Bharatabandhu Biswal

Tragedy Crime Inspirational

3  

Bharatabandhu Biswal

Tragedy Crime Inspirational

ଭୟା°ଗଳି

ଭୟା°ଗଳି

3 mins
347



ଠିକ୍ ଆମ ଗାଁଟିର ମଝିଆମଝି କାହିଁ କେଉଁ କାଳୁ ରହି ଆସିଛି ଭୟା°ଗଳି । ଦୁଇପଟକୁ ଲାଗି ରହିଛି ଝଙ୍କାଳିଆ ବାଉଁଶ ବଗାୟତ ଓ ଆମ୍ବ ପଣସ ବାଡ଼ି । ଗଳିର ଦୁଇପଟେ ଭିନ୍ନ ଭିନ୍ନ ସଂପ୍ରଦାୟ ଲୋକଙ୍କ ବସ୍ତି ।

 ଗଳିଟି ଦିନବେଳେ ବି ଖୁବ୍ ଅନ୍ଧାରିଆ ଦେଖାଯାଏ । ପିଲାମାନେ ଏକୁଟିଆ ଏଇବାଟେ ଯିବା ଆସିବାକୁ ଡରିଥାନ୍ତି ।ଏହାକୁ କେତେକ ଭୟାନକ ଗଳି ଓ ଅନ୍ଧଗଳି ବୋଲି ବି କହିଥାନ୍ତି ।ସତେ ଯେମିତି ଏହି ଗଳି ହେଉଛି ଦୁଇ ଭିନ୍ନ ସାଂପ୍ରଦାୟ ଲୋକ ମାନଙ୍କ ମଧ୍ୟରେ ପରସ୍ସର ସଦ୍ଭାବ ରକ୍ଷା କରି ଶାନ୍ତି ପୂର୍ଣ୍ଣ ସହାବସ୍ଥାନ କରିବାର ଏକ ଅଘୋଷିତ ଚୁକ୍ତିନାମା ଓ ଭୌଗଳିକ ତଥା ସାମାଜିକ ଚଳନୀର ସୀମାରେଖା ।

ଗଳିଟି ମାତ୍ର ଦୁଇଶହ ମିଟର ଲମ୍ବ । ଏହାର ଗୋଟିଏ ମୁଣ୍ଡ ଗାଁର ମେଲଣ ପଡିଆକୁ ଛୁଉଁ ଥିବା ବେଳେ ଅନ୍ୟ ମୁଣ୍ଡଟି ରାଜରାସ୍ତାକୁ ସଂଯୋଗ କରେ । ଗଳିଟି ବହୁ ଅପମୃତ୍ୟୁ ଏବଂ ଦୁର୍ଘଟଣାର ମୂକସାକ୍ଷୀ । ଗାଁ ମୁଣ୍ଡକୁ ଲାଗି ମାଆ ବୁଢୀ ବାସୁଳାଇ ଦେବୀଙ୍କ ମନ୍ଦିର ଓ ମେଲଣ ପଡିଆ । ଲୋକେ ବିଶ୍ୱାସ କରନ୍ତି ମାଆ ଖୁବ୍ ପ୍ରତ୍ୟକ୍ଷ ଦେବୀ । ତାଙ୍କ ପାଖରେ ପ୍ରତି ସଂକ୍ରାନ୍ତି ଦିନ ହୋମ ହୁଏ । ଅଗିରା ପୂନେଇରେ ମାଆଙ୍କ ଆଗରେ ଅଗି ଜଳାଯାଏ । ଶୀତ ପରେ ଆସେ ମଧୁ ବସନ୍ତ । ମାଆଙ୍କ ସମୀପରେ ଆଖପାଖ ଗାଁ ଗୁଡିକରୁ ସୁସଜ୍ଜିତ ବିମାନରେ ବସାଇ ରାଧାକୃଷ୍ଣଙ୍କୁ ଅଣାଯାଏ । ହରିନାମ ହୁଳହୁଳିରେ ପଡିଆଟି ଉଛୁଳି ଉଠେ । ରଙ୍ଗର ପର୍ବ ହୋଲି ସମସ୍ତଙ୍କ ମନରେ ଆନନ୍ଦ ଉଲ୍ଲାସ ଭରିଦିଏ । ମାଆ ବାସୁଳେଇ ସତେ ଯେମିତି ଦୁଃଖକୁ ଦୂର କରି ସଂସାରରେ ସମସ୍ତଙ୍କ ପାଇଁ ସୁଖର ପସରା ଖୋଲି ବସିରହିଥାନ୍ତି । ଅନ୍ତରୀକ୍ଷରେ ରହୁଥିବା ପିତୃଲୋକ ଏବଂ ଆମ ମଧ୍ୟରେ ସେ ଅଦୃଶ୍ୟ ସଂଯୋଗ ଶକ୍ତି ରୂପେ ବିଜେ ହୋଇ ରହିଛନ୍ତି ।ଏଣୁ ବିବାହ ବ୍ରତ ଆଦି ଶୁଭ କାର୍ଯ୍ୟରେ ପ୍ରଥମେ ମାଆଙ୍କ ପାଖରେ ପୂଜା ହେବାର ବିଧି ରହିଛି ।

 ଅନ୍ଧଗଳି ଦେଇ ଗାଁ ଭିତରୁ କେହି ବହିରାଗତ ହେଲେ, ପ୍ରଚଳିତ ହୋଇ ଆସୁଥିବା ପ୍ରଥାକୁ ନ ମାନିଲେ ଘୋର ବିପଦ ପଡେ ବୋଲି ବିଶ୍ୱାସ ରହିଛି ।ଏହି ଭୟାଗଳିକୁ ଲାଗିଥିବା ଏକ ବାଡିକୁ ସୁଲଭା ମାଆ ବାଡି ବୋଲି କହିଥାନ୍ତି । ବୁଢ଼ୀଟିର କାଳେ ଏକମାତ୍ର ଝିଅ ଥିଲା । ସେ ପରିବାର ଗୁଜୁରାଣ ଚଳିବା ପାଇଁ ନିଜର ଜଣେ ସମ୍ପର୍କୀୟ ଭଉଣୀ ଭିଣୋଇଙ୍କ ପାଖରେ କଳିଙ୍ଗ ନଗରରେ ରହି ରୋଷେଇ ବାସ କରି ଦେଉଥିଲା । ସେଠାରେ ଜଣେ ବଙ୍ଗୀୟ ମୁସଲିମ୍ ବୋଲି କହୁଥିବା ଯୁବକର ପ୍ରେମଜାଲରେ ଫସିଗଲା । ତା ପ୍ରରୋଚନାରେ ଖାଦ୍ୟରେ ନିଶା ମିଶାଇ ଭଉଣୀ ଭିଣୋଇଙ୍କୁ ଦେଇଦେଲା । ରାତିରେ ଭଉଣୀ ଭିଣୋଇ ଅଚେତ ହୋଇଗଲା ପରେ ତାଙ୍କ ଆଲମାରୀରେ ଥିବା ବହୁମୂଲ୍ୟ ସୁନାରୂପା,ଟଙ୍କା ଧରି ବଙ୍ଗୀୟ ଯୁବକ ସହିତ ଚମ୍ପଟ ହୋଇଗଲା । ପାଖରେ ଚୋରୀ ଜିନିଷ ରହିଲେ ବିପଦ । ପୋଲିସ ଧରିଲେ ସବୁ ହାତରୁ ଯିବ ।ବଙ୍ଗୀୟ ଯୁବକଟି ତାକୁ ସୁନାରୂପାକୁ ବିକି ଦେଇ ଟଙ୍କା ଆଣି କେଉଁ ଦୂର ସହରକୁ ପଳେଇବା ବୋଲି କହିଲା । ଏଥିରେ ସୁଲଭା ରାଜି ହେଲାରୁ ସେ ତାଙ୍କ ଘର ରାଜକନିକାର ଅର୍ଗଳ ନାମକ ଏକ ଗାଁ କୁ ଗଲେ ସବୁ ସୁବିଧା କରିପାରିବ ବୋଲି କହିଲା । କୟାଗୋଲାରୁ ବସରୁ ଓହ୍ଲାଇ ସେମାନେ ଏକ ନିଛାଟିଆ ବାଟ ଦେଇ ଚାଲି ଚାଲି ଗଲେ । ରାସ୍ତାଘାଟ ନାହିଁ । ସୁଲଭାର ପାଟି ଶୋଷରେ ଅଠା ଅଠା ହୋଇ ଯାଉଥାଏ । ତା ପ୍ରେମିକଠୁ ପଚାରି ବୁଝିଲା ଯେ ସେ ପାଟଟିର ନାମ କୁଆଡେ ଘଇତାମାରୀ ପାଟ । ଜଣେ ଚାଷୀ ପାଟ ମଝିରେ ଜମି ହଳ କରୁଥିଲା । ତାର ସ୍ତ୍ରୀ ଖାଇବା ପିଇବାକୁ ନେଇ ଆସିବାରେ ସାମାନ୍ୟ ବିଳମ୍ବ କରିଥିଲା । ସ୍ତ୍ରୀକୁ ପାଞ୍ଚଣ ହଲାଇ ସ୍ୱାମୀଟି ଶୀଘ୍ର ଶୀଘ୍ର ଆସିବା ପାଇଁ କହୁଥିବା ବେଳେ ସ୍ତ୍ରୀଟି ଭାବିଲା ଯେ ବିଳମ୍ବ ଯୋଗୁ ତା ସ୍ୱାମୀ ଖୁବ୍ ରାଗି ଯାଇଛନ୍ତି । ଏଣୁ ପାଞ୍ଚଣ ରେ ବାଡେଇ ତାକୁ ଜୀବନରୂ ମାରି ପକାଇବ । ସେ ଭୟରେ ଆଗକୁ ଗଲା ନାହିଁ । ବିଲରେ ପଡି ବିଚରା ଚାଷୀ ଜଣକ ଆଉଟୁପାଉଟୁ ହୋଇ କାଳେ ମରି ଯାଇଥିଲା । 

 ପ୍ରେମିକ ପ୍ରବରଙ୍କ ଯୋଜନା କିନ୍ତୁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲା । ସେ ଗୋଟିଏ ମୃଦୁ ପାନୀୟ ବୋତଲ କିଣି ସେଥିରୁ ନିଜେ ଅଧା ଆଗରୁ ପିଇ ଦେଇଥିଲେ ।ବାକି ଅଧକରେ ବହୁତ କିଛି ନିଶା ଔଷଧ ମିଶାଇ ରଖିଥିଲା । ସୁଲଭାକୁ ତାକୁ ବଢ଼ାଇ ଦେଇ କହିଲା - ମୁଁ ଦୋକାନରେ ଅଧା ପିଇ ତୁମ ପାଇଁ ଏଇ ଅଧା ସାଇତି ରଖିଥିଲି । ନିଅ ଏଇତକ ପିଇ ଶୋଷ ମାରିଦିଅ ।ବିଚାରି ସୁଲଭା ଭାବିଲା ତା ପ୍ରେମିକ ଓ ଭାବି ସ୍ୱାମୀଟି କେତେ ଭଲ । ତା ମନ ଭିତର କଥାକୁ କେତେ ସୁନ୍ଦର ବୁଝି ପାରୁଛି । ସେ ଆଖି ବୁଜି ସେତକ ପିଇଦେବା ପରେ ସବୁ ଦିନ ପାଇଁ ସେଇ କୁଖ୍ୟାତ ପାଟରେ ଆଖି ବୁଜି ଶୋଇ ପଡିଲା । ପୋଲିସର ଢେର ତନାଘନା ଓ ଖୋଜ ଖବର ପରେ ଘଟଣା ବିଷୟରେ ସତ୍ୟାସତ୍ୟ ଲୋକ ମାନଙ୍କ ପାଖରେ ପହଞ୍ଚିଲାରୁ ସେତେବେଳେ ଖୁବ୍ ଆଲୋଡନ ସୃଷ୍ଟି କରିଥିଲା ।

ଜୀବନ ହେଉଛି ଏକ ଅନ୍ଧଗଳି ପରି । ନିଜର ମୁର୍ଖତା ଏବଂ ସାମାନ୍ୟ ଭୁଲଭଟକା ପାଇଁ ମଣିଷକୁ ଭାରି ମୂଲ୍ୟ ଦେବାକୁ ପଡିଥାଏ ।ସୁଲଭା କଥାରୁ ଶିକ୍ଷା ଲାଭ କରି ଲୋକେ ବହୁତ ସଚେତନ ହେଲେଣି ।ସମସ୍ତେ ଆମ ସଂସ୍କୃତି ସଂସ୍କାରର ଅନୁସରଣ କରି ସୁଖ ଶାନ୍ତିରେ ଜୀବନ ଅତିବାହିତ କରନ୍ତୁ, ଭୟା°ଗଳି ସବୁଦିନ ସହାବସ୍ଥାନର ପ୍ରତୀକ ହୋଇ ରହିଥାଉ । ଗାଁର ଏଇ ଅନ୍ଧ ଭୟା°ଗଳି ଦେଇ କେହି ରାଜରାସ୍ତାରେ ବହିରାଗତ ହେଲେ କୌଣସି ବିପଦର ସମ୍ମୁଖୀନ ନହେଉ,ଏହି ଭାବନାର ବଶବର୍ତ୍ତୀ ହୋଇ କିଛି ବର୍ଷ ହେଲା ଛକଟିରେ ଏକ ଆଖଣ୍ଡଳମଣି ଶିବ ମନ୍ଦିର ତୋଳା ଯାଇଛି । ଭୟା°ଗଳିର ଭୟାବହତା ଏବେ ବହୁମାତ୍ରାରେ କମି ଯାଇଥିବା ପରିଦୃଶ୍ୟ ହେଉଛି ।

  ------


Rate this content
Log in

Similar oriya story from Tragedy