STORYMIRROR

Pradeep Kumar Panda

Abstract Classics Inspirational

4  

Pradeep Kumar Panda

Abstract Classics Inspirational

ଭୁବନେଶ୍ୱର

ଭୁବନେଶ୍ୱର

3 mins
0

ଆପଣ ତ ଜାଣନ୍ତି ଓଡ଼ିଶା ବୋଲି ଗୋଟିଏ ପ୍ରଦେଶ ଅଛି? ଯିଏ ନିଜର ସ୍ୱତନ୍ତ୍ର ପରିଚୟ ପାଇଁ ବହୁତ ଲଢ଼େଇ କରି ଉଣେଇଶ ଛତିଶ ମସିହାର ଏପ୍ରିଲ ପହିଲାରେ ସରକାରୀ ମାନ୍ୟତା ପାଇଥିଲା। ଲୋକେ ସେତେବେଳେ ଟିକିଏ ସନ୍ଦିହାନ ହୋଇଥିଲେ—ସତ କି ମିଛ? କିନ୍ତୁ ସେ ଦିନଠାରୁ ଆମେ ସେଇ ଦିନଟିକୁ ଉତ୍କଳ ଦିବସ ରୂପେ ପାଳୁଛୁ। ସବୁ ବର୍ଷ ମଧୁବାବୁ ଉତ୍କଳ ଟ୍ୟାନେରୀ, କଟକର ତାରକସି କାମ, ସିଙ୍ଘପାନିଆର କଥା ଚର୍ଚ୍ଚା ହୁଏ। ଏବେ କେତେ ବର୍ଷ ହେଲାଣି “ବନ୍ଦେ ଉତ୍କଳ ଜନନୀ” ଗାଉଛୁ। ଆଜିକାଲି ଉଦ୍ଘୋଷକମାନେ “କଣ୍ଟ କବି” କହି ଲେଖକଙ୍କୁ ମହିମା ମଣ୍ଡିତ କରନ୍ତି। ଘରେ ବାହାରେ ବୈଠକ ଘରେ ଉତ୍କଳ-କଳିଙ୍ଗ ଗୌରବ ଗାଥା ଆଲୋଚନା କରି ମନ ଶାନ୍ତି କରିବାର ଅନେକ ନଜିର ଆମ ପାଖରେ ଅଛି।

ସେତେବେଳେ କଟକ ଥିଲା ଓଡ଼ିଶାର ରାଜଧାନୀ। ବାରବାଟୀ ଦୁର୍ଗ ତା’ର ମୁକୁଟ। ଓଡ଼ିଶା ହାଇକୋର୍ଟ ଏବେ ବି ସେଇଠି ଅଛି। ପୁରୁଣା ସେକ୍ରେଟାରିଏଟ୍ ବିଲ୍ଡିଂରୁ ସମ୍ବଲପୁର ବସ୍ ଧରିବାକୁ ଦିନକ ଆଗରୁ ଇଟାଥୋଇ ଲାଇନ୍ ଲଗାଇବା ଆଜି ବି ମନେ ଅଛି। ଉଣେଇଶ ସତାବନ ହେବ ବୋଧହୁଏ—ଠିକ୍ ମନେ ନାହିଁ—ଭୁବନେଶ୍ୱର ହେଲା ନୂଆ ରାଜଧାନୀ। ସେତେବେଳେ ଭୁବନେଶ୍ୱରରେ ଦୁଇଟି ସହର ଥିଲା: ଓଲ୍ଡ ଟାଉନ୍ ଆଉ କ୍ୟାପିଟାଲ୍। ମାଷ୍ଟର କ୍ୟାଣ୍ଟିନ୍ ଛକ, ମାର୍କେଟ୍ ବିଲ୍ଡିଂ, ରୁପାଲି ଛକ—ସବୁ ଆଜି ବି ଅଛି। ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ଉଦୟଗିରି ସବୁ ଅଛି। ସେକ୍ରେଟାରିଏଟ୍‌ରେ ଲିଫ୍ଟ୍ ଲାଗିବା ଦେଖି ଆଖି ଟେରା ହୋଇଯାଇଥିଲା। ବଇଆ କୋରାଖଇ ଦୋକାନ ଆଜି ବି ଚାଲୁଛି।

ଏବେ ଭୁବନେଶ୍ୱରର ସୀମା ଚନ୍ଦକା, ବାରଙ୍ଗ ଡେଇଁ ଗଲାଣି। ସେଇଠି ନନ୍ଦନକାନନ। ଧଉଳି ଡେଇଁ ପିପିଲି ଆରପଟେ। ଗୋଠପାଟଣା, ମେଣ୍ଢାଶାଳ, ତ୍ରିଶୁଳିଆ—ସବୁ ଏବେ ଭୁବନେଶ୍ୱର। ନୂଆ ଭୁବନେଶ୍ୱର ଷ୍ଟେସନ୍ ଦେଖିଥିବା ମନେ ହେଉଛି। ଜମି ଦର ହୁ ହୁ ହୋଇ ବଢ଼ୁଛି। ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର, ସୁନ୍ଦରଗଡ଼, କୋରାପୁଟ—ତିରିଶି ଜିଲ୍ଲାର ଲୋକ ଆସି ଭୁବନେଶ୍ୱରରେ ବସିଛନ୍ତି। ପୁରୀ ବାଲାଙ୍କୁ ପୁରୀ ଅଡ଼ୁଆ ଲାଗୁଛି ସିଏ ବି ଏଇଠି।

ଏଠି କେହି ଟ୍ରାଫିକ୍ ନିୟମ ମାନିବାକୁ ଅସମ୍ମାନ ମନେ କରନ୍ତି। ରେଡ୍ ଲାଇଟ୍, ବାମ-ଡାହାଣ ଇଣ୍ଡିକେଟର୍ କିଛି ଦରକାର ନାହିଁ। ଯୁଆଡ଼େ ପାର ମାଡ଼ି ଯାଅ—ଯେଉଁଠି ବାଜିଲା? ଝିଅ ପିଲାଟିଏ ସ୍କୁଟି ଚଳାଉ ଆସୁଥିଲେ ତା’ଠାରୁ ଦଶ ହାତ ଦୂରରେ ରହି ଦେଖୁଥିବେ। ନିଜର ଗୋଡ଼ ଟିକୁ ବଞ୍ଚାଇ ରଖିବା ଦାୟିତ୍ୱ ଆପଣଙ୍କର। ବେଶି ଗୁଡ଼ାଏ ମୁରବ୍ବିପଣ ଦେଖାଇ ସାବଧାନ କରିବାକୁ ଚେଷ୍ଟା କଲେ ସେକ୍ସୁଆଲ୍ ଆବ୍ୟୁଜ୍ କେସ୍‌ରେ ପଡ଼ିପାରନ୍ତି। ଇଏ ଭୁବନେଶ୍ୱର ଆଜ୍ଞା! ସାବଧାନ!

ଭୁବନେଶ୍ୱରର ଆଉ ଗୋଟିଏ ରଙ୍ଗ ଅଛି। ଏଠି ଲୋକ ବହୁତ ଷ୍ଟାଟସ୍ କନସସ୍। ସବୁ ଯାକ ଗାଁ ବାଲା ହୋଇଥିଲେ ବି ଗାଁ ନାଁ ତାଙ୍କ ତୁଣ୍ଡରେ ଆସିବା କଷ୍ଟ। ପିଲାଦିନେ ଗାଁରୁ ଚାଉଳ-ନଡ଼ିଆ ଅଖାରେ ପୁରାଇ ବସ୍ ଉପରେ ଚଢ଼ାଇ ଆଣିବା ଦେଖିଥିଲୁ। ଆଜି ସେ ବସ୍ ନାହିଁ, ସେ ଅଖା ନାହିଁ। ଗାଁ ଜମି ଅନ୍ୟ ଲୋକ ହାତରେ। ଏମାନେ କିଣି ଖାଉଛନ୍ତି। ଫୋର୍-ସିକ୍ସ୍-ଏଇଟ୍ କ୍ବାର୍ଟର୍ ଆଉ ନାହିଁ। ତା’ ଜାଗାରେ ଗଢ଼ି ଉଠିଛି ଆପାର୍ଟମେଣ୍ଟ। ଯେତେ ଦୂର ପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଯାଇଛି—ସବୁ ଭୁବନେଶ୍ୱର। ସମସ୍ତେ ଭୁବନେଶ୍ୱରିଆ।

ଏମାନଙ୍କର ଷ୍ଟାଇଲ୍ ନିଆରା। ପୁରୁଷମାନେ ନିକର, ବର୍ମୁଡା, ଗେଞ୍ଜି, ହାୱାଇ ଚପଲ। ମହିଳାମାନେ କଟା କେଶ, ମ୍ୟାକ୍ସି, ସୁଦ ସାବ୍ରତ। ଉଭୟେ କୃତ୍ରିମ କେଶରଙ୍ଗରେ ବିଶ୍ୱାସ ରଖନ୍ତି।

ହଠାତ୍ ଦେଖାହେଲେ ଯାହାଙ୍କ ହାତରେ ଦୁଇଟି ମୋବାଇଲ୍ ଦେଖିବେ—ଜାଣିବେ, ବାବୁଙ୍କ ପୁଅ ଆମେରିକାରେ ଅଛି। ଆଉ ସିଏ ଏଇ ଅଳ୍ପ ଦିନ ହେବ ଆମେରିକାରୁ ଫେରିଛନ୍ତି। ସେ ଷ୍ଟାଇଲ୍ ହିଁ କହିଦେବ। ତା’ପରେ ପାଟି ଖୋଲିଲେ ଶୁଣିବେ—ସିଏ ଅଣ୍ଡର ସେକ୍ରେଟାରି ଥିବା ବେଳେ କଣ କଣ କରିଛନ୍ତି। ନେକ୍ସ୍ଟ୍ କୋସ୍ଚନ୍ ଆପଣଙ୍କ ଆଡ଼କୁ ମୁହାଁଇବ। ପ୍ରସ୍ତୁତ ରୁହନ୍ତୁ। “ଆପଣ କେଉଁ ପଦବୀରୁ ରିଟାୟାର୍ କରିଛନ୍ତି? ସେଣ୍ଟ୍ରାଲ୍ ନା ଷ୍ଟେଟ୍? ପିଲାଛୁଆ କେତେ? କଣ କରୁଛନ୍ତି?” ଏ ପ୍ରଶ୍ନ ପଛରେ ଏକ ବୁମେରାଙ୍ଗ୍ କାଉଣ୍ଟର୍ କୋସ୍ଚନ୍‌ର ଆଶା ଥାଏ। ତା’ପରେ ଶୁଣିବେ—ତାଙ୍କର ଦୁଇ ପୁଅ ଆମେରିକାରେ, କେତେ ଡଲାର୍ ପାଉଛନ୍ତି, କେତେ ବଡ଼ ଗାଡ଼ି ଚଢ଼ୁଛନ୍ତି, ଏ ମୋବାଇଲ୍ ଦୁଇଟି ସେମାନେ ଦେଇଛନ୍ତି, ଏ ଘଣ୍ଟା ବି ସେଇଠୁ। ଟାଇମ୍ ସହ ବ୍ଲଡ୍ ପ୍ରେସର୍, ବ୍ଲଡ୍ ସୁଗାର୍, ପଲ୍ସ୍, କେତେ ପାଦ ଚାଲିଲେ—ସବୁର ହିସାବ ଅଛି!

ଭୁବନେଶ୍ୱରରେ ତାଙ୍କ ଘରର ଆୟତନ, କେତେଟି ଘର, ପ୍ଲଟ୍—ସବୁ ହିସାବ ଦେଇଯିବେ। ଗାଡ଼ିର ସାଇଜ୍, ଗ୍ୟାରେଜ୍ ମାପ ସବୁ ବଖାଣି ନିଜର ବଡ଼ଲୋକି ଇଣ୍ଡେକ୍ସ ସୁଚାଇ ଦେବେ। ଯେପରି ଆପଣଙ୍କ ମୁଣ୍ଡରେ ଗୋଟିଏ ହୀନମନ୍ୟତା ପ୍ରବେଶ କରିଯାଏ—ଏହା ତାଙ୍କର ଲୁକ୍କାୟିତ ଉଦ୍ଦେଶ୍ୟ ହୋଇପାରେ। ସେ ବିଷୟରେ ଚିନ୍ତିତ ହେବା ଅନାବଶ୍ୟକ। ଏହିପରି ଅନେକଙ୍କ ନାମ ଇଡି, ଭିଜିଲାନ୍ସ ବିଭାଗର ଚଢ଼ାଉ ଲିଷ୍ଟରେ ଥିଲେ ଆଶ୍ଚର୍ଯ୍ୟ ହେବା କଥା ନୁହେଁ।

ତା’ପର ପ୍ରଶ୍ନ ଆସିବ—“ଆପଣଙ୍କୁ ପେନସନ୍ କେତେ ମିଳୁଛି?” ସେଥିରେ ଯଦି ପାସ୍ ହୋଇଗଲେ, ପରବର୍ତ୍ତୀ ପ୍ରଶ୍ନ—“ଆପଣଙ୍କ କାଷ୍ଟ?” ଆପଣ ଟିକିଏ ଚାହିଁବେ ତାଙ୍କ ଆଡ଼କୁ। ତ’ ସହଜ ପ୍ରଶ୍ନ ଆସିବ—“ଆପଣଙ୍କ ଜାତି କଣ?” ଆରେ ବାବା, ଇଏ ପୁରା ଭୁବନେଶ୍ୱର!

ସେଥିପାଇଁ ସ୍ୱାମୀ ଅଭୟାନନ୍ଦଙ୍କ କହିବା କଥା—ସବୁ ଡକ୍ୟୁମେଣ୍ଟ୍ ଯଥା ପେନସନ୍ ପେପର୍, ତିନି ବର୍ଷର ଆଇଟି ରିଟର୍ଣ୍, ଆଧାର କାର୍ଡ, ଜାତି ପ୍ରମାଣପତ୍ର—ସବୁ ସାଥିରେ ରଖିଲେ ଭୁବନେଶ୍ୱର ଭିତରେ ପାଦ ରଖିବେ। ବାକି ସବୁ କାଗଜପତ୍ର ଅପ୍ସନାଲ୍। ଏହା ସ୍ୱାମୀ ଅଭୟାନନ୍ଦଙ୍କ ଦ୍ୱାରା ଜନହିତରେ ଜାରି କରାଯାଇଛି।

ଏହା ହେଉଛି ଭୁବନେଶ୍ୱରର କାହାଣୀ—ଗୌରବର ସହ ହାସ୍ୟ, ପରିବର୍ତ୍ତନର ସହ ବିଡମ୍ବନା। ଉତ୍କଳ ଦିବସରୁ ଆରମ୍ଭ ହୋଇ ଆଜିର ଷ୍ଟାଟସ୍ କନସସ୍ ସହର ପର୍ଯ୍ୟନ୍ତ। ଆମେ ହସି ହସି ଏସବୁ ଦେଖୁଛୁ, କାରଣ ଏଇଟା ଆମ ଭୁବନେଶ୍ୱର!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract