Sasmita Mohanty

Drama Others

5.0  

Sasmita Mohanty

Drama Others

ବିଦେଶୀ ବୋହୁ

ବିଦେଶୀ ବୋହୁ

2 mins
14K


ସୁମିତ୍ରା ଦେବୀଙ୍କ ଗୋଡ ଆଜି ତଳେ ଲାଗୁନି। ଚାରି ବର୍ଷ ପରେ ପୁଅ ତାଙ୍କର ଆମେରିକାରୁ ଆସୁଛି।କାମ କରୁ କରୁ କେତେକଥା ଭାବିଯାଉଛନ୍ତି।ଏଥର ଆଉ କିଛି ଶୁଣିବେନି ପୁଅ କଥା, ଯେମିତି ହେଲେ ତା ବାହାଘର କାମ ସାରିବେ।ସେ ମନେ ମନେ କେବେଠୁ ଝିଅ ଠିକ୍ କରି ସାରିଛନ୍ତି, ଖାଲି ପୁଅ ହଁ କଲେ ହାତଗଣ୍ଠି ପଡିବ। ସନ୍ଧ୍ୟା ଧୂପ ଦେଇ ଏୟାରପୋର୍ଟ ବାହାରିଲେ ସେ।ଠିକ୍ ସମୟରେ ବିମାନ ଆସି ପହଁଚିଲା। କିନ୍ତୁ ଏ କଣ ! ପୁଅ ସାଙ୍ଗରେ ଏଇ ଗୋରୀ ମେମ୍ ଟା କିଏ ? ପୁଅ କୌଣସି ଗୌରଚନ୍ଦ୍ରିକା ନକରି କହିଲା "ମା ,ଇଏ ମୋନା ତୋ ବୋହୁ।" ହଠାତ୍ ଖୁସିର ଜୁଆରରେ ତାଙ୍କର ଭଟ୍ଟା ପଡିଗଲା।ନିଜକୁ କୌଣସିମତେ ସମ୍ଭାଳି ନେଲେ ସେ। ଘରେ ପହଁଚି ଖିଆପିଆ ସାରି ଅତ୍ୟନ୍ତ ଥକିଯାଇଥିବାରୁ କାଲି କଥା ହେବା କହି ଶୋଇବାକୁ ଗଲା ପୁଅ। ସୁମିତ୍ରା ଦେବୀଙ୍କ ଆଖିରେ କିନ୍ତୁ ନିଦ ନାହିଁ କି ପେଟକୁ ଭୋକ ନାହିଁ। ଭଲହେଇଚି ଏକଥା ଦେଖିବାକୁ ତା ବାପା ନାହାନ୍ତି।ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଖ୍ରୀଷ୍ଟିୟାନ ବିଦେଶୀ ବୋହୁ, ପିତୃପୁରୁଷ ଆଉ ପାଣି ପାଇବେଟି ଏ ଘରୁ । ସେ ଶିକ୍ଷିତା ଓ ଆଧୁନିକା ହୋଇ ବି କଥାଟିକୁ ଗ୍ରହଣ କରିପାରୁନାହାନ୍ତି । ନିଶ୍ଚିତରୂପେ ପୁଅକୁ ସେ ଉତ୍ତମ ଶିକ୍ଷା ଦେଇପାରି ନାହାନ୍ତି । ଆମ ଦେଶରେ ତ ସୁନ୍ଦରୀ ଓ ଶିକ୍ଷିତା ଝିଅଙ୍କର ଅଭାବ ନାହିଁ,କଣ ଦେଖି ପୁଅ ତାଙ୍କର ଭଳିଗଲା କେଜାଣି ? ସେ ଶୁଣିଛନ୍ତି ଭାରତୀୟ ପୁଅମାନେ ବିଦେଶୀ ଝିଅଙ୍କର ବେଶୀ ପସନ୍ଦ । ଏମିତି ଭାବୁ ଭାବୁ କେତେବେଳେ ଆଖି ଲାଗିଯାଇଛି ସେ ଜାଣିପାରି ନାହାନ୍ତି।

    ହଠାତ୍ ଶଙ୍ଗ ଓ ଘଣ୍ଟର ଶବ୍ଦରେ ନିଦ ଭଙ୍ଗିଗଲା । ଆଖି ଖୋଲି ଘଣ୍ଟାକୁ ଚାହିଁଲେ ସେ ପାଞ୍ଚଟା ବାଜିବାକୁ ଆହୁରି ପନ୍ଦର ମିନିଟ୍ ବାକି । ଏତେବେଳେ ଶଙ୍ଖ କୋଉଠି ବାଜିଲା ? ମୁହଁ ଧୋଇ ବାରଣ୍ଡାକୁ ଆସିଲେ । ଧୂପ ଓ ଝୁଣାର ବାସନାସାଙ୍ଗକୁ ସୁମଧୁର କଣ୍ଠରେ ହରେକୃଷ୍ଣ ହରେରାମ ନାମ କାନରେ ପଡିଲା । ଠାକୁର ଘର ଆଡକୁ ପାଦ ଦୁଇଟି ଆପେ ଆପେ ଟାଣି ହୋଇଗଲା ତାଙ୍କର । ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ବିଦେଶୀ ବୋହୁ ତାଙ୍କର ଗାଧୋଇ ପାଧୋଇ ଶାଢୀପିନ୍ଧି ରାଧାମାଧବଙ୍କୁ ପୂଜା କରୁଛି । ମନଟା ଖୁସି ହେଇଗଲା କିନ୍ତୁ ପରମୁହୂର୍ତ୍ତରେ ଭାବିଲେ ଗଲା ସବୁ ଅପବିତ୍ର ହୋଇଗଲା । ତାଙ୍କ ରାଧାମାଧବ, ଶାଳଗ୍ରାମ ସବୁ ମାରା ହେଇଗଲେ। ଗଙ୍ଗାପାଣିରେ ସବୁ ଧୋଇ ହୋମକରି ପଞ୍ଚାମୃତ ଭୋଗରାଗ କରି ପୁଣି ଥରେ ଠାକୁରଙ୍କୁ ପ୍ରତିଷ୍ଠା କରିବାକୁ ହେବ । ଏ ଘରେ ସବୁ ଅନିୟମ କାମ ହେଲାଣି ଆଗକୁ କଣ ଆଉ ବିପଦ ପଡିବ କେଜାଣି । ଏମିତି ଭାବୁ ଭାବୁ ଅନ୍ୟମନସ୍କ ହୋଇ ପାହାଚରେ ଗୋଡ ଖସିଗଲା ଓ ସେ ତଳେପଡି ଅଚେତ ହୋଇଗଲେ।

      ଚେତା ଆସିବାରୁ ଦେଖିଲେ ସେ ଡାକ୍ତରଖାନାରେ ଅଛନ୍ତି ଓ ପୁଅ ବୋହୁ ସମସ୍ତେ ତାଙ୍କ ପାଖରେ ଛିଡା ହୋଇଛନ୍ତି । ଏଥର ଡାକ୍ତର କହିଲେ ବିପଦ ସମୟ ଚାଲିଯାଇଛି ଡରିବାର ଆଉ କିଛି ନାହିଁ। ମାଉସୀ ଆପଣ ବହୁତ ପୂଣ୍ୟବତୀ,ଭାଗ୍ୟରେ ଥିଲେ ଏମିତି ବୋହୁ ମିଳେ । ଆପଣଙ୍କ ରକ୍ତ ଏକ ବିରଳ ଗ୍ରୁପ୍ ର। ରକ୍ତଭଣ୍ଡାରରେ ରକ୍ତ ମିଳିଲାନି କି ଆପଣଙ୍କ ପୁଅ ଓ ବନ୍ଧୁବାନ୍ଧବ କାହାର ରକ୍ତ ମେଳ ଖାଇଲାନି । ଆପଣଙ୍କ ବୋହୁ ରକ୍ତ ଦେବାରୁ ହିଁ ଆପଣଙ୍କ ଜୀବନ ରକ୍ଷା ହୋଇପାରିଲା । ସବୁ ଶୁଣି ସେ ଥରେ ବୋହୁ ମୁହଁକୁ ଅନେଇ ପୁଣି ନିଜ ଦେହକୁ ଅନେଇଲେ ତାଙ୍କ ଶିରା ପ୍ରଶିରା ସବୁଥିରେ ବୋହୁର ରକ୍ତ ପ୍ରବାହିତ ହେଉଥିଲା। ଦେଶୀ ବିଦେଶୀ ସବୁ ସତ୍ତା ହରେଇ ଏକାକାର ହୋଇ ଯାଇଥିଲା।

                


Rate this content
Log in

Similar oriya story from Drama