୁଣି ଖାଇଗଲେ ସେମାନଙ୍କୁ ତମେ ପାଳନ କରୁଛ !? ପାଳନ କର୍ତ୍ତା ସାଜିଛ !? ଧିକ ତମ ପାଳିବା ପଣକୁ ସତ ଧିକ୍କାର ତମ ଅପାରଗତାକୁ ।
ପିପିଲିର ଅଭିଯୋଗକାରିଣୀ ଆଉ କିଛି ନକହି ବସିଗଲେ କ୍ରୋଧ ଜର୍ଜରିତ ଆଖିରୁ ଲୁହ ଝରାଇ । ସଭାରେ ଉପସ୍ଥିତ ସମସ୍ତେ ନିର୍ଜୀବ ପ୍ରାୟ ସ୍ଥାଣୁ ପାଲଟି ଯାଇଛନ୍ତି ଯେମିତି କେହି ତାଙ୍କୁ ମୂର୍ତ୍ତିଟିଏ କରି ଚୁପ ବସିବାକୁ କହିଛି ।
ପୂର୍ବ ଅଭିଯୋଗକାରିଣୀଙ୍କ ଅଭିମାନ ଆଉ କ୍ରୋଧଭରା ଆତ୍ମଗ୍ଲାନିର ନିଜସ୍ୱ ଦୁଃଖ ଶୁଣିବା ପରେ ଆଉ ଜଣେ ନବ କିଶୋରୀ ଅଭିଯୋଗରେ ଠିଆ ହେଇଗଲେ ନିଜର ଅଭିଯୋଗ ଜଣାଇବାକୁ । କେତେକ୍ଷଣ ବିତିଗଲାଣି କିଛି କହୁନାହାଁନ୍ତି ନାରଦଙ୍କ ଅନୁରୋଧ କ୍ରମେ ଆଖି ଟେକି ଚାହିଁଲେ ତରୁଣୀ ଜଣଙ୍କ । ଭରା କଣ୍ଠରେ କହୁଛନ୍ତି ।
ଭୋଳାନାଥ କୁଆଡ଼େ ଗଲ ଆସ ଟିକେ ମୁଁ ତମକୁ ଟିକେ ଦେଖେ ମନେ ମନେ କେତେ ନଡାକିଛି କହିଲ । ଗାଁରେ ତମ ମନ୍ଦିରରେ ସବୁଦିନ ଦୀପଟିଏ ଜାଳି ଦେଇ ଆସେ ମନେ ପଡ଼ୁଛି ନା ନାହିଁ ? ଭୋଳାନାଥ ନିରବ ମୁଣ୍ଡପାତି ନିରବରେ ଠିଆ ହେଇଛନ୍ତି ।
ପ୍ରତି ସୋମବାରରେ ଡାକେ ବାଟରୁ ପାଣି ବୋହିବୋହି ତମ ଅପନ୍ତରା ମନ୍ଦିରକୁ ସଫାକରି ଚିକ୍କଣ କରେ । ଜାଣିପାରିଲତ ମୁଁ କିଏ !? କୋରାପୁଟର କୁନ୍ଦୁଲିରୁ ଆସିଛି ମୁଁ । ଚିଲେଇ ଚିଲେଇ ମୁଁ ଦୋଷୀ ବିଷୟରେ ସମାଜକୁ ଜଣେଇଲି କଣ ହେଲା !? କଣ ନ୍ୟାୟ ପାଇଲି !?
.ଭଲ ପାଠ ପଢ଼ୁଥିଲି ଭବିଷ୍ୟତକୁ ନେଇ ଆଖିରେ ଆଖିଏ ସପନ ଥିଲା ମୋର । ବାପା ମା ନିଜ ପେଟକୁ କାଟି ମତେ ପାଠ ପଢ଼ଉଥିଲେ । ମୁଁ ନିଜକୁ ଜାଣିବା ପୂର୍ବରୁ ମୋ ଉପରେ ଶାଗୁଣାମାନଙ୍କ ଦୃଷ୍ଟି ପଡ଼ିଗଲା । ଗଣମାଧ୍ୟମ ଆଗରେ ସବୁଦିନ ମୋର ବଳାତ୍କାର ହେଲା ମତେ ନ୍ୟାୟ ଦେବାପାଇଁ । ଆଉ ପାରିଲିନି ଛାଡ଼ି ଆସିଲି ସବୁ ।
ହେ ମହାଦେବ ତମେ ପରା ମାତା ପାର୍ବତୀଙ୍କର ଅପମାନକୁ ସହିନପାରି ତାଣ୍ଡବ ଆରମ୍ଭ କରିଦେଇଥିଲ ? ଆସନ୍ନ ପ୍ରଳୟକୁ ଦେଖି ଦେବମାନେ ଜୀବ ଜଗତ ତ୍ରାହି ତ୍ରାହି ଡାକ ଛାଡ଼ିଲେ । କେତେ କଣ କଲେ ତମର କୋପ ଶାନ୍ତ କରିବାକୁ । ହେ ଶଙ୍କର ମୁଁ କଣ ଝିଅ ନୁହେଁ ନା ତାଣ୍ଡବ ଭୁଲି ଗଲଣି ?
ନା ସେଇ ପିପିଲି ନାନୀ ଯାହା କହିଲେ ନିଜ ଘର ଆଉ ପ୍ରିୟ ଲୋକଙ୍କ ପାଇଁ ହିଁ କେବଳ ତମର ପାରିବା ପଣିଆ ବାହାରେ । କାହିଁକି କେଜାଣି ମୁଁ ମୋ ସରଳିଆ ମା କଥାରେ ବିଶ୍ୱାସ କରି ତମକୁ ଭରସା କରିଦେଲି ତମେ ଆସି ମତେ ରକ୍ଷା କରିବ ? ତମେ ପରା ସଂହାର କର୍ତ୍ତା ଯାହା ହଉ ଭଲ ସଂହାର କଲ । ବଞ୍ଚିଥିବା ବେଳେ ହଜାରବାର ମତେ ମାରିଲ ତାପରେ ଏଠି ଆଣି ଛାଡ଼ିଦେଇଗଲ । କୁନ୍ଦୁଲି ଝିଅ ଜଗଜ୍ଜନନୀ ମା ପାର୍ବତୀଙ୍କୁ ଚାହିଁ କହୁଛି ।
ମା ଲୋ ମହିଷାମର୍ଦ୍ଦିନୀ କୁଆଡେ଼ ଗଲା ତୋର ଶକ୍ତି !? ମୁଁ କଣ ତୋର ଝିଅ ନୁହେଁ !? ମୋର ହତ୍ୟାକାରୀଙ୍କ ରକ୍ତର ପିପାସା ତୋ ମନରେ ଆସିଲାନି କାହିଁକି !? ମା ଙ୍କ ଆଖିରେ ଆଖିଏ ଲୁହ ହେଲେ ସାନ୍ତ୍ୱନା କୁ ଶବ୍ଦ ନାହିଁ । ଆହୁରି ଅନେକ କହିବାକୁ ଚାହୁଁଥିଲା ସେ ହେଲେ ପାରିଲାନି ଚିତ୍କାର କରି କାନ୍ଦି ଉଠିଲା ପୁଣି କିଛି ସମୟପରେ ଶିଥିଳ ହେଇ ବସିଗଲା ।
ସେ ବସିବା ପୂର୍ବରୁ ରାୟଗଡ଼ାର କାଶୀପୁରର ଶିକ୍ଷିତା ଝିଅଟି ଠିଆ ହେଇ କହିବା ଆରମ୍ଭ କଲା । ସଭାରେ ଉପସ୍ଥିତ ସମସ୍ତଙ୍କ ଉପରେ ଆଖି ବୁଲେଇ ଆଣି କହୁଛି । ମୋ ବାପା ମା ଅନେକ ତ୍ୟାଗ କରି ମତେ ପାଠପଢ଼େଇ ମାଷ୍ଟରାଣୀ କରିଥିଲେ । ମୁଁ ଚାକିରୀ ପାଇଲା ପରେ ମୋ ବାପା ମା ମୋଠାରୁ ବି ଅଧିକ ଖୁସିହେଇଥିଲେ । ମୋର କୁଆଁରୀ ମନରେ ବି ଅସରନ୍ତି ଆଶା ବସା ବାନ୍ଧିଥିଲା ।
ପୁଣି ଜଣେ କାମୁକ କାମାନ୍ଧର ଲୋଲୁପ ଦୃଷ୍ଟି ମୋର ଏଇ ଜୈବିକ ଶରୀର ଉପରେ ପଡ଼ିଲା ଆଉ ମୋର ଆତ୍ମା ବିକଳ ହେଇଉଠିଲା । ଚିତ୍କାର ପରେ ଚିତ୍କାର କରିଚାଲିଲି । ପୁରା ଓଡ଼ିଶାରେ ଚହଳ ପଡ଼ିଗଲା . । କେତେ ସମବେଦନା କେତେ ଦୟା ଅଜାଡ଼ି ହେଇ ପଡ଼ିଲା ମୋ ଉପରେ ଏସବୁ ସେମାନେ ମତେ ନ୍ୟାୟ ଦେବାକୁ କରିନଥିଲେ ଏସବୁ ତ ସେମାନେ ନିଜ ନିଜର ପରିଚୟ ସୃଷ୍ଟି କରିବାକୁ କରିଥିଲେ ।
ବୋଉ ମୋର ଗୁମୁରୀ ଗୁମୁରୀ କାନ୍ଦୁଥିଲା ହେଲେ ବାପା .ବାପା ବଞ୍ଚି ଥାଉଥାଉ ଶବଟିଏ ପାଲଟି ଯାଇଥିଲେ । କୁଆଡ଼େ ଗଲ ସୃଷ୍ଟି କର୍ତ୍ତା ବ୍ରହ୍ମା ? ବଢ଼ିଆ ବିଚିତ୍ର ଆଉ ନିଆରା ତମର ସୃଷ୍ଟି ବାଃ !? ଏମିତି ସୃଷ୍ଟି ନକରିଥିଲେ ଆପଣଙ୍କ ମହତ୍ତ୍ୱ ରହିଥାନ୍ତା କେମିତି ? ତମେ ମୋର ବି ସ୍ରଷ୍ଟା କାଇଁ ତମ ମୁହଁରେ ତ ଲେଶମାତ୍ର ଦୁଃଖ ଦେଖାଯାଉନି ।
ଶୁଣିରଖ ଆମର ଏ ବୈକୁଣ୍ଠ ଦରକାର ନାହିଁ । ଆମମାନଙ୍କ ଦହିତ ଆତ୍ମାକୁ ଯଦି ଶାନ୍ତ ନକରିପାରିବ ତାହେଲେ ବନ୍ଦ କର ଏ ଫାର୍ସ । ରାଗରେ ଫଁ ଫଁ ହେଇ ଝିଅଟି ବସିଗଲା ।
.ତାପରେ ରାଉରକେଲାରୁ ଜଣେ ଝିଅ କହିବା ଆରମ୍ଭ କରୁଛନ୍ତି । ଆରେ ଏମାନେ କଣ ନ୍ୟାୟ ଦେବେ ମୁଁ ପରା ନିଜେ ଲୋକଙ୍କୁ ନ୍ୟାୟ ଦେବାପାଇଁ ନ୍ୟାୟ ବିଭାଗରେ ଚାକିରୀ କରିଥିଲି । ମୋର ଶରୀରକୁ ଭୋଗ କରିଲା ପରେ ନରଭକ୍ଷୀ ମାନେ ମୋର ଶବକୁ ଅନ୍ୟ ରାଜ୍ୟରେ ପକେଇଦେଲେ । ମୋର ଶବ ସଂସ୍କାର ବି ହେଇପାରିଲାନି । କେତେ ଯାଞ୍ଚ ହେଲା ମୁଁ ମୁଁ ବୋଲି ପ୍ରମାଣିତ ହେବାପାଇଁ ।
ନ୍ୟାୟ ମିଳିବା ତ ଦୂରର କଥା ମୋ ମରଣ ପରେ ବି ସବୁ ଦୋଷ ଆଉ ଲାଂଛନ ମୋ ଉପରେ ଲାଗିଲା । ମୁଁ ନିଜେ ତ ନ୍ୟାୟ ପାଇଲିନି ଏମାନେ କେମିତି ପାଇବେ । ହେ ପଡ଼ିଦାତ୍ରୀ ସାଗର ଦୁଲଣୀ ମା କମଳା ତୋର ଏ କି ବିଚାର ଯିଏ ଏମିତି ଘୃଣ୍ୟ ଅପରାଧରେ ଲିପ୍ତ ସେମାନଙ୍କ ଘରେ ତୋର ଧନଲକ୍ଷ୍ମୀ ରୂପରେ ବାସ ହେଉଛି ।
ଆଉ ଶାରଦେ ତମେ ସବୁ ମାନ ସମ୍ମାନ ଅଜାଡ଼ି ଦେଉଛ ସତେ ଯେମିତି ସେମାନେ ଦୁର୍ଲଭ ବିଦ୍ୱାନ ମାନେ । ସେମାନେ ତ ଯାହା ରାକ୍ଷସ କର୍ମମାନ କଲେ ତାଙ୍କ ପ୍ରକୃତି ନେଇ । ହେଲେ ତମମାନଙ୍କର ସେମାନଙ୍କୁ ଏ ଅଯାଚିତ କୃପାବର୍ଷାରେ ଆମେମାନେ ବାରମ୍ବାର ମରୁଛୁ । ଏ କି ପ୍ରକାରର ନ୍ୟାୟ କମଳିନୀ !!? କୁହ ଶାରଦେ ଚୁପ କାହିଁକି !?
ଏ ଭିତରେ ଚିତ୍କାର କରି କାନ୍ଦି ଉଠିଲା କୁନି ଝିଅଟିଏ । ସେଠାରେ ଉପସ୍ଥିତ ସମସ୍ତେ ଏକଲୟରେ ସେ ଝିଅଟିକୁ ଦେଖୁଛନ୍ତି । କାନ୍ଦୁଛି ଯେ କାନ୍ଦୁଛି ରାହା ଧରି । ପାଟି ଫିଟିନି ତାର କଣ ବା କହିବ ଝିଅଟି ?
ସମସ୍ତେ ଏକ ମୁଖ ହେଇ ବାକଦେବୀଙ୍କୁ ଚାହିଁଲେ କୁନି ଝିଅଟିର କ୍ରନ୍ଦନରୁ ବାହାରୁଥିବା ଧ୍ୱନିକୁ ବାଣୀରେ ପରିଣତ କରି ଅନ୍ୟମାନଙ୍କୁ ବୁଝେଇବାକୁ । ବାଗ୍ଦେବୀ ସେ ଛୁଆଟିର କ୍ରନ୍ଦନରେ ଥିବା ଭାଷାକୁ ବୁଝି ଅଶ୍ରୁବିଗଳିତ ହେଇଗଲେ । ଝିଅଟି ମାଆ ଅକ୍ଷଧାରିଣୀଙ୍କୁ ପଚାରୁଛି ମା ମୋ ପାଖରୁ କଣ ପାଇଲା ସେ କାମାସକ୍ତ ଅମଣିଷ ଟିଏ ?
ଶିଶୁ ପରା ନିଷ୍ପାପ ଦେବୀ ସମାନ । ହେଲେ ଏପରି ଶକ୍ତିହୀନ ଦେବୀ ହେବାର କଣ ଲାଭ !? କାନ୍ଦି କାନ୍ଦି ମୁଁ ଶିଥିଳ ହେଇଯାଇଥିଲି ମାତ୍ର କେଇଟା ମୁହୂର୍ତ୍ତରେ । କିନ୍ତୁ ସେ କାମାନ୍ଧ ପଶୁ ମତେ ଛାଡ଼ିଲାନି । ଝିଅଟି ଆହୁରି ଜୋରରେ କାନ୍ଦି ଉଠିଲା ବାଗ୍ଦେବୀ ଏଥର ଅଥୟ ଚକ୍ଷୁ କ୍ରୋଧାସିକ୍ତ ଖର ନିଶ୍ୱାସ ।
ଏତିକିବେଳେ ସେ କାଶୀପୁରର ଝିଅ କହୁଛି । ହେ ମା ଲକ୍ଷ୍ମୀ ମା ପାର୍ବତୀ ମା ସରସ୍ୱତୀ ଏ ଧର୍ଷଣକାରୀମାନଙ୍କର ଏମିତି ଆଉ କଣ ମହାନତା ଅଛିଯେ ତମେ ସମସ୍ତେ ସେମାନଙ୍କ ଉପରେ ଅନବରତ କୃପା ବର୍ଷା କରିଚାଲିଛ ? କି ପ୍ରକାରର ପ୍ରାରବ୍ଧ କି ସେମାନଙ୍କର ?
କିନ୍ତୁ କୁନି ଝିଅଟିର କାନ୍ଦଣାରେ ସେ କାଶୀପୁର ଝିଅର କଥା ଅସ୍ପଷ୍ଟ ହେଇଗଲା । କୁନିଝିଅ କଣ କହୁଛି ସମସ୍ତଙ୍କ ମନରେ ଜାଣିବାକୁ ଉତ୍ସୁକତା । ବାଗ୍ଦେବୀ ଉଚ୍ଚ ସ୍ୱରରେ କହି ଉଠିଲେ ପ୍ରତିଶୋଧ ।
.ଆକାଶରେ ଘୋଟି ଆସିଲା କଳାମେଘି ବାଦଲ ଚତୁର୍ଦିଗ ଅନ୍ଧକାର ହେଇ ଆସିଲା । କିନ୍ତୁ ଅଭିଯୋଗକାରିଣୀମାନଙ୍କ ମନରେ କୌଣସି ପରିବର୍ତ୍ତନ ଆସିଲାନି । ସେ ରାଉରକେଲା ର ଝିଅ କହୁଛି
.କଣ ପ୍ରତିଶୋଧ ନେବେ ଏମାନେ ? ବଞ୍ଚିଥିଲାବେଳେ ତ କିଛି କରିପାରିଲେନି ଏବେ ଅଭିନୟ ଦେଖେଇଲେ ଯେମିତି ଆମ ଉପରେ ଅତ୍ୟାଚାର ହେଉଥିଲାବେଳେ ଲୋକଙ୍କର ଏକ ନୂଆ ଭେଳିକି ମହମବତୀ ଯାତ୍ରା ।
ଚିଲେଇବେ ସ୍ଲୋଗାନ ଦେବେ ଦଳୀୟ ବ୍ୟାନର ଟଙ୍ଗେଇ ପ୍ରହସନ କରି ଚାଲିଯିବେ । ସେଥିରେ ପୁଣି ଧର୍ଷିତା ର ଧର୍ମ ନିରୂପଣ କରି ଅନ୍ୟ କେଉଁ ଧର୍ମକୁ ଆଙ୍ଗୁଳି ଦେଖେଇବେ । କିଏ ଏମିତି ନ୍ୟାୟ ଦେବାକୁ ଆସିବ ମ ? ତମମାନଙ୍କର ଏ ପ୍ରହସନ ବି ବନ୍ଦ କର ।
ସଭାରେ ଖେଳିଗଲା ନିରବତା ନିଶ୍ୱାସର ସାଇଁ ସାଇଁ ଶବ୍ଦ ଛଡ଼ା ଆଉ କୌଣସି ଶବ୍ଦ କାହାରି ମୁହଁରୁ ବାହାରୁନି ନା ସାନ୍ତ୍ବନାର ନା ନ୍ୟାୟର । ବୈକୁଣ୍ଠ ବିହାରୀଙ୍କ ହସ ହସ ମୁହଁ ବି ବିଷର୍ଣ୍ଣ ଦେଖାଯାଉଛି । ସେ ବି ଗାଢ଼ ଚିନ୍ତାରେ କଣ ନ୍ୟାୟ ଦେବେ ?
ସବୁ ଦୋଷ ତାଙ୍କର ବୋଲି କହୁଛନ୍ତି ସମସ୍ତେ । କିଛି କ୍ଷଣ ଭାବି ଲକ୍ଷ୍ମୀପତି କହୁଛନ୍ତି ହେ ମୋର ପ୍ରିୟ
.ପିପିଲି ଝିଅ ଝପଟି ପଡ଼ି କହୁଛି ରୁହ ରୁହ ସେ ମନଲୋଭା କଥା ଆଉ କେଉଁଠି କହିବ ହେଲା ଯାହା କହିବା କଥା ସିଧା ସିଧା କୁହ ।
ସମୟର ଗୁରୁତ୍ବକୁ ବୁଝି ଶ୍ରୀଧର କହୁଛନ୍ତି ତମେ କଣ ଚାହୁଁଛ ଝିଅ ?
ଶ୍ରୀପତିଙ୍କ ପ୍ରଶ୍ନରେ ସମସ୍ତେ ସମସ୍ତଙ୍କୁ ଅନାଅନି ହେଲେ ତାପରେ ସେ ରାଉରକେଲା ଝିଅକୁ ମଙ୍ଗୁଆଳ କରି ତାଙ୍କ ଦୁଃଖ ବେଦନା ଉପଶମର ପ୍ରତିକାର ବିଷୟରେ କହିବାକୁ କହିଲେ ।
ରାଉରକେଲା ଝିଅ କ୍ରୋଧରେ ଜର୍ଜରିତ ହେଇ ଭୁଜଙ୍ଗ ସମ ଫୁତ୍କାର କରି କହୁଛନ୍ତି ହେ କାଳିଆ ସାଆନ୍ତ ଯଦି ଆମକୁ ନ୍ୟାୟ ଦେବାକୁ ଚାହୁଁଛ ତାହେଲେ ଆମକୁ ବିନା ଶରୀରରେ ଶକ୍ତି ଦିଅ । କଳାମୋହନ ତଥାସ୍ତୁ କହି ହସିଦେଲେ । ସଭା ସାଙ୍ଗ ହେଲା ସମସ୍ତେ ନିଜନିଜ ସ୍ଥାନକୁ ବାହୁଡ଼ି ଗଲେ ।
ତା ପରଦିନ ଅନ୍ଧାରିଆ ସକାଳୁ ମର୍ତ୍ତ୍ୟ ଲୋକରେ ଉତ୍କଳ ପ୍ରଦେଶର ରାଜଧାନୀ ଭୁବନେଶ୍ୱରରେ ହଜାର ହଜାର ପୁରୁଷଙ୍କ ଶବ ଗଦା ହେଇଯାଇଛି । ସେ ଶବ ଶାସନର ପ୍ରଶାସନର ସାଧାରଣ ଲାଗୁଥିବା ମଣିଷର ସବୁ ଧର୍ମର ଲୋକଙ୍କର ଶବ ସବୁ ରାଜନୈତିକ ଦଳର ଲୋକଙ୍କର ଶବ କିଛି ସମାଚାର ଚ୍ୟାନେଲ ଆଉ ସମାଚାର ପତ୍ରର ଶବ । ମହମବତୀ ଧରି ପ୍ରହସନ କରୁଥିବା ଲୋକଙ୍କର ବି ବିଭତ୍ସ ଶବ ପଡ଼ିଛି ଏଣେତେଣେ ବଳାତ୍କାର କୁ ଧାର୍ମିକ ରଙ୍ଗ ଦେଉଥିବା ଲୋକଙ୍କର ବି ଅତି ବିଭତ୍ସ ଶର୍ବମାନ ଏଠିସେଠି ପଡ଼ିଛି ।
ରାଜଧାନୀରେ ଯୁଆଡ଼େ ଚାହିଁବ କୁଢ଼କୁଢ଼ ଶବ । ପୁରା ବଡ଼ି ଭୋରରୁ ବଳାତ୍କାରୀମାନଙ୍କ ରକ୍ତରେ ଭୁବନେଶ୍ୱରର ମାଟି ରକ୍ତସ୍ନାନ କରି ସାରିଛି ।ଏସବୁ ଭିତରେ ରହି ରହି ଶୁଭୁଛି ଅଟ୍ଟାହାସ୍ୟ ଅଶରୀରିମାନଙ୍କର ବିଜୟ ଅଟ୍ଟାହାସ୍ୟ । ଦେବତାମାନେ କରିଚାଲିଛନ୍ତି ଅବିରତ ଭାବେ ପୁଷ୍ପବୃଷ୍ଟି ।
ସମସ୍ତ ମୃତ ବ୍ୟକ୍ତିଙ୍କ ମୁଣ୍ଡ ଗୋଟେ ସ୍ଥାନରେ ଠୁଳ କରାଯାଇଛି । ସମସ୍ତେ ଏକ ସ୍ୱରରେ କହୁଛନ୍ତି ସେମାନେ ଦୋଷୀ । ହେଲେ କେହି ଦେଖିପାରିନାହାନ୍ତି ତାଙ୍କୁ ଦଣ୍ଡ ଦେଇଥିବା ସେ ଅଶରୀରିମାନଙ୍କୁ । ରାଜଧାନୀର ପ୍ରତ୍ୟେକ ଗଳିକନ୍ଦିରେ ପଡ଼ିରହିଛି । ମାନବ ଶରୀରରୁ ଛେଦିତ ରକ୍ତ ଜର୍ଜରିତ ଅଙ୍ଗମାନ । କେଉଁଠି ହାତ ପଡ଼ିଛି ତ କେଉଁଠି ଗୋଡ଼ । କେଉଁଠି ଏତେ ଛୋଟଛୋଟ ତାଜା ମାଂସ ଖଣ୍ଡମାନ ପଡ଼ିଛି ଯେ ଚିହ୍ନିବା ମୁସ୍କିଲ ଏହା ମାନବ ଶରୀରର କେଉଁ ଅଂଶରୁ ଅଲଗା କରାଯାଇଛି ।
ପରଦିନ ସକାଳୁ ସକାଳୁ ଶ୍ରୀମନ୍ଦିରରେ ନୀତି ସମ୍ପନ୍ନ କରିବାକୁ ପଣ୍ଡାମାନେ ଯାଇ କଳାଶ୍ରୀ ମୁଖକୁ ଦେଖି ଆଶ୍ଚର୍ୟ୍ଯ ହେଉଛନ୍ତି । ସେ ମୋହକ ହସରେ କୁଟୀଳତା ଝଲସି ଯାଉଛି । ଭୁବନେଶ୍ୱରର ଖବର ବିଜୁଳି ବେଗରେ ପହଞ୍ଚିଲା ପରେ ସେବାୟତମାନେ ମହାପ୍ରଭୁଙ୍କ ହସର କୁଟୀଳତା ପଛରେ ଥିବା ରହସ୍ୟ ବୁଝି ଯାଇଥିଲେ ।
ପ୍ରତିଟି ମୃତ ବ୍ୟକ୍ତିଙ୍କ ହୃଦୟ ଚିରି ଲେଖାଯାଇଛି ବଳାତ୍କାରୀ । ଉପରୁ ବର୍ଷୁଥିବା ପୁଷ୍ପର ପାଖୁଡ଼ାରେ ଲେଖାଥିଲା ଲକ୍ଷେ ରାଜାର ମଉଡ଼ମଣୀ ଜଗନ୍ନାଥ ବାସ କରୁଥିବା ଉତ୍କଳ ପ୍ରଦେଶ ଏବେ ବଳାତ୍କାରୀ ଶୂନ୍ୟ । ଫୁଲର ପାଖୁଡ଼ାରେ ଲେଖାଥିବା ସେ ଶବ୍ଦକୁ ପଢ଼ି ପ୍ରତିଟି ବାପା ପ୍ରତିଟି ଭାଇ ସମସ୍ତେ ଯେଉଁମାନେ ନାରୀ ସମ୍ମାନର ବର୍ତ୍ତମାନ ସ୍ଥିତିକୁ ନେଇ ଚିନ୍ତିତ ଥିଲେ ସେ ସମସ୍ତଙ୍କ ମୁହଁରେ ନୂତନ ଆଭା ପ୍ରସ୍ଫୁଟିତ ହେଇ ଯାଇଛି ।
।।ଶରଣ ମାତେ।।
ଏହା କଳ୍ପନା ମାତ୍ର ସତରେ ଏମିତି ହୁଅନ୍ତାକି