ଭୟଙ୍କର ବ୍ୟାଧି
ଭୟଙ୍କର ବ୍ୟାଧି
ବର୍ଷ ବର୍ଷ ବିତିଯିବ ହେଲେ ପ୍ରତି ମୁହୂର୍ତ୍ତରେ ତୁମ କଥା ଆମର ମନେ ପଡୁଥିବ ଲିତୁ । ମନମାନୁନି ଯେ ତୁମକୁ ସତରେ ଆମେ ହରେଇ ଦେଲୁ, ଅଚାନକ ଏକ ଭୟଙ୍କର ରୋଗର କାରଣରୁ !!! ବିଶ୍ୱାସ ହେଉନି, ସତରେ,ନା ଏସବୁ ସ୍ୱପ୍ନ । ସଂସାରରେ ଥିବା ପର୍ଯ୍ୟନ୍ତ ଏ ଦୁଃଖ ଆମକୁ ତିଳ ତିଳ କରି ଜାଳି ଚାଲିଥିବ ।
ବଡ଼ମାନଙ୍କ ଆଗରେ ତୁମେ ଚାଲିଗଲ, ଏମିତି ଲାଗୁଛି ଯେମିତି ଆମେ ସମସ୍ତେ କିଛି ଭୁଲ କରିଥିଲୁ,ଯାହାର ଦଣ୍ଡ ସ୍ୱରୂପ ଆମେ ତୁମକୁ ହରେଇ ଦେଲୁ । ତୁମେ ସିନା ସୁନ୍ଦର ବୈକୁଣ୍ଠ ସନ୍ଧାନରେ ଚାଲିଗଲ, ହେଲେ ଆମେ ଇହଜଗତର ଏଇ ନର୍କରେ ଘାଣ୍ଟି ହେଉଥିବୁ ।
ତୁମର କିଛି ଦିନର ଭଗବତ ପ୍ରୀତି ତୁମକୁ ଏତେ ଶୀଘ୍ର ମୁକ୍ତି ଦେଇଦେଲା, ତୁମେ ସିନା କିଛିଦିନ ବ୍ୟାଧି କବଳିତ ହୋଇ କଷ୍ଟ ପାଇଲ ହେଲେ ଏବେ ତୁମେ ଅସୀମ ଶାନ୍ତି ଲାଭ କରିଛ ।
ମନେପଡୁଛି ସେଇ ଫେବୃୟାରୀ 25 ତାରିଖ, ତୁମେ ହସ୍ପିଟାଲରେ ଆଡ଼ମିସନ ନେଲ । ମୁଁ ତୁମ ଭାଇଙ୍କ ସହ ବାହାରିଲି ଦେଖିବାକୁ । ହେଲେ ତୁମେ ଶ୍ୱଶୁର ଘର ଲୋକଙ୍କ ସହିତ ଯାଇ କେଉଁ ହସ୍ପିଟାଲକୁ ଗଲ ଆମେ ଦୁହେଁ ଜାଣି ପାରିଲୁନାହିଁ । ତେଣୁ ଭାଇ କହିଲେ ମୁଁ ଆଗ ଯାଇ ଦେଖେ ତୁମକୁ ନେଇ ଯିବି, ମୁଁ ବାଧ୍ୟ ହୋଇ ରହିଲି ।
ଭାଇ ଖୋଜିଖୋଜି ଯାଇ ଗୋଟିଏ ପ୍ରାଇଭେଟ କ୍ଲିନିକରେ ତୁମର ଆଡ଼ମିସନ ହୋଇଥିବାର ଜାଣିଲେ । ଭାଇଙ୍କୁ ଦେଖି ତୁମେ ମୁହଁ ଶୁଖେଇ କହିଲ,"ଭାଇ ମୁଁ ଭଲ ହୋଇ ଯିବିଟି"??ଭାଇଙ୍କ ଛାତିରୁ ନିଆଁ ଖସି ପଡ଼ିଥିଲା । ସେମିତି ସିରିଅସ ତୁମେ ହେଇ ନ ଥିଲ । କାହିଁକି ଏପରି କଥା କହିଲ ଭାବି ଭାଇ ଡରିଗଲେ,ତଥାପି ତୁମକୁ ସାହସ ଦେବାକୁ କହିଲେ କାହିଁକି ତୋର କଣ ଏମିତି ହୋଇଛି ଯେ ତୁ ଭଲ ହେବୁନି ।
ତା ପରେ ତୁମେ ପଚାରିଲ "ଭାଉଜ ଆସି ନାହାଁନ୍ତି??"
ଭାଇ କହିଲେ ହଁ ସିଏ କାଲି ଆସିବ ।
ତୁମେ ଚାଲି ଚାଲି ତ ହସ୍ପିଟାଲ ଗଲ କିନ୍ତୁ ଯାଉ ଯାଉ ଡାକ୍ତର କହିଲେ ରୋଗୀକୁ I I CUରେ ଭର୍ତ୍ତି କରାଯିବ ଅତି ସିରିଅସ୍ ଅବସ୍ଥା ।
ଯେଉଁ ଲୋକ ଏତେ ବାଟ ଆସି ପାରିଲା ସିଏ ଏତେ ସିରିଅସ୍ କେମିତି ହେଲା । ???
ରୋଗର ପ୍ରକୃତ କାରଣ କଣ? କେହି ଜାଣି ପାରିଲେ ନାହିଁ ।
ଚାଲିଲା ଟ୍ରିଟମେଣ୍ଟ, କିନ୍ତୁ ରୋଗ ବଢିବାରେ ଲାଗିଲା ।
ମେଡିସିନ କିଛି କାମ ଦେଲାନି ।
ତା ପରଦିନ ମୁଁ ଝିଅକୁ ନେଇ ଗଲି ହସ୍ପିଟାଲ., I C U କୁ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଛଡ଼ାଯାଏ,ଆମେ ଦୁହେଁ ଅପେକ୍ଷା କଲୁ । କିଛି ସମୟ ପରେ ଆମକୁ ଡାକିଲେ ମୁଁ ଆଗ ଯାଇ ତୁମ ବେଡ଼ ପାଖରେ ଠିଆ ହେଲି । ତୁମ ନାକ ପାଟିରେ ମାସ୍କ ଲାଗିଥାଏ । ତୁମେ ନିଃଶ୍ୱାସ ନେଇ ପାରୁନଥାଅ, ମୋତେ ବିକଳ ହୋଇ ଚାହିଁ ରହିଲ ମୁଁ ଏ ଅବସ୍ଥାରେ ତୁମକୁ ଦେଖିବି ବୋଲି ଜାଣି ନ ଥିଲି । ମୋ ଦେହ ସାରା ଝିମ୍ ଝିମ୍ ହୋଇଗଲା
ମୁଁ ତୁମକୁ ପଚାରିଲି କେମିତି ଲାଗୁଛି ଲିତୁ, ଦେହ କଣ ବେଶି ଖରାପ ଲାଗୁଚି??
ତୁମେ କଥା କହି ପାରିବନି ଜାଣି ମଧ୍ୟ ମୋ ମନକୁ ବୁଝେଇ ବା ପାଇଁ ତୁମକୁ ପ୍ରଶ୍ନ ପଚାରିଥିଲି । ଉତ୍ତର ଦେବାକୁ ତୁମେ ସକ୍ଷମ ନ ଥିଲ । ମୁଁ ତୁମର ଏ ଅବସ୍ଥା ବେଶି ସମୟ ଦେଖି ପାରିବିନି ବୋଲି ସାଙ୍ଗେ ସାଙ୍ଗେ ପଳେଇ ଆସିଲି । ବାହାରେ ଆସି ଭୋ ଭୋ ହୋଇ କାନ୍ଦିଲି । ମଣିଷ ଜୀବନ କଣ ଏତେ ସୁକ୍ଷ୍ମ ପଦାର୍ଥରେ ଗଢ଼ା, ସେମିତି କିଛି ତ ତୁମର ରୋଗ ଆଗରୁ ନ ଥିଲା ହେଲେ ହଟାତ ଏମିତି ହେବ ଏ ଧାରଣା କାହାର ନ ଥିଲା ।
ସେଇ ଦିନ ସଂଧ୍ୟା ବେଳକୁ ଡାକ୍ତର କହିଦେଲେ ତୁମର ବଞ୍ଚିବାର ଆଶା କ୍ଷୀଣ । ଝଣ ଝଣ ହୋଇ ଭାଙ୍ଗି ଗଲା ଯେମିତି କାଚର ସୁନ୍ଦର ମିନାର୍ ଟିଏ ।
ସମସ୍ତଙ୍କ ଆଖିରେ ଲୁହ, ସମସ୍ତେ ବାକଶକ୍ତି ରହିତ । କେବଳ ଆଶା ଵିଭୁପଦ । ଭାଇ ଭଉଣୀ, ତୁମ ପତ୍ନୀ, ଶାଶୁ ଶ୍ୱଶୁର, ତୁମ ଝିଅ ଆକୁଳ କଣ୍ଠରେ ଭଗବାନଙ୍କୁ ଡାକୁଥିଲେ,କେବଳ ବୋଉ ଜାଣି ନ ଥିଲେ ତୁମର ଏମିତି ଅବସ୍ଥା ଗୁରୁତର ବୋଲି,ଦୁଇ ଦିନ ଦୁଇ ରାତି ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ବ୍ୟର୍ଥ ଗଲା ତୁମେ ପାର୍ଥିବ ଶରୀର ତ୍ୟାଗ କରି ଚାଲିଗଲ ସ୍ୱର୍ଗ ଅଭିମୁଖେ ।
ମନେପଡେ ତୁମର ସବୁ କଥା, ମୁଁ ବୋହୂ ହୋଇ ଆସିଲା ବେଳକୁ ତୁମେ ସ୍ନାତକତ୍ତୋର ଗଣିତର ଛାତ୍ର ଥିଲ । ତୁମ ପାଠ ପରି ତୁମେ ଭାରି ଅବୁଝା ।
ଅତି ଜ୍ଞାନୀ ଆଉ ଚତୁର ହେଲେ ମଧ୍ୟ କ୍ଷଣକୋପୀ ।
ତଥାପି ମୁଁ ଚେଷ୍ଟା କରେ ତୁମର ପସନ୍ଦ ହେଲାଭଳି ଖାଦ୍ୟ ରାନ୍ଧି ପରଶି ବାକୁ । ଧୀରେ ଧୀରେ ତୁମର ସବୁ କାମ ଏମିତି କି ସାଟ ପ୍ୟାଣ୍ଟ ସଫା କରିବା,ତାକୁ ଇସ୍ତ୍ରୀ କରି ସଜାଡି ରଖିବା ଇତ୍ୟାଦି କରିବାକୁ ପଡ଼ିଲା, ଭାଉଜରୁ ମା 'ରେ ରୁପାନ୍ତରିତ ହେଲି ମୁଁ ।
ସବୁ କରୁଥିଲି ଅତି ଆଗ୍ରହରେ ।
ପାଠ ପଢା ପରେ ଚାକିରି ତା ପରେ ବାହାଘର ହୋଇଗଲା ତୁମର । ସ୍ତ୍ରୀ ଆସିଲେ ତୁମର ସବୁ କାମରୁ ମୋତେ ଛୁଟି ମିଳିବ ଭାବୁଥିଲି, ହେଲେ ଭୁଲ ଧାରଣା ମୋର ଥିଲା, ତୁମ ସ୍ତ୍ରୀ ସବୁବେଳେ ବାପ ଘରେ ରହିଲା । ତୁମେ ସେଥିପାଇଁ ଅନେକ ଚେଷ୍ଟା କଲେ ମଧ୍ୟ ସିଏ ବୁଝେନି, ତାର ଇଚ୍ଛା ତୁମେ ତାଙ୍କ ଘରେ ରହିଯାଅ ସବୁବେଳ ପାଇଁ ।
ତୁମର ବୈବାହିକ ଜୀବନ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ତୁମେ ଆଧ୍ୟାତ୍ମିକ ମାର୍ଗକୁ ବାଛିନେଲ ଫଳରେ ଦୁଃଖ ନୈରାଶ୍ୟର ପ୍ରଭାବରୁ ତୁମେ ବିମୁକ୍ତ ହୋଇଗଲ, ସଂସାରରେ ଥାଇ ମଧ୍ୟ ସାଂସାରିକ ମୋହ ଠାରୁ ନିଜକୁ ଦୂରେଇ ରହିଲ ।
ତୁମର ଅସାମାନ୍ୟ ଜ୍ଞାନ ଦ୍ୱାରା ଅନେକ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଶିକ୍ଷା ଦେଇ ତୁମେ ତାଙ୍କ ପାଇଁ ଅମର ହୋଇ ଯାଇଛ ଲିତୁ । ସେଇ ଅବୁଝା ଗଣିତ ପରି ତୁମ ମନ ଧୀରେ ଧୀରେ ଏତେ ସରଳ ଆଉ ନିଷ୍କପଟ ହେଇ ଯିବ, କେବଳ ମୋ ଛଡ଼ା ଆଉ କେହି ବୁଝି ପାରିବେନି । ତାପରେ ତୁମର ମୋ ପ୍ରତି ସମ୍ମାନ ଆଉ ଶ୍ରଦ୍ଧା ଶୀର୍ଷ ସୀମା ଅତିକ୍ରମ କରି ଥିଲା । ତାର ଓଲଟା ପ୍ରଭାବ ତୁମ ସ୍ତ୍ରୀକୁ ସନ୍ଦେହୀ କରି ଦେଇଥିଲା । ସିଏ ମାଆ ଆଉ ପୁଅର ସମ୍ପର୍କକୁ ବୁଝିବ କେମିତି, ତା ମନରେ ତ ବିଷ ଭରି ଥିଲା ।
ତୁମେ ଚାଲିଯିବାଟା ବିଧି ନିର୍ଦ୍ଦିଷ୍ଟ ଥିଲା । କିନ୍ତୁ ଏହାକୁ ସହିଵା ଆମ ପାଇଁ ବହୁତ କଷ୍ଟକର ଥିଲା ।
ଶେଷରେ ଡାକ୍ତର କହିଲେ ଏଇ ରୋଗ ଶହେ ଜଣରେ ଜଣଙ୍କୁ ହୁଏ ଯାହାର ନାଁ ଥିଲା A R D S, ।
ଯେଉଁ ରୋଗ ହେଲେ ରୋଗୀ ସୁସ୍ଥ ହେବା ଅସମ୍ଭବ ।
ବୋଧେ ଭଗବାନ ତୁମକୁ ନବା ପାଇଁ ଏଇ ରୋଗକୁ ମାଧ୍ୟମ କରିଦେଲେ । କହନ୍ତି ଯମ ଯଦି ନବାକୁ ଥିବ ତେବେ ସିଏ କିଛି ଗୋଟେ କାରଣ ସୃଷ୍ଟି କରିବ । ନାହିଁ ତ ତାକୁ କିଏ ଦୋଷ ଦେଇଦେବ ।
ଏ ବୟସରେ ବୋଉ ତୁମକୁ ହରାଇ କେମିତି ଧୈର୍ଯ୍ୟ ଧରି ରହିବେ??ତୁମେ ପରା ବୋଉଙ୍କୁ ଛାଡ଼ି ଯିବାକୁ ପଡ଼ିବ ବୋଲି ପ୍ରୋମୋସନ ନେଉ ନ ଥିଲ । ଏବେ ବୋଉ କେମିତି ତୁମ ବିନା ରହିବେ ଭାବିଲନି???
ତୁମ ଅବର୍ତ୍ତମାନରେ ସବୁ କିଛି ଅଧା ଅଧା ଲାଗୁଛି ତୁମ ସ୍ଥାନ କେହି ପୂରଣ କରି ପାରିବେନି । ହଁ ଆମେ ତୁମ ଝିଅକୁ ଦେଖି କିଛିଟା ଦୁଃଖ ଭୁଲିବାକୁ ଚେଷ୍ଟା କରିବୁ । ଭଗବାନଙ୍କୁ ଡାକୁଛୁ ପ୍ରଭୂ ଏମିତି ଭୟଙ୍କର ରୋଗ କାହାକୁ ନ ଦିଅନ୍ତୁ । ତୁମ ପରି ତୁମ ଝିଅ ପାଠ ପଢି ନାମ ଉଜ୍ଜ୍ୱଳ କରୁ ।
ଭଗବାନ ତାକୁ ଦୀର୍ଘାୟୁ କରନ୍ତୁ ।
ତୁମ ଭାଉଜ,
