ABhimanyu Panda

Tragedy Inspirational

3  

ABhimanyu Panda

Tragedy Inspirational

ବିବାହିତା ପ୍ରେମିକା

ବିବାହିତା ପ୍ରେମିକା

10 mins
465



ପୂର୍ବାକାଶରେ ସିନ୍ଦୂରା ଫାଟିଲାଣି । ହସିହସି ଦୀନମଣି ଏ ଧରା ଧାମକୁ ପୁଲକିତ କରିବାକୁ ସଜ ହେଇଗଲେଣି । ଉପରକୁ ଶାନ୍ତ କିନ୍ତୁ ନିୟତି ଓ ପ୍ରକୃତି ଧାର୍ଯ୍ୟ ଖରସ୍ରୋତା ଯମୁନା ବହିଚାଲିଛି ବିନା କଳକଳ ଶବ୍ଦରେ । ପୌଷ ମାସର ଶୀତୁଆ ପ୍ରଦୋଷରେ କୀଟମାନେ ବି ନୀରବରେ ପଡ଼ି ରହିଛନ୍ତି ,, ନିହାର ମୁକ୍ତାରେ ନିଜନିଜର କୁନି ଡେଣାକୁ ବନ୍ଦୀ କରି । ଲାଳୀମାର ବର୍ଣ୍ଣାଭ ଯମୁନା ଜଳରେ ପ୍ରତିବିମ୍ବିତ । ସୁଲୁସୁଲିଆ ହେମାଳ ପବନରେ ଭାସି ଆସୁଛି ଆକର୍ଷିତ କଲାଭଳି ସୁଗନ୍ଧ । 


ଜନ ସମାଗମ ଥିଲେବି ପରିବେଶ ନୀରବ ନିଶ୍ଚଳ ।ସମସ୍ତଙ୍କର ଲକ୍ଷ୍ୟ ଦୀନମଣିଙ୍କର ହୀରକ ରଶ୍ମିର ବିଛୁରଣ ଉପରେ । ସାମାନ୍ୟ ଉତ୍ତାପକୁ ଆତ୍ମସାତ୍ କରି ଯମୁନାରେ ଧାର୍ମିକ ବୁଡ଼କୁ ସମସ୍ତଙ୍କର ଅପେକ୍ଷା । ସମସ୍ତଙ୍କଠୁ ଭିନ୍ନ ମୋର ବ୍ୟବହାର । ସେଇ ନିର୍ଦ୍ଦିଷ୍ଟ ସମୟରେ ବୀରଦର୍ପରେ ପୋଷାକ ବଦଳେଇ ଉଦ୍ୟତ ହେଲି ଯମୁନାରେ ବୁଡ଼ ପକେଇ ଉଦାହରଣ ପାଲଟିଯିବାକୁ ଅନ୍ୟମାନଙ୍କ ଲାଗି । ପବିତ୍ର ଯମୁନା ଜଳକୁ ସ୍ପର୍ଶ କରିବାମାତ୍ରେ ମୋ ପାରିବା ପଣିଆରେ ନିଆଁ ଲାଗିଗଲା ଯେମିତି । କଣେଇ କଣେଇ ଚାରିଆଡ଼କୁ ଚାହିଁଲି ,ମତେ କେହି ଦେଖୁନାହାଁନ୍ତି ତ ? ପୁଣି ନିଜକୁ ସାମାନ୍ୟ କରି ସ୍ପର୍ଶ ଜଳ ଆଣି ମୁଣ୍ଡରେ ସିଞ୍ଚିବା ର ବାହାନା କଲି , ହାତରେ ପାବନୀ ଯମୁନାର ପବିତ୍ର ଜଳ ଥାଉ କି ନଥାଉ । 


ଓଡ଼ିଆ ସ୍ୱତଃସ୍ଫୁର୍ତ୍ତ ଭାବେ ଉଚ୍ଚାରିତ ହେଇଗଲା ମୋ ଜାତିଗତ ପରିଚୟକୁ ଜାହିର କରିବାପାଇଁ । ହେ ଜଗନ୍ନାଥ....ଏଠୁ ଯାଇକି ତ ପୁରୀରେ ରହିଲ , ପୁଣି ଏ କି ଲୀଳା ଏଠିକି ଆସିବାର ଡୋରି ଲଗେଇଲ , ସେ ପୁଣି ଏ ହାଡ଼ଭଙ୍ଗା ଜାଡ଼ରେ । ଥରେ ସାମ୍ନାକୁ ଆସିଲେ ଟିକେ ଏ ବିଷୟରେ କଥା ହୁଅନ୍ତି ତୁମ ସହ । ଏତିକି ଶବ୍ଦ ଉଚ୍ଚାରିତ ହେଇ ବାକିତକ ମନତଳେ ରହିଗଲା । 


ପବନ ବାର୍ତାବହକ ସାଜି ନାଶାରେ ମୋର ପହଞ୍ଚେଇ ଦେଲା ଚନ୍ଦନର ବାସ୍ନା । ତା ସାଙ୍ଗକୁ ବୀଣାର ଧ୍ୱନୀପରି ମୋତେ ଆଶ୍ଚର୍ଯ୍ୟ ଚକିତ କଲାପରି କିଛି ଉଦ୍ଦେଶାତ୍ମକ ବାକ୍ୟ । 


ପୁଅରେ ଥଣ୍ଡା ଲାଗୁଛି !? ଜଗାକୁ କାହିଁକି ଗାଳି କରୁଛୁ ? କିଛି ହବନି ବୁଡ଼ ପକେଇଦେ । ହଁ ଏ ଫୁଲେଇ ଯମୁନା ଯେମିତି ନିଶ୍ଚଳ ଦିଶୁଛି ପ୍ରକୃତରେ ସେ ସେମିତି ନୁହେଁ । ନାରୀ ମନ ପରି ଉପରୁ ଶାନ୍ତ ନୀରବ ଦିଶୁଥିଲେବି ମନରେ ଅଛିଣ୍ଡା ଅସମାହିତ ଆକସ୍ମିକ ପ୍ରଶ୍ନ ପରି ଖର ସୁଅ । 

ଲୋମ ଲୋମ ପୁଲକିତ ହେଲାପରି ସେ ସୁମଧୁର ବାଣୀର ଦିଗ ନିର୍ଣ୍ଣୟ କରି ଆବିଷ୍କାର କଲି ତାର ଉତ୍ପତ୍ତି ସ୍ଥଳ । ଆହାଃ ନେତ୍ର ପବିତ୍ର ହେଇଗଲା । ପ୍ରୌଢ଼ା ବୃଦ୍ଧା ମହିଳା ଜଣେ ହେମକାନ୍ତି ଚାରୁସୁଲ୍ଲଭ ମୁଖ ମଣ୍ଡଳରେ ନିର୍ବିକାର ହସ ଧାରେ ମାଖି ଦେଇ ମୋତେ ହିଁ ଦେଖୁଥିଲେ । ଏ ପରିଣତ ବୟସରେ ଅମଳିନ ସୁନ୍ଦରତା !! ଏତେ ମଧୁର କୋକିଳ କଣ୍ଠି !! ପୂର୍ବାକାଶର ରକ୍ତାଭ ସୂର୍ଯ୍ୟଙ୍କୁ ଉପହାସ କଲାପରି ଦୂର ଦିଗବଳୟରେ ଧରିତ୍ରୀ ଗଗନ ର ମିଳନ ସ୍ଥଳୀର ଦୃଶ୍ୟର ସନ୍ଦେହ ସୃଷ୍ଟି କଲାପରି ତାଙ୍କର ଭୃଲତାର ମଧ୍ୟଭାଗରେ ଶୋଭାପାଉଥିଲା ,ନାରୀଟିର ସମସ୍ତ ପୂଜା ବ୍ରତ ତପସ୍ୟାର ପ୍ରତୀକ ସିନ୍ଦୂର ଟୋପାଟିଏ । ସେ ସିନ୍ଦୂର ଟୋପାକୁ ତିନି ପାଖରୁ ଆବୋରି ଉର୍ଦ୍ଧ୍ବକୁ ଉନ୍ମୁକ୍ତ ହେଇ ଚନ୍ଦନର ଅତିବଡ଼ି ଚିତା । 


ଲୋକ ମୁଖରୁ ଶୁଣିଥିଲି , ପୁରାଣ ବର୍ଣ୍ଣିତ ଅଳ୍ପକିଛି ଆଲୋଚ୍ୟ ବି ଶ୍ରବ୍ୟ ହେଇଥିଲା । ହେଲେ ଆଖିରେ ଦେଖିଲା ପରେ ଅବିଶ୍ୱସନୀୟ ଲାଗୁଥିଲା ମୋତେ !! ସତରେ ବ୍ରଜନାରୀ ସର୍ବଗୁଣେ ଶ୍ରେଷ୍ଠା । ନହେଲେ ରସରାଜ କଣ ସହଜେ ଧରା ଦିଅନ୍ତି !! ବୃନ୍ଦାବନରେ ଏକ ଭକ୍ତିପୂର୍ଣ୍ଣ ପ୍ରତ୍ୟୁଷରେ ଏ ଦୃଶ୍ୟ ଆନ୍ଦୋଳିତ କରିଥିଲା ମନକୁ ମୋର । ପ୍ରେମ ବାୟାଣୀ ଗୋପାଙ୍ଗନାଙ୍କ ଶୃତ ଉପାଖ୍ୟାନ ସବୁ ଆଖିଆଗରେ ସାକାର ରୂପ ନେଇ ଖେଳିଗଲା । ମନ ବ୍ରଜବାସୀଙ୍କ ପାଦରଜ ଆଶାରେ ଅଟକି ଗଲା ସେ ମହିଳାଙ୍କ କୋମଳ କମନୀୟ ପାଦରେ । 

କଠୋର ଓ ଅଜ୍ଞାନ ହୃଦରେ ମୋର ଅପ୍ରତ୍ୟାଶିତ ପରିବର୍ତ୍ତନ !! ଆଖି ଛଳଛଳ ଶ୍ରାବଣ ଗାଡ଼ିଆ ପରି । ବାନ୍ଧିଦେଲି ଧୈର୍ଯ୍ୟର ବନ୍ଧକୁ । କାଳେ ବନ୍ଧର ସେ ଜମାଜଳ ମଧ୍ୟରେ ବ୍ରଜନାରୀଙ୍କ ସହିତ ବ୍ରଜରାଜ ଉକେରି ହେଇଯିବେ ତ୍ରିଭଙ୍ଗୀ ଠାଣିରେ !! କିନ୍ତୁ ନା ସେମିତି କିଛି ହେଲାନି । ନିଜର ପ୍ରାରବ୍ଧ ଜାଣିନି କିମ୍ବା ବର୍ତ୍ତମାନରେ ମୋର ସେମିତି କିଛି ସୁକର୍ମ ନାହିଁ । ପୁଣି ମନେ ପଡ଼ିଲା ରସିକ ତ ବ୍ରଜନାରୀ ପଛେପଛେ ସବୁବେଳେ । ମୋ ଭିତରେ ନାରୀତ୍ବ ଜନ୍ମ ନେଇ ପାରୁନଥିଲା ତେଣୁ ସେ ପାଖରେ ଥାଇବି ଅଦୃଶ୍ୟ ଥିଲେ । 


ପୁଅରେ କଣ ଭାବୁଛୁ ? ଏଥର ସେ ଝଙ୍କୃତ ଶବ୍ଦ ନିକଟତ୍ତର ହେଇସାରିଥିଲା । 


ନାଇଁ ମା କିଛି ନାହିଁ ...ଏ ଥଣ୍ଡା ଏ ଶୀତ ... । 


ଆ ପୁଅ ଆ । ବସେଇଦେଲେ ପ୍ରସ୍ତର ମଖମଲି ପାହାଚ ଉପରେ । ହାତରେ ଧରିଥିବା ଢାଳରେ ପାଣିଢାଳେ ଯମୁନାଙ୍କ ଅନୁମତିପରେ ତୋଳି ଆଣି ଢାଳିଦେଲେ ମୋ ଉପରେ । ସେ ପାଣି ସହିତ ମୋ ଆଖିର ଲୁହ ମିଶି ପୁନଃ ଯମୁନାର ଅସିମୀତ ଜଳରାଶିରେ ମିଶି ଯାଇଥିଲା ଆଉ ବାରମ୍ବାର ମିଶୁଥିଲା । ଲୋତକର ଉଷ୍ଣତା ଆଉ ଭାବର ଆପଣା ପଣରେ ବାୟୁମଣ୍ଡଳର ଶୀତଳତା ପ୍ରଭାବହୀନ ହେଇଯାଇଥିଲା । 

ପୁଅରେ ଶୀତ ଛାଡ଼ିଗଲା ? ଆଉ ମୋ କହ୍ନେଇକୁ ଦୋଷ ଦବୁନି ହେଲା । ସବୁଥିରେ ମୋ ମାଣିକକୁ ଟାଣିବୁନି ବୁଝିଲୁ । 


ଆପଣ କିଏ ମା ? ସୁଦୂର ଓଡ଼ିଶାରୁ ଏ ବୃନ୍ଦାବନରେ !! ଏ ପ୍ରେମଭାଵ !! ଦୋଷ ଦେବିନି ଆପଣଙ୍କ କହ୍ନେଇକୁ କିନ୍ତୁ ବଦଳରେ ଆପଣଙ୍କ ପାଦ ଛୁଇଁବାକୁ ଦିଅନ୍ତୁ । 


ତ୍ରିଲୋକ୍ୟ ଅଧିପତିଙ୍କୁ ନିଜ ପାଦରଜରେ ସ୍ନାନ କରେଇଥିବା ବ୍ରଜନାରୀଙ୍କୁ ମୋର ଏ କଥାପଦିକ ଉପହାସ ପରି ଲାଗିଲା । ଅକ୍ଳେଶରେ ବିନା ଦ୍ବିଧାରେ ମମତାରେ ଓତୋପ୍ରୋତ ହେଇ ମୂର୍ତ୍ତିମନ୍ତ ହେଇ ଠିଆ ହେଇଗଲେ ମୋ ଆଗରେ । ପାଦଧୂଳି ମଥାରେ ମାରିଲି । 

ପୁଅ ଏଥର ମନଶାନ୍ତି ତ ? 

ନାଇଁ ଆଜ୍ଞା ଆପଣଙ୍କ ବ୍ୟବହାର ଆଉ ରୂପକାନ୍ତିରୁ ଜଣାପଡ଼ୁଛି ଆପଣ ଜଣେ ଉଚ୍ଚିଶିକ୍ଷିତା ଓ ସମ୍ଭ୍ରାନ୍ତ ପରିବାରର , ହେଲେ ଏଠି ଏମିତି ଅବସ୍ଥାରେ !! କେବେଠାରୁ ଆପଣ ଏଠି ରହିଲେଣି !! 

ପୁଅରେ ତୁ ବହୁତ ପ୍ରଶ୍ନ ପଚାରୁଛୁ ...। ମୁଁ ଯାଏ ଯମୁନାରେ ଟିକେ ଚାପ ବିହାର କରିଆସେ କେତେ କାମ ଅଛି ତେଣେ ମୋ ବାଙ୍କେର । ଆଉ ତୁ ଘଣ୍ଟାଏ ପରେ ବାଙ୍କେ ପାଖକୁ ଆସ । ସେଇଠି କଥା ହେବା । ଚାଲିଗଲେ ସେ ମୋ ଆଖିଆଢୁଆଳକୁ । 

ମୁଁ ପ୍ରସ୍ତୁତ ହେଇ ବାଙ୍କେ ବିହାରୀ ମନ୍ଦିର ବାହାରେ ପହଞ୍ଚିଗଲି । ବାଙ୍କେଙ୍କୁ ଦେଖିବାର ଲାଳସା ଟିକେବି ନଥିଲା ମୋର । ସାଙ୍ଗରେ ଯାଇଥିବା ସମ୍ପର୍କୀୟ ମାନେ ବାଙ୍କେ ବିହାରୀଙ୍କ ଦର୍ଶନ ସାରି ଧାର୍ଯ୍ୟ ସ୍ଥାନରେ ଭେଟ କରିବାକୁ କହି ଚାଲିଗଲେ ଅନ୍ୟତ୍ର । ମୁଁ ଚାତକ ପରି ଚାହିଁ ରହିଥାଏ ତାଙ୍କ ଆସିବାକୁ । ସେ ଆସିଲେ ମୋ ଉପରେ ଦୃଷ୍ଟି ପକାଇ ଫେରେଇନେଲେ । ଚାଲିଗଲେ ତାଙ୍କ ବାଙ୍କେର ଭଲମନ୍ଦ ବୁଝିବାକୁ । ମୁହଁରେ ସେ ଲାସ୍ୟପୂର୍ଣ୍ଣ ହସ । ତାଙ୍କ ମନର ତୃପ୍ତତାର ପରିଭାଷାକୁ ବଖାଣୁଥାଏ । ମୁଁ ଅଟଳ ମନ୍ଦିର ବାହାରେ । 


ପୁଅ ରେ ଆ ଯିବା । ମୁହଁବୁଲେଇ ଚାହିଁଦେଇ ଚାଲିଲି ତାଙ୍କ ପଛେପଛେ ବିନା ପ୍ରଶ୍ନୋତ୍ତରରେ । ବ୍ରଜର ସକାଳ ଚାରିଆଡ଼େ ରାଧେରାଧେ । କେଡ଼େ ଅଜବ ସତେ କୃଷ୍ଣ ପୂଜିତ କିନ୍ତୁ ନାମ ରାଧାରାଣୀଙ୍କର !! 

ଆ ପୁଅ । ବସ୍ ଏଇଠି । କଣ ଖାଇଛୁ ? ହେଇ ନେ ଖାଇଦେ । ବଢ଼େଇ ଦେଲେ ମୋ ହାତକୁ ଜଳଖିଆ ଉଦ୍ଦେଶ୍ୟରେ କିଛି ପ୍ରସାଦ । ଖାଇନେ ପୁଅ । ଅଯାଚିତ ସ୍ନେହ ବର୍ଷାରେ ତରତର ଭିଜି ଯାଉଥିଲି ମୁଁ । କଣ ପଚାରିବୁ ପୁଅ ? ଖାଇବା ସରୁସରୁ ବ୍ରଜନାରୀ ଜଣକ ପଚାରିଦେଲେ ? ସେ ମମତାର ମୂର୍ତ୍ତିଙ୍କ ସ୍ନେହବୋଳା ପରଶରେ ନିଜକୁ ଭୁଲି ସାରିଥିଲି । ତାଙ୍କୁ କଣ ପଚାରିବି ? ମୋତେ ଚୁପ ଓ ଇତସ୍ତତଃ ଦେଖି .....


ଭୁଲିଗଲୁ !!? ଆରେ ଧନ ମୋ ବିଷୟରେ ପଚାରିଥିଲୁ ପରା ? 


ଆଜ୍ଞା କ୍ଷମା ମାଗିନେଉଛି ପ୍ରଥମେ ମୁଁ ତ ସାଧାରଣ ମଣିଷଟିଏ । କଣ ପଚାରିଦେବି ଯଦି କିଛି ଅନପେକ୍ଷିତ ପ୍ରଶ୍ନ ପଚାରିଦେଲି କ୍ଷମା କରିଦେବେ । 

ତୁ ବାଇଆ ଟେ ସତରେ । ହଁ ହଁ ତୁ ଯାହା ଭାବିଛୁ ଠିକ । ସମ୍ଭ୍ରାନ୍ତ ପରିବାରର ଅଲିଅଳୀ ଝିଅଟିଏ ଥିଲି ମୁଁ । ମୋ ସମୟରେ ସ୍ନାତକୋତ୍ତର ଶିକ୍ଷା ନେଇଛି ମୁଁ । ଚାକିରୀ କରିବା ପରିବର୍ତ୍ତେ ବିବାହ ବନ୍ଧନରେ ଆବଦ୍ଧ ହେଇଥିଲି । ଉଚ୍ଚଶିକ୍ଷିତା ହେଲେବି ନାରୀ ସ୍ୱଭାବରୁ କୁଢ଼େକୁଢ଼େ ସ୍ୱପ୍ନନେଇ ସଂସାର କରିବାକୁ ଆସିଲି ସ୍ୱାମୀଙ୍କ ସାଥିରେ । 


ଉଚ୍ଚପଦସ୍ଥ ଅଧିକାରୀ ଥିଲେ ମୋ ସ୍ୱାମୀ । ଗଡ଼ି ଚାଲିଲା ସଂସାରର ଗାଡ଼ି ଆଗକୁ ଆଗକୁ । ହେଲେ ମୋ କଳ୍ପନାର ବିପରୀତାରେ ଚାଲିଥିଲା ସବୁ । କେବେ ମିଠାକଥା ପଦେ ପାଇନି ଶୁଣିବାକୁ , କି କେବେ ପ୍ରୀତି ଆଲିଙ୍ଗନଟିଏ ବି ମିଳିଲାନି ଆଶାନୁରୂପ । ପାଇଛି କେବଳ ଶକ୍ତ ଚଂଚୁର ଶକ୍ତ ଆଘାତ । ମଣିଷରୁ କେତେବେଳେ ମୁଁ ବସ୍ତୁଟିରେ ପରିବର୍ତ୍ତିତ ହେଇସାରିଥିଲି ଜାଣିବି ପାରିଲିନି । 

ସମୟ ବଦଳିବ ଶୁଣିଥିଲି ତେଣୁ ଆଶାବାଦୀ ଥିଲି । କିନ୍ତୁ ଅପରିବର୍ତ୍ତିତ ଥିଲା ସେ ସମୟର ସମୟ । ଫୁଲପରି କୋମଳ ଦୁଇଟି ପୁଅଙ୍କର ଜନନୀ ହେଲି । ଯାହାଙ୍କୁ ମୁଁ ମୋର ସର୍ବସ୍ୱ ସମର୍ପିଦେଇଥିଲି ଅର୍ଥାତ ମୋ ସ୍ୱାମୀ ତାଙ୍କ ଆଖିରେ ମୁଁ ମୋର ପ୍ରତିଛବି ଦେଖି ପାରିନଥିଲି । ତେଣୁ ସେ ପର୍ଯ୍ୟନ୍ତ ମୋତେ ଅନ୍ୟ କୌଣସି ସୁଖ ସୁଖୀ କରିପାରିନଥିଲା । ଏମିତିକି ମାତୃତ୍ୱ ଲାଭର ଚରମ ସୁଖକୁ ବି ଅନୁଭବ କରିପାରୁନଥିଲି । 

ସ୍ତ୍ରୀ ମାନଙ୍କର ଅନ୍ଧାର ପ୍ରତି ଅହେତୁକ ଦୁର୍ବଳତା...ସେ ଓଢଣା ତଳର ହେଉକି ଘର କୋଣର ଅତୁବା ପ୍ରିୟତମ ବାହୁରେ ନିଜେ ନିଜେ ଆଖିବୁଜି ଅନ୍ଧାରରେ ହଜିବା । କିନ୍ତୁ ସର୍ବଶ୍ରେଷ୍ଠ ଅନ୍ଧାରକୁ ଭଲପାଇବା ପାଇଁ ଶାରୀରିକ ଭାବେ ନାରୀ ନୁହେଁ ମାନସିକ ଭାବେ ନିଜକୁ ସ୍ତ୍ରୀ ରେ ପରିଣତ କରିବାକୁ ହୁଏ । ତଥାପି ଶାରୀରିକ ରୂପେ ନାରୀ ହେଇଥିଲେ ସେ ଦୁର୍ବଳତା ଆଉ ସେ ପ୍ରେମ ରୋମାଂଚକାରୀ । 

ସେ ଅନ୍ଧାର ହେଉଛି କୃଷ୍ଣ । କୃଷ୍ଣର ଅନ୍ୟନାମ କଳା । ଅନ୍ଧାର ନିଜଭିତରେ ଅସୀମ କାଳୀମାକୁ ସମାହିତ କରି ନିଜକୁ ବିରାଜମାନ କରାଏ । ସେଇ କୃଷ୍ଣଙ୍କ ପ୍ରତି ଭରଷା ରଖି ଶୂନ୍ୟକୁ ଚାହିଁ ତାଙ୍କରି ଆସିବା ପରର ପରାକ୍ରମକୁ ଅପେକ୍ଷା କରିଥିଲି । 

ସେଦିନ ମୋ ବିଶ୍ୱାସ ଆଉ ସ୍ୱପ୍ନ ସବୁ ଧୂଳି ହେଇ ଉଡ଼ିଯାଇଥିଲା । ଯେଉଁଦିନ ମୋ ସ୍ୱାମୀର ମାନ୍ୟତା ପାଇଥିବା ମଣିଷ ଜଣକ ମର୍ଯ୍ୟାଦାର ସବୁ ସୀମା ଲଙ୍ଘିଯାଇ ନିଜର କାମନାକୁ ଚରିତାର୍ଥ କରିବାକୁ ଯାଇ , ଗଣିକା ସହ ସହବାସ କଲେ ମୋ ଆଖି ସାମ୍ନାରେ । ସେଇ ପଲଙ୍କ ଆଉ ସେଇ ବିଛଣାରେ । ବିଶ୍ୱାସ ମୋର ଅଣନିଶ୍ୱାସୀ ହେଉଥିଲା । ଭରଷା ମୋର ମୋତେ ତାତ୍ସଲ୍ୟ କରୁଥିଲା । 

କେମିତି ମୁଁ ଏମିତି ମଣିଷ ସାଙ୍ଗରେ କଟେଇଦେଲି ଏତେଗୁଡ଼ିଏ ଦିନ !!? ଅସହ୍ୟ ଯନ୍ତ୍ରଣା ଓ ଅଦେଖା କ୍ଷତ ବିଚଳିତ କରୁଥିଲା ମୋତେ । ମନରେ ପ୍ରତିଶୋଧର ବହ୍ନି ଜଳି ଉଠିଲା । ପ୍ରେମିକା ସାଜିବାକୁ ଖୋଜିଲି ସାଥିଟିଏ । ଅନ୍ଧାର କୋଠରୀରେ ନିବୁଜ କରିଦେଲି ନିଜକୁ । ପିଲାଙ୍କ କ୍ରନ୍ଦନ ମୋତେ ମୋ ଅନ୍ୱେଷଣରୁ ବିଚ୍ୟୁତ କରିପାରିଲାନି । ସେ ଅନ୍ଧାର କୋଠରୀ ଭିତରେ ମିଳିଗଲା ମୋ ପ୍ରେମୀକା ପଣକୁ ସ୍ବୀକୃତୀ । ପାଇସାରିଥିଲି ମୋ ଭବିଷ୍ୟତର ଠିକଣା । 

ଏରୁଣ୍ଡି ପାର କରିଦେଲି ...ସମସ୍ତ ବନ୍ଧନରୁ ନିଜକୁ ମୁକ୍ତ କରିଦେଲି । ଧାଇଁ ଆସିଲି ବ୍ରଜକୁ ରାହାସର ଲାଳସାରେ । ଆଉ ଦୀର୍ଘ ତିରିଶ ବର୍ଷ ହେବ ରାହାସର ଅନ୍ୱେଷଣରେ । 


ଆରେ ଏ ପୁଅ ତୁ କାନ୍ଦୁଛୁ କାହିଁକି ? 


ମା ଆଉ ଗୋଟେ କଥା ପଚାରନ୍ତି ? ପଚାରେ ପୁଅ ପଚାରେ । ମା ଏ ପରିଣତ ବୟସରେ ହେମ ପରି ଝଟକୁଥିବା ଏ ଦେହ । ପଦ୍ମପରି ସେ ମୁଖମଣ୍ଡଳ ଆଉ ନବ ପ୍ରସ୍ଫୁଟିତ ପୁଷ୍ପପରି ସେ ହସ ଧାରେ । କେତେ ସଂଘର୍ଷ କରିବାକୁ ପଡ଼ିଥିବ ? ଆପଣଙ୍କ ପ୍ରେମିକା ସାଜିବାରେ ମୁଖ୍ୟ ବାଧକ ହେଇଥିବ ନିଶ୍ଚିତ ? 

ହଁ ରେ ପୁଅ । ଆଜିକାଲି ହାତଗଣତି କେଇଜଣଙ୍କ ଲାଗି ପୁରା ସମ୍ପ୍ରଦାୟ ବଦନାମୀ ବୋଝ ବୋହିବାକୁ ବାଧ୍ୟ । କିଛି ଲୋଲୁପ ଦୃଷ୍ଟି ଅଟକି ଥିଲା ଏ ଦେହରେ । ହେଲେ ପ୍ରେମିକା ହେବାକୁ ମୁଁ ସମ୍ପୂର୍ଣ୍ଣ ରୂପେ ହାତ ଟେକିଦେଇଥିଲି । ମୁଁ ଜଣଙ୍କର ହେଇସାରିଥିଲି । ତେଣୁ ସେ ସାମାନ୍ୟ ପରୀକ୍ଷା ନେଇ ଠିକଣା ଜାଗାରେ ପହଞ୍ଚେଇ ଦେଇଛି ମୋତେ । 

ହେଲେ ମା ସବୁପରେ ବି ଆପଣ ଜନ୍ମଦାତ୍ରୀ ମମତାର ଅମୃତ ନିର୍ଝର ଝରିଥିବ ଆପଣଙ୍କ ଜନ୍ମିତ ମାନଙ୍କ ପାଇଁ । ଆପଣଙ୍କ ସାମାଜିକ ସ୍ବୀକୃତ ସ୍ୱାମୀ କେବେତ ଅନୁତାପ କରିଥିବେ ? ସେ କଣ ଆପଣଙ୍କୁ ଖୋଜି ନାହାଁନ୍ତି ? ଫେରେଇ ନେବାକୁ ଆସି ନାହାଁନ୍ତି ଆପଣଙ୍କ ନିକଟକୁ ?ସେ ପୂର୍ଣ୍ଣିମାର ପୂର୍ଣ୍ଣ ଚାନ୍ଦ ପରି ମୁହଁରୁ ଲିଭୁନଥିବା ହସ । ଆଉ ଝଟକୁ ଥିବା ନିର୍ବିକାର ଭାବରେ ପୁଣି କହିଲେ .... 

ଆସିଥିଲେ ସମସ୍ତେ ଫେରେଇ ନେବାକୁ । ଅନୁତପ୍ତ ଥିଲେ ମଧ୍ୟ । କ୍ଷମା ମାଗିଥିଲେ । କାହିଁକି ଫେରିବି ର ପ୍ରଶ୍ନର ଉତ୍ତର ନଥିଲା ତାଙ୍କ ପାଖରେ । ନୀରବ ରହିଲେ । ପିଲା ଦୁଇଜଣ ଏବେ ଯୁବକ ହେଇଗଲେଣି । ମୁଁ କ୍ଷମା ମାଗିନେଲି ତାଙ୍କ ପାଖରୁ । କାନ୍ଦିକାନ୍ଦି ନେହୁରା ହେଇ ଫେରିଯିବାକୁ କହିଲେ । 

ଲୋକମୁଖରୁ ଅନେକ ଶୁଣିଛନ୍ତି ତାଙ୍କ ଜନ୍ମଦାତ୍ରୀଙ୍କ ବିଷୟରେ । ଆଉ ନିଜ ପିତାଙ୍କ ଦୁର୍ଗୁଣ ବିଷୟରେ । ସବୁ ହରେଇଲା ପରେ ନିଜ ପିତାଙ୍କୁ ଏକାକୀ ଅନୁତାପର ଲୁହ ଝରେଇବା ବି ଦେଖିଛନ୍ତି । ସେମାନଙ୍କୁ କ୍ଷମା ମାଗିଥିଲି...ଜନ୍ମଦାତ୍ରୀ ହିସାବରେ ମୁଁ ନିଶ୍ଚିତଭାବେ ସେମାନଙ୍କ ପ୍ରତି ଅବହେଳା କରିଛି । 

ହେଲେ ଯେଉଁ ସମୟରେ ସେମାନଙ୍କ ନିକଟରେ ରହିବା କଥା ସେ ସମୟରେ ତ ସେମାନଙ୍କୁ ଛାଡ଼ି ଆସିଲି । ସେମାନେ ମୋ ବ୍ୟତୀତ ଆଉ ମୁଁ ସେମାନଙ୍କ ବିନା ବଞ୍ଚି ଶିଖିଗଲୁ ଏବେ ଆଉ କଣ ପାଇଁ ଫେରେଇବାକୁ ଚାହୁଁଛନ୍ତି ସେମାନେ ? ପଚାରିଲି ହେଲେ ଅବୁଝା ପିଲା ଦୁଇଟି ନଛୋଡ଼ ବନ୍ଧା । ସେମାନେ କେମିତି ପ୍ରତ୍ୟେକ ମୁହୂର୍ତ୍ତରେ ମୋତେ ଝୁରିଛନ୍ତି । 

ବାହୁନି ବାହୁନି କାନ୍ଦିଛନ୍ତି ମା ... ମା ... ଡାକି ଖୋଜି ଖୋଜି ତଳେ ପଡ଼ିଛନ୍ତି ସବୁ ଗୋଟିଗୋଟି କହିଚାଲିଲେ । 

ଏବେ ତ ତୁମେ ଦୁହେଁ ଠିଆ ହେବା ଶିଖିଗଲଣି । ଚାଲିବା ଦୌଡ଼ିବାରେ ନିପୁଣ ହେଇଗଲଣି । ମୋର ଆବଶ୍ୟକ କଣ ଅଛି ତୁମ ଦୁହିଁଙ୍କ ଜୀବନରେ !!? ତୁମର ବାପା ତୁମର ସଠିକ ଯତ୍ନ ନେଇଛନ୍ତି ସେ ହିଁ ତୁମର ମା । ମୋ ଚାଲି ଆସିବା ପରେ ସେ ତୁମରି ମାନଙ୍କ ପାଇଁ ଦ୍ଵିତୀୟ ବିବାହ ବି କରି ନାହାଁନ୍ତି । ତୁମମାନଙ୍କୁ ସଯତ୍ନେ ବଢ଼େଇ ଥିବାରୁ ଜାଣିପାରୁଛି ମୁଁ ସେ ତାଙ୍କର ଅନୁତାପକୁ ସାର୍ଥକ କରିଛନ୍ତି । ଶିକ୍ଷା ସାଙ୍ଗକୁ ସଂସ୍କାର ବି ଦେଇଛନ୍ତି ତୁମ ଦୁହିଁଙ୍କୁ । 


ମୋ ଦୁର୍ଦ୍ଦିନରେ ଯେଉଁମାନେ ମୋର ପରିଚୟ ନଜାଣି ବି ମୋତେ ସେମାନଙ୍କ ପରିବାର ସଦସ୍ୟର ମାନ୍ୟତା ଦେଇଛନ୍ତି କେମିତି ଛାଡ଼ିବି ସେମାନଙ୍କୁ ? କେମିତି ଭାଙ୍ଗି ଦେଇଯିବି ସେମାନଙ୍କ ବିଶ୍ୱାସକୁ ସେମାନଙ୍କ ଆପଣାପଣ ର ସୌଧକୁ ? ଫେରିଯାଅ ତୁମେ । ତୁମ ଜନ୍ମଦାତ୍ରୀର ଆଶୀର୍ବାଦ ସର୍ବଦା ତୁମ ଉପରେ ଅଛି । ଯେତେବେଳେ ବି ତୁମର ଇଚ୍ଛା ହେବ ତୁମେ ଆସିପାର । ହେଲେ ମୋର ଫେରିବାକୁ ଅପେକ୍ଷା କରିବନି । ଅନେକ ବୁଝେଇସୁଝେଇ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରେଇଥିଲି । 


ହେଲେ ମା ପ୍ରେମିକା / ପ୍ରେମିକ ପରିଚୟ ତ ବିବାହ ପରେପରେ ନିଜର ଅସ୍ତିତ୍ୱ ହରାଏ , ଆପଣ ପ୍ରେମିକା ହେଲେ କେମିତି ? ଆପଣ ତ ବିବାହିତା !! 


କୋଠରୀ ଭିତରେ ହସର ଗୁଞ୍ଜରଣ ଭରିଗଲା । ସେ ନୁହଁନ୍ତି ସେଠି ଉପସ୍ଥିତ ତାଙ୍କପରି ସମସ୍ତେ ହସିଉଠିଲେ ଏକା ସାଙ୍ଗରେ ? ମୋ ପ୍ରଶ୍ନ କଣ ପ୍ରାସଙ୍ଗିକ ନୁହେଁକି ? ଭୁଲ କହିଦେଲିକି କିଛି ? ମନେମନେ ଏମିତି ଭାବି ସାମାନ୍ୟ ଅସହଜ ହେଇଗଲି ମୁଁ । 


ପୁଅରେ ସତରେ ତୁ ବାଇଆଟେ । 

ଆଖିଟେକି ଚାହିଁଦେଲି ତାଙ୍କ ମୁହଁକୁ । ଉଦୟ ସୂର୍ଯ୍ୟଙ୍କ ଆଭାକୁ ମଳିନ କଲାପରି ତେଜରାଶି ପ୍ରସ୍ଫୁଟିତ ହେଉଛି ତାଙ୍କ ମୁଖମଣ୍ଡଳରେ । 

ବାଇଆ ରେ ଗୋପୀମାନେ ପରା ସମସ୍ତେ ବିବାହିତା ଥିଲେ । ଏମିତିକି ରାସରାସେଶ୍ୱରୀ କିଶୋରୀ ବି । ସଂସାରର ଯାହାଙ୍କୁ ନାରୀ/ପୁରୁଷ ର ମାନ୍ୟତା ମିଳିଛି ସେମାନେ ସମସ୍ତେ ଦାତା ଗ୍ରହୀତାର ବିଧିକୁ ଅନୁସରଣ କରି ଜୀବନ ବଞ୍ଚୁଛନ୍ତି । 

ଯେମିତି ପୁରୁଷ ମାନ୍ୟତା ପାଇଥିବା ଜୀବ ନିକଟରୁ ନାରୀଟିଏ ଦାନ ସ୍ୱରୂପରେ ମିଳୁଥିବା ଦାନର ଅଣୁମାତ୍ର ଧାରଣ କରି । ସେ ଦାନକୁ ଗର୍ଭସ୍ଥ କରି ପ୍ରତିଦାନରେ ଫେରେଇ ଦିଏ ପ୍ରତିରୂପକୁ । ଆଉ ନିଜେ ଅସହ୍ୟ ଗର୍ଭଯନ୍ତ୍ରଣା ସହିଥିଲେ ମଧ୍ୟ....ଗ୍ରହଣ କରିଥିବା ଦାନ ସହିତ ନିଜର ଅଂଶ ମିଶାଇଥିଲେବି ସେ ମିଶ୍ରଣରେ ସୃଷ୍ଟି ହୋଇଥିବା ସୃଷ୍ଟକୁ ଟେକିଦିଏ ଦାତାକୁ ଦାତାର ପରିଚୟ ଦେଇ । ଏ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଶେଷରେ ଉଭୟେ ଦାତା ଓ ଉଭୟେ ଗ୍ରହୀତା । କିନ୍ତୁ ପୁରୁଷ ଆଉ ନାରୀର ପରିଚୟରେ ନୁହେଁ । କେବଳ ମିଳିଥିବା ଅଧିକାରର ପ୍ରୟୋଗରେ । 


ପୁରୁଷ ଜଣେ ଏ ସୃଷ୍ଟିରେ ବାକି ସମସ୍ତେ ନାରୀ । ପୁରୁଷ ହେଉଛନ୍ତି କୃଷ୍ଣ ସମସ୍ତ ଜୀବଜଗତକୁ ବରିବାକୁ ସକ୍ଷମ ସେ । ସେ ନିଅନ୍ତିନି ଦାନ ନିଅନ୍ତି ପ୍ରେମ । ଦିଅନ୍ତି ପ୍ରେମ ବଦଳରେ ପରମ ତୃପ୍ତତା ଯାହାକୁ ଥରେ ସେ ତୃପ୍ତତାର ସ୍ୱାଦ ମିଳିଛି ସେ କୃଷ୍ଣ ବ୍ୟତୀତ ଆଉ କାହାକୁ ଦେଖିବାକୁ କି ଶୁଣିବାକୁ ଇଚ୍ଛେନାହିଁ । ସୁନ୍ଦରତା ଓ ତୃପ୍ତତାର ଶେଷସୀମା ସେ । 


ମା ଏସବୁତ ମୁଁ ବୁଝିପାରୁନି ...ହେଲେ ରାହାସ କେମିତି ? 


ହୃଦୟ ବ୍ରଜରେ ମନର କଦମ୍ବ ମୂଳେ ଚକ୍ଷୁଯମୁନାର ପ୍ଳାବିତ ଜଳରେ ନାସାରେ ପ୍ରବାହିତ ବଂଶୀ ସ୍ଵନକୁ ଚାକ୍ଷୁସ କରିବା ହିଁ ରାହାସ । ରାଈ ସହିତ କହ୍ନେଇ ବିରାଜ ମାନ ହୋଇ ବିଭାଜିତ ହୁଅନ୍ତି ଅନେକ ଗୋପୀ ଆଉ ଅସରନ୍ତି କୃଷ୍ଣରେ । ସେ ଗୋପୀ ମେଳରେ ନିଜକୁ ଖୋଜି ଆବିଷ୍କାର କରିବାକୁ ହୁଏ । ଆଉ ତାପରେ କୃଷ୍ଣ ପରଶ । 


ମା ମୋର କଣ ସବୁ କହୁଛ ? ଅନେକ ଗୋପୀ ? ଅନେକ କୃଷ୍ଣ ? ସେ ଭିତରେ ପୁଣି ମୁଁ ଆଉ ମୋ ପାଇଁ ବି ସ୍ୱତନ୍ତ୍ର କୃଷ୍ଣଟିଏ ? ମୋତେ କେବଳ ଏତିକି କୁହ.. ମୁଁ ପ୍ରେମିକା ହେଇପାରିବି ? 

ପୁଣି ହସରେ ପ୍ରକମ୍ପିତ ହେଇଗଲା କୋଠରୀ । ଥରେ ଏ ବ୍ରଜ ହେଉ କି ହୃଦୟ ବ୍ରଜ ହେଉ ପହଞ୍ଚି ସାରିଲା ପରେ ସମସ୍ତେ ପ୍ରେମିକା । ପ୍ରେମିକ ପ୍ରବର କୃଷ୍ଣ ଆଲିଙ୍ଗନ କରିବାକୁ ସବୁବେଳେ ପ୍ରସ୍ତୁତ ।


ମୁଁ ଧାର୍ଯ୍ୟ କରିପାରୁନଥିଲି କେଉଁ ପ୍ରେମକୁ ମୁଁ ଗ୍ରହଣ କରିବି ଓ କେଉଁ ପ୍ରେମ ଠିକ ? ଯାହାକୁ ମୁଁ ପ୍ରେମବୋଲି ଆଜିଯାଏ ବିବେଚନା କରିଆସୁଥିଲି ତାକୁ ସେ ନିୟମ ମାତ୍ର କହି ତାର ଅନ୍ତ କରିଦେଉଛନ୍ତି । ଆଉ ଯାହାକୁ ସେ ପ୍ରେମବୋଲି କହୁଛନ୍ତି ସେ ମୋଲାଗି ସମ୍ପୂର୍ଣ୍ଣ ରୂପେ ଅଜଣା । 


କଣ ଭାବୁଛୁ ପୁଅ ? 

ନାଇଁ ମା ମୋତେ ଟିକେ ପ୍ରେମିକା ହବାର ସୌଭାଗ୍ୟ ପାଇବା ପାଇଁ ଆଶୀର୍ବାଦ କରନ୍ତନି ? ସୁନ୍ଦରତାର ଶେଷରେ ପରମ ସୁନ୍ଦରର ନିକଟବର୍ତ୍ତୀ ହେବାର ରାସ୍ତା କହି ଦିଅନ୍ତନି ? ବିନା ପ୍ରତିଦାନରେ ମୁଁ ବି ଅନେକ ଅଯାଚିତ ଦାନ ଦେଇସାରିଛି । ପ୍ରେମିକ ହେଇସାରିଛି ବିବାହିତା ଆଉ ଅବିବାହିତା ମାନଙ୍କର ମୁଁ ବିବାହିତ ଥାଇ ମଧ୍ୟ । 

ବାପାରେ ବ୍ୟସ୍ତ ହଅନି ...ଯଦି ତୋର ପ୍ରତିଟି କର୍ମରେ ମୋ କହ୍ନେଇକୁ ସାମିଲ କରିପାରିବୁ , ତାହେଲେ ସେ ହିଁ ତୋ ଗତିପଥ ବଦଳେଇବାର ସାମର୍ଥ୍ୟ ରଖେ ଆଉ ବଦଳେଇ ଦେବ ମଧ୍ୟ । ପୁଅରେ ମନେରଖ ପ୍ରତିଦାନ ର ଆଶା ଯେଉଁଠି ନଥିବ ସେଠି ପୁରୁଷ ପାଣିଆକୁ ଅଯାଚିତ ଭାବେ ଦାନ କରିବୁନି । ମା ବୋଲି ଡାକିଛୁ ଯେତେବେଳେ ଏ ମାଆ ର ଏତିକି କଥା ମନେ ରଖିଥିବୁ । 

ଝୁକି ପଡ଼ିଲି ତାଙ୍କ ପାଦତଳେ ବ୍ରଜନାରୀଙ୍କ ପାଦତଳର ସେ ବ୍ରଜରଜ୍ଜ ଆଣି କପାଳରେ ମାରି , ପ୍ରସାଦ ରୂପେ ଗର୍ଭସ୍ଥ କଲି । ଆଖିରୁ ମୋର ଅନବରତ ଭାବେ ଲୁହ ଝରୁଥିଲା । ସେ ଲୁହ ଦୁଃଖର ନଥିଲା କିନ୍ତୁ କେଉଁ ଖୁସିରେ ମୋତେ ଭିଜେଇ ସେ ଲୁହ ଚିରସ୍ରୋତା ପାଲଟିଥିଲା ସେ ବିଷୟରେ ବି ଜାଣିପାରୁନଥିଲି । ମନରେ ପ୍ରେମିକା ହେବାକୁ ସ୍ଥିର କରି ସେ ସ୍ଥିରତାର ପ୍ରାପ୍ତିକୁ ବ୍ରଜନାରୀଙ୍କ ଆଶିଷ ନେଇ ଫେରି ଆସିଲି ଅନ୍ୱେଷଣକୁ ।


         


Rate this content
Log in

Similar oriya story from Tragedy