Minakshi Samal

Tragedy

5.0  

Minakshi Samal

Tragedy

*** ଭରସାର ଏରୁଣ୍ଡି ବନ୍ଧ ***

*** ଭରସାର ଏରୁଣ୍ଡି ବନ୍ଧ ***

4 mins
183



ମାଘ ପୂର୍ଣ୍ଣିମାର ତୋଫା ଚାନ୍ଦଟି ଆଜି ଭାରି ଭଲ ଲାଗୁଛି। ଚାରିପାଞ୍ଚ ଦିନ ହେଲା ମେଘଳା ଆକାଶକୁ ଥଣ୍ଡା ପବନଟା ଶିରି ଶିରି ହୋଇ ଭାରି କାଉଲୁ ବାଉଲୁ କରୁଥିଲା। ମଝି ମଝିରେ ଅସରାଏ ଲେଖାଏଁ ବର୍ଷା "ମାଘ ମାସ ଶୀତ ବାଘ ପରି " ଉକ୍ତି ଟିକୁ ସତରେ ପରିଣତ କରିବାକୁ ଯାଉଥିଲା। ଯାହାହେଉ ଆଜି ଆକାଶଟା ମେଘମୁକ୍ତ,ଖୁବ ତୋରା ଲାଗୁଛି ଯଦିଓ ତା ବୁକୁରେ ଶୋଭା ପାଉଥିବା ଚନ୍ଦ୍ରମା କିନ୍ତୁ କିଛି କିଛି ଦାଗ ମାନଙ୍କୁ ଆବୋରି ନେଇ ନିଜ ବକ୍ଷରେ ଚାପି ଧରିଛି।


କୁଳୁ କୁଳୁ ହୋଇ ବହିଯାଉଛି ବିରୂପା ନଦୀ ନୀଳାପଦା ଗାଁ ପାଖ ଦେଇ। ଗୋଟିଏ ଜାଗାରେ ବ୍ରାହ୍ମଣୀ ନଦୀ ସାଙ୍ଗରେ ଏକାକାର ହୋଇ ଯାଇଛି ବିରୂପା। କୋଉ କୋଉ ବର୍ଷ ଦୁଇ ନଦୀ ମିଶି ବର୍ଷା ଦିନରେ ବନ୍ୟାର ତାଣ୍ଡବ ରଚାନ୍ତି ନୀଳାପଦା ଓ ଆଖପାଖ ଗାଁ ମାନଙ୍କରେ। ଏଇ ମାଘ ମାସରେ ସେସବୁର ଡର ନାହିଁ। ନଦୀକୂଳରେ ଶୀତୁଆ ସନ୍ଧ୍ୟାରେ ବସିବା ଯଦିଓ କଷ୍ଟକର ପାଖରେ ପ୍ରେମିକା ଥିଲେ ସେସବୁ କଷ୍ଟ ପରି ମନେ ହୁଏନା।


ଆଜି ସଅଳ ସଅଳ ନଦୀ ବନ୍ଧ ପାଖରୁ ନଦୀ କୂଳ ଆଡକୁ ଗଡି ଯାଇଥିବା ସରୁ ରାସ୍ତାରେ ଆସି ବର ଓହଳ ମାନଙ୍କର ମଝିଆ ମଝି ପଡିଥିବା ଗଛ ଗଣ୍ଡିଟାରେ ବସିପଡିଛି ସଂଯମ। ଏଇ ସ୍ଥାନଟି ତା'ର ସବୁଠାରୁ ପସନ୍ଦ। ତାର ଭାରାକ୍ରାନ୍ତ ମନରେ ଶୀତଳତାର ଚନ୍ଦନ ଲେପିଦିଏ ନଦୀକୂଳର ମଳୟ ପବନ,ନଦୀର କୁଳୁକୁଳୁ ତାନ,ବରଗଛର ଶୀତଳ ଛାଇ,ସେଠାକାର ନୀରବ ପରିବେଶ।


ଚୁଡିର ରୁଣୁଝୁଣୁ ଶବ୍ଦରେ ପୁଲକିତ ହୋଇଗଲା ସଂଯମର ତନୁମନ,ଶିହରଣ ଖେଳିଗଲା ଶିରା ପ୍ରଶିରାରେ। ଅପେକ୍ଷାର ଯବନିକା ଟାଣି ପ୍ରେୟସୀ ପୂଜା ପଛପଟୁ ଆସି ତାର ଆଖି ବନ୍ଦକରି ପଚାରିଲା ଆଜି ମୁଁ କୋଉ ରଙ୍ଗର ଡ୍ରେସ ପିନ୍ଧିଛି କୁହତ?


ଗୋଲାପୀ ରଙ୍ଗର ପିନ୍ଧିଛ ନିଶ୍ଚୟ।


ଏତେ ନିର୍ଭୁଲ କରି ଉତ୍ତର କେମିତି ଦେଇପାରିଲ? ସଂଯମର ଆଖିରୁ ହାତ ହଟାଇ କହିଉଠିଲା ପୂଜା।


ଆଜି ପରା ଶୁକ୍ରବାର। ବାର ଅନୁସାରେ ଆଜିର ଦିନ ଗୋଲାପୀ ରଙ୍ଗପାଇଁ।


ତମେ ଏତେକଥା ମନେରଖିଛ!


ତୁମର ସବୁକଥା ମାନସପଟରେ ଲିପିବଦ୍ଧ ହେଇ ରହିଯାଇଛି ଡାର୍ଲିଂ।


ଲାଜରେ ଝାଉଁଳି ଯାଉଥିଲା ପୂଜା।


ପୂଜାକୁ ଏକରକମ ବଳପୂର୍ବକ ଭିଡିଆଣି ନିଜ କୋଳରେ ବସାଇ ଦେଲା ସଂଯମ।


ଆରେ ଛାଡନା ମୋତେ। କିଏ ଆସିଯିବ ଯଦି! ମନ ଭିତରେ ଅହେତୁକ ଖୁସି ଅନୁଭବ କରୁଥିବା ବେଳେ ଔପଚାରିକତା ଦେଖାଇ ମିଛରେ ନିଜକୁ ସଂଯମର ବାହୁବେଷ୍ଟନୀରୁ ରକ୍ଷା କରିବାର ଚେଷ୍ଟା କରୁଥିଲା ପୂଜା।


ଛାଡିବି,ନିଶ୍ଚୟ ଛାଡିବି କିନ୍ତୁ ମୋ ପ୍ରଶ୍ନର ଉତ୍ତର ଦେବାପରେ। ଆଛା କୁହତ ମୁଁ ତମ ପାଇଁ କ'ଣ ଖୁସି ଖବର ଆଣିଛି?


ଉଁ ତମେ ଆମର ଭଲପାଇବା କଥା ତୁମଘରେ କହିଛ।


ନା ନା ଭୂଲ।


ତାହେଲେ ତମେ ଆମ ବିବାହ ପ୍ରସ୍ତାବ ନେଇ ଆମ ଘରକୁ ଯିବାକୁ ସ୍ଥିର କରିଛ।


ଆରେ ନାଇମ। ଭୂଲ ଉତ୍ତର। ଏଇଟା ଶେଷ ଚାନ୍ସ। ନକହି ପାରିଲେ ଛାଡିବିନି କିନ୍ତୁ କହିଦେଉଛି।


ହଉ ହଉ। ଭାବି କରି କହୁଛି। ଆଛା ତମେ ଯେଉଁ ପରୀକ୍ଷା ଦେଇଥିଲ ସେଥିରେ ପାଶ୍ କରିଛ।


କୋଳରେ ବସାଇଥିବା ପୂଜାକୁ ଆଉରି ଜୋରରେ ନିଜ ଆଡକୁ ଟାଣିଆଣି ତାର ମୁଖମଣ୍ଡଳରେ ଚୁମ୍ବନ ଆଙ୍କି ଦେଇଚାଲିଥିଲା ସଂଯମ।


ଚେଷ୍ଟାକରି ମଧ୍ୟ ନିଜକୁ ମୁକୁଳେଇ ପାରୁନଥିଲା ପୂଜା। ଏଇ ମହାର୍ଘ ମୁହୁର୍ତ୍ତ ଗୁଡିକ ହାତଛଡା କରିବାକୁ ମଧ୍ୟ ଚାହୁଁ ନଥିଲା ସେ।


ପୂଜା ,ମୁଁ ଆଜି ବହୁତ ଖୁସି। ତୁମର ଅନୁମାନ ଏକଦମ ସତ। ପରୀକ୍ଷାରେ ସଫଳତାର ସହିତ କୃତକାର୍ଯ୍ୟ ହେବାପରେ ମୋର ନିଯୁକ୍ତି ପତ୍ର ପଠାଇଛନ୍ତି ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ। ମାନବ ସଂଶାଧନ ପରିଚାଳକ ହୋଇ ମୁଁ ଟ୍ରେନିଂରେ ପ୍ରଥମେ ଯୋଗ ଦେବାକୁ ଚଣ୍ଡିଗଡ ଯିବି। ଏକମାସର ଟ୍ରେନିଂ ପରେ ପୋଷ୍ଟିଂ ଦେବେ। ତାପରେ ଆମ ବାହାଘରର ପ୍ରସ୍ତାବ ନେଇ ବୀରଦର୍ପରେ ମୁଁ ତୁମ ଘରକୁ ଯିବି ଆଉ ତୁମକୁ ସବୁଦିନ ପାଇଁ ମୋର କରି ଆଣିବି। ଏତକ କହୁକହୁ ସଂଯମର ଅଧର ଅଧୀର ହୋଇଯାଇଥିଲା। ମଧୂପର ରୂପ ନେଇ ପୂଜା ଅଧରର ମଧୁପାନ କରି ଚାଲିଥିଲା ତୃପ୍ତ ହେବା ପର୍ଯ୍ୟନ୍ତ।


ସୁଖଦ ସମ୍ବାଦ ସହିତ ବିଛେଦର ବାର୍ତ୍ତା। ପୂଜାର ମନରେ ବିଷାଦର ଛାୟା। ଅଜଣା ଆଶଙ୍କାରେ ଜର୍ଜରିତ ସେ। ଭରସାର ଦ୍ବାହି ଦେଇ ସଂଯମ ତ ଚାଲିଯିବେ କିନ୍ତୁ ଭରସାର ମୂଲ୍ୟ ରଖିବେ ତ। ଅନେକ ପ୍ରଶ୍ନ ତା ମନରେ। କୋହ ସମ୍ବରଣ ନକରିପାରି କଇଁକଇଁ ହୋଇ କାନ୍ଦି ଉଠିଲା ସେ।


ଏତେବଡ ଖୁସିର ଖବର ଶୁଣି କିଏ କାନ୍ଦେ ବୋକି! ପୂଜାର ଚିବୁକରେ ମୃଦୁ ଆଘାତ କରି କହିଲା ସଂଯମ। ତୁମେ କ'ଣ ଗାଁ କନିଆଁଙ୍କ ପରି ହେଉଛ ମ। ନିଜେ ବି ତ ପଢାପଢି କରୁଛ ଆଉ କର୍ମସଂସ୍ଥାନର ଅନୁସନ୍ଧାନରେ ଲାଗିଛ।ତମର ଯଦି ଆଗେ ପୋଷ୍ଟିଂ ଆସିଥାନ୍ତା ତେବେ ମୁଁ ତ ଖୁସିରେ ନାଚି ସାରନ୍ତିଣି,ସମସ୍ତଙ୍କୁ ମିଠାଇ ବାଣ୍ଟି ସାରନ୍ତିଣି। ତୁମ ଭଳି ଏମିତି କାନ୍ଦି କାନ୍ଦି ଆଖି ଦୁଇଟିକୁ ଏତେ କଷ୍ଟ ଦେଇନଥାନ୍ତି। ଡୋଣ୍ଟ ବି ସିଲି ମାଇଁ ଡିଅର।


ଆଖିର ଲୁହ ବୋଲ ମାନୁନଥିଲେ ପୂଜାର। ନିଜକୁ ସଂଯମର ପ୍ରଶସ୍ତ ଛାତିରେ ଲୋଟାଇ ଦେଲା ସେ।


ଆରେ ଏମିତି କ'ଣ ପିଲାଙ୍କ ପରି ହେଉଛ ମ! ମାସେ ଦୁଇମାସର କଥାତ। ଦେଖୁ ଦେଖୁ ବିତି ଯିବନି। ତୁମେତ ଏଥିପାଇଁ ମତେ କେତେ ପ୍ରେରଣା ଯୋଗାଇଛ,ମୁଁ ଭାଙ୍ଗି ପଡିଲା ବେଳେ ମୋର ମନୋବଳ ବଢାଇଛ,ମୋର ଶୁଭାକାଂକ୍ଷୀ ହୋଇ ସବୁବେଳେ ମୋର ପାଖେ ପାଖେ ରହିଆସିଛ। ଏ ଖୁସି ତ ତୁମ ଯୋଗୁଁ ସମ୍ଭବ ହୋଇପାରିଛି। କାନ୍ଦ ବନ୍ଦକର। ଖୁବଶୀଘ୍ର ତୁମକୁ ତୁମ ପରିବାରଠାରୁ ଛଡାଇ ଆଣିବି କହି ପୂଜାର କପାଳରେ ଆଙ୍କିଦେଲା ଏକ ଗାଢ ପ୍ରତ୍ୟୟର ସ୍ମାରକ।


ଏ ଭିତରେ ଦୁଇମାସ ଅତିକ୍ରାନ୍ତ ହୋଇ ସାରିଥାଏ। ପ୍ରଥମେ ପ୍ରଥମେ ନିଜର ଟ୍ରେନିଂ ଜୀବନର ସମସ୍ତ ବୃତ୍ତାନ୍ତ ଶୁଣାଉଥିଲା ସଂଯମ। ଧୀରେ ଧୀରେ ଏହା ହ୍ରାସ ପାଇବାରେ ଲାଗିଲା। ବ୍ୟସ୍ତ ହୋଇ ପୂଜା ନିଜେ ସଂଯମର ନମ୍ବର ଡାଏଲ କଲେ ସେ ଆଉ ଫୋନ ଉଠାଇଲାନି। ପୂଜାର ଆଶଙ୍କା ସତରେ ପରିଣତ ହେବାକୁ ଯାଉଥିଲା। ତଥାପି ମନରେ ଦମ୍ଭ ରଖି ସେ ସଂଯମ ର ଫେରିବା ରାସ୍ତାକୁ ଅପେକ୍ଷା କରି ବସିଥିଲା।


ପ୍ରାୟ ତିନିମାସ ପରେ ପୂଜା ସଂଯମର ଭାଇ ବିବେକ ଠାରୁ ତାର ଫେରିଆସୁଥିବାର ଖବର ପାଇଲା। ଦୁଇଦିନ ପରେ ସଂଯମ ଫେରିବ। ଦୁଇଦିନ ତାପାଇଁ ଦୁଇ ବର୍ଷ ଲାଗୁଥାଏ। ସକାଳୁ ସକାଳୁ ଗାଧୋଇ ସାରି ମା' ମଙ୍ଗଳାଙ୍କ ମନ୍ଦିରରେ ସଂଯମ ନାଁ ରେ ଦୀପ ଜଳାଇ ମନ୍ଦିର ବେଢାରେ ତା'ର ଫେରିବା ବାଟକୁ ଜଗିବସିଲା। ସେ ଜାଣିଥିଲା ସଂଯମ ଫେରିବା ବାଟରେ ନିଶ୍ଚୟ ଠାକୁରାଣୀଙ୍କୁ ଦର୍ଶନ କରିଯିବ।


ତା'ର ଅପେକ୍ଷାକୁ ବିରାମ ଦେଇ ଗାଡିଟିଏ ମନ୍ଦିର ସାମନାରେ ଅଟକିଲା। ବାମ ପଟ ଦରଜା ଖୋଲି ସଂଯମ ବାହାରିଲା। ଏଭିତରେ ସେ ଖୁବ ବଦଳି ଯାଇ ଏକ ବଳିଷ୍ଠ ପୌରୁଷତ୍ବର ଅଧିକାରୀ ହୋଇ ସାରିଥିଲା। ପୂଜାର ମନ ମନ୍ଦିରରେ ମିଳନର ବିବିଧ ରାଗ ରାଗିଣୀ ବାଜିବା ଆରମ୍ଭ କରି ଦେଇଥିଲେ। ଆରେ ଇଏ କ'ଣ। ସଂଯମ ମନ୍ଦିର ଭିତରକୁ ଆସୁନି କାହିଁକି? କାର୍ ର ଦକ୍ଷିଣ ପାର୍ଶ୍ଵରେ ଥିବା ଦରଜା ପାଖକୁ ଯାଇ କାହାକୁ ବାହାରକୁ ଡାକୁଛି ସେ?


ଲାଲ ପାଟଶାଢୀରେ ଆବୃତ୍ତା ଜଣେ ମହିଳା ବାହାରିଲେ ଗାଡିରୁ। ତାଙ୍କ ହାତ ଧରି ସଂଯମ ନେଇ ଯାଉଥିଲା ମା' ମଙ୍ଗଳାଙ୍କ ଦର୍ଶନ ପାଇଁ।


ମନ୍ଦିର ଆଢୁଆଳରେ ନିଜକୁ ଲୁଚାଇ ଦେଉଥିଲା ପୂଜା। ଇଛା ହେଉଥିଲା ଦୁଇଜଣଙ୍କ ସାମନାକୁ ଯାଇ ସାରା ଦୁନିଆକୁ ଜଣାଇଦେବ ନିଜର ପ୍ରେମ କାହାଣୀ। ସମସ୍ତଙ୍କୁ କହିଦେବ ସଂଯମର ପ୍ରତିଶ୍ରୁତି ଓ ପ୍ରତାରଣାର ନିଷ୍ଠୁର ଗାଥା। ତାକୁ ଧୋକା ଦେଇ ଅନ୍ୟର ହାତଧରି ବିବାହ କରିଥିବା ସଂଯମର ଦାମ୍ପତ୍ୟ ଜୀବନକୁ ଚୁରମାର କରି ଭାଙ୍ଗିଦେବ ସେ।


କିନ୍ତୁ ବଦଳରେ କ'ଣ ସେ ତାର ସଂଯମକୁ ଫେରିପାଇବ? ନା ।


ନିଜେ ନିଜକୁ ପ୍ରଶ୍ନ କରୁଥିଲା ଓ ଉତ୍ତରରେ କେବଳ 'ନା' ଶବ୍ଦଟି ତାର କାନରେ ପ୍ରତିଧ୍ବନିତ ହେଉଥିଲା।


କେତେବେଳୁ ସଂଯମ ନିଜର ନବବିବାହିତା ପତ୍ନୀକୁ ନେଇ ମନ୍ଦିର ପରିସରରୁ ଯାଇ ସାରିଥିଲା । ଆଉ ଗୋଟିଏ ଦୀପାଳି କିଣି ମା' ମଙ୍ଗଳାଙ୍କ ପାଖରେ ସଂଯମର ଶୁଭମନାସି ଜଳାଉଥିଲା ପୂଜା।


Rate this content
Log in

Similar oriya story from Tragedy