ବିଜ୍ଞାପନ
ବିଜ୍ଞାପନ
ରାଜ୍ୟର ସର୍ବାଧିକ ବହୁଳ ପ୍ରସାରିତ ଖବରକାଗଜର ପ୍ରଥମ ପୃଷ୍ଠାରେ ସୁବିସ୍ତୃତ ଭାବେ ଆକର୍ଷଣୀୟ ବିଜ୍ଞାପନଟିଏ ପ୍ରକାଶିତ ହୋଇଥିଲା ସେଦିନ। ଆଉ ଅନ୍ୟ କୌଣସି ଖବର ସେ ପୃଷ୍ଠାରେ ନଥାଏ ବିଜ୍ଞାପନ ବ୍ୟତିରେକ। ବିଜ୍ଞାପନ ମାଧ୍ୟମରେ ପ୍ରଦର୍ଶିତ ନିବେଶ ବା ଇନଭେଷ୍ଟମେଣ୍ଟ୍ ଯୋଜନାରୁ ଲାଭ ଉଠାଇବାର ଅବଧି ଖୁବ୍ ସୀମିତ ସମୟର ଥିଲା। ବେଶ୍ ଲୋଭନୀୟ ପ୍ରସ୍ତାବ! ଲାଭଜନକ ପ୍ରସ୍ତାବ! ଜୀବନ ବଦଳାଇବାର ପ୍ରସ୍ତାବ!
ପରଦିନ ସକାଳୁ ସକାଳୁ ବିଜ୍ଞାପନ ଦେଇଥିବା ସଂସ୍ଥାର ରାଜଧାନୀ ଭୁବନେଶ୍ଵରସ୍ଥିତ ମୁଖ୍ୟ ଦପ୍ତର ସମେତ ବିଭିନ୍ନ ଜିଲ୍ଲାର ମୁଖ୍ୟାଳୟରେ ଅବସ୍ଥିତ କାର୍ଯ୍ୟାଳୟମାନଙ୍କ ଆଗରେ ନାହିଁ ନଥିବା ଭିଡ଼! ଦୂର ଦୂରାନ୍ତରୁ ଧାଇଁ ଆସିଛନ୍ତି ଅଗଣିତ ନରନାରୀ, ବିଜ୍ଞାପନ କାଗଜଟାକୁ ହାତରେ ଧରି। ଅଦିନିଆ ମକର ମେଳା ଲାଗିଛି ସତେ! ସଭିଙ୍କର ଏକମାତ୍ର ଲକ୍ଷ୍ୟ କେମିତି ଆଗ ଇଏ ସୁବିଧାର ଫାଇଦା ହାସଲ କରିହେବ। ରାସ୍ତାକଡ଼ର ଠୋଲା ବରା ଦୋକାନରୁ ସଦ୍ଯ ତୈଳ ପାକ ଉଷ୍ମ ବରା କିଣି ଉଦରସ୍ଥ କରିବା ପରି ଆଗ୍ରହ ପରିଲିକ୍ଷିତ ହେଉଥାଏ। କେବଳ ଆଗ୍ରହ ନୁହେଁ ଏକରକମ ପ୍ରତିଯୋଗିତା! ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟିର ସମ୍ଭାବନା କୁ ଦୃଷ୍ଟିରେ ରଖି ଅଗତ୍ୟା ସଂସ୍ଥା ପକ୍ଷରୁ ପୋଲିସ୍ ପ୍ରଶାସନର ସାହାଯ୍ୟ ଲୋଡ଼ାଗଲା।
ଧାଡ଼ି ବାନ୍ଧି ପୋଲିସ୍ ଉପସ୍ଥିତିରେ ସମସ୍ତେ କିଣିନେଲେ ଖଣ୍ଡେ ଖଣ୍ଡେ କାଗଜ। କାଗଜ ନୁହେଁ ସେତ ସୁଖ ସମୃଦ୍ଧି ଓ ଐଶ୍ଵର୍ଯ୍ୟର ଚାବିକାଠି! ଜମିବାଡ଼ି ବିକି ଭାଙ୍ଗି ଆଣିଥିଲେ ଟଙ୍କା ଅନେକ ଲୋକ। କିଛିଦିନର ତ କଥା! ତାପରେ ଖାଲି ଟଙ୍କା ଆଉ ଟଙ୍କା, ପୁଳା ପୁଳା ଟଙ୍କା! ଲୋକଙ୍କ ଖୁସି କହିଲେ ନ ସରେ! ଭାଗ୍ୟରେ ଥିଲେ ଏମିତି ଏକ ଯୋଜନାରେ ଭାଗୀଦାରୀ ମିଳେ। ସବୁ ଅଭାବ ଅସୁବିଧା ଦୂରେଇ ଯିବ ଏଥର। କେଇଟା ଦିନରେ ସଞ୍ଚିତ ଧନ ବହୁଗୁଣିତ ହୋଇଯିବ, ହିସାବ ରଖିଲେ ବି ରହିବନି! ଉଜ୍ଜ୍ବଳ ଆର୍ଥିକ ଭବିଷ୍ୟତର ସୁନେଲି ସ୍ବପ୍ନରେ ବିଭୋର ହୋଇ କିଛି ଦିନ ବିତିଗଲା।
ଅଚାନକ ଦିନେ ପୁଣି ସେହି ବହୁଳ ପ୍ରସାରିତ ଖବରକାଗଜରେ ପ୍ରକାଶ ପାଇଲା ଗୋଟିଏ ଚାଞ୍ଚଲ୍ୟକର ଖବର ପ୍ରଥମ ପୃଷ୍ଠାରେ। ଭୂମିକମ୍ପର ତୀବ୍ର ଝଟକା ଅନୁଭବ କଲେ ସଭିଏଁ। ବିନା କୌଣସି ପୂର୍ବାନୁମାନର ଏଇ ଭୂମିକମ୍ପରେ ଧୂଳିସାତ୍ ହୋଇଯାଇଥିଲା ଅନେକ ସ୍ଵପ୍ନର ନଭଶ୍ଚୁମ୍ବୀ ଇମାରତ। କାହାର ଝିଅ ବାହାଘର ତ କାହା ପୁଅର ଉଚ୍ଚଶିକ୍ଷା। କାହାର ଦୂରାରୋଗ୍ଯ ବ୍ଯାଧିର ଚିକିତ୍ସା ତ ଆଉ କାହାର ଘର ତୋଳା, ଏମିତି ବହୁ ସ୍ଵପ୍ନ ସୁଦୂର ପରାହତ ଗୋଟିଏ ଝଟକାରେ...
ଗତଥର ଭଳି ଏଥର ମଧ୍ୟ ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା ଦପ୍ତର ଆଗରେ ଭିଡ଼। ଏ ଭିଡ଼ ବିଦ୍ରୋହର, ବିକ୍ଷୋଭର, ବିଶ୍ବାସଘାତର। କିନ୍ତୁ ଦପ୍ତରରେ ତାଲା ଝୁଲୁଥିଲା ଆଉ କର୍ମଚାରୀମାନେ ନିରୁଦ୍ଦିଷ୍ଟ ହୋଇଯାଇଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଯାଇ ପୁଲିସ୍ ଲାଠି ଚାଳନା କରିଥିଲେ, ତଥାପି ଅସଫଳତା ହାତରେ ଲାଗିଲା। ଶେଷରେ ବାଧ୍ଯ ହୋଇ ଲୁହ ବୁହା ଗ୍ଯାସ୍ ମାଡ଼ କରାଗଲା ବିକ୍ଷୋଭକାରୀଙ୍କ ଉପରେ। ଅନେକ ଛତ୍ରଭଙ୍ଗ ଦେଲେ, କେତେକ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ। କିନ୍ତୁ ମୂଳ ସମସ୍ୟା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କି ଲୋକଙ୍କ ଅର୍ଥ ଫେରସ୍ତ ପାଇଁ ପଦକ୍ଷେପ ନିଆଗଲା ନାହିଁ।
ଲକ୍ଷ ଲକ୍ଷ ଜମାକାରୀଙ୍କ କୋଟି କୋଟି ଟଙ୍କା ଲୁଟି ସଂସ୍ଥା ଉଭାନ୍। ସଂସ୍ଥାର ମାଲିକାନା ସତ୍ୱାଧିକାରୀ ବିଦେଶକୁ କରିଥିଲେ ପଳାୟନ ଆଇନର ଜାଲକୁ କାଟିଦେଇ ବେଶ୍ ସନ୍ତର୍ପଣରେ ସମସ୍ତ ବୁଦ୍ଧିମତ୍ତାକୁ ଉପଯୋଗ କରି। ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ହସ୍ତ ମୁଦି ମାହାଲ କରି ବିସ୍ତାର କରିଥିବା ବ୍ଯବସାୟିକ ସାମ୍ରାଜ୍ୟର ପତନ ଘଟିସାରିଥିଲା।
କୋର୍ଟ୍ କଚେରୀର ଲମ୍ବା ଦୌଡ଼ରେ ଜମାକାରୀଙ୍କ ବିଜୟରେ ବାଧକ ସାଜିଥିଲା ବିଜ୍ଞାପନର ସବା ତଳେ ତାରକା ଚିହ୍ନିତ ସ୍ଥାନରେ ଛୋଟ ଛୋଟ ଅକ୍ଷରରେ ଲେଖା ଯାଇଥିବା "ସର୍ତ୍ତାବଳୀ ପ୍ରଜୁଯ୍ୟ", ଯାହା ଥିଲା ସମସ୍ତଙ୍କ ବୁଝିବା ଶକ୍ତିର ବାହାରେ। ସ୍ଵଳ୍ପ ସମୟରେ ଅଧିକ ଲାଭ ପାଇବା ଆଶାରେ କେହି ବି ଜଣେ ଧ୍ୟାନ ଦେଇ ନଥିଲେ ଯେ, ଏହି ପ୍ରଲୋଭନ ବିନାଶର କାରଣ ହେବ ବୋଲି। ଲୋକଙ୍କ ପାଖରେ ଲୁହ ଗଡ଼ାଇବା ବିନା ଆଉ କୌଣସି ଉପାୟ ନଥିଲା...
* ସର୍ତ୍ତାବଳୀ ପ୍ରଜୁଯ୍ୟ :
"ମୁଁ,.................. ମୋ ନିଜର ଇଛା ମୁତାବକ ଏହି ସଂସ୍ଥାରେ ନିଜର ଅର୍ଥ ବିନିଯୋଗ କରୁଅଛି। ସମସ୍ତ ବିଷୟରେ ସମ୍ୟକ ଭାବେ ଅବଗତ ଅଛି। ଭବିଷ୍ୟତର ଅଘଟଣ ପାଇଁ କେବଳ ମୁଁ ହିଁ ଉତ୍ତରଦାୟୀ ରହିବି।"
