STORYMIRROR

Birakishore Nayak

Tragedy

3  

Birakishore Nayak

Tragedy

ଭତ୍ତା

ଭତ୍ତା

2 mins
309


   ମଣିଷଜୀବନ କ୍ଷଣଭଙ୍ଗୁର ହେଲେ ବି ଜୀବନ କେତେ ଯେ ବ୍ୟଥା ବେଦନାରେ ଭରା, କେତେ ଯେ ପ୍ରୀତି ସୋହାଗରେ ବୋଳା, ଅନୁରଣିତ ହୋଇଉଠେ ମୁହୂର୍ତ୍ତ ସବୁ, ସବୁଦିନ ବଞ୍ଚିରହିବାର ଅଦମ୍ୟ କାମନା ସବୁ ବ୍ୟଥାକୁ ଦୂରେଇଦେଇ ସବୁ ଆନନ୍ଦର ମୁହୂର୍ତ୍ତ ଗୁଡିକୁ ସାଇତିଦିଏ ହୃଦୟରେ ।


    ଶରତ ଆକାଶରେ ଧଳା ବାଦଲର ପଟୁଆର, ବରଫର ପାହାଡ଼ ପରି ପ୍ରତୀୟମାନ

ହୁଏ ।ସେଇ ଆକାଶକୁ ଉଦାସ ଆଖିରେ ଚାହିଁରହିଛି ଜାହ୍ନବୀ, ଶରତ ଆକାଶ ଆଉ ତାକୁ ସ୍ୱପ୍ନିଳ କରୁନି, ବୟସର କ୍ଲାନ୍ତ ଅପରାହ୍ନରେ ଆକାଶଟା ଯେମିତି ତାକୁ ଉପହାସ କରୁଛି ।ଦିନ ଥିଲା, ଏଇ ଆକାଶ ତା ମନରେ ଭରିଥିଲା, ଅନେକ କାମନା, ରଙ୍ଗୀନ ପ୍ରଜାପତି ପରି ଦିନେ ସିଏ ଉଡ଼ିବୁଲୁଥିଲା ।କୈଶୋରରେ, କଅଁଳ ଯୌବନରେ ଏଇ ଆକାଶ ଭରିଦେଇଥିଲା ତା ଦେହରେ ଅସରନ୍ତି ଆଶା, ଜୀବନକୁ ରେଣୁ ରେଣୁ କରି ଉପଭୋଗର ମାନବୀୟ ଜିଜ୍ଞାସା ।ପାଦରେ ଘୁଙ୍ଗୁର ବାନ୍ଧି ସଙ୍ଗୀତର ତାଳେ ତାଳେ ରଙ୍ଗୀନ ଆଲୋକ ଭିତରେ ରଙ୍ଗମଞ୍ଚରେ ସେ ନାଚିଛି, ନିଜେ ବିହ୍ଵଳିତ ହୋଇଛି, ଦର୍ଶକମାନଙ୍କୁ ବିମୁଗ୍ଧ କରିଛି ମନୋରଞ୍ଜନର ଖୋରାକ ଯୋଗାଇ ।ଦର୍ଶକମାନଙ୍କର କରତାଳିରେ ଅଫୁରନ୍ତ ଆନନ୍ଦ ଭରିଯାଏ ତା ହୃଦୟରେ ।

       ଜାହ୍ନବୀ ଜଣେ ନର୍ତ୍ତକୀ । ଗୋଟିଏ ମାତ୍ର ସନ୍ତାନ ହୋଇଥିବାରୁ ଅଭାବୀ ପିତାମାତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ଛୋଟ ଯାତ୍ରାଦଳରେ ଯୋଗଦେଇଥିଲା, କେବେ ନୃତ୍ୟକଳା ଶିଖିବାର ସୁଯୋଗ ପାଇନଥିଲେ ବି ପିଲାଦିନରୁ ନୃତ୍ୟପ୍ରତି ସେ ଥିଲା ଅନୁରାଗୀ, ଯେତେବେଳେ ଡାକବାଜି ଯନ୍ତ୍ରରେ ସଙ୍ଗୀତ ବାଜେ, ଘରଭିତରେ ସେ ନାଚିଚାଲେ ।ଏଇ ଅଭ୍ୟାସ ତାକୁ ଏକ ନର୍ତ୍ତକୀରେ ପରିଣତ କରିଥିଲା । ସହଜେ ବି ସେ ଥିଲା ଅନନ୍ୟ ରୂପବତୀ ।

    କିନ୍ତୁ ତାର ଭାଗ୍ୟ ଅନୁକୂଳ ହେଲାନାହିଁ ତା ପାଇଁ । ତାର ଦେହ ଅସୁସ୍ଥ ହୋଇ ପଡିଲା, ଗୋଡ଼ ହାତର ଯୋଡଜାଗା ଗୁଡିକ ଦରଜ ହୋଇଗଲା, ଚାଲିବା ବି କଷ୍ଟକର ହୋଇଗଲା ତା ପାଇଁ, ଆଣ୍ଠୁଗଣ୍ଠି ବାତ ରୋଗରେ ଆକ୍ରାନ୍ତ ହୋଇ ଯାତ୍ରାପାର୍ଟିରୁ ଫେରିଆସିଲା ଘରକୁ । ଅନେକ ଚିକିତ୍ସା ବି ହୋଇଛି, ହେଲେ ଭଲ ହେଲାନି ସମ୍ପୂର୍ଣ୍ଣ ।

      ଏଇ ରୋଗ ଏବଂ ଜଣେ ନର୍ତ୍ତକୀ ହୋଇଥିବାରୁ ସେ ବିବାହରୁ ବଞ୍ଚିତ ହୋଇଥିଲା ।

ତାର ବାପାମାଆଙ୍କ ମୃତ୍ୟୁପରେ ସେ ଏକା ହୋଇଗଲା ଦୁନିଆରେ । ରୋଜଗାର ବୋଲି କିଛି ନଥିଲା । ଅନ୍ୟ ଘରେ ଅଇଁଠା ବାସନ ମାଜି ପେଟ ପୋଷିବାଛଡା ଅନ୍ୟ ଉପାୟ କିଛି ନଥିଲା ।

    ବୟସର ଅପରାହ୍ନରେ ପହଞ୍ଚି ଏତେ ଦୁଃଖରେ ବି ବଞ୍ଚିରହିବାର ଆଶା ଛାଡିପାରିନି ସିଏ ।ତାକୁ ଷାଠିଏ ବର୍ଷ ପୁରିବାଦିନ ଠାରୁ ସରକାରୀ ଭତ୍ତା ପାଇଁ ଚେଷ୍ଟାକରି ଆସିଛି, ହେଲେ କେହି ବି ଶୁଣିନାହାନ୍ତି ତା କଥା । ଭତ୍ତା ପଛରେ ବୁଲି ବୁଲି କୋଡିଏ ବର୍ଷ ବିତିଗଲାଣି ତାର । ମାଗିଖାଇବା ହିଁ ତାର ଭାଗ୍ୟଲେଖା । କେବଳ ମୃତ୍ୟୁକୁ ପ୍ରତୀକ୍ଷା ।

     ଆଜି ଜାହ୍ନବୀ ମନରେ ବହୁତ ଖୁସି । ତାର ଭତ୍ତା ମଂଜୁର ହୋଇଯାଇଛି । ଆଜି ପ୍ରଥମ ଭତ୍ତା ମିଳିବ । ଭାବୁଥିଲା ଜାହ୍ନବୀ, ଆଉ କିଛି ଅସୁବିଧା ହେବନି ତାର, ଔଷଧ ଖାଇଲେ ରୋଗଟା ବି କମିଯିବ । ପଞ୍ଚାୟତ ଅଫିସକୁ ବାହାରିପଡିଲା ସହଳ । ପ୍ରବଳ ଖରା ।ଛୋଟେଇ ଛୋଟେଇ ଦୀର୍ଘ ଦୁଇ କିଲୋମଟର ଚାଲି ପହଞ୍ଚିଲା ସେଠାରେ ।କାଲିଠାରୁ ଖାଇନି କିଛି । ଦୁର୍ବଳ ଦେହଟା ଥରୁଛି

ପଞ୍ଚାୟତ କାର୍ଯ୍ୟାଳୟ ବାରଣ୍ଡାରେ ଶୋଇ ପଡିଲା

ସିଏ ।

    ଭତ୍ତା ବଣ୍ଟନ ଚାଲିଥିଲା । ଜଣକ ପରେ ଜଣଙ୍କର ନାମ ଡକାଯାଉଥିଲା ।ଆସିଲା ଜାହ୍ନବୀର ପାଳି, ଅଧିକାରୀ ଡାକିଲେ ବାରମ୍ବାର ତା ନାମ ଧରି ।ହେଲେ ଶୁଣିପାରୁନଥିଲା ସିଏ ।ଲୋକେ କହିଲେ, ସେ ଶୋଇପଡିଛି ବାରଣ୍ଡାରେ ଆଜ୍ଞା । ତାକୁ କିଏ ଜଣେ ହଲେଇ ଦେଇ ଡାକିଲା, ଏବଂ ଚମକି ଚିତ୍କାର କଲା, ସେ ମରିଯାଇଛି ଆଜ୍ଞା ।

     ଶରତ ଆକାଶଟା ଗମ୍ଭୀର ହୋଇଯାଉଥିଲା ଯେମିତି ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy