The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Kamala Satpathy

Tragedy

3  

Kamala Satpathy

Tragedy

ଭୋକର ତାଣ୍ଡବ

ଭୋକର ତାଣ୍ଡବ

4 mins
662


ସିଗନାଲ ପାଖରେ ଗାଡିଟା ରହୁ ରହୁ ରାସ୍ତା ସେପାଖରୁ ତିନି ଚାରିଟା ପିଲା ଦଉଡି ଆସି ଲେସି ହେଇଗଲେ ଝରକାରେ । ଦାନ୍ତ ନିକୁଟି, ପେଟ ଦେଖେଇ ‘ବାବୁ, ଭୋକ ଲାଗୁଛି, କିଛି ଖାଇବାକୁ ଦିଅ’ କହୁ କହୁ କାନ୍ଦି ପକେଇବାର ଦେଖି, ଦେବବ୍ରତ ଚମକି ପଡିଲେ । ପାଣ୍ଡୁର ପଡି ଆସିଥିବା ମୁହଁରେ ତାଙ୍କର ଭୋକର ଉଦ୍ଦଣ୍ଡ ନୃତ୍ୟକୁ ସତେ ଯେମିତି ସେ ନିଜ ଭିତରେ ଅନୁଭବ କରୁଥିଲେ ଝରକା ଖୋଲି ସଦ୍ୟ କିଣିଥିବା କଦଳୀ ଅଙ୍ଗୁରର ଥଳିଟା ନିର୍ଦ୍ବନ୍ଦରେ ସେମାନଙ୍କ ହାତକୁ ବଢେଇଦେଇ ଆଖି ବୁଜିଦେଲେ । ପିଲାଗୁଡାଙ୍କ ଆଖିରେ ଖେଳି ଯାଇଥିବା ବିସ୍ମୟ ଭରା ଆନନ୍ଦକୁ ସେ ଚାହିଁ ପାରୁନଥିଲେ । ପେଟ ଭିତରୁ କିଛି ଗୋଟାଏ ହାବୁକା ମାରି ଉଠି ଆସୁଥିଲା ।


“କ୍ୟା କରତେ ହୋ ସାହାବ ? ୟେ ଲୋଗ୍ ତୋ ସବ୍ ଲୁଟେରେ ହୈଁ । ଗାଡି ଦେଖା ନହିଁ କି ଭୁଖ୍ କା ବାହାନା କରକେ ଦୌଡ୍ ଆତେ ହେଁ । ଝୁଠ୍ ବୋଲତେ ହେଁ ସାଲେ । କ୍ୟା ଦିନ୍ ଭର୍ ସଚ୍ ମେଁ କୁଛ ଖାୟେ ନହିଁ ହୋଙ୍ଗେ ?”


ସିଗନାଲ୍ ସବୁଜ ହେଇ ସାରିଥିଲା, ଆଉ ଗାଡି ଆଗକୁ ବଢି ସାରିଥିଲା । ପିଲାଗୁଡା ବେଶ୍ ପଛରେ ରହି ଯାଇଥିଲେ । କିନ୍ତୁ ଏବେ ବି ପଞ୍ଜାବୀ ଡ୍ରାଇଭରର ବକର ବକର ଚାଲୁ ରହିଥିଲା । ହେଲେ ସେସବୁ କଥା ଦେବବ୍ରତଙ୍କ କାନରେ ପଶୁ ନଥିଲା । ତାଙ୍କ ଆଖି ଆଗରେ ଖାଲି ନାଚି ଯାଉଥିଲା ନିଜ ପିଲାଦିନର ଏମିତି ଏକ ଦୃଶ୍ୟ, ଯାହାକୁ ବର୍ଷ ପରେ ବର୍ଷ ବିତିଗଲା ପରେ ବି ସେ ଭୁଲି ପାରୁନାହାନ୍ତି । ଭୋକ କେତେ ପ୍ରାଣଘାତୀ ହେଇପାରେ, ସେକଥା ଭରା ପେଟବାଲା କେବେ ବି ବୁଝିପାରିବ ନାହିଁ । ହେଲେ ସେ ଜାଣନ୍ତି, ବୁଝନ୍ତି ।


କେମିତି ବୁଝିପାରିବେ ନାହିଁ ଆଜି ସିନା ଡାଇନିଙ୍ଗ୍ ଟେବୁଲରେ ବସି ନଅ ତିଅଣ ଛଅ ଭଜା ଖାଇବାର ସୌଭାଗ୍ୟ ତାଙ୍କର ହୋଇଯାଇଛି, ହେଲେ ଦିନ ଥିଲା, ଟୋପାଏ ପେଜ ପାଇଁ ବାର ଦୁଆର ଶୁଣ୍ଢୀ ପିଣ୍ଡା ବୁଲୁଥିଲେ ସେ । ବୋଉ ଥିଲା ପର୍ଯ୍ୟନ୍ତ କୌଣସି ମତେ ଯୋଗାଡଯନ୍ତ୍ର କରି ପିଲାଙ୍କ ପେଟ ଭରିଦଉଥିଲା, କିନ୍ତୁ ସେ ଥିଲା ବା କେତେ ଦିନ ବାଳୁତ ଦେବୁ ନିଜ ହାତରେ ଖାଇ ଶିଖିବା ପୂର୍ବରୁ ହି ବୋଉ ଆରପାରିକୁ ଯାଇ ସାରିଥିଲା । ତା’ପରର ଦିନ ସବୁ କେମିତି କଟିଛି, ସେକଥା ମନେ ପକେଇ ପାରନ୍ତିନି ଆଉ ।


ସାନ ଭାଇ ଭଉଣୀମାନଙ୍କର ଭୋକ ବିକଳିଆ ମୁହଁଗୁଡାକ ଆଜି ବି ମନେ ପଡିଗଲେ, ନିଦ ଭାଙ୍ଗିଯାଏ ତାଙ୍କର । ସବା ସାନଭାଇ ମଦନାଟା ପୁଣି ସବୁବେଳେ ଖାଇବା ବିକଳ । ଯେତେ ଖାଇଲେ ବି ପେଟ ପୂରେନା । ସେଇ କଥାକୁ ନେଇ ଗାଁ ଲୋକେ ତାକୁ ଥଟ୍ଟା କରନ୍ତି । ବିସ୍କୁଟ୍ କି ଚକୋଲେଟଟିଏ ଧରେଇ ଘରର ସବୁ କାମ କରାନ୍ତି । ଗାଈ ଗୁହାଳ ସଫା କରାନ୍ତି । ସେ ବି ଲୋଭରେ ହସି ହସି ସବୁ କରିଦିଏ । କେବେ କେବେ ସେଇ ଦୁର୍ମୂଲ୍ୟ ପଦାର୍ଥ ସବୁ ହାତକୁ ଆସେ, ଆଉ କେବେ ଠକି ଦିଅନ୍ତି ଲୋକେ । କାନ୍ଦି କାନ୍ଦି ସେ ଯେତେବେଳେ ଆସି ଦେବବ୍ରତଙ୍କ ଆଗରେ ଗୁହାରି କରେ, ଗରମ ହୋଇଯାଏ ରକ୍ତ ତାଙ୍କର । କିନ୍ତୁ ଅସହାୟତାର ବେଡି ପାଦକୁ ଜାବୁଡି ଧରେ । କ’ଣ କହିପାରିବେ ସେ ଗାଁ ଲୋକଙ୍କୁ ? ତାଙ୍କରି ଆଶ୍ରାରେ କଟୁଥିବା ଜୀବନ ଭିତରେ ପୁଣି ସେମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ସାହାସ ନା, ସମ୍ଭବ ନୁହେଁ । ବରଂ ମଦନା ଉପରେ ବିରକ୍ତ ହୁଅନ୍ତି କାହିଁକି ଏମିତି ବିକଳ ହେଉଛି ଖାଇବାକୁ ଦିନରାତି


କେବେ କେବେ ତ ରାଗରେ ହାତ ବି ଉଠେଇ ଦିଅନ୍ତି । ହେଲେ ସେ କ’ଣ ବୁଝିପାରେ କି ଦେବବ୍ରତଙ୍କ ବେଦନାକୁ ଓଲଟି ଅଭିମାନ କରେ ଭାଇ ଉପରେ । ଯୁକ୍ତି କରେ ତାଙ୍କ ସହିତ, “ସେ ତ ମତେ କହିଥଲେ ତାଙ୍କ ନାଳ ସଫା କରିଦେଲେ ସେ ମତେ ପିଠା ଦେବେ ବୋଲି । ତୁ ଯାଇ ଦେଖ, କେମିତି ସଫା କରିଦେଇଛି ମୁଁ । ନିଜ ହାତରେ ମଇଳା ସବୁ କାଢି ବାହାରେ ଫିଙ୍ଗିଦେଇଛି । ଆଉ ସେ କାହିଁକି ମତେ ପିଠା ଦେବେନି ଯେ ଏବେ କହୁଛନ୍ତି ପିଠା କୁଆଡେ ତାଙ୍କର ସରିଯାଇଛି ସେ ମିଛ କହୁଛନ୍ତି ଭାଇ । ମୁଁ ନିଜେ ଦେଖିଛି, ତାଙ୍କ ପୁଅ ହାତରେ ଦି’ଟା ପିଠା ଥିଲା । ତୁ ଯାଇ ତାଙ୍କୁ ଟିକିଏ କହ, ସେ ନିଶ୍ଚୟ ମତେ ଗୋଟେ ଦେବ ।“


କୁନି କୁନି ହାତରେ ଲାଗିଥିବା ମଇଳାକୁ ଦେବବ୍ରତ ବଡ ବିକଳ ହୋଇ ଚାହାନ୍ତି । ଆଖିରେ ଲୁହ ଭରିଯାଏ । ଲୋକଙ୍କର ନିଷ୍ଠୁରତା ପ୍ରତି ମନ ନିରବ ବିଦ୍ରୋହ କରେ । କିନ୍ତୁ ପ୍ରକାଶ କରିବା ସମ୍ଭବ ନୁହେଁ । ଯାହାଙ୍କ ବିରୁଦ୍ଧରେ ମଦନା କହୁଛି, ସେ ହିଁ ତାଙ୍କ ସମସ୍ତଙ୍କର ଅନ୍ନଦାତା । ତାଙ୍କ ଦାନାପାଣିର ପ୍ରବନ୍ଧକ । କାଲିକୁ ଯଦି ରାଗରେ କାମ ଦେବାକୁ ମନା କରିଦେବେ, ତେବେ ଦେବୁର ସାରା ପରିବାର ଭୋକ ଉପାସରେ ଛଟପଟ ହେବେ ସିନା, ଆଉ କୋଉଠୁ କିଛି ଯୋଗାଡ କରିହେବନି । ଏ ଗାଁରେ ତାଙ୍କ ପରି ଅନାଥକୁ ସାହାରା ଦେବାବାଲା ଅଛନ୍ତି ବା କେତେ ଜଣ !


କିନ୍ତୁ ମଦନାର ଜିଦି, ‘ଭାଇ ତୁ ଯାଇ ତାଙ୍କୁ ପାଟି କର । କହ, ମୋ ପିଠା ମତେ ଦେବେ । ମୁଁ ତାଙ୍କ କାମ କରିଛି । ଯଦି କହିବେ ତ ଆଉ କିଛି କାମ ବି କରିଦେବି । ହେଲେ ପିଠା ଖାଇବି ମୁଁ ।‘

 

ରାଗରେ ଠାଏ କିନା ତା’ ଗାଲରେ ବସେଇ ଦେଇଥିଲେ ସେଦିନ ଦେବବ୍ରତ ଆଉ ଜୋରରେ ପାଟି କରିଥିଲେ, “ସେ କ’ଣ ମୋ ସାଙ୍ଗ ହେଇଛନ୍ତି ଯେ ଯାଇ ତାଙ୍କ ସହିତ ପାଟିତୁଣ୍ଡ କରିବି ତତେ ସବୁବେଳେ ମନା କରିଛି ୟା’ ତା’ ଘରକୁ ଯାଇ କାମକରି ଖାଇବା ମାଗିବୁନି ବୋଲି, ତୁ କାହିଁକି ଯାଇଥିଲୁ ? ତୁ କ’ଣ ଭିକାରି ହେଇଛୁ ? ସକାଳେ ତତେ ଦେଇଥିଲି ନା ଖାଇବାକୁ ପୁଣି କାହିଁ ଯାଇ ତାଙ୍କ ଗନ୍ଧିଆ ନାଳ ସଫା କରୁଥିଲୁ ..”


କିନ୍ତୁ କାହାକୁ ପାଟି କରୁଥିଲେ ସେ ? କିଏ ଶୁଣୁଥିଲା ସେଠି ଗୋଟାଏ ଚାପୁଡାରେ ମଦନା ତ ତଳେ ପଡି ଛଟପଟ ହୋଇ ସେତିକିବେଳୁ ନିରବୀ ଯାଇଛି କାନରୁ ବାହାରି ଆସୁଛି ତାଜା ରକ୍ତଧାର । ଚମକି ପଡିଲେ ସେ । ମଦନା .. ମଦନା .. ଦୁଇ ଚାରି ଥର ଡାକିଲେ । ହେଲେ ତାଙ୍କରି ଡାକ ତାଙ୍କରି ପାଖକୁ ଫେରି ଆସୁଥିଲା କରୁଣତାର ରାଗିଣୀ ହୋଇ । ସବୁଦିନ ପାଇଁ ଭୋକ ତା’ର ଶାନ୍ତି ହେଇଯାଇଥିଲା !


“ସାହାବ୍ ୟେ ଜୋ ଭିକାରି ଲୋଗ୍ ହୈ ନା, ୟେ ବଡେ ଭୁକଡ୍ ହୋତେ ହୈଁ .. ପେଟ୍ ମେଁ କିତନା ଭି ଡାଲୋ, ଭରତା ହି ନହିଁ .. ଆପନେ ସବ୍କୁଛ୍ ପକଡା ଦିୟା, ଦେଖନା, କଲ୍ ଫିର୍ ତଙ୍ଗ୍ କରେଙ୍ଗେ । ଇନ୍ ଲୋଗୋଁ କା ମାନ୍ ସନମାନ୍ ତୋ କୁଛ ହୈ ନହିଁ ..” 


“ସର୍ଦ୍ଦାର ଜୀ, ଆପ କଭି ଭୁକ୍ କା ତାଣ୍ଡବ୍ ଦେଖା ହୈ ? ଉସକେ ସାମନେ ୟେ ମାନ୍ ସନମାନ୍ କ୍ୟା ଚିଜ୍ ହୈ ? କୁଛି ଭି ତୋ ନହିଁ ..” କହୁ କହୁ ତାଙ୍କ ଆଖିରୁ ଝରି ଆସୁଥିବା ଲୁହକୁ ରୁମାଲ କାଢି ସେ ପୋଛି ତ ଦେଲେ, ହେଲେ ବିଗତ ତିରିଶ ବର୍ଷରୁ ହୃଦୟରୁ ନିଗିଡି ଚାଲିଥିବା ଲୁହକୁ ପୋଛିବାକୁ ସେ ତ ଆଜି ପର୍ଯ୍ୟନ୍ତ ବି କୌଣସି ରୁମାଲ ପାଇନାହାନ୍ତି, ତାକୁ ପୋଛନ୍ତେ କେମିତି ? 


Rate this content
Log in

More oriya story from Kamala Satpathy

Similar oriya story from Tragedy