Satyabati Swain

Tragedy

3  

Satyabati Swain

Tragedy

ବିଜୁର ନୂଆ ବର୍ଷ

ବିଜୁର ନୂଆ ବର୍ଷ

4 mins
587


ବୋଉ!!ଆଜି ନୂଆ ବର୍ଷଟାରେ ମୋତେ ମାରିଲୁ ? ବର୍ଷ ଯାକ ଏମିତି ମାରିବୁ !ସାତ ବର୍ଷ କୋମଳମତି ବିଜୁ ଆଖିରେ ଆଖିଏ ଗଙ୍ଗା ଓ ଆକାଶ ଭର୍ତ୍ତି ତାରା ପରି ଅସୁମାରୀ ପ୍ରଶ୍ନ ?

ବୋଉ ଗୁମୁରି ଫାଟି ପଡୁଥିଲା କୋହ ମୋହରେ ଘାଣ୍ଟି ହୋଇ । ଆଠ ଦିନ ହେଲା ଜିଦି କରୁଛି ଦେ ଶହେ ଟଙ୍କା ମୋ ସାଙ୍ଗକୁ ଗିପ୍ଟ ଦେବ,ଫିଷ୍ଟ୍ କରିବ ବୋଲି । ଶ ....ହେ ଟଙ୍କା..... ଦଶ କି କୋଡିଏ ନୁହେଁ ଏକା ବେଳେ ଶହେ !!

ବିଜୁ ଛୁଆଟା ସେ କି ବୁଝୁଛି ଏ ଶହେ ଟଙ୍କା ତାଙ୍କ ଘରକୁ କେମିତି ଆସେ !ଚାରିଟା ଘରେ ବାସନ ମାଜିଲେ ମାସ ଶେଷକୁ ମିଳେ ପାଞ୍ଚ ଶହ ହିସାବରେ ଦୁଇ ହଜାର ଟଙ୍କା । ଦୁଇ ହଜାର ଟଙ୍କାକୁ ପାଞ୍ଚଟା ପେଟ । ଗୋଡ କଟା ସ୍ୱାମୀ । ମାଦଳ ପରି ଘରେ ବଇଛି ଆଜକୁ ପାଞ୍ଚ ବର୍ଷ ହେବ । ବସିବା ,ଶୋଇବା,ଖାଇବା ଛଡା ଆଉ କେଉଁ କାମକୁ ନୁହେଁ । ଅଟୋଟାଏ ଚଲାଇ ଭଲରେ ଚଳାଉଥିଲା ଘର ସଂସାର । ବସିବା ଲୋକର ଖାଲି ଖାଇବା ଚିନ୍ତା । ଭାଷା ଅଭାଷା କହୁଥିବ ସବୁବେଳେ ।

ବସି ବସି ମନ ହୃଦୟ ତାର ରୋଗାକ୍ରାନ୍ତ ହୋଇ ଗଲାଣି । ବୁଲି ସଫା ଟପା ହେଲେ ସହି ପାରେନି ତା ସ୍ବାମୀ । କାରଣ ପୁରୁଷ ପଣିଆ ଜାହିର କରି ପାରେନି ବିକଳାଙ୍ଗ ହେତୁ ଯେଣୁ । ସେ ଭାବେ ମୁଁ କେଉଁ ପର ପୁରୁଷ ପାଖେ ଦେହ ସୁଖ ମେଂଟେଇବା ପାଇଁ ସଫା ଟପା ହୁଏ । ବୟସ ଟା ଓ ରୂପଟି ବି ମୋର ସେମିତି । କେତେ ଭୋକିଲା ଆଖିରୁ ନିଜକୁ ସୁରକ୍ଷିତ ରଖିବାକୁ ଲହୁ ଲୁହାଣ ହୋଇ କଲବଲ ହେବାକୁ ପଡିଛି । ଛନ୍ଚାଣ ଝାମ୍ପରୁ ସୁରକ୍ଷିତ ରଖିଛି ।

ଯେଉଁ ସ୍ତ୍ରୀ ର ପୁରୁଷ ଅକାମୀ ଅଚଳ ଗାଡି ପରି ଘରେ କୋଣେ ପଡିଥାଏ,ତା ନହୁଲି ବୟସୀ ସୁନ୍ଦରୀ ସ୍ତ୍ରୀ ଦୁଃଖ ଅତି ଭୟଙ୍କର । ସୁରକ୍ଷା ଦେବାକୁ ତା ନିଜ ପୁରୁଷ ଅକ୍ଷମ ଜାଣି ଏ ସମାଜର,ଶାଗୁଣା,ଶାର୍ଦୁଳ ଝୁଣି ପକାଇବାକୁ ଝାମ୍ପି ପଡନ୍ତି । ବଞ୍ଚିବା ହାରାମ କରି ଦିଅନ୍ତି । ଦେହ,ଦାହ,ଦହନରେ ମରି ମରି ବଞ୍ଚେ ଗରିବ,ଦିବ୍ୟାଙ୍ଗ ହୋଇଥିବା ସ୍ୱାମୀର ସ୍ତ୍ରୀ । ବାହାରକୁ ବାହାରିଲେ ସଫା ଟପା ନିହାତି ଆବଶ୍ୟକ ସେ କଥା ସ୍ବାମୀଟି ବୁଝି ଅବୁଝା ହୁଏ । ଭୟ ହୁଏ ତା ଭାଗର ସୁଖ କାଳେ ଆଉ କିଏ ଭୋଗିବ ବୋଲି । ସେଇ ପାଇଁ କିଛି ନ କରି ପାରିବା ପଣ ତାକୁ ତତାଏ,କୁହୁଳାଏ । ବିଚରା ପୁରୁଷ ଟି ଖାଲି ଜୁଳୁ ଜୁଳୁ ଚାହେଁ ଯାହା ।

କିନ୍ତୁ ପୁରୁଷ ଟି କି ଜାଣେ---- ବାସନ ମଜାଳି,କାମବାଲୀ ଅପରିଷ୍କାର ହେଲେ କେଉଁ ବାବୁ ବାବୁଆଣୀ କାମ ଦେବେନି ଅସନି କହି------ । ତା ଛଡା ମୋ ପାଖେ ଆଉ ତ ମନ ନାହିଁ,ଦେହ ସୁଖ ଲୋଡିବ କିଏ ?ମୋ ସ୍ୱାମୀର ଗୋଡ଼ କଟା ହେବା ଦିନୁ ମୁଁ ତ ଭିତର ମନଟାକୁ କାଢି ଫିଙ୍ଗି ଦେଇଛି । ସୁନ୍ଦରୀ ଅଟୋ ଡ୍ରାଇଭର ବୁଲି ମରି ସାରିଛି ଯେଉଁ ଦିନ ମୋ ସ୍ୱାମୀର ଗୋଡ଼,ହାତ କଟା ଗଲା । ଯେଉଁ ବୁଲି ବଞ୍ଚିଛି ସେଇଟା କାଠ ଖଣ୍ଡେ । ସେଥିରେ ଭାଵ ପ୍ରବଣତା ଆସିବ କେଉଁଠୁ ?

ସ୍ୱାମୀର ଗୋଟିଏ ବଦ ଅଭ୍ୟାସ ପାଇଁ ତ ସବୁ ଓଲଟ ପାଲଟ ହୋଇଗଲା । ପେଟେ ଦେଶୀ ବୋତଲ ଠୁଙ୍କି ଅଟୋ ଚଲାଉଥିଲା ବେଳେ ଧକ୍କା ହେଲା । ଦିଇଟା ଯାକ ଗୋଡ଼ ଆଣ୍ଠୁ ଠାରୁ କଟା,ଗୋଟିଏ ହାତ ଅକାମୀ । ସେବେଠୁ ଘର ଚଳାଉଛି ବୁଲି,ବିଜୁର ବୋଉ । ଘରେ ଦିଇଟା ଝିଅ ଛୁଆ । ବଡଟି ବିବାହ ଯୋଗ୍ୟ ହେଲାଣି । ଛକ ଛତରା ପାନ ଦୋକାନୀଟିର ଆଖି ତା ଝିଅ ଉପରେ । ଆଜି କାଲି ଯାହା ଯୁଗ କେମିତି ବଢିଲା ଝିଅକୁ ଘରେ ରଖି ଗରିବ ଗୁରିବା ବଞ୍ଚିବା କି ମୁସ୍କିଲ । ବୁଲି ଡରି ମରି ଜୀଉଁଛି ଆଜିକାଲି । ପାଞ୍ଚଟି ପେଟକୁ ଆଳୁ ଚକଟା ଭାତ ଯୋଗାଇବା ଅତି କଷ୍ଟ ହେଉଛି । କାରଣ ପିଲା ମାନେ ବଢ଼ିବା ଶହ ଫେଟ,ପୋଷାକ ବି ବଢୁଛି । କମୁଛି କିନ୍ତୁ ବୁଲିର ଦମ୍ଭ------ ।

ଇଚ୍ଛା କରୁଛି ଆଉ ଗୋଟେ ଦୁଇଟା ଘରେ ବାସନ ମାଜିବାକୁ । କିନ୍ତୁ ଆଉ ସେ ପାରୁନି । ପେଟରେ ଆଜିକାଲି ସବୁ ବେଳେ ଯନ୍ତ୍ରଣା । ସରକାରୀ ଡାକ୍ତରଖାନାରେ ପରୀକ୍ଷା କଲା ପରେ ଜଣା ପଡ଼ିଛି ତା ୟୁଟ୍ରସରେ କଣ ସମସ୍ୟା । ସେଇଟା କାଢ଼ିବାକୁ ପଡିବ । ନଚେତ ଆଗକୁ ଅଧିକ ଜଟିଳ ହୋଇ ପାରେ..... ପଇସା ଅଭାବରୁ ହୋମିଓପ୍ୟାଥିକ ଔଷଧ ଖାଉଛି ସେ ।

ଏକଥା ଜଣାଇନି କାହାକୁ । କାହାକୁ ଜଣାଇଁବ !!ଛୁଆ ତିନିଟାକୁ; ନା ଅହରହ ବିଛଣାରେ ପଡିଥିବା ସ୍ୱାମୀଙ୍କୁ !

ବୁଲି ବୁଝିପାରେନି ଏ ଗରିବ ଗୁରୁବାଙ୍କ କପାଳରେ ଷଠିଦୁତି ଏତେ ଦୁଃଖ ଯନ୍ତ୍ରଣା ଲେଖିଥାନ୍ତି କାହିଁକି !

କାହିଁକି ଥାଏ ଏମାନଙ୍କ ଭାଗ୍ୟରେ ଖାଲି ଦୁଃଖ ଓ ରୋଗ !!

ଦୁନିଆଁରେ କେତେ ଆଲୁଅ,କେତେ ଖୁସି । ମାତ୍ର କିଏରେ ତୁ ବିଶ୍ବନିଆନ୍ତା; ବୁଲି ପରି ସଂସାରରେ ଖାଲି ଅଭାବ, ଦୁଃଖ,ରୋଗର ଅନ୍ଧାର ଖୁନ୍ଦି ଖୁନ୍ଦି ଭରିଛୁ !

ବୁଲି ନିତି ସନ୍ଧ୍ୟା ସକାଳେ ଠାକୁରଙ୍କୁ ଡାକେ"ହେ ପ୍ରଭୁ ଛୁଆ ଗୁଡ଼ା ଟିକେ ଠେକ ହେବା ଯାଏ ମୋତେ ବଞ୍ଚାଇ ରଖ । ଅଣେ ବଣେ ବଢିଲା ପରି ବଢି ଯାଆନ୍ତୁ । ମୂଲ ଲାଗି ଫୁଲ ଗୁନ୍ଥି ବଞ୍ଚିବେ ତ..... ସ୍ୱାମୀ ପାଇଁ ବେଶୀ ଚିନ୍ତା । କେଉଁ ନାରୀ ଯାହା କେବେ ବି ନ ଚାହେଁ ସେଇ ଇଛାଟି ବୁଲି କରେ । ସବୁ ନାରୀ ଚାହାନ୍ତି ସ୍ୱାମୀଙ୍କ ଆଗେ ଶଙ୍ଖା ସିନ୍ଦୁର ନେଇ ମଶାଣୀକୁ ଯିବାକୁ । ମାତ୍ର ବୁଲି ଚାହେଁ ଓଲଟା । ମୋ ଆଖି ଆଗରେ ସ୍ବାମୀ ପର ପାରିକୁ ଚାଲି ଯାଆନ୍ତେ କି ??------ଏପରି କରୁଣ ଇଚ୍ଛାଟିଏ ବୁଲିକୁ ଅହରହ ଦଂଶେ । ଏ ଇଚ୍ଛାଟି ତା ହୃଦୟ ତନ୍ତ୍ରୀକୁ ଦୋହଲାଇ ଦିଏ ।

ଭାବେ ମୁଁ ଯଦି ଆଗ ଚାଲିଯାଏ,କିଏ ତାଙ୍କ ସେବା କରିବ !ଗାଧୋଇ ଦେବ,ଝାଡା ପରିସ୍ରା ପୋଛିବ । କିଏ ଦେବ ତାଙ୍କ ପେଟକୁ କନା !!ତା ଆଗକୁ ଆଉ ଚିନ୍ତା କରି ପାରେନି ବୁଲି..........ତେଣିକି ଚିନ୍ତା କରିବାକୁ ତାକୁ ଭୟ ଲାଗେ ।

ଏମିତି ନିଅଁଣ୍ଟିଆ ଜୀବନରୁ,ପେଟରୁ କାଟି ସେ ଶହେ ଟଙ୍କା ପୁଅକୁ ଦେଇ ପାରିବକି !!ସେଇ ଶହେ ଟଙ୍କାରେ ଟିକେ ତେଲ କୋବି ଆଣିଲେ ପୁରା ପରିବାର ନୂଆ ବର୍ଷ ପାଳିବେ ସିନା ସଭିଙ୍କ ପାଟିରେ କୋବି ପକୁଡି ଟିକେ ବାଜିବ !!

ବୁଲି ଭାବେ ଏଇ ରଜ,ଦଶହରା,ନୂଆ ବର୍ଷ ପରି ଭଲମନ୍ଦ ଦିନ ଗୁଡିକଆସେ କାହିଁକି କେଜାଣି । କଣ ବୁଲିମାନେ ତାଙ୍କ ଛୁଆ ପୁଅ ବିଜୁମାନଙ୍କୁ ମାରିବାକୁ !!

କିଛି ନକରି ପାରିବା,ଏତେ ଟିକେ ଖୁସି ନ ଦେଇ ପାରିବା ଅସହାୟତା ପଣରେ ମରିବାକୁ !!

ଆହା ବିଜୁ ମୋ ଧନ ! ଛୁଆଟା---କାହିଁକି ଏତେ ଜିଦି କଲୁ ?ସବୁ ସାଙ୍ଗ ମାନେ ତାର ପିକ୍ ନିକ୍ କରିବାକୁ ଯାଉଛନ୍ତି । ମଜା ମସ୍ତି କରୁଛନ୍ତି । କେତେ କିଏ କାହାକୁ ଗିପ୍ଟ ଦେଉଛନ୍ତି ? ପିଲା ମନ ଭୁଝିବା ବୟସ ହୋଇନି । ସେ ବା କଣ ବୁଝିବ !ବିଜୁ ଟା ବହୁତ ସୁନ୍ଦର ଚିତ୍ର କରେ । ଏଲି ପ୍ରଧାନ ବାବୁଙ୍କ ଝିଅ ବିଜୁକୁ ଷାଠିଏ ଟଙ୍କାର ରଙ୍ଗ ବାକ୍ସ ଟିଏ ଦେଇଛି । ବିଜୁର ଏକା ଜିଦ୍ ସେ ଏଲି ମାଙ୍କୁ କଣ ଗୋଟେ ଗିପ୍ଟ୍ ଦେବ ।

ବୁଲି କୋହରେ ଫାଟି ପଡ଼ିଲା । ମା ମନ ବୁଝିଲା ନାହିଁ । ଅଭାବୀ ସଂସାର ବୋଲି ସିନା !!ସେ କଣ ଚାହେଁ ନାହିଁ ତା ଛୁଆ ହସନ୍ତୁ, ଖୁସି ହୁଅନ୍ତୁ । କେତେ ମାଇଲା ପୁଅଟାକୁ ! । ବିଜୁରେ....ଏ ବିଜୁ.....କୁଆଡେ ଗଲୁ ଧନ !ବାପାଟା !ଆଇଲୁ ରାଜା ।

ଖୋଜି ଖୋଜି ଗଲା ବୁଲି । ବିଜୁ ବାଡ଼ି ପିଣ୍ଢାରେ କାନ୍ଦି କାନ୍ଦି ଶୋଇ ପଡ଼ିଛି । ବିଜୁର ଗାଲ ଛୁଉଁ ଲୁହ ଦୁଇ ଧାର ଭେଦିଛି ମାଟି । ମୁହଁରେ ଶୁଖିଲା ମଉଳା ଛିଟା ।

କୋଳେଇ ନେଲା ବୁଲି ତା ଧନକୁ । କାନିରୁ ଫିଟାଇ ଶହେ ଟଙ୍କା ଗୁଞ୍ଜି ଦେଲା ତା ହାତରେ । କାଲି ହୋମିଓପ୍ୟାଥିକ ଔଷଧ ନିଜ ପାଇଁ ଆଣିବାକୁ ରଖିଥିଲା । ହେଉ ପଛେ କଷ୍ଟ ଏ ମାସରେ ନ ଖାଉ ପଛେ ୟୁଟ୍ରସ ପାଇଁ ଔଷଧ, ବିଜୁ କିନ୍ତୁ ନୂଆବର୍ଷ ଫିଷ୍ଟ୍ କରୁ,ଗିପ୍ଟ୍ କିଣୁ ।

ଇସ୍!!କଣ ଦେଖିବ....ବିଜୁ ମୁହଁରେ ସତେକି ଦୁନିଆଁ ଯାକର ଖୁସି ନେସି ହୋଇଗଲା । ବୁଲି ଗଳା ଚାରି ପଟେ ହାତ ଛନ୍ଦି ବିଜୁ ବୁଲି ଗାଲରେ ଆଙ୍କି ଦେଲା ଚୁମା ପରେ ଚୁମା ଏବଂ ହେ.. ଏ.. ଏ.. ଏ..କହି ମାଇଲା ଗୋଟିଏ ଡିଆଁ........

ସତ୍ୟବତୀ ସ୍ୱାଇଁ,ମୀନୁ,

ବାଲିକୁଦା,ଜଗତସିଂହପୁର*


Rate this content
Log in

Similar oriya story from Tragedy