ପ୍ରଶାନ୍ତ କୁମାର ବେହେରା

Inspirational

4.5  

ପ୍ରଶାନ୍ତ କୁମାର ବେହେରା

Inspirational

ବିଦେଶୀ ନହେଲେ ଦେଶୀ

ବିଦେଶୀ ନହେଲେ ଦେଶୀ

9 mins
492



ନିଶା ନିବାରଣ କେନ୍ଦ୍ରରୁ ହଠାତ୍ ଫୋନ୍ କଲ୍ ପାଇ ନଖିଆ ତା' ବଡ ଭାଇ ରାଜୁକୁ କହିଲା , " ଭାଇ ଶୀଘ୍ର ବାହାରେ କଟକ ଯିବା l" 


ରାଜୁ ବି ଖୁବ୍ ବ୍ୟସ୍ତ ହୋଇ କହିଲା, " କାଇଁ କଣ ହେଲାକି ? କିଏ ଫୋନ୍ କରିଥିଲା ? " 


ନଖିଆ ତରତର ହୋଇ ପ୍ୟାଣ୍ଟ୍ ସାର୍ଟ ପିନ୍ଧୁ ପିନ୍ଧୁ କହିଲା, " ନିଶା ନିବାରଣ କେନ୍ଦ୍ରରୁ ଫୋନ୍ ଆସିଥିଲା l ଯେତେ ଶୀଘ୍ର ସମ୍ଭବ ସେଠି ପହଞ୍ଚିବାକୁ ସେମାନେ କହିଲେ l ତେଣୁ ତୁ ଶିଘ୍ର ବାହାରି ପଡ l ମୁ୍ଁ ଟ୍ରାଭେଲ୍ସ୍ ରୁ କାର୍ ମଗାଇ ସାରିଛି l ଏବେ ଆସି ଏଠି କାର୍ ପହଞ୍ଚିଯିବ l"


ରାଜୁ ଓ ନଖିଆ ଦୁଇ ଭାଇ l ବୟସରେ ବର୍ଷେ ବଡ ସାନ l ତେଣୁ ଉଭୟ ପରସ୍ପର ସହିତ ସାଙ୍ଗପରି ଚଳନ୍ତି l ତୁ ତା'ରେ କଥାବାର୍ତ୍ତା ବି ହୁଅନ୍ତି l 


ଦୁହିଙ୍କ ମନରେ ପାପ ଛୁଉଁ ଥାଏ l ଏଇ ଦୁଇ ଦିନ ତଳେ ଦୁଇଭାଇ ମିଶି ତାଙ୍କ ବାପା " ଦେବ" ଙ୍କୁ ନେଇ ଜୋର୍ ଜବର୍ଦସ୍ତି କଟକରେ ଥିବା ଗୋଟେ ନିଶା ନିବାରଣ କେନ୍ଦ୍ରରେ ଛାଡି ଆସିଥିଲେ l କଣ ଏମିତି ହେଲା ଯେ ସେମାନେ ଏମିତି ହଠାତ୍ ଡକାଇଛନ୍ତି ? 


ଦେବ ହେଉଛି ନିଶାଖୋର୍ l କିଛି ଲୋକ ନିଶା ଖାଇ ଚୁପ୍ ଚାପ୍ ରୁହନ୍ତି ତ ଆଉ କିଛି ଲୋକ ନିଶାରେ ତାଙ୍କ ପରିବେଶକୁ ହୁଲ୍ ସ୍ଥୂଲ କରନ୍ତି l ଦେବ ନିଶାଖାଇ ନିଜ ଘରପାଖର ପରିବେଶକୁ ସବୁବେଳେ ନଷ୍ଟ କରୁଥିଲା l ଦେବର ଭାଷା ଅଭଷାରେ କମ୍ପିଉଠେ ସାରା ଗାଁଆଁ l ବୟସ ବଢିବା ସଙ୍ଗେ ସଙ୍ଗେ ଦେବର ଏହି ଦୌରାତ୍ମ୍ଯ ଦିନକୁ ଦିନକୁ ବଢିବାରେ ଲାଗିଲା l କେଉଁଦିନ ସକାଳେ ତ ଆଉ କେଉଁଦିନ ନିର୍ଘାତ ଖରାବେଳେ, ପୁଣି କେଉଁଦିନ ସଂଧ୍ୟାରେ ତ ଅଉ କେତେବେଳେ ରାତ୍ରୀ ଅଧରେ ଦେବର ଭାଷା ମାନେ ଗାଁଆଁ ପବନରେ ଆତଯାତ କରନ୍ତି l ଦେବ ଗାଁଆଁ ଲୋକଙ୍କ ନାମ ନେଇ ଯେତିକି ଭାଷା ଛାଡେ ତା' ଠାରୁ ଅଧିକ ରାଜନୀତିରେ ଥିବା ନେତା ମାନଙ୍କୁ ଗାଳି ଗୁଲଜ କରେ l ସେଇ ନେତାମାନେ ସ୍ଥାନୀୟ, ରାଜ୍ୟ ସ୍ତରୀୟ କିମ୍ୱା ଜାତୀୟ ସ୍ତରର ହୁଅନ୍ତୁ ସେଥିରେ କିଛି ଯାଏ ଆସେ ନାହିଁ l ସବୁ ଦଳର ନେତାଙ୍କ ନାମ ନେଇ ଗାଳି କରେ l ସିଧା କୁହେ ," ଶଳା ରାଜ୍ୟକୁ, ଦେଶକୁ ପୁରା ଲୁଟି ଖାଇଗଲେ l ଗରିବ ଗୁରୁବା ଏଠି କଣ ପାଇବେ ? ତାଙ୍କ ପାଇଁ ତ ଆଉ କିଛି ନାହିଁ l " ଏସବୁ ଶବ୍ଦ ମାନଙ୍କ ଭିତରେ ନିୟମିତ ବ୍ୟବଧାନରେ ଅଭଦ୍ର ଭାଷା ବି ସ୍ଥାନ ପାଉଥାନ୍ତି l ସମୟ ସମୟ ତା' ଗାଳି ଗୁଲଜ ଦେଶ ବାହାରକୁ ବି ଚାଲିଯାଏ, ଅର୍ଥାତ୍ ପୃଥିବୀର ପ୍ରମୁଖ ଦେଶ ମାନଙ୍କର ନେତାଙ୍କ ନାମ ବି ତା' ମୁହଁରେ ଆସିଯାଏ l ତା' ମାନେ ଦେବ ଦେଶ ବିଦେଶର ହାଲଚାଲ୍ କଥା ସବୁ ଜାଣିଥାଏ l ଯେତେବେଳେ ନିଶାରେ ନଥାଏ, ଖବରକାଗଜ ଆଦି ପଠନ କରି ଜ୍ଞାନ ଆହରଣ କରି ଷ୍ଟକ୍ ରଖେ ନିଶା ହେଲେ ଛାଡିବା ପାଇଁ l


ଛୋଟ ବ୍ୟବସାୟଟିଏ ଥାଏ ଦେବର l ପୂର୍ବରୁ ଏତେ ନିଶାଖୋର୍ ନଥିଲା l ଅଳ୍ପ ଅଳ୍ପ ନିଶା ଖାଇ ତା' ବ୍ୟବସାୟ ବୁଝୁଥିଲା l ଏବେ ଅହରହ ନିଶା ଖାଉଥିବାରୁ ତା' ବ୍ୟବସାୟକୁ ଦୁଇ ପୁଅ ରାଜୁ ଓ ନଖିଆ ବୁଝିବା ଆରମ୍ଭ କଲେଣି l ବାପା ନିଶାଖାଇ ଘରେ ବି ବହୁତ ସମୟ ଉତ୍ପାତ କରେ l ତା' ସ୍ତ୍ରୀ କାଞ୍ଚନକୁ ମାରବାକୁ ହାତ ଉଠାଏ l ଦୁଇ ପୁଅ ଛୋଟ ଥିବା ବେଳେ କିଛି କହି ପାରୁନଥିଲେ l କିନ୍ତୁ ପରେ ମାଆ ପାଖରେ ଦୃଢ ସାହାରା ହୋଇ ଠିଆ ହେବାରୁ ଦେବ ଆଉ ତା ସ୍ତ୍ରୀ କୁ କିଛି କହିବାକୁ ବା ହାତ ଉଠାଇବାକୁ ସାହସ କରି ପାରେନାହିଁ l ଦୁଇ ଭାଇ ଦେଖିଲେ ବାପା ଅଧିକ ନିଶା ଖାଇ ଏମିତି ହେଉଛନ୍ତି ତେଣୁ ସେମାନେ ବାପା ଯେମିତି ଅଧିକ ଟଙ୍କା ନିଶା ପିଇବାକୁ ପାଇବେ ନାହିଁ ସେ ବ୍ୟବସ୍ଥା ବି କଲେ l କିନ୍ତୁ ଦେବ ଖୁବ୍ ଚାଲାକ ଥିଲା l ବିଦେଶୀ ମଦ ସିନା ଅଧିକ ମୂଲ୍ୟ ହେଲେ ଦେଶୀ ମଦ ଏତେ ଅଧିକ ଦାମ୍ ନୁହେଁ ଆଉ ସେଥିରେ ଭଲ ନିଶା ବି ହେବ l ସରକାର ଗରିବ ଗୁରୁବା ମଦୁଆଙ୍କୁ ଧ୍ୟାନରେ ରଖି ଦେଶୀ ମଦର ପ୍ରଚଳନ କରିଥିବାରୁ ଦେବ ସମୟେ ସମୟେ ସରକାରଙ୍କୁ ଦେଶୀମଦ ପିଇ ନିଶାରେ ବହୁତ ଧନ୍ୟବାଦ ବି ଦିଏ l


ଦେଶୀ ମଦ ପିଇ ପଇ ଦିନକୁ ଦିନ ଦେବର ଦୌରାତ୍ମ୍ଯ ବଢିବାକୁ ଲାଗିଲା l ଭାଷା ଅଭାଷା କଥା ଛାଡ, ନିଶାରେ କାହାକୁ ପଥର ଧରି ଗୋଡେଇଲାଣି ତ ଆଉ କାହାକୁ ବାଡି ଧରି ମାରିବାକୁ ତୟାର ହେଲାଣି l ଦେବ ଖୁବ୍ ମଜବୁତ୍ ମଣିଷଟିଏ l ଉଚ୍ଚା ଯେମିତି ଚେହେରା ବି ସେମିତି l ପଚାଶ ବର୍ଷ ଡେଇଁଲେ ବି ଯେମିତି ତିରିଶି ବର୍ଷର ଯୁବକଟିଏ l ଯାହାକୁ କୁହନ୍ତି ପୁରା ବ୍ୟାୟାମ କରା ପହିଲ୍ ମାନ୍ ଚେହେରା l ତା' ନିଶା ସହିତ ଏ ଚେହେରାକୁ ଦେଖିଲେ ଯେକେହି ଡରିବ ହିଁ ଡରିବ l କିଛି ସାଇ ପଡିଶା ଲୋକ ବି ଏଭିତରେ ଦୁଇ ଭାଇଙ୍କୁ କେଇଥର କହି ସାରିଲେଣି ଯେ, " ତମ ବାପା ସବୁବେଳେ ମଦ ପିଇ ଏମିତି ଧଣ୍ତ୍ ସଣ୍ତ୍ ହେଉଛି, ତାକୁ କଣ୍ଟୋଲ୍ ରେ କାଇଁ ରଖୁନ l ଆଉ ଯଦି କଣ୍ଟୋଲ୍ କରି ପାରୁନ ତାହେଲେ କୋଉ ନିଶା ନିବାରଣ କେନ୍ଦ୍ରରେ ନେଇ ଛାଡିଦେଉନ l " ଶେଷକୁ ସବୁ କଥା ଚିନ୍ତାକରି ଦୁଇ ଭାଇ ରାଜୁ ଓ ନଖିଆ ନିଷ୍ପତି ନେଲେ ବାପାଙ୍କୁ ଠିକ୍ କରିବାକୁ ହେଲେ ସେଇ ନିଶା ନିବାରଣ କେନ୍ଦ୍ରରେ କିଛିଦିନ ପାଇଁ ଛାଡିବା ନିହାତି ଦରକାର୍ l ଏଇ ନିଷ୍ପତି ନେବାରେ ସାନଭାଇ ନଖିଆର ହିଁ ଅଧିକ ହାତ ଥିଲା l ଘରେ ସେ ହିଁ ଏକ ପ୍ରକାର ମାମଲତ୍କାର୍ ର ଭୂମିକା ନିର୍ବାହ କରେ l ବଡ ଭାଇ ରାଜୁ ତା' ଉପରେ ହିଁ ସବୁ କଥାରେ ନିର୍ଭର କରେ l 


ଦେବକୁ ତ ବୁଝାଇ ସୁଝାଇ ନିଶା ନିବାରଣ କେନ୍ଦ୍ରକୁ କୌଣସି ମତେ ନେଇ ହେବ ନାହିଁ l ତାକୁ ଭୁଲାଇକି ବା ଯୋର୍ ଜବରଦସ୍ତି କରି ନିଆଯାଇ ପାରେ l ନଖିଆ ପ୍ରଥମେ ନିଶା ନିବାରଣ କେନ୍ଦ୍ରକୁ ଯାଇ ନିୟମ ସବୁ ବୁଝି ଯାହା ଯାହା ଆବଶ୍ଯକୀୟ କାଗଜପତ୍ରରେ ଦସ୍ତଖତ କରି ସବୁ ଫାଇନାଲ୍ କରି ଫେରି ଆସିଲା l


ତା' ପରଦିନ ସକାଳୁ ସକାଳୁ ଦୁଇ ଭାଇ ମିଶି ଦେବକୁ କହିଲେ , " ବାପା ଆମେ କଟକ ଯାଉଛୁ କିଛି କାମ ଅଛି l ଏଠି ସବୁବେଳେ ବସିଛ କାଇଁକି ? ଚାଲ ଆମ ସାଙ୍ଗରେ କଟକରୁ ଟିକେ ବୁଲି ଆସିବ l ନିଶ୍ଚୟ ଭଲ ଲାଗିବ l " ଦେବ ଦୁଇ ଭାଇଙ୍କ ମନରେ ଥିବା ଲୁକ୍କାୟିତ ଉଦ୍ଦେଶ୍ଯ ବିଷୟରେ କିଛି ଜାଣିବାର ଚାନ୍ସ୍ ହିଁ ନଥିଲା l ପୁଅ ମାନେ ଏମିତି ଖୁସିରେ ବୁଲିବାକୁ ଡାକୁଛନ୍ତି ଭାବି ବହୁତ ଖୁସିହୋଇ ବାହାରି ପଡିଲା l ସେଦିନ ସକାଳୁ ଦେବ କିଛି ନିଶା ପାଣି ନେଇ ନଥିବାରୁ ବାଟସାରା ଖୁବ୍ ଭଲ କଥାବାର୍ତ୍ତା ହୋଇ ଦୁଇ ପୁଅଙ୍କ ସହ କଟକ ଚାଲିଥାଏ l କିନ୍ତୁ କାର୍ ଯେତେବେଳେ ନିଶା ନିବାରଣ କେନ୍ଦ୍ରର ଗେଟ୍ ଭିତରକୁ ପଶିଲା ଦେବ ଗୋଟେ ସେକେଣ୍ତରେ ଦୁଇ ପୁଅ କୋଉ ଉଦ୍ଦେଶ୍ଯରେ ତାକୁ ଆଣିକି ଆସିଛନ୍ତି ଜାଣିଗଲା l କାର୍ ଭିତରୁ ଥାଇ ପାଟିତୁଣ୍ତ କରିବା ସହ କାର୍ ଡୋର୍ ଖୋଲି ଡେଇଁ ପଡ଼ିବା ପାଇଁ ଉଦ୍ୟମ ବି କଲା l କିନ୍ତୁ ଦୁଇ ଭାଇ ଓ ନିଶା ନିବାରଣ କେନ୍ଦ୍ରରେ ଥିବା କର୍ମଚାରୀମାନେ ଆସି ତାକୁ ପୁରା କାବୁ କରିନେଲେ l 


ଏ ଭିତରେ ଦେବ ଖୁବ୍ ଜୋର୍ରେ କାନ୍ଦିବା ଆରମ୍ଭ କରିସାରିଥାଏ l ବାପା କାନ୍ଦିବା ଦେଖୁ ଦୁଇ ଭାଇ ମଧ୍ୟ ଭୋ ଭୋ ହୋଇ କାନ୍ଦୁଥାନ୍ତି l ସେ ପରିବେଶ ଓ ପରିସ୍ଥିତି ଖୁବ୍ ଦୁଃଖ ଦାୟକ ନିଶ୍ଚିତ ଥିଲା l କୋଉ ପୁଅ କଣ କେବେ ଖୁସିରେ ତା' ବାପକୁ ଏମିତି ଜୋର୍ ଜବର୍ଦସ୍ତି ନିଶା ନିବାରଣ କେନ୍ଦ୍ରରେ ଛାଡିବାକୁ ଚାହେଁ ?  


ଶେଷକୁ ନଖିଆ କହିଲା, ବାପା ତମେ ଜମା‍ ବ୍ୟସ୍ତ ହୁଅନି, ତମକୁ ଏଠି ଅଳ୍ପଦିନ ଟ୍ରିଟମେଣ୍ଟ୍ କରି ଏମାନେ ଛାଡିଦେବେ l ଆମେ ଆସି ପୁଣି ନେଇଯିବୁ ।" ଦେବ କିନ୍ତୁ ସେମିତି କାନ୍ଦି କାନ୍ଦି ଦୁଇ ପୁଅଙ୍କ ଆଡକୁ ଅନେଇ କହିଲା, " ହଉ ମୋତେ ଏମିତି ଏଠି ଛାଡିଦେଇ ଯାଉଛ ଯାଅ, କିନ୍ତୁ ଦେଖିବ ଏଠୁ ମୋତେ ଆଉ ନେଇ ପାରିବନି, ମୋ ଡେଡ୍ ବଡି ନେଇକି ଯିବ l"ବାପାର ଏଇ କେଇ ପଦ କଥାରେ ଦୁଇ ଭାଇ ସେମିତି ବାଟ ସାରା କାନ୍ଦି କାନ୍ଦି ଘରକୁ ଫେରିଥିଲେ l ଘରେ ମାଆ କାଞ୍ଚନ ବି ଏସବୁ କଥା ଶୁଣି ଖୁବ୍ କାନ୍ଦିଥିଲା l ସ୍ୱାମୀ ନିଶାରେ ଯେତେ ଯାହା ଗାଳି ମନ୍ଦ କରୁ ପଛେ କିନ୍ତୁ ନିଶାରେ ନଥିବା ବେଳେ ଖୁବ୍ ଭଲ ମଣିଷଟେ ଦେବ ପାଲଟି ଯାଉଥିଲା l କେବଳ ସେଇ ନିଶାଖୋର୍ ଗୁଣ ପାଇଁ ଆଜି ଏମିତି ପରିସ୍ଥିତି ତାଙ୍କ ଘରେ ସୃଷ୍ଟି ହୋଇଛି l


ଠିକ୍ ଦୁଇ ଦିନ ପରେ ନିଶା ନିବାରଣ କେନ୍ଦ୍ରରୁ ଫୋନ୍ ପାଇ ଦୁଇ ଭାଇ ପୁଣି କଟକ ବାହାରି ପଡିଲେ l ବାଟ ସାରା ଦୁଇ ଭାଇଙ୍କ ମନରେ ବିଭିନ୍ନ ଆଶଙ୍କା ପଶୁଥାଏ l ବାରମ୍ବାର ମନରେ ପ୍ରଶ୍ନ ଉଠୁଥାଏ କି ଏଇ ଦୁଇ ଦିନ ଭିତରେ କଣ ଏମିତି ହେଲା ଯେ ନିଶା ନିବାରାଣ କେନ୍ଦ୍ରରୁ ଶୀଘ୍ର ଆସି ପହଞ୍ଚିବାକୁ କହିଲେ ?  ବାପାଙ୍କୁ ଛାଡି ଆସିବା ବେଳର ସେଇ କେଇ ପଦ କଥା ଦୁଇ ଭାଇଙ୍କ କାନ ପାଖରେ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା l ସେଇ ଶଙ୍କା ଓ ଆଶଙ୍କା ଗ୍ରସ୍ତ ମନରେ ଦୁଇ ଭାଇ ପୁରା ନୀରବି ଯାଇଥିଲେ l


ନିଶା ନିବାରଣ କେନ୍ଦ୍ରରେ ପହଞ୍ଚି ଦୁଇ ଭାଇ ଜାଣିବାକୁ ପାଇଲେ ନିକଟରେ ଥିବା ଗୋଟେ ପ୍ରଇଭେଟ୍ ହସ୍ପିଟାଲ୍ ରେ ଦେବକୁ ଆଡମିସନ୍ କରା ଯାଇଛି l ସେଠିକା ଠିକଣା ବୁଝି ଦୁଇ ଭାଇ ପୁଣି ଜୀବନ ବିକଳରେ ସେଇ ହସ୍ପିଟାଲ୍ ଅଭିମୁଖେ କାର୍ ରେ ବସି ଚାଲିଲେ l


ପ୍ରାଇଭେଟ୍ ହସ୍ପିଟାଲ୍ ରେ ଦୁଇ ଭାଇ ପହଞ୍ଚି ଯାହା ଦେଖିଲେ ପୁରା ସ୍ତବ୍ଧ ହୋଇଗଲେ l ଦେବକୁ ଦୁଇଦିନ ତଳେ ନିଶା ନିବାରଣ କେନ୍ଦ୍ରରେ ଛାଡିଲା ବେଳେ ସେ ଯାହା କହିଥିଲା ଠିକ୍ ସେଇଆ ଘଟିଥିଲା l ଦେବ ଶବ ପାଲଟି ସାରିଥିଲା l 


ନଖିଆ ସେ ନିଶା ନିବାରଣ କେନ୍ଦ୍ରରେ ସମସ୍ତ କାଗଜପତ୍ରରେ ଦସ୍ତଖତ କଲାବେଳେ ସେଥିରେ ଗୋଟେ ଅଣ୍ତରଟେକିଙ୍ଗ୍ ମଧ୍ୟ ଥିଲା l ଯେହେତୁ ନିଶାଡିମାନେ ଆସୁଛନ୍ତି ସେମାନେ ନିଜେ କେତେବେଳେ କଣ କରିବେ ବା ତାଙ୍କୁ ନିଶା ନିବାରଣ କେନ୍ଦ୍ରର କର୍ମଚାରୀମାନ ଅକ୍ତିଆର୍ କରୁକରୁ ଯଦି କିଛି ଅଘଟଣ ଘଟିଗଲା ତାହେଲେ ସେମାନେ ଆଦୌ ଦାୟୀ ରହିବେ ନାହିଁ l 


ଦୁଇ ଭାଇ ରାଜୁ ଓ ନଖିଆ ବାପା ଦେବର ଶବକୁ ସେଠୁ ଆଣି ଆସିବା ବେଳେ କିଭଳି କନ୍ଦାକଟା କରିଥିବେ , ଘରେ ଦେବର ସ୍ତ୍ରୀ କାଞ୍ଚନର ଅବସ୍ଥା କଣ ହୋଇଥିବ ଆଉ ସର୍ବୋପରି ଦେବର ବାପା ମାଆ ଯିଏକି ଗାଁଆଁରେ ଜୀବନର ଶେଷ ପାହଚରେ ପହଞ୍ଚିବା ପହଞ୍ଚିବା ହେଉଥିଲେ ସେମାନଙ୍କ ଆଖିଆଗରେ ନିଜ ପୁଅ ଏ ସଂସାରରୁ ବିଦାୟ ନେବାର ଦୃଶ୍ୟ କି ପ୍ରକାର ପ୍ରଭାବ ପକାଇଥିବ ସେକଥା ଏଠି ବର୍ଣ୍ଣନା କରିବା ଅନାବଶ୍ଯକ l ଯେଉଁମାନେ ଏ ଲେଖା ପଢିବେ ସେମାନେ ସମସ୍ତେ ନିଶ୍ଚୟ ସେଇ ସବୁ ହୃଦୟ ବିଦାରକ ଦୃଶ୍ୟକୁ ଭାବି ପାରିବେ l ଅବଶ୍ୟ ସାଇ ପଡିଶାର କିଛି ଲୋକ ଯେଉଁମାନେ ସବୁବେଳେ ଦେବର ଗାଳି ଶୁଣୁଥିଲେ ସେମାନେ ମନେ ମନେ ଖୁସି ହେଉଥିବେ ଯେ ଯାହା ହେଉ ଗୋଟେ କାଳଗ୍ରହ ସବୁଦିନ ପାଇଁ ଗଲା l ଆଉ କିଛି ବି ମନ ଦୁଃଖ କରିଥିବେ ଦେବର ଏମିତି ବୟସ ଥାଉଥାଉ ମରିବା ଖବରରେ l 


କିନ୍ତୁ ଏସବୁ ଭିତରେ ଗୋଟେ ପ୍ରଶ୍ନ ବାରମ୍ବାର ଉଠେ l ସେ ପ୍ରଶ୍ନ ହେଉଛି - ଦେବକୁ ମାରିଲା କିଏ ? ଏ ପ୍ରଶ୍ନ ଏବେ ବି ଅସମାହିତ ହୋଇ ସେମିତି ରହିଛି l ଗାଁଆଁର ଯେଉଁ ସାଇ ପଡିଶା ଲୋକ କହିଲେ ତାକୁ ନେଇ ନିଶା ନିବାରଣ କେନ୍ଦ୍ରରେ ଛାଡିବାକୁ ସେମାନେ ଦେବର ମୃତ୍ଯୁ ପାଇଁ ଦାୟୀ ହେବେ ବା ଦେବକୁ ତା' ଦୁଇ ପୁଅ ରାଜୁ ଓ ନଖିଆ ମିଶି ମାରିଦେଲେ ନା ସେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ମାନେ ମାରିଦେଲେ ?


ଏମିତି ଭିତରେ କିଛି ଲୋକ ମଧ୍ୟ ଦେବର ସାନପୁଅ ନଖିଆକୁ ଦୋଷ ଦେଇ କହିଲେ ବାପାଟାକୁ ସେଠି ନେଇ ଛାଡିଦେବାରୁ ସିନା ମଲା l ସେ ହିଁ ଦାୟୀ l ବିଚରା ବାପାକୁ ହରାଇବାର ଦୁଃଖ ସହିତ ମାରିଦେବାର ବୋଝକୁ ମୁଣ୍ତାଇ ବାପାର ମୃତ୍ଯୁ ପରର ସମସ୍ତ କର୍ମ କଲା l ସେ ବୁଝି ପରୁନଥିଲା ଏଇ ଲୋକ ମାନଙ୍କର ବଦଳି ଯାଉଥିବା ରୂପକୁ l ବାପା ଯେତେବେଳେ ଗାଁଆଁ ଦାଣ୍ତରେ ନିଶା ଖାଇ ହୁଲ୍ ସ୍ଥୂଲ କରୁଥିଲା ସେତେବେଳେ ଏମାନେ କହିଲେ ନିଜ ବାପାକୁ ଯଦି କଣ୍ଟ୍ରୋଲ୍ ରେ ରଖିପାରୁନ ତାହେଲେ ନିଶା ନିବାରଣ କେନ୍ଦ୍ରରେ ନେଇ ଛାଡ ଆଉ ଏବେ ସେଠି ଅଘଟଣ ଘଟିବାରୁ ତାକୁ ହିଁ ଦୋଷ ଦେଇ କହୁଛନ୍ତି - ବାପାଟାକୁ ନେଇ ମାରିଦେଲା l ସତରେ କି ବିଚିତ୍ର ଏ ଲୋକ ମତ ?


ଦେବର ଏକାଦଶାହ କର୍ମ ପରେ ତାଙ୍କ ବାପା ନିତ୍ୟାନନ୍ଦ ବାବୁ ଦିନେ ତାଙ୍କ ପୈତୃକ ଗାଁଆଁରୁ ଦେବର ପିଲାମାନେ ରହୁଥିବା ଘରକୁ ବୁଲି ଆସିଲେ l ତାଙ୍କୁ ୮୫ ବର୍ଷରୁ ଉର୍ଦ୍ଧ୍ବ ବୟସ ହେବ l ପୁରା ଧର୍ମବିଶ୍ୱାସ ଥିବା ଲୋକଟିଏ l ଧଳାଲୁଗା ସହିତ ଗୋଟେ ମଠା ଗାମୁଛା ହେଉଛି ଦେହର ବସ୍ତ୍ର l ମୁଣ୍ତରେ , ବେକରେ ,ହାତରେ, ନାକରେ ସବୁଠି ଚନ୍ଦନର ପ୍ରଲୋପ l ଯାହାକୁ କୁହନ୍ତି ପୁରା ଠାକୁର ବିଶ୍ୱାସୀ ଲୋକଟିଏ l ସାରା ଜୀବନ ନରାମିଶ ଓ ଅରୁଆ ଖାଉଥିବା ମଣିଷଟିଏ l ଏମିତିକା ଲୋକର ପୁଅ ହୋଇ ଦେବ କିପରି ନିଶାଖୋର୍ ହେଲା ଭାବିଲେ ଆଶ୍ଚର୍ଯ୍ୟ ଲାଗେ l 


ନିତ୍ଯାନନ୍ଦ ବାବୁ ମଧ୍ୟ ନିଜର ଦୁଇ ନାତିଙ୍କୁ ପୁଅର ଏମିତି ମରଣ ପାଇଁ କିଛି ମାତ୍ରାରେ ଦାୟୀ କରୁଥିଲେ l ଦୁଇ ଭାଇ ତାଙ୍କ ବାପାଙ୍କୁ ହରାଇଛନ୍ତି l ନିତ୍ୟାନନ୍ଦ ବାବୁ ତାଙ୍କ ପୁଅକୁ କିନ୍ତୁ ହରାଇ ଖୁବ୍ ମ୍ରିୟମାଣ ହେଉଥିଲେ l ବୋଧହୁଏ ପୁଅ ବଡ ହେଲାପରେ ବାପା କଥା ଏତେ ଚିନ୍ତା କରନ୍ତି ନାହିଁ କିନ୍ତୁ ଗୋଟେ ପୁଅ ଯେତେ ବଡ ହେଲେ ବି ବାପା ମାଆ ତା' କଥା ସବୁବେଳେ ଚିନ୍ତା କରୁଥାନ୍ତି l ନିତ୍ୟାନନ୍ଦ ବାବୁଙ୍କ ମନର କଥା ହେଉଛି - ଯେଉଁ ପୁଅ କାନ୍ଧରେ ସେ ମଶାଣୀକୁ ଯାଇଥାନ୍ତେ କିନ୍ତୁ ସେଇ ପୁଅ ତାଙ୍କ କାନ୍ଧରେ ଶେଷକୁ ମଶାଣୀକୁ ଗଲା l ଦେବ ତାଙ୍କର ବଡ ପୁଅ ଥିଲା l ସେ ଓ ତାଙ୍କ ସ୍ତ୍ରୀ ମରିବା ପରେ ମୂଖାର୍ଗ୍ନୀ ଦେଇ ତାଙ୍କ ପାଇଁ କର୍ତ୍ତା ହୋଇ ସବୁ ପାଳନ କରିଥାନ୍ତା l ପିଣ୍ତପାଣି ଦେଇଥାନ୍ତା l ସତରେ ନିଜର ପୁଅକୁ ହରାଇ ନିତ୍ୟାନନ୍ଦ ବାବୁଙ୍କ ଅନ୍ତରାତ୍ମା ଖୁବ୍ କାନ୍ଦୁଥିଲା l


ସତରେ ସେଇ ପ୍ରଶ୍ନ ଉଠୁଛୁ ବାରମ୍ବାର l ଦେବକୁ ମାରିଲା କିଏ ? ଦେବ ମଲା କେମିତି ? ଗୋଟିଏ ରେଡିମେଡ୍ ଭଲ ଉତ୍ତର ନିଶ୍ଚୟ ହେଉଛି - ଦେବକୁ ନିଶା ମାରିଦେଲା l କେତେ ଦେବ ଏମିତି ମରୁଛନ୍ତି ଆଉ ଅଗକୁ ମରୁଥିବେ ବି l କେତେ ଛୋଟ ପିଲା ବାପ ଛେଉଣ୍ଡ ହୋଇ ବୁଲୁଛନ୍ତି ଏଇ ନିଶା ପାଇଁ l ବହୁ ନାରୀ ନିଶାଖୋର୍ ସ୍ୱାମୀର ଅକାଳ ମୃତ୍ଯୁରେ କେତେ କମ୍ ବୟସରୁ ବିଧବା ହୋଇଯାଉଛନ୍ତି l ନିତ୍ୟାନନ୍ଦ ବାବୁଙ୍କ ପରି କେତେ ବାପ ନିଶା ଖାଇ ଖାଇ ମରିଥିବା ପୁଅ ମାନଙ୍କ ଶବକୁ କାନ୍ଧ ଦେଇ ମଶାଣୀକୁ ନେଉଛନ୍ତି l ଏଇ ନିଶା ଖାଇ କେଉଁଠି ନିଶାଡି ଦୁଇ ବର୍ଷର ଝିଅ ସହ ଦୁଷ୍କର୍ମ କଲାଣି ତ ଆଉ କେଉଁଠି ୭୦ ବର୍ଷର ବୃଦ୍ଧା ସହ ସେମିତି ବିକାର ଗ୍ରସ୍ତ କାର୍ଯ୍ୟ କଲାଣି l ଏ ଦୁନିଆରେ ଯେତେ ଦୁଷ୍କର୍ମ ଆଉ ହଣା କଟା ହୋଇ ହତ୍ୟା ହେଉଛି ସେସବୁ ମଧ୍ୟରୁ ପ୍ରାୟ ୯୦ ଭାଗ କେବଳ ଏଇ ନିଶା ପାଇଁ l ଏସବୁର କଣ ଅନ୍ତ ନାହିଁ ? ଏମିତି ଏ ନିଶା ଏ ସମାଜକୁ ଛିନ୍ଭିନ୍ କରି କେତେକାଳ ଚାଲିଥିବ ? 


ଏଇ ନିକଟରେ ଆମ ରାଜ୍ୟ ବିଧାନସଭାର ( ସବୁ ଦଳର କିଛି ବିଧାୟକ ମାନେ ସେଥିରେ ଅଛନ୍ତି ) ଗୋଟେ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ୍ କରିଛି ଯେ ଯେଉଁ ମଦ ଦୋକାନୀ ଅଧିକ ମଦ ବିକି ରାଜ୍ୟର ରାଜସ୍ୱ ବଢାଇବାରେ ସହାୟକ ହେବ ସେଇ ଦୋକାନୀ ମାନଙ୍କୁ ସରକାର ପୁରଷ୍କାର ଦେବା ବ୍ୟବସ୍ଥା କରନ୍ତୁ l ଅବଶ୍ୟ ରାଜ୍ୟ ସରକାର ଏଇ ସୁପାରିସ୍ ଉପରେ ଏଯାଏ କୌଣସି ନିଷ୍ପତି ନେଇ ନାହାନ୍ତି l ସବୁଆଡୁ ଏଇ ସୁପାରିସ୍ ବିରୁଦ୍ଧରେ ସ୍ୱର ଉଠୁଥିବାରୁ ସରକାର ଆଗକୁ କଣ ନିଷ୍ପତି ନେବେ ତାହା ସମୟ ହିଁ କହିବ l ଏହିଭଳି ଦୁଃଖଦ ଘଟଣାକୁ ଆମର ଦୁର୍ଭାଗ୍ୟ କହିବାନିତ ଆଉ କଣ କହିବା କହିଲେ ? ତଥାପି ବହୁ ଲୋକ ମଦକୁ ବିରୋଧ କରିବାକୁ ନାରାଜ l କଥାରେ ପରା ଅଛି ଗଂଜେଇ ଟାଣୁଥିବା ଲୋକହିଁ କୁହେ ସେଥିରୁ ଗଭୀର ଜ୍ଞାନ ଆସେ ,ଜଞ୍ଜାଳରୁ ମୁକ୍ତି ବି ମିଳେ ଆଉ କୁଆଡେ ଈଶ୍ୱର ପ୍ରାପ୍ତି ହୋଇଯାନ୍ତି l 


ନିଶା ମୁକ୍ତ ଭାରତ ବୋଧେ ଏତେ ସହଜ ନୁହେଁ l ନିକଟ ଭବିଷ୍ଯତ୍ କାଳରେ ସମ୍ଭବ ବି ନୁହେଁ l ଏମିତି ଦେବ ପରି ଲୋକମାନେ ମରୁଥିବେ l ଦୁଷ୍କର୍ମ , ହତ୍ୟା ବ୍ୟାପି ଚାଲିଥିବ l ସତରେ କି ଅବସ୍ଥା ଦେଇ ଏବେ ଗତି କରୁଛି ଆମ ସମାଜ ?



Rate this content
Log in

Similar oriya story from Inspirational